ହେତୁବାଦ ଓ ଭାରତୀୟ ପରମ୍ପରା

0

ଛାୟାକାନ୍ତ ଷଡ଼ଙ୍ଗୀ

ଗ୍ରୀକ୍‌ ଦାର୍ଶନିକ ଆରି​‌େ​‌ଷ୍ଟାଟଲ କହିଥିଲେ ମଣିଷ ହେଉଛି ଏକ ବିଚାରଶୀଳ ପ୍ରାଣୀ। ଆଶା କରାଯାଏ, ମଣିଷ ତା’ର ବୁଦ୍ଧି ଓ ବିବେକ ବଳରେ ସବୁକିଛି ବିଚାର କରିବ ଓ ସତ୍ୟାସତ୍ୟ ନିରୂପଣ କରିବ। ମାତ୍ର ମଣିଷ ଯେତେବେଳେ ଭାବପ୍ରବଣ ହୋଇଯାଏ, ସେତେବେଳେ ତା’ର ବିଚାର ଶକ୍ତି ଲୋପପାଏ। ଅନେକ ସମୟରେ ମଣିଷ ଧର୍ମକୁ ନେଇ ଭାବପ୍ରବଣ ହୁଏ। ଫଳରେ ସେ ଅନ୍ଧବିଶ୍ବାସ ଓ କୁସଂସ୍କାରର ଶିକାର ହୁଏ। ତା’ର ସୁଯୋଗ ନିଅନ୍ତି କିଛି ଧୂର୍ତ୍ତ ବ୍ୟକ୍ତି । ସେମାନେ ଆକାଶରୁ ବିଭୂତି ସୃଷ୍ଟି କରିବା, ସିମେଣ୍ଟ ନିର୍ମିତ ଗାଈ ପହ୍ନାରୁ କ୍ଷୀର ସଂଗ୍ରହ କରିବା, ପାଦରୁ ମହୁ ଝରାଇବା ଭଳି କୁହୁକ ବିଦ୍ୟା ପ୍ରଦର୍ଶନ କରି ଜନସାଧାରଣଙ୍କୁ ବିମୋହିତ କରନ୍ତି। ଲୋକେ ସେମାନଙ୍କୁ ଦିବ୍ୟପୁରୁଷ ଭାବରେ ଗ୍ରହଣ କରନ୍ତି ଓ ପରିଶେଷରେ ଶୋଷିତ ଓ ପ୍ରତାରିତ ହୁଅନ୍ତି। ଏହିଭଳି ଅନ୍ଧବିଶ୍ବାସ ଓ କୁହୁକ ବିଦ୍ୟା ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ହେତୁବାଦୀମାନେ। ଏମାନେ ପ୍ରତ୍ୟେକ ବିଷୟକୁ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ନେଇ ବିଶ୍ଳେଷଣ କରନ୍ତି ଓ ସତ୍ୟାସତ୍ୟ ନିରୂପଣ କରନ୍ତି। ଏମାନଙ୍କ ମତରେ ଇନ୍ଦ୍ରିୟାନୁଭୂତି ମାଧ୍ୟମରେ ସତ୍ୟ ଜାଣିହୁଏ ନାହିଁ। ସତ୍ୟ ଜାଣିବା ପାଇଁ ଆବଶ୍ୟକ ତର୍କ, ପ୍ରଣାଳୀବଦ୍ଧ ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣ। ପ୍ରତ୍ୟେକ ଘଟଣା ପଛରେ ଏକ ପ୍ରାକୃତିକ ନିୟମ ଅଛି, ଦୈବୀ ବା ଅତିପ୍ରାକୃତିକ କାରଣ ନାହିଁ। ଧର୍ମ, ପରମ୍ପରା, ସାମାଜିକ ଚଳଣି ଓ ପାରିବାରିକ ସଂସ୍କାରରୁ ମଣିଷ ଅନେକ ବିଶ୍ବାସକୁ ଗ୍ରହଣ କରିନିଏ। ମାତ୍ର ହେତୁବାଦୀମାନେ ସେସବୁକୁ ପ୍ରଶ୍ନ କରନ୍ତି। ବିଚାର କରନ୍ତି, ବିଶ୍ଳେଷଣ କରନ୍ତି ଓ ଶେଷରେ ଠିକ୍‌ ସିଦ୍ଧାନ୍ତ ଗ୍ରହଣ କରନ୍ତି। ‘ଦି ଫେଥ୍‌ ଅଫ୍‌ ଏ ରେସନାଲିଷ୍ଟ’ ପ୍ରବନ୍ଧରେ ବିଶିଷ୍ଟ ଦାର୍ଶନିକ ବର୍ଟ୍ରାଣ୍ଡ ରସେଲ କହନ୍ତି, ହେତୁବାଦର ସୈଦ୍ଧାନ୍ତିକ ଉତ୍ସ ହେଉଛି ସତ୍ୟପ୍ରତି ଅନୁରାଗ ଓ ସମ୍ବେଦନଶୀଳ ଅନୁଭବ। ଏଠାରେ ‘ସତ୍ୟ’ ବାସ୍ତବ ଜ୍ଞାନକୁ ବୁଝାଏ। ଯେଉଁ ଜ୍ଞାନ ତଥ୍ୟ ସମର୍ଥିତ ଓ ତର୍କଆଧାରିତ ତାହାହିଁ ସତ୍ୟ। ଏହି ସତ୍ୟପ୍ରତି ଅନୁରାଗ ରହିଲେ ଘୃଣା, ବି​‌େ​‌ଦ୍ବଷ ମୁକ୍ତ ଏକ ଉତ୍କୃଷ୍ଟ ଗୁଣାତ୍ମକ ଜୀବନ ସମ୍ଭବ ହୁଏ।
ବିଡ଼ମ୍ବନାର ବିଷୟ ଯେ ଏହିଭଳି ଏକ ଗୁଣାତ୍ମକ, ଉତ୍କୃଷ୍ଟ ଜୀବନର ପଥ ପ୍ରଦର୍ଶନ କରୁଥିବା ହେତୁବାଦୀମାନଙ୍କୁ ଭାରତରେ ହତ୍ୟା କରାଯାଉଛି। ମହାରାଷ୍ଟ୍ରର ନରେନ୍ଦ୍ର ଅଚ୍ୟୁତ ଦାଭୋଲକର ଥିଲେ ଜଣେ ଡାକ୍ତର। ବାରବର୍ଷ କାଳ ଏକ ସରକାରୀ ମେଡ଼ିକାଲ କଲେଜରେ ଚାକିରି କରିବାପରେ ସେ ନିଜକୁ ସମାଜସେବାରେ ନିୟୋଜିତ କଲେ। ସାମାଜିକ ନ୍ୟାୟ ପାଇଁ ସେ ଆନ୍ଦୋଳନ କଲେ। ସେ ଥିଲେ ଜଣେ ନାସ୍ତିକ। ଧର୍ମୀୟ ପରମ୍ପରା ଅନୁସାରେ ଅନୁଷ୍ଠିତ ହେଉଥିବା ବ୍ୟୟବହୁଳ ବିବାହ, ଅନ୍ଧବିଶ୍ବାସ, ଜାତିପ୍ରଥା, ଆତ୍ମଘୋଷିତ ବାବା, କୁହୁକ ବିଦ୍ୟା ଦ୍ବାରା ରୋଗ ଚିକିତ୍ସା, ତନ୍ତ୍ରବିଦ୍ୟା ଆଦି ବିରୋଧରେ ସେ ସ୍ବର ଉତ୍ତୋଳନ କଲେ। ଏହିସବୁ କୁସଂସ୍କାରକୁ ଦୂର କରିବାପାଇଁ ସେ ମହାରାଷ୍ଟ୍ରରେ ୧୯୮୯ରେ ପ୍ରତିଷ୍ଠା କଲେ ‘ଅନ୍ଧଶ୍ରଦ୍ଧା​ ନିର୍ମୂଳନ ସମିତି’। ୨୦୧୩ ମସିହାରେ ମହାରାଷ୍ଟ୍ରର ଗୋଟିଏ ଭାଗରେ ମରୁଡ଼ି ଦେଖା ଦେଇଥିବାବେଳେ ଆଶାରାମ ବାପୁ ହୋଲି ଉତ୍ସବ ପାଳନ କରିବା ସମୟରେ ଟ୍ୟାଙ୍କରର ପାନୀୟ ଜଳକୁ ବ୍ୟବହାର କରିିଥିବାରୁ ତା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ମହାରାଷ୍ଟ୍ରରେ ଅନ୍ଧବିଶ୍ବାସ ଓ କୁହୁକବିଦ୍ୟା ବିରୋଧୀ ଆଇନର ଖସଡ଼ା ପ୍ରସ୍ତୁତ କରିଥିଲେ ସେ। ମାତ୍ର ଏହା ହିନ୍ଦୁ ସଂସ୍କୃତି, ପ୍ରଥା ଓ ପରମ୍ପରାକୁ ପ୍ରଭାବିତ କରିବ କହି ଭାରତୀୟ ଜନତାପାର୍ଟି ଓ ଶିବସେନା ତାକୁ ବିରୋଧ କରିିଥିଲେ। ଫଳରେ ବିଲ୍‌ଟି ଅାଲୋଚିତ ହୋଇପାରିଲା ନାହିଁ। ଅନୁମୋଦନ ଲାଭ କଲାନାହିଁ। ଏଥିପାଇଁ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚହ୍ବାଣଙ୍କୁ ପ୍ରଗତିଶୀଳ ଚିନ୍ତାଧାରାକୁ ପ୍ରୋତ୍ସାହିତ କରି ନଥିବାରୁ ସମାଲୋଚନା କରିଥିଲେ। ତା’ର ଠିକ୍‌ ଦୁଇସପ୍ତାହ ପରେ ସେ ପୁଣେଠାରେ ପ୍ରାତଃଭ୍ରମଣରେ ଯାଇଥିବାବେଳେ ତାଙ୍କୁ ହତ୍ୟା କରାଗଲା। ତାହାଥିଲା ଅଗଷ୍ଟ ୨୦ତାରିଖ ୨୦୧୩ ମସିହା। ୨୧ ତାରିଖ ଦିନ ମହାରାଷ୍ଟ୍ର କ୍ୟାବିନେଟ ଅନ୍ଧବିଶ୍ବାସ ଓ କୁହୁକ ବିଦ୍ୟା ବିରୋଧୀ ଅଧ୍ୟାଦେଶକୁ ଅନୁମୋଦନ କଲା ଓ ପରେ ତାହା ବିଧାନସଭାରେ ଗୃହୀତ ହେଲା। ମାତ୍ର ବଳି ପଡ଼ିଲେ ସମାଜର ହିତ କାମନା କରିଥିବା ଓ ଏକ ଗୁଣାତ୍ମକ ଅନ୍ଧବିଶ୍ବାସମୁକ୍ତ ଜୀବନଯାପନ କରିବାର ମାର୍ଗ ପ୍ରଦର୍ଶନ କରିଥିବା ଜଣେ ହେତୁବାଦୀ।
ଗତ ଅଗଷ୍ଟ ୩୦ ତାରିଖ ୨୦୧୫ଦିନ ସଂଘଟିତ ହୋଇଥିବା ଆଉଜଣେ ହେତୁବାଦୀ କନ୍ନଡ ଲେଖକ ଏମ୍‌ଏମ୍‌ କୁଲବର୍ଗୀଙ୍କ ହତ୍ୟା ଭାରତରେ ଚହଳ ପକାଇଥିଲା। ସେ ହେଉଛନ୍ତି କର୍ଣ୍ଣାଟକ ସାହିତ୍ୟ ଅକାଦେମୀ ଓ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ ଜଣେ ବିଶିଷ୍ଟ ଲେଖକ। ସେ ବିଶେଷତଃ ହିନ୍ଦୁମାନଙ୍କ ମୂର୍ତ୍ତିପୂଜା ଓ ବ୍ରାହ୍ମଣମାନଙ୍କ ଦ୍ବାରା ନିର୍ଦେଶିତ ବିଭିନ୍ନ ଆନୁଷ୍ଠାନିକ ବିଧିବିଧାନ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ସେ ଥିଲେ ପ୍ରଥମେ କର୍ଣ୍ଣାଟକବିଶ୍ବବିଦ୍ୟାଳୟ ଧରୱଡରେ ଅଧ୍ୟାପକ ଓ ପରେ କନ୍ନଡ଼ ବିଶ୍ବବିଦ୍ୟାଳୟ, ହାମ୍ପିର କୁଳପତି। ମୂର୍ତ୍ତିପୂଜା ଓ ଆନୁଷ୍ଠାନିକ ବିଧିବିଧାନ ହିନ୍ଦୁଧର୍ମର ଏକ ଅଙ୍ଗ ହୋଇଥିବାରୁ ଓ ସେ ଏସବୁକୁ ସମାଲୋଚନା କରିଥିବାରୁ ରକ୍ଷଣଶୀଳ ହିନ୍ଦୁମାନେ ଅସନ୍ତୁଷ୍ଟ ଥିଲେ। ପରେ ତାଙ୍କ ଘର ଉପରକୁ ଟେକାମାଡ଼ ଓ ବୋତଲମାଡ଼ କରାଯାଇଥିଲା। ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ସରକାର ତାଙ୍କୁ ପୁଲିସ ସୁରକ୍ଷା ଯୋଗାଇଥିଲେ। କିିଛିଦିନ ପରେ କୁଲବର୍ଗିଙ୍କ ଅନୁରୋଧ କ୍ରମେ ପୁଲିସ ସୁରକ୍ଷା ଅପସାରଣ କରାଯାଇଥିଲା। ଅଗଷ୍ଟ ୩୦ ତାରିଖ ଦିନ ଦୁଇଜଣ ଯୁବକ ତାଙ୍କ ଘରେ ପ୍ରବେଶ କରି ତାଙ୍କୁ ଗୁଳିକରି ହତ୍ୟା କଲେ ଓ ପଳାୟନ କଲେ। ଜଣେ ବିଶିଷ୍ଟ ଲେଖକ, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ଙ୍କର ଅକାଳ ମୃତ୍ୟୁ ହେଲା। ଠିକ୍‌ ସେହିପରି ଗତ ଫେବୃଆରୀ ୨୦୧୫ରେ ଆଉ ଜଣେ ହେତୁବାଦୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନେତା ଗୋବିନ୍ଦ ପାନସାରେଙ୍କୁ ହତ୍ୟା କରାଯାଇଥିଲା।
ଭାରତୀୟ ଇତିହାସ ଓ ପରମ୍ପରାରେ ନାସ୍ତିକତା ଓ ହେତୁବାଦୀ ଚିନ୍ତାଧାରାର ସ୍ଥାନ ଥିଲେ ମଧ୍ୟ ଆଜି ନାସ୍ତିକ ଓ ହେତୁବାଦୀଙ୍କ ପ୍ରତି ଅସହିଷ୍ଣୁତା ବୃଦ୍ଧି ପାଇବା ଏକ ବିଡ଼ମ୍ବନାର ବିଷୟ। ପ୍ରାଚୀନ ଭାରତରେ ଚାର୍ବାକ ଥିଲେ ସବୁଠାରେ ଜନପ୍ରିୟ ନାସ୍ତିକ। ଇନ୍ଦ୍ରିୟାନୁଭୂତି ବାହାରେ କୌଣସି ସତ୍ୟକୁ ସେ ସ୍ବୀକାର କରୁନଥିଲେ। ମହାବୀର ଜୀନଙ୍କ ମିତ୍ର ଗୋଶାଳା ଥିଲେ ଆଉ ଜଣେ ନିରୀଶ୍ବରବାଦୀ। ମହାବୀର ଜୀନ ଓ ଗୌତମ ବୁଦ୍ଧ ଈଶ୍ବରଙ୍କ ସମ୍ପର୍କରେ ନୀରବତା ଅବଲମ୍ବନ କରୁଥିଲେ। ସେମାନେ ବେଦର ସାର୍ବଭୌମତ୍ବ ଜାତିପ୍ରଥା, ଧାର୍ମିକ ବିଧିବିଧାନ ଆଦିକୁ ସ୍ବୀକାର କରୁନଥିଲେ। ପ୍ରାଚୀନ ଭାରତରେ ପରସ୍ପର ବିରୋଧୀ ଦାର୍ଶନିକ ମତବାଦର ସହାବସ୍ଥାନ ସମ୍ଭବ ହେଉଥିଲା। ଆର୍ଯ୍ୟସମାଜର ପ୍ରତିଷ୍ଠାତା ଦୟାନନ୍ଦ ସରସ୍ବତୀ ଯିଏ ଥିଲେ ଜଣେ ବେଦଜ୍ଞ, ସେ ମଧ୍ୟ ମୂର୍ତ୍ତିପୂଜା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଅବଶ୍ୟ ଏଥିପାଇଁ ସେ ସମାଲୋଚିତ ହୋଇଥିଲେ, ମାତ୍ର ଆଜି ବି ତାଙ୍କର ଦର୍ଶନ ହିନ୍ଦୁଧର୍ମର ଏକ ବିଶିଷ୍ଟ ଦର୍ଶନ ଭାବରେ ସ୍ବୀକୃତ। ଦୟାନନ୍ଦ ସରସ୍ବତୀ ସେ କାଳର ଜଣେ ସମାଜ ସଂସ୍କାରକ ଭାବେ ଗୃହୀତ ହୋଇଛନ୍ତି। ଭାରତୀୟ ପ୍ରାଜ୍ଞପୁରୁଷମାନେ କେବେ ବି ଶାସ୍ତ୍ରକୁ ଅନ୍ଧଭାବରେ ବିଶ୍ବାସ କରିବାକୁ ପରାମର୍ଶ ଦେଇନାହାନ୍ତି। ଯସ୍ୟ ନାସ୍ତି ସ୍ବୟଂ ପ୍ରଜ୍ଞା ଶାସ୍ତ୍ରଂ ତସ୍ୟ କରୋତି କିମ୍‌, ଲୋଚନାଭ୍ୟାଂ ବିହୀନସ୍ୟ ଦର୍ପଣଂ କିଂ କରିଷ୍ୟତି; ଅର୍ଥାତ ଯାହାର ନିଜସ୍ବ ପ୍ରଜ୍ଞା ନାହିଁ ଶାସ୍ତ୍ର ତା’ର କ’ଣ ବା କରିପାରିବ ଯେପରି ଯାହାର ଆଖି ନାହିଁ ତା ପାଇଁ ଦର୍ପଣ କ’ଣ କରିବ? ଏଣୁ ସତ୍ୟାନୁସନ୍ଧାନୀ ମଣିଷ ସବୁବେଳେ ପ୍ରଶ୍ନ କରିଛି, ବିଶ୍ଳେଷଣ କରିଛି ଓ ସତ୍ୟାସତ୍ୟ ନିରୂପଣ କରିଛି। ଏଣୁ ଉପନିଷଦମାନଙ୍କରେ ଶିଷ୍ୟ ପ୍ରଶ୍ନ କରିଛନ୍ତି ଓ ଗୁରୁ ଉତ୍ତର ଦେଇଛନ୍ତି। ଉପନିଷଦମାନଙ୍କ ମଧ୍ୟରେ ଗୋଟିଏ ମୁଖ୍ୟ ଉପନିଷଦ ହେଉଛି ପ୍ରଶ୍ନୋପନିଷଦ। କୌଣସି ଶିଷ୍ୟ ପ୍ରଶ୍ନ କରି ଗୁରୁଙ୍କ ପରାମର୍ଶକୁ ଅନ୍ଧଭାବରେ ଗ୍ରହଣ କରିନାହାନ୍ତି। ଭାଗବତରେ ଉଦ୍ଧବ ଶ୍ରୀକୃଷ୍ଣଙ୍କୁ ସୃଷ୍ଟି, ସ୍ରଷ୍ଟା, ଆତ୍ମା, ପରମାତ୍ମା ଆଦି ବିଭିନ୍ନ ବିଷୟରେ ବାରମ୍ବାର ପ୍ରଶ୍ନ କରିଛନ୍ତି ଓ ଶ୍ରୀକୃଷ୍ଣ ସେସବୁର ଉତ୍ତର ଦେଇଛନ୍ତି। ଠିକ୍‌ ସେହିପରି ଭଗବତ୍‌ ଗୀତାରେ ଅର୍ଜୁନ ମଧ୍ୟ ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନ କରିଛନ୍ତି। ନିଜ ଜ୍ଞାତିକୁଟୁମ୍ବ ବିରୋଧରେ ଯୁଦ୍ଧ କରି ପାପ ଅର୍ଜନ କରିବି ନାହିଁ କହି ଅର୍ଜୁନ ଗାଣ୍ଡୀବକୁ ତଳେ ଥୋଇ ଦିଅନ୍ତେ ଶ୍ରୀକୃଷ୍ଣ ଆତ୍ମାର ଅମରତ୍ବ, ଯୁଦ୍ଧରେ ମୃତ୍ୟୁ ହେଲେ ସ୍ବର୍ଗପ୍ରାପ୍ତି ଇତ୍ୟାଦି ବ୍ୟାଖ୍ୟାନ କରି ଯୁଦ୍ଧ ପାଇଁ ଦୃଢ଼ ସଂକଳ୍ପ ହେବାକୁ ଉପଦେଶ ଦେଇଛନ୍ତି (ତସ୍ମାତ୍‌ ଉତ୍ତିଷ୍ଠ କୌନ୍ତେୟ ଯୁଦ୍ଧାୟ କୃତନିଶ୍ଚୟଃ); ମାତ୍ର ଅର୍ଜୁନ ସଙ୍ଗେସଙ୍ଗେ ଯୁଦ୍ଧ କରିବା ପାଇଁ ଦୃଢ଼ନିଶ୍ଚୟ ହୋଇନାହାନ୍ତି, ବରଂ ଶ୍ରୀକୃଷ୍ଣଙ୍କୁ ବହୁ ପ୍ରଶ୍ନ ପଚାରିଛନ୍ତି। ଶ୍ରୀକୃଷ୍ଣ ଅଠରଗୋଟି ଅଧ୍ୟାୟରେ ଅର୍ଜୁନଙ୍କ ସଂଶୟ ଦୂର କରିବା ପାଇଁ ଚେଷ୍ଟା କରିଛନ୍ତି, ତଥାପି ସେ ଅର୍ଜୁନଙ୍କୁ ତାଙ୍କ କଥା ମାନିବାକୁ ବାଧ୍ୟ କରିନାହାନ୍ତି। ସେ ଅର୍ଜୁନଙ୍କୁ ଏପରି ଏକ ବୌଦ୍ଧିକ ସ୍ଥିତିରେ ଆଣି ପହଞ୍ଚାଇ ଦେଇଛନ୍ତି ଯେଉଁଠି ଅର୍ଜୁନ ନିଜେ ସିଦ୍ଧାନ୍ତ ଗ୍ରହଣ କରିପାରିବେ। ତେଣୁ ଶେଷରେ ସେ ଅର୍ଜୁନଙ୍କୁ କହିଛନ୍ତି: ‘ବିମୃଶ୍ୟୈତଦଶେଷେଣ ଯଥେଚ୍ଛସି ତଥା କୁରୁ।’ ଅର୍ଥାତ ଏବେ ତୁମେ ଭଲଭାବରେ ବିଚାରକରି ଯେମିତି ଇଚ୍ଛା, ସେମିତି କର। ଆଧୁନିକ ଅର୍ଥରେ ଉପନିଷଦର ଶିଷ୍ୟ, ଉଦ୍ଧବ ଅର୍ଜୁନଙ୍କୁ ହେତୁବାଦୀ କୁହାଯାଇ ପାରିବ ନାହିଁ, କାରଣ ସେତେବେଳେ ଏହିଭଳି ଏକ ‘ବାଦ’ ବା ଆନ୍ଦୋଳନ ମୁଣ୍ଡ ଟେକି ନ ଥିଲା। ମାତ୍ର ସତ୍ୟ ଜାଣିବାପାଇଁ ହେତୁବାଦୀମାନେ ଗୁରୁତ୍ବ ଦେଉଥିବା ତର୍କ ଓ ବିଚାରର ଆବଶ୍ୟକତା ଭାରତୀୟ ପରମ୍ପରାରେ ଥିଲା। ଏଣୁ ଆଜି ହେତୁବାଦୀମାନଙ୍କ ପ୍ରତି ଅସହିଷ୍ଣୁ ହେବା ଭାରତୀୟ ସଂସ୍କୃତି ଓ ପରମ୍ପରା ବିରୋଧୀ। ପୁନଶ୍ଚ ଆଜିର ଗଣତନ୍ତ୍ର ଯୁଗରେ ପରସ୍ପର ବିରୋଧୀ ମତଗୁଡ଼ିକର ସୁସହାବସ୍ଥାନ ସମୟର ଆହ୍ବାନ ଅଟେ।

Leave A Reply