ସମାଲୋଚନା ଓ ଅପରାଧ ; ସୁପ୍ରିମକୋର୍ଟ ରାୟକୁ ସରକାର ଧ୍ୟାନ ଦିଅନ୍ତୁ

ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାରଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରିବା ବ୍ୟବସ୍ଥାର ଏକ ଅଂଶବିଶେଷ। ସାଧାରଣ ପରିସ୍ଥିତିରେ ବାକ୍ ସ୍ବାଧୀନତା ଓ ସ୍ବାଧୀନ ମତପ୍ରକାଶର ଅଧିକାର ଜନସାଧାରଣଙ୍କୁ ଭାରତୀୟ ସମ୍ବିଧାନ ପ୍ରଦାନ କରିଛି। ଏହା ସତ୍ତ୍ବେ କେନ୍ଦ୍ରଠାରୁ ଆରମ୍ଭକରି ପ୍ରାଦେଶିକ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ସରକାର ଆଜିକାଲି ଏହି ସମାଲୋଚନା ପ୍ରସଙ୍ଗରେ ଅସହିଷ୍ଣୁଭାବ ପ୍ରଦର୍ଶନ କରି ପ୍ରତିହିଂସାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଘଟଣାମାନ ଭିଆଉଛନ୍ତି। ଖବରକାଗଜ, ଟେଲିଭିଜନ, ପତ୍ରପତ୍ରିକାଠାରୁ ଆରମ୍ଭକରି ଏବେ ମାତ୍ରାଧିକ ସକ୍ରିୟଥିବା ସୋସିଆଲ ମିଡ଼ିଆ ଏହି ସରକାରୀ ଅକ୍ରୋଶର ସମ୍ମୁଖୀନ ହେଉଛି। ସ୍ବାଧୀନ ଗଣତାନ୍ତ୍ରିକ ରାଷ୍ଟ୍ରରେ ବ୍ରିଟିଶ ଉପନିବେଶବାଦୀ ଶାସନକାଳର ଦମନମୂଳକ ନୀତିକୁ ପ୍ରୟୋଗ କରି ସରକାର ବିରୋଧୀମତ ଓ ସମାଲୋଚନାକୁ ଦବାଇ ଦେବାକୁ ଅପଚେଷ୍ଟା କରୁଛନ୍ତି। ସମାଲୋଚକଙ୍କ ବିରୋଧରେ ମାମୁଲି ଘଟଣାରେ ଦେଶଦ୍ରୋହ ଭଳି ଅତି କଠୋର ଆଇନ ଲାଗୁ କରାଯାଉଛି। ବ୍ୟକ୍ତି ସ୍ବାଧୀନତା ଓ ମାନବାଧିକାର ସୁରକ୍ଷା ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇ ସମାଲୋଚକଙ୍କୁ ଯାବତୀୟ ହଇରାଣ ହରକତ କରିବାକୁ ଏଭଳି କଠୋର ଆଇନ ସରକାର ପ୍ରୟୋଗ କରୁଛନ୍ତି। ସଂପୃକ୍ତ ସରକାରମାନେ ବୁଝୁନାହାନ୍ତି ଯେ ସବୁ ଲୋକ ତାଙ୍କର ସ୍ତାବକ ବୋଲାଇବା ସମ୍ଭବ ନୁହେଁ। ଭିନ୍ନମତ ଓ ସମାଲୋଚନା ରହିବ। ବଳପ୍ରୟୋଗ କରି ଅଥବା ଆଇନର ଧମକ ଦେଖାଇ ଏହାକୁ ରୋକି ହେବ ନାହିଁ। ଆହୁରି ଗୁୁରୁତ୍ବପୂର୍ଣ୍ଣ କଥା ହେଲା ସରକାର ଯେତେବେଳେ ପ୍ରତିହିଂସା ପରାୟଣ ହୋଇ ବିରୋଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତାହାର ଏକ ନକାରାତ୍ମକ ବାର୍ତ୍ତା ସମାଜ ଯାଏ। ଏହା ଦ୍ବାରା ସରକାରଙ୍କ ଭାବମୂର୍ତ୍ତି ଲୋକଚକ୍ଷୁରେ ନ୍ୟୂନ ହୁଏ। ତେବେ ସେ ଯାହା ହେଉ, ବିଳମ୍ବରେ ହେଲେ ମଧ୍ୟ ଏଭଳି ଏକ ସ୍ପର୍ଶକାତର ତଥା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ଯୁଗାନ୍ତକାରୀ ରାୟ ଦେଇ ଦେଶରେ ବାକ୍‌ ସ୍ବାଧୀନତା, ସ୍ବାଧୀନ ମତପ୍ରକାଶ ଏବଂ ଭିନ୍ନମତକୁ ସୁରକ୍ଷିତ କରିଛନ୍ତି। ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି, ‘ଭାରତ ଏକ ମୁକ୍ତ ରାଷ୍ଟ୍ର ଓ ଏହାକୁ ମୁକ୍ତ ରହିବାକୁ ଦିଆଯାଉ। ସମାଲୋଚନାକୁ ଏକ ଅପରାଧଭାବେ ବିଚାର କରା ନଯାଉ।’ ଏଥିରୁ ସରକାର ନିଶ୍ଚିତ କିଛି ଶିଖିବେ ଏବଂ ତାଙ୍କର ଜ୍ଞାନୋଦୟ ହେବ ବୋଲି ଆଶା କରାଯାଏ। କହିବା ବାହୁଲ୍ୟ ଯେ ସରକାର ଯେତେବେଳେ ସ୍ବେଚ୍ଛାଚାରୀ ହୋଇ ଅବାଟରେ ଯାଆନ୍ତି, ସେତେବେଳେ ନ୍ୟାୟପାଳିକା ଅଙ୍କୁଶ ପ୍ରୟୋଗ କରି ତାଙ୍କୁ ନ୍ୟାୟୋଚିତ ଶାସନର ବାଟ ଦେଖାନ୍ତି।

ଏହି ରାୟର ପୃଷ୍ଠଭୂମିରେ ରହିଛି ଏକ ଛୋଟିଆ ଘଟଣା। କଲକାତାର ଏକ ଅଞ୍ଚଳରେ ରହୁଥିବା ନିର୍ଦ୍ଦିଷ୍ଟ ସମୁଦାୟର ଲୋକେ କରୋନା ମହାମାରି ନିୟମ ପାଳନ କରୁନଥିବା ଉଲ୍ଲେଖ କରି ଜଣେ ମହିଳା ନିଜ ଫେସବୁକ୍‌ ପୋଷ୍ଟରେ ଅଭିଯୋଗ କରିବା ସହ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଏହି ପୋଷ୍ଟ ଦ୍ବାରା ସଂପୃକ୍ତ ମହିଳା ସେହି ନିର୍ଦିଷ୍ଟ ସମୁଦାୟ ବିରୋଧରେ ଘୃଣାଭାବ ଉଦ୍ରେକ କରୁଥିବା ଦର୍ଶାଇ ପୁଲିସ ତୁରନ୍ତ ତାଙ୍କ ନାମରେ ଏକ ରାଜଦ୍ରୋହ ମକଦ୍ଦମା ଦାଏର କରିବା ସହ ତାଙ୍କୁ ଗିରଫ କରି ପଚରାଉଚରା କରିବାପାଇଁ ଅଭିଯାନ ଆରମ୍ଭ କରିଦେଇଥିଲା। ମହିଳା ଜଣକ ସର୍ବୋଚ୍ଚ ଅଦାଲତର ଆଶ୍ରୟ ନେବାପରେ ତାଙ୍କୁ ଏବେ ଗିରଫଦାରୀରୁ ମୁକ୍ତି ମିଳିଛି। ଏବେ କି ଅବସ୍ଥା ହୋଇଛି କେଜାଣି ଢ଼ିଙ୍କିଶାଳରୁ ଢ଼େଙ୍କାନାଳ ପର୍ଯ୍ୟନ୍ତ ସବୁଠି ସରକାରଙ୍କ ଇଙ୍ଗିତରେ ପୁଲିସ ବିରୋଧମତକୁ ଯେନତେନ ପ୍ରକାରେଣ ଦବାଇ ଦେବାକୁ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ସାଧାରଣ ବ୍ୟକ୍ତିଙ୍କ ସହିତ ସାମ୍ବାଦିକମାନେ ମଧ୍ୟ ଏଥିରୁ ବାଦ ପଡ଼ୁନାହାନ୍ତି। ଅନେକ ଗଣମାଧ୍ୟମ ମଧ୍ୟ ସରକାରୀ ରୋଷର ସମ୍ମୁଖୀନ ହେଉଛନ୍ତି, ଯାହାର ଉଲ୍ଲେଖ ଅନାବଶ୍ୟକ। ଯେଉଁମାନେ ବାକ୍‌ସ୍ବାଧୀନତା ଓ ସ୍ବାଧୀନ ମତପ୍ରକାଶ ଅଧିକାର ବଳରେ ସରକାରଙ୍କୁ ସମାଲୋଚନା କରୁଛନ୍ତି ସେମାନଙ୍କୁ ସରକାର ବିଭିନ୍ନ କଠୋର ଦଫା ଲଗାଇ ପାନେ ମଜା ଚଖାଇବାକୁ ପଶ୍ଚାତ୍‌ପଦ ହେଉନାହାନ୍ତି। ଏହି ନୀତି ଅତ୍ୟନ୍ତ ଗର୍ହିତ ଏବଂ ଆମ ସମ୍ବିଧାନ ଓ ଏହାର ପ୍ରଣେତାମାନଙ୍କ ପ୍ରତି ଏକ ବିରାଟ ଅପମାନ। ରାଜଦ୍ରୋହ, ଆଇପିସି, ଏନଏସଏ ଏବଂ ୟୁଏପିଏ ଭଳି ଆଇନକୁ ଅସ୍ତ୍ରକରି ସରକାର ରାଜନୈତିକ ବିରୋଧ ଓ ସମାଲୋଚନାକୁ ଚାପିଦେବାକୁ ଉଦ୍ୟମ କରିବା ନିନ୍ଦନୀୟ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ସମ୍ପର୍କରେ ଖବର ପ୍ରକାଶ କହିବାରୁ ଜଣେ ସାମ୍ବାଦିକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ସେଠା ସରକାର ଲାଗୁ କରିଥିଲେ। ମାମଲାର ବିଚାରକରି ସେଠା ହାଇକୋର୍ଟ ସଂପୃକ୍ତ ସାମ୍ବାଦିକଙ୍କୁ ନିର୍ଦୋଷ ଘୋଷଣା କରି କହିଥିଲେ, ‘ସରକାରୀ ପଦରେ ଥିବା ବ୍ୟକ୍ତିବିଶେଷଙ୍କୁ ସମାଲୋଚନାର ଊର୍ଦ୍ଧ୍ବରେ ରଖିଲେ ଦେଶରେ ଗଣତନ୍ତ୍ର ସୁଦୃଢ଼ ହେବନାହିଁ। ଦେଶଦ୍ରୋହ ଆଇନ ବଳରେ ବିରୋଧ ବା ଭିନ୍ନମତକୁ ଚପାଇ ରଖିଲେ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ ନାହିଁ। ସରକାରଙ୍କୁ ସମାଲୋଚନା କରିବା ଦେଶଦ୍ରୋହ ନୁହେଁ।’ ଏହି ରାୟ ଦେଶଦ୍ରୋହ ଆଇନର ସୀମା ସରହଦ ନିର୍ଣ୍ଣୟ କରିଛି। ଏହା ସତ୍ତ୍ବେ ବିଭିନ୍ନ ରାଜ୍ୟରେ ପୁଲିସ କର୍ତ୍ତୃପକ୍ଷଙ୍କ ଇଙ୍ଗିତରେ କଥାକଥାକେ ଦେଶଦ୍ରୋହ ଆଇନ ଲାଗୁ କରି ସମାଲୋଚକ ଓ ବିରୋଧୀଙ୍କ ମୁହଁ ବନ୍ଦ କରିଦେବାକୁ ଉଦ୍ୟମ ଜାରି ରଖିଛନ୍ତି। ଏହା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ମୁକ୍ତଭାରତରେ ଆଇନର ଦୁରୁପଯୋଗର ସ୍ଥାନ ନଥିବା ସତ୍ତ୍ବେ ଏହା ଚାଲିଛି। ପୁରୁଣାକାଳିଆ ବ୍ରିଟିଶ ଶାସନକାଳର କଠୋର ଆଇନର ସମୀକ୍ଷା କରିବାର ସମୟ ବୋଧହୁଏ ଆସିଯାଇଛି। ସର୍ବୋଚ୍ଚ ଅଦାଲତ ଏସବୁ ଆଇନର ପୁନଃପରୀକ୍ଷା କଲେ ଭାରତରେ ବାକ୍‌ସ୍ବାଧୀନତା ଓ ଗଣତନ୍ତ୍ର ଅଧିକ ସୁଦୃଢ଼ ହୋଇପାରିବ।

Comments
Loading...