ବିଜ୍ଞାନ ଓ ଦର୍ଶନ

0

ଧନେଶ୍ବର ସାହୁ

ଜାତିସଂଘର ୟୁ​‌େ​‌ନ‌େ‌ସ୍କା ତରଫରୁ ପ୍ରତ୍ୟେକ ବର୍ଷ ନଭେମ୍ବର ମାସର ତୃତୀୟ ଗୁରୁବାରକୁ ଦର୍ଶନ ଦିବସ ଭାବରେ ପାଳନ କରାଯାଉଛି। ସଭ୍ୟତାର ବୌଦ୍ଧିକ କ୍ରମୋନ୍ନତି ପଶ୍ଚାତରେ ଦର୍ଶନଶାସ୍ତ୍ରର ମୌଳିକ ଅବଦାନ ରହିଥିବା ପୃଷ୍ଠଭୂମିରେ ୨୦୦୨ଠାରୁ ଦର୍ଶନ ଦିବସ ପାଳିତ ହୋଇଆସୁଛି। ଆଞ୍ଚଳିକ, ଜାତୀୟ ତଥା ବିଶ୍ବ ଦୃଶ୍ୟପଟରେ ଯେଉଁ ବୌଦ୍ଧିକ ବିଚାରମାନ ଜୀବନର ଉତ୍କର୍ଷ ସାଧନ କ୍ଷେତ୍ରରେ ସହାୟକ ହୋଇଛି, ସେସବୁ ବିଷୟରେ ମୁକ୍ତ ଆଲୋଚନା ପାଇଁ ଏଥିରେ ଆବେଦନ ରହିଛି। ସେହିପରି ବିଭିନ୍ନ ସ୍ତରରେ ଆଲୋଚନା ଚକ୍ର ଓ ସଂପାନ ଆୟୋଜନ କରିବାକୁ କୁହାଯାଇଛି। ପୃଥିବୀର ଖ୍ୟାତିସଂପନ୍ନ ବିଶ୍ବବିଦ୍ୟାଳୟ ଓ କେତେକ ମହାବିଦ୍ୟାଳୟ ଦର୍ଶନ ଦିବସକୁ ପାଳନ କରୁଛନ୍ତି। ଆଧୁନିକ ଜୀବନଶୈଳୀ, ବିଜ୍ଞାନ ଓ ପ୍ରଯୁକ୍ତିର ଉତ୍ତୁଙ୍ଗ ବିକାଶ, ଜଗତୀକରଣର ପ୍ରଭାବ ଇତ୍ୟାଦିର ଭଲ ମନ୍ଦ ଉପରେ ଦାର୍ଶନିକମାନେ ଆଲୋଚନା କରିବା ଆବଶ୍ୟକ। କେଉଁ ବିଚାରବୋଧ, ଜୀବନ-ଦର୍ଶନ ଓ ନୈତିକ ମୂଲ୍ୟଚୟ ଏକ ଶାନ୍ତିପୂର୍ଣ୍ଣ ଓ ସୌହାର୍ଦ୍ଦ୍ୟଭରା ବିଶ୍ବନିର୍ମାଣରେ ସହାୟକ ହେବ, ଏହା ବିଷୟରେ ଯୁବସମାଜକୁ ଓ ଜନଗଣଙ୍କୁ ଅବଗତ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ପରିପେକ୍ଷୀରେ ଗୁରୁତ୍ବପୂର୍ଣ୍ଣ ମାନବିକ ପ୍ରସଙ୍ଗ ଉପରେ ଦାର୍ଶନିକମାନେ ନିଜର ଭାବନା ବ୍ୟକ୍ତ କରିବା ଦରକାର।
ଏହା ସୁବିଦିତ ଯେ ଦର୍ଶନ ଏକ ବୌଦ୍ଧିକ ଜିଜ୍ଞାସା। ସବୁ ସଭ୍ୟତାରେ ଦାର୍ଶନିକମାନେ ଚିନ୍ତାରାଜ୍ୟର ଅଗ୍ରଗାମୀ ବ୍ୟକ୍ତିତ୍ବ। ବୌଦ୍ଧିକ ସୃଜନଶୀଳତାର ଯେତେବେଳେ ଦିଗନ୍ତ ରହିଛି ସେ ମଧ୍ୟରେ ଦର୍ଶନ ଏକ ମୁଖ୍ୟ ଭୂମିକା ନେଇଥାଏ। ତେବେ ମାନବୀୟ ଚିନ୍ତାଚେତନା ବହୁ ସୋପାନ ଓ ସ୍ତର ଦେଇ ଯେ ବିକାଶଲାଭ କରିଛି ଏହା ଏକ ଐତିହାସିକ ଉପଲବ୍ଧି। ଯେତେବେଳେ ବୌଦ୍ଧିକ କୌତୂହଳତା ପ୍ରକାଶ ପାଏ ଓ ଜଟିଳ ପ୍ରସଙ୍ଗମାନଙ୍କର ଉତ୍ତର ମାନବୀୟ ଚେତନାରେ ପ୍ରତିଫଳିତ ହୁଏ, ତାହାହିଁ ଦାର୍ଶନିକ ଜିଜ୍ଞାସାର ରୂପନିଏ। ବିଜ୍ଞାନ ବିକାଶର ବହୁ ପୂର୍ବରୁ ଦାର୍ଶନିକ ଅନୁସନ୍ଧିତ୍ସା ହିଁ ମାନବୀୟ ପ୍ରଜ୍ଞାର ଶ୍ରେଷ୍ଠ ଅଭିବ୍ୟକ୍ତି ଥିଲା। ବିଶାଳ ପ୍ରକୃତି ଓ ଦୃଶ୍ୟମାନ ବିଶ୍ବର ଆଦିକାରଣ କ’ଣ, ଜୀବନର ଶ୍ରେୟ କେଉଁଥିରେ ନିହିତ, କେଉଁ ମାନଦଣ୍ଡରେ ନୈତିକତା ଓ ଅନୈତିକତା ମଧ୍ୟରେ ପୃଥକ୍‌ କରାଯିବ ଇତ୍ୟାଦି ଜିଜ୍ଞାସା ଯେତେବେଳେ ଚିନ୍ତା ସ୍ତରକୁ ଆସିଛି ଓ କେହି ଜ୍ଞାନୀ ବ୍ୟକ୍ତି ଏହାର ସମ୍ଭାବ୍ୟ ବ୍ୟାଖ୍ୟା ଦେବାକୁ ପ୍ରୟାସ କରିଛନ୍ତି ତାହା ମଧ୍ୟଦେଇ ଦାର୍ଶନିକ ଭାବନାର ଅୟମାରମ୍ଭ ହୋଇଛି। ଚିନ୍ତାରାଜ୍ୟରେ ମୌଳିକ ପ୍ରଶ୍ନମାନଙ୍କର କ’ଣ ଉତ୍ତର ଦିଆଯାଇଛି ଯେତେ ଗୁରୁତ୍ବପୂର୍ଣ୍ଣ ନୁହେଁ, ଏହିପରି ଉଠାଇଥିବା ପ୍ରଶ୍ନମାନ ଅଧିକ ଗୁୁରୁତ୍ବ ବହନ କରିଆସିଛି।
ଏହା ଅନସ୍ବୀକାର୍ଯ୍ୟ ଯେ ସଭ୍ୟତାର କ୍ରମବିକାଶ ଧାରାରେ ଚିନ୍ତାଚେତନାର ବିବର୍ତ୍ତନ ଘଟିଛି। ପରିଣାମତଃ ସମୟକୁ ସମୟ ଦର୍ଶନର ବିଷୟବସ୍ତୁ, ପରିସର, ସଂଜ୍ଞା ଇତ୍ୟାଦି ମଧ୍ୟ ପରିବର୍ତ୍ତିତ ହୋଇଚାଲିଛି। ତେବେ ତତ୍ତ୍ବମୀମାଂସା, ଜ୍ଞାନମୀମାଂସା, ମୂଲ୍ୟମୀମାଂସା ଓ ତର୍କଶାସ୍ତ୍ର ଦର୍ଶନଶାସ୍ତ୍ରର ମୌଳିକ ବିଭାଗ ଭାବେ ସ୍ବୀକୃତ।
ଚିନ୍ତାରାଜ୍ୟରେ ଯେତେବେଳେ କିଛି ଆଲୋଡ଼ନ ଆସିଛି ତାହା ପଶ୍ଚାତରେ ରହିଥିବା ତାତ୍ତ୍ବିକ ପ୍ରସଙ୍ଗମାନ ଦର୍ଶନ ପରିସରରେ ଆଲୋଚିତ ହୋଇଥାଏ। ଏହା ଏକ ଐତିହାସିକ ସତ୍ୟ ଯେ ପୃଥିବୀର ବିଭିନ୍ନ ଭୌଗୋଳିକ ଭୂଖଣ୍ଡରେ ଧର୍ମମାନ ସାଂସ୍କୃତିକ ଆଲୋଚନା ଭାବେ ଭଦ୍‌ଭବ ହୋଇଥିଲା। ପ୍ରତ୍ୟେକ ଧର୍ମର ତାତ୍ତ୍ବିକ ସିଦ୍ଧାନ୍ତମାନଙ୍କର ବିଶ୍ଳେଷଣ କରାଯାଇ ତାହାର ପ୍ରତ୍ୟୟଗତ ପରିସର ଦାର୍ଶନିକ ଅନୁଶୀଳନ ଭିତରେ ସ୍ପଷ୍ଟ ରୂପରେଖ ନେଇଥିଲା। ବିଜ୍ଞାନର ଯୁଗ ଆସିବା ପର୍ଯ୍ୟନ୍ତ ସକଳ ବୌଦ୍ଧିକ ଅନୁସନ୍ଧିତ୍ସା ଦର୍ଶନ ପରିସରଭୁକ୍ତ ଥିଲା। ସାଂପ୍ରତିକ ପରିଭାଷାରେ ଯାହାକୁ ‘ବିଜ୍ଞାନ’ କୁହାଯାଉଛି ବିଜ୍ଞାନର ଆଦିପର୍ବରେ ତାହାକୁ ‘ପ୍ରାକୃତିକ ଦର୍ଶନ’ କୁହାଯାଉଥିଲା। ବିଶ୍ବର ମୌଳିକ ତତ୍ତ୍ବମାନଙ୍କୁ ଯାହା ବ୍ୟାଖ୍ୟାକରେ ତାହା ଦର୍ଶନ, ପ୍ରକୃତିର ନିୟମ ଓ ଏକରୂପତାକୁ ଯାହା ଆବିଷ୍କାର କରେ ତାହା ପ୍ରାକୃତିକ ଦର୍ଶନ, କିନ୍ତୁ ପରେ ଯେତେବେଳେ ବିଜ୍ଞାନକୁ ଆଧାରକରି ପ୍ରଯୁକ୍ତିର ବିକାଶ ହେଲା ଓ ବିଜ୍ଞାନର ଦିଗନ୍ତ ବିସ୍ତାରିତ ହୋଇ ଏଥିରେ ନାନା ବିଭାଗ ଓ ବିଶେଷତା ପ୍ରକାଶ ପାଇଲା ସେତେବେଳେ ବିଜ୍ଞାନ ଦର୍ଶନଠାରୁ ସ୍ବତନ୍ତ୍ର ହେଲା। ସାଂପ୍ରତିକ ଅବବୋଧରେ ବିଜ୍ଞାନ ଓ ଦର୍ଶନ ଦୁଇଟି ପୃଥକ ବୌଦ୍ଧିକ ଧାରାର ପ୍ରତିନିଧିତ୍ବ କରନ୍ତି। ବୈଜ୍ଞାନିକ ଜ୍ଞାନ ତଥ୍ୟଭିତ୍ତିକ, ପ୍ରଣାଳୀବଦ୍ଧ ଓ ପର୍ଯ୍ୟବେକ୍ଷଣ-ପରୀକ୍ଷଣ ଆଧାରିତ। ଦାର୍ଶନିକ ଜ୍ଞାନ ତଥ୍ୟଭିତ୍ତିକ ନୁହେଁ, ଏହା ବିଶ୍ଳେଷଣାତ୍ମକ। ଯାହା ଘଟଣାମାନଙ୍କୁ କେତେକ ନିୟମ, ସିଦ୍ଧାନ୍ତ ବା ପ୍ରକଳ୍ପ ଆଧାରରେ ବ୍ୟାଖ୍ୟାକରେ ତାହା ବିଜ୍ଞାନ, ଯାହା ମୌଳିକ ପ୍ରତ୍ୟୟମାନଙ୍କର ବିଶ୍ଳେଷଣ କରି ସେମାନଙ୍କର ତାର୍କିକ ପରିସରକୁ ନିର୍ଦିଷ୍ଟ କରେ ତାହା ଦର୍ଶନ। ସେହିପରି ଗାଣିତିକ ଜ୍ଞାନ ଦର୍ଶନ ପରିସରରେ ଆସିନଥାଏ। ଗାଣିତିକ ଜ୍ଞାନର ସଂଜ୍ଞା ଓ ସ୍ବରୂପ ଦର୍ଶନ ପରିସରଠାରୁ ଭିନ୍ନ। ପୁନଶ୍ଚ ଐତିହାସିକ ଆଲୋଚନା ବା ଐତିହାସିକ ଜ୍ଞାନ ଦର୍ଶନଶାସ୍ତ୍ରରୁ ପୃଥକ୍‌। ମୋଟ ଉପରେ କହିଲେ ଦର୍ଶନର ବିଷୟବସ୍ତୁ, ପରିସର ଓ ପ୍ରଣାଳୀ ବିଜ୍ଞାନ, ଗଣିତ ଓ ଇତିହାସଠାରୁ ଭିନ୍ନ। ତେବେ ଯେତେଯେତେ ବୌଦ୍ଧିକ କ୍ଷେତ୍ରମାନ ରହିଛି ସେସବୁର ମୌଳିକ ପ୍ରତ୍ୟୟ, ପ୍ରଣାଳୀ ଓ ସୈଦ୍ଧାନ୍ତିକ ଭିତ୍ତିଦର୍ଶନ ସ୍ତରରେ ଆଲୋଚିତ ହୋଇଥାଏ। ଜ୍ଞାନବିଜ୍ଞାନର ଯେତେଯେତେ କ୍ଷେତ୍ର ରହିଛି ଓ ସେସବୁ ଯେଉଁ ସବୁ ମୌଳିକ ସିଦ୍ଧାନ୍ତ ଉପରେ ସେମାନଙ୍କର ସୁପରଷ୍ଟ୍ରକଚରମାନ ନିର୍ମାଣ କରିଛନ୍ତି ସେସବୁ ଦର୍ଶନ ପରିସରରେ ଆଲୋଚ୍ୟ ହେବା ଦେଖାଯାଏ। ଏହି ଦୃଷ୍ଟିରୁ ଦର୍ଶନର ଯେ ଏକ ବ୍ୟାପକ କ୍ଷେତ୍ର ରହିଛି ତାହା ଆଧୁନିକ ଦାର୍ଶନିକ ଅନ୍ବେଷାରେ ଗୃହୀତ।
ଦର୍ଶନର ଅଧ୍ୟୟନ ଦ୍ବାରା ମାନବୀୟ ସ୍ଥିତି ଓ ଆହ୍ବାନ ବିଷୟରେ ଏକ ସ୍ପଷ୍ଟ ଚିତ୍ର ମିଳିଥାଏ। ମାନବ ସମୁଦାୟ ଯେଉଁ ସବୁ ସଂକଟର ସମ୍ମୁଖୀନ ହେଉଛି ତାହାର ସମାଧାନ ପାଇଁ ଗମ୍ଭୀର ଦାର୍ଶନିକ ଅନୁଶୀଳନ ଆବଶ୍ୟକ। ଏକ ଶାନ୍ତିପୂର୍ଣ୍ଣ ଓ ଭ୍ରାତୃତ୍ବପୂର୍ଣ୍ଣ ବିଶ୍ବ ନିର୍ମାଣ ପାଇଁ ଦାର୍ଶନିକମାନେ ଗମ୍ଭୀର ଚିନ୍ତାବ୍ୟକ୍ତ କରିବା ଦର୍ଶନ ଦିବସ ପାଳନର ଅନୁଚିନ୍ତା ଅଟେ। ଆନ୍ତର୍ଜାତିକ ସ୍ତରରେ ଦର୍ଶନ ଦିବସପାଳନ କରିବା ପଶ୍ଚାତରେ ଏହି ଲକ୍ଷ୍ୟ ରହିଥିବା ମନେହୁଏ।
ଏ-୧୨, ଭାଗୀରଥି ବିହାର, ​‌େ​‌ଢଙ୍କାନାଳ

Leave A Reply