ଆଇନ ସେବା ଏକ ମହତ ସେବା

0

ଦୁର୍ଗାପ୍ରସନ୍ନ ଚୌଧୁରୀ

ଲୋକଅଦାଲତକୁ ସାଧାରଣ ଅର୍ଥରେ ଜନତାର ଅଦାଲତ ବୋଲି କୁହାଯାଏ। ଏହା ଅଦାଲତର ନିଷ୍ପତ୍ତିକୁ ପକ୍ଷମାନଙ୍କ ଉପରେ ଲଦି ଦିଆ ନଯାଇ ଆପୋଷ ବୁଝାମଣା ଭିତରେ ନ୍ୟାୟ ପ୍ରଦାନ କରାଯାଇଥାଏ। ଅଯଥା ଖର୍ଚ୍ଚାନ୍ତ ନ ହୋଇ ସାଧାରଣ ଜନତାଙ୍କ ଦ୍ବାରା ଲୋକଅଦାଲତ ପରିଚାଳିତ ହେଉଥିବାରୁ ଚିରାଚରିତ ଅଦାଲତଠାରୁ ଏହା ଭିନ୍ନ। ମକଦ୍ଦମା ଲଢ଼ିବା ପାଇଁ ଆର୍ଥିକ ସାମର୍ଥ୍ୟ ଥିବା ବ୍ୟକ୍ତି ଲୋକଅଦାଲତରେ ଅକ୍ଳେଶରେ ନ୍ୟାୟ ପାଇପାରୁଛନ୍ତି।
ଲୋକଅଦାଲତର ପ୍ରକୃତ ଅର୍ଥ ହେଲା ମହାତ୍ମା ଗାନ୍ଧୀଙ୍କର ସ୍ବରାଜ ଓ ସର୍ବୋଦୟ ସ୍ବପ୍ନକୁ ସାକାର କରିବା। ସ୍ବରାଜର ଅର୍ଥ ହେଲା ମାନବସମାଜକୁ ବାହ୍ୟ ଶକ୍ତିରୁ ରକ୍ଷା କରିବା, ଦାରିଦ୍ର୍ୟ, ପଛୁଆବର୍ଗ ଓ ନିରକ୍ଷର ଜନସାଧାରଣଙ୍କୁ ଉଦ୍ଧାର କରିବା। ସର୍ବୋଦୟର ଅର୍ଥ ହେଲା ଧନୀ ଓ ଦରିଦ୍ର ମଧ୍ୟରେ ଥିବା ତାରତମ୍ୟର ଅବସାନ। ସମସ୍ତ ଜନସାଧାରଣଙ୍କୁ ନ୍ୟାୟ ଯୋଗାଇଦେବା ଲୋକଅଦାଲତର ଉଦ୍ଦେଶ୍ୟ।
୧୯୮୭ ମସିହାରେ ଏକ ଜାତୀୟ ଆଇନ ସହାୟତା ଅଧିନିୟମ ପ୍ରଣୀତ ହେଲା। ସେହି ବର୍ଷ ଅକ୍ଟୋବର ୧୧ ତାରିଖରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା। ଏହାକୁ ସଂପୂର୍ଣ୍ଣ ଲୋକାଭିମୁଖୀ କରିବା ପାଇଁ ସଂଶୋଧିତ କରାଯାଇ ରାଷ୍ଟ୍ରପତିଙ୍କ ଦ୍ବାରା ଅନୁମୋଦିତ ହୋଇଥିଲା। ୧୯୯୫ ମସିହା ନଭେମ୍ବର ୯ତାରିଖରେ ଏହା କାର୍ଯ୍ୟକାରୀ କରାଗଲା। ସେଥିପାଇଁ ପ୍ରତ୍ୟେକ ବର୍ଷ ଉକ୍ତ ଦିବସକୁ ‘ଆଇନ ସେବା’ ଦିବସ ରୂପେ ପାଳନ କରାଯାଉଛି। ଏହି ବିଧିର ୧୨ ଧାରା ଅନୁସାରେ ଆଦିବାସୀ, ହରିଜନ, ଭିକାରି, ମହିଳା, ଶିଶୁ, ମସ୍ତିଷ୍କ ବିକୃତି ଘଟିଥିବା ବ୍ୟକ୍ତି, ପ୍ରାକୃତିକ ବିପର୍ଯ୍ୟୟ ତଥା ଦଙ୍ଗାପୀଡ଼ିତ ବ୍ୟକ୍ତି, ଶ୍ରମିକ, ହାଜତରେ ଥିବା ବ୍ୟକ୍ତି, ଶିଶୁ, ମାନସିକ ଓ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତି, ବରିଷ୍ଠ ନାଗରିକ ଏଚଆଇଭି ଅଥବା ଏଡ଼୍‌ସ୍‌ ପୀଡ଼ିତ ବ୍ୟକ୍ତି ଇତ୍ୟାଦିଙ୍କୁ ମାଗଣାରେ ଆଇନ ସହାୟତା ଯୋଗାଇ ଦିଆଯିବ। ଏମାନଙ୍କ ବ୍ୟତୀତ, ବାର୍ଷିକ ଦୁଇ ଲକ୍ଷ ଟଙ୍କାରୁ କମ୍‌ ଆୟ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଆଇନ ସହାୟତା ଯୋଗାଇ ଦିଆଯାଇଥାଏ। ଉକ୍ତ ଆଇନ ସହାୟତା ଅଧିନିୟମର ଷଷ୍ଠ ପରିଚ୍ଛେଦର ୧୯ ଧାରାଠାରୁ ୨୧ ଧାରା ମଧ୍ୟରେ ଲୋକଅଦାଲତର ଭୂମିକା ବିଷୟରେ ଉଲ୍ଲେଖ କରାଯାଇଛି। ଉପଯୋଗିତା ଓ ବର୍ଦ୍ଧିତ ଲୋକପ୍ରିୟତାକୁ ଆଖି ଆଗରେ ରଖି ଏହାକୁ ସ୍ଥାୟୀ କରିବା ପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ କଲେ।
ସଂପ୍ରତି ଜାତୀୟ ଆଇନ ସହାୟତା ଅଧିନିୟମର ଧାରା ୨୨ର ସଂଶୋଧନ କରାଯାଇଛି। ତଦ୍ଦ୍ବାରା ପ୍ରତ୍ୟେକ ଜିଲାରେ ଏକ ସ୍ଥାୟୀ ଲୋକଅଦାଲତ ପ୍ରତିଷ୍ଠା କରାଯିବା ପାଇଁ ବ୍ୟବସ୍ଥା ରହିଛି। ଉକ୍ତ ଲୋକଅଦାଲତରେ ଜଣେ ଜିଲା ଜଜ୍‌ ପାହ୍ୟାର ଅଧିକାରୀ ଚେୟାରମ୍ୟାନ୍‌ ଓ ଦୁଇଜଣ ସଭ୍ୟ ରହିବେ। ଉକ୍ତ ଲୋକଅଦାଲତ ସାର୍ବଜନୀନ ସେବାସଂପୃକ୍ତ ଥିବା ବିଭାଗଗୁଡ଼ିକ ବିରୋଧରେ ବିଭିନ୍ନ ବିବାଦର ଆଶୁ ସମାଧାନ କରିବେ। ସାର୍ବଜନୀନ ସେବା ଅଧୀନରେ ପରିବହନ, ଡାକ, ତାର, ଟେଲିଫୋନ, ବିଜୁଳି, ଜଳଯୋଗାଣ, ବୀମାସେବା, ଶିକ୍ଷା କିମ୍ବା ଶିକ୍ଷାନୁଷ୍ଠାନ ସମ୍ବନ୍ଧୀୟ ସେବା, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା ଅଧିନିୟମ, ୨୦୦୫ର ଅଧୀନରେ ଥିବା ସେବା, ରନ୍ଧନ ଗ୍ୟାସର ନୂତନ ସଂଯୋଗୀକରଣ ଓ ରନ୍ଧନ ଗ୍ୟାସ ଯୋଗାଇବା କିମ୍ବା ପୁନର୍ବାର ଭର୍ତ୍ତି କରିବା ଏବଂ ଏହା ସମ୍ବନ୍ଧୀୟ ବିଷୟ, ଆଧାରକାର୍ଡ଼, ରାସନକାର୍ଡ଼, ଭୋଟ ପରିଚୟ ପତ୍ର ଏବଂ ବିପିଏଲ କାର୍ଡ ପ୍ରଦାନ ସମ୍ବନ୍ଧୀୟ ସେବା, ବାର୍ଦ୍ଧକ୍ୟଭତ୍ତା, ବିଧବାଭତ୍ତା ଓ ବେକାରୀ ଭତ୍ତା ସମ୍ବନ୍ଧୀୟ ସେବା, ରାଜ୍ୟରେ ଜନସାଧାରଣଙ୍କ ନିମନ୍ତେ ବିତରଣ ପଦ୍ଧତି ସମ୍ବନ୍ଧୀୟ ସେବା, ମୋବାଇଲ ଫୋନ୍‌, ଇଣ୍ଟରନେଟ୍‌ ସେବା ଇତ୍ୟାଦି ଅନ୍ତର୍ଭୁକ୍ତ। ସଂପ୍ରତି ୧୪ଟି ବିଚାର ବିଭାଗୀୟ ଜିଲାରେ ୧୪ଟି ସ୍ଥାୟୀ ଲୋକଅଦାଲତ କାର୍ଯ୍ୟ କରୁଅଛି। ଏହି ସ୍ଥାୟୀ ଲୋକଅଦାଲତରେ କୋର୍ଟକୁ ଆସି ନଥିବା ବିବାଦଗୁଡ଼ିକର ଆପୋଷ ସମାଧାନ କରାଯିବ। ଏହାର ଡିଗ୍ରୀ ମଧ୍ୟ କୋର୍ଟର ଡିଗ୍ରୀ ସଙ୍ଗେ ସମାନ ଓ ଏହା ଉପରେ ଅପିଲ କରାଯାଇ ପାରିବ ନାହିଁ। ଏହାଦ୍ବାରା ବିଭିନ୍ନ ନ୍ୟାୟାଳୟରେ ମକଦ୍ଦମା ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଅଧୀନରେ ୨୦୧୮ ସେପ୍ଟେମ୍ବର ଶେଷ ସୁଦ୍ଧା ୬୫,୭୧,୪୯୭ଟି ​‌ମକଦ୍ଦମା ଫଇସଲା ହୋଇଛି। ଉକ୍ତ ସମୟ ମଧ୍ୟରେ ୨୭ଟି ଜାତୀୟସ୍ତରୀୟ ଲୋକଅଦାଲତ, ୪୩୯ଟି ରାଜ୍ୟସ୍ତରୀୟ ଲୋକଅଦାଲତ ଓ ୧୮୫୬୧ଟି ଜିଲା ତଥା ତାଲୁକସ୍ତରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲୋକଅଦାଲତରେ କୋର୍ଟର ଦୁର୍ଘଟଣାଜନିତ ମକଦ୍ଦମାଗୁଡ଼ିକରେ ୨୦୧୮ ସେପ୍ଟେମ୍ବର ସୁଦ୍ଧା ୮୭୯,୨୩,୫୭,୫୮୩/-ଟଙ୍କା କ୍ଷତିପୂରଣ ଦିଆଯାଇଛି। ଏତିକି ନୁହେଁ, ଲୋକମାନଙ୍କୁ ତାଙ୍କର ନ୍ୟାୟିକ ଅଧିକାର ଓ ଦାବି ବିଷୟରେ ସାକ୍ଷରତା ଆଣିବା ପାଇଁ ୧୬୮୯୯ ଗୋଟି ଆଇନ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟର ସବୁ ବର୍ଗର ଲୋକମାନଙ୍କୁ ଆଇନଗତ ସାହାଯ୍ୟ ଯୋଗାଇଦେବା ପାଇଁ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ, କ୍ୟାଣ୍ଟନମେଣ୍ଟ ରୋଡ଼, କଟକ ପରିସରରେ ଏକ ‘ନ୍ୟାୟ ସଂଯୋଗ’ କାର୍ଯ୍ୟାଳୟ କାର୍ଯ୍ୟରତ ଅଟେ ଯାହାର ହେଲ୍‌ପ ଲାଇନ ନମ୍ବର ହେଲା ୧୫୧୬। ଏହି ନ୍ୟାୟ ସଂଯୋଗ ସବୁ ସରକାରୀ କାର୍ଯ୍ୟ ଦିବସ ସମୟରେ ଖୋଲା ରହେ। ଏଥିରେ ଏକ ଅଭିଜ୍ଞ ଓକିଲ ଓ ତାଲିମ ପ୍ରାପ୍ତ ପାରାଲିଗାଲ ସ୍ବେଚ୍ଛାସେବୀଙ୍କୁ ନିଯୁକ୍ତି ଦିଆଯାଇଛି। ଆଇନସେବା ହିତାଧିକାରୀମାନେ ତାଙ୍କ ଆଇନଗତ ସମସ୍ୟା ବିଷୟରେ ଓକିଲଙ୍କ ସହିତ ମାଗଣାରେ ପରାମର୍ଶ କରିପାରିବେ ଓ କୋର୍ଟ କଚେରିରେ ମକଦ୍ଦମା ଦାଏର କରିବାକୁ ଆବଶ୍ୟକ ହେଲେ ପାରାଲିଗାଲ ସ୍ବେଚ୍ଛାସେବୀଙ୍କ ଜରିଆରେ ଉଦ୍ଦିଷ୍ଟ ଫର୍ମ ପୂରଣ କରି ମାଗଣାରେ ଆଇନଗତ ସାହାଯ୍ୟ ପାଇଁ ଆଇନ ସେବା କାର୍ଯ୍ୟାଳୟରେ ଦାଖଲ କରିପାରିବେ। ‘ନ୍ୟାୟ ସଂଯୋଗ’ ମାଧ୍ୟମରେ ଭିଡ଼ିଓ କନ୍‌ଫରେନ୍‌ସିଙ୍ଗ୍‌ ଦ୍ବାରା ଜଣେ ବିଚାରାଧୀନ ବନ୍ଦୀ ତାଙ୍କ ଓକିଲ ଅବା ଜ୍ଞାତି ପରିଜନଙ୍କ ସହ ସମ୍ପର୍କ ରଖିପାରିବେ। ଅନ୍ୟ ଆଇନ ସେବା ହିତାଧିକାରୀମାନେ ମଧ୍ୟ ତାଙ୍କ ମକଦ୍ଦମା ସମ୍ପର୍କୀୟ ବିବରଣୀ ପାଇପାରିବେ। ବିଭିନ୍ନ ଜନମଙ୍ଗଳ ଆଇନ ଓ ସରକାରୀ କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ଆବଶ୍ୟକ ସୂଚନା ‘ନ୍ୟାୟ ସଂଯୋଗ’ ମାଧ୍ୟମରେ ଉପଲବ୍ଧ ହୋଇପାରିବ।
ଏହା ଦ୍ବାରା ସମ୍ବିଧାନରେ ଥିବା ପ୍ରତ୍ୟେକ ଲୋକର ମୌଳିକ ଅଧିକାର ସାବ୍ୟସ୍ତ କରୁଛି ବୋଲି କୁହାଯାଇପାରିବ।
ସି.ବି.-୧,୮କ୍ୟାଣ୍ଟନମେଣ୍ଟ ରୋଡ଼,କଟକ

Leave A Reply