ପଣତ ତଳର ଲୁହ; ଜଗତ କଲ୍ୟାଣ ପାଇଁ ମହିଳାଙ୍କ ସୁରକ୍ଷା ଜରୁରୀ

ଜୀବନ ଓ ଜୀବିକାର ଉତ୍ଥାନ ପତନ, କୋଭିଡ୍ ୧୯ ମହାମାରୀର ପରିସଂଖ୍ୟାନ ଓ ରାଜନୀତିର ଘନଘଟା ମଧ୍ୟରେ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଲୁଚି ଯାଉଛି। ନିଷ୍ଠୁର ସତ୍ୟ ହେଲା ଆମେ ଜ୍ଞାତସାରରେ ହେଉ କିମ୍ବା ଅଜ୍ଞାତସାରରେ ସେହି ପ୍ରସଙ୍ଗକୁ ଲୁଚାଇ ଦେବାକୁ ଅହରହ ପ୍ରୟାସ କରି ଆସୁଛୁ। ଆମ ପାଇଁ ସଦା ସମର୍ପିତ ପ୍ରାଣର ଅବ୍ୟକ୍ତ ଯନ୍ତ୍ରଣାକୁ ନା ତ ଆମେ ଅନୁଭବ କରିପାରୁଛୁ, ନା ତା’ର କୋହକୁ ଶୁଣିବାକୁ ପ୍ରୟାସ କରୁଛୁ। ପଣତ କାନିରେ ଭିଜିଯିବା ଆଗରୁ କେବେ କେମିତି ଝରିପଡ଼ୁଥିବା ଲୁହର ଭାଷାକୁ ମଧ୍ୟ ବୁଝିବାକୁ ଚେଷ୍ଟା କରୁନୁ।

ଜନନୀ, ଭଗିନୀ, ପତ୍ନୀ, କନ୍ୟା ଆଦି ବିଭିନ୍ନ ନାମରେ ବିଭିନ୍ନ ଭୂମିକାରେ ଦୁଃଖ ଯନ୍ତ୍ରଣାକୁ ଆବୋରି ନେଇ ଘରର ଚାରିକାନ୍ଥ ଭିତରେ ସମର୍ପିତ ସେବା କରି ଚାଲିଥିବା ସମାଜର ଏହି ବର୍ଗର ଶାରୀରିକ ମାନସିକ ଯନ୍ତ୍ରଣା ମହାମାରୀ ସମୟରେ ଆହୁରି ଶୋଚନୀୟ ହୋଇପଡ଼ିଛି। ଧନୀଠାରୁ ଗରିବ ପର୍ଯ୍ୟନ୍ତ ସମସ୍ତଙ୍କ ଘରେ ପରିବାରରେ ମହିଳାମାନଙ୍କର କଷଣ ବଢ଼ି ତାଲିଛି। ବିଶେଷକରି ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାରରେ ଏହି ସମସ୍ୟା ଆହୁରି ଉତ୍କଟ ହୋଇଛି। ଏ ସମ୍ପର୍କୀତ ସରକାରୀ ପରିସଂଖ୍ୟାନ ଓ ବିଭିନ୍ନ ହେଲ୍‌ଥ ଡେସ୍କର ସୂଚନାର ତଥ୍ୟ ଏଠାରେ ଉଦ୍ଧାର କଲେ ତାଲିକା ଲମ୍ବି ଚାଲିବ। ରୋଜଗାର ହରାଇଥିବା ମଦ୍ୟପ ସ୍ୱାମୀର ତାଡ଼ନା ପ୍ରତିଦିନ ସହୁଥିବା ସ୍ତ୍ରୀଟିକୁ ମା’ ହିସାବରେ ବଢ଼ିଲା ଝିଅର ବାହାଘର ଚିନ୍ତା କରିବାକୁ ପଡ଼ୁଛି। ପୁଣି ପୁଅର ପାଠପଢ଼ା ଖର୍ଚ୍ଚ ଓ ପରିବାରର ଗୁଜୁରାଣ ଚେଷ୍ଟାରେ ଅହରହ ଘାଣ୍ଟି ହେଉଛି। ଭାରତରେ ମହିଳାମାନଙ୍କ ପାଇଁ ସେଭଳି କିଛି ସୁରକ୍ଷିତ ଓ ସଂଗଠିତ ରୋଜଗାର ପନ୍ଥା ନାହିଁ। ତେଣୁ ଘରର ବୋଝକୁ ମୁଣ୍ଡରେ ଉଠାଇଥିବା ଘରଣୀ ଭାରାକ୍ରାନ୍ତ ହୋଇଚାଲିଛି। ସବୁ ଯନ୍ତ୍ରଣା ଭିତରେ କେବେ କେମିତି ଝରି ପଡ଼ୁଥିବା ଲୁହକୁ ନା ସେ କାହାକୁ ଦେଖାଇ ପାରୁଛି ନା କୋହକୁ ସମ୍ଭାଳି ପାରୁଛି। ମହାମାରୀ ରୋଜଗାର ଛଡ଼େଇ ନେଇଥିବା ଗ୍ରାମୀଣ ପରିବାରର ପାଠ ପଢ଼ୁଆ କିଶୋରୀମାନଙ୍କ ମଧ୍ୟରୁ ଅନେକେ ଏବେ ନବବଧୂ ସାଜି ବାପାମାଙ୍କ ବୋଝ ହାଲ୍‌କା କରିଛନ୍ତି। କୋମଳ ବୟସର ଯେଉଁ ଆଖି ଦିନେ ପାଠ ପଢ଼ି ବଡ଼ ମଣିଷ ହେବାର ସ୍ୱପ୍ନ ଦେଖିଥିଲା ସେହି ଆଖି ଏବେ ଓଢ଼ଣା ତଳେ ନିରବରେ ଲୁହରେ ଭିଜି ଯାଇଛି।
ଓଢ଼ଣା ତଳର ଲୁହ କେବଳ ଏଇଠି ଅଟକି ଯାଇନି, ଜୀବନ ଯାତ୍ରାର ଶେଷ ପାହାଚରେ ବସିଥିବା ହବିଷ୍ୟାଳିମାନଙ୍କର ପଣତକୁ ମଧ୍ୟ ଓଦା କରି ଚାଲିଛି। ଓଡ଼ିଶାରେ ପୁରପଲ୍ଲୀରୁ ଆରମ୍ଭ କରି ସହରର ସଭ୍ୟ ପରିବାରରେ ଏବେ ଅଭାବନୀୟ ଓ ମର୍ମଭେଦୀ ଘଟଣା ଦେଖିବାକୁ/ଶୁଣିବାକୁ ମିଳୁଛି। ନିରାଶ୍ରୟା ମା’କୁ ବର୍ଷକୁ ମାସ ଅନୁଯାୟୀ ଭାଗ ବାଣ୍ଟିଦେଇଥିବା ଉଚ୍ଚଶିକ୍ଷିତ ପୁଅ ଝିଅଙ୍କ ପାଇଁ ଯୋଡ଼ା ମାସ ସବୁ ଅଙ୍କ ବିଗାଡ଼ି ଦେଇଛି। ଏହି ଅତିରିକ୍ତ ମାସରେ ମା’ କାହା ଘରେ ରହିବ, ତା’ର ରହିବା-ଖାଇବା ଖର୍ଚ୍ଚ କିଏ ତୁଲେଇବ, ତାକୁ ନେଇ ଭାଇ-ଭାଇ, ଭାଇ-ଭଉଣୀ ଭିତରେ ଟଣାଓଟରା ଚାଲିଛି। ହବିଷ୍ୟାଳିମାନେ ସାଧାରଣତଃ କାର୍ତ୍ତିକ ମାସଟା ପୁରୀ ଶ୍ରୀକ୍ଷେତ୍ରରେ କଟାଇ ଦେଉଥିବାରୁ ପୁଅ-ଝିଅଙ୍କ ଭାଗରୁ ସେହି ମାସ ବାଦ୍ ପଡ଼ିଥିଲା; କିନ୍ତୁ ଏବେ ମହାମାରୀ ଯୋଗୁଁ ହବିଷ୍ୟାଳିଙ୍କୁ ପୁରୀ ମନା ହୋଇଥିବାରୁ ଏବେ ବୁଢ଼ୀର କାର୍ତ୍ତିକ ବ୍ରତ ଖର୍ଚ୍ଚ କିଏ ତୁଲେଇବ, ତା’ର ଦାୟିତ୍ୱ କିଏ ନେବ ତାହାର ସମାଧାନ ହୋଇପାରୁନି। ବିଚରା ବୁଢ଼ୀ ମା’ଟି ଏ ସବୁ ଶୁଣି ନ ଶୁଣିଲା ପରି କେବଳ ପିଲାମାନଙ୍କର ଅନ୍ତିମ ଶୁଣାଣିକୁ ଅପେକ୍ଷା କରିଛି। କାର୍ତ୍ତିକ ମାସରେ ରାଇ-ଦାମୋଦରଙ୍କ ଉପାସନାରେ ସମର୍ପିତ ଦେଇଥିବା ହବିଷ୍ୟାଳିର ଲୁହ ଯଶୋଦାଙ୍କ ଆଖିର ଲୁହକୁ ମଧ୍ୟ ବଳି ପଡ଼ୁଛି; କିନ୍ତୁ ପୁଅ-ଝିଅ ଦେଖିବା ଆଗରୁ ପଣତ ତଳେ ଶୁଖିଯାଉଛି।

କୁହାଯାଏ ମା’ର ପଣତ କାନି ସନ୍ତାନ ପାଇଁ ଅଭୟଦାୟିନୀ। ମା’ର କୋଳ ତା’ ପାଇଁ ଦୁନିଆର ସବୁଠାରୁ ସୁରକ୍ଷିତ। କେତେ ଖରା କେତେ ବର୍ଷାରେ ଏହି ପଣତକାନି ତାକୁ ସାହାରା ହୋଇଛି। ଆଜି କିନ୍ତୁ ମହାମାରୀର ମାୟାରେ ସେହି ପଣତ ତଳର ଲୁହ ଅଦୃଶ୍ୟ ଓ କୋହ ଅବ୍ୟକ୍ତ ହୋଇ ଯାଇଛି। ସନ୍ତାନର ରକ୍ଷା କବଚ ଯଦି ଲୁହରେ ଭିଜିଯାଏ ତେବେ ସଂସାର ବିପନ୍ନ ହୋଇଯିବ। ତେଣୁ ଜଗତ କଲ୍ୟାଣ ପାଇଁ ନବବଧୂର ଓଢ଼ଣି ଆଉ ମା’ର ପଣତ କାନିକୁ ଲୁହରେ ଭିଜିବା ପୂର୍ବରୁ ସୁରକ୍ଷିତ ରଖିବାକୁ ହେବ।

Comments are closed.