ଭାରତ ଇତିହାସରେ ସର୍ଦାରଙ୍କ ସ୍ଥାନ

0

ପାବକ କାନୁନ୍‌ଗୋ

ଅକ୍ଟୋବର ୩୧ ତାରିଖ ଦିନ ଗୁଜରାଟର ନର୍ମଦା ନଦୀ ତୀରରେ ଲୌହମାନବ ସର୍ଦାର ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତିର ଅନାବରଣ ହୋଇଯାଇଛି। ସ୍ବାଧୀନ ଭାରତର ଇତିହାସରେ ଏହା ଗୋଟିଏ ଉଲ୍ଲେଖନୀୟ ଘଟଣା। ଭାରତୀୟମାନଙ୍କ ପାଇଁ ମଧ୍ୟ ଏହା ଗର୍ବ ଓ ଗୌରବର ବିଷୟ। ମୂର୍ତ୍ତିଟି କେବଳ ବିଶାଳ ନୁହେଁ, ୩ହଜାରକୋଟି ଟଙ୍କା ବ୍ୟୟରେ ନିର୍ମିତ ସ୍ମାରକ ସ୍ତମ୍ଭ ବିଶ୍ବର ଦୀର୍ଘତମ ବୋଲି ଦାବି କରାଯାଉଛି, କିନ୍ତୁ ଏଭଳି ଗୋଟିଏ କାର୍ଯ୍ୟ ଦେଶରେ ଯେତିକି ଉତ୍ସାହ ସୃଷ୍ଟି କରିବା କଥା ନାନା କାରଣରୁ ତାହା ହୋଇନାହିଁ ମନେହୁଏ। ଗୋଟିଏ ଯୁକ୍ତି ହେଉଛି, ଏକ ମୂର୍ତ୍ତି ଜରିଆରେ ଦେଶର ଏହି ଅସାଧାରଣ ଯୋଦ୍ଧାଙ୍କର ପ୍ରକୃତ ସ୍ମୃତିରକ୍ଷା ହୋଇପାରିବ ନାହିଁ। ତାଙ୍କ ଆଦର୍ଶ ଓ ସ୍ବପ୍ନକୁ ଉପଯୁକ୍ତ ଢଙ୍ଗରେ ଯେ ଉଜ୍ଜୀବିତ କରିହେବ ସେ ବିଷୟରେ ଅନେକଙ୍କର ସନ୍ଦେହ ରହିଛି। ମୂର୍ତ୍ତି ଉନ୍ମୋଚନକୁ କେନ୍ଦ୍ରକରି ବିବାଦ ସୃଷ୍ଟି ହେବା ଏବଂ ସର୍ଦାରଙ୍କ ସ୍ମୃତିକୁ ଅବହେଳା କହିବା ଅଭିଯୋଗରେ ତାଙ୍କର ସମସାମୟିକ ନେତା, ବିଶେଷ କରି ପଣ୍ଡିତ ନେହେରୁଙ୍କୁ ଅଭିଯୁକ୍ତ କରିବା ପାଇଁ ମଧ୍ୟ ପରୋକ୍ଷ ଉଦ୍ୟମ ହୋଇଛି। ଏହା ପଟେଲଙ୍କ ଆଦର୍ଶର ପରିପନ୍ଥୀ ବୋଲି କହିଲେ ଭୁଲ ହେବନାହିଁ। ଉତ୍ସାହର ଆତିଶଯ୍ୟରେ କେହିକେହି ଗର୍ବ କରୁଛନ୍ତି ଯେ ବିଶ୍ବରେ ଥିବା ବୁଦ୍ଧଦେବଙ୍କ ମୂର୍ତ୍ତିଠାରୁ ଏହା ବେଶ୍‌ ଅଧିକ ଉଚ୍ଚ। ପୃଥିବୀର ଜଣେ ଶ୍ରେଷ୍ଠ ଶିକ୍ଷକ, ଦାର୍ଶନିକ ଓ ଭାବୁକଙ୍କ ସହିତ ସର୍ଦାର ପଟେଲଙ୍କୁ ତୁଳନା କରିବା କେବଳ ହାସ୍ୟାସ୍ପଦ ଓ ଭାବୁକଙ୍କ ସହିତ ସର୍ଦାର ପଟେଲଙ୍କୁ ତୁଳନା କରିବା କେବଳ ହାସ୍ୟାସ୍ପଦ ନୁହେଁ, ଅପମାନଜନକ ମଧ୍ୟ। ଜଣେ ସାଧାରଣ ଲୋକଙ୍କଠାରୁ ଏହା ୧୦୦ଗୁଣ ଅଧିକ ଉଚ୍ଚ ବୋଲି କହିବା ଦ୍ବାରା ସାଧାରଣ ମଣିଷର ସ୍ବାର୍ଥ ପାଇଁ ଜୀବନବ୍ୟାପୀ ଲ‌େଢ଼ଇ କରିଥିବା ଏହି ଦେଶପ୍ରେମୀଙ୍କୁ ବିବାଦ ଭିତରକୁ ଠେଲି ଦିଆଯାଉଛି।
ମୂର୍ତ୍ତି ଉନ୍ମୋଚନ ଉତ୍ସବ କିନ୍ତୁ ଅଗଣିତ ସର୍ଦାର ପ୍ରେମୀଙ୍କ ପାଇଁ ଗୋଟିଏ ନୂଆ ସୁଯୋଗ ଆଣିଦେଇଛି। ଏକତା, ସଂହତି ଓ ଧର୍ମନିରପେକ୍ଷତାକୁ ଆଧାର କରି ଗଢ଼ି ଉଠିଥିବା ରାଷ୍ଟ୍ର ବ୍ୟବସ୍ଥାରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା ପାଇଁ ଏହା ଖୋରାକ ଯୋଗାଇଛି। ଏକଥା ସତ ଯେ ସ୍ବାର୍ଥୀ ଭାରତବର୍ଷରେ ତାଙ୍କର ସ୍ମୃତିରକ୍ଷା ଯେଉଁ ଢଙ୍ଗରେ କରାଯିବା କଥା ତାହା ହୋଇନାହିଁ ବୋଲି ବରାବର ଅଭିଯୋଗ କରାଯାଏ। ତାଙ୍କର ମହାପ୍ରୟାଣପରେ ଯେଉଁମାନେ ଦେଶଶାସନ ଦାୟିତ୍ବରେ ରହିଲେ ସେ ସେମାନଙ୍କର ଅବଜ୍ଞା ଓ ଅବହେଳାର ଶିକାର ହୋଇଛନ୍ତି- ଏଭଳି ଏକ ଧାରଣା ଲୋକଙ୍କ ଭିତରେ ଦୀର୍ଘକାଳ ଧରି ସୃ‌ଷ୍ଟି ହୋଇଛି। କେବଳ ସାଧାରଣ ଲୋକ ନୁହନ୍ତି, ସର୍ଦାରଙ୍କ ଘନିଷ୍ଠ ବନ୍ଧୁ ଓ ସହଯୋଦ୍ଧା ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ମଧ୍ୟ ଏଭଳି ଅଭିଯୋଗ ସହିତ ସାମିଲ ହୋଇଥିଲେ।
୧୯୫୯ରେ ସେ କହିଥିଲେ- ନବଗଠିତ ରାଷ୍ଟ୍ରକୁ ପଟେଲ ଯେପରି ଦୃଢ଼ ନେତୃତ୍ବ ଦେଇଥିଲେ ତାହାକୁ ଆମେ ଭୁଲିଯାଇ ତାଙ୍କୁ ଅବଜ୍ଞା କରିବାକୁ ପଛାଉନାହୁଁ।
ଦେଶପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କଲାବେଳେ ଗୋଟିଏ ସଶକ୍ତ, ସମ୍ବେଦନଶୀଳ, ସହନଶୀଳ ଓ ସମସ୍ତଙ୍କ ବିକାଶ ପାଇଁ କାର୍ଯ୍ୟ କରୁଥିବା ରାଷ୍ଟ୍ର ବ୍ୟବସ୍ଥାକୁ ବାସ୍ତବରୂପ ଦେବାରେ ଆମେ ଅନେକ ଦୃଷ୍ଟିରୁ ବିଫଳ ହୋଇଛୁ ବୋଲି କୁହାଯାଏ। ଏକ ଅନୁକମ୍ପାଭରା ହୃଦୟକୁ ସମ୍ବଳ କରି, ସାଂପ୍ରଦାୟିକତା, ଜାତିବାଦ ଓ ସଂକୀର୍ଣ୍ଣ ବିଚାରଧାରା ମୁକ୍ତ ଭାରତର ଗଠନ ପାଇଁ ସେ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ବର୍ତ୍ତମାନ ସୁଦୂରପରାହତ ମନେ ହେଉଛି। ସଂପଦ ସୃଷ୍ଟି ସହିତ ସାମାଜିକ ନ୍ୟାୟର ସମବଣ୍ଟନର ଯେଉଁ କଳ୍ପନା କରିଥିଲେ ସେଥିରେ ଆଜି ପ୍ରତିବନ୍ଧକ ସୃଷ୍ଟି କରାଯାଉଛି। ମାନବିକତା, ସହିଷ୍ଣୁତା ଓ ଅପର କରୁଣାକୁ ପ୍ରତିବିମ୍ବିତ କରୁଥିବା ନେତୃତ୍ବ ଆଉ ସୃଷ୍ଟି ହେଲାନାହିଁ। ସାଧାରଣ ମଣିଷଟିଏ ଖଣ୍ଡିଏ ରୁଟି ମାଗୁଥିବାବେଳେ ଆମେ ତାକୁ ଦୁଇଟି ରୁଟି ଦେବାକୁ ଏପର୍ଯ୍ୟନ୍ତ ସକ୍ଷମ ହୋଇନାହୁଁ। ରାଜନୈତିକ ପ୍ରତିପକ୍ଷ ହୋଇଥିଲେ ମଧ୍ୟ ଏବଂ ତାକୁ, କଂଗ୍ରେସ ଦଳକୁ, ଏପରିକି ଗୁରୁ ଗାନ୍ଧୀଙ୍କୁ ସମାଲୋଚନା କରୁଥିବା ଲୋକଟି ପାଖରେ ଯଦି କିଛି ଭଲ ଗୁଣ ଥାଏ ତେବେ ତାକୁ ସ୍ବୀକୃତି ଦେବାକୁ ସେ କୁଣ୍ଠିତ ହେଉନଥିଲେ। ଡକ୍ଟର ଆମ୍ବେଦକରଙ୍କ ସହିତ ଅନେକ କ୍ଷେତ୍ରରେ ମତଭେଦ ଥିଲେ ମଧ୍ୟ ଗାନ୍ଧିଜୀଙ୍କର ସମର୍ଥନରେ ପଟେଲ ତାଙ୍କୁ ସମ୍ବିଧାନ ତିଆରିରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଥିଲେ। ସହକର୍ମୀଙ୍କ ପଛରେ ପାହାଡ଼ ଭଳି ସେ ଠିଆ ହୋଇଥିଲେ। ଇଂରେଜଶାସନ କାଳରେ ବିଶ୍ବନାଥ ଦାସଙ୍କ ମନ୍ତ୍ରିମଣ୍ଡଳ ଶାସନ କରୁଥିବାବେଳେ ଗଭର୍ଣ୍ଣର ଛୁଟିରେ ଯାଉଥିବାରୁ ପ୍ରଧାନମନ୍ତ୍ରୀଙ୍କର ଜଣେ ଅଧସ୍ତନ କର୍ମଚାରୀ ସେହି ଦାୟିତ୍ବରେ ରହିବା ନିଷ୍ପତ୍ତିର ବିରୋଧକରି ବିଶ୍ବନାଥ ଦାସ ଇସ୍ତଫା ଦେବାପର୍ଯ୍ୟନ୍ତ କଥାଯାଇଥିଲା, କିନ୍ତୁ ସର୍ଦାର ତାଙ୍କୁ ସମର୍ଥନ କରିବା ଫଳରେ ସରକାର ସେହି ନିଷ୍ପତ୍ତି ବଦଳାଇଲେ ଓ ଗଭର୍ଣ୍ଣର ଛୁଟି ବାତିଲ କରିଦେଲେ।
ଅଗ୍ରଗାମୀ ଚିନ୍ତାର ଜୀବନ୍ତ ପ୍ରତୀକ ଥିଲେ ସର୍ଦାର ପଟେଲ। ହିନ୍ଦୁରାଜ୍ୟ ଗଠନ ଚିନ୍ତାକୁ ଗୋଟିଏ ପ୍ରକାରର ପାଗଳାମି ବୋଲି କହି ଦେଶର ସ୍ବାର୍ଥରେ ଆଞ୍ଚ ଆଣୁଥିବା ପ୍ରତିକ୍ରିୟାଶୀଳ ଓ ସାଂପ୍ରଦାୟିକ ଶକ୍ତିର ସେ ବିରୋଧ କରୁଥିଲେ। ସ୍ବରାଷ୍ଟ୍ରମନ୍ତ୍ରୀ ଭାବରେ ସେ ଦେଶକୁ ସୁଶାସନ ଦେଇଥିଲେ। ୫୦୦ରୁ ଅଧିକ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରି ଏକ ସମୃଦ୍ଧ ଓ ଶକ୍ତିଶାଳୀ ଭାରତଗଠନ ପ୍ରକ୍ରିୟାକୁ ସୁଗମ କରିଦେଇଥିଲେ। ନିଜ ବିଭାଗ ସହିତ ସମ୍ପର୍କ ନଥିବା ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ତାଙ୍କର ଅଗାଧ ଜ୍ଞାନ ଥିଲା। ସାମ୍ରାଜ୍ୟବାଦ ବିରୋଧରେ ଆଜି ଗର୍ଜନ କରୁଥିବା ଚୀନ ଦିନେ ସାମ୍ରାଜ୍ୟବାଦର ପ୍ରତୀକ ହୋଇ ଉଭାହେବବୋଲି ୧୯୪୯-୫୦ରେ ସେ ଯେଉଁ ସତର୍କବାଣୀ ଶୁଣାଇଥିଲେ ତାହା କିପରି ସତ୍ୟ ଆଜି ତାହା ପ୍ରମାଣିତ ହୋଇଛି। ତିବ୍ଦତ ସମ୍ପର୍କରେ ତାଙ୍କ ବିଶ୍ଳେଷଣର ଆଜି ମଧ୍ୟ ପ୍ରାସଙ୍ଗିକତା ରହିଛି।
ବାହାରକୁ ଅନମନୀୟ ଓ ରୁକ୍ଷବୋଲି ଜଣା ପଡ଼ୁଥିଲେ ମଧ୍ୟ ସର୍ଦାରଙ୍କ ଭିତରେ ଗୋଟିଏ ସ୍ନେହୀ ମଣିଷର ଚରିତ୍ର ବସାବାନ୍ଧିଥିଲା। ତାଙ୍କୁ ପ୍ରଥମେ ସର୍ଦାର ବୋଲି କହିଥିବା ଗାନ୍ଧିଜୀ ଥରେ କହିଥିଲେ- ସର୍ଦାରଙ୍କ ଅଜେୟ ନିର୍ଭୀକତା ଏବଂ ଦେଶ ପାଇଁ ଅଖଣ୍ଡ ଶ୍ରଦ୍ଧା କଥା ମୁଁ ଆଗରୁ ଜାଣିଥିଲି। କିନ୍ତୁ ଦୀର୍ଘ ଷୋଳମାସ କାଳ ତାଙ୍କ ସହିତ ବନ୍ଦୀଜୀବନ କଟାଇବାପରେ ତାଙ୍କ ଶ୍ରଦ୍ଧା ଓ ଆତ୍ମୀୟତାର ଚେର କେତେ ଗଭୀର ତାହା ଜାଣିବାର ସୁଯୋଗ ମୋର ହେଲା। ସେ ମୋ ମାଆର ସ୍ମୃତିକୁ ଜୀବନ୍ତ କରିଦେଲେ। ତାଙ୍କ ଭିତରେ ଥିବା ମାତୃବତ୍‌ ସ୍ନେହର ପରଶ ମୁଁ ପାଇଲି।
କଂଗ୍ରେସଦଳ ଓ ଶାସନରେ ନେହେରୁ ଓ ପଟେଲ ପରସ୍ପରବିରୋଧୀ ଓ ପ୍ରତିଦ୍ବନ୍ଦ୍ବୀ ଥିଲେ ବୋଲି ଗୋଟିଏ ଧାରଣା ଲୋକଙ୍କ ଭିତରେ ରହିଛି। ପଟେଲଙ୍କର ଶିଳ୍ପପତିଙ୍କ ପ୍ରତି ଦୁର୍ବଳତା ଥିଲା, କିନ୍ତୁ ସମାଜବାଦୀ ନେହେରୁ ତାହାର ବିରୋଧ କରୁଥିଲେ। ରାଜା ମହାରାଜାଙ୍କର ହାତପାଣ୍ଠି ଉଚ୍ଛେଦ ସମ୍ପର୍କରେ ଉଭୟ ଏକମତ ହୋଇଥିଲେ ମଧ୍ୟ ସେମାନଙ୍କୁ ଯଥେଷ୍ଟ କ୍ଷତିପୂରଣ ଦିଆଯାଉ ବୋଲି ପଟେଲଙ୍କ ଯୁକ୍ତି ସହିତ ପ୍ରଧାନମନ୍ତ୍ରୀ ଏକମତ ହେଉନଥିଲେ। ଜମିଦାରୀ ଉଚ୍ଛେଦ ସମ୍ପର୍କରେ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା। ସର୍ଦାର ସ୍ବରାଷ୍ଟ୍ର ମନ୍ତ୍ରୀ ଥିଲାବେଳେ ମିଳିତ ମନ୍ତ୍ରିମଣ୍ଡଳରେ ମୁସ୍‌ଲିମ୍‌ ଲିଗ୍‌ର ଲିଆକତ୍‌ ଅଲ୍ଲୀ ଖାଁ ଅର୍ଥମନ୍ତ୍ରୀ ଥିଲେ। ଅର୍ଥମନ୍ତ୍ରୀଙ୍କ ବିନା ଅନୁମୋଦନରେ ସେ ଜଣେ ଚପରାଶୀଙ୍କୁ ମଧ୍ୟ ନିଯୁକ୍ତି ଦେଇ ପାରୁନାହାନ୍ତି ବୋଲି ନେହେରୁଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପଣ୍ଡିତଜୀ ସେଥିରେ ହସ୍ତକ୍ଷେପ ନକରିବାରୁ ପଟେଲ ଦୁଃଖିତ ହୋଇଥିଲେ। କିନ୍ତୁ ଗାନ୍ଧିଜୀ ସ୍ବରାଜ୍ୟପ୍ରାପ୍ତି ପଥକୁ ଗୁରୁତ୍ବ ନଦେଇ ଅସ୍ପୃଶ୍ୟତା ନିବାରଣ ଭଳି ସାମାଜିକ ସଂସ୍କାର କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ବ ଦେବା କଥାକୁ ଉଭୟେ ପସନ୍ଦ କରୁନଥିଲେ।
ସର୍ଦାରଙ୍କର ଧାରଣା ହୋଇଥିଲା ଯେ ତାଙ୍କ କାର୍ଯ୍ୟକୁ ନିନ୍ଦା ଓ ସମାଲୋଚନା କରିବାକୁ କେତେ ଜଣଙ୍କୁ ଉତ୍ସାହିତ କରଯାଉଥିଲା। ତାଙ୍କ ଅର୍ଥନୈତିକ କାର୍ଯ୍ୟକ୍ରମକୁ କଂଗ୍ରେସର ଗୋଟିଏ ଗୋଷ୍ଠୀ ତୀବ୍ର ବିରୋଧ କରୁଥିଲେ। ପରବର୍ତ୍ତୀ କାଳରେ ଯୋଜନା କମିସନର ଉପାଧ୍ୟକ୍ଷ ହୋଇଥିବା ଅଶୋକ ମେହେଟ୍ଟା ଥରେ କହିଥିଲେ- ସର୍ଦାରଙ୍କ ଅର୍ଥନୈତିକ ବିଚାରକୁ ଗ୍ରହଣକଲେ ଦେଶର ଘୋର ବିପର୍ଯ୍ୟୟ ଘଟିବ। ବିରଳାଙ୍କ ମହୁମାଛି ବା ଡାଲ୍‌ମିଆଙ୍କ ଗାଈ ଦେଶକୁ ଘିଅ ମହୁରେ ଭସାଇଦେବ ନାହିଁ। ପଟେଲଙ୍କ ଉପରେ ନେହେରୁ ବିଶ୍ବାସ ହରାଇଛନ୍ତି ବୋଲି କହୁଥିଲେ। ଗାନ୍ଧିଜୀଙ୍କ ମହାପ୍ରୟାଣ ପରେ ନିଜ ଭିତରେ ଥିବା ମତଭେଦକୁ ଭୁଲିଯାଇ ଦେଶପାଇଁ ଏକାଠି କାମ କରିବେ ବୋଲି ପ୍ରତିଶ୍ରୁତିବଦ୍ଧ ହୋଇ ମଧ୍ୟ ‘ଯୁଦ୍ଧବିରତି’ ଅଧିକକାଳ କାମ ଦେଲାନାହିଁ। ଦେଶରେ କେହି ଭୋକିଲା ରହିବେ ନାହିଁ ଏବଂ ପ୍ରତ୍ୟେକ ଭାରତୀୟ ମର୍ଯ୍ୟାଦାର ଜୀବନ କଟାଇବ ବୋଲି ସର୍ଦାର ପଟେଲ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ ତାହାକୁ ବାସ୍ତବ ରୂପ ଦେଲେ ହିଁ ତାଙ୍କର ଉଚିତ ସ୍ମୃତିରକ୍ଷା ହୋଇପାରିବ।

Leave A Reply