ଧାରା- ୭ ଧମକ

0

ଏହି ସ୍ତମ୍ଭରେ ଗତ ସପ୍ତାହରେ ସରକାର ଓ ରିଜର୍ଭବ୍ୟାଙ୍କ ବିବାଦ ସମ୍ପର୍କରେ ଆମେ ଯାହା ଲେଖିଥିଲୁ ଓ ଆଶଙ୍କା ପ୍ରକାଶ କରିଥିଲୁ ତାହା ସତ ହେବାକୁ ଯାଉଛି। ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ଏହି ବିବାଦ କାରଣରୁ ପଦତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିବା ଖବର ପ୍ରକାଶ ପାଇଛି। ସରକାର ରିଜର୍ଭବ୍ୟାଙ୍କର ସ୍ବୟଂଶାସନ ରକ୍ଷା କରାଯିବ ବୋଲି ଦୃପ୍ତ କଣ୍ଠରେ ଘୋଷଣା କରୁଥିବାବେଳେ ସେପାଖେ ରିଜର୍ଭବ୍ୟାଙ୍କ ଆଇନର ଧାରା ୭ ପ୍ରୟୋଗକରି ଏହାର କ୍ଷମତା ସଂକୁଚିତ କରିବାର ଧମକ ଦେଉଛନ୍ତି। ଏହି ଧାରାଟି ସ୍ବାଧୀନ ଭାରତର କୌଣସି ସରକାର ଏ ପର୍ଯ୍ୟନ୍ତ ପ୍ରୟୋଗ କରିନଥିଲେ। ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ଉର୍ଜିତ ପଟେଲ ଓ ତାଙ୍କ ସହଯୋଗୀ ସରକାରଙ୍କ କଥା ଶୁଣୁନଥିବାରୁ ଏହି ଧାରା ପ୍ରୟୋଗ କରି ସରକାର କୋହଳ ଋଣନୀତି ପ୍ରବର୍ତ୍ତନ ସହ ଅଣବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀ- (ଏନବିଏଫସି)ଙ୍କୁ ଅଧିକ ଅର୍ଥ ଯୋଗାଇ ଦେବାକୁ ବିଚାର କରୁଛନ୍ତି। ଏଯାଏ କୌଣସି ଅର୍ଥମନ୍ତ୍ରୀଙ୍କର ରିଜର୍ଭବ୍ୟାଙ୍କ ଗଭର୍ଣ୍ଣରଙ୍କ ସହ ସମ୍ପର୍କ ମଧୁର ନଥିବା ଇତିହାସ କହେ। ଏହାର କାରଣ ହେଲା ସରକାର ଅଭିବୃଦ୍ଧି ବଢ଼ାଇବାକୁ ଯେଉଁସବୁ ପ୍ରସ୍ତାବ ଦିଅନ୍ତି ରିଜର୍ଭବ୍ୟାଙ୍କ ବିତ୍ତୀୟ ଶୃଙ୍ଖଳା ଓ ମୁଦ୍ରା ନୀତିକୁ ବିଚାରକୁ ନେଇ ତଦନୁସାରେ କାମ କରିବାକୁ ଅସାମର୍ଥ୍ୟ ପ୍ରଦର୍ଶନ କରନ୍ତି। ମୋଟାମୋଟି ଭାବେ ଏହା ରାଜନୈତିକ-ଅର୍ଥନୀତି ଓ ବିତ୍ତୀୟ ଶୃଙ୍ଖଳା ରକ୍ଷା ମଧ୍ୟରେ ଏକ ବଳ କଷାକଷି। ସରକାରଙ୍କ କାର୍ଯ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ରିଜର୍ଭବ୍ୟାଙ୍କ ଏକ ଲଗାମ ବ୍ୟବସ୍ଥା ସଦୃଶ। ଅତଏବ ଏହାର ଅବସାନ ପାଇଁ ଧାରା ୭ ପ୍ରୟୋଗ କରିବା ଅର୍ଥ ରିଜର୍ଭ ବ୍ୟାଙ୍କର ସ୍ବୟଂଶାସନର ଅବସାନ ଘଟାଇ ଏହାକୁ ଏକ ବଚସ୍କର ସରକାରୀ ଅନୁଷ୍ଠାନରେ ପରିଣତ କରିବା।
ଏଭଳି ବିବାଦ ଆଦୌ ସ୍ପୃହଣୀୟ ନୁହେଁ। ଦୁଇପକ୍ଷ ଆପୋସ ଆଲୋଚନା ମାଧ୍ୟମରେ ଏକ ଗ୍ରହଣଯୋଗ୍ୟ ସମାଧାନ ସୂତ୍ର ବାହାର କରିବା ଉଚିତ। ନିର୍ବାଚନ ପୂର୍ବରୁ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବାପାଇଁ ସରକାର ବିକଳ ଏବଂ ସେଥିପାଇଁ କୋହଳ ମୁଦ୍ରାନୀତି ଉପରେ ଗୁରୁତ୍ବ ଦେଇଛନ୍ତି, କିନ୍ତୁ ସରକାର ଭୁଲିଯାଉଛନ୍ତି ଯେ ଏହାଦ୍ବାରା ଭବିଷ୍ୟତରେ ଦେଶର ବୃହତ୍ତର ଅର୍ଥନୈତିକ ସ୍ଥିରତା ବିପନ୍ନ ହେବ। ସେହିଭଳି ଏହି ଅସ୍ଥିରତା ମଧ୍ୟ ବିଦେଶୀ ପୁଞ୍ଜିନିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ରିଜର୍ଭବ୍ୟାଙ୍କର ସ୍ବୟଂଶାସନ ସୁରକ୍ଷିତ ରହିବବୋଲି ଅର୍ଥମନ୍ତ୍ରୀ ଓ ସରକାର କହୁଥିବାବେଳେ ଧାରା-୭ ପ୍ରୟୋଗର ଧମକ ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇ ଦେଇଛି। ଆମ ବିଚାରରେ ଏହି ପ୍ରସଙ୍ଗରେ ଦୁଇପକ୍ଷ ମଧ୍ୟରେ ଅଧିକ ଅଲୋଚନା ହେଉ ଏବଂ ସରକାର ତାଙ୍କର ଧାରା-୭ ଅସ୍ତ୍ରକୁ ବିରତି ଦିଅନ୍ତୁ। ଏଥିସହିତ ଏକ ଅଶୋଭନୀୟ ଅଧ୍ୟାୟର ଅବସାନ ଘଟୁ।

Leave A Reply