ରାଷ୍ଟ୍ର ନିର୍ମାଣ ପାଇଁ ଗାନ୍ଧିଜୀଙ୍କ ସଂଗ୍ରାମରୁ ଶିଖିବା କି ?

0

ପ୍ରଫୁଲ୍ଲ ସାମନ୍ତରା

ପୃଥିବୀପୃଷ୍ଠରେ ଜନ୍ମ ନେଇଥିବା କେତେ ଜଣ ମହାନ ବ୍ୟକ୍ତିଙ୍କ ମଧ୍ୟରେ ମହାତ୍ମାଗାନ୍ଧୀଙ୍କ ବିଚାର ଓ ସାଧନା ମାନବ ସଭ୍ୟତାର ସର୍ବୋତ୍ତମ ବିକାଶ ପାଇଁ ପ୍ରେରଣାର ଉତ୍ସ। ବିଶ୍ୱର ମହାନ ବୈଜ୍ଞାନିକ ପରମାଣୁ ବୋମାର ଜନକ ସମାଜବାଦୀ ଆଇନଷ୍ଟାଇନଙ୍କ ମନ୍ତବ୍ୟ ଥିଲା, “ଏକ ହଜାର ବର୍ଷ ପରେ ମହାତ୍ମାଗାନ୍ଧୀ ରକ୍ତମାଂସଧାରୀ ଶରୀରରେ ଏହି ଧରାପୃଷ୍ଠରେ ଚାଲୁଥିଲେ ବୋଲି ଲୋକେ ଆଶ୍ଚର୍ଯ୍ୟ ହେବେ।” ଏକଥା ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ କହୁଛନ୍ତି, ଯାହାଙ୍କ ବୈଜ୍ଞାନିକ ଗବେଷଣାର ଫଳ ସ୍ୱରୂପ ଯେଉଁ ବୋମା ତିଆରି ହୋଇଥିଲା, ଯାହାକୁ ଯୁକ୍ତରାଷ୍ଟ୍ର ଆମେରିକା ବ୍ୟବହାର କରି ଜାପାନର ହିରୋସିମା ଓ ନାଗାସାକିର ଲକ୍ଷଲକ୍ଷ ଲୋକଙ୍କୁ ହତ୍ୟା କରିଥିଲା। ସେହି ବୋମା ଯେ ହିଂସା ଓ ଧ୍ୱଂସର ପ୍ରତୀକ, ଯାହାକୁ ଗାନ୍ଧିଜୀ ନିନ୍ଦା କରିବା ସହ ବର୍ଜନ କରିବାକୁ କହିଥିଲେ। ପୃଥିବୀରେ ହିଂସା, ଭୟ, ଘୃଣା ଓ ଶୋଷଣମୁକ୍ତ ମଣିଷ ସମାଜ ନିର୍ମାଣ ଥିଲା ଗାନ୍ଧିଜୀଙ୍କ ବିଶ୍ୱ ପରିକଳ୍ପନା ଯେଉଁଥିପାଇଁ ଦକ୍ଷିଣ ଆଫ୍ରିକାରୁ ଆରମ୍ଭ କରି ନିଜ ଦେଶ ଭାରତମାଟିରେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପରୀକ୍ଷା ଜାରି ରଖିଥିଲେ। ପରୀକ୍ଷାରେ ପୂର୍ଣ୍ଣସଫଳତା ପାଇଁ ସତ୍ୟାଗ୍ରହ ଜରିଆରେ ସାଧନାବ୍ରତୀ ଥିଲେ। ଶେଷରେ ପ୍ରାଣବଳି ଦେଲେ ହିଂସା-ଘୃଣାର ସାଂପ୍ରଦାୟିକ ଗୋଷ୍ଠୀଦ୍ୱାରା ପ୍ରାୟୋଜିତ ଗୁଳିଚୋଟରେ।
ସ୍ୱାଧୀନତା ଆନ୍ଦୋଳନରେ ଗାନ୍ଧିଜୀଙ୍କ ସମେତ ନେତାଜୀ ସୁଭାଷଚନ୍ଦ୍ର ବୋଷ, ସହିଦ ଭଗତ ସିଂହ, ଜବାହରଲାଲ ନେହେରୁ, ସର୍ଦାର ବଲ୍ଲଭଭାଇ ପଟେଲ, ଡ. ରାମମନୋହର ଲୋହିଆ, ଜୟପ୍ରକାଶ ନାରାୟଣ, ଅରୁଣା ଅାସଫ ଅଲ୍ଲୀଙ୍କ ଭିନ୍ନଭିନ୍ନ ଭୂମିକାରେ ଐତିହାସିକ ଅବଦାନ ପ୍ରେରଣାଦାୟକ। ଏମାନଙ୍କ ମଧ୍ୟରେ ସହିଦ ଭଗତ ସିଂହ, ସୁଭାଷ ବୋଷ ଓ ଗାନ୍ଧିଜୀଙ୍କୁ ନେଇ ବିଭିନ୍ନ ଆଲୋଚକ-ସମାଲୋଚକମାନେ ମତ ରଖିବାବେଳେ ଆଦର୍ଶଗତ ଭିନ୍ନତା ଦର୍ଶାଇବା ସହ ତାତ୍ତ୍ୱିକ ସମାଲୋଚନା ସ୍ୱାଗତଯୋଗ୍ୟ; କିଂତୁ କାହାରି ଆଦର୍ଶର ସମର୍ଥକ ରୂପେ ଅନ୍ୟକୁ ପ୍ରତ୍ୟାଖ୍ୟାନ କିଂବା ନିନ୍ଦା କରିବା ଅବାଞ୍ଛନୀୟ। ସେହିପରି ମୁକ୍ତି ଆନ୍ଦୋଳନରେ ବ୍ରିଟିଶ ହଟାଅ ଅପେକ୍ଷା ବ୍ରିଟିଶ ତଥା ବିଦେଶୀ ହଟିଗଲା ପରେ ସ୍ୱାଧୀନ ଭାରତରେ ଦଳିତଙ୍କ ମୁକ୍ତି ଚିନ୍ତା ଥିଲା ପ୍ରାଥମିକତା। ଏହା କେବଳ ଜାତିବାଦର ବିଲୋପରେ ସମ୍ଭବ। ସେଇଥିପାଇଁ ଆଜୀବନ ସଂଘର୍ଷ କରିବା ସହ ଭାରତୀୟ ସଂବିଧାନ ପ୍ରଣୟନର ନେତୃତ୍ୱ ନେଇଥିଲେ ଡ. ବାବାସାହେବ ଆମ୍ବେଦକର। ଗାନ୍ଧିଜୀଙ୍କ ସହ ଆମ୍ବେଦକରଙ୍କ ତୀବ୍ର ମତଭେଦ ଥିଲା ଦଳିତମାନଙ୍କ ଭବିଷ୍ୟତ ନେଇ, ସ୍ୱାଧୀନତା ଆନ୍ଦୋଳନ ସମୟରେ ପ୍ରତିନିଧି ସଭାରେ ଦଳିତଙ୍କ ସ୍ଥାନ ନେଇ। ପରିସ୍ଥିତିର ବାଧ୍ୟତା ପରିପ୍ରେକ୍ଷୀରେ ମତଭେଦ ସ​‌େ​‌ତ୍ତ୍ବ ଉଭୟେ ଉଭୟଙ୍କ ପାଇଁ ଏକ ଶୋଷଣମୁକ୍ତ ସମାଜ ଉଭୟଙ୍କ ଅଙ୍ଗୀକାରବଦ୍ଧତାରେ ଅଟଳ ଥିଲେ। ମାଟିର ମଣିଷଙ୍କ ପାଇଁ ଏକ ଶୋଷଣମୁକ୍ତ ସମାଜ ଉଭୟଙ୍କ ଅନ୍ତିମ ଲକ୍ଷ୍ୟ ଥିଲା ଯାହାକି ଆଜି ପର୍ଯ୍ୟନ୍ତ ହାସଲ ହୋଇପାରିନାହିଁ। ଏହି ମତଭେଦକୁ ଆଧାର କରି ଡ. ଆମ୍ବେଦକରଙ୍କ ଅନୁଗାମୀମାନେ ମହାତ୍ମାଗାନ୍ଧୀଙ୍କୁ ସମାଲୋଚନା କରିବା ଏକ ସୁସ୍ଥ ଗଣତାନ୍ତ୍ରିକ ମୁକ୍ତ ଚିନ୍ତନ, କିଂତୁ ଦେଶ ତଥା ବିଶ୍ୱମାନବ ସମାଜ ଦୃଷ୍ଟିରୁ ଗାନ୍ଧିଜୀଙ୍କୁ ନକାରାତ୍ମକ ଦୃଷ୍ଟିରେ ତିରସ୍କାର କରିବା ଆଦୌ ସ୍ପୃହଣୀୟ ନୁହଁ କିଂବା ସାମାଜିକ ନ୍ୟାୟ ଆନ୍ଦୋଳନ ପାଇଁ ସହାୟକ ମଧ୍ୟ ନୁହଁ। ଡ. ଆମ୍ବେଦକରଙ୍କ ଜାତିନିଶ୍ଚିହ୍ନ ପାଇଁ ଅଭିଯାନ ଥିଲା ଏକ ସାମାଜିକ ବିପ୍ଳବ, ଯାହାକୁ ଗାନ୍ଧିଜୀ ସ୍ୱୀକାର କରି ଜାତିହୀନ ସମାଜ ପାଇଁ ସବର୍ଣ୍ଣ ଓ ଦଳିତ ଯୋଡ଼ି ବିବାହରେ ହିଁ ଉପସ୍ଥିତ ରହି ଆଶୀର୍ବାଦ ଦେଉଥିଲେ। ବର୍ଣ୍ଣାଶ୍ରମକୁ ଗ୍ରହଣ କରିଥିବା ପରବର୍ତ୍ତୀ ସମୟରେ ନିଜର ବିଚାର ଓ ବିଶ୍ୱାସରେ ସଂଶୋଧନ କରିଥିଲେ। ସମ୍ବିଧାନରେ ସାମାଜିକ ଓ ଆର୍ଥିକ ନ୍ୟାୟ ଦେବା ସହ ଗଣତାନ୍ତ୍ରିକ ଅଧିକାରକୁ ନିଶ୍ଚିତ କରାଇବା ପାଇଁ ଡ. ଆମ୍ବେଦକରଙ୍କର ପ୍ରଜ୍ଞା, ସାମର୍ଥ୍ୟ ଓ ବୌଦ୍ଧିକ ଶକ୍ତି ଉପରେ ଅଗାଧ ବିଶ୍ୱାସ ଥିଲା ବୋଲି ଗାନ୍ଧିଜୀଙ୍କ ପରାମର୍ଶ ଥିଲା ସେ ସଂବିଧାନ ପ୍ରଣୟନର ଅଧ୍ୟକ୍ଷ ଦାୟିତ୍ୱ ନେବାକୁ। ସେହିପରି ଲଢ଼େଇର ରାସ୍ତା ଅଲଗା ଥିଲେ ବି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଗାନ୍ଧିଜୀ ବିରୋଧ କରିଥିଲେ ବି ନିଜ ପ୍ରାର୍ଥୀ ହାରି ଯାଇଥିଲେ। ନିର୍ବାଚିତ ସୁଭାଷ ବୋଷ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ ଗାନ୍ଧିଜୀଙ୍କ ସହ ଅସମ୍ମତ ହୋଇ। ପରେ କିଂତୁ ବିଦେଶରେ ଆଜାଦ ହିନ୍ଦ୍‌ ଫୌଜ ଗଠନ କରି ଶପଥ ନେବାବେଳେ ଗାନ୍ଧିଜୀଙ୍କୁ ଜାତିର ପିତା ରୂପେ ଘୋଷଣା କରିଥିଲେ। ସେହିପରି କେତେକ ବିଚାର-ଦର୍ଶନରେ ସମ୍ମତ ନ ଥିଲେ ସୁଦ୍ଧା ମହାନ କବି ରବୀନ୍ଦ୍ରନାଥ ଠାକୁର ଗାନ୍ଧିଜୀଙ୍କୁ ମହାତ୍ମା ରୂପେ ସଂବୋଧନ କରିଥିଲେ। ଏହି ଐତିହାସିକ ସତ୍ୟତା ଦର୍ଶାଉଛି ଯେ ମତ ଓ ଆଦର୍ଶଗତ ପାର୍ଥକ୍ୟ ସତ୍ତ୍ବେ ମହାତ୍ମାଗାନ୍ଧୀଙ୍କ ଭୂମିକା, ବିଚାର ଓ ଅବଦାନ ସାମଗ୍ରିକ ଭାବେ ମାନବ ସମାଜର ବିକାଶ ପାଇଁ ଏକାନ୍ତ ପ୍ରୟୋଜନ। ତେଣୁ ଯେଉଁମାନେ ଗଣତନ୍ତ୍ର, ସମାଜବାଦୀ ଓ ଧର୍ମନିରପେକ୍ଷତାକୁ ନେଇ ଯେକୌଣସି ମହାନ ବ୍ୟକ୍ତିଙ୍କ ଅନୁଗାମୀ ହୋଇଥିଲେ ବି ଗାନ୍ଧିଜୀଙ୍କ ସାଧନା ଓ ତ୍ୟାଗକୁ ସ୍ୱୀକାର କରିବା ପାଇଁ ପୁନଃ ନୂତନ ଭାବେ ଗଭୀର ଅଧ୍ୟୟନ କରିବାର ଆବଶ୍ୟକତା ରହିଛି। ଗାନ୍ଧିଜୀଙ୍କ ଶେଷ ଦିନଗୁଡ଼ିକର (୧୯୪୭ ଅଗଷ୍ଟ ପହିଲାରୁ ୧୯୪୮ ଜାନୁଆରୀ ୩୦ ସହିଦ ହେବା ପର୍ଯ୍ୟନ୍ତ) ପ୍ରତ୍ୟେକ ମୁହୂର୍ତ୍ତକୁ ସୂକ୍ଷ୍ମ ଦୃଷ୍ଟିରେ ମୂଲ୍ୟାୟନ କରିବାକୁ ହେବ। ସେତେବେଳ ଏବଂ ଆଜି ବି ମହାତ୍ମାଗାନ୍ଧୀଙ୍କୁ ତାଙ୍କର ସ୍ୱପ୍ନର ଭାରତ ତଥା ସ୍ୱରାଜକୁ ଯେଉଁମାନେ ହତ୍ୟାକରି ଚାଲିଛନ୍ତି ସେହିମାନଙ୍କ ପାଇଁ ଗାନ୍ଧିଜୀ ଘୃଣା ରାଜନୀତିର ମୁଖ୍ୟ ନିଶାଣ। ଗାନ୍ଧିଜୀ ଆଜି ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ନାମକ ଏକ ବ୍ୟକ୍ତିର ପରିଚୟ କିଂବା ଅସ୍ତିତ୍ୱ ନୁହନ୍ତି। ସେ ଆଜି ଧର୍ମ-ଜାତି ନିର୍ବିଶେଷରେ ଧର୍ମନିରପେକ୍ଷତାର ସୁରକ୍ଷା ପାଇଁ ପ୍ରେରଣାର ଉତ୍ସ; ହିଂସା ଓ ଘୃଣା ରହିତ ସମାଜ ନିର୍ମାଣର ଏକ ଆଦର୍ଶ। ଭୋକ, ଭୟ ଓ ଶୋଷଣ ମୁକ୍ତି ପାଇଁ, ଜନ୍ମଗତ ଅଧିକାର- ସ୍ୱାଧୀନତା ଓ ସ୍ୱାଭିମାନର ସଂଗ୍ରାମ ପାଇଁ ସତ୍ୟାଗ୍ରହ ଅସ୍ତ୍ରଧାରୀ ସେନାପତିର ଏକ ଅାତ୍ମପ୍ରତ୍ୟୟ ଏବଂ ସର୍ବୋପରି ସବା ତଳେ ପଡ଼ିଥିବା ବଞ୍ଚିତ ମଣିଷର ସାରଥୀ ଓ ସମ୍ମାନର ସହ ବଞ୍ଚିବାକୁ ଗ୍ରାମସ୍ୱରାଜର ସାଧକ ରୂପେ ଐତିହାସିକ ବ୍ୟକ୍ତିତ୍ୱ; କିଂତୁ ଧର୍ମାନ୍ଧମାନେ ଫାସିବାଦର ପ୍ରତିଷ୍ଠାତାମାନଙ୍କ ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ କରିବାକୁ ଯାଇ ଗାନ୍ଧିଜୀଙ୍କୁ ହତ୍ୟା କରିଥିଲେ। ଆଜି ସେହି ବିଷାକ୍ତ ବିଚାରର ପୃଷ୍ଠପୋଷକ ରାଜନୀତି ଫାସିବାଦକୁ ପରୀକ୍ଷା କରୁଛି। ଦେଶବାସୀଙ୍କ ମଧ୍ୟରେ ମହାତ୍ମା ଗାନ୍ଧିଙ୍କ ପ୍ରତି ବହୁ ସଂଖ୍ୟାରେ ସମ୍ମାନ ରହିଥିବା ଯୋଗୁଁ ତାଙ୍କ ନାମକୁ ବିଭିନ୍ନ ସରକାରୀ ଅଭିଯାନର ପ୍ରତୀକ କରାଯାଉଛି, କିଂତୁ ତାଙ୍କରି ବିଚାରକୁ ନିଶ୍ଚିହ୍ନ କରାଇବା ପାଇଁ ମଧ୍ୟ ଷଡ଼ଯନ୍ତ୍ର ହେଉଛି। ହିଟଲରୀ ଫାସିବାଦର ବିଚାର ଗୋଟିଏ ଧର୍ମ, ଗୋଟିଏ ସଂସ୍କୃତି, ଗୋଟିଏ ଜାତିର ଆଧାରରେ ଭ୍ରାନ୍ତ ଦେଶପ୍ରେମକୁ ଲଦି ଦେବାର ପ୍ରୟାସ ଚାଲିଥିବାବେଳେ ସାମାଜିକ-ଆର୍ଥିକ-ନ୍ୟାୟ ପାଇଁ ଲଢ଼ୁଥିବା କେତେକ ସଂଗଠନ ଗାନ୍ଧିଜୀଙ୍କୁ ପ୍ରତ୍ୟାଖ୍ୟାନ କରିବା ଦ୍ୱାରା ସେହି ସାମ୍ପ୍ରଦାୟିକ ଫାସିବାଦ ଶକ୍ତିମାନଙ୍କ ଉଦ୍ଦେଶ୍ୟ ସାଧିତ ହେଉଛି। ତେଣୁ ଆଜିର ଦିନରେ ଦେଶର ସଂବିଧାନକୁ ସମ୍ମାନ ଦେଇ ଧାର୍ମିକ ଓ ଜାତିଗତ ଘୃଣାର ଅବସାନ ପାଇଁ ଆମ୍ବେଦକର-ଗାନ୍ଧିଜୀଙ୍କ ବିଚାର ଓ ସାଧନା ମଧ୍ୟରେ ଏକ ସମନ୍ୱୟର ସେତୁ ନିର୍ମାଣ ଏକାନ୍ତ ଜରୁରୀ।
ଏହାର ସଫଳତା ଓ ଯଥାର୍ଥତା ପାଇଁ ବାମପନ୍ଥୀ ବିଚାରର ଐତିହାସିକ ଇରଫାନ୍‍ ହବିବଙ୍କ ନିକଟ ଅତୀତରେ ଜେଏନୟୁର କମ୍ୟୁନିଷ୍ଟ ଛାତ୍ର ସଂଗଠନ ଏସଏଫଆଇର ସମ୍ମିଳନୀରେ ଏକ ସାରଗର୍ଭକ, ହୃଦୟସ୍ପର୍ଶୀ ବକ୍ତବ୍ୟର ବିଷୟ ଥିଲା “ଗାନ୍ଧିଜୀଙ୍କ ସବୁଠାରୁ ସର୍ବୋତ୍କୃଷ୍ଟ ସମୟ”। ସେଥିରେ ସେ କହିଛନ୍ତି: ଆମେ କମ୍ୟୁନିଷ୍ଟମାନଙ୍କର ଗାନ୍ଧୀଙ୍କ ସହ ଭିନ୍ନ ମତ ଥିଲା ଓ ଏବେ ବି ଅଛି, କିଂତୁ ସ୍ୱାଧୀନତା ଆନ୍ଦୋଳନର ଲକ୍ଷ୍ୟ ଓ ନେତୃତ୍ୱ ଧର୍ମନିରପେକ୍ଷତା, ନଇ ତାଲିମ-ଶିକ୍ଷା, ଧର୍ମନିରପେକ୍ଷତା ଦୃଷ୍ଟିରୁ ମତ ପାର୍ଥକ୍ୟ ନଥିଲା। ଗାନ୍ଧିଜୀଙ୍କ ଦାମ୍ଭିକତା ଓ ବିରଳ ଅଙ୍ଗୀକାରବଦ୍ଧତା ସହ ଦୂରଦୃଷ୍ଟିର ବିଶେଷତ୍ୱକୁ ସ୍ୱୀକାର କରିବାକୁ ହେବ ଓ ତାଙ୍କରି ଦ୍ୱାରା ସଂକଟର ଘୋର ଅନ୍ଧାରରେ ଆଶାର ଆଲୋକକୁ ବର୍ତ୍ତିକା ରୂପେ ଦେଇଥିବା ନେତୃତ୍ବରୁ ଶିଖିବାକୁ ହେବ। ଆଜି ଯେପରି ଭାବରେ ଦେଶରେ ଧର୍ମ ନାମରେ, ଜାତି ନାମରେ ସଂଖ୍ୟାଲଘୁ ଓ ଦଳିତଙ୍କ ସମେତ ଭିନ୍ନ ମତଦାତାଙ୍କୁ ହତ୍ୟା ଓ ଆକ୍ରମଣ ହେଉଛି ଓ ରାଜନୀତିକୁ ଫାସିବାଦୀ ଶକ୍ତି ଗ୍ରାସ କରୁଛି, ତା’ର ସାମ୍‍ନା କରିବା ପାଇଁ ଗାନ୍ଧିଜୀଙ୍କ ସାହସିକ ଓ ନିର୍ଭୀକ ଭୂମିକା ଓ ସଂଗ୍ରାମକୁ ପୁନଃ ଅଧ୍ୟୟନର ଆବଶ୍ୟକତା ଅତି ପ୍ରାସଙ୍ଗିକ।
ସ୍ୱାଧୀନତା ଆନ୍ଦୋଳନରେ ଗାନ୍ଧିଜୀଙ୍କ ପ୍ରବେଶ ପରେ ହିଁ ପ୍ରଥମେ ତାଙ୍କରି ଦ୍ୱାରା ଗରିବ ଜନତା ଆନ୍ଦୋଳନରେ ସାମିଲ ହୋଇପାରିଥିଲେ। ଦକ୍ଷିଣ ଆଫ୍ରିକାରେ ସତ୍ୟାଗ୍ରହ ଜରିଆରେ ୨୦୦ ମହିଳାଙ୍କ ଏକାଥରକେ ପ୍ରତିବାଦ କାର୍ଯ୍ୟକ୍ରମରେ ଭାଗନେବା ଓ ୨୦୦୦ ଖଣି ଶ୍ରମିକଙ୍କ ପ୍ରତିବାଦ କରି ରାସ୍ତାକୁ ଆସିବା ସରକାର ବାଧ୍ୟ ହୋଇ ଦାବି ଗ୍ରହଣ କରିବା ଥିଲା ପ୍ରଥମ, ଯାହାକି ଭାରତରେ କଂଗ୍ରେସ ଦ୍ୱାରା ହୋଇପାରି ନ ଥିଲା। ୧୯୧୫ ପରେ ଭାରତ ପ୍ରତ୍ୟାବର୍ତ୍ତନ କରି କଂଗ୍ରେସ ନେତା ଭାବେ ୧୯୧୭ରେ ଚମ୍ପାରଣ କୃଷକ ସତ୍ୟାଗ୍ରହ ଓ ୧୯୧୮ରେ ଖେଡ଼ା ସତ୍ୟାଗ୍ରହ, ଅହମ୍ମଦାବାଦରେ ଶ୍ରମିକ ଆନ୍ଦୋଳନପରି ଘଟଣାମାନ ଥିଲା ପ୍ରଥମ ଗାନ୍ଧିଜୀଙ୍କ ନେତୃତ୍ୱରେ। ଏହା ଦ୍ୱାରା ଚାଷୀ ଓ ଶ୍ରମିକ ସ୍ୱାଧୀନତା ଆନ୍ଦୋଳନ ସହ ଯୋଡ଼ି ହୋଇପାରିଥିଲେ। ସ୍ୱାଧୀନତା ଆନ୍ଦୋଳନର ପ୍ରଥମେ ଦଳିତଙ୍କ ସମସ୍ୟା, ମୁସଲମାନମାନଙ୍କ ସମସ୍ୟା ନେଇ ସେମାନଙ୍କ ପାଖକୁ ଯାଇଥିବା ପ୍ରଥମ ନେତା ହେଉଛନ୍ତି ଗାନ୍ଧିଜୀ। କମ୍ୟୁନିଷ୍ଟ ଓ ସୋସାଲିଷ୍ଟମାନେ ପରବର୍ତ୍ତୀ ସମୟରେ ଭାଗୀଦାର ହେଲେ। ସ୍ୱାଧୀନତା ସଂଗ୍ରାମ ଭିତରକୁ ନାରୀସମୂହକୁ ଆଣିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ଗାନ୍ଧିଜୀ। ସଂଗ୍ରାମ ସହ ରଚନାତ୍ମକ କାର୍ଯ୍ୟକ୍ରମ ଜରିଆରେ ଅଛବଙ୍କ ନିକଟତର ହେବା, ତନ୍ତର ପୁନରୁଦ୍ଧାର କରି ଖଦୀ ଜରିଆରେ ଗାଁ ଗାଁରେ ଜୀବିକା ସୃଷ୍ଟି କରିବା ଓ ଜାତିପ୍ରଥା ହଟାଇବା ପାଇଁ ଦଳିତ ଓ ସବର୍ଣ୍ଣ ମଧ୍ୟରେ ଅନ୍ତର୍ଜାତି ବିବାହକୁ ପ୍ରୋତ୍ସାହନ ଦେବା, ସ୍ୱଚ୍ଛତା ପାଇଁ ପାଇଖାନା ପ୍ରଚଳନ ଓ ନିଜେ ସଫା କରି ଉଦାହରଣ ସୃଷ୍ଟି କରିବା ଥିଲା ଗାନ୍ଧିଜୀଙ୍କ ଉଚ୍ଚାରଣ ଅନୁଯାୟୀ ଆଚରଣ ଓ ବିଚାର ଭିତରେ ଅଟଳ ଅଙ୍ଗୀକାରବଦ୍ଧତାର ସେତୁ। ୧୯୩୧ କରାଚି କଂଗ୍ରେସ ଅଧିବେଶନରେ ଗାନ୍ଧିଜୀଙ୍କ ଦ୍ୱାରା ପ୍ରସ୍ତାବ ଉପସ୍ଥାପନ ହୋଇଥିଲା ସ୍ୱାଧୀନ ଭାରତକୁ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର କରିବାକୁ। ଶେଷରେ ସ୍ୱାଧୀନତା ପରେପରେ ଦେଶ ବିଭାଜନ ସବୁଠାରୁ ଦୁଃଖ ଦେଇଥିଲା ଗାନ୍ଧିଜୀଙ୍କୁ, କିଂତୁ ଭାରତରେ ଥିବା ମୁସଲମାନଙ୍କୁ ପାକିସ୍ତାନ ଚାଲିଯିବାକୁ କେତେକ ସଂଗଠନ ବାଧ୍ୟକରୁଥିବା ସହ ଆକ୍ରମଣ କରୁଥିଲେ। ଗାନ୍ଧିଜୀ ନିର୍ଭୀକ ଭାବେ ମୁସଲମାନମାନଙ୍କୁ ସୁରକ୍ଷା ଦେଇ ଭାରତରେ ହିଁ ରହିବା ପାଇଁ ଅନଶନ କଲେ, ନିଜେ ଏକଲା ଦଙ୍ଗା ଅଞ୍ଚଳ ବୁଲିବୁଲି ସେମାନଙ୍କୁ ଭରସା ହେବା ସହ ହିନ୍ଦୁମାନଙ୍କ ସହଯୋଗ ମାଗୁଥିଲେ। ପ୍ରଥମେ କଲିକତାରେ, ତା’ ପରେ ଦିଲ୍ଲୀରେ ଅନଶନର ଉଦ୍ଦେଶ୍ୟ ଥିଲା ଦିଲ୍ଲୀରେ ମୁସଲମାନଙ୍କ ହତ୍ୟା ବନ୍ଦ ହୋଇଗଲେ ପାକିସ୍ତାନରେ ମଧ୍ୟ ହିନ୍ଦୁଙ୍କ ଉପରେ ଆକ୍ରମଣ ବନ୍ଦ ହେବ। ଶେଷରେ ତାହାହିଁ ହେଲା, କିଂତୁ ଭାରତରୁ ମୁସଲମାନମାନଙ୍କୁ ତଡ଼ି ନ ପାରିବାରୁ ଗାନ୍ଧିଜୀଙ୍କୁ ହତ୍ୟା କରାଗଲା ୧୯୪୮ ଜାନୁଆରୀ ୩୦ରେ। ଏହି ଜୀବନ ବଳିଦାନ ଥିଲା ଭାରତର ଧର୍ମନିରପେକ୍ଷ ଗଣତନ୍ତ୍ରର ସ୍ଥାୟିତ୍ୱ ପାଇଁ। ଯଦି ସାମ୍ପ୍ରଦାୟିକ ସଦ୍‍ଭାବନା ରହିବ ନାହିଁ, ବହୁଳ ସଂସ୍କୃତି, ବହୁଳ ଧର୍ମରେ ପରସ୍ପର ସଦିଚ୍ଛା ରହିବ ନାହିଁ ତାହା ହେଲେ ଗଣତନ୍ତ୍ର ମଧ୍ୟ ବିଲୋପ ହୋଇଯିବ। ଆଜି ଆମ ଦେଶରେ ଯେପରି ଭାବରେ ହିନ୍ଦୁରାଷ୍ଟ୍ରର ପରିକଳ୍ପନା ନେଇ ସଂାବିଧାନିକ ଅଧିକାର, ଭିନ୍ନମତ ଓ ଧର୍ମନିରପେକ୍ଷତା ଉପରେ ଆକ୍ରମଣ ହେଉଛି, ଏହି ସାଂପ୍ରଦାୟିକ ଶକ୍ତିକୁ ସହଯୋଗ କରି କର୍ପୋରେଟ ଶକ୍ତି ରାଜନୀତିକୁ ନିୟନ୍ତ୍ରଣ କରୁଛି, ତାହା ବର୍ତ୍ତମାନ ସବୁଠାରୁ ବଡ଼ ବିପଦ ରୂପେ ଠିଆ ହୋଇଛି। ତା’ର ସାମନା ପାଇଁ ମହାତ୍ମାଗାନ୍ଧୀଙ୍କ ତ୍ୟାଗ ସାଧନା, ସଂଗ୍ରାମ ଓ ପ୍ରତିବଦ୍ଧତାରୁ ଆମେ ସମସ୍ତେ ଶିଖିବା ଏକାନ୍ତ କାମ୍ୟ। ୧୫୦ ବର୍ଷ ଜୟନ୍ତୀରେ ଯୁବ ସମାଜ ପାଖରେ ମହାତ୍ମାଗାନ୍ଧିଙ୍କୁ ନୂଆ ଢଙ୍ଗରେ ପରିଚିତ କରାଇବା ସହ ଗଭୀର ଅଧ୍ୟୟନ ପାଇଁ ପରିବେଶ ସୃଷ୍ଟି କରିପାରିବା, ତାହା ହେଲେ ସେମାନେ ସଂବିଧାନକୁ ସମ୍ମାନର ସହ ସୁରକ୍ଷା ଦେଇପାରିବେ ଓ ଗାନ୍ଧିଜୀଙ୍କ ସ୍ୱପ୍ନର ଭାରତ ନିର୍ମାଣରେ ସାମିଲ ହୋଇପାରିବେ। ଚାଲ, ମହାତ୍ମାଗାନ୍ଧିଙ୍କୁ ଅଧିକ ଅଧ୍ୟୟନ କରିବା ଓ ଶିଖିବା।

Leave A Reply