ଜୀବନଶୈଳୀ

0

ସେ ସମୟରେ ମୌର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଠାତା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ରାଜ୍ୟ ଶାସନ କରୁଥାନ୍ତି। ଚୀନ ଦେଶର ଜନୈକ ପର୍ଯ୍ୟଟକ ଭାରତ ଭ୍ରମଣରେ ଆସି ମଗଧର ରାଜଧାନୀ ପାଟଳିପୁତ୍ରରେ ପହଞ୍ଚିଥିଲେ। ମଗଧ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସୁଶାସନ ସମ୍ପର୍କରେ ସେ ଅନେକ କଥା ଜାଣିଥିଲେ। ବିଶେଷ କରି ଚନ୍ଦ୍ରଗୁପ୍ତଙ୍କ ମହାମନ୍ତ୍ରୀ ଥିବା ଚାଣକ୍ୟଙ୍କୁ ଭେଟିବାର ଇଚ୍ଛାନେଇ ସେ ପାଟଳିପୁତ୍ର ଆସିଥିଲେ। ଅସାଧାରଣ ଧୀଶକ୍ତି ସଂପନ୍ନ, ଚାଣକ୍ୟଙ୍କୁ ସାକ୍ଷାତ୍‌ ନକରି ଫେରିଗଲେ ତାଙ୍କର ଭାରତଭ୍ରମଣ ଅସଂପୂର୍ଣ୍ଣ ରହଯିବ ବୋଲି ସେ ନିଶ୍ଚିତ ଥିଲେ। ସେ ସମୟରେ ଚାଣକ୍ୟଙ୍କ ଖ୍ୟାତି ଦେଶ-ବିଦେଶରେ ବ୍ୟାପି ଯାଇଥିଲା। ଚାଣକ୍ୟ କିନ୍ତୁ କେଉଁଠି ରହୁଛନ୍ତି ସେ ସମ୍ପର୍କରେ ଚୀନା ପର୍ଯ୍ୟଟକ ଜାଣି ନଥିଲେ।
ପ୍ରାତଃ କାଳରେ ନଦୀର ତଟଦେଶରେ ବୁଲୁଥିବା ସମୟରେ ସେ ଦେଖିବାକୁ ପାଇଥିଲେ ଜଣେ ବୃଦ୍ଧବ୍ୟକ୍ତିଙ୍କୁ। ସେ ନଦୀରେ ସ୍ନାନ କରୁଥିଲେ। ସ୍ନାନାଦି ସାରି ଜଳତର୍ପଣ ପରେ ସ୍ନାନ କରୁଥିବା ବ୍ୟକ୍ତି ସାଥିରେ ନେଇଥିବା ଢ଼ାଳରେ ପାଣିଭରି ଉପରକୁ ଆସିଲେ। ପର୍ଯ୍ୟଟକ ତାଙ୍କ ପିଛାକଲେ। କିଛିବାଟ ଯାଇ କହିଲେ ‘ମହାଭାଗ! ମୁଁ ଚୀନ ଦେଶର ଜଣେ ପର୍ଯ୍ୟଟକ। ଭାରତର ବିଭିନ୍ନ ସ୍ଥାନ ବୁଲି ସାରିଲିଣି। ସମ୍ରାଟ ଚନ୍ଦ୍ରଗୁପ୍ତଙ୍କ ମହାମନ୍ତ୍ରୀ ଚାଣକ୍ୟଙ୍କୁ ଭେଟିବାକୁ ଚାହୁଁଛି। ଅାପଣ ମୋତେ ତାଙ୍କ ସମ୍ପର୍କରେ ସୂଚନା ଦେଇପାରିବେ କି?’
ଏହାଶୁଣି ବୃଦ୍ଧ ଖୁସିହୋଇ କହିଲେ- ‘ଆଗନ୍ତୁକଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିବା ମୋ ପାଇଁ ଆନନ୍ଦର କଥା। ଆପଣ କୃପାକରି ମୋ ସହ ଆସନ୍ତୁ।’
ଆଗରେ ଚାଲିଥାନ୍ତି ବୃଦ୍ଧ ବ୍ୟକ୍ତି। ପଛରେ ତାଙ୍କୁ ଅନୁସରଣ କରି ଚାଲିଥା’ନ୍ତି ପର୍ଯ୍ୟଟକ। ରାସ୍ତା ନଗରୀ ଅଭିମୁ​‌େ​‌ଖ ନ ଯାଇ ଜଙ୍ଗଲକୁ ପଡ଼ିଥିଲା। ପର୍ଯ୍ୟଟକ ମନେମନେ ଭାବୁଥାନ୍ତି ବୋଧହୁଏ ଚାଣକ୍ୟଙ୍କ ନିବାସ ସ୍ଥଳରେ ପହଞ୍ଚିବା ପାଇଁ ଏହା ଏକ ସଂଯୋଗକାରୀ ସଂକୀର୍ଣ୍ଣ ମାର୍ଗ।
ବେଶ୍‌ କିଛିବାଟ ଯିବାପରେ ଏକ କୁଟୀର ନିକଟରେ ବୃଦ୍ଧ ପହଞ୍ଚିଲେ। ସେଇଠି ଅଟକି ଯାଇଥିଲେ ବୃଦ୍ଧ। କୁଟୀରର ଚତୁଃପାର୍ଶ୍ବର ପରିବେଶ ଅତି କମନୀୟ ଥିଲା। ସାକ୍ଷାତ ତପୋବନ ସଦୃଶ। ତା’ର ଦ୍ବାର ନିକଟରେ ପହଞ୍ଚି ଆଗନ୍ତୁକଙ୍କ ଉଦ୍ଦେଶ୍ୟରେ ବୃଦ୍ଧ କହିଥିଲେ- ‘ମହାମନ୍ତ୍ରୀ ଚାଣକ୍ୟ ଆପଣଙ୍କୁ ସ୍ବାଗତ କରୁଛି। ଏବେ ଦୟାକରି କୁଟୀର ଭିତରକୁ ଆସନ୍ତୁ।’ ପର୍ଯ୍ୟଟକ ଚାଣକ୍ୟଙ୍କ ନାଁ ଶୁଣି ନିଜ ଆଖିକୁ ବିଶ୍ବାସ କରିପାରିନଥିଲେ। ଏକ ପ୍ରତିଷ୍ଠିତ ସାମ୍ରାଜ୍ୟର ମହାମନ୍ତ୍ରୀ ହୋଇ ମଧ୍ୟ ସେ ଯେ ଏତେ ସରଳ, ନିରାଡ଼ମ୍ବର, ଚାକଚକ୍ୟହୀନ ଜୀବନଯାପନ କରିପାରନ୍ତି, ଏହା ତାଙ୍କ କଳ୍ପନା ବାହାରେ ଥିଲା। ଚାଣକ୍ୟ ଭାରତୀୟମାନଙ୍କର ସରଳ ଜୀବନଯାପନର ମହତ୍ତ୍ବ ସମ୍ପର୍କରେ ପର୍ଯ୍ୟଟକଙ୍କୁ ବୁଝାଇଥିଲେ। ଚାଣକ୍ୟଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନରେ ପର୍ଯ୍ୟଟକଙ୍କ ମଥା ସ୍ବତଃ ନତ ହୋଇଯାଇଥିଲା।

Leave A Reply