ମୋ ଅନୁଭୂତିରେ ପାର୍ବଣ

0

ଅଚ୍ୟୁତ ସାମନ୍ତ

ପାର୍ବଣର ଋତୁ ଏବେ। ପ୍ରତିବର୍ଷ ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇ କାର୍ତ୍ତିକମାସ ​‌େ​‌ଶଷ ପର୍ଯ୍ୟନ୍ତ ଚାଲୁ ରହିଥାଏ। ବାଲିଯାତ୍ରା ଶେଷ ହେଲେ ପାର୍ବଣ ଋତୁ ​‌େ​‌ଶଷ ହେଲା ବୋଲି ଲୋକେ କହିଥାନ୍ତି। ପାର୍ବଣ ଆସିଗଲେ ସମସ୍ତେ ଖୁସି ହୋଇଯାଆନ୍ତି, ମୋତେ ବି ଭାରି ଖୁସିଲାଗେ। ପାର୍ବଣ ଋତୁର ଆରମ୍ଭ ​‌େହ​‌ଲେ ମନେ ପଡ଼ିଯାଏ ମୋ ପିଲାବେଳ ଓ ସ୍କୁଲ୍‌ ସମୟର କେତେକେତେ ସ୍ମୃତି, ଅନୁଭୂତି ସବୁ। ପାର୍ବଣ ଋତୁ ଆସିଲେ ଆମ ଗାଆଁରେ ମଧ୍ୟ ଆରମ୍ଭ ହୋଇଯାଉଥିଲା କେତେ ପ୍ରକାରର ପୂଜା। ଯେମିତିକି ସେତେବେଳେ ଆମ ଗାଆଁରେ ଥିବା ୟୁପି ସ୍କୁଲ ଏବଂ ମାଇନର ସ୍କୁଲରେ ଆମେ ପ୍ରଥମେ ପାଳନ କରିଥାଉ ଗଣେଶପୂଜା। ପରେପରେ ଆମ ଗାଆଁରେ ପାଳିତ ହୋଇଥାଏ ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାଳୀପୂଜା, କାର୍ତ୍ତିକେଶ୍ବର ପୂଜା, ରାସପୂର୍ଣ୍ଣିମା, ଏମିତି କେତେ କ’ଣ ପୂଜା। ତେବେ ସେ ସବୁ ପୂଜା ଭିତରେ ଦୁର୍ଗାପୂଜା ଆଉ କାଳୀପୂଜା ଟିକିଏ ବଡ଼-ଭାବରେ ପାଳିତ ହୋଇଥାଏ। ସମୟ ଆଗେଇବା ସହିତ ବର୍ଷକୁ ବର୍ଷ ଏହି ପୂଜା ଦୁଇଟି ବଢ଼ିବଢ଼ି ଏବେ ଆହୁରି ଜାକଜମକରେ ପାଳିତ ହେଉଛି।
୪୦-୪୫ବର୍ଷ ପୂର୍ବରୁ ଆମ ଗାଁ କଲରାବାଙ୍କ, କଟକ ଜିଲା ଅନ୍ତର୍ଗତ ଏକ ନିପଟ ମଫସଲ ଗାଆଁ ଥିଲା। ସେତେବେଳେ ଆମ ଗାଆଁରେ ପାଣି, ବିଜୁଳି, ରାସ୍ତାଘାଟ,ଶିକ୍ଷା ଓ ସ୍ବାସ୍ଥ୍ୟସେବା ଆଦି କୌଣସି ସୁବିଧା ନଥିଲେ ମଧ୍ୟ ସୁନ୍ଦର ପ୍ରାକୃତିକ ପରିବେଶରେ ଗାଆଁରେ ରହିବାକୁ ଭାରି ଭଲ ଲାଗୁଥିଲା। ଆନନ୍ଦଦାୟକ ମଧ୍ୟ ଥିଲା । ଆମ ଗାଆଁଦେଇ ବହିଯାଉଥିବା ପାଇକା ନଈ ହେଉଛି ମହାନଦୀର ଗୋଟିଏ ଛୋଟିଆ ଶାଖା ନଈ। ଆମ ଗାଆଁଟି ଯେମିତି ଛୋଟିଆ ସୁନ୍ଦର ଗାଆଁଟିଏ, ଠିକ୍‌ ସେମିତି ଆମର ପାଇକା ନଈ। କଳକଳ, ଛଳଛଳ! ନଈବନ୍ଧର ଗୋଟିଏ ପାଖରେ ଗାଅାଁ ଆଉ ଗାଆଁର ସବୁଘର। ଆର ପାଖରେ ପାଇକା ନଈର ରାଜୁତି। ପିଲାବେଳେ ସାଙ୍ଗମେଳରେ ଆମ ଗାଆଁର ସେ ପାଇକା ନଈରେ ଗାଧୋଇବା ପାଇଁ ଭାରି ଭଲ ଲାଗୁଥିଲା ମୋତେ। ସାଙ୍ଗମାନଙ୍କ ସହ ମିଶି ନଈରେ ବୁଡ଼ିବୁଡ଼ି ଗାଧୋଇବାବେଳେ ଭାରିମଜା ଲାଗୁଥିଲା ସତରେ।
ବର୍ଷସାରା ଆମ ଗାଆଁରେ ଯାହା ଯେମିତି ସବୁ ଚାଲିଥାଏ। କିନ୍ତୁ ଯେତେବେଳେ ପୂଜା ଆସିଯାଏ, ସବୁଦିନର ସେଇ ଚିରପରିଚିତ ଗାଆଁଟା କେମିତି ଗୋଟେ ନୂଆନୂଆ ଲାଗିଥାଏ। ସ୍ବତନ୍ତ୍ର ପରିବେଶଟିଏ ତିଆରି ହୋଇଯାଇଥାଏ ଯେମିତି ଗାଁରେ। ସମେସ୍ତ କୁହନ୍ତି ଆମ ଗାଆଁରେ ଦୁର୍ଗାପୂଜା ଓ କାଳୀପୂଜା ୩ଶହ ବର୍ଷ ପୂର୍ବରୁ ବଡ଼ ଆକାରରେ ପାଳିତ ହୋଇଆସୁଛି। କାରିଗର ଆସି ମାଟିରେ ଦେବୀଙ୍କର ମୃଣ୍ମୟୀ ମୂର୍ତ୍ତି ତିଆରି କରିଥାନ୍ତି। ଦେବୀଙ୍କ ପୂଜା ଜାକଜମକରେ ହେବା ସହିତ ପୂଜା ସାଙ୍ଗକୁ ମେଳା ଓ ମୀନାବଜାର ବସିଥାଏ। ଗାଆଁର ପ୍ରତି ପରିବାରରେ ଥାଏ ଖୁସି ଆଉ ଖୁସି। ଉଭୟ ଦୁର୍ଗାପୂଜା ଓ କାଳୀପୂଜାରେ ସମସ୍ତଙ୍କ ଘରକୁ କୁଣିଆ ଆସିଥାନ୍ତି, ଘରର ସବୁ ସଦସ୍ୟ ନୂଆଲୁଗା ପିନ୍ଧିଥାନ୍ତି। ଘରେଘରେ ପିଠାପଣା! ପୁଣି ମାଛମାଂସ ତରକାରି। ଆନନ୍ଦରେ ପରିବେଶ ସବୁଆଡ଼େ। କିନ୍ତୁ ଆମ ଘରକୁ କେହି କୁଣିଆ ଆସିବାର ନଥାଏ। ନ ଆସିବାର କାରଣ ମଧ୍ୟ ଥାଏ। ଘର ଆଉ ଘରର ପରିସ୍ଥିତି ଯାହା ସେଥିରେ ନା’ ଥାଏ ରନ୍ଧାବଢ଼ା, ନ’ଥାଏ ପିଠାପଣା, ନା’ଥାଏ ପୂଜା ମନେଇବାର ଆନନ୍ଦ। କୌଣସିମତେ ମଗାଯଚା କରି ମାଆ ଦୁର୍ଗାଙ୍କ ପାଇଁ ଭୋଗ ଯୋଗାଡ଼ ହୋଇପାରିଥାଏ। ଦୁର୍ଗାପୂଜାର କିଛି ଦିନ ପରେ କାଳୀପୂଜା ଆସିଥାଏ। ଦୁର୍ଗାପୂଜା ଅପେକ୍ଷା କାଳୀପୂଜାକୁ ଆହୁରି ଜାକଜମକରେ ପାଳନ କରିଥାନ୍ତି ଗାଆଁଲୋକେ। ଦୁର୍ଗାପୂଜାରୁ କାଳୀପୂଜା ଯାଏଁ ପୂଜାର ପରିବେଶ ସେମିତି ଲାଗି ରହିଥାଏ। ଆଜି ବି ବର୍ଷବର୍ଷ ଧରି ମାସେକାଳ ଗାଆଁରେ ସେମିତି ମଉଛବ ଲାଗି ରହୁଛି।
ସେତେବେଳେ ଗାଆଁରେ ଥିବା ଆମର ଛୋଟିଆ ଚାଳିଆ ଘରଟି ଥିଲା ଠିକ୍‌ ମାଆ ଦୁର୍ଗାଙ୍କ ମନ୍ଦିର ପାଖାପାଖି। ଭାଇଭଉଣୀ ଓ ମାଆଙ୍କୁ ନେଇ ଏକ ବଡ଼ ପରିବାର ଥିଲା ଆମର। ବାପା ଚାଲିଯିବାର ଦୁଇ/ତିନି ବର୍ଷ ଭତରେ ବଡ଼ଦୁଇ ଭଉଣୀଙ୍କ ବାହାଘର କରାଇ ଦେଇଥିଲେ ମାଆ। ବଡ଼ଭାଇ ଛୋଟ ଚାକିରିଟିଏ କରୁଥିଲେ। ରହୁଥିଲେ ଟାଟା ନଗରରେ। ତାଙ୍କ ପାଖରେ ରହୁଥିଲେ ମୋର ଗୋଟିଏ ଭାଇ ଏବଂ ​‌େ​‌ଗାଟିଏ ଭଉଣୀ। ଗାଆଁରେ ରହୁଥିଲୁ ମାଆ, ମୁଁ ଆଉ ମୋ ସାନଭଉଣୀ।
ସେତେବେଳେ ଆମ ପରିବାରର ଆର୍ଥିକ ପରିସ୍ଥିତି ଯାହା ଥିଲା ସେଥିରେ ଦିନକୁ ଦି’ ଥର ଖାଇବାକୁ ପାଇବା ବଡ଼ କଥା। ସେଥିରେ ପାର୍ବଣରେ ଖୁସି ମନେଇବାର ପ୍ରଶ୍ନ ହିଁ ଉଠୁ ନଥିଲା। ଏଣୁ ଆମେ କେବେ ବି ପାର୍ବଣ ଋତୁରେ ଉତ୍ସବ ମନାଇ ପାରୁ ନଥିଲୁ। ତେବେ ପିଲାମନ। ଅନ୍ୟମାନଙ୍କ ଖୁସିଦେଖି ଯଦିଓ ଆମେ ବି ଖୁସି ହୋଇଯାଉଥିଲୁ, କିନ୍ତୁ ଅନ୍ୟମାନଙ୍କ ଘରେ ପୂଜାର ଯେମିତି ପରିବେଶ ଥିଲା, ଯେମିତିକି ନୂଆ ଲୁଗା ପିନ୍ଧିବା, ରକମରକମ ପିଠାପଣା, ମାଛମାଂସ ତରକାରିରେ ଉତ୍ସବ ମନାଇବା, ଆମ ପାଇଁ ଥିଲା ସ୍ବପ୍ନ। କହିବାକୁ ଗଲେ କଳ୍ପନାର ବାହାରେ। ଗାଆଁଟା ସାରା ଅଧିକାଂଶଙ୍କ ଘରେ ଏ ସବୁ ଆୟୋଜନ ହେଉଥିଲେ ମଧ୍ୟ ଆମକୁ କେହି ସେମାନଙ୍କ ଘରକୁ ଖାଇବାକୁ ଡାକି ନଥାନ୍ତି। ମୋଟ ଉପରେ ପିଲାବେଳେ ପାର୍ବଣ ସମୟରେ ଏଭଳି ସୁସ୍ବାଦୁ ଖାଦ୍ୟ ଖାଇବାର ସୁଯୋଗ କେବେ ମିଳିନାହିଁ।
ସେତେବେଳେ ବଡ଼ଭାଇ ବାହାରେ ଚାକିରି କରୁଥିଲେ। ଦୁର୍ଗାପୂଜା ବେଳେ ସାନଭଉଣୀ ଇତି ଓ ମୋ ପାଇଁ ନୂଆ ପୋଷାକ ପଠାଉଥିଲେ ସେ। ସେତେବେଳେ ପାରିବାରିକ ପରିସ୍ଥିତି ଏଭଳି ଥିଲା ଯେ ବର୍ଷକୁ ଗୋଟିଏ ହଳ ନୂଆ ଡ୍ରେସ କିଣା ହେଉଥିଲା। ପୁଣି ନୂଆ ଡ୍ରେସ ମିଳୁମିଳୁ ପୂରା ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ୁଥିଲା। ଏଣୁ ଦୁର୍ଗାପୂଜାବେଳେ ମିଳୁଥିବା ନୂଆ ଡ୍ରେସକୁ ଥରେ ଅଧେ ପିନ୍ଧି ଦେଇ ଯତ୍ନର ସହିତ ସାଇତି ରଖି ଦେଉଥିଲୁ ଆମେ। ଆହୁରି ମଧ୍ୟ ଅନେକ ଥର ପୂଜା ସମୟରେ ଆମ ମାଆ ବଡ଼ ଭାଇଙ୍କ ପାଖକୁ ଯାଇ ତାଙ୍କ ପାଖରେ ବହୁତଦିନ ଧରି ରହିଯାଆନ୍ତି। ଗାଆଁ ଘରେ ଏକୁଟିଆ ମୁଁ ଆଉ ସାନଭଉଣୀ ଇତି। ପିଲା ବୟସ ଆମର। ରନ୍ଧାବଢ଼ା ସେମିତି ଆସୁ ନଥିଲା। ପୂଜାରେ ଆମ ଘରେ ରୋଷେଇ ବୋଇଲେ ଭାତ, ଆଳୁକୁ ଶିଝେଇ ଚଟଣି କରି ଖାଇବା। ତା’ ଭିତରେ ଦୁର୍ଗାପୂଜା କିଭଳି କଟିଯାଏ, ଆମେ ଜାଣିପାରୁ ନଥିଲୁ।
ଆଜି ବି ଆଖି ସାମ୍ନାରେ ଭାସିଯାଉଛି ଆମ ଗାଆଁର ସେତେବେଳର ଦୁର୍ଗାପୂଜା ଆଉ ତାକୁ ନେଇ କେତେକେତେ ଘଟଣା ସବୁ। କହି ବସିଲେ ବହୁତ କଥା। ଗୋଟିଏ କଥା ଭାରି ମନେପଡ଼ିଯାଉଛି ଆଜି। ଦୁର୍ଗାପୂଜା ବେଳେ ସ୍କୁଲ ସବୁ ଛୁଟିଥାଏ ଆମର। ଚତୁର୍ଥ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତିବର୍ଷ ପୂଜା ଛୁଟିରେ ଆମ ଗାଁର ଦୁର୍ଗାପୂଜା ବେଳେ ଦୁର୍ଗାମନ୍ଦିର ପାଖରେ ଯାଇ ବେଲୁନ୍‌ ଦୋକାନ କରୁଥିଲି ମୁଁ। ଆମ ଗାଆଁରେ ଚାରିଦିନ ଧରି ଦୁର୍ଗାପୂଜା ପାଳିତ ହୋଇଥାଏ। ଛୋଟିଆ ମେଳାଟିଏ ମଧ୍ୟ ହୋଇଥାଏ। ଆଖପାଖ ଗାଆଁରୁ ଲୋକମାନେ ଆସିଥାନ୍ତି ମେଳା ଦେଖିବାକୁ। ଏଣୁ ଚାରିଦିନ ଧରି ବେଲୁନ ଦୋକାନ କରିଥାଏ ମୁଁ ସେ ମେଳାରେ। ସାନଭଉଣୀ ଇତି ମଧ୍ୟ ସାହାଯ୍ୟ କରୁଥିଲା ମୋତେ ସେଥିରେ। ଆମକୁ ଭାରି ମଜା ଲାଗୁଥିଲା କାହିଁକି ନା’ ସ୍କୁଲ ଯିବାର ନଥିଲା। ଉପରକୁ ଆହୁରି ବେଲୁନ୍‌ ବିକାରୁ ହାତ ଖର୍ଚ୍ଚ ତଥା ଘରଖର୍ଚ୍ଚ ପାଇଁ କିଛି ପଇସା ମଧ୍ୟ ରୋଜଗାର ହେଉଥିଲା। ଆଉ ସେ ପଇସାର ଆବଶ୍ୟକତା ସେତେବେଳେ ବହୁତ ବେଶୀ ଥିଲା। ସବୁଠୁ ବେଶୀ ଖୁସି ଲାଗୁଥିଲା ପରିଶ୍ରମ କରି କିଛି ପଇସା ରୋଜଗାର କରିପାରୁଥିଲି। ମାଆ ସବୁବେଳେ କହୁଥିଲେ, ‘ପେଟ ପୋଷ, ନାହିଁ ଦୋଷ’। କହିବାର ଉଦ୍ଦେଶ୍ୟ ହେଉଛି ସତ୍‌ ପଥରେ ରହି ପରିଶ୍ରମ କରି ପଇସା ଉପାର୍ଜନ କରି ପେଟ ପୋଷ। ତେଣିକି ଯେଉଁ କାମ କରିବାକୁ ପଡ଼ୁ। ସେଥିପାଇଁ ଯେତେ ପରିଶ୍ରମ କରିବାକୁ ପଡ଼ୁ ପଛେ। ସେଇଥିପାଇଁ ହିଁ ଆଜି ମୁଁ ସମାଜ ପାଇଁ କିଛି କରିପାରିଛି ଏବଂ କରୁଥିବି ମଧ୍ୟ। ଭୁଲିନି କିନ୍ତୁ ମାଆ କହିଯାଇଥିବା କଥା, ‘ସତ ରାସ୍ତାରେ ରହିବ, ସତ୍‌ ମାର୍ଗରେ ଅର୍ଥ ଉପାର୍ଜନ କରିବ।’ ଭୁଲିନି ମାଆ କହିଥିବା ଆଉ ଗୋଟିଏ କଥା। ସବୁବେଳେ କହିଥିଲେ, ‘ଯା’କୁ ଲୋକ ନ କହିଲା ଭଲା, ସିଏ ଜିଇ ଥାଉଁଥାଉଁ ମଲା!’ ମାଆ ଚାଲିଗଲେଣି ତାଙ୍କ ବାଟରେ, କିନ୍ତୁ ମାଆ କହିଯାଇଥିବା ଏହି କଥାସବୁ କାନ ପାଖରେ ମୋର ଶୁଭିଯାଉଥାଏ ବାରମ୍ବାର। ମାଆଙ୍କର କଥା ମନେରଖି ଆଜି ଏତେବଡ଼କାମ କରିପାରିଛି ଓ କିଟ୍‌-କିସ୍‌ ଭଳି ସଂସ୍ଥା ଚାଲୁଛି। ଯେତେଦିନ ପର୍ଯ୍ୟନ୍ତ ବଞ୍ଚିଥିବି ମାଆଙ୍କ କଥା ମନେ ରଖିଥିବି। ସତ୍‌ମାର୍ଗରୁ ବିଚ୍ୟୁତ ହେବିନାହିଁ କେବେ ବି।
ଦୁର୍ଗାପୂଜା ପରେ ଆସିଥାଏ କାଳୀପୂଜା। ଅବଶ୍ୟ କାଳୀପୂଜାର ମେଳା ଦୁର୍ଗାପୂଜାର ମେଳା ଅପେକ୍ଷା ବଡ଼ ମେଳା। ମୁଁ ଓ ମୋ ସାନ ଭଉଣୀ ଇତି ମଧ୍ୟ ମେଳାକୁ ଯାଇଥାଉ, କିନ୍ତୁ ଆମ ପାଖରେ ଗୋଟିଏ ବି ପଇସା ନଥାଏ ମେଳାରୁ କିଛି ଆଣି ଖାଇବା ପାଇଁ। ପରଜିନିଷ ପ୍ରତି ଆଶା ନ ଥିବାରୁ ଏଥିପାଇଁ ଆମର କେବେ ବି ମନଦୁଃଖ ହୁଏନାହିଁ। ହଁ, ଆମର ନାହିଁ ବୋଲି ଭାବି ମନ ଦୁଃଖ ହେଉଥିଲେ ମଧ୍ୟ କାହା ଆଗରେ ଯାଇ ଅଳି ଅଝଟ କରିବୁ, ସେମିତି ବି କେହି ଆମ ପାଖରେ ନଥିଲେ। କେବେକେବେ ପୂଜାରେ ମା’ ଗାଆଁରେ ରହୁଥିଲେ ବି ତାଙ୍କ ଆଗରେ ଅଝଟ କରିବାର କିଛି ଅର୍ଥ ହିଁ ନ ଥିଲା। କାରଣ ତାଙ୍କ ପାଖରେ ବି ପଇସା ନଥିଲା ଯାହା ସିଏ ଆମକୁ ଦେଇଥାନ୍ତେ। ତେବେ ବେଳେବେଳେ ମନଦୁଃଖରେ ଘରକୁ ଦଉଡ଼ି ଆସି ମାଆକୁ ପଚାରୁଥିଲି, ମା’! ଏତେ ବଡ଼ ମେଳାରେ ଆମର ନିଜ ସମ୍ପର୍କୀୟମାନେ ଦୋକାନରେ ବସି ମନ ଖୁସିରେ ଖାଉଛନ୍ତି, ଆମେ ସେଇଠି ତାଙ୍କରି ସାମ୍ନାରେ ଭୋକ ପେଟରେ ଏପଟସେପଟ ହେଉଛୁ, ଅଥଚ ତାଙ୍କର ମନ କହୁନି ଆମକୁ ପାଖକୁ ଡାକି ସ୍ନେହରେ ଗୋଟିଏ ରସଗୋଲା ହେଲେ ଖାଇବାକୁ ଦେବେ! ବରଂ ଆମକୁ ଦେଖି ନ ଦେଖିଲା ଭଳି ମୁହଁ ବୁଲାଇ ପରସ୍ପର ଭିତରେ ଗପସପ ଖିଆପିଆରେ ମନ ଦେଉଛନ୍ତି! ଏମିତି କାହିଁକି? ଆମେ କ’ଣ ତାଙ୍କ ପାଇଁ ‘ବାହାରଲୋକ’। ସେତେବେଳେ ମା’ ବୁଝାଇ ଦେଉଥିଲେ, ‘ବାପାରେ, ସଂସାରର ନିୟମ ହେଲା କାନ୍ଧକୁ କାନ୍ଧ ନ ମିଶିଲେ କେହି କାହାକୁ ପଚାରନ୍ତି ନାହିଁ। ଏ ସଂସାରରେ ଏଭଳି ଖୁବ୍‌ କମ୍‌ଲୋକ ଥିବେ ଯାହାଙ୍କର କାନ୍ଧ ଉଚ୍ଚାରେ ଥିଲେ ମଧ୍ୟ ସିଏ ତଳ କାନ୍ଧକୁ ଦେଖନ୍ତି। ଆମର ତ ଖାଲି ଅଭାବ ହିଁ ଅଭାବ। ସେଥିରେ କିଏ କାହିଁକି ଆମକୁ ପାଖକୁ ଡାକିବ, ସ୍ନେହ କରିବ, ପଚାରିବ, ଖାଇବାକୁ ଦେବ? ତୁ ସେଥିପାଇଁ ବ୍ୟସ୍ତ ହ ନା’। ଆଜି ତମେ ସବୁ ଛୋଟ ଅଛ, ଆମର ନାହିଁ, କାଲିକି ପୁଣି ବଡ଼ ହୋଇ ରୋଜଗାର କରିବୁନି! କିନ୍ତୁ ଗୋଟିଏ କଥା ମନେ ରଖିଥିବୁ ତୋ କାନ୍ଧ ଯେତେବେଳେ ଉଚ୍ଚାହେବ ତଳ କାନ୍ଧ ବାଲାଙ୍କୁ ଆଗେ ଦେଖୁବୁ।’ ସେଇଥିପାଇଁ ହୁଏତ ଈଶ୍ବରଙ୍କ କରୁଣାରୁ ପିଲାଦିନେ ବେଲୁନ୍‌ ବିକି ଦୁଇ ପଇସା ହାତଖର୍ଚ୍ଚ ଯୋଗାଡ଼ କରୁଥିବା ପିଲାଟି ଆଜି ହଜାରହଜାର ଗରିବ ପିଲା, ଦୁଃଖୀରଙ୍କୀଙ୍କ ମୁହଁରେ ହସ ଫୁଟାଇବାରେ ସକ୍ଷମ ହୋଇପାରିଛି।
ସମୟ କୋଉଠି ଅଟକି ରହେନି। ଏକଥା ମଧ୍ୟ ସମସ୍ତେ ଜାଣିଛନ୍ତି। ସମସ୍ତଙ୍କର ସବୁବେଳେ ସମାନ ସମୟ ରହି ନଥାଏ। ୟା ଭିତରେ ବହୁତ ବାଟ ଆଗେଇ ଆସିଲିଣି ମୁଁ। ଈଶ୍ବର ମୋତେ ସକ୍ଷମ କରିଛନ୍ତି। ଯେଉଁ ଗାଁ ଦାଣ୍ଡରେ ଦିନେ ଭୋକ ପେଟରେ ନୁଖୁରା ମୁଣ୍ଡରେ ବୁଲୁଥିଲି ସେଇ ଗାଅଁାର ବହୁତ ଉନ୍ନତି କରାଇ ସାରିଲିଣି। ପୂଜା ସମୟରେ ଅନେକ ଲୋକଙ୍କୁ ପୂଜା ଖର୍ଚ୍ଚ ଦେବାକୁ କେବେ ଭୁଲେନାହିଁ ମୁଁ। କାଳୀପୂଜାରେ ଗାଆଁଙ୍କୁ ଯାଇ ଗାଆଁରେ ଆମ ଦ୍ବାରା ପ୍ରତିଷ୍ଠିତ ଦୁଇ ଇଂରାଜୀ ଓ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଦେଢ଼ ହଜାର ପିଲାଙ୍କୁ ଡାକି ଚାଟ୍‌, ଗୁପ୍‌ଚୁପ୍‌, ବରା, ତରକାରି, ଲଡ଼ୁ, ରସଗୋଲା ସହିତ ଆହୁରି କେତେକେତେ ଖାଇବା ଜିନିଷ ଖୁଆଇବାରେ ଭାରି ଖୁସି ଲାଗିଥାଏ ମୋତେ। ଖୁସି ପାଇଥାଏ ମୁଁ ଅନ୍ୟର ମୁହଁରେ ଖୁସି ଦେଇ, ତା’ ମନରେ ଆଗକୁ ବଢ଼ିବାର ଆଶା ଆଶ୍ବାସନା ଦେଇ।
ପିଲାଦିନରୁ ଆଜି ପର୍ଯ୍ୟନ୍ତ ମାଆ କାଳୀଙ୍କ ଆଶୀର୍ବାଦରୁ ପ୍ରତିବର୍ଷ କାଳୀପୂଜାରେ ମୁଁ ଗାଁରେ ଥାଏ। କାମର ବୋଝ ଯେତେ ବଢ଼ିଲେ ବି କାଳୀପୂଜାରେ ଗାଆଁରେ ରହିବା ଆଜି ପର୍ଯ୍ୟନ୍ତ ​ କେବେବି ବନ୍ଦ ହୋଇ ନଥିଲା, କିନ୍ତୁ ଏଥର ପ୍ରଥମଥର ପାଇଁ ମୋର ଶାରୀରିକ ଅସୁସ୍ଥତା ଯୋଗୁ ଗାଆଁକୁ ଯାଇ ପାରିଲିନି ମୁଁ। ବିଛଣାରେ ଶୋଇଶୋଇ ଦୁଃଖଦ ହେଉ କି ସୁଖଦ ହେଉ ଅତୀତକୁ ମନେ ପକେଇ ଚାଲିଛି। କାରଣ ଅତୀତ ସବୁବେଳେ ସ୍ମରଣୀୟ ହେଇ ରହିବା ଦରକାର। ଅତୀତରୁ ମଣିଷ ଅନୁଭୂତି ସାଉଁଟେ। ଯାହା ଉପରେ ଠିଆ ହୁଏ ତା’ର ବର୍ତ୍ତମାନ। ମୋ ମାଆ କହୁଥିଲେ, ‘ପୁଅରେ ! ଜୀବନରେ ଯେତେ ଆଗକୁ ଯାଅା, ଯେତେ ବଡ଼କାମ କର, ଯେତେ ବଡ଼ କ୍ଷମତାର ଅଧିକାରୀ ହୁଅ, କିନ୍ତୁ ଗୋଟିଏ କଥା ସବୁବେଳେ ମନେ ରଖିଥିବୁ, ‘ଥିଲି କ’ଣ! ହେଲି କ’ଣ! ହେବି କ’ଣ! ଯୋଉ ମଣିଷ ଏକଥା ଭୁଲିଯିବ ସିଏ କେବେ ବି ବୁଝି ପାରିବନି ଜୀବନ କ’ଣ! ଜୀବନର ମୂଲ୍ୟବୋଧ କ’ଣ!’’

Leave A Reply