କ୍ଷୁଧାର୍ତ୍ତ ଭାରତ

0

ଆମ ବଡ଼କୁହା ଶାସକବର୍ଗ ଯେତେ ଯାହା ବିକାଶ ଓ ପ୍ରଗତିର ଡିଣ୍ଡିମ ପିଟୁଥିଲେ ବି ବାସ୍ତବତା ଯେ ତାହା ନୁହେଁ ଓ ଜଳଜଳ ହେଇ ଦିଶୁଛି, ତାହା କହିବା ବାହୁଲ୍ୟ ମାତ୍ର। ‘ଇଣ୍ଟରନେସନାଲ ଫୁଡ ପଲିସି ଇନ୍‌ଷ୍ଟିଚ୍ୟୁଟ୍‌’ ଦ୍ବାରା ୨୦୦୫ରୁ ପ୍ରତିବର୍ଷ ପ୍ରକାଶ ପାଉଥିବା ବିଶ୍ବ କ୍ଷୁଧା ସୂଚକାଙ୍କର ତାଜା ରିପୋର୍ଟ ଏହାର ବଡ଼ ପ୍ରମାଣ। ଏହା ଅନୁଯାୟୀ, ବିଶ୍ବର ୧୧୯ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୦୩। ରିପୋର୍ଟ କହୁଛି ଯେ କ୍ଷୁଧାର୍ତ୍ତ ଭାରତର ସ୍ଥାନ ନିଜର ପଡ଼ୋଶୀ ଦେଶ ନେପାଳ ଓ ବାଂଲାଦେଶଠାରୁ ମଧ୍ୟ ପଛରେ। ଉଦ୍‌ବେଗଜନକ କଥା ହେଉଛି, ଆମ ଦେଶରେ କ୍ଷୁଧାର୍ତ୍ତଙ୍କ ସଂଖ୍ୟା କମିବା ବଦଳରେ ପ୍ରତିବର୍ଷ ବଢ଼ିବଢ଼ି ଚାଲିଛି। ତେଣୁ ରାଙ୍କିଙ୍ଗ୍‌ରେ ମଧ୍ୟ ସେହି ଅନୁସାରେ ଭାରତ ପଛକୁପଛକୁ ଯାଉଛି। ସୂଚକାଙ୍କ ଅନୁସାରେ ଭାରତ ୨୦୧୪ରେ ୫୫ ସ୍ଥାନରେ ଥିବାବେଳେ ୨୦୧୫ରେ ୮୦, ୨୦୧୬ରେ ୯୭ ଓ ୨୦୧୭ରେ ୧୦୦ ସ୍ଥାନରେ ପହଞ୍ଚିଥିଲା। ସୂଚକାଙ୍କର ଗତବର୍ଷ ପରିସଂଖ୍ୟାନ ଅନୁଯାୟୀ, ଭାରତରେ ପ୍ରତିବର୍ଷ ପ୍ରାୟ ତିନିହଜାରରୁ ଅଧିକ ଲୋକ କ୍ଷୁଧାତୁର ଅବସ୍ଥାରେ ମରିଥାନ୍ତି। ଏଥିରୁ ସର୍ବାଧିକ ହେଉଛନ୍ତି ଶିଶୁ। ରିପୋର୍ଟ କହୁଛି ଯେ ୨୦୧୫ରେ ଭୋକିଲାଙ୍କ ସଂଖ୍ୟା ୮ କୋଟି ଥିବାବେଳେ ୨୦୧୬ରେ ୧୦ କୋଟି ଓ ୨୦୧୭ରେ ୧୨.୪ କୋଟିରେ ପହଞ୍ଚିଥିଲା।
ଖାଦ୍ୟ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଯାବତୀୟ ଯୋଜନା ସତ୍ତ୍ବେ ଆମ ଦେଶର ଏତେଲୋକ କ୍ଷୁଧାର୍ତ୍ତ ରହିବା ନିଶ୍ଚିତ ଭାବେ ଲଜ୍ଜାଜନକ ଓ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରତି ଉପହାସ। ଜାତିସଙ୍ଘ ଏଥିପାଇଁ ଯେଉଁ କାରଣଗୁଡ଼ିକୁ ଦାୟୀ କରିଛି, ସେଥିମଧ୍ୟରୁ ପ୍ରମୁଖ ହେଲା ସମ୍ବେଦନହୀନତା। ଆମ ନେତୃତ୍ବ ଯେତେଦିନ ପର୍ଯ୍ୟନ୍ତ ଗରିବ ଓ ଦରିଦ୍ର ଜନତାଙ୍କ ବାସ୍ତବ ସମସ୍ୟା ବୁଝି ତା’ର ସମାଧାନ କରିନାହିଁ, ଏହି ସମସ୍ୟା କମିବା ବଦଳରେ ବଢ଼ିବା ସୁନିଶ୍ଚିତ। ଏଥିପାଇଁ ନେତୃତ୍ବକୁ ପ୍ରଥମେ ସମ୍ବେଦନଶୀଳ ହେବାକୁ ପଡ଼ିବ। କେବଳ ପୁଞ୍ଜିପତି ଓ ଧନୀଙ୍କ ବିକାଶ ନୁହେଁ, ସମାଜର ସବାତଳ ବର୍ଗର ଲୋକଙ୍କ ପ୍ରକୃତ ବିକାଶ ପାଇଁ ଯୋଜନା କରିବାକୁ ହେବ। ଅନ୍ତତଃ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ସର୍ବାଦୌ ଆବଶ୍ୟକ।

Leave A Reply