ବିଶ୍ବ ଓ ଭବିଷ୍ୟ

0

ଜନସଂଖ୍ୟା ବୃଦ୍ଧି ପୃଥିବୀର ଏକ ପ୍ରମୁଖ ସମସ୍ୟା। ବିଶ୍ବର ଦୁଇ ପ୍ରମୁଖ ଜନବହୁଳ ରାଷ୍ଟ୍ର ଚୀନ ଓ ଭାରତରେ ବିଶ୍ବ ଜନସଂଖ୍ୟାର ପାଖାପାଖି ୪୦ ଶତାଂଶ ଲୋକ ବସବାସ କରନ୍ତି। ଅଧିକ ଜନସଂଖ୍ୟାକୁ ଭାରତ ସମେତ କେତେକ ଦେଶ ସକାରାତ୍ମକ ଦୃଷ୍ଟିରୁ ଦେଖୁଛନ୍ତି ଏବଂ ଏହାକୁ ଏକ ସମ୍ବଳ ଭାବେ ବିବେଚନା କରୁଛନ୍ତି। ଦୃଷ୍ଟିକୋଣ ଓ ବିବେଚନା ଯାହା ହେଉନା କାହିଁକି ବିପୁଳ ଜନସଂଖ୍ୟା ଯେ ଏକ ସମସ୍ୟା, ଏ ସତ୍ୟଟିକୁ ସ୍ବୀକାର କରିବାକୁ ପଡ଼ିବ। ଏହି ବିପୁଳ ଜନସଂଖ୍ୟା ବିଶ୍ବର ଯାବତୀୟ ସମସ୍ୟାର ପ୍ରମୁଖ କାରଣ ମଧ୍ୟ।
ସଦ୍ୟ ପ୍ରକାଶିତ ଗବେଷଣାତ୍ମକ ତଥ୍ୟ ଅନୁସାରେ ଆଗକୁ ମଣିଷର ହାରାହାରି ଖାଦ୍ୟଗ୍ରହଣ ପରିମାଣ ବଢ଼ିବ। ଖାଦ୍ୟ ଗ୍ରହଣ ଅଭ୍ୟାସରେ ପରିବର୍ତ୍ତନ,ଉଚ୍ଚତା ଓ ଓଜନ ବୃଦ୍ଧି ପାଇଁ ଭବିଷ୍ୟତରେ ମଣିଷ ଏବେଠାରୁ ଅଧିକ ଖାଦ୍ୟ ଖାଇବ। ଏ ଯେଉଁ ଭବିଷ୍ୟତ କଥା କୁହାଯାଉଛି ତାହା ବେଶି ଦୂର ନୁହେଁ; ମାତ୍ର ୩୫ ବର୍ଷର ବ୍ୟବଧାନ। ତେଣୁ ୨୦୫୦କୁ ଯଦି ଏହି ହିସାବରେ ବିଚାରକୁ ନିଆଯାଏ ତେବେ ସେତେବେଳେ ସମଗ୍ର ବିଶ୍ବର ଜନସଂଖ୍ୟା ୯୦୦କୋଟିରେ ପହଞ୍ଚିଥିବ। ଏବେ ଏହା ୭୬୦ କୋଟିରେ ରହିଛି।
ସମଗ୍ର ବିଶ୍ବ ଏବେ ତାହାର ମୋଟ ଜନସଂଖ୍ୟା ପାଇଁ ଆବଶ୍ୟକ ପଡ଼ୁଥିବା ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ସମାଗ୍ରୀ ଉତ୍ପାଦନ କରିପାରୁନାହିଁ। ଏକ-ଚତୁର୍ଥାଂଶ ଜନସଂଖ୍ୟାକୁ କ୍ଷୁଧାରୁ ରକ୍ଷା କରିବା ପାଇଁ କିଛି ଆଗୁଆ ରାଷ୍ଟ୍ରଙ୍କୁ ଅତିରିକ୍ତ ଖାଦ୍ୟଶସ୍ୟ ଉତ୍ପାଦନ କରିବାକୁ ପଡ଼ୁଛି। ବସୁଧାକୁ କୃତ୍ରିମ ଉପାୟରେ ଅଧିକ ଉତ୍ପାଦନକ୍ଷମ କରିବାରୁ ଏହାର କୁପ୍ରଭାବ ପରିବେଶ ଉପରେ ପଡ଼ୁଛି। ଏଥିରୁ ଚିନ୍ତା କରନ୍ତୁ ଆଉ ୩୫ବର୍ଷ ପରେ ପ୍ରାୟ ୨୫୦କୋଟି ଅତିରିକ୍ତ ଜନସଂଖ୍ୟାକୁ ବର୍ତ୍ତମାନଠାରୁ ଅଧିକ ପରିମାଣରେ ଦୈନିକ ଭୋଜନ ଦେବା ପାଇଁ କି ପ୍ରକାର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ।
ବିଜ୍ଞାନ ଓ ପ୍ରଯୁକ୍ତି ସର୍ବଦା ମଣିଷର ସହାୟକ ହୋଇଛି ଏବଂ ନୂଆ ସମସ୍ୟାର ସମାଧାନରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି, ଏଥିରେ ଦ୍ବିମତ ହେବାର କିଛି ନାହିଁ। ସେଇ ବିଜ୍ଞାନଭିତ୍ତିକ ଗବେଷଣା କହୁଛି ଆଗକୁ ମଣିଷର ହାରାହାରି ଉଚ୍ଚତା ଏବଂ ଓଜନ ବଢ଼ିବ ତଥା ଏହାର ଦୈନନ୍ଦିନ ଭୋଜନ ପରିମାଣ ବଢ଼ିବ। ୧୯୭୫ରୁ ୨୦୧୪ ପର୍ଯ୍ୟନ୍ତ ୧୮୬ ଦେଶରୁ ସଂଗୃହୀତ ମନୁଷ୍ୟ ସଂକ୍ରାନ୍ତ ତଥ୍ୟାବଳି ସଂଗ୍ରହ କରି ଗବେଷକ ଏହି ତଥ୍ୟ ପ୍ରଦାନ କରିଛନ୍ତି। ସେହି ତଥ୍ୟ ଅନୁସାରେ ୧୯୭୫ରେ ଜଣେ ମଣିଷର ହାରାହାରି ଖାଦ୍ୟଗ୍ରହଣ ୨୪୬୫ କିଲୋ କ୍ୟାଲୋରି ଥିବାବେଳେ ୨୦୧୪ରେ ଏହା ୨୬୧୫ କିଲୋ କ୍ୟାଲୋରିରେ ପହଞ୍ଚିଛି।
ପ୍ରାୟ ୪୦ ବର୍ଷ ମଧ୍ୟରେ ଜଣେ ମଣିଷର ହାରାହାରି ଖାଦ୍ୟ ଗ୍ରହଣ ଯଦି ୧୨୯ ଶତାଂଶ ବଢ଼ୁଛି ଆଗାମୀ ୫୦ ବର୍ଷ ମଧ୍ୟରେ ପରିସ୍ଥିତି କ’ଣ ହେବ ତାହା ଅନୁମାନ କରିବା କଷ୍ଟ ନୁହେଁ। ଏଭଳି ପରିସ୍ଥିତିରେ ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ବିଶ୍ବର ଦ୍ବିତୀୟ ଜନବହୁଳ ରାଷ୍ଟ୍ର ଭାରତର ଅବସ୍ଥା କ’ଣ ହେବ ସେ କଥା ଗୁରୁତ୍ବରସହ ଚିନ୍ତା କରିବାର ସମୟ ଆସିଛି। ଏହି ସମସ୍ୟାର ସମାଧାନ କେବଳ ସରକାର ବା ଦେଶର ଯୋଜନାକାରଙ୍କର ଦାୟିତ୍ବ ନୁହେଁ। ଏଥିରେ ପ୍ରତ୍ୟେକ ସଚେତନ ଲୋକଙ୍କର କିଛି ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ‘ଭବିଷ୍ୟତ କିଏ ଦେଖିଛି’ ବା ‘ଆମ ଅନ୍ତେ କ’ଣ ହେବ ସେ ନେଇ ଆମେ କାହିଁକି ଚିନ୍ତା କରିବା’ ଭଳି ବିଚାର ଗ୍ରହଣୀୟ ନୁହେଁ। ଗୋଟିଏ ପିଢ଼ି ସଂଯତ, ସଚେତନ ହେଲେ ପରବର୍ତ୍ତୀ ପିଢ଼ି ଓ ବିଶ୍ବ ସୁରକ୍ଷିତ ହୋଇପାରିବ।

Leave A Reply