କୁମାର-କାନ୍ଦଣା

0

କର୍ଣ୍ଣାଟକରେ ଏଚଡି କୁମାରସ୍ବାମୀଙ୍କ ନେତୃତ୍ବରେ ମେଣ୍ଟ ସରକାର ଗଠନ ସମୟରେ ଆମେ ଏହି ସ୍ତମ୍ଭରେ କହିଥିଲୁ ଯେ ନାଟକ ସରିନାହିଁ। ସତକୁ ସତ ଦୁଇ ମାସ ନଯାଉଣୁ ତାହା ଦେଖିବାକୁ ମିଳିଲାଣି। ସତରେ ହେଉ ବା ମିଛରେ, ମେଣ୍ଟ ରାଜନୀତିର ବିଷଜ୍ବାଳା ସହିନପାରି କୁମାରସ୍ବାମୀ ମଞ୍ଚରେ କାନ୍ଦିପକାଉଥିବାର ଦୃଶ୍ୟ ପ୍ରକୃତରେ କେବଳ କର୍ଣ୍ଣାଟକର ରାଜନୀତି ନୁହେଁ, ଦେଶର ରାଜନୀତି ନେଇ ମଧ୍ୟ ଭିନ୍ନ ସଙ୍କେତ ଦେଇଛି। ଗତ ଦୁଇ ମାସ ଭିତରେ କୁମାରସ୍ବାମୀ ଏକାଧିକ ବାର ସହଯୋଗୀ ଦଳ, ବିଶେଷତଃ କଂଗ୍ରେସ ପ୍ରତି ନିଜ ଅସନ୍ତୋଷ ପ୍ରକଟ କରିଆସିଛନ୍ତି। ଶାସନ ଉପରେ ଯେ ଏହାର କୁପ୍ରଭାବ ନପଡ଼ୁଥିବ, ସେକଥା କହିହେବ ନାହିଁ। ତେଣୁ କୁମାରସ୍ବାମୀ ସରକାରଙ୍କ ଭବିଷ୍ୟତକୁ ନେଇ ମଧ୍ୟ ପ୍ରଶ୍ନ ଉଠିବା ସ୍ବାଭାବିକ।
କର୍ଣ୍ଣାଟକରେ କୁମାରସ୍ବାମୀଙ୍କ ସରକାର ଗଠନକୁ ବିରୋଧୀ ପକ୍ଷଙ୍କ ବିଜୟ ଭାବେ ଦେଖାଯାଉଥିଲା; କାରଣ ସେଠାରେ ବିଜେପି ହାତରେ କ୍ଷମତା ନଦେବାପାଇଁ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଏକତ୍ର ହୋଇଥିଲେ; କିନ୍ତୁ କୁମାରସ୍ବାମୀ ଯେପରି ଅସହାୟତା ପ୍ରକଟ କରୁଛନ୍ତି, ତାହା ବିରୋଧୀଙ୍କ ଏକତା ଉପରେ ଯେ ଆଞ୍ଚ ଆଣିବ, ତାହା କହିବା ବାହୁଲ୍ୟ। କୁମାରସ୍ବାମୀଙ୍କ ସରକାର ଶପଥ ନେବାବେଳେ ବିରୋଧୀ ଦଳର ବିଶିଷ୍ଟ ନେତାମାନେ ଯେମିତି ଗୋଟିଏ ମଞ୍ଚରେ ଠିଆ ହୋଇଥିଲେ, ତା’ର ପ୍ରଭାବ ଆଗାମୀ ସାଧାରଣ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିପାରେ ବୋଲି କୁହାଯାଉଥିଲା; କିନ୍ତୁ ଏବେ ସେହି ଧାରଣା କ୍ରମଶଃ ବଦଳିବାରେ ଲାଗିଛି। ଅବଶ୍ୟ କଂଗ୍ରେସ ବିରୋଧୀ ଦଳଙ୍କୁ ଧରି ପ୍ରତ୍ୟେକ ରାଜ୍ୟରେ ବିଜେପି-ବିରୋଧୀ ରଣନୀତି ତିଆରି କରିବାକୁ ଯୋଜନା କରୁଛି। ତାହା କେତେ ସଫଳ ହେବ, ଭବିଷ୍ୟତ କହିବ। ଅନ୍ୟପକ୍ଷରେ, ଅସନ୍ତୁଷ୍ଟ ନେତାମାନଙ୍କୁ ସନ୍ତୁଷ୍ଟ କରିନପାରିଲେ କୁମାରସ୍ବାମୀଙ୍କ ଚଉକି କେତେବେଳେ ଯେ ଚାଲିଯିବ, ତାହା କହିହେଉ ନାହିଁ। ରାହୁଲ ଗାନ୍ଧୀ ଏକଦା ଭାବପ୍ରବଣ ହୋଇ କହିଥିଲେ ଯେ ‘‘ମୋ ମାଆ ମୋ କୋଠରିକୁ ଆସି​‌େ​‌ଲ ଓ କାନ୍ଦିଲେ…କାରଣ ସେ ବୁଝନ୍ତି ଯେ କ୍ଷମତା ହେଉଛି ଏକ ବିଷ।’’ କୁମାରସ୍ବାମୀ ସେହି ବିଷ ପିଉନାହାନ୍ତି ତ?

Leave A Reply