ଆଦିବାସୀ ଜୀବନ ସଂଗ୍ରାମର ଭିନ୍ନ ଦିଗନ୍ତ

0

ଧରଣୀଧର ପାଣିଗ୍ରାହୀ

ଭାରତର ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ହାର ଚାରିଗୋଟି ଗୋଷ୍ଠୀର ଉପକାର ସାଧନ କରିପାରିନାହିଁ। ସେଗୁଡ଼ିକ ହେଲା: ମୁସଲମାନ, ଦଳିତ, ମହିଳା ଓ ଆଦିବାସୀ ସମ୍ପ୍ରଦାୟ। ସେମାନଙ୍କ ସମସ୍ୟା ଭିନ୍ନ, ସେମାନେ ଅନ୍ୟ ପାଖରେ ମୁଣ୍ଡ ନୁଆଁଇ ରହିବାର ସାମାଜିକ ପୃଷ୍ଠଭୂମି ବିିଭିନ୍ନ। ଏମାନଙ୍କ ମଧ୍ୟରୁ ମୁସଲମାନ ଓ ଦଳିତମାନେ ସେମାନଙ୍କ ଦୈନନ୍ଦିନ ଜୀବନରେ ଅନେକ ପକ୍ଷପାତିତା ଓ ବିଭେଦମୂଳକ କାର୍ଯ୍ୟର ସମ୍ମୁଖୀନ ହୋଇଥାନ୍ତି। ଯଥା- ଗାଁ କୂଅରୁ ପାଣି ନେବାପାଇଁ ସେମାନଙ୍କୁ ବାରଣ କରାଯାଇଥାଏ, ସ୍କୁଲରେ ଦଳିତ ପିଲାଙ୍କୁ ଅଲଗା ବସିବାକୁ କୁହାଯାଇଥାଏ ଏବଂ ବିଭାଘରରେ ଘୋଡ଼ାଚଢ଼ି ଯିବାପାଇଁ ସେମାନଙ୍କୁ ଅନୁମତି ମିଳିନଥାଏ। ବିଭିନ୍ନ ଅନୁଧ୍ୟାନ, ତଥା ହସିମ୍‌ପୁରା, ଭାଗଲପୁର, ଭିୱାଣ୍ଡି ଏବଂ ଗୁଜରାଟ ଦଙ୍ଗା ଉପରେ ବସାଯାଇଥିବା କମିସନଗୁଡ଼ିକର ରିପୋର୍ଟରୁ ଜଣାଯାଏ ଯେ, ପୁଲିସ ସାଧାରଣତଃ ମୁସଲମାନଙ୍କ ପ୍ରତି ବିରୋଧୀ ମନୋଭାବ ପୋଷଣ କରିଥାଏ। ସେମାନଙ୍କ ପ୍ରତି ଏହି ବିଭେଦମୂଳକ ମନୋଭାବ, ବିପଦ ଆଶଙ୍କା ଓ ଜୀବନ-ଜୀବିକାହାନି ସମସ୍ୟା ବିଗତ ଚାରିବର୍ଷ ମଧ୍ୟରେ ବିଶେଷଭାବେ ବୃଦ୍ଧି ପାଇଛି। ଦଳିତ ଓ ମୁସଲମାନମାନଙ୍କ ବିପକ୍ଷରେ ବିଭେଦମୂଳକ ହେବାଭଳି ସରକାର ବିଗତ ୭୦ବର୍ଷ ମଧ୍ୟରେ କୌଣସି ଆଇନ ପ୍ରଣୟନ କରିନଥିଲେ ମଧ୍ୟ ବ୍ୟଷ୍ଟି ଓ ସାମାଜିକ ସ୍ତରରେ ସେମାନଙ୍କ ସମସ୍ୟା ଅସୀମ ବୋଲି କୁହାଯାଇପାରେ।
ଅନ୍ୟ ଦୁଇଟି ଗୋଷ୍ଠୀ- ମହିଳା ଓ ଆଦିବାସୀ ସମ୍ପ୍ରଦାୟ, କେବଳ ସାଂସ୍କୃତିକ ଗୌଣତ୍ବର ସମ୍ମୁଖୀନ ହୋଇନଥାନ୍ତି, ବିଭିନ୍ନ ପ୍ରକାର ନ୍ୟାୟ ବିରୋଧୀ ଆଇନ ଓ ନୀତି ଦ୍ବାରା ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି। ଉଦାହରଣ ସ୍ବରୂପ, ଉତ୍ତର ପ୍ରଦେଶରେ ଚାଷ ଜମିର ଉତ୍ତରାଧିକାର ସମ୍ପର୍କିତ ଆଇନ ଏବେ ବି ବିବାହିତା ଝିଅମାନଙ୍କୁ ପିତାଙ୍କ ଉତ୍ତରାଧିକାର ସୂତ୍ରରେ ପାଇଥିବା ସମ୍ପତ୍ତିରୁ ଭାଗ ଦାବି କରିବାର ଅଧିକାର ଦେଇନାହିଁ। ରାଜସ୍ଥାନର ପ୍ରଜାସ୍ବତ୍ତ୍ବ ଆଇନରେ ମହିଳାମାନଙ୍କୁ ପାଗଳ ଓ ନିର୍ବୋଧମାନଙ୍କ ସମକକ୍ଷ କହି ଏକା ଗୋଷ୍ଠୀରେ ସ୍ଥାନିତ କରିଛି। ତେଣୁ, ବିଶେଷକରି ସାମାଜିକ ସ୍ତରରେ ପୁରୁଷ-ପ୍ରଧାନ ବ୍ୟବସ୍ଥା ବିରୋଧରେ ସଂଗ୍ରାମ କରିବା ସହିତ ଲିଙ୍ଗଭେଦମୂଳକ ଆଇନ ଓ ବ୍ୟବସ୍ଥାଗୁଡ଼ିକୁ ଉଚ୍ଛେଦ କରିବାର ଆବଶ୍ୟକତା ରହିଛି।
ସ୍ବାଭାବିକ ସାମାଜିକ ସୁଯୋଗରୁ ବଞ୍ଚିତ ସମସ୍ତ ଗୋଷ୍ଠୀ ମଧ୍ୟରୁ ଆଦିବାସୀ ଗୋଷ୍ଠୀ, ବିଶେଷତଃ କେନ୍ଦ୍ରୀୟ ଭାରତରେ ଥିବା ଆଦିବାସୀ ଗୋଷ୍ଠୀ ସବୁଠୁ ବେଶୀ ଦୁଃଖଯନ୍ତ୍ରଣା ଭୋଗିଆସିଛନ୍ତି। ମୁଖ୍ୟତଃ ଆଦିବାସୀ-ବିରୋଧୀ ଜଙ୍ଗଲ ନୀତି, ବିସ୍ଥାପନ ଓ ଦୁର୍ବଳ ଶାସନ ଯୋଗୁଁ ଏହା ଘଟିଆସିଛି। ବିଗତ ୭୦ ବର୍ଷ ମଧ୍ୟରେ ଆଦିବାସୀମାନେ ସେମାନଙ୍କ ଜୀବନଧାରଣର ମୌଳିକ ଆବଶ୍ୟକତାଗୁଡ଼ିକୁ ଜଙ୍ଗଲରୁ ସଂଗ୍ରହ କରିବାର ଅଧିକାର କ୍ରମେ ସଂକୁଚିତ ହେବାରେ ଲାଗିଛି ଏବଂ ଏହା ବେଶ ବ୍ୟାପକ ଭାବେ ଘଟିଛି। ୧୯୯୫ରେ ଥରେ ଓଡ଼ିଶାର ରାୟଗଡ଼ାରେ କିଛି ମହିଳା ସେମାନଙ୍କ ଘରେ ଝାଡ଼ୁ ରଖିଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରି ଜେଲକୁ ପଠାଇ ଦିଆଯାଇଥିଲା।
ସରକାରୀ ଜମିଜମା ରେକର୍ଡ ଅତି ଦୟନୀୟ ଅବସ୍ଥାରେ ଅଛି ଏବଂ ଅନେକ ସମୟରେ ଏହା ଆଦିବାସୀଙ୍କ ଅଧିକାରରେ ଥିବା ବିଷୟଗୁଡ଼ିକୁ ଉପେକ୍ଷା କରିଯାଇଛି। ଉଦାହରଣ ସ୍ବରୂପ, ଓଡ଼ିଶାରେ ମୃତ୍ତିକା ସଂରକ୍ଷଣ ନିର୍ଦେଶାଳୟ ଥରେ ‘ଅନୁସୂଚିତ ୫’ (ସିଡ୍ୟୁଲ ‘ଭି’) ଅଞ୍ଚଳରେ ୧,୨୦,୦୦୦ ହେକ୍ଟର ‘ସରକାରୀ ଅନାବାଦୀ ଓ ଅଦରକାରୀ ଜମି’ରେ କାଜୁବାଦାମ ଚାଷ କରିଥିଲେ। ଅନେକ ଘଟଣାରେ ଦେଖାଯାଇଥିଲା ଯେ ସେପରି ଜମି ଅତୀତରେ ଆଦିବାସୀମାନେ ଚାଷ କରୁଥିଲେ, କିନ୍ତୁ ସେମାନଙ୍କ ଅଧିକାରକୁ ରେକର୍ଡଭୁକ୍ତ କରାଯାଇନଥିଲା। ଯେତେବେଳେ ବନ୍ଦୋବସ୍ତ ଆସିଲା, ଆଦିବାସୀମାନେ ସେ ବିଷୟରେ ସଚେତନ ନଥିବାରୁ ସେମାନଙ୍କ ଦଖଲରେ ଥିବା ଜମିକୁ ସେମାନେ ରେକର୍ଡଭୁକ୍ତ କରିପାରିନଥିଲେ। ତେଣୁ ସେମାନଙ୍କ ଦଖଲରେ ଥିବା ଜମି ସବୁକୁ ସରକାରୀ ଜମି ରୂପେ ରେକର୍ଡଭୁକ୍ତ କରାଗଲା ଏବଂ ସେମାନଙ୍କ ପୂର୍ବପୁରୁଷଙ୍କ ଅମଳରୁ ସେମାନେ ସେହି ଜମି ଚାଷ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ଜବରଦଖଲକାରୀ ରୂପେ ଏହି ଜମି ଉପରେ କାଜୁବାଦାମ ଚାଷ କରାଯାଇଥିବା ଏହି ଜମିର ପରିଚାଳନା ଦାୟିତ୍ବ ଓଡ଼ିଆ ରାଜ୍ୟ କାଜୁବିକାଶ ନିଗମକୁ ହସ୍ତାନ୍ତର କରିଦିଆଗଲା। ନିଗମ ଲାଭଜନକ ସ୍ଥିତିରେ ଚାଲିନପାରିବାରୁ କାଜୁ ଫସଲକୁ ଆମଦାନୀ କରିବା ପାଇଁ ଏହାକୁ ନିଗମ ପ୍ରତିବର୍ଷ ଖୋଲା ନିଲାମ ଜରିଆରେ ଘରୋଇ ସଂସ୍ଥାକୁ ଦେଇଦେଲା। ଏହା ଭୂସଂସ୍କାରର ଏକ ବିପରୀତମୁଖୀ ଅବସ୍ଥା ଓ ବ୍ୟବସ୍ଥା। ଏହା ଏକ ବିଚିତ୍ର ବିଡ଼ମ୍ବନା ଯେ, ଆଦିବାସୀଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିଥିବା ଏହି ଉଦ୍ୟାନକୃଷି ଯୋଜନାକୁ ‘ଗ୍ରାମାଞ୍ଚଳ ଗରିବ ଲୋକଙ୍କ ଅର୍ଥନୈତିକ ଥଇଥାନ’ ନାମକ ଏକ କାର୍ଯ୍ୟକ୍ରମ ଅଧୀନରେ ଥିବା ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯାଇଥିଲା।
ଭାରତର କେନ୍ଦ୍ରାଞ୍ଚଳ ପ୍ରାକୃତିକ ସମ୍ପଦ, ଖଣିଜ ଦ୍ରବ୍ୟ ଓ ବନ ସମ୍ପଦରେ ଭରପୂର ହୋଇରହିଥିବା ସତ୍ତ୍ବେ, ଏହା ଦରିଦ୍ରତମ ଲୋକଙ୍କର ବାସସ୍ଥଳୀ ହୋଇରହିଛି। ଶିଳ୍ପାୟନ ଯୋଗୁଁ ଘଟିଥିବା ବିସ୍ଥାପନ ପ୍ରକୃତରେ ସ୍ଥାନୀୟ ଅଧିବାସୀଙ୍କର ଅଶେଷ କ୍ଷତିସାଧନ କରିଛି। କୌଣସି ନା କୌଣସି ବୃହତ୍‌ ପ୍ରକଳ୍ପ ପ୍ରତିଷ୍ଠା ଏବଂ କିଛି ବନାଞ୍ଚଳକୁ ଜାତୀୟ ପାର୍କ ରୂପେ ସଂରକ୍ଷିତ ରଖାଯିବା ଯୋଗୁଁ ୧୯୯୦ ପର୍ଯ୍ୟନ୍ତ ପ୍ରାୟତଃ ୮୫ ଲକ୍ଷ ଆଦିବାସୀ ବିସ୍ଥାପିତ ହୋଇଛନ୍ତି। ଦେଶର ମୋଟ ଜନସଂଖ୍ୟାର ଶତକଡ଼ା ୮ ଭାଗ ଆଦିବାସୀ, କିନ୍ତୁ ଦେଶର ମୋଟ ବିସ୍ଥାପିତ ଜନସଂଖ୍ୟାର ସେମାନେ ୫୫ ପ୍ରତିଶତ। ନଗଦ ଅର୍ଥ ଦାନ ଦ୍ବାରା ସେମାନଙ୍କ ଜୀବନଶୈଳୀ ଓ ଗୋଷ୍ଠୀ ଚରିତ୍ରର ବୈଶିଷ୍ଟ୍ୟମୂଳକ ଭାବଧାରାରେ ଘଟିଥିବା କ୍ଷତିର ଆମେ କ୍ଷତିିପୂରଣ କରିପାରିନାହାନ୍ତି। ଅତି ଦୁର୍ବଳ ସ୍ଥିତିକୁ ଆସିସାରିଥିବା ଆଦିବାସୀ ସମ୍ପ୍ରଦାୟର ସାମାଜିକ-ଅର୍ଥନୈତିକ ଜୀବିକାର୍ଜନ ଭିତ୍ତିଭୂମି ପାଇଁ ପ୍ରକାଶ ପାଇଥିବା ପ୍ରତିକ୍ରିୟା ଓ ପରିଣତି ଅତି ଭୟାବହ ହୋଇସାରିଛି। ଜୀବିକାର୍ଜନର ସୁଯୋଗ ହାନି ଏବଂ ବ୍ୟାପକ ଆକାରରେ ନିଜ ଭୂସମ୍ପତ୍ତିରୁ ବିତାଡ଼ିତ ହେବାଠାରୁ ଆରମ୍ଭ କରି ପୁରୁଷାନୁକ୍ରମେ ଗୋତି ଖଟିବାର ଦୁର୍ଗତି ଭୋଗିବାକୁ ସେମାନେ ଟାଣିହୋଇ ଯାଆନ୍ତି।
ଏହି ନିଷ୍ପେସିତ ଆଦିବାସୀ ସମ୍ପ୍ରଦାୟ ସାମାଜିକ ସୁବିଧାସୁଯୋଗରୁ ବଞ୍ଚିତ ଅନ୍ୟାନ୍ୟ ଗୋଷ୍ଠୀଭଳି ନହୋଇ ନିରବରେ ସବୁ କଷ୍ଟ ସହିଯାଆନ୍ତି ବା ବନ୍ଧୁକ ମୁନରେ ଏହି ଅନ୍ୟାୟର ପ୍ରତିଶୋଧ ନେବାପାଇଁ ଏକଜୁଟ ହୁଅନ୍ତି। ଆନ୍ଦୋଳନାତ୍ମକ ରାଜନୀତିର କୌଣସି ମଧ୍ୟମ ପନ୍ଥା ଐତିହାସିକ ଦୃଷ୍ଟିକୋଣରୁ ସେମାନଙ୍କୁ ଜଣାନାହିଁ। ରାଜନୈତିକ ଓ ଅମଲାତାନ୍ତ୍ରିକ ବ୍ୟବସ୍ଥା ଉପରେ ଗଣତାନ୍ତ୍ରିକ ଚାପ ପ୍ରୟୋଗ କରିବାରେ ସେମାନେ ଅକ୍ଷମ, କାରଣ ସେମାନେ ଇତିହାସ କ୍ରମରେ ଅପେକ୍ଷାକୃତଭାବେ ସମାଜର ମୁଖ୍ୟ ସ୍ରୋତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି। ଅଳ୍ପ କିଛି ଲୋକ ସମୟେସମୟେ କ୍ରୋଧାନ୍ବିତ ହୋଇ ଗୁପ୍ତ ଗୋଷ୍ଠୀରେ ଯୋଗ ଦେଇଥାନ୍ତି ଏବଂ ନକ୍ସଲବାଦ ପ୍ରତି ଆକର୍ଷିତ ହୋଇଥାନ୍ତି। ଦୁର୍ଭାଗ୍ୟବଶତଃ ସେମାନଙ୍କ ପାଇଁ ଭାରତ ଇତିହାସ ବିଗତ ୧୫୦ବର୍ଷ ଧରି ଦର୍ଶାଇଆସିଛି ଯେ, ସେମାନଙ୍କ ଲକ୍ଷ୍ୟ ହାସଲ କରିବାରେ ଆତଙ୍କବାଦ ଓ ହିଂସ୍ର ବିଦ୍ରୋହ କେବେ ସଫଳ ହୋଇପାରିନାହିଁ। ମିଜୋରାମ ସୃଷ୍ଟି ଏକମାତ୍ର ବ୍ୟତିକ୍ରମ ହୋଇପାରେ। କିନ୍ତୁ ନୂତନ ରାଜ୍ୟଗୁଡ଼ିକ ସୃଷ୍ଟିରେ ଖୋଲାଖୋଲି ଆନ୍ଦୋଳନାତ୍ମକ କୌଶଳ ସଫଳ ହୋଇଛି ଓ ଅନେକ ନୂତନ ରାଜ୍ୟ ସୃଷ୍ଟି କରିପାରିଛି ଏବଂ ସରକାରୀ ନୀତିରେ ପରିବର୍ତ୍ତନ ଆଣିପାରିଛି।
ଭାରତରେ ଦଳିତମାନଙ୍କର ସଫଳତା ପଛରେ ଥିବା ଅନ୍ୟତମ ମୁଖ୍ୟ କାରଣ ହେଲା, ଅନୁସୂଚିତ ଜାତି ଗୋଷ୍ଠୀ ଦ୍ବାରା ଯୋଗାଇ ଦିଆଯାଇଥିବା ଚମତ୍କାର ନେତୃତ୍ବ। ଦୁର୍ଭାଗ୍ୟବଶତଃ ଆଦିବାସୀଙ୍କ କ୍ଷେତ୍ରରେ ସେପରି ନେତୃତ୍ବର ଅଭାବ ପରିଲକ୍ଷିତ ହୁଏ। ଅନୁସୂଚିତ ଜାତିମାନେ ବି.ଆର. ଆମ୍ବେଦକର, ଜଗଜ୍ଜୀବନ ରାମ, କେ.ଆର.ନାରାୟଣନ, ବୁଟା ସିଂହ, ରାମବିଳାସ ପାଶୱାନ, କାଂଶୀରାମ ଓ ମାୟାବତୀଙ୍କ ଭଳି ନେତା ଓ ପ୍ରଶାସକ ସୃଷ୍ଟି କରିପାରିଛନ୍ତି ବୋଲି ଗର୍ବ ଅନୁଭବ କରନ୍ତି; କିନ୍ତୁ ଆଦିବାସୀ ସମ୍ପ୍ରଦାୟ ପାଇଁ କଥା କହିବାକୁ ଓ ନିର୍ଯାତିତ ଆଦିବାସୀଙ୍କୁ ନେତୃତ୍ବ ଦେବାପାଇଁ ଜାତୀୟସ୍ତରର କୌଣସି ନେତା ନାହାନ୍ତି। ସେମାନଙ୍କ ଦୁଃଖଲାଘବ କରିବାପାଇଁ ବି.ଆର.ଶର୍ମା ଓ ଏସ.ଆର.ଶଙ୍କରନଙ୍କ ପରି ଅଳ୍ପ କେତେଜଣ ସରକାରୀ କର୍ମଚାରୀ ପ୍ରୟାସ କରିଥିଲେ, କିନ୍ତୁ ସଂସ୍ଥାନିକ ସମର୍ଥନ ଅଭାବରୁ ସେପରି ପ୍ରୟାସ ଦୀର୍ଘସ୍ଥାୟୀ ହୋଇପାରିଲା ନାହିଁ।
ନକ୍ସଲମାନେ ମୋଟାମୋଟି ଭାବେ ଏକ ସନ୍ତ୍ରାସ ସୃଷ୍ଟିକାରୀ ଗୋଷ୍ଠୀ ରୂପେ କୁଖ୍ୟାତି ଅର୍ଜନ କରିଛନ୍ତି ଏବଂ ସ୍ଥାନୀୟ ଜନତାଙ୍କ ଦୈନନ୍ଦିନ ଜୀବନଯନ୍ତ୍ରଣା ଉପରେ ସେମାନଙ୍କର ସେପରି କିଛି ପ୍ରଭାବ ପଡ଼ିନାହିଁ। ୧୯୭୦ ଦଶକରେ ଓ ୧୯୮୦ ଦଶକର ଆଦ୍ୟକାଳରେ ନକ୍ସଲ ଆନ୍ଦୋଳନର ଆଦର୍ଶଗତ ଭିତ୍ତିଭୂମି ରହିଥିଲା। ଆଜିକାଲି ସେମାନେ ଡକାୟତ ବା ଦସ୍ୟୁ ରୂପେ ବିବେଚିତ ହେଉଛନ୍ତି। ଆଦିବାସୀମାନେ ଅନେକ ସମୟରେ ଉଭୟ ନକ୍ସଲ ଓ ରାଷ୍ଟ୍ରୀୟ ଆରକ୍ଷୀ ବାହିନୀ ଦ୍ବାରା ଶାରୀରିକ ନିର୍ଯାତନା ଭୋଗୁଛନ୍ତି ଏବଂ ଏପରିକି ଶିକ୍ଷା ଓ ସ୍ବାସ୍ଥ୍ୟ ସୁବିଧା ଭୋଗ କରିବାରୁ ବଞ୍ଚିତ ହେଉଛନ୍ତି ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ସୁଯୋଗ ପାଇପାରୁନାହାନ୍ତି। ପ୍ରଶାସନର ସ୍ବାଭାବିକ ‘ବିକାଶ’ ଉଦ୍ୟମ ପାଇଁ ସେହି ଅଞ୍ଚଳଗୁଡ଼ିକ ଅଗମ୍ୟ ବୋଲି ସଫେଇ ଦିଆଯାଉଛି। ଆଜି ଆଦିବାସୀମାନେ ଏକପକ୍ଷରେ ମାଓବାଦୀ ଓ ଅପରପକ୍ଷରେ ସଶସ୍ତ୍ର ବାହିନୀଙ୍କ ମଧ୍ୟରେ ଫସିଯାଇଛନ୍ତି। ସେମାନଙ୍କ ପ୍ରତି କେବଳ ସହାନୁଭୂତି ପ୍ରକାଶ କଲେ ଯଥେଷ୍ଟ ହେବନାହିଁ। ଉଭୟ ସରକାରୀ ନୀତି ପ୍ରଣୟନ ଓ ତାକୁ କାର୍ଯ୍ୟକାରୀ କରିବାପାଇଁ ବଳିଷ୍ଠ ସ୍ବର ଉତ୍ତୋଳନ କରାଯିବା ଆବଶ୍ୟକ।

Leave A Reply