ପ୍ରାକୃତିକ ବିପର୍ଯ୍ୟୟ ଓ ଏହାର ମୁକାବିଲା

0

ପଞ୍ଚାନନ କାନୁନ୍‌ଗୋ

ତିତଲିର କ୍ଷୟକ୍ଷତି ସରକାର ଆକଳନ କରି ଚାଲିଛନ୍ତି। ବହୁ ଆଡ଼ମ୍ବର ସତ୍ତ୍ୱେ ଜନଜୀବନ କ୍ଷତି ୭୭ ଟପିଲା, ଅନେକ ଗୃହପାଳିତ ପଶୁପକ୍ଷୀ ମଧ୍ୟ ନଷ୍ଟ ହେଲେ। ୧୭ଟି ଜିଲାରେ ୧୨୮ଟି ବ୍ଲକରେ ପାଖାପାଖି ୭୦ଲକ୍ଷ ଲୋକ ପ୍ରଭାବିତ ହେଲେ। ପାଖାପାଖି ୪ଲକ୍ଷ ହେକ୍ଟର ଜମିର ଫସଲ କ୍ଷୟକ୍ଷତି ହେଲା। ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ପାଖାପାଖି ୧୫୦୦ କୋଟି ଟଙ୍କା ଖର୍ଚ୍ଚ ସରିଲାଣି। ପୁନଃ ନିର୍ମାଣ ପାଇଁ ଦୁଇ ହଜାର କୋଟି ଟଙ୍କାର ଆବଶ୍ୟକତା ଥିବା ଆକଳନ କରାଯାଇଛି। ଏହି କ୍ଷୟକ୍ଷତିର ଆକଳନକୁ ନେଇ ସତ-ମିଛ ତର୍କର ଆବଶ୍ୟକତା ନାହିଁ। କେବଳ ବିପର୍ଯ୍ୟୟ ଓ ଏହାର ପ୍ରଭାବକୁ ସ୍ୱୀକାର କରିବାକୁ ହେବ। ଏହାପରେ କେନ୍ଦ୍ର ରାଜ୍ୟ ମଧ୍ୟରେ ଅପାରଗତା, ଦୁର୍ନୀତି ଓ ଅବହେଳାକୁ ନେଇ ଅନେକ ବିତର୍କ ଉଠିବ ଏବଂ ନିଜ ନିଜର ସଫେଇ ଦେବା ଆରମ୍ଭ ହୋଇଯିବ। ପ୍ରକୃତିକୁ ଦୋଷଦେଇ ନିଜ ଅପାରଗତାକୁ ଢାଙ୍କିବା ଏବଂ ବିପର୍ଯ୍ୟୟରୁ ରାଜନୈତିକ ଓ ଅର୍ଥନୈତିକ ଫାଇଦା ହାସଲ କରିବା ଓଡ଼ିଶା ଶାସକବର୍ଗଙ୍କର ନିତିଦିନିଆ ଓ ଅତି ପୁରାତନ ଅଭ୍ୟାସରେ ପରିଣତ ହୋଇଥିବା ପରି ମନେ ହୁଏ। ଏହାକୁ ନେଇ ସାଧାରଣ ଲୋକେ ମଧ୍ୟ ଅଭ୍ୟସ୍ତ ହୋଇଯିବା ପରି ମନେ ହୁଏ। ଯେଉଁଥିପାଇଁ ଅନେକ ମନେ କରୁଛନ୍ତି ଯେ ସମସ୍ତେ ବିପର୍ଯ୍ୟୟକୁ ନେଇ ଖୁସି ମନାଇଥାନ୍ତି (ଏଭ୍ରିବଡ଼ି ଲଭ୍‌ସ ଏ ଗୁଡ୍‌ ଡ୍ରଟ୍‌: ପି.ସାଇନାଥ। ପ୍ରାକୃତିକ ବିପର୍ଯ୍ୟୟ, ଯଥା- ବାତ୍ୟା,ବନ୍ୟା, ମରୁଡ଼ିରେ ଯେଉଁ କ୍ଷୟକ୍ଷତି ହୁଏ ତାହା ଯେ ରାଜ୍ୟ ତଥା ସାଧାରଣ ଲୋକ, ବିଶେଷତଃ ଚାଷୀମାନଙ୍କର ପ୍ରଭୂତ କ୍ଷତି ଘଟାଇଥାଏ ଏହା ନିଃସନ୍ଦେହ। ଧନଜୀବନର କ୍ଷୟକ୍ଷତି ସବୁଥର ଆକଳନ ହୁଏ। ମାତ୍ରା କମ୍ ବା ବେଶୀ ହୋଇଥାଇପାରେ। ପ୍ରଭାବିତ ହୋଇଥିବା ଲୋକେ ସହାୟତା ପାଇଥାନ୍ତି। ତାହା ସେମାନଙ୍କର ହୋଇଥିବା କ୍ଷତି ପୂରଣ ବା ଭରଣା କରି ନଥାଏ। ଏଇ ଯେପରି ଗତ ‘ତିତଲି’ ବାତ୍ୟାପରେ ରାଜ୍ୟ ସରକାର ଚାଷଜମି କ୍ଷତି ହୋଇଥିଲେ ଜଳସେଚିତ ଜମିର ହେକ୍ଟର ପିଛା ଟ. ୧୩,୫୦୦, ଅଣ ଜଳସେଚିତ ଜମିର ହେକ୍ଟର ପିଛା ଟ.୬,୫୦୦ ଟଙ୍କା କ୍ଷତିପୂରଣ ଦେବାର ଘୋଷଣା କରିଛନ୍ତି। ଅକ୍ଟୋବର ମାସରେ ଚାଷ ଉଜୁଡ଼ିଗଲା। ଗୋଟିଏ ବର୍ଷର ଫସଲ ଗଲା। କାରଣ ଜଳସେଚନ ହେଉ ଅବା ନ ହେଉ ରବି ଋତୁରେ ମୋଟ ଚାଷ ଜମିର ମାତ୍ର ୧୦% ଧାନ ଚାଷ ହୋଇଥାଏ। ତେବେ ସେମାନେ ୧୫ ଦିନର ରିଲିଫ୍ ପାଇବେ ଓ ଏହି ବର୍ଷର ଅବଶିଷ୍ଟ ସମୟ ଚଳିବା କଷ୍ଟକର। ଅବଶ୍ୟ ଟଙ୍କିକିଆ ଚାଉଳ ପାଇବେ। ତେବେ ଘରର ଅନ୍ୟାନ୍ୟ ଗୁଜୁରାଣ ମେଣ୍ଟାଇବେ କିପରି ? ଯେଉଁମାନେ ଚାଷ ଉପରେ ନିର୍ଭର କରି ନଥାନ୍ତି ସେମାନଙ୍କ କଥା ଭିନ୍ନ। ମଜୁରିଆମାନେ ବିଭିନ୍ନ ଭାବେ ପୁନଃ ନିର୍ମାଣ କାର୍ଯ୍ୟ ପାଇବେ। ଚାକିରିଆମାନେ ଦରମା ପାଇବେ। ତେବେ ଯେଉଁ ଅଯଥା ବ୍ୟୟ ଓ ଅପବ୍ୟୟ ହେଲା ତାହା ତ ଅନେକ ସଂପତ୍ତିସୃଷ୍ଟିକାରୀ ବିକାଶମୂଳକ କାର୍ଯ୍ୟରେ ଲାଗି ପାରିଥାନ୍ତା। ରାଜ୍ୟରେ ଯେଉଁ ସରକାର ଦୀର୍ଘଦିନ ହେବ ଗାଦିନସୀନ ହୋଇ ରହି ଆସିଛନ୍ତି ସେ ଗୋଟିଏ ମହାବାତ୍ୟାରୁ ଜନ୍ମ ନେଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ୧୯୯୯ ଅକ୍ଟୋବର ମହାବାତ୍ୟା ସମୟ ପର ଅବ୍ୟବସ୍ଥା ଓ କଂଗ୍ରେସର କ୍ଷମତା କନ୍ଦଳ ଲୋକଙ୍କୁ ସେ ସମୟର ଶାସକଦଳ ପାଖରୁ ଦୂରେଇ ଦେଇଥିଲା। ୨୦୦୦ ମସିହା ନିର୍ବାଚନରେ କଂଗ୍ରେସର ପରାଜୟ ହେଲା। ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ମେଣ୍ଟ ସରକାର ୨୦୦୦ ମସିହା ମାର୍ଚ୍ଚରେ ଆସିଲା। ଦୀର୍ଘ ୧୮ ବର୍ଷକାଳ ଶାସନରେ ରହିବା ସମୟରେ ରାଜ୍ୟର ଏକଅଂଶ ଫାଇଲିନ୍, ହୁଦ୍‌ହୁଦ୍‌, ତିତଲି ପରି ବାତ୍ୟାର ସମ୍ମୁଖୀନ ହୋଇଛି ଓ ଅନେକ ବନ୍ୟା ଓ ମରୁଡ଼ିର ମଧ୍ୟ ସାମନା କରିଛି। ବାତ୍ୟା, ବନ୍ୟା ଓ ମରୁଡ଼ି ଗୋଟିଏଗୋଟିଏ ଅଞ୍ଚଳରେ କ୍ଷତି ପହଞ୍ଚାଇଥାଏ। ଏହା ସତ୍ୟ ଯେ ଅନ୍ୟ ସବୁ ଅଞ୍ଚଳର ଉତ୍ପାଦନ ରାଜ୍ୟର ମୋଟ ଆର୍ଥିକ ସ୍ଥିତିକୁ ପୂରା ଦୋହଲାଇ ଦେଇ ନଥାଏ। ତଥାପି ସରକାର ବିପର୍ଯ୍ୟୟ ପାଇଁ ପ୍ରକୃତିକୁ ଓ କ୍ଷୟକ୍ଷତି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଥିବା ସମସ୍ତଙ୍କ ଅଙ୍ଗେଲିଭା କଥା।
କେତେଦିନ ଏହିପରି ଚାଲିବ ? ଆମ ବିକାଶର ଗତି ମନ୍ଥର ହେବ ଏବଂ ବିପର୍ଯ୍ୟୟ ନାମରେ କରଦାତାଙ୍କ ଧନର ଅପବ୍ୟୟ ଓ କ୍ଷତି ଭରଣାର ବ୍ୟୟ ଭାବେ ବ୍ୟବହୃତ ହୋଇ ଚାଲିଥିବ ?
ପ୍ରକୃତି ତାର ପ୍ରତ୍ୟେକ ସୃଷ୍ଟିକୁ ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ଶିଖାଇଥାଏ। ସେ ସ୍ରଷ୍ଟା। ସୃଷ୍ଟିର କ୍ଷତି ଚାହିଁ ନଥାଏ। ଚଢ଼େଇ ମା’ ଯେପରି ତା ଶାବକଟିକୁ ବସାରୁ ବାହାରକୁ ଠେଲିଦେଇ ଉଡ଼ା ଶିଖାଇଥାଏ ସେହିପରି ପ୍ରକୃତି ମଝିରେମଝିରେ ସୃଷ୍ଟିକୁ ଚେତେଇ ଦେଇଥାଏ। ସୃଷ୍ଟିକୁ ନଷ୍ଟ କରିବାର ପରାଭବ ମଣିଷକୁ ଦେଇଥାଏ। ପ୍ରକୃତିଦତ୍ତ ସଂପତ୍ତିର ଯଥାର୍ଥ ବିନିଯୋଗ କରି ଅଧିକ ସରସ ସୁନ୍ଦର ପୃଥବୀଟିଏ ଚାହେଁ ପ୍ରକୃତି। ନିଜର ଭୋଗଲାଳସାରେ ନଷ୍ଟଭ୍ରଷ୍ଟ କରିବା ହିଁ ପକ୍ଷାନ୍ତରେ ବିପର୍ଯ୍ୟୟ ଟାଣି ଆଣେ। ଅନେକଭାବରେ ବିଚାରକଲେ ‘ପ୍ରକୃତି’ ଅପେକ୍ଷା ବିପର୍ଯ୍ୟୟର କାରଣ ଅନେକ ସମୟର ମଣିଷ ନିଜେ।
ଓଡ଼ିଶାକୁ ପ୍ରକୃତିର ପର୍ଯ୍ୟାପ୍ତ ଦାନର ଉଚିତ ବିନିଯୋଗ କରିବା ମଣିଷ ଶିଖିଲା ନାହିଁ। ଓଡ଼ିଶାର ଭୌଗୋଳିକ ସ୍ଥିତି ଓ ଜଳବାୟୁକୁ ଲକ୍ଷ୍ୟକଲେ ଏହା ଯେ ଅତ୍ୟନ୍ତ ଅନୁକୂଳ ସ୍ୱୀକାର କରିବାକୁ ହୋଇଥାଏ। ବାର୍ଷିକ ହାରାହାରି ୧୫୦୦ ମି.ମି. ବର୍ଷାଜଳ ନଈଦେଇ ସମୁଦ୍ରକୁ ବୋହିଗଲା। ବର୍ଷାଦିନେ ୭୫% ଓ ଅନ୍ୟ ଦିନମାନଙ୍କରେ ୩୮% ଜଳରାଶି ସମୁଦ୍ରକୁ ଚାଲିଗଲା। ଫଳତଃ ପ୍ରକୃତିଦତ୍ତ ଭୂତଳ ଜଳରାଶି ଅସ୍ତବ୍ୟସ୍ତ ଓ ସଂକୁଚିତ ହେବାରେ ଲାଗିଲା। ଏହି ସବୁ ଜଳରାଶିକୁ ବାନ୍ଧି ରଖିବାର ଉଦ୍ୟମ ହେଲାନାହିଁ। ସରକାର ସାଗର, କଟା, ଆଡ଼ି ବନ୍ଧ ସବୁକୁ ପୁନଃନିର୍ମାଣ କରି ବା ନୂଆନୂଆ ପୋଖରୀ (ଜଳାଶୟ) ପ୍ରତ୍ୟେକ ଗାଁ’ରେ ଓ ଜଙ୍ଗଲ ଭିତରେ, ପାହାଡ଼ ତଳେ କରି ପାଟକୁ ପାଣି ଓ ଜୀବଜଗତର ପେଟପାଇଁ ପାଣି ରଖି ପାରିଥାନ୍ତେ। ସେଥିପାଇଁ ଅର୍ଥର ଅଭାବ ଅଛି ବୋଲି କୈଫିୟତ୍ ଅନ୍ତତଃ ଚିନ୍ତାଶୀଳ ବ୍ୟକ୍ତିମାନେ ଗ୍ରହଣ କରିବେ ନାହିଁ। ସାଂସଦ, ବିଧାୟକ କ୍ରମାଗତ ମ୍ୟୁନିସିପାଲିଟି, ପଞ୍ଚାୟତର ଯୋଜନା ସହ ମହାତ୍ମାଗାନ୍ଧି ନାରେଗା ଅର୍ଥର ସଦୁପଯୋଗ କରିଥିଲେ ମାତ୍ର ଦଶବର୍ଷରେ ସବୁ କ୍ଷେତକୁ ପାଣି, ସଭିଙ୍କ ପିଇବା ପାଣି (ମଣିଷ, ପଶୁ, ପକ୍ଷୀ) ଯୋଗାଯାଇ ପାରିଥାନ୍ତା। ଏଥିରେ ମରୁଡ଼ି ଓ ବନ୍ୟା ଉଭୟ ନିୟନ୍ତ୍ରିତ ହୋଇ ପାରିଥାନ୍ତା। ଭୂତଳ ଜଳରାଶିର ସହାୟତା ନେଇ ଚାରିଆଡ଼େ ଗଛଲତାର ସବୁଜିମା ଥାନ୍ତା। ରୌଦ୍ରତାପ ବା ଗ୍ରୀଷ୍ମପ୍ରବାହ ମଧ୍ୟ ଅତିବଡ଼ ଆତଙ୍କ ସୃଷ୍ଟି କରି ନଥାନ୍ତା। ଏକଥା ବିଜ୍ଞାନସମ୍ମତ ଯେ ବର୍ଷାର କାରଣ କୌଣସି ଇନ୍ଦ୍ର ନୁହନ୍ତି। ପ୍ରଭୂତ ଜଳୀୟ ବାଷ୍ପ ହେତୁ ହିଁ ବର୍ଷା ସୃଷ୍ଟି ହୋଇଥାଏ। ତା’ରି କାରଣ ବା କର୍ତ୍ତା ବୃକ୍ଷଲତା, ଜଙ୍ଗଲରାଶି। ଶାସ୍ତ୍ରକାରମାନେ କହିଲେ-
“ଇନ୍ଦ୍ରତ ନୁହଇ ଠାକୁର, ତହୁଁ ବୋଇଲେ ଦାମୋଦର।
ଆମ ଦେବତା ବନିଗିରି, ନିର୍ଝର ଜଳ ଦାନ କଲି।”
ଠିକ୍ ସେହିପରି ବାତ୍ୟା ବା ପବନର ଗତିରୋଧ ପାଇଁ ବିଜ୍ଞାନସମ୍ମତ ବ୍ୟବସ୍ଥାଟିଏ ପ୍ରାକୃତିକ ଉପାୟରେ ସୃଷ୍ଟି କରାଯାଇପାରେ। ପ୍ରଥମେ ବେଗମାନ ପବନକୁ ଖଣ୍ଡବିଖଣ୍ଡିତ କରିବାର ପ୍ରାକୃତିକ ଉପାୟ ଚିନ୍ତା କରିବାର ଅଛି। ଓଡ଼ିଶା ସୀମାରେ ଥିବା ୪୪୨ କି.ମି. ଲମ୍ବ ବେଳାଭୂମି ଅଛି। ଦିଘାଠାରୁ ଗୋପାଳପୁର ପର୍ଯ୍ୟନ୍ତ ବ୍ୟାପ୍ତ। ଏଥିରେ ସମୁଦ୍ର ତଟବର୍ତ୍ତୀ ସହର ଓ ନଦୀମୁହାଣ ମିଶିଲେ ୧୦୦ କି.ମି. ବାଦ୍‌ଯିବ। ବାକି ରହିଲା ୩୪୨ କି.ମି. ଲମ୍ବର ଖାଲି ବେଳାଭୂମି। ସମୁଦ୍ର କୂଳରେ ଦଶ କି.ମି. ଚଉଡ଼ାର ହେନ୍ତାଳ ବା କିଆ, ବେତକୋଳି, ଝାଉଁ, କାଜୁବାଦାମ, ଖଜୁରି, ତାଳ, ନଡ଼ିଆ ଓ ଅନ୍ୟାନ୍ୟ କଣ୍ଟା ଜାତୀୟ, କୋଳି ଜାତୀୟ ଗଛ ଲଗାଇଦେଲେ ପବନର ଗତିପଥ ତଳ ଉପର ଓ ବିକ୍ଷିପ୍ତ ହୋଇ ସ୍ଥଳଭାଗକୁ ଛୁଇଁବା ବେଳକୁ ଯଥେଷ୍ଟ ହ୍ରାସ ପାଇ ଯାଇଥିବ। ଜୁଆର ମାଡ଼ି ଆସିବ ନାହିଁ। ବାଲିଚର ହେବ ନାହିଁ। ଏକ ବିରାଟ ତଟବର୍ତ୍ତୀ ଜଙ୍ଗଲ ସୃଷ୍ଟି ହେବ। ଏହି ଜଙ୍ଗଲର ଗୋଟିଏ ପାଖରେ ଉଚ୍ଚ ତାରବାଡ଼ ଦେଇ ସେଥିରେ ଗାଁମାନଙ୍କରେ ଉତ୍ପାତ କରୁଥିବା ମାଙ୍କଡ଼ ଓ ଷଣ୍ଢମାନଙ୍କୁ ଆଣି ଛାଡ଼ି ଦିଆଯାଇପାରିବ। ଖୁବ୍ ଗୋଟାଏ ଭଲ ପର୍ଯ୍ୟଟନ କ୍ଷେତ୍ର ସୃଷ୍ଟି ହେବ। ଏଥିରେ ସରକାରୀ ଖର୍ଚ୍ଚର ବିଶେଷ ବିନିଯୋଗ ହେବନାହିଁ। ମାତ୍ର ୩୨ ଗୋଟି କର୍ପୋରେଟ ସେକ୍ଟରକୁ ୧୦କି.ମି.ର ଦାୟିତ୍ୱ ଦେଇ ଜଙ୍ଗଲ ବିଭାଗ ନିମନ୍ତେ ମିଳୁଥିବା ଅର୍ଥ ଫଣ୍ଡରୁ ସହଜରେ ଦଶବର୍ଷରେ ଏହା ହୋଇ ପାରିଥାନ୍ତା। ତା’ ହେଲାନାହିଁ କାହିଁକି ? ପାଞ୍ଚକୋଟି ଗଛ ଲାଗିବାର ଘୋଷଣା କିଏ ତଦାରଖ କରିବାକୁ ସମର୍ଥ ହେବ। କରଦାତାଙ୍କ ଧନର ଅପବ୍ୟୟ ହେବ ନିଶ୍ଚୟ। ତେବେ ତଟବର୍ତ୍ତୀ ଜଙ୍ଗଲକୁ ସହଜରେ ମହାଲେଖାକାର ଓ ହିସାବ ନିରୀକ୍ଷକ (ସିଏଜି) ତଦାରଖ କରି ବ୍ୟୟ ଅପବ୍ୟୟର ସତ୍ୟାସତ୍ୟ ସାମନାକୁ ଆଣିବାର ସୁଯୋଗ ଅଛି। ବାତ୍ୟାର ପ୍ରକୋପ ନିଶ୍ଚୟ କମିଥାନ୍ତା। ଗୋପାଳପୁରରୁ ଗଜପତି ଯିବା ବାଟରେ ପଥରୋଧ ହୋଇଥାନ୍ତା। ଏ ସଂପର୍କରେ ଅନେକ ଆଲୋଚନା ହୋଇଛି। ଶୁଣୁଛି କିଏ, କରୁଛି କିଏ ? ଅନ୍ୟକୁ ଦୋଷଦେଇ ଖସିଯିବାର ଉଦ୍ୟମ କେବଳ ଯାହା ଜାରି ରହିଛି।

Comments
Loading...