ବିଶ୍ବାସ ଓ ବିଜ୍ଞାନ

0

ସଂଘମିତ୍ରା ମିଶ୍ର

ଆଜି ଆମ ବିଜ୍ଞାନ ଯୁଗରେ ଆଉ ପୁରୁଣା ବିଶ୍ବାସକୁ ଧରି ରଖିବାର କିଛି ମାନେ ନାହିଁ। କହିଲେ ମୋର ଜଣେ ଆତ୍ମୀୟ। ଯିଏ ସୂର୍ଯ୍ୟ ଚନ୍ଦ୍ରଙ୍କୁ ଗ୍ରହ ଓ ଉପଗ୍ରହ ବୋଲି ଜାଣିଛି ସିଏ ଚାନ୍ଦପୂଜା କରି ଉପବାସ କରିବ, ଆଉ ଗଳବସ୍ତ୍ର ହୋଇ ଚନ୍ଦ୍ରଙ୍କୁ ନିଜ ସନ୍ତାନର ଉନ୍ନତି ପାଇଁ ଆଶୀର୍ବାଦ ମାଗିବ କାହିଁକି। ଶାମ୍ବଦଶମୀରେ ସନ୍ତାନମାନଙ୍କ ପାଇଁ ନାନା ପ୍ରକାର ପିଠା ଓ ମିଠା ସଜାଇ ସୂର୍ଯ୍ୟଙ୍କ ନିକଟରେ ପୂଜା କରିବ କାହିଁକି?’ ଏସବୁ କଥା ଭଲ ଲାଗୁଥିଲା ଶୁଣିବାକୁ, ହେଲେ ଆମ ମନ ତ ସେଇ ପରମ୍ପରାରେ ଲାଳିତ। ତେଣୁ ମନ ଭିତରେ ନାନା ବିଶ୍ବାସ ଓ ଅବିଶ୍ବାସର ଦ୍ବନ୍ଦ୍ବ ଚାଲିଥିଲା। ମନେ ପଡ଼ିଗଲା ଟେଲିଭିଜନର ଧାରାବାହିକ କଥା। ପ୍ରାୟ ସବୁ ଧାରାବାହିକରେ ଭୂତପ୍ରେତଙ୍କ ଆବିର୍ଭାବ। ସେମାନେ ପୁଣି ଅପଶକ୍ତିର ପ୍ରତିନିଧି। ଜଣେ ହେଲେ ଅନ୍ୟର ମଙ୍ଗଳ କାମନା କରିଥାଆନ୍ତେ କି? ତେବେ ଏଭଳି ବିଚିତ୍ର ଧାରାବାହିକ କେଉଁ ବିଜ୍ଞାନର ବାର୍ତ୍ତା ଦିଏ କେଜାଣି? ହଁ, ଟେକ୍‌ନିକ୍‌ ତ ବୈଜ୍ଞାନିକ ହଁି ହୋଇଥିବ। କେବେ ଦୁଇଚାରିଥର ଆଖିରେ ପଡ଼ିଥିବା ଏହି ଧାରାବାହିକରେ କେଉଁ ସୁନ୍ଦରୀ ମହିଳାର ବେଣୀ ଲମ୍ବିଲମ୍ବି ଯାଉଥିବ ଓ ସେହି ବେଣୀର ଆଘାତରେ ଗଛରୁ ପତ୍ର ଝଡ଼ିପଡ଼ୁଥିବ। ଚଢ଼େଇମାନେ ମରିଯାଉଥିବେ। କେଉଁଠି ହାତଟିଏ ବଢ଼ୁଥିବ। ଛାଡ଼ ସେ କଥା।
ଆଉ ଖବରକାଗଜରେ ଦେଖୁନାହାନ୍ତି କିଏ ନିଜ ସନ୍ତାନକୁ ବଳି ଦେଉଛି ତ କିଏ ସନ୍ତାନ ବଦଳରେ ପତ୍ନୀକୁ ବଳି ଦେଉଛି। ଇଏ କ’ଣ ଗରମ ରନ୍ଧା ହୋଇନି ପଖାଳ ଗଣ୍ଡେ ଖାଇଦେ ଭଳି କଥା? କେଉଁଠି ତନ୍ତ୍ରସାଧନା ପାଇଁ ମଣିଷ ତା’ର ସ୍ବାଭାବିକ ଜୀବନ ଭୁଲି ଅସାମାଜିକ ପାଲଟି ଯାଉଛି। ସତରେ କ’ଣ ଏଭଳି ସିଦ୍ଧି ଅଛି ଯାହା ନିଜ ସନ୍ତାନକୁ ବଳି ଦେବାପରେ ମିଳେ? ବିଜ୍ଞାନ କେତେ ଉନ୍ନତି କଲେ ଆମ ମନରୁ ଏହି ଧାରଣା ଯିବ?
ଏଥର ଦେଖିବା ଆମ ସମାଜ ଜୀବନରେ ବିଜ୍ଞାନ କିଭଳି କ୍ରିୟାଶୀଳ। ନିର୍ବାଚନରେ ଟିକେଟ ମିଳିବ କି ନାହିଁ ସେହିଦିନରୁ ଆଶାୟୀମାନେ ଧାଡ଼ି ଲଗାନ୍ତି ସାଧୁସନ୍ଥଙ୍କ ପାଖକୁ। ଟିକେଟ ମିଳିଯିବାପରେ ମୁଦି, ତାବିଜ, ଡେଉଁରିଆ ତିଆରି ଦୋକାନରେ ଭିଡ଼ ଜମେ। ପୁଣି ଲାଗେ ଦେବୀପୀଠରେ ପୂଜାପାଠର ପର୍ବ। ଭଲ କଥା। ମାତ୍ର ଏଥିସହିତ ଥାଏ ବିପକ୍ଷ ପ୍ରାର୍ଥୀର କ୍ଷତି କରିବାର ମାନସିକତା। କେତେ ବ୍ରାହ୍ମଣ ଆସି ଚଣ୍ଡୀପାଠ କରନ୍ତି। ହୋମଯଜ୍ଞ କରନ୍ତି। କାରଣ କୌଣସିମତେ ବିଜୟ ହିଁ ଲୋଡ଼ା। ଯଦି ସେତିକି ଆଗ୍ରହରେ ସେତିକି ବା ତା’ଠାରୁ ଅଳ୍ପ ଅର୍ଥ ସେ ପୂର୍ବରୁ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ଖର୍ଚ୍ଚ କରିଥାଆନ୍ତେ ହୁଏତ ବିନା ପ୍ରୟାସରେ ତାଙ୍କୁ ବିଜୟ ମିଳିଥାଆନ୍ତା। ସେଭଳି ହୁଏନାହିଁ। ପ୍ରାର୍ଥୀଙ୍କ ପଛରେ ଟେଲିଭିଜନ କ୍ୟାମେରା ଯିବାବେଳେ ପ୍ରାର୍ଥୀ କାହା ଘରେ ପଶି କ’ଣ ଖାଉଛ, ପିଲାମାନଙ୍କୁ କାହିଁକି ପରିଷ୍କାର ରଖୁନ ବୋଲି ପ୍ରଶ୍ନ ପଚାରି ଦିଅନ୍ତି ଯାହା ପରବର୍ତ୍ତୀ ସମ୍ବାଦରେ ପ୍ରସାରିତ ହୁଏ।
କାହା ଶରୀର ଅସୁସ୍ଥ ହେଲେ ଆମେ ଯାବତୀୟ ଚିକିତ୍ସା କରିଥାଉ। ତା’ ସତ୍ତ୍ବେ ଠାକୁରାଣୀ ଗାଧୁଆ, ସଂପୁଟ ଚଣ୍ଡୀ ବା ଦୁର୍ଗାସ୍ତୋତ୍ର ପାଠ କରିଥାଉ। ମୃତ୍ୟୁଞ୍ଜୟ ମନ୍ତ୍ରର ଉଚ୍ଚାରଣରେ ମୃତ୍ୟୁଭୟ ରହେନାହିଁ ବୋଲି ରୋଗୀପାଖରେ ବସି ତାହା ବାରମ୍ବାର ଆବୃତ୍ତି କରୁ। କୌଣସି ମତେ ମୃତ୍ୟୁ କବଳରୁ ଆତ୍ମୀୟଟିକୁ ସୁରକ୍ଷିତ ରଖିବା ପାଇଁ ଆମେ ଯତ୍‌ପରୋନାସ୍ତି ଚେଷ୍ଟା କରିଥାଉ। ଏଠି ବିଜ୍ଞାନଠାରୁ ବିଶ୍ବାସର ଗୁରୁତ୍ବ ବଢ଼ିଯାଏ। ଯୁକ୍ତି କାମ କରେନି।
ଆମ ସମାଜ ଏଭଳି ଯେ ଡାକ୍ତରାଣୀଟିଏ ମଧ୍ୟ ନିଜ ସନ୍ତାନ ପାଇଁ ଚାନ୍ଦ ଉପାସ କରେ। ଅବସରପ୍ରାପ୍ତ ପୁଲିସ ଅଫିସର ନିଜ ନାତିକୁ ଆଇନ କବଳରୁ ରକ୍ଷା କରିବାପାଇଁ ଅଖଣ୍ଡଦୀପ ଜଳାଇ ଦୁର୍ଗା ସହସ୍ରନାମ ଜପ କରିଥାଆନ୍ତି। ଡାକ୍ତରଟିଏ ନିଜ ପତ୍ନୀଙ୍କ ଅସୁସ୍ଥତାବେଳେ କୌଣସି ବାବାଙ୍କ ପ୍ରଦତ୍ତ ଡେଉଁରିଆ ତାଙ୍କ ବାହୁରେ ବାନ୍ଧିଦିଅନ୍ତି। ଖୁବ୍‌ ସଫଳ ଅଧ୍ୟାପକଙ୍କ ପିଲା ପାଠ ନପଢ଼ିଲେ ଜାତକ ଦେଖାଇବାକୁ ଜ୍ୟୋତିଷଙ୍କ ପାଖକୁ ଧାଆନ୍ତି।
ଆପଣ କହିବେ ମୁଁ ଏମାନଙ୍କଠାରୁ ଭିନ୍ନ। ନାଇଁ, ଆଜ୍ଞା ମୁଁ ବି ଏମାନଙ୍କ ଭିତରୁ ଜଣେ। ବ୍ୟାକୁଳ ମଣିଷଟିଏ ଆଶ୍ରା ଖୋଜୁଖୋଜୁ କେଉଁ ବାବାମାତାଙ୍କ ପାଖରେ ପହଞ୍ଚେ। କୌଣସି ଅଲୌକିକ ଶକ୍ତି ଉପରେ ଆସ୍ଥା ସ୍ଥାପନ କରେ। ମାତ୍ର ଆଜି ଅନେକ ବାବାମାତା ଆଶ୍ବାସନା ଦେବା ନାମରେ ରୀତିମତ ଲୁଣ୍ଠନ କରନ୍ତି। ଅବଶ୍ୟ ଅନେକ ସାଧୁସନ୍ଥ ଅଛନ୍ତି ଯେଉଁମାନେ ଭ୍ରାନ୍ତ ମନୁଷ୍ୟକୁ ରାହା ଦେଖାନ୍ତି, ହେଲେ ବେଶି ବାଳୁଙ୍ଗା ଭିତରେ ଧାନ ଭଳି ସେମାନଙ୍କ ଅବସ୍ଥା।
ଆମେ କ’ଣ କହିବା ବିଜ୍ଞାନ ଆମକୁ କିଛି ନୂତନ ଦିଗନ୍ତର ସନ୍ଧାନ ଦେଇନି? ହଁ, ଆମେ ବିଜ୍ଞାନ ସହିତ ବଞ୍ଚୁଛୁ। ବିଜ୍ଞାନର ବିପୁଳ ଶକ୍ତି ଉପଯୋଗ କରି ପୃଥିବୀକୁ ନୂଆ ତଥ୍ୟ ଦେଇଛୁ। କେବେ ଆକାଶରେ ଉଡ଼ୁଛୁ ତ କେବେ ସାଗରରେ ବୁଡ଼ୁଛୁ। ଏଇଠି ରହି ବିଦେଶରେ ଥିବା ପିଲାଙ୍କ ସହିତ କଥା କହୁଛୁ ଓ ସେମାନଙ୍କୁ ଦେଖିପାରୁଛୁ। ଏ ସବୁ ସେହି ବିଜ୍ଞାନର କରାମତି ସିନା! ଆମେ ବିଜୁଳିବତି ବିନା ବଞ୍ଚିବା ସମ୍ଭବ ନୁହେଁ। ସେମିତି କମ୍ପ୍ୟୁଟର ଆଜି ଜୀବନର ଅନ୍ୟତମ ଆବଶ୍ୟକତା ପାଲଟି ଗଲାଣି। ତେବେ ବିଶ୍ବାସ କେଉଁଠି ଥିଲା ସେଇଠି ଅଛି ଦୃଢ଼ ହୋଇ। ଆଜି ବି ସାବିତ୍ରୀ ଅମାବାସ୍ୟା ନିଷ୍ଠାରସହିତ ପାଳିତ ହେଉଛି। ପୁଲିସ ବିଭାଗର ମହିଳା କର୍ମଚାରୀଟି ମଧ୍ୟ ଗୃହରେ ସୁଦଶାବ୍ରତ ବାନ୍ଧି ନିଜ କର୍ମକ୍ଷେତ୍ରକୁ ଆସୁଛି। ଆଜି ମଧ୍ୟ ମାର୍ଗଶୀରରେ ଚିତା ପଡ଼ୁଛି। ଲକ୍ଷ୍ମୀପୂଜା ହେଉଛି, ଲକ୍ଷ୍ମୀପୁରାଣ ଅବଶ୍ୟ ନୂଆବୋହୂ ଆଉ ପଢ଼ିପାରୁଛି କି ନାହିଁ ଶାଶୂଙ୍କୁ ଚଷମା ଆଣି ଦେଉଛି ‘‘ମାଆ, ଆପଣ ପଢ଼ି ଦିଅନ୍ତୁ’’ ତାହା ଭିନ୍ନ ଏକ ପ୍ରଶ୍ନ। ହଁ ଚନ୍ଦ୍ରଗ୍ରହଣ ବା ସୂ‌େ‌ର୍ଯ୍ୟାପରାଗରେ ‘ହାଣ୍ଡିଛାଡ଼’ ପ୍ରଭୃତି ବ୍ୟାପାରର ବୈଜ୍ଞାନିକ ପୃଷ୍ଠଭୂମି ଏବେ ସମସ୍ତେ ଜାଣିଲେଣି। ଚିରକାଳ ବିଜ୍ଞାନ ଯୁକ୍ତିସିଦ୍ଧ। ତେଣୁ ଆମ ବିଚାରରେ ବିଜ୍ଞାନ ଯେଉଁଠି ହାରେ ସେଠି ବିଶ୍ବାସ ଠିଆ ହୋଇଥାଏ। ସେ ବିଶ୍ବାସ ହାତ ଊର୍ଦ୍ଧ୍ବକୁ ବଢ଼ାଇ ‘ଦର୍ଶନ’କୁ ଛୁଇଁପାରେ।
ବଡ଼କଥା, ଆମେ ବିଜ୍ଞାନ ନାମରେ ନିମ୍ନତର ଚିନ୍ତାରୁ ଊର୍ଦ୍ଧ୍ବକୁ ଯିବାର ବିଶ୍ବାସ ରଖିଥିବା ଦରକାର। ଶିକ୍ଷିତ ମଣିଷ ମନରେ କେଉଁଠି ଗୋଟିଏ ଫିଲଟର ଅଛି, ଯିଏ ଭଲ ଭେଲକୁ ଛାଣିବାର କ୍ଷମତା ରଖେ। ବିଶ୍ବାସ ସହିତ ଗୁଣି ‘ଅନ୍ଧ’ଟିଏ ଯୋଡ଼ା ହୋଇ ‘ଅନ୍ଧବିଶ୍ବାସ’ ପାଲଟିଯାଏ। ତେବେ ସେ ସବୁ ଛାଡ଼ି ଆମେ ଯୁକ୍ତିସିଦ୍ଧ ମନ ନେଇ ବିଶ୍ବାସକୁ ଧରି ରଖିବା ଲୋଡ଼ା ।
ପ୍ଲଟ ବି-୩୫
ସହିଦନଗର, ଭୁବନେଶ୍ବର

Comments
Loading...