ଯୋଗୀ ଓ ରାମ

0

ପ୍ରବୋଧ କୁମାର ମିଶ୍ର

ଉତ୍ତରପ୍ରଦେଶର ଫଇଜାବାଦ ଜିଲାର ନୂତନ ନାମ ଘୋଷଣା କରି ଏହାକୁ ଅଯୋଧ୍ୟା ନାମକରଣ କରିଛନ୍ତି ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେହିପରି ପୁରାତନ ଆହ୍ଲାବାଦ୍ ନଗରୀକୁ ପ୍ରୟାଗରାଜ ନାମକରଣ କରାଯାଇଛି। ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ପଦକ୍ଷେପ ନେବା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ। ଗଙ୍ଗା, ଯମୁନା, ସରସ୍ୱତୀ ନଦୀର ସଙ୍ଗମସ୍ଥଳ, ଭାରତୀୟ ସନାତନୀମାନଙ୍କ ପାଇଁ ଏକ ଧର୍ମସ୍ଥଳୀ। ସେହିପରି ପୁଷ୍କରତୀର୍ଥ ପୁରାଣ ବର୍ଣ୍ଣିତ ଶ୍ୱେତ ମହାଦ୍ୱୀପରୁ ଆଗତ ନରନାରାୟଣଙ୍କ ପାଇଁ ପ୍ରସିଦ୍ଧ। ଏହି ତଥ୍ୟ ଅତ୍ୟନ୍ତ ପୁରାତନ। ସେହିପରି ତ୍ରେତୟାଯୁଗର ରାଜା ଦଶରଥ ଓ ତାଙ୍କ ଜ୍ୟେଷ୍ଠପୁତ୍ର ପରମଲୀଳାମୟ, ବ୍ରହ୍ମପୁରୁଷ, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଲୀଳାଭୂମି ପାଇଁ ଅଯୋଧ୍ୟା ବିଶ୍ୱବିଶ୍ରୁତ। ସେଠାରେ ଏବେ ମଧ୍ୟ ରାମଲାଲାଙ୍କ ପ୍ରସିଦ୍ଧ ମନ୍ଦିର ବିଦ୍ୟମାନ। ଏହି ଲେଖକ ୧୯୭୯ ମସିହା ଏବଂ ୧୯୮୪ ମସିହାରେ ଏହି ପବିତ୍ର ସ୍ଥାନ ଦର୍ଶନ କରିବା ସାଙ୍ଗକୁ ଭୂଗର୍ଭରୁ ବାହାରିଥିବା ଦଶରଥ ନିବାସସ୍ଥଳ, ଜାନକୀ ନିବାସ ଇତ୍ୟାଦିର ଖନନ କାର୍ଯ୍ୟ ଦେଖିଥିଲା। କ୍ଷୁଦ୍ରକ୍ଷୁଦ୍ର ଇଟାରେ ଏହି ନିବାସ ନିର୍ମିତ ହୋଇଥିବାର ଅନୁଧ୍ୟାନ କରିଥିଲା। ଯାହା ହେଉ ପବିତ୍ର ସରଯୁ ନଦୀ କୂଳରେ ଅବସ୍ଥିତ ତ୍ରେତୟାଯୁଗର ଏହି ପବିତ୍ରଧାମ ଆଜି ଜିଲାସ୍ତରୀୟ ମାନ୍ୟତା ପାଇବା ଆନନ୍ଦର ବିଷୟ। ପ୍ରୌଢବାବା ଯୋଗୀ ଆଦିତ୍ୟନାଥ ଯୁଗଯୁଗ ପରେ ଏହାକୁ ଜିଲା ମାନ୍ୟତା ଦେଇ ଧନ୍ୟବାଦର ପାତ୍ର ହୋଇଛନ୍ତି। ଗୋରଖପୁର ମଠର ଏହି ନୀତିବାଦୀ ସନ୍ନ୍ୟାସୀ ଏବେ ୟୁପିର ମୁଖ୍ୟମନ୍ତ୍ରୀ। ରାମଲାଲାଙ୍କ ମନ୍ଦିରରେ ତିନିଲକ୍ଷ ଦୀପ ଜାଳି ସେ ରାମଭକ୍ତିର ପରାକାଷ୍ଠା ମଧ୍ୟ ପ୍ରଦର୍ଶିତ କରିଛନ୍ତି। ଏହି ଅବସରରେ ସେ ରାଜା ଦଶରଥଙ୍କ ନାମରେ କେତେକ ପ୍ରକଳ୍ପ ଘୋଷଣା ସାଙ୍ଗକୁ ଶ୍ରୀରାମଚନ୍ଦ୍ରଙ୍କ ନାମରେ ଏୟାରଲାଇନ୍ସ ମଧ୍ୟ ଘୋଷଣା କରିଛନ୍ତି।
ଏହି ଗାମ୍ଭୀର୍ଯ୍ୟପୂର୍ଣ୍ଣ ଅଯୋଧ୍ୟା ନାମକରଣ ପରେପରେ ଆଦିତ୍ୟନାଥ ରାଜା ଦଶରଥ ଓ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ନାମରେ ପ୍ରକଳ୍ପ ଘୋଷଣା କରିବା ଦ୍ୱାରା ରାମଚନ୍ଦ୍ରଙ୍କ ପ୍ରତି ଅସମ୍ମାନ କରିନାହାନ୍ତି କି? ୟୁପିରେ ନିର୍ବାଚନ ବିଗୁଲ ବାଜିବାକୁ ଯାଉଥିବାବେଳେ ଯୋଗୀ ମହାଶୟ ଲୋକମତକୁ ଧାର୍ମିକ ଚେତନାରେ ଚହଲାଇବା ମନେହୁଏ। ତ୍ରେତୟାଯୁଗର ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ତାଙ୍କର ପିତା ଦଶରଥଙ୍କୁ ପ୍ରକଳ୍ପ ରାଜନୀତିରେ ବ୍ୟବହାର କରିବା ଅତ୍ୟନ୍ତ ନଗଣ୍ୟ ରାଜନୀତିର ପରିଚୟ ଦିଏ। ବିଶେଷତଃ ଯେଉଁ ଶ୍ରୀରାମଚନ୍ଦ୍ର ପରଂବ୍ରହ୍ମ ସ୍ୱରୂପ ଓ ସର୍ବମୟ ପୁରୁଷ ସେହି ତ୍ରେତୟାଯୁଗର ମହନୀୟ ପୁରୁଷଙ୍କ ନାମକୁ ପରୋକ୍ଷ ଭାବରେ ରାଜନୀତିକ ଲକ୍ଷ୍ୟଭୁକ୍ତ କରିବା ଏକ ଅପରାଧ। କୌଣସି ଦେବଦେବୀଙ୍କୁ ରାଜନୀତି ଭିତରକୁ ଟାଣିଓଟାରି ରାଜନୀତିକ ଲାଭ ଉଠାଇବା ଉଦ୍ୟମ ଏକ ଗର୍ହିତ କାର୍ଯ୍ୟ। ସନ୍ଥକବି ତୁଳସୀ ଦାସ ପ୍ରସିଦ୍ଧ ରାମଚରିତମାନସରେ ବର୍ଣ୍ଣନା କରିଛନ୍ତି ଯେ “ସୀତାରାମଗୁଣାଗ୍ରାମ ପୁଣ୍ୟାରଣ୍ୟ ବିହାରିଣୌ, ବନ୍ଦେ ବିବୃଦ୍ଧବିଜ୍ଞାନୌ କବୀଶ୍ୱର-କପୀଶ୍ୱରୌ। ପୁନଶ୍ଚ କବି ଲେଖିଛନ୍ତି- ଯେଉଁ ଲୀଳାମୟ ବ୍ରହ୍ମମୟ ପୁରୁଷପ୍ରଧାନ ରାମଚନ୍ଦ୍ର ରାଜପଦ ପାଇଁ ଅଭିଷେକ ବେଳା ଜାଣି ପ୍ରସନ୍ନ ନଥିଲେ ଓ ପରେ ବନବାସ ଯିବା ଜାଣି ବିଷଣ୍ଣ ନଥିଲେ, ସେହି ନିତ୍ୟହାସ୍ୟମୟ ବ୍ରହ୍ମମୟ ପୁରୁଷଙ୍କୁ ପ୍ରଣାମ। (ପ୍ରସନ୍ନତାଂ ଯେନ ଗତାଽଭିଷେକତଃ ତଥା ନ ମମ୍ଳେ ବସବାସ ଦୁଃଖତଃ। ମୁଖ୍ୟାମ୍ବୁଜଶ୍ରୀ ରଘୁନନ୍ଦନସ୍ୟ ମେ ସଦାସ୍ତୁ ସା ମଞ୍ଜୁଳ ମଙ୍ଗଳପ୍ରଦା।)
ଦୁଃଖ ଯେ ପ୍ରଭୁ ରାମଚନ୍ଦ୍ରଙ୍କୁ ଯୋଗୀ ଆଦିତ୍ୟନାଥ ଚତୁରତାପୂର୍ଣ୍ଣ ଭାବେ ରାଜନୀତିକ ଲାଭ ପାଇଁ ସମ୍ଭବତଃ ବ୍ୟବହାର କରିବାର ଦୁଃସାହସିକତା ଦେଖାଇଛନ୍ତି। ଆମ ମତରେ ରାଜା ଦଶରଥଙ୍କ ପରିବାରକୁ କଳିଯୁଗରେ ଆଦିତ୍ୟନାଥ ଭିନ୍ନ ରୂପରେ ଦଣ୍ଡାୟମାନ କରାଇଛନ୍ତି। ଏବେ ଯୋଗୀ ମହାଶୟ ରାଜବଂଶର ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ଲକ୍ଷ୍ମଣଙ୍କ ସ୍ତ୍ରୀ ଊର୍ମିଳା ଏବଂ ମା’ ସୀତା ଦେବୀଙ୍କ ନାମକୁ ବିଭିନ୍ନ ପ୍ରକଳ୍ପରେ ନାମିତ କରିଦେଲେ ସୂର୍ଯ୍ୟବଂଶୀୟ ରାଜାଙ୍କର ସ୍ମୃତି ଜାଗରୁକ ହୋଇପାରିବ। ବିଭିନ୍ନ ଶାସ୍ତ୍ର ପୁରାଣରେ ରଘୁବଂଶର ଯେଉଁ ମାହାତ୍ମ୍ୟ ଓ ରଘୁବଂଶ ତିଳକ ରାମଚନ୍ଦ୍ରଙ୍କର ସ୍ୱରୂପ ବର୍ଣ୍ଣିତ ହୋଇଛି ସେହି ହଜାରହଜାର ବର୍ଷର ଯୁଗ ସଂସ୍କୃତିର ନରନାରାୟଣଙ୍କ ନାମକୁ ପ୍ରକଳ୍ପ, ବିମାନବନ୍ଦର, ସଚିବାଳୟ ଆଦିରେ ବ୍ୟବହାର କରି ଆଧ୍ୟାତ୍ମିକ ପରମ୍ପରାବୋଧ ଓ ଭକ୍ତଜନଙ୍କ ଭାବାବେଗକୁ ଶସ୍ତା ରାଜନୀତିରେ ଫେଣ୍ଟା ନ ଯାଉ। ଭୋଟ ରାଜନୀତି ପାଇଁ ଦେବଦେବୀଙ୍କ ଅଲୌକିକ ମହିମାକୁ ମ୍ଳାନ କରାନଯାଉ। ଆଦିତ୍ୟନାଥଙ୍କୁ ଆମର ଅନୁରୋଧ ସେ ବାସ୍ତବତା ଦୃଷ୍ଟିକୋଣରୁ ମହାନ୍ ସଂଗ୍ରାମୀ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ଥ, ଡଃ ସମ୍ପୂର୍ଣ୍ଣା ନନ୍ଦ, ତ୍ୟାଗୀ ସେବକ ଓ ସଂଗ୍ରାମୀ ପଣ୍ଡିତ ମଦନମୋହନ ମାଲବ୍ୟ, ମୌଲାନା ଆବୁଲ କାଲାମ୍ ଆଜାଦ ପ୍ରମୁଖ ସ୍ମରଣୀୟ ରାଜପୁରୁଷଙ୍କ ନାମରେ କିଛି ଉଦ୍ୟୋଗର ନାମକରଣ କରିବା ଶ୍ରେୟସ୍କର ହେବ। ଉଲ୍ଲେଖନୀୟ ଯେ କିଛିବର୍ଷ ତଳେ ଶ୍ରୀ ଯୋଗୀ ପୁରୀ ଆସିଥିବାବେଳେ ମୋର ତାଙ୍କ ସହ ଭେଟ ହୋଇଥିଲା। ସେହି ଧର୍ମଧ୍ୱଜୀ ଯୋଗୀ ଆଜି ରାଜଯୋଗୀ ହୋଇଥିବା ବେଳେ ତାଙ୍କର ହଠାତ୍ ମହାରାଜ ଦଶରଥଙ୍କ ପରିବାରକୁ ରାଜନୀତିକ କାରଣରୁ କେଉଁ ଅବସ୍ଥାରେ ପହଞ୍ଚାଇଛନ୍ତି ତାହା ବିଚାର୍ଯ୍ୟ, ପରନ୍ତୁ ବେଦନାଦାୟକ।
ସହିଦ ନଗର, ଭୁବନେଶ୍ୱର

Leave A Reply