ସମ୍ବିଧାନ ସଭାରେ ପଞ୍ଚାୟତର ଗୁଞ୍ଜରଣ

0

ଅରୁଣ କୁମାର ପଣ୍ଡା

ସ୍ବାଧୀନତା ପ୍ରାପ୍ତିପରେ କ୍ଷମତାକେନ୍ଦ୍ର ଦିଲ୍ଲୀରୁ ଗାଁକୁ ପହଞ୍ଚାଇବା ଅର୍ଥାତ୍‌ ଶାସନର ଆଧାର ଗ୍ରାମକୁ କରିବା ପାଇଁ ଗାନ୍ଧିଜୀ ଚାହୁଁଥିଲେ। ମହାତ୍ମାଙ୍କ ମତଥିଲା- ‘ଏବେ ସଭାର କେନ୍ଦ୍ରବିନ୍ଦୁ ଦିଲ୍ଲୀ, କଲକାତା, ଅଥବା ମୁମ୍ବଇ, ଅର୍ଥାତ୍‌ ବଡ଼ବଡ଼ ନଗରରେ ରହିଛି। ମୁଁ ଏହାକୁ ଭାରତର ସାତଲକ୍ଷ ଗ୍ରାମ ଭିତରେ ବାଣ୍ଟିବାକୁ ଚାହୁଁଛି। ନିଜର ଏହି ଆକାଙ୍‌କ୍ଷା ମହାତ୍ମାଗାନ୍ଧୀ ପ୍ରକାଶ କରିଥିଲେ ଆମେରିକାର ବିଶିଷ୍ଟ ସାମ୍ବାଦିକ ଲୁଇଫିସରଙ୍କ ଆଗରେ। ‘ମହାତ୍ମା ଗାନ୍ଧୀଙ୍କସହ ଗୋଟିଏ ସପ୍ତାହ’ ନାମକ ପୁସ୍ତକରେ ଲୁଇଫିସର ଏହା ଉଲ୍ଲେଖ କରିଛନ୍ତି। ଆଜି ମଧ୍ୟ ଏହି ମାନଦଣ୍ଡରେ ରାଜ୍ୟ ବ୍ୟବସ୍ଥାକୁ ପରଖା ଯାଇପାରେ।
ଡିସେମ୍ବର ୧୩ ତାରିଖ, ୧୯୪୬ ମସିହାରେ ମହାତ୍ମା ଗାନ୍ଧୀଙ୍କ ରାଜନୈତିକ ଉତ୍ତରାଧିକାରୀ କୁହାଯାଉଥିବା ପଣ୍ଡିତ ଜବାହରଲାଲ ନେହେରୁ ସମ୍ବିଧାନ ପ୍ରଣୟନ ସଭାରେ ଆଗତ କରିଥିବା ‘ଉଦ୍ଦେଶ୍ୟ ପ୍ରସ୍ତାବ’ରେ ଏହି ବିଷୟକୁ ଆଦୌ ଉଲ୍ଲେଖ କରିନଥିଲେ। ସମ୍ବିଧାନ ସଭାରେ ସେ ଲୋକତନ୍ତ୍ରର ଲକ୍ଷ୍ୟ ବିଷୟରେ ଘୋଷଣା କରିଥିଲେ ମଧ୍ୟ ସ୍ବତନ୍ତ୍ର ଭାରତରେ ଗାଁଗୁଡ଼ିକର ସ୍ଥାନ, ସରକାରରେ ଏହାର ଭୂମିକା ଏବଂ ଭାରତୀୟ ଗ୍ରାମ୍ୟଜୀବନ ପରିପ୍ରେକ୍ଷୀରେ ତା’ର ସ‌େଙ୍କତ ମଧ୍ୟ ନଥିଲା। ଜୁଲାଇ ୧୯୪୬ରେ କଂଗ୍ରେସ ଏକ ବିଶେଷଜ୍ଞ ସମିତି ଗଠନ କରିଥିଲା ଏବଂ ସମିତି ନେହେରୁଙ୍କ ଏହି ଉଦ୍ଦେଶ୍ୟ ପ୍ରସ୍ତାବକୁ ସମ୍ମତି ପ୍ରଦାନ କରିଥିଲା। ମହାତ୍ମା ଗାନ୍ଧୀ ଜୀବିତ ଥିବା ଅବସ୍ଥାରେ କଂଗ୍ରେସ ନେତୃତ୍ବ ବାରମ୍ବାର କହୁଥିଲେ ଯେ ତାଙ୍କୁ ମହାତ୍ମାଗାନ୍ଧୀଙ୍କ ଆଶୀର୍ବାଦ ପ୍ରାପ୍ତ ଅଛି। ପରନ୍ତୁ ଏହି ବିଡ଼ମ୍ବନା ଉପରେ ପ୍ରଥମ ଚୋଟ ମହାତ୍ମା ଗାନ୍ଧୀଙ୍କର ଥିଲା। ସେ ୩୦ ଡିସେମ୍ବର ୧୯୪୭ରେ ‘ହରିଜନ’ ପତ୍ରିକାରେ ଲେଖିଥିଲେ- ‘ମୋତେ ଏହା ମାନ୍ୟ କରିବାକୁ ପଡ଼ିବ ଯେ ସମ୍ବିଧାନ ସଭାର କାର୍ଯ୍ୟକୁ ମୁଁ ବୁଝିପାରୁନାହିଁ। କାରଣ ସୂଚିତ ସମ୍ବିଧାନରେ ପଞ୍ଚାୟତ ଏବଂ ବିକେନ୍ଦ୍ରୀକରଣର ସୂଚନା ହିଁ ନାହିଁ। xxxx ପଞ୍ଚାୟତ ପାଖରେ ଯେତେ ଅଧିକ କ୍ଷମତା ରହିବ ସେତେଅଧିକ ଲୋକଙ୍କୁ ବିଶେଷ ଲାଭ ମିଳିବ।’
‘ହରିଜନ’ ପତ୍ରିକାରେ ମହାତ୍ମା ଗାନ୍ଧୀ ନିଜର ଏହି ମତ ବ୍ୟକ୍ତ କଲାବେଳେ ‘ସଂଶୋଧନ ଉଦ୍ଦେଶ୍ୟ ପ୍ରସ୍ତାବ’ ଗୃହୀତ ହୋଇ ସାରିଥିଲା ଜାନୁଆରୀ ୨୨ ତାରିଖ ୧୯୪୭ରେ। ଗାନ୍ଧିଜୀ ଦୀର୍ଘ ୧୧ ମାସ ପ୍ରତୀକ୍ଷା କଲେ। ଏହି ସମୟ ମଧ୍ୟରେ ସମ୍ବିଧାନ ସଭାର ଏକ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ସମିତି କାର୍ଯ୍ୟ କରୁଥିଲା। ଏହା ‘ସମ୍ବିଧାନ ରୂପରେଖ ସମିତି’ ନାମରେ ପରିଚିତ ଥିଲା। ସମ୍ବିଧାନ ସଭା ଏହି ସମିତିର ଗଠନ କରିଥିଲା ୨୯ ଏପ୍ରିଲ ୧୯୪୭ରେ। ସମ୍ବିଧାନ ସଭା ସଚିବାଳୟ ପ୍ରସ୍ତୁତ କରିଥିବା ସମ୍ବିଧାନର ରୂପରେଖକୁ ଏହି ସମିତି ପରୀକ୍ଷାନିରୀକ୍ଷା କରିବା ଦାୟିତ୍ବ ନେଇଥିଲା। ସମ୍ବିଧାନ ସଭାର ପରାମର୍ଶଦାତା ସାର୍‌ ବେନେଗଲ୍‌ ନରସଂିହ ରାଓଙ୍କ ଯୋଜନା ଅନୁସାରେ ଏହି ରୂପରେଖ ପ୍ରସ୍ତୁତ ହୋଇଥିଲା। ସ୍ବତନ୍ତ୍ର ଭାରତରେ ରାଜ୍ୟ ବ୍ୟବସ୍ଥା ସମ୍ପର୍କିତ ଗାନ୍ଧିଜୀଙ୍କ ଭାବାବେଗକୁ ଏଥିରେ ସମ୍ପୂର୍ଣ୍ଣ ଉପେକ୍ଷା କରାଯାଇଥିଲା।
‘ରୂପରେଖ ସମିତି’ ୪, ନଭେମ୍ବର ୧୯୪୮ ଦିନ ‘ସମ୍ବିଧାନ ରୂପରେଖ’କୁ ପ୍ରସ୍ତାବର ଆକାରରେ ସମ୍ବିଧାନ ପ୍ରଣୟନ ସଭାରେ ଉପସ୍ଥାପିତ କଲେ। ପ୍ରକଳ୍ପିତ ସମ୍ବିଧାନ ଦସ୍ତାବିଜ୍‌ରେ ପରିବାର, ଗ୍ରାମ ଓ ପଞ୍ଚାୟତ ବିଷୟ କୌଣସି ସ୍ଥାନରେ ଉଲ୍ଲେଖ ନ ଥିବା କଥା ଆଗରୁ କୁହାଯାଇଛି। ଏଥିପ୍ରତି ସଦସ୍ୟମାନଙ୍କର ଦୃଷ୍ଟି ଆକର୍ଷିତ ହେଲା। ସମ୍ବିଧାନ ସଭାର ଅଧ୍ୟକ୍ଷ ଡଃ ରାଜେନ୍ଦ୍ର ପ୍ରସାଦ ସର୍ବପ୍ରଥମେ ଏହି ଭୁଲକୁ ଧରିଲେ। ସେ​‌େ‌ମ ୧୦ ତାରିଖ, ୧୯୪୮ରେ ବେନେଗଲ୍‌ ନରସିଂହ ରାଓଙ୍କୁ ଏକ ପତ୍ରଲେଖି ସମ୍ବିଧାନ ପ୍ରାରୂପରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଲେ। ଡଃ ପ୍ରସାଦ ଚିଠିରେ ଲେଖିଥିଲେ- ‘ସଂବିଧାନ ଗାଁରୁ ପ୍ରାରମ୍ଭ ହୋଇ କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିବା ଉଚିତ। ଏହି ଦେଶରେ ଆଜି ପର୍ଯ୍ୟନ୍ତ ଗ୍ରାମ ହିଁ ପାରମ୍ପରିକ ଏକକ ଭାବେ ରହିଆସିଛି, ଭବିଷ୍ୟତରେ ମଧ୍ୟ ରହିବ।’
ପୁନଃ ଆଠମାସ ପରେ ସମ୍ବିଧାନ ସଭାର ଅଧିବେଶନ ଆରମ୍ଭ ହେବାମାତ୍ରେ ଚର୍ଚ୍ଚା-ଆଲୋଚନାରେ ପଞ୍ଚାୟତର ପ୍ରଶ୍ନ ପ୍ରମୁଖ ଭାବେ ରହିଲା। ଡାଃ ଭୀମରାଓ ଆମ୍ବେଦକର ନଭେମ୍ବର ୪, ୧୯୪୮ରେ ସଭାରେ ସମ୍ବିଧାନର ପ୍ରାରୂପ ଉପସ୍ଥାପିତ କଲେ ଏବଂ ଏ ନେଇ ଯେଉଁ ତତ୍ତ୍ବ ଓ ତର୍କ ବାଢ଼ିଲେ ତାହାକୁ ସଦସ୍ୟମାନେ ସହଜରେ ଗ୍ରହଣ କରିପାରିଲେ ନାହିଁ। ସଦସ୍ୟମାନଙ୍କ ମନରେ ଦୁଇଟି ପ୍ରଶ୍ନ ଗୁଞ୍ଜରିତ ହେଉଥିଲା- (୧) ସରକାରର ରୂପରେଖ କ’ଣ ହେବ? (୨) ସେଥିପାଇଁ କେଉଁ ପ୍ରକାରର ସାମ୍ବିଧାନିକ ବ୍ୟବସ୍ଥା କରାଯାଇଛି? ସଦସ୍ୟମାନେ ସମ୍ବିଧାନ ସଭାର ପ୍ରାରୂପ ନେଇ ମଧ୍ୟ ପ୍ରଶ୍ନ ଉଠାଇଲେ। ସେମାନେ ଗଣତନ୍ତ୍ରକୁ ଅଧିକ ବ୍ୟାପକ କରିବା ପାଇଁ ଚାହୁଁଥିଲେ। ସେଥିପାଇଁ ଗ୍ରାମ ସ୍ବରାଜ୍ୟକୁ ସାକାର କରିବା ଦୃଷ୍ଟିରୁ ପଞ୍ଚାୟତପ୍ରଣାଳୀ ଆଧାରିତ ରାଜ୍ୟ ବ୍ୟବସ୍ଥା ସପକ୍ଷରେ ଜଣକ ପରେ ଜଣେ ଦୃଢ଼ ଯୁକ୍ତି ବାଢ଼ିବାକୁ ଲାଗିଲେ। ଶାସନ ବା ସରକାରର କେନ୍ଦ୍ରୀକରଣ ହେଲେ ସଂଘୀୟ ପ୍ରଣାଳୀ ଶାସନ ପାଇଁ ଯେଉଁ ପ୍ରତିଶ୍ରୁତି ଲୋକଙ୍କୁ ଦିଆଯାଇଥିଲା ସେଥିପ୍ରତି ବିଶ୍ବାସଘାତକତା ହେବ।
କେନ୍ଦ୍ରକୁ ଅଧିକ କ୍ଷମତା ବା ଅଧିକାର ଦେବା ଅର୍ଥ ଗଣତନ୍ତ୍ର ପ୍ରତି ବିପଦ ବୋଲି ପ୍ରାୟ ଅଧିକାରୀ ସଦସ୍ୟ ଆଶଙ୍କା ପ୍ରକଟ କରିଥିଲେ। ଭାରତର ବିଭାଜନ ପରେ ନେତୃତ୍ବ ଆଗରେ ସବୁଠାରୁ ବଡ଼ ପ୍ରଶ୍ନ ଥିଲା ଦେଶର ଏକତା ଓ ଏକାତ୍ମକତା। ତେଣୁ ସମ୍ବିଧାନର ପ୍ରାରୂପ ଏକାତ୍ମଶାସନ ବା କେନ୍ଦ୍ରିତ ଶାସନ ଆଡ଼କୁ ଢଳୁଥିଲା। ଶାସନରେ ସଂଘୀୟ ବ୍ୟବସ୍ଥାକୁ ଟିକେ କମ୍‌ ଗୁରୁତ୍ବ ଦିଆଯାଉଥିଲା।
ଆଜି ଦେଶରେ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ଥାଇପାରେ, ପରନ୍ତୁ ସେଥିରେ ଯେଭଳି ସୁରାଜ ଓ ସ୍ବରାଜ୍ୟର ସୁଗନ୍ଧ ପ୍ରକଟିତ ହେବାକଥା, ତାହା ହେଲାନାହିଁ। ଏଥିପାଇଁ ଗାନ୍ଧିଜୀଙ୍କ ମନରେ ଅନ୍ତିମ ସମୟ ପର୍ଯ୍ୟନ୍ତ ଦୁଃଖ ହିଁ ରହିଗଲା। ଆଜିର ଶିକ୍ଷିତ ଯୁବସମାଜ ଏ ଦିଗରେ ଅଧ୍ୟୟନ, ଗବେଷଣା ଦ୍ବାରା ଦେଶର ଭବିଷ୍ୟତ ପ୍ରତିନିଧିମୂଳକ ଶାସନ ବ୍ୟବସ୍ଥାକୁ ସ୍ବଚ୍ଛ ଓ ସୁଦୃଢ଼ ରଖିବା ପାଇଁ ସଚେତନ ହେବା ଆବଶ୍ୟକ।
ବରିଷ୍ଠ ସାମ୍ବାଦିକ, ୧୩୪୮/୪-ସି, ସେକ୍ଟର-୬, ସିଡିଏ, କଟକ-୧୪
ଅମୂଲ୍ୟ ସଂପଦ

Leave A Reply