ଆଜି ବି ନରବଳି!

0

ଦେବେନ୍ଦ୍ର ସୂତାର

ନିକଟ ଅତୀତରେ ବଲାଙ୍ଗିର ଜିଲା ସିନ୍ଧେକେଲା ଅନ୍ତର୍ଗତ ରଣାପଡାର ହୀରା ରଣାଙ୍କ ୯ ବର୍ଷର ପୁଅ ମିଥୁନଙ୍କୁ ବଳି ଦେବା ପରି ଅମାନୁଷିକ ଘଟଣା ଘଟିଛି। ବଳି ଦେଇଛନ୍ତି ତାଙ୍କର ସଂପର୍କୀୟ ଭାଇ ଏବଂ ଜଣେ ତାନ୍ତ୍ରିକ। ଉଦ୍ଦେଶ୍ୟ ଥିଲା ନିଜ ଭାଗ୍ୟର ପରିବର୍ତ୍ତନ ତଥା ଦୈବୀକୃପା ଲାଭ। ସେହିପରି କୋରାପୁଟ ଜିଲା ଦାମନଯୋଡି ଥାନା ଅଞ୍ଚଳର ୬ ବର୍ଷର ଝିଅ ସୁଶିଳାକୁ ତା ନିଜ ମା ଏବଂ ଜଣେ ତାନ୍ତ୍ରିକ ଅଧିକ ରୋଜଗାର ହେବ, ଖାତିର ବଢିବ ଆଦି ଅନ୍ଧବିଶ୍ୱାସର ଶିକାର ହୋଇ ଝିଅକୁ ବଳି ଦେଇଛନ୍ତି। ଅନ୍ୟ ଏକ ଘଟଣା ଘଟିଛି କଳାହାଣ୍ଡି ଜିଲା ଭବାନୀପାଟଣା ସଦରଥାନା ତୋତଲଚୁଆ ଗ୍ରାମରେ ପୋତାଧନ ପାଇବା ଆଶାରେ ବାପା ନିଜର ୮ ବର୍ଷର ଝିଅକୁ ବେକକାଟି ବଳି ଦେଇଛି। ଏ ହେଉଛି ଆମ ରାଜ୍ୟର ନିକଟରେ ଘଟିଥିବା କେତୋଟି ନରବଳିର ଘଟଣା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗତ ୨୦୧୦ରୁ ୨୦୧୭ ପର୍ଯ୍ୟନ୍ତ ଆମ ରାଜ୍ୟରେ ୫୭ଟି ନରବଳି ଦିଆଯାଇଥିବା ଘଟଣା ଘଟିଛି। ବର୍ଷକୁ ହାରାହାରି ୮ଟି ବଳିଜନିତ ହତ୍ୟାକାଣ୍ଡ ଘଟୁଛି, ଯାହା ଆମେ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ସଂଗ୍ରହ କରିଛୁ ଏବଂ ଏହାକୁ ଯାଞ୍ଚ କରିଛୁ। ଏହି ୫୭ଟି ବଳିଜନିତ ହତ୍ୟାକାଣ୍ଡ ବ୍ୟତୀତ ଅନେକ ସ୍ଥାନରେ ଶିଶୁ ନିଖୋଜ ହେବା ଘଟଣା ଘଟିଛି ଏବଂ ତାହା ଆଜି ବି ବଳି ସନ୍ଦେହ ଘେରରେ ରହିଯାଇଛି। ସେଗୁଡିକ ହିସାବକୁ ନେଲେ ଏ ସଂଖ୍ୟା ଆହୁରି ବଢିବ। ନିଖୋଜ ପରିବାର ଲୋକ ତାଙ୍କ ପିଲାକୁ ବଳି ଦିଆଯାଇଥିବାର ସନ୍ଦେହ କରୁଛନ୍ତି। ନୟାଗଡ ଜିଲା ରଣପୁର ଥାନା ଶଙ୍ଖମୂଳ ଗ୍ରାମର ଚିନ୍ତାମଣି ସୁନ୍ଦରା ଏବଂ ଯାଜପୁର ଜିଲା କୁଆଖିଆ ଥାନା ରାଜେନ୍ଦ୍ରପୁରର ନିରଞ୍ଜନ ନାୟକ ତାଙ୍କ ପିଲାଙ୍କୁ ବଳି ଦିଆଯାଇଥିଲେ ବି ପୁଲିସ କାର୍ଯ୍ୟାନୁଷ୍ଠାନ କରିନଥିବାରୁ ନ୍ୟାୟପାଇଁ ଓଡିଶା ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିବା ଘଟଣା ନଜରକୁ ଆସିଛି।
ନରବଳି ପ୍ରଥା ଏକ ପ୍ରାଚୀନ ଯୁଗର ଅନ୍ଧବିଶ୍ୱାସ। ସେ ଯୁଗର ବିଶ୍ୱାସ ଅନୁଯାୟୀ କଳ୍ପିତ ଦେବଦେବୀମାନେ ପ୍ରକୃତିକୁ ଓ ଆମ ଜୀବନର ଘଟଣା ପ୍ରବାହକୁ ନିୟନ୍ତ୍ରଣ କରୁଛନ୍ତି। ସେମାନଙ୍କୁ ରକ୍ତଦେଲେ ସେମାନେ ସନ୍ତୁଷ୍ଟ ହେବେ ଓ ଆମର ମଙ୍ଗଳ ସାଧନ କରିବେ। ଅତୀତରେ ମେରିଆ ବଳି ପରି ବୀଭତ୍ସ ବଳିପ୍ରଥା ଆମ ରାଜ୍ୟରେ ଥିଲା। ହଳଦୀ କିଆରିରେ ନରବଳି ଦିଆଯାଉଥିଲା ଭଲ ଫସଲ ଉତ୍ପାଦନ ପାଇଁ। ସେହିପରି ବିଭିନ୍ନ ରାଜ ପରିବାରରେ ଗଡଚଣ୍ଡୀ ପୂଜା ବ୍ୟବସ୍ଥା ଥିଲା। ବିଭିନ୍ନ ରୋଗ, ମହାମାରୀରୁ ରକ୍ଷା ପାଇବା ଓ ଭଲ ଫସଲ ଉତ୍ପାଦନ ଇତ୍ୟାଦି ପାଇଁ ସେଠାରେ ନରବଳି ଦିଆଯାଉଥିଲା। ୧୮୫୧ ମସିହାରେ ବ୍ରିଟିଶ ସରକାର ଆଇନ ବଳରେ ମେରିଆ ବଳି ଓ ରାଜ ପରିବାରର ଗଡଚଣ୍ଡୀ ପୂଜାରେ ନରବଳିକୁ ନିଷିଦ୍ଧ ଘୋଷଣା କରିଥିଲେ। ସେବେଠୁ ସାମୂହିକ ଖୋଲାଖୋଲି ଭାବେ ନରବଳି ନାହିଁ; କିନ୍ତୁ ଆଜିବି ନରବଳି ଦେବା ଘଟଣା ଘଟୁଛି ଏବଂ ବଳିଦେବା ମାନସିକତା ରହିଛି।
ପରିତାପର ବିଷୟ, ଆଜି ଏକବିଂଶ ଶତାବ୍ଦୀରେ ମଧ୍ୟ କେତେକ ଦେବଦେବୀ ପୀଠରେ ଲୋକେ ସର୍ବସମ୍ମୁଖରେ ବଳି ଦେଉଛନ୍ତି। ଧାର୍ମିକ ବିଶ୍ୱାସ ଆଳରେ ଏହାକୁ ପରମ୍ପରା କହି ସମର୍ଥନ କରାଯାଉଛି। କଳାହାଣ୍ଡିର ଭବାନୀପାଟଣାର ଛତର ଯାତ୍ରା ଓ ବଲାଙ୍ଗୀର ଜିଲାର ଶୁଳିଆ ଯାତ୍ରାରେ ହଜାର ହଜାର ସଂଖ୍ୟାରେ ପଶୁପକ୍ଷୀ ବଳି ଦିଆଯାଉଛି। ଏହାବ୍ୟତୀତ ଅନେକ ଦେବୀପୀଠରେ ବଳି ଆଜିବି ଚାଲିଛି। ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବଳି ବନ୍ଦ ହୋଇପାରୁ ନାହିଁ। ଅନେକ ପ୍ରତିଷ୍ଠିତ ରାଜନେତା ଏହାକୁ ଖୋଲାଖୋଲି ସମର୍ଥନ କରୁଛନ୍ତି। ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ପ୍ରଶାସନ କେବଳ ନିରବଦ୍ରଷ୍ଟା ସାଜୁଛି। ‘ପ୍ରିଭେନସନ ଅଫ କ୍ରୁଏଲ୍‌ଟି ଆକ୍ଟ’ ପରି କେନ୍ଦ୍ରୀୟ ଆଇନ ଥିବା ସତ୍ତ୍ୱେ ମଧ୍ୟ ଏହା ବେଧଡକ ଚାଲିଛି। ତେଣୁ ପଶୁପକ୍ଷୀ ବଳି ହେଉ ବା ପାଣିକଖାରୁ ବଳି ଏହାର ପ୍ରଭାବ ଜଣେ ସାଧାରଣ ଅଜ୍ଞ ଲୋକ ଉପରେ ପଡୁଛି। ସେ ଭାବୁଛି ପାଣିକଖାରୁ, ଛେଳି, ମେଣ୍ଢା, ମଇଁଷି ବଳି ଦେଲେ ଯେତିକି ଦୈବୀକୃପା ମିଳୁଛି, ମଣିଷ ବଳିଦେଲେ ତା’ଠୁ ଢେର ଅଧିକ ମନସ୍କାମନା ପୂର୍ଣ୍ଣ ହେବ। ଏଥିପାଇଁ ଆମ ଶାସ୍ତ୍ରଗୁଡ଼ିକରେ ମଧ୍ୟ କ’ଣ ବଳି ଦେଲେ କିପ୍ରକାର ଫଳ ମିଳିବ ତାର ବର୍ଣ୍ଣନା ରହିଛି। ଏହା ଜଣକୁ ନରବଳି ଦେବାକୁ ପ୍ରୋତ୍ସାହିତ କରୁଛି। ସାଧାରଣ ଅସହାୟ ମଣିଷଟି ହୁଏତ ମୁକ୍ତ ମନନେଇ ଏସବୁ ଚିନ୍ତା କରିପାରୁ ନାହିଁ ଏବଂ ଦେବୀଙ୍କ ନିକଟରେ ବଳି ଦେଇ ନିଜର ସୁଖସମୃଦ୍ଧି ପାଇବାର ସହଜିଆ ବାଟଟିକୁ ଆପଣେଇ ନେଉଛି। ଦେବୀ କୃପାଲାଭ, ପୋତାଧନ ପାଇବା, ରୋଗରୁ ମୁକ୍ତି, କ୍ଷମତା, ପ୍ରତିପତ୍ତି ପାଇଁ ନିଜ ଜନ୍ମକଲା ପୁଅଝିଅଙ୍କୁ ବି ବଳି ଦେବାକୁ ପଛାଉନାହାନ୍ତି ଅଜ୍ଞ ବାପମାଆ।
ତେଣୁ ଦେବୀଦେବତାଙ୍କ ନିକଟରେ ପଶୁପକ୍ଷୀ ବଳି ହେଉ ବା ନରବଳି, ସମସ୍ତ ବଳି ନିଷେଧ ହେବା ଦରକାର। ବଳି ପ୍ରତିବଦଳରେ ଦେବୀ ମନସ୍କାମନା ପୂରଣ କରନ୍ତି, ଧନ ମିଳେ, ରୋଗରୁ ଆରୋଗ୍ୟ ମିଳେ, କ୍ଷମତା ମିଳେ ଇତ୍ୟାଦି ଧାରଣା ଯେ ଭ୍ରାନ୍ତ ଓ ସଂପୂର୍ଣ୍ଣ ଅମୂଳକ ସେ ଧାରଣା ଜନସାଧାରଣଙ୍କ ମନ ଭିତରେ ସୃଷ୍ଟି ହେବା ଦରକାର। କିଛି ବଳି ସମର୍ଥନକାରୀ ଅନ୍ଧବିଶ୍ୱାସପୂର୍ଣ୍ଣ ବଳି ପ୍ରସଙ୍ଗକୁ ଗୋଳମାଳିଆ କରିବାକୁ ଯାଇ ରାସ୍ତାକଡରେ ପ୍ରତିଦିନ ଅନେକ କୁକୁଡା, ଛେଳି କଟାଯାଇ ମାଂସ ବିକ୍ରି କରାଯାଉଥିବା ସହ ଯୋଡି ଦିଅନ୍ତି ଏବଂ କୁହନ୍ତି ଯେ ତାକୁ ଯଦି ବିରୋଧ କରା ନଯାଉଛି ତେବେ ଦେବୀପୀଠରେ ଦିଆଯାଉଥିବା ବଳିକୁ କାହିଁକି ବାରଣ କରାଯିବ? ଏହି ଯୁକ୍ତିର ଅବୈଧତା ବୁଝିବା ଆବଶ୍ୟକ। ସବୁ ସମୟରେ ସବୁ ସମାଜରେ ଖାଦ୍ୟ ପାଇଁ ମଣିଷ ଛେଳି, କୁକୁଡା ମାରି ତାର ମାଂସ ଖାଉଛି। ମଣିଷର ବଞ୍ଚିବା ପାଇଁ ଆବଶ୍ୟକ ପଡୁଥିବା ପ୍ରୋଟିନ ପ୍ରାଣୀମାନଙ୍କ ଠାରୁ ମିଳିଥାଏ ଓ ଏହାହିଁ ମଣିଷ ଖାଦ୍ୟ ଭାବରେ ଖାଏ। ସେଥିପାଇଁ ନିର୍ଦ୍ଦିଷ୍ଟ ସ୍ଲଟର ହାଉସ ବ୍ୟବସ୍ଥା ପ୍ରତ୍ୟେକ ମ୍ୟୁନିସିପାଲିଟିରେ ଥିଲେ ମଧ୍ୟ ପ୍ରାଶାସନିକ ଅବ୍ୟବସ୍ଥା ଯୋଗୁ ରାସ୍ତାକଡରେ ପଶୁହତ୍ୟା କରାଯାଉଛି। ଏହା ବନ୍ଦ ହେବା ଦରକାର। କିନ୍ତୁ ଦେବୀପୀଠରେ ପଡୁଥିବା ବଳି କ୍ଷେତ୍ରରେ ପ୍ରସଙ୍ଗଟି ସଂପୂର୍ଣ୍ଣ ଭିନ୍ନ। ବଳି ପଛରେ ଅନ୍ଧବିଶ୍ୱାସ ରହିଛି। ଯେଉଁ ଜନବିଶ୍ୱାସ ଅଯୌକ୍ତିକ, ଅନୈତିକ, ଆଇନ ବିରୁଦ୍ଧ, ଅମାନବିକ ତାହାକୁ ଦୂର କରିବା ଏକ ଜନକଲ୍ୟାଣକାରୀ ରାଷ୍ଟ୍ରର ମୌଳିକ କର୍ତ୍ତବ୍ୟ। ଦେଶର ୭ଟି ରାଜ୍ୟ ପରି ଆମ ରାଜ୍ୟରେ ବଳିବନ୍ଦ ପାଇଁ ନିର୍ଦ୍ଦିଷ୍ଟ ଆଇନ ଆସିବା ଦରକାର। ବଳିଦେଲେ କୌଣସି ମନସ୍କାମନା ପୂର୍ଣ୍ଣ ହୁଏନାହିଁ, ଏହି ସଚେତନତା ପ୍ରସାର କରାଯିିବା ଆବଶ୍ୟକ। ଜନସାଧାରଣଙ୍କ ଭିତରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ, ସଂସ୍କାରିତ ଚେତନା ବିକାଶ ହେବା ଦରକାର। ଲୋକ ସଚେତନତା ସହ ଆଇନଗତ ବ୍ୟବସ୍ଥା ହେଲେ ନରବଳି ପରି ଏକ ବର୍ବରୋଚିତ ଅନ୍ଧବିଶ୍ୱାସ ଦୂର ହୋଇପାରିବ।
ସଂପାଦକ, ଓଡ଼ିଶା ହେତୁବାଦୀ ସମାଜ
ପ୍ଲଟ ନଂ-୮୬୬/ଏଫ, ସେକ୍ଟର-୬, ସିଡିଏ, କଟକ

Leave A Reply