ସନ୍ଦେହରେ ବିଶ୍ବସନୀୟତା

0

ଶ୍ୟାମସୁନ୍ଦର ଅଗ୍ରୱାଲା

ଆମ ଦେଶରେ ବର୍ତ୍ତମାନ କ’ଣ ସବୁ ଚାଲିଛି, କିଛି ବୁଝି ହେଉନାହିଁ। କେତେମାସ ତଳେ ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଚାରିଜଣ ବରିଷ୍ଠ ବିଚାରପତି ଏହାର ମୁଖ୍ୟ ବିଚାରପତିଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ଗୁରୁତର ଅଭିଯୋଗମାନ ଆଣିଥିଲେ। ଦେଶର ଜନସାଧାରଣ ଏ ଖବର ଦେଖି ସ୍ତବ୍ଧ ହୋଇଯାଇଥିଲେ। ଚିକ୍‌ଚିକ୍‌ ମାରୁଥିବା ଧୋବ ଫରଫର ସାର୍ଟରେ ଦାଗଟିମାନ ଦିଶିଲା ଓ ଏକ ସର୍ବବୃହତ ସାର୍ବଭୌମ ଗଣତନ୍ତ୍ରର ସର୍ବୋଚ୍ଚ ନ୍ୟାୟାଳୟ ସନ୍ଦେହର ବଳୟ ଭିତରକୁ ଚାଲିଆସିଲା। ଏକଥା ମନରୁ ଲିଭୁ ନ ଲିଭୁଣୁ ପୁଣି ଏକ ଚାଞ୍ଚଲ୍ୟକର ଖବର ଆସି ପହଞ୍ଚିଯାଇଛି। ଏଥର ଦେଶର ସର୍ବୋଚ୍ଚ ଅନୁସନ୍ଧାନ ସଂସ୍ଥାର ଦୁଇଜଣ ସର୍ବୋଚ୍ଚ ନିର୍ଦେଶକ ପରସ୍ପର ବିରୋଧରେ ବିଦ୍ରୋହ ଘୋଷଣା କରି ରାସ୍ତାକୁ ଓହ୍ଲେଇଛନ୍ତି। ଏମାନେ ଚୋର ଧରିବା ପାଇଁ ନିଯୁକ୍ତି ପାଇଛନ୍ତି; କିନ୍ତୁ ଚୋର ଧରିବେ କ’ଣ, ପରସ୍ପର ଅନ୍ୟକୁ ଚୋର ବୋଲି ଅଭିଯୋଗ କରି ଆଙ୍ଗୁଠି ଦେଖାଉଛନ୍ତି। ଥରେ ଭାବନ୍ତୁ ତ, ଏ ଖବର ପଢ଼ି ଜନସାଧାରଣଙ୍କର ଏମାନଙ୍କ ପ୍ରତି ଆଉ କ’ଣ ବିଶ୍ବାସ ରହିବ?
ବିଶ୍ବାସକୁ ନେଇ ପ୍ରଶ୍ନ ଉଠିଲେ, ଏହା କେତେ ମୂଲ୍ୟବାନ, ଏ ନେଇ କଥାଟିଏ ମନେ ପଡ଼େ। ଥରେ ଦୁଇଜଣ ଘରଘର ବୁଲି ବେପାର କରୁଥିବା ଫେରିବାଲା ଗାଁ ମୁଣ୍ଡରେ ରୋଷେଇ କରି ଖାଉଥିବାବେଳେ ଜଣେ ସାଧୁମହାତ୍ମା ତାଙ୍କ ପାଖରେ ପହଞ୍ଚିଗଲେ ଓ ସେମାନଙ୍କର କୁଶଳମଙ୍ଗଳ ପଚାରିଲେ। ଭୋକିଲା ଥିବାରୁ ସାଧୁମହାତ୍ମା ଜଣକ ତାଙ୍କରି ପାଖରେ ଖାଇଲେ ଓ ରାତିରେ ତାଙ୍କ ପାଖରେ ଶୋଇ ମଧ୍ୟ ପଡ଼ିଲେ। ସକାଳୁ ଉଠି ଦେଖିଲା ବେଳକୁ ସାଧୁମହାତ୍ମା ଉଭାନ୍‌ ଓ ତାଙ୍କ ସହିତ ବେପାରୀମାନଙ୍କର ସମସ୍ତ ସାମଗ୍ରୀ ଓ ଟଙ୍କାପଇସା ମଧ୍ୟ ଉଭାନ। ବେପାରୀ ଦୁହେଁ ମନ ଦୁଃଖରେ ଫେରୁଥିବାବେଳେ ଜଣେ ଅନ୍ୟ ଜଣେ ବେପାରୀ ବନ୍ଧୁଙ୍କୁ କହିଲା ‘ଭାଇ, ଯାହାତ ହେବାର ହେଲା, ତୁ କିନ୍ତୁ ଏ କଥା ବଜାରରେ ଆଉ କାହାକୁ କହିବୁ ନାହିଁ।’ ବନ୍ଧୁଜଣକ ‘କାହିଁକି’ ବୋଲି ପ୍ରଶ୍ନ କରିବାରୁ ସେ କହିଲା ‘ଦେଖ, ଏ କଥା ଶୁଣିବାପରେ ଲୋକମାନେ ଆଉ କୌଣସି ସାଧୁମହାତ୍ମାଙ୍କୁ ବିଶ୍ବାସକୁ ନେବେ ନାହିଁ କି ରାସ୍ତାରେ କିଏ ଭୋକିଲା ଲୋକକୁ ଆଉ ଖାଇବାକୁ ଦେବେନାହିଁ। ଆମର ତ ଯାହା ଗଲା ଗଲା, ଅନ୍ତତଃ ଏମାନଙ୍କ ପ୍ରତି ଲୋକମାନଙ୍କର ବିଶ୍ବାସ ଟିକକ ନ ଯାଉ।’
ବନ୍ଧୁଗଣ, ଜୀବନ ସର୍ବଦା ବ୍ୟକ୍ତିର ଏକ ନିର୍ମଳ ଭାବମୂର୍ତ୍ତି ଓ ଏହା ପ୍ରତି ଅନ୍ୟମାନଙ୍କର ବିଶ୍ବାସ ଉପରେ ଆଧାରିତ। ଏହି ସତ୍ୟ ଯେ କେବଳ ବ୍ୟକ୍ତିବିଶେଷ କ୍ଷେତ୍ରରେ ପ୍ରଯୁଜ୍ୟ ତା ନୁହେଁ, ଏହା ବ୍ୟକ୍ତିସମୂହଙ୍କୁ ନିୟନ୍ତ୍ରଣ କରୁଥିବା ଶାସନ ଓ ଶାସକମାନଙ୍କ ପ୍ରତି ମଧ୍ୟ ପ୍ରଯୁଜ୍ୟ। ଶାସନ ରାଜତନ୍ତ୍ର ହେଉ କି ଗଣତନ୍ତ୍ର ହେଉ, ଏହା ହିଁ ଭାବମୂର୍ତ୍ତି ଉପରେ ପ୍ରତିଷ୍ଠିତ, ଆଉ ଯେଉଁମାନେ ଏହାର ଶୀର୍ଷସ୍ଥାନରେ ଅଛନ୍ତି ସେମାନଙ୍କ ପ୍ରତି ଏହା ଅତ୍ୟଧିକ ପ୍ରଯୁଜ୍ୟ। ଏଥିରେ ସାମାନ୍ୟତମ ସନ୍ଦେହ ମଧ୍ୟ ଗ୍ରହଣୀୟ ନୁହେଁ। କିମ୍ବଦନ୍ତୀ ଓ ଇତିହାସରେ ଏହାର ଅନେକ ଦୃଷ୍ଟାନ୍ତ ରହିଛି।
କିମ୍ବଦନ୍ତୀ କୁହେ ତ୍ରେତୟା ଯୁଗର କଥା। ଅଯୋଧ୍ୟା ନଗରୀର କୌଣସି ଏକ ବସ୍ତିରେ ଧୋବାଧୋବଣୀ ଦୁହେଁ କଳି ଲାଗିଲେ, କାରଣ ଧୋବଣୀ ଦୁଇଦିନ ହେଲା ରାତିରେ ଘରକୁ ଫେରିନଥିଲା ଓ ଧୋବା ତା’ ଚରିତ୍ରପ୍ରତି ସନ୍ଦେହ କରି ତାକୁ ଘରୁ ବାହାର କରିଦେଇଥିଲା। ଧୋବଣୀ ସଫେଇ ଦେଇ କହିଲା ଯେ ଯେଉଁ ରାଜ୍ୟରେ ରାଜା ରାମଚନ୍ଦ୍ର ଚଉଦବର୍ଷ ପରେ ମଧ୍ୟ ତାଙ୍କ ପତ୍ନୀ ସୀତା ଦେବୀଙ୍କ ନିଃସନ୍ଦେହରେ ସ୍ବୀକାର କରିନେଲେ ସେହି ରାଜ୍ୟରେ ମୋ ପ୍ରତି ଏତାଦୃଶ ଅନ୍ୟାୟ ଅନୁଚିତ। ଏକଥା ମହାରାଜା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ କାନକୁ ଗଲା ଓ ସେ ସେଇ ମୁହୂର୍ତ୍ତରେ ନିଜର ପତ୍ନୀ ସୀତାଙ୍କୁ ନିର୍ବାସନ ଦଣ୍ଡ ଘୋଷଣା କଲେ। ମହାରାଣୀ ସତୀସୀତାଙ୍କ ଭାବମୂର୍ତ୍ତି ଉପରେ ସାମାନ୍ୟତମ ସନ୍ଦେହ ମଧ୍ୟ ଗ୍ରହଣୀୟ ନୁହେଁ ଓ ସେ ସର୍ବଦା ସନ୍ଦେହର ଊର୍ଦ୍ଧ୍ବରେ ରହିବା ଆବଶ୍ୟକ ବୋଲି ରାଜା ରାମଚନ୍ଦ୍ର ବିଚାର କରିଥିଲେ।
ଇତିହାସ ପୃଷ୍ଠା ଖୋଲନ୍ତୁ। ଖ୍ରୀଷ୍ଟପୂର୍ବ ସତଷଠି ମସିହାରେ ରୋମର ସମ୍ରାଟ ଜୁଲିୟସ ସିଜର ପମ୍ପିଆ ନାମ୍ନୀ ଏକ ଅନନ୍ୟ ସୁନ୍ଦରୀଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଦିନକର କଥା। ରାଣୀଙ୍କ ଉଆସ ଭିତରୁ ଜଣେ ମହିଳା ବେଶଧାରୀ ସୁଦର୍ଶନ ଯୁବକକୁ ଗିରଫ କରାଗଲା। ସାରା ରାଜ୍ୟରେ ଏ ଖବର ଚହଳ ସୃଷ୍ଟି କଲା। ସୁଦର୍ଶନ ଯୁବକ ଓ ନୂଆରାଣୀଙ୍କ ସମ୍ପର୍କକୁ ନେଇ ଲୋକେ ଫୁସ୍‌ଫାସ ହେଲେ ଓ ଏହା ସେମାନଙ୍କ ସଲାସୁତୁରାରେ ଚାଲିଥିଲା ବୋଲି କଥାବାର୍ତ୍ତା ହେଲେ। ରାଜାଙ୍କ କାନକୁ କଥା ଗଲା ଓ ତାଙ୍କ ନିର୍ଦେଶରେ ତଦନ୍ତ ଆରମ୍ଭ ହେଲା। ରାଣୀଙ୍କ ବିରୋଧରେ କୌଣସି ଅଭିଯୋଗ ପ୍ରମାଣିତ ହେଲାନାହିଁ। କେବଳ କୌତୂହଳବଶତଃ ଯୁବକ ଜଣକ ଏହି ପାଗଳାମି କରିଥିଲା ବୋଲି ଜଣାପଡ଼ିଲା। ସମଗ୍ର ରାଜ୍ୟବାସୀ ଏହି ବିଚାରକୁ ଗ୍ରହଣ କରିନେବା ପରେ ମଧ୍ୟ ସମ୍ରାଟ ସିଜର ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ ଏବଂ କହିଥିଲେ ‘ସତ କି ମିଛ ମୁଁ ିବିଚାର କରେ ନାହିଁ, କିନ୍ତୁ ସମ୍ରାଟ ଜୁଲିଅସ ସିଜରଙ୍କ ପତ୍ନୀ ସର୍ବଦା ସନ୍ଦେହରେ ଊର୍ଦ୍ଧ୍ବରେ ରହିବା ଆବଶ୍ୟକ ବୋଲି ବିଚାର କରେ।’ ସେହିଦିନଠାରୁ ଆଜିପର୍ଯ୍ୟନ୍ତ ‘ସିଜରଙ୍କ ପତ୍ନୀ ସଦୃଶ’ ସନ୍ଦେହର ଊର୍ଦ୍ଧ୍ବରେ ରହିବା ନିମନ୍ତେ ଏକ ଊଦ୍ଧୃତି ସାରା ପୃଥିବୀରେ ସାହିତ୍ୟ ଓ କଥୋପକଥନରେ ବ୍ୟବହୃତ ହୋଇ ଆସିଛି।
ବନ୍ଧୁଗଣ! ଇତିହାସ ଆଉ କିମ୍ବଦନ୍ତୀ କହେ ଯେ ବିଶ୍ବାସରେ ସନ୍ଦେହର ସ୍ଥାନ ନାହିଁ। ସନ୍ଥ କବୀର କହନ୍ତି, ବିଶ୍ବାସ ଅତ୍ୟନ୍ତ ସୂକ୍ଷ୍ମ। ଏହା ଏକ ସୂତା ସଦୃଶ। ଏହାକୁ ଛିଣ୍ଡାନ୍ତୁ ନାହିଁ, କାରଣ ଥରେ ଛିଣ୍ଡିଗଲେ ଏହା ଯୋଡ଼ିହୁଏ ନାହିଁ ଆଉ ଯଦିବା ଯୋଡ଼ିହୋଇଯାଏ, ଏହାର ଗଣ୍ଠି ଯାଏ ନାହିଁ।
୯୭,ଜନପଥ, ଭୁବନେଶ୍ବର

Leave A Reply