ବାଣିଜ୍ୟେ ବସତି ଲକ୍ଷ୍ମୀଃ

0

ଭାରତକୁ ବିଦେଶୀ ପୁଞ୍ଜିନିବେଶକଙ୍କ ଆକର୍ଷଣ ସ୍ଥଳ କରିବାକୁ ସରକାର ଯେଉଁ ଉଦ୍ୟମ କରି ଆସୁଛନ୍ତି ସେଥିରେ ଏକ ବଡ଼ ସଫଳତା ମିଳିଛି। ବାଣିଜ୍ୟ ବ୍ୟବସାୟର ସୁଗମତା ଦୃଷ୍ଟିରୁ ଭାରତ ମାତ୍ର ଏକ ବର୍ଷ ମଧ୍ୟରେ ୧୯୦ ଦେଶଙ୍କ ମଧ୍ୟରେ ୩୦ ସ୍ଥାନ ଉପରକୁ ଉଠି ୭୭ରେ ପହଞ୍ଚିଛି। ମୋଟାମୋଟି ଦେଖିଲେ ଏହି ତାଲିକାରେ ଗତ ଚାରିବର୍ଷ ମଧ୍ୟରେ ଭାରତ ୬୫ ପାହାଚ ଉପରକୁ ଉଠିଛି। ବିଶ୍ବ ବ୍ୟାଙ୍କ ଦ୍ବାରା ଏହି ତାଲିକା ଓ ପାହ୍ୟା ପ୍ରସ୍ତୁତ ହୋଇଥାଏ ଏବଂ ଶିଳ୍ପବାଣିଜ୍ୟ ତଥା ବ୍ୟବସାୟ ପାଇଁ ବିଭିନ୍ନ ସୁବିଧା ସୁଯୋଗକୁ ବିଚାରକୁ ନେଇ ଏହା ପ୍ରତିବର୍ଷ ପ୍ରସ୍ତୁତ ହୁଏ। ଅତଏବ ଏହାର ବିଶ୍ବସନୀୟତାକୁ ନେଇ ପ୍ରଶ୍ନ କରିବାର କିଛି ନାହିଁ। ଏ ଦିଗରେ ସରକାର ଯେଉଁ ନିଷ୍ଠାପର ଓ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ଏହା ତାହାର ଫଳ ବୋଲି କୁହାଯାଇପାରେ।
ଉଦ୍ୟୋଗ ପାଇଁ ଭିତ୍ତିଭୂମି ସୁବିଧା ମଧ୍ୟରେ ଜାଗା,ବିଜୁଳି ସଂଯୋଗ, ଯୋଗାଯୋଗ, ନିର୍ମାଣ ଅନୁମତି, ଆମଦାନୀ-ରପ୍ତାନୀର ମୂଲ୍ୟ ହ୍ରାସ, କଞ୍ଚାମାଲ ଯୋଗାଣ, ବନ୍ଦର ସୁବିଧା, ଡିଜିଟାଇଜେସନ, ବଜାର ବ୍ୟବସ୍ଥା ଏବଂ ସର୍ବୋପରି ସରକାରୀ ସହଯୋଗ ଆଦି ଯେତେସବୁ ସଂପୃକ୍ତ କ୍ଷେତ୍ର ରହିଛି ସେ ସବୁଥିରେ ଭାରତ ଏଥର ଉଲ୍ଲେଖନୀୟ ଅଗ୍ରଗତି କରିିଛି। ଆଧୁନିକ ସମୟର ଶିଳ୍ପୋଦ୍ୟୋଗ ଓ ଆନ୍ତର୍ଜାତିକ ବାଣିଜ୍ୟ ଏବେ ତୀବ୍ର ପ୍ରତିଯୋଗିତାର ସମ୍ମୁଖୀନ। ଏକ ନିରାପଦ ଓ ଅନୁକୂଳ ପରିବେଶ ନ ମିଳିଲେ କୌଣସି ବିଦେଶୀ ସଂସ୍ଥା ଓ ପୁଞ୍ଜିପତି ଗୋଟିଏ ଦେଶରେ ପୁଞ୍ଜିନିବେଶ ଓ ବାଣିଜ୍ୟ ବ୍ୟବସାୟ କରିବେ ନାହିଁ। ଭାରତ ଏ କ୍ଷେତ୍ରରେ ଫିଲିପାଇନ୍ସ, ଇଣ୍ଡୋନେସିଆ, ଭିଏତନାମ ଭଳି ଦେଶ ସହିିତ ତୀବ୍ର ମୁକାବିଲାର ସମ୍ମୁଖୀନ। ଆମେରିକା-ଚୀନ ବାଣିଜ୍ୟ ଲଢ଼େଇଜନିତ ସ୍ଥିତିରେ ଏସବୁ ଦେଶ ବିଦେଶୀ ପୁଞ୍ଜି ଆକର୍ଷଣ ପାଇଁ ଯେଉଁସବୁ ସୁବିଧାସୁଯୋଗ ଦେଉଛନ୍ତି ଭାରତ ପକ୍ଷରେ ତାହା ଦେବା ସହଜ ନୁହେଁ।
ଏବେକାର ବିଶ୍ବବାଣିଜ୍ୟ ମଧ୍ୟବର୍ତ୍ତୀ ସାମଗ୍ରୀ ବା ସହାୟକ ଦ୍ରବ୍ୟର ଅଦଳବଦଳ ଉପରେ ବିଶେଷ ନିର୍ଭର କରୁଛି। ଏଥିରେ ଆନ୍ତର୍ଜାତିକ ଯୋଗାଣ ବ୍ୟବସ୍ଥା ସଂପୃକ୍ତ ରହୁଥିବାରୁ ଆମଦାନୀ ଉପରେ ଶୁଳ୍କ ଲାଗୁକରି ନିଜସ୍ବ ବା ଘରୋଇ ଉଦ୍ୟୋଗକୁ ସୁରକ୍ଷିତ କରିବା ସହଜ ନୁହେଁ। ଏଭଳି ସ୍ଥିତିରେ ଘରୋଇ ଉଦ୍ୟୋଗ ସୁରକ୍ଷିତ ହେଲେ ଦେଶରେ ବିଦେଶୀ କମ୍ପାନୀଙ୍କ ଉତ୍ପାଦିତ ସାମଗ୍ରୀର ମୂଲ୍ୟ ଅଧିକ ହେବ। ଏହା ସତ୍ତ୍ବେ ଭାରତ ଏ କ୍ଷେତ୍ରରେ ବୁଝି ବିଚାରି ଯେଉଁସବୁ ପଦକ୍ଷେପ ଗ୍ରହଣ କରୁଛି ତାହା ଯଥାର୍ଥ। ଏସିଆରେ ବିଦେଶୀ ପୁଞ୍ଜିନିବେଶ କ୍ଷେତ୍ରରେ ଚୀନ ଭାରତର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ। ଏହାସ‌େ‌ତ୍ତ୍ବ ଏଥିପାଇଁ ଭାରତର କିଛି ସ୍ବତନ୍ତ୍ର ଆକର୍ଷଣ ରହିଛି ଯାହା ଉଲ୍ଲେଖନୀୟ। ଏକ ଉତ୍କୃଷ୍ଟ ବଜାର, ପ୍ରଚୁର ପ୍ରାକୃତିକ ସମ୍ବଳ, ଦକ୍ଷ ଲୋକଶକ୍ତି ଓ ଗଣତାନ୍ତ୍ରିକ ବ୍ୟବସ୍ଥା ସେଥିମଧ୍ୟରୁ ଅନ୍ୟତମ। ତେଣୁ ନିରନ୍ତର ପ୍ରକ୍ରିୟାରେ ଭାରତ ଏ କ୍ଷେତ୍ରରେ ଆହୁରି ଉପରକୁ ଉଠିବାର ସମ୍ଭାବନା ଅଧିକ।
ଏ କ୍ଷେତ୍ରରେ ସରକାରଙ୍କର ଉଦ୍ୟମ ଉପଯୁକ୍ତ ମାର୍ଗରେ ଚାଲିଥିବା ପ୍ରମାଣିତ ହେଉଛି। ବିଶ୍ବବ୍ୟାଙ୍କର ଏହି ତାଲିକାର ଶ୍ରେଷ୍ଠ ୫୦ ମଧ୍ୟରେ ସ୍ଥାନ ପାଇବାକୁ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ଯେ ଅବାସ୍ତବ ନୁହେଁ, ଏ କ୍ଷେତ୍ରରେ ହାସଲ ହୋଇଥିବା ପ୍ରଗତିକୁ ଦେଖିଲେ ମନେହୁଏ। ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଏକ୍ଷେତ୍ରରେ ଅଧିକ ସଂସ୍କାର ଓ ନୂଆ ପଦକ୍ଷେପ ଯେ ଅପରିହାର୍ଯ୍ୟ ଏହା ସ୍ପଷ୍ଟ ଦେଖାଯାଉଛି।

Leave A Reply