ଚେତନାର ଅନ୍ଧକାର ଇଲାକା ଓ ତା’ର ପ୍ରଭାବ

0

ପ୍ରଶ୍ନ: ଅବଚେତନ ଉପରେ ସାଧାରଣ ମଣିଷର ନିୟନ୍ତ୍ରଣ ରହିଛି କି? ତହିଁ ପୁଞ୍ଜିଭୂତ ନେତିଧର୍ମୀ ଓ କ୍ଷତିକାରକ ଭାବନାସବୁକୁ ଆମେ ସ୍ବସ୍ତିଧର୍ମୀ ଓ ଗଠନମୂଳକ ଭାବନାକୁ ପରିବର୍ତ୍ତନ କରିବାର ଉପାୟ କ’ଣ ?
ଜ୍ଞାନରଞ୍ଜନ ଦାସ, ସୁନ୍ଦରଗଡ଼
ଉତ୍ତର: ଆଶା, ଆପଣଙ୍କର ଇଂରାଜୀ ପ୍ରଶ୍ନର ଉପରୋକ୍ତ ଅନୁବାଦ ଯଥାର୍ଥ। ‘ସବ୍‌କନ୍‌ସାସ୍‌’ ବା ଅବଚେତନ ଅଭିବ୍ୟକ୍ତିଟିର ମନସ୍ତାତ୍ତ୍ବିକ ଏବଂ ଆଧ୍ୟାତ୍ମିକ ଅର୍ଥ ଭିତରେ ସାମଞ୍ଜସ୍ୟ ତୁଳନାରେ ପାର୍ଥକ୍ୟ ଅଧିକ। ଆମ ସଚେତନ ମନର ନିମ୍ନସ୍ଥ ଅଚେତନ ସ୍ମୃତି ଓ ନାନାଦି ଭାବତରଙ୍ଗ, ଯାହା ସମ୍ପର୍କରେ ଆମେ ସଜାଗ ନ ଥିଲେ ମଧ୍ୟ ଯାହା ଆମ କ୍ରିୟାକଳାପକୁ ପ୍ରଭାବିତ କରେ, ପ୍ରଥମେ ଫ୍ରଏଡ଼ ସେହି ଅର୍ଥରେ ଶବ୍ଦଟିକୁ ପ୍ରୟୋଗ କରିଥିଲେ ଏବଂ ଉତ୍ତର ଫ୍ରୟେଡିୟ ପାଶ୍ଚାତ୍ୟ ମନୋବିଜ୍ଞାନ କ୍ଷେତ୍ରରେ ବହୁ ଆଲୋଡନ ସତ୍ତ୍ବେ ଶବ୍ଦଟି ମୋଟାମୋଟି ସେହି ଅର୍ଥ ବହନ କରୁଛି; କିନ୍ତୁ ତାହାର ଆଧ୍ୟାତ୍ମିକ ଅର୍ଥ ବ୍ୟାପକ ତଥା ଗଭୀର। ବେଦରେ ମଧ୍ୟ ଅବଚେତନର ବର୍ଣ୍ଣନା ରହିଛି ବୋଲି ଶ୍ରୀଅରବିନ୍ଦ ଦର୍ଶାଇଛନ୍ତି। କାର୍ଲ୍‌ ଗୁସ୍ତାଭ୍‌ ୟୁମ୍‌ ଏବଂ ପରବର୍ତ୍ତୀ କେତେକ ଧୀମାନ ଚେତନାର ଗଭୀରତର ଇଲାକାର ସନ୍ଧାନ ପ୍ରୟାସ କରିଥିବା ସତ୍ତ୍ବେ ପାଶ୍ଚାତ୍ୟ ମନସ୍ତତ୍ତ୍ବର ପରିସର ମୁଖ୍ୟତଃ ମନ ଏବଂ ପ୍ରାଣଗତ ଆବେଗ ପ୍ରବେଗ ଇତ୍ୟାଦିର ଭୂମିକାରେ ସୀମିତ ରହିଛି। ଭାରତୀୟ ମନସ୍ତତ୍ତ୍ବ ଚେତନାର ମନସ୍ତତ୍ତ୍ବର ପରିସର ମୁଖ୍ୟତଃ ମନ ଏବଂ ପ୍ରାଣଗତ ଆବେଗ ପ୍ରବେଗ ଇତ୍ୟାଦିର ଭୂମିକାରେ ସୀମିତ ରହିଛି। ଭାରତୀୟ ମନସ୍ତତ୍ତ୍ବ ଚେତନାର ମହତ୍ତମ ବିଭବ ହିସାବରେ ଆତ୍ମାକୁ ନିର୍ଦେଶ କରିଥାଏ। ପ୍ରଚଳିତ ମନୋବିଜ୍ଞାନରେ ତାଲିମ୍‌ପ୍ରାପ୍ତ ଜଣେ ମନୋ-ଚିକିତ୍ସକ (ସାଇକିଆଟ୍ରିଷ୍ଟ ବା ସାଇକୋଏନାଲିଷ୍ଟ) ମାନସିକ ବୈକଲ୍ୟ-ପୀଡ଼ିତ କୌଣସି ବ୍ୟକ୍ତିର ଚିକିତ୍ସା କରୁଥିବାବେଳେ ସେ ତା’ର ମନୋଗତ ବା ପ୍ରାଣଗତ ରୁଦ୍ଧ, ଅବଦମିତ ଅଭିଳାଷ, ଆଶା ହତାଶା ଇତ୍ୟାଦି ବିଶ୍ଳେଷଣ କରି ବୈକଲ୍ୟର ହେତୁ ନିରୂପଣ କରେ ଏବଂ ଚିକିତ୍ସାରେ ପ୍ରାୟତଃ ସଫଳ ମଧ୍ୟ ହୁଏ; କାରଣ ଅଧିକାଂଶ ବୈକଲ୍ୟର ହେତୁ ଖୁବ୍‌ ଗଭୀର ହୋଇନଥାଏ।
ବହୁ କିସମର ହାଲୁକା ଓ ସାମୟିକ ବିକଳତା ପଶ୍ଚାତରେ ପୁଣି ପରିବେଶ​‌େ​‌ର ଥିବା ଅନ୍ୟ ଜଣକର ଅବଚେତନାରେ ପ୍ରଭାବ ମଧ୍ୟ କାମ କରୁଥାଇପାରେ। ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ନେଇଯାଇ ମନୋଚିକିତ୍ସକଙ୍କୁ ଜଣାଇଲେ କି ସ୍ବାମୀ ମହାଶୟ ମଧ୍ୟେମଧ୍ୟେ ନିଜକୁ ସାଙ୍ଗ୍ରିଲା ଭଳି ଏକ କାଳ୍ପନିକ ସୁଖମୟ ରାଜ୍ୟର ରାଜା ବୋଲି ମନେକରି ଅନୁରୂପ ରାଜକୀୟ ଆଚରଣ କରୁଛନ୍ତି। ଚିକିତ୍ସକ ଚାରି ଛଅମାସ ଭିତରେ ଭଦ୍ରଲୋକଙ୍କୁ ସ୍ବାଭାବିକ କରିଦେଲେ। ପରେପରେ ଦେଖାଦେଲା ଏକ ଅପ୍ରତ୍ୟାଶିତ ସମସ୍ୟା। ସ୍ବାମୀ ରାଜା ବୋଲାଉଥିବାବେଳେ ଭଦ୍ରମହିଳାଙ୍କୁ ରାଣୀ ଭାବରେ ତାଙ୍କ ପ୍ରଶସ୍ତି ଗାନ କରିବା ସଙ୍ଗେସଙ୍ଗେ ନାନାଦି ମୂଲ୍ୟବାନ ଭେଟି ଦେଉଥିଲେ। ସେଥିରୁ ବିଲ୍‌କୁଲ୍‌ ବଞ୍ଚିତ ହୋଇ ଭଦ୍ରମହିଳା ହେଲେ ଅବସାଦ (ଡିପ୍ରେସନ୍‌) ପୀଡ଼ିତ। ଏହା ଏକ ହାଲୁକା ସ୍ତରର କାହାଣୀ; କିନ୍ତୁ ଦୃଷ୍ଟାନ୍ତ ଭାବରେ ଏହା ମୂଲ୍ୟବାନ। ଆମେ ସଭିଏଁ ଅସଂଖ୍ୟ ଅଦୃଶ୍ୟ ପ୍ରଭାବ-ବଳୟ ଭିତରେ ରହିଥାଉ। ସେସବୁର ଅନ୍ତର୍ଭୁକ୍ତ ପରସ୍ପରର ଅବଚେତନ ମଧ୍ୟ।
କିନ୍ତୁ ଏଭଳି ବୈକଲ୍ୟ ବି ଥାଇପାରେ ଯାହାର ହେତୁ ସୁଗଭୀର; କୌଣସି ପରିସ୍ଥିତି ବିରୋଧରେ ଜଣକର ଅନ୍ତଃସତ୍ତାର ବିଦ୍ରୋହକୁ ତାହା ସୂଚିତ କରୁଥାଇପାରେ। ତାଲିମ୍‌ପ୍ରାପ୍ତ ମନୋବୈଜ୍ଞାନିକ ସେ କ୍ଷେତ୍ରରେ ସଫଳ ହେବାର ଆଶାନାହିଁ। କୌଣସି ଆକସ୍ମିକ ଆଧ୍ୟାତ୍ମିକ ପ୍ରଭାବ, ଅଥବା ଆପଣାର ଅନ୍ତଃସତ୍ତାର ବିକାଶ ଯୋଗେ ସେଭଳି ବୈକଲ୍ୟ ଦୂରୀଭୂତ ହୋଇପାରେ।
ଭାରତୀୟ ମନସ୍ତତ୍ତ୍ବର ଆଲୋକରେ ଦୃଷ୍ଟିପାତ କଲେ ଆମେ ଦେଖିବା ଅବଚେତନର ବିସ୍ତୃତି ଅତୀବ ବ୍ୟାପକ। କେବଳ ମାତ୍ର ଏହି ଜନ୍ମର ଅବଦମିତ ବାସନା କାମନା ନୁହେଁ, ଏକାଧିକ ପୂର୍ବଜନ୍ମର ତମସା ମଧ୍ୟ ସେଥିରେ ପ୍ରଚ୍ଛନ୍ନ ରହିଥାଇପାରେ। ଅନେକ ଦୁଃସ୍ବପ୍ନର ଉତ୍ସ, ଅଚାନକ ମତିଗତିରେ ପରିବର୍ତ୍ତନ ଏବଂ ରୋଗବ୍ୟାଧିର ଉତ୍ସ ମଧ୍ୟ ଅବଚେତନ ହୋଇପାରେ।
ଅବଚେତନ ଉପରେ ସାଧାରଣ ମଣିଷର ନିୟନ୍ତ୍ରଣ ନାହିଁ- ଏମିତି ନ କହି ଆମେ କହିପାରୁ- ଅବଚେତନ ଉପରେ ସାଧାରଣତଃ ମଣିଷର ନିୟନ୍ତ୍ରଣ ନ ଥାଏ। ଅସାଧାରଣ ଭାବେ ବିଖ୍ୟାତ ଅନେକ ମଣିଷ, ବିଦ୍ବାନ, ଶିଳ୍ପୀ, ଲେଖକ ଓ ଦାର୍ଶନିକ ମଧ୍ୟ ଅପ୍ରତ୍ୟାଶିତ ଭାବେ ନିଜ ଅବଚେତନର ପ୍ରଭାବରେ ନିନ୍ଦନୀୟ କର୍ମ କରିବାର ବା ସେଥିରେ ଅଂଶୀଦାର ବନିଯିବା ଦୃଷ୍ଟାନ୍ତର ଅଭାବ ନାହିଁ।
ବାସ୍ତବତା ହେଲା, ସାଧାରଣ ଅସାଧାରଣ ନିର୍ବିଶେଷରେ ଅଧିକାଂଶ ଲୋକେ ନିଜନିଜ ଚେତନାର ଗତାନୁଗତିକ ଅବସ୍ଥାକୁ ନେଇ ନିଶ୍ଚିତ ରହିଥା’ନ୍ତି। ଏକ ଅବଚେତନ ରହିଛି ସେ ସମ୍ପର୍କରେ ସଚେତନ ହେବାହିଁ ତା’କୁ ନିୟନ୍ତ୍ରଣ କରିବା ଦିଗରେ ଅଗ୍ରସର ହେବାର ପ୍ରଥମପାହାଚ। ସେ ଦିଗରେ ସଫଳତାର ପ୍ରତିଶ୍ରୁତି ହେଲା, ଆମ ଚେତନାର ଗହନତମ କେନ୍ଦ୍ରରେ ବିଦ୍ୟମାନ ସତ୍ୟପାଇଁ, ଆନନ୍ଦ ଓ ଆଲୋକ ପାଇଁ ବ୍ୟାକୁଳତା। ନେତିଧର୍ମୀ ଆବେଗ ଓ ବାସନା ଯେତେ ଲୋଭନୀୟ ହେଲେ ମଧ୍ୟ ଏବଂ ସେସବୁ ପୂରଣ ହୋଇପାରିଲେ ମଧ୍ୟ ତାହା ପ୍ରକୃତ ସନ୍ତୋଷ ଦେଇପାରିବ ନାହିଁ। ତେଣୁ ଯେ‌େ‌ତବେଳେ ଅବଚେତନରୁ ସେମିତି ବାସନା ମୁଣ୍ଡ ତୋଳିବ, ତତ୍‌କ୍ଷଣାତ୍‌ ତା’କୁ ବିତାଡ଼ିତ କରିବାକୁ ଜଣେ ସଚେଷ୍ଟ ହେବା ଚାହି। ଯୋଗ ମାର୍ଗରେ ପାଦ ଦେଇଥିବା ସାଧକବର୍ଗଙ୍କ ନିମନ୍ତେ ଏହା ଏକ ନିରନ୍ତର ପ୍ରୟାସ। ଅବଚେତନ ବା ନିଶ୍ଚେତନର ଅନ୍ଧକାର ମୂଲକ ଭୟାବହ ଏବଂ ସେ ମୁଲକର ଅପଶକ୍ତିମାନଙ୍କ ପରାକ୍ରମ ସହ ସଂଗ୍ରାମରେ ଦିବ୍ୟକୃପା ହିଁ ଏକମାତ୍ର ସହାୟ; କିନ୍ତୁ ସେ ସହାୟତାରୁ କୌଣସି ଅଭୀପସୁ ବଞ୍ଚିତ ହୁଏନା।
ବୈଚିତ୍ର୍ୟ ହିଁ ‘ସୃଷ୍ଟି’ର ବିଶେଷତ୍ବ
ପ୍ରଶ୍ନ: ଜଗତ ସୃଷ୍ଟି ମୂଳରେ ଯଦି ଈଶ୍ବର ଏକ, ତେବେ କାହିଁକି ବିଭିନ୍ନ ଦେବଦେବୀଙ୍କୁ ପୂଜା କରାଯାଏ?
ବାସୁଦେବ ସାମନ୍ତରାୟ, ନିଜଗଡ଼, ତାପଙ୍ଗ
ଉତ୍ତର: ଆପଣଙ୍କ ପ୍ରଶ୍ନରେ ହିଁ ପ୍ରଚ୍ଛନ୍ନ ରହିଛି ତା’ର ଉତ୍ତର- ବସ୍ତୁତଃ ଆପଣ ବ୍ୟବହାର କରିଥିବା ‘ସୃଷ୍ଟି’ ଶବ୍ଦରେ। ଈଶ୍ବର ତ ଏକ ଥିଲେ ଏବଂ ଅଛନ୍ତି। ନିଜଠାରୁ ଭିନ୍ନ କିଛି କରିବା ଉଦ୍ଦେଶ୍ୟ ବିନା ସେ ସୃଷ୍ଟି ଭଳି କର୍ମରେ ହାତଦେଲେ କାହିଁକି? ଅାଉ ସର୍ବଶକ୍ତିମାନ ଈଶ୍ବର ସୃଷ୍ଟିକରିବେ, ତେବେ ସେ କ’ଣ ଗୋଟିଏ ଯୋଡ଼ାଏ ଚିଜ କରିବେ? ସ୍ବୟଂ ଯେମିତି ଅନ୍ତହୀନ, ସେମିତି ଅନ୍ତହୀନ ତାଙ୍କ ସୃଜନ; ଅନ୍ତହୀନ ମଧ୍ୟ ସୃଜନର ଶୈଳୀ। ଗୋଟାଏ ଫୁଲର ବୈଚିତ୍ର୍ୟ, ରଙ୍ଗ ଓ ମହକ ସମାହାର ଉପରେ ଆପଣ ଏକାଗ୍ର ହୋଇ ଦିନଟିଏ ବିତାଇଦେଲେ ମଧ୍ୟ ଆପଣଙ୍କ ଆକଳନ ଅସଂପୂର୍ଣ୍ଣ ରହିଯିବ।
ଏମନ୍ତ ସ୍ରଷ୍ଟାର ମହିମାମୟତାକୁ ଆପଣ ଏକାଥରକେ ଆକଳନ କରିପାରିବେ କି? ଅତଏବ ବହୁ ଦେବଦେବୀରୁ ଆରମ୍ଭ କରି ବହୁବିଧ ରୂପରେ ସେ ପ୍ରକଟିତ। ସୃଷ୍ଟିର ପ୍ରଥମ ବିଶେଷତ୍ବ ବୈଚିତ୍ର୍ୟ। ସେହି ସୃଷ୍ଟିର ଏକଏକ ଅଙ୍ଗ ଭାବରେ ଆମମାନଙ୍କ ସ୍ବଭାବ, ରୁଚି, ଗ୍ରହଣଶୀଳତା, ବୋଧଶକ୍ତି ମଧ୍ୟ ବହୁ ବିିଚିତ୍ର। ପ୍ରତ୍ୟେକେ ନିଜନିଜ ଅବବୋଧ ଓ ଗ୍ରହଣଶୀଳତା ଅନୁସାରେ ଈଶ୍ବରଙ୍କର ଏକଏକ ବିଭବ ପ୍ରତି ଆକର୍ଷଣ ଅନୁଭବ କରିବା ସ୍ବାଭାବିକ। ତେଣୁ ଆମ ଆଗରେ ବିଦ୍ୟମାନ ଈଶ୍ବରଙ୍କର ବିବିଧ ପ୍ରକଟିତ ରୂପ। କିଏ ବା ଈଶ୍ବରଙ୍କୁ ଜନନୀ ଭାବରେ, କିଏ ବା ଗୁରୁ, କିଏବା ପରମ ପିତା, କିଏବା ସଖା ଭାବରେ ଆରାଧନା କରିବାର ପ୍ରେରଣା ଅନୁଭବ କରେ; ପୁଣି କିଏ ବା ବିଦ୍ୟାର ଅଧିଷ୍ଠାତ୍ରୀ, କିଏବା ଐଶ୍ବର୍ଯ୍ୟର, କିଏବା ସୌଭାଗ୍ୟର, କିଏବା ଶକ୍ତିର, କିଏବା ଜ୍ଞାନର ଅଧିଷ୍ଠାତ୍ରୀ ବା ଅଧିଷ୍ଠାତା ଭାବରେ ଦେଖେ। ଆମ ପ୍ରକୃତିର ସହସ୍ର ରୂପ। ସହସ୍ର ରୂପରେ ଈଶ୍ବର ଆମ ପାଖରେ ଧରା ଦେବାକୁ ପ୍ରସ୍ତୁତ। ଏକଦା ସହସ୍ର ଋଷି-ଆତ୍ମା ଗୋପୀଙ୍କ ସହ ନୃତ୍ୟରତ ଥିଲେ ସହସ୍ର କୃଷ୍ଣ; ଅଥଚ କୃଷ୍ଣ ଏକମେବାଦ୍ବିତୀୟମ୍‌। ସହସ୍ର ଦେବଦେବୀ ରୂପେ ଆମକୁ ନୈକଟ୍ୟ ପ୍ରଦାନ କରେ ଯେଉଁ ପରମ ଦିବ୍ୟ ଶକ୍ତି, ବସ୍ତୁତଃ ତାହା ଏକମେବାଦ୍ବିତୀୟମ୍‌। ସେ ଅନନ୍ତ ମହାଶକ୍ତିକୁ ଆମେ କେଡେ ନିବିଡ଼ ଭାବରେ ଅନୁଭବ କରିବା, ତାହା ନିର୍ଭର କରେ ଆମ ଆନ୍ତରିକତା ଓ ଲକ୍ଷ୍ୟ ଉପରେ। ଆପଣ ସବୁ ଦେବଦେବୀଙ୍କ କଥା ପାସୋରିଦେଇ ଏକ ହିଁ ଈଶ୍ବରଙ୍କୁ ମହାଶୂନ୍ୟ ଭାବରେ ଆରାଧନା କରନ୍ତୁ; କିନ୍ତୁ ତାହା ଯେହେତୁ ସହର ନୁହେଁ, ଏକେଶ୍ବରବାଦୀ ମଧ୍ୟ ପ୍ରତୀକଟିଏ ଖୋଜିନିଏ। ତାହା କରିବା ମାତ୍ରେ କିନ୍ତୁ ଉଦ୍ଭୂତ ହେବେ ଆଉ ଜଣେ ନୂତନ ଆରାଧ୍ୟ; ଦେବଦେବୀ ତାଲିକାରେ ଯୁକ୍ତ ହେବ ଆଉ ଏକ ନାମ।
ପ୍ରତିଯୋଗିତା-ପାଗଳ ସମାଜ
ଏବଂ ଅସହାୟ ଶିଶୁ
ପ୍ରଶ୍ନ: ପାଞ୍ଚବର୍ଷ ବା ତହିଁରୁ କମ୍‌ ବୟସ୍କ ଶିଶୁକୁ ଶିଷ୍ୟ ବା ଛାତ୍ର ରୂପେ ବ୍ୟବହାର କରିବା କେତେଦୂର ଠିକ୍‌?
ଦାମୋଦର ସାହୁ, ବରଗଡ଼
ଉତ୍ତର: ଅତ୍ୟନ୍ତ କ୍ଷୋଭର କଥା ଆଜିର ପ୍ରତିଯୋଗିତା- ପାଗଳ ସମାଜରେ ଶିଶୁକୁ ଏକ ନବାଗତ ବ୍ୟକ୍ତିତ୍ବ ଭାବରେ ନ ଦେଖି ବହୁ କ୍ଷେତ୍ରରେ ପିତାମାତା ସେମାନଙ୍କ ମାନସମ୍ମାନର ମାପକାଠି ରୂପେ ଦେଖୁଛନ୍ତି। ପ୍ରଥମରୁ ନାନା ବିଦ୍ୟାରେ ପାରଙ୍ଗମ ହୋଇନପାରିଲେ ଶିଶୁ ଜଣକ ଭବିଷ୍ୟତରେ ସେମାନଙ୍କ ଭଳି ପଦାଧିକାରୀ ବା ପ୍ରଭୂତ ଉପାର୍ଜନକ୍ଷମ ହେବ କିପରି? ଫଳରେ ଯେଉଁ ସମୟରେ ଶିଶୁର ମାନସିକ ଆହାର ଅନ୍ୟମାନଙ୍କର ସ୍ନେହଶ୍ରଦ୍ଧା, ସେତେବେଳେ ନାନାଦି ପାଠ୍ୟକ୍ରମ ଯୋ‌େ‌ଗ ତା’କୁ ଭାରାକ୍ରାନ୍ତ କରାଯାଉଛି। ଫଳରେ ତା’ ନିଜ ଭିତରେ ସ୍ନେହଶ୍ରଦ୍ଧାର ଶିହରଣ ବିକଶିତ ହେଉନାହିଁ। ଯେତେବେଳେ ସେ କାହାଣୀ ଶୁଣିବା କଥା ଏବଂ ସେହି ଶ୍ରବଣ ମାଧ୍ୟମରେ ତା’ ନିଜ କଳ୍ପନା ବିକଶିତ ହେବାକଥା, ସେତେବେଳେ ନାନାଦି ବୈଦ୍ୟୁତିକ ସାଜସରଞ୍ଜାମର କରାମତି ତା’କୁ ମୋହାଚ୍ଛନ୍ନ ରଖିବା ଫଳରେ ତା’ ମୌଳିକ କଳ୍ପନା ବିକଶିତ ହୋଇପାରୁନାହିଁ। ଶିଶୁ ଆପାତତଃ ଖୁବ୍‌ ଚତୁର ଓ ସକ୍ଷମ ମନେ ହୋଇପାରେ; କିନ୍ତୁ ଭବିଷ୍ୟତରେ ଯେତେବେଳେ ପିତାମାତା ଅକ୍ଷମ ହୋଇଯିବେ, ସେତେବେଳେ ସକ୍ଷମ ଉତ୍ତରାଧିକାରୀ ସେମାନଙ୍କ ପ୍ରତି ଯାନ୍ତ୍ରିକ ଭାବରେ ହିଁ କର୍ତ୍ତବ୍ୟ ତୁଲାଇବ, ଶୈଶବରେ ଅବିକଶିତ ରହିଯାଇଥିବା ସ୍ବାଭାବିକ ସ୍ନେହ ମମତାର ସ୍ପନ୍ଦନ ତା’ ହୃଦୟରେ କିନ୍ତୁ ଆଉ ଉପୁଜିବ ନାହିଁ।
ବରଂ ଆଜିର ଯୁବକ ପିତାମାତାମାନେ ପ୍ରତ୍ୟହ ସମ୍ଭବ ନ ହେଲେ ବି ଅନ୍ତତଃ ସପ୍ତାହରେ ଥରେ କେତେ ଘଣ୍ଟା ସକାଶେ ଶିଶୁ ସହିତ ନିଜେ ନିଜନିଜ ଶୈଶବକୁ ଫେରିଯିବାକୁ ଉଦ୍ୟମ କରନ୍ତୁ। କାହାଣୀଟିଏ ଗପି ଶିଶୁକୁ ସେମିତି କାହାଣୀଟିଏ କହିବାକୁ ଉତ୍ସାହ ଦିଅନ୍ତୁ। ଗ୍ରାମର ପ୍ରାକୃତିକ ପରିବେଶରୁ ଯାଇ ଆପଣ ସହରର ଯେତେ ଶୁଷ୍କ ଫ୍ଲାଟରେ ରହନ୍ତୁ ନା କାହିଁକି, ଆକାଶ, ନକ୍ଷତ୍ର, ସୂ‌େର୍ଯ୍ୟାଦୟ, ସୂର୍ଯ୍ୟାସ୍ତ, ଗଛଲତାରୁ ବଞ୍ଚିତ ହୋଇନଥିବେ। ରବିବାର ପୂର୍ବାହ୍ନରେ ଟିଭିଠାରୁ ବିଚ୍ଛିନ୍ନକରି ଶିଶୁକୁ କୌଣସି ଉଦ୍ୟାନ ବା ପାର୍କ୍‌ ଭିତରକୁ ନେଇଯାଆନ୍ତୁ। ଆପଣଙ୍କ ସାନ୍ନିଧ୍ୟ ଏବଂ ପାଠ୍ୟ- ବିରହିତ କଳ୍ପନାର ସ୍ବାଧୀନତା ତା’ର ଅଶେଷ ହିତ ସାଧନ କରିବ।
queriesandresponses@gmail.com

Leave A Reply