ଜୀବନର ଜୟଗୀତି

0

ଉପେନ୍ଦ୍ର ବିଶ୍ବାଳ

ଏଇମାତ୍ର ଭୂମିଷ୍ଠ ହୋଇଥାଏ ଜିରାଫ୍ ଛୁଆଟି। ଭୂମିଷ୍ଠ ହେଉ ହେଉ ନିଜ ଲମ୍ବା ଶୁଣ୍ଢରେ ମାଆ ଜିରାଫ୍ ଦେଉଛି ଏକ ଆଘାତ। ସଦ୍ୟଜାତ ଶିଶୁର କଅଁଳ ଦେହକୁ ଖୁବ୍ କଷ୍ଟ ଲାଗେ। ବିଚରା ବୁଝି ପାରେନା ଏ ଝଟ୍‌କା କେଉଁଠୁ ଓ କାହିଁକି ଆସିଲା। ସାମାନ୍ୟ ଟିକେ ଅନୁମାନ କରିନିଏ ସମ୍ଭାବ୍ୟ ସଙ୍କଟ ସମ୍ବନ୍ଧେ। ସେଇଠୁ ଟିକେ ସତର୍କ ହୋଇଯାଏ। ସତେଜ ହୋଇ ନିଜକୁ ସଜାଡ଼ି ନେବାକୁ ଚେଷ୍ଟା କରେ। ଏଇ ସମୟରେ ପୁଣି ଆଉ ଗୋଟିଏ ଝଟକା ଆଉ ଟିକେ ଜୋରରେ। ଛିଟିକି ହୋଇ ପଡ଼େ ଛୁଆଟି ଟିକେ ଦୂରକୁ। ଅଧିକ ଯନ୍ତ୍ରଣା ଅନୁଭବ କରେ। ଏଇଠି ରହିବା ବୋଧେ ବିପଦ ବୋଲି ଭାବି ବସେ। ଛିଡ଼ା ହୋଇ ଦେହକୁ ଦମ୍ଭ ଦେଇ ପଳାଇ ଯିବାକୁ ପ୍ରୟାସ କରୁକରୁ ଆହୁରି ଏକ ଶକ୍ତ ଆଘାତ ଆସି ଦେହରେ ବାଜେ। ଅସମ୍ଭାଳ ହୋଇଉଠେ ଛୁଆଟି। ଆଘାତ ପରେ ଆଘାତ। ସଂଘାତ ପରେ ସଂଘାତ। ବଢ଼ିବାରେ ଲାଗିଛି ବିପଦ। ଯନ୍ତ୍ରଣା ବି ଅସହ୍ୟ। ସାମାନ୍ୟମାତ୍ର ବିଳମ୍ବ ନକରି ସମସ୍ତ ଶକ୍ତି ଖଟାଇ ସେଠାରୁ ଦୌଡ଼ି ପଳାଏ। ସଂଘର୍ଷ କରେ ସଙ୍କଟକୁ ଟାଳିବାକୁ। ଏହି ସମୟରେ ମାଆ ଜିରାଫ୍ ଦୌଡ଼ିଯାଇ ଖୁବ୍ ସରାଗରେ ଗେଲ କରେ ଛୁଆଟିକୁ। ସତେ ଯେମିତି ତା ଛୁଆଟି ଗଡ଼ ଜିଣିଯାଇଛି। କୁନି ଛୁଆଟିକୁ କାହିଁକି ଏମିତି କଷ୍ଟ ଦିଏ ମାଆ ? ଜିରାଫର ମାଂସ ଖୁବ ସ୍ୱାଦିଷ୍ଟ। ଏଣୁ ବାଘ ବ୍ୟାକୁଳ ହୋଇ ଖୋଜି ବୁଲୁଥାଏ ଜିରାଫକୁ ଶିକାର କରିବାକୁ। ପୁଣି ଛୁଆ ଜିରାଫର କଅଁଳ ମାଂସ ତ ଆହୁରି ଲୋଭନୀୟ ତା ପାଇଁ। ପ୍ରତି ପଦପାତରେ ଜିରାଫ୍ ଶିଶୁଟି ଉପରେ ଛାଇ ହୋଇ ରହିଥାଏ ସଙ୍କଟର କଳା ବାଦଲ। ଏଣୁ ଜନ୍ମ ମାତ୍ରେ ହିଁ ମାଆ ଜିରାଫ୍ ଶିଶୁକୁ ଶିଖାଇଥାଏ ଜିଇବାର କଳା। ଚେତାଇ ଦିଏ ଜୀବନଟି ଏହିପରି ସଙ୍କଟରେ ଭରା। ଏଠି ଜୀବନ ଜିଇବାକୁ ହେଲେ ସଂଘର୍ଷ ଜରୁରୀ। ସଂଗ୍ରାମ ନକଲେ ବିପଦକୁ ବରଣ କରିବା ହିଁ ସାର ହେବ। ସେମିତି ଡିମ୍ବରୁ ଫୁଟି ବାହାରିଥିବା କୁନି ଚଢ଼େଇକୁ ବସା ଡାଳରୁ ତଳକୁ ଠେଲିଦିଏ ମାଆ ଚଢ଼େଇ। ତାକୁ ତ ଆହାର ସନ୍ଧାନରେ ଦୂର ଦେଶକୁ ଯିବାକୁ ହେବ। ମାତ୍ର, ପିଲାଙ୍କୁ ବସାରେ ଛାଡ଼ି ଦୂରକୁ ଯାଇ ହୁଏନା। ଏକେ ତ ସାପ ସୁଯୋଗ ଉଣ୍ଡୁଥାଏ ଛୁଆ ଚଢ଼େଇକୁ ଉଦରସ୍ଥ କରିବାକୁ। ଏଣୁ ବିପଦରୁ ବର୍ତ୍ତିବାକୁ ପିଲାଙ୍କୁ ବାଟ ଦେଖାଏ ସେ। ଡେଣା ଟିକେ ଉଠିଲା କ୍ଷଣି ତଳକୁ ଠେଲିଦିଏ। ଜୀବନ ବଞ୍ଚାଇବାକୁ ଯାଇ ଛୁଆ ଚଢ଼େଇ ଡେଣା ମେଲାଏ। ସେଇଠୁ ସେ ଉଡ଼ି ଶିଖିଲା। ଆହାର ଖୋଜି ବୁଲିଲା। ଆରମ୍ଭ ହେଲା ତା ଜୀବନଯାତ୍ରା।
ଜୀବନ ଅଛି ମାନେ ସଂକଟ ଅଛି। ସଂକଟ ଅଛି ମାନେ ସଂଗ୍ରାମ ଜରୁରୀ। ଯେଉଁଠି ସଂଗ୍ରାମ ନାହିଁ ସେଇଠି ସଫଳତା ନଥାଏ। ଯଦିବା ମିଳିଯାଏ ତା’ର ସ୍ଥାୟିତ୍ୱ ନଥାଏ କି ସ୍ୱାଦ ବି ନଥାଏ। ସଂକଟକୁ ସାମ୍ନା ନକରି ଦୁଃଖକୁ ଡରି ବାଟ ଭାଙ୍ଗି ଚାଲିଯିବା ହିଁ ଭୀରୁତା। ସଂଘର୍ଷକୁ ସାଥୀ କରି ଜୀବନ ଜିଇବାର ମର୍ଯ୍ୟାଦା ନିଆରା। ସଂଘର୍ଷ ହିଁ ଜୀବନକୁ ପରିଭାଷିତ ଓ ପରିମାର୍ଜିତ କରିଥାଏ। ଯିଏ ସଂଘର୍ଷରେ ବିଚଳିତ ନହୋଇ ସାହସ ଓ ଧୈର୍ଯ୍ୟର ସହିତ ମୁକାବିଲା କରେ, ସେ ଆଗକୁ ବଢ଼ିବାର ବାଟ ଜାଣିଥାଏ। ସଂଘର୍ଷ କରିବା ଦ୍ୱାରା ବିଚାରର ପରିପକ୍ବତା ଆସିଥାଏ। ଆନ୍ତରିକ ଶକ୍ତି ଓ ସାମର୍ଥ୍ୟ ବଢ଼ିଥାଏ। ଶେଷରେ ବିଜୟର ଶିରୋପା ପି‌େ‌ନ୍ଧ ସେ। ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ିଲେ ସଫଳତା ଅବଶ୍ୟ ମିଳିବ। ପକ୍ଷୀଙ୍କ ପାଖରେ ନଥାଏ ନକ୍ସା ବା ଦିଗବାରିଣୀ ଯନ୍ତ୍ର। ମାତ୍ର ଆଗକୁ ବଢ଼ନ୍ତି ଆତ୍ମବିଶ୍ୱାସର ସହିତ ଆହାର ଅନ୍ୱେଷଣରେ। ସନ୍ଧ୍ୟା ହେଲେ ପୁଣି ଫେରିଆସି ବସାରେ ପହଞ୍ଚିଯା’ନ୍ତି। ସୁଦୂର ସାଇବେରିଆରୁ ଶହଶହ ସଂଖ୍ୟାରେ ପକ୍ଷୀମାନେ ଉଡ଼ି ଆସନ୍ତି ଚିଲିକାକୁ। ତାଙ୍କଠି ନଥାଏ ଠିକଣା, ଅବା ନକ୍ସା। କେବଳ ମନରେ ଥାଏ ଆତ୍ମବିଶ୍ୱାସ ଓ ନିଜ ସାମର୍ଥ୍ୟ ପ୍ରତି ଦୃଢ଼ ଆସ୍ଥା। ହଜାରହଜାର ମାଇଲର ଦୀର୍ଘ ଦୂରତା। ପୁଣି ପଥମଧ୍ୟରେ ନାନାଦି ଘାତ-ପ୍ରତିଘାତ, ଝଡ଼-ଝଞ୍ଜା, ପ୍ରତିକୂଳ ପରିସ୍ଥିତି। ମନରେ କେବେବି ପ୍ରଶ୍ନ ଉଠେନା ପହଞ୍ଚି ହେବ କି ନାହିଁ। ତଥାପି ସମୟ ଆସିଲେ ଆସି ପହଞ୍ଚି ଯାଆନ୍ତି ଓ ସମୟାନ୍ତରେ ଫେରି ଯାଆନ୍ତି। ଶୈଶବରୁ ଶିଖିଲେ ସେମାନେ ସଂଗ୍ରାମ କରିବାର କୌଶଳ। ସଂଘର୍ଷକୁ ସାଥୀ କରି ଜିଇ ଚାଲିଲେ। ଏଣୁ ଆମ ପାଇଁ ଯାହା ଅସମ୍ଭବ ମନେ ହେଉଛି ପକ୍ଷୀଙ୍କ ପାଇଁ ତା ଖୁବ୍‌ ସମ୍ଭବ ହୋଇ ପାରୁଛି।
ଜୀବନଟି ଏକ ବିନ୍ଦୁ ପରି ସ୍ଥାଣୁ ନୁହେଁ। ଯାହାର ଅବସ୍ଥିତି ଅଛି, ମାତ୍ର ବିସ୍ତାର ନାହିଁ। ତାହା ମଧ୍ୟ ନୁହେଁ ଏକ ସରଳରେଖା; ବରଂ ଏକ ବକ୍ରରେଖାଟିଏ। ଯେଉଁଠି ଉତ୍ଥାନ ଅଛି, ପତନ ବି ଅଛି। ତାହା ମଧ୍ୟ କେତେଗୁଡ଼ିଏ ଛୋଟ-ବଡ଼ ସରଳରେଖାର ସମାହାର। ମୋଟ ଉପରେ ଜୀବନଟି ସରଳରେଖା ପରି ସ୍ୱାଭାବିକତା ସହିତ ସୁଖ-ଦୁଃଖ, ଝଡ଼-ଝଞ୍ଜାର ସମାହାର। ଚାବିକାଠି ନଥାଇ ତାଲାଟିଏ କେବେ ତିଆରି ହୋଇଛି କି? ସେମିତି ପ୍ରତିଟି ସମସ୍ୟା ସହିତ ଅଛି ସମାଧାନର ସୂତ୍ର। ଅର୍ଥାତ୍ ସଂକଟ ଅଛି ମାନେ ସେଥିରୁ ମୁକୁଳିବାର ରାସ୍ତା ବି ଅଛି। ସଂକଟ ଅଛି ମାନେ ସେଇଠି ସାଫଲ୍ୟ ଛପିକି ରହିଛି। ଘନ କଳା ମେଘ ମଧ୍ୟରୁ ହିଁ ବିଜୁଳିର ଝଲକ ସୃଷ୍ଟି ହେଲା ପରି ଗାଢ଼ ଅନ୍ଧକାର ମଧ୍ୟରେ ଉଜ୍ଜ୍ବଳତା ଛପି ରହିଥାଏ। ଗାଢ଼ ଅନ୍ଧକାର ମଧ୍ୟରେ ସୂର୍ଯ୍ୟଙ୍କ ସୁନେଲି କିରଣ ଲୁଚି ରହିଥାଏ। ଅନ୍ଧକାର ଅପସରି ଗଲେ ପ୍ରଭାତର ପରିପ୍ରକାଶ ହୁଏ। କୁହୁଡ଼ିର ଘନ ଆସ୍ତରଣ ସୂର୍ଯ୍ୟଙ୍କ ଉଜ୍ଜ୍ବଳତାକୁ ପ୍ରତିହତ କରିଥାଏ। କଳା ବାଦଲ ମଧ୍ୟ ସୂର୍ଯ୍ୟଙ୍କ ଗତିପଥରେ ଅନେକ ପ୍ରତିବନ୍ଧକ ସୃଷ୍ଟି କରିଥାଏ। ରାହୁ କେତୁ ତ ସୂର୍ଯ୍ୟ ଚନ୍ଦ୍ରକୁ ସଂପୂର୍ଣ୍ଣ ଗ୍ରାସ କରିବାକୁ ଆସ୍ପର୍ଦ୍ଧା କରିଥାନ୍ତି। ତା’ବୋଲି ସୂର୍ଯ୍ୟ, ଚନ୍ଦ୍ର କ’ଣ କେବେ ଅଟକି ଯାଇଛନ୍ତି? ସଂକଟ ହିଁ ଶିକ୍ଷା ଦେଇଥାଏ ଆମକୁ । ସେ ଆମର ଆଦର୍ଶ ଆଚାର୍ଯ୍ୟ ବା ଗୁରୁ। ସଂଘର୍ଷରେ ହିଁ ସାଫଲ୍ୟ। ସାହସ ଓ ଧୈର୍ଯ୍ୟରେ ହିଁ ଜିତାପଟ; ଜୀବନର ଜୟଗୀତି।
ଗୋଡିଶୁଳ, ନୀଳଗିରି, ବାଲେଶ୍ୱର,
[email protected]

Comments
Loading...