ଜଳଭଣ୍ଡାର, ଜଳ ପରିଚାଳନା ଓ ବନ୍ୟା ବିଭୀଷିକା

0

ଶରତକୁମାର ମହାନ୍ତି

ଯେତେବେଳେ କୌଣସି ଜଳଭଣ୍ଡାର ନିର୍ମାଣ କରାଯାଏ, ବଳକା ଜଳର ନିଷ୍କାସନ ପାଇଁ ଗୋଟିଏ ସ୍ପିଲୱେ ମଧ୍ୟ ନିର୍ମାଣ କରାଯାଏ। ସବୁ ବଡ଼ ଜଳଭଣ୍ଡାରର ସ୍ପିଲୱେରେ ବଡ଼ବଡ଼ ଲୁହାର ଗେଟ ନିର୍ମାଣ କରିବା ଏକ ଅନିବାର୍ଯ୍ୟ ପ୍ରକ୍ରିୟା। କାରଣ ଏଇସବୁ ଗେଟ୍‌ ଜରିଆରେ ଜଳଭଣ୍ଡାରରୁ ବର୍ଷା ଦିନର ବଳକା ଜଳକୁ ନିଷ୍କାସିତ କରାଯାଇଥାଏ। ଜଳଭଣ୍ଡାର ସୃଷ୍ଟି କରିବାକୁ ଗେଟ୍‌ସବୁକୁ ବନ୍ଦ ଅବସ୍ଥାରେ ରଖାଯାଏ। ଆବଶ୍ୟକ ମତେ ଗେଟ୍ ଖୋଲାଯାଏ ଯେତେବେଳେ ବର୍ଷା ଋତୁରେ ଜଳଭଣ୍ଡାରକୁ ନଦୀରୁ ଅଧିକ ବନ୍ୟାଜଳ ପ୍ରବେଶ କରେ। ଜଳ ପରିଚାଳନା ସମୟରେ ଇଞ୍ଜିନିୟରମାନେ ବନ୍ଧ ନିରାପତ୍ତା ଦୃଷ୍ଟିରୁ ଜଳଭଣ୍ଡାରର ପୂର୍ବ ନିର୍ଦ୍ଧାରିତ ସର୍ବୋଚ୍ଚ ଜଳସ୍ତରକୁ କେବେ ବି ଅତିକ୍ରମ କରି ଅଧିକ ଜଳ ରଖନ୍ତିନି। ଆବଶ୍ୟକ ମୁତାବକ ​‌େ​‌ଗଟ୍‌ ଖୋଲି ବଳକା ଜଳକୁ ନିଷ୍କାସିତ କରିଥାଆନ୍ତି। ଏପରି ଜଳ ନିଷ୍କାସନ ଯୋଗୁଁ ଜଳଭଣ୍ଡାରର ତଳ ଭାଗରେ ଅନେକ ସମୟରେ ଭୀଷଣ ବନ୍ୟା ହୋଇଥାଏ। ଅନେକ ସମୟରେ ସାଧାରଣ ଜନତା, ଗଣମାଧ୍ୟମ ଓ ବିରୋଧୀ ରାଜନୈତିକ ଦଳମାନେ ସରକାରଙ୍କୁ ଓ ଇଞ୍ଜିନିୟରମାନଙ୍କୁ ଦୋଷାରୋପ କରି କହିଥାଆନ୍ତି ଯେ ବନ୍ୟା ମନୁଷ୍ୟକୃତ ଓ ଜଳଭଣ୍ଡାରର ଉତ୍ତମ ପରିଚାଳନା ଦ୍ବାରା ଏହାକୁ ଏଡ଼ାଇ ଦିଆଯାଇ ଥାଆନ୍ତା।
ନିକଟ ଅତୀତରେ କେରଳ ରାଜ୍ୟରେ ଅଭୂତପୂର୍ବ ବର୍ଷାଜନିତ ବନ୍ୟା କ୍ଷୟକ୍ଷତି ଯୋଗୁଁ ୫୦,୦୦୦ହଜାର କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଛି। କେରଳର ସବୁଠାରୁ ବଡ଼ ଇଡ୍ଡୁକି ଜଳଭଣ୍ଡାରରୁ ଜଳ ନିଷ୍କାସନକୁ ଏଥିପାଇଁ ଦାୟୀ କରାଯାଇଛି। ଅଗଷ୍ଟ ମାସ ୨୦୧୮ର ୧୫ରୁ ୧୭ ତାରିଖ ଭିତରେ ଯେଉଁ ବର୍ଷା ଓ ବନ୍ୟା ଜନିତ ବିତ୍ପାତ ହେଲା ସେଥିରେ ଅବବାହିକାର ଅଧିକାଂଶ ଅଞ୍ଚଳ ସଂପୂର୍ଣ୍ଣ ଭାବରେ ବୁଡ଼ିଯିବା ଫଳରେ ଧନଜୀବନ ହାନି ଘଟିଥିଲା। ଇଡ୍ଡୁକି ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ଭିତରେ ଜଳକୁ ସୀମିତ ରଖିବା ପାଇଁ ଜଳଭଣ୍ଡାରର ପାଞ୍ଚୋଟିଯାକ ଗେଟ ​‌େ​‌ଖାଲି ପ୍ରାୟ ହାରାହାରି ପ୍ରତି ସେକେଣ୍ଡରେ ୧୫୦୦ ଘନମିଟର ଜଳ ନିଷ୍କାସନ କରାଯାଇଥିଲା। ଏପରି ଜଳ ପରିଚାଳନା ତ୍ରୁଟିପୂର୍ଣ୍ଣ କହି ସରକାର ଓ ଇଞ୍ଜିନୟରଙ୍କୁ ଦାୟୀ କରାଗଲା। ବିରୋଧୀଙ୍କ ମତରେ ଏପରି ବଡ଼ ବର୍ଷା ଆସିବା ପୂର୍ବରୁ ଜଳଭଣ୍ଡାରର ଜଳସ୍ତରକୁ ଯଥେଷ୍ଟ କମାଇ ଦିଆଯାଇ ପାରିଥାଆନ୍ତା। ଏହା କରିଥିଲେ ବନ୍ୟା ବିଭୀଷିକାକୁ ଉପଶମ କରାଯାଇ ପାରିଥାଆନ୍ତା। ତେଣୁ ଜଳଭଣ୍ଡାରର ଜଳ ପରିଚାଳନା ତ୍ରୁଟିପୂର୍ଣ୍ଣ।
ଏପରି ଅଭିଯୋଗର ସତ୍ୟତା ଉପରେ କେନ୍ଦ୍ରୀୟ ଜଳ ଆୟୋଗ ଗଭୀର ଭାବରେ ଅନୁଧ୍ୟାନ କରିଛନ୍ତି। ପେରିୟାର ନଦୀ ଉପରେ ନିର୍ମିତ ଇଡ୍ଡୁକି ଜଳଭଣ୍ଡାରର ଉପରଭାଗର ଅବବାହିକାର କ୍ଷେତ୍ରଫଳ ୧୨୪୨ ବର୍ଗ କିଲୋମିଟର ହୋଇଥିବାବେଳେ ତଳଭାଗର କ୍ଷେତ୍ରଫଳ ୨୮୩୪ ବର୍ଗ କିଲୋମିଟର ଥିଲା। ତଳ ଭାଗରେ ୧୫ଅଗଷ୍ଟଠାରୁ ୧୭ ଅଗଷ୍ଟ ୨୦୧୮ ପର୍ଯ୍ୟନ୍ତ ତିନିଦିନ ଭିତରେ ହାରାହାରି ୫୭୫ ମିିଲିମିଟର ବର୍ଷା ଯୋଗୁଁ ଯେଉଁ ସ୍ଥିତି ଉତ୍ପନ୍ନ ହେଲା ତାହା ଗୋଟିଏ ବଡ଼ ବନ୍ୟା ସୃଷ୍ଟିକଲା। ନଦୀର ତଳ ଭାଗରେ ଥିବା କେନ୍ଦ୍ରୀୟ ଜଳ ଆୟୋଗଙ୍କ ଜଳପ୍ରବାହ ଓ ଜଳସ୍ତର ମାପିବା ସଂସ୍ଥାର ତଥ୍ୟ ଅନୁସାରେ ପେରିୟାର ନଦୀର ୮୮୦୦ କ୍ୟୁସେକ ବନ୍ୟାଜଳ ନିଲେଶ୍ବରମ୍‌ଠାରେ ନଦୀରେ ପ୍ରବାହିତ ହୋଇଥିଲା ଯାହାକି ସର୍ବାଧିକ ଥିଲା। ଏଥିରୁ ଇଡ୍ଡୁକି ଜଳଭଣ୍ଡାରର ଭାଗ ହେଉଛି ମାତ୍ର ୧୬୦୦ କ୍ୟୁସେକ୍‌। ତିନିଦିନ ଭିତରେ ଜଳଭଣ୍ଡାରରୁ ୩୭୫ ନିୟୁତ ଘନମିଟର ଜଳ ପ୍ରବାହିତ ହୋଇଥିଲା। ଏ ଦୃଷ୍ଟିରୁ ଇଡ୍ଡୁକି ଜଳଭଣ୍ଡାରରେ ଜଳପରିଚାଳନା ଉପରେ କୌଣସି ଅଙ୍ଗୁଳି ନିର୍ଦେଶ କରିବା ଠିକ୍‌ ନୁହେଁ। ଏହିପରି ଭାବରେ ଜଳ ପରିଚାଳନା ଫଳରେ ୧୭ ତାରିଖଦିନ ଭୋର ସମୟରେ ଜଳସ୍ତର ପୂର୍ଣ୍ଣ କ୍ଷମତାରେ ପହଞ୍ଚିବା ପରେ କମିବାକୁ ଆରମ୍ଭ କଲା।
ନିଅଣ୍ଟିଆ ଜଳଭଣ୍ଡାରରେ ବନ୍ୟା ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନଥାଏ। ତେଣୁ ଜଳଭଣ୍ଡାରରୁ ଜଳ ନିଷ୍କାସନ କରି ଏଠାରେ ବନ୍ୟାଜଳ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିଲା, କାରଣ ଏହା ଫଳରେ କମ୍‌ ବିଦ୍ୟୁତ୍‌ଶକ୍ତି ମିଳିଥାଆନ୍ତା। କେନ୍ଦ୍ରୀୟ ଜଳ ଆୟୋଗଙ୍କ ମତରେ ଯଦି ସରକାର ଚାହିଁବେ ଯେ ଭବିଷ୍ୟତରେ ବନ୍ୟା ପାଇଁ କିଛି ବ୍ୟବସ୍ଥା କରାଯିବା ଉଚିତ ତେବେ ଜଳ ପରିଚାଳନା ପାଇଁ କେରଳ ସରକାର ନୂତନ ରୁଲ୍‌ କର୍ଭ କରନ୍ତୁ। ଏହା ଫଳରେ ବିଦ୍ୟୁତରୁ ମିଳୁଥିବା ଆୟ ନିଶ୍ଚୟ କମିବ, କାରଣ ଅଧିକାଂଶ ବର୍ଷ ଜଳଭଣ୍ଡାର ଭର୍ତ୍ତି ହେଉନି। ନିଜର ଅନୁଧ୍ୟାନ ରିପୋର୍ଟରେ କେନ୍ଦ୍ରୀୟ ଜଳ ଆୟୋଗ ମତ ଦେଇଛନ୍ତି ଯେ ଇଡ୍ଡୁକି ଜଳଭଣ୍ଡାର ପରିଚାଳନାରେ କୌଣସି ତ୍ରୁଟି ନଥିଲା। ଏପରି ରିପୋର୍ଟକୁ ଗଣମାଧ୍ୟମ ଓ କିଛି ବନ୍ଧ ବିରୋଧୀ ଅନୁଷ୍ଠାନ କିପରି ଭାବରେ ନେବେ ସେ କଥା ସ୍ପଷ୍ଟ ହୋଇନି।
ଏଇ ବିଷୟ ଉପରେ ଓଡ଼ିଶାର କିଛି ଜଳଭଣ୍ଡାରମାନଙ୍କର ଜଳପରିଚାଳନା କଥା ଆଲୋଚନା କରିବା। ଓଡ଼ିଶାର ସମସ୍ତେ ଜାଣନ୍ତି ଯେ ହୀରାକୁଦ ଜଳଭଣ୍ଡାର ସେପ୍ଟେମ୍ବର ୧୫ ତାରିଖ ପରେ ଉଚ୍ଚ ସ୍ତରରେ ଥାଏ ଓ ବନ୍ୟା ନିୟନ୍ତ୍ରଣ ପାଇଁ ଜଳଭଣ୍ଡାରରେ ଖାଲି ଜାଗା ନଥାଏ। ଏଇ ସମୟରେ ଯଦି ଛତିଶଗଡ଼ରେ ପ୍ରବଳ ବର୍ଷାହୁଏ ​‌େ​ସସବୁ ଜଳକୁ ସ୍ପିଲୱେମାନଙ୍କର ସ୍ଲୁଇସ୍‌ଗେଟ୍‌ଓ କ୍ରେଷ୍ଟ ଗେଟ୍‌ ଦେଇ ନିଷ୍କାସନ କରାଯାଇଥାଏ। ଏହିପରି ଭାବରେ ୧୯୮୦ ଓ ୨୦୧୧ ମସିହାରେ ଛତିଶଗଡ଼ରୁ ଆସୁଥିବା ବନ୍ୟାଜଳକୁ ନିଷ୍କାସିତ କରାଯାଇଥିଲା। ସୌଭାଗ୍ୟବଶତଃ ସେ ସମୟରେ ହୀରାକୁଦ ତଳ ଅଞ୍ଚଳର ଅବବାହିକା ଅଞ୍ଚଳରେ ବର୍ଷା ନଥିଲା। ତେଣୁ ବଡ଼ ବନ୍ୟା ହୋଇନଥିଲା। ଭଗବାନ ନକରନ୍ତୁ, ଯଦି ଠିକ୍‌ ସେଇ ସମୟରେ ତଳ ଅବବାହିକା ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୁଏ ତେବେ ମହାନଦୀ ତ୍ରିକୋଣଭୂମି ଏକ ଅଭୂତପୂର୍ବ ବନ୍ୟାର ସମ୍ମୁଖୀନ ହେବ। ଆମେ କ’ଣ ସେତେବେଳେ ହୀରାକୁଦ ଉପରେ ଦୋଷ ଲଦି ଦେବା ଯେ ସେମାନେ କାହିଁକି ଏତେ ବନ୍ୟା ଜଳ ନିଷ୍କାସିତ କଲେ ଯାହା ଯୋଗୁଁ ଏପରି ବନ୍ୟା ହେଲା? ସେମାନେ ବନ୍ୟାଜଳ ନିଷ୍କାସିତ କରି ନଥିଲେ ହୀରାକୁଦ ମାଟିବନ୍ଧ ରହିଥାଆନ୍ତା କି? ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଯୋଗୁଁ ମହାନଦୀ ଅବବାହିକାର ସବୁ ଜାଗାରେ ଯେ ଏକାସମୟରେ ବର୍ଷା ନହେବ, ସେ କଥା କିଏ କହିପାରିବ? ଏପରି ଅବସ୍ଥାକୁ ଏଡ଼ାଯାଇ ପାରିବ ଯଦି ଆମେ ମଣିଭଦ୍ରାଠାରେ ମହାନଦୀ ଉପରେ ଦ୍ବିତୀୟ ବନ୍ଧ ନିର୍ମାଣ କରି ଆମର ଜଳଧାରଣ କ୍ଷମତାକୁ ବଢ଼ାଇ ପାରିବା। ଅନ୍ୟ କାରଣରୁ ମଧ୍ୟ ଦ୍ବିତୀୟ ବନ୍ଧର ଆବଶ୍ୟକତା ରହିଛି।
ବର୍ତ୍ତମାନ ଆମେ ସାଳନ୍ଦୀ ଜଳଭଣ୍ଡାର କଥା ଆଲୋଚନା କରିବା। ବର୍ଷା ତୁଳନାରେ ଜଳଭଣ୍ଡାରରେ କ୍ଷମତା ଅଧିକ ଥିବାରୁ ଅଧିକାଂଶ ବର୍ଷ ସ୍ପିଲୱେ ଦେଇ ପାଣିଯାଏନି। ବର୍ଷବର୍ଷ ଧରି ନଦୀରେ ଜଳପ୍ରବାହ ନଥିବାରୁ ତଳ ପଟରେ ଥିବା ଭଦ୍ରକ ସହରରେ ନଦୀ ପ୍ରବାହର ରାସ୍ତାରେ ବିଭିନ୍ନ ଘର, ଦ୍ବାର, ରାସ୍ତା ଓ ଅନ୍ୟାନ୍ୟ ଅନୁଷ୍ଠାନ ସବୁ ଗଢ଼ି ଉଠିଲା। ଯେଉଁ ବର୍ଷ ସ୍ପିଲୱେରୁ ବନ୍ୟାଜଳ ବାହାରେ ଭଦ୍ରକ ସହରର ଅନେକ ଅଞ୍ଚଳ ବୁଡ଼ିଯାଏ ଯେପରିକି ୧୯୯୯ ମହାବାତ୍ୟା ପରେ ହୋଇଥିଲା। ସେତେବେଳେ ଭାରତର ମାନବାଧିକାର କମିସନଙ୍କ ପାଖରେ ଆପତ୍ତି କରାଯାଇଥିଲା ଯେ ସାଳନ୍ଦୀ ଜଳଭଣ୍ଡାରରୁ ଅଧିକ ଜଳ ଛଡ଼ା ଯିବାରେ ଏପରି ଧନଜୀବନ ହାନି ହେଲା। ଶେଷରେ ଦେଖାଗଲା ଯେ ବହୁତ କମ୍‌ ଜଳ ଜଳଭଣ୍ଡାରରୁ ଆସିଥିଲେ ମଧ୍ୟ ନଦୀ ପଥର ଜବରଦଖଲ ଯୋଗୁଁ ଏପରି ଅବସ୍ଥା ଉପୁଜୁଛି। ଚଳିତବର୍ଷ ମଧ୍ୟ ସାଳନ୍ଦୀ ସ୍ପିଲୱେରୁ ଜଳ ନିଷ୍କାସନ ହୋଇ ଭଦ୍ରକର କିିଛି ଅଞ୍ଚଳ ବୁଡ଼ି ଯାଇଥିଲା। ପ୍ରତ୍ୟେକ ବର୍ଷ ସ୍ପିଲ୍‌ୱେରୁ ଜଳ ନିଷ୍କାସନ ନହେଲେ ଜବରଦଖଲକାରୀମାନେ ସକ୍ରିୟ ହୋଇ ଯାଆନ୍ତି।
ସମସ୍ତେ ଜାଣନ୍ତି ଯେ ଯେଉଁ ନଦୀର ଉପରମୁଣ୍ଡରେ କୌଣସି ଜଳଭଣ୍ଡାର ଅଛି ସେଠାରେ ଦିନେ ନା ଦିନେ ଜଳପ୍ରବାହ ଆସିପାରେ ଓ କେରଳ ପରି ସ୍ଥିତିରେ ଜଳପ୍ରବାହ ଯଥେଷ୍ଟ ହୋଇପାରେ। ଏ ସବୁ ସତ୍ତ୍ବେ ଆମ ଦେଶରେ ଜବରଦଖଲକାରୀଙ୍କ କାର୍ଯ୍ୟକଳାପକୁ କେହି ରୋକିପାରୁନାହାନ୍ତି। କିଛି ବର୍ଷପୂର୍ବେ ଉତ୍ତରାଖଣ୍ଡ ନଦୀର ବନ୍ୟା ଓ ଚଳିତବର୍ଷ କେରଳର ବନ୍ୟା ପରେ ଯାହା ସବୁ ଘଟିଲା, ଏଥିରୁ ଭାରତବର୍ଷର ଜନସାଧାରଣ ଅନ୍ତତଃ ଗୋଟିଏ କଥା ଶିଖିବା ଉଚିତ ଯେ ନଦୀ ହେଉଛି ପ୍ରକୃତିର ଦାନ। ଏଥିରେ କେଉଁ ସମୟରେ କେତେ ଜଳ ପ୍ରବାହିତ ହେବ ତାକୁ କେବଳ ପ୍ରକୃତି ନିୟନ୍ତ୍ରଣ କରିବ। ବିଭିନ୍ନ ସରକାରମାନଙ୍କର ଶିଥିଳତା ଯୋଗୁଁ ନଦୀର ଜଳପଥକୁ ଅବରୋଧ କରାଯାଉଛି ଓ ଏହାକୁ କେହି ବନ୍ଦ କରୁନାହାନ୍ତି। କେରଳ ପରି ବଡ଼ ବନ୍ୟାରେ କ୍ଷୟକ୍ଷତି ଓ ଜୀବନହାନି ପରେ ସମସ୍ତଙ୍କର ଦୃଷ୍ଟି ପଡ଼ୁଛି ଜଳଭଣ୍ଡାରର ପରିଚାଳନା ଉପରେ। କେରଳର ଉଦାହରଣ ସମସ୍ତଙ୍କୁ ଚେତାଇ ଦେଉଛି ଯେ ଇଡ୍ଡୁକି ଜଳଭଣ୍ଡାରରୁ ଜଳ ନିଷ୍କାସନ ଅତ୍ୟନ୍ତ ଜରୁରୀ ଥିଲା; କାରଣ ବନ୍ଧ ନିରାପତ୍ତା ଦୃଷ୍ଟିରୁ ଏହା ଅନିବାର୍ଯ୍ୟ ଥିଲା ଓ ବନ୍ୟା ଉପରେ ଏହାର ପ୍ରଭାବ ନଗଣ୍ୟଥିଲା। ଜଳଭଣ୍ଡାରର ନିର୍ମାଣ ଜଳସେଚନ, ବିଦ୍ୟୁତ, ଜଳଯୋଗାଣ ପ୍ରଭୃତି ସୁବିଧାମାନଙ୍କ ପାଇଁ ହୋଇଥାଏ। ଜଳ ପରିଚାଳନାବେଳେ ବନ୍ଧ ନିରାପତ୍ତାକୁ ପ୍ରାଧାନ୍ୟ ଦିଆଯାଇଥାଏ। ଏତଦ୍‌ବ୍ୟତୀତ, ସ୍ଥିରୀକୃତ ସୁବିଧାର ଉପଲବ୍ଧତା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଏ। ମହାନଦୀ ଓ ବ୍ରାହ୍ମଣୀ ପରି ନଦୀମାନଙ୍କରେ ବନ୍ୟା ନିୟନ୍ତ୍ରଣକୁ ପ୍ରାଧାନ୍ୟ ଦିଆଯାଇଥାଏ। ଜନସାଧାରଣ ବିଚାର କରନ୍ତୁ ଯେ ଗୋଟିଏ ଜଳଭଣ୍ଡାରରେ ବନ୍ଧ ନିରାପତ୍ତା ସହିତ କେହି ସାଲିସ ନକରି ବନ୍ୟାଜଳ ନିଷ୍କାସିତ ହୋଇଥାଏ। ଜଳଭଣ୍ଡାରର ସ୍ଥିତିକୁ ଦେଖି ଜଳ ପରିଚାଳନା କରାଯାଏ ଓ ସାଧାରଣତଃ ଏହା ଏକ ସାମୂହିକ ନିଷ୍ପତ୍ତି ହୋଇଥାଏ।

Leave A Reply