ରାଜପଥ ନା ମରଣଯନ୍ତା?

0

ପ୍ରଦୋଷ ପଟ୍ଟନାୟକ

ଆଜିକାଲି ଖବରକାଗଜ ପୃଷ୍ଠା ଓଲଟାଇଲେ ପ୍ରତି ପୃଷ୍ଠାରେ ଦୁର୍ଘଟଣାଜନିତ ଅପମୃତ୍ୟୁର ଖବର ଅଧିକ ପଢ଼ିବାକୁ ମିଳୁଛି। ସେଥିରୁ ଅଧିକାଂଶ କେବଳ ସଡ଼କ ଦୁର୍ଘଟଣା ଖବର। ଆମ ରାଜ୍ୟରେ ସଡ଼କ ଦୁର୍ଘଟଣା ଯେପରି ଦ୍ରୁତଗତିରେ ବୃଦ୍ଧି ପାଉଛି, ତାକୁ ଦେଖିଲେ ମନେହୁଏ ଜଣେ ଘରୁ ଥରେ ବାହାରିଲେ ପୁଣି ଘରକୁ ଫେରିବା ସତେ ଯେପରି ଭାଗ୍ୟ ଓ ଭଗବାନଙ୍କ ହାତରେ। ସଡ଼କ ଦୁର୍ଘଟଣାକୁ ରୋକିବା ନିମନ୍ତେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ସରକାରୀ ଓ ବେସରକାରୀ ସ୍ତରରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ। ସଡ଼କ ନିରାପତ୍ତା ସପ୍ତାହ ପାଳିତ ହୋଇ ସଭାସିମିତି ଓ ଆଲୋଚନାଚକ୍ରର ଆୟୋଜନ କରାଯାଏ। ମାତ୍ର ଏ ସବୁର କାଣିଚାଏ ପ୍ରଭାବ ଅନୁଭୂତ ହେଉନାହିଁ।
ମଦ ପିଇ ଗାଡ଼ି ଚଳାଇବା, ଖାମଖିଆଲି ଓ ବେପରୁଆ ଭାବରେ ଗାଡ଼ିଚାଳନା, ଲାଇସେନ୍‌ସ ନଥାଇ ଗାଡ଼ିଚଳା ଶିଖିନଥିବା ପିଲାମାନେ ଗାଡ଼ି ଚଳାଇବା, ବିନା କାରଣରେ ନିର୍ଦ୍ଧାରିତ ସୀମାଠାରୁ ଖୁବ୍‌ ଅଧିକ ବେଗରେ ଗାଡ଼ିଚାଳନା, ସର୍ବୋପରି ଗୋଟିଏ ଗାଡ଼ିକୁ ଟପି ଆଗକୁ ଚାଲଯିବାର (ଓଭରଟେକ୍‌) ବିପଜ୍ଜନକ ମାନସିକତା ହିଁ ସଡ଼କ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ସାଧାରଣତଃ ବିଚାର କରାଯାଇଥାଏ। ଏଇ ବର୍ଷର ଶାରଦୀୟ ଦୁର୍ଗାପୂଜା ତଥା ଅନ୍ୟାନ୍ୟ ପୂଜାପାର୍ବଣ ସମୟରେ ଆମ ରାଜ୍ୟରେ ଏତେ ଅଧିକ ସଂଖ୍ୟକ ଦୁର୍ଘଟଣାର ଖବର ସାମନାକୁ ଆସିଛି ଯେ, ଯାହାର ହିସାବରଖିବା ମଧ୍ୟ କଷ୍ଟକର ହୋଇଛି। ସବୁ ଦୁର୍ଘଟଣା ଓ ପ୍ରାଣହାନିର ଖବର ଗଣମାଧ୍ୟମ ସାମନାକୁ ଆସିପାରିନାହିଁ। କେବଳ ଯେଉଁ କେତୋଟି ବଡ଼ ଦୁର୍ଘଟଣାରେ ଅଧିକ ସଂଖ୍ୟକ ଲୋକ ମୃତାହତ ହୋଇଛନ୍ତି ଏବଂ ଘଟଣାଟି ପୁଲିସ ନଜରକୁ ଆସି ମାମଲା ରୁଜୁ ହୋଇଛି, ତାକୁ ବି ହିସାବକୁ ନେଲେ ବିଚଳିତ ହେବାର ଅନେକ କାରଣ ରହିଛି।
ଦଶହରା ସନ୍ଧ୍ୟାରେ ଯେତେବେଳେ ସାରାଦେଶ ଓ ରାଜ୍ୟ ଉତ୍ସବମୁଖର ଏବଂ ଆନନ୍ଦ ଉଲ୍ଲାସର କୋଳାହଳ, ଠିକ୍‌ ସେତିକିବେଳେ ରାଜଧାନୀ ଉପକଣ୍ଠରେ ଘଟିଥିଲା ଛାତିଥରାଇଦେବା ଭଳି ଏକ ସଡ଼କ ଦୁର୍ଘଟଣା। ଏଥିରେ ଉତ୍ସବକୁ ଉପଭୋଗ କରି ନିଜ କାରରେ ଘରକୁ ଫେରୁଥିବା ଗୋଟିଏ ୪ଜଣିଆ ପରିବାର ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଥିବା ବେଳେ ଅନ୍ୟ ଏକ ପରିବାରର ଯୁବମୁରବୀ ଓ ତାଙ୍କ ମାଆଙ୍କ ଜୀବନଦୀପ ନିମିଷକ ମଧ୍ୟରେ ଲିଭିଯାଇଛି। ବାଇକ୍‌ ଆରୋହୀ ମାଆପୁଅ ମଧ୍ୟ ରାଜଧାନୀର ପୂଜାମଣ୍ଡପ ବୁଲି ଘରକୁ ଫେରୁଥିଲେ। ଦଶହରା ସନ୍ଧ୍ୟାରେ ଯେତେବେଳେ ପଞ୍ଜାବର ଅମୃତସର୍‌ଠାରେ ରାବଣପୋଡ଼ି ଦେଖୁଥିବା ଲୋକଙ୍କ ଉପରେ ଟ୍ରେନ ମାଡ଼ିଯାଇ ମରଣର ତାଣ୍ଡବଲୀଳା ସୃଷ୍ଟିହେଉଛି, ସେତିକିବେଳେ ରାଜଧାନୀ ଉପକଣ୍ଠ ଉତ୍ତରାଛକ ନିକଟରେ କାର-ବାଇକ୍‌ ଧକ୍କାରେ ଛ’ଜଣଙ୍କ ନିର୍ଜୀବ ମୃତଦେହ ରାଜପଥ ଉପରେ ପଡ଼ିରହି ଶିହରଣ ସୃଷ୍ଟି କରିଥିଲା। କିଛି ମାସ ପୂର୍ବେ ଭଦ୍ରକର ରାଣୀତାଳ ନିକଟରେ ଘଟିଥିବା ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣା ରାଜ୍ୟରେ ଶୋକଲହରୀ ଖେଳାଇ ଦେଇଥିଲା। ରାଣୀତାଳ ଉଚ୍ଚ ଇଂରାଜୀ ବିଦ୍ୟାଳୟ ଛୁଟି ହେବାପରେ ୯ଜଣ ଛାତ୍ରଛାତ୍ରୀ ନିଜ ନିଜର ସାଇକେଲ ଚଢ଼ି ୧୬ନମ୍ବର ଜାତୀୟ ରାଜପଥ ପାରି ହେଉଥିବାବେଳେ ଏକ ଦ୍ରୁତଗାମୀ ଦଶଚକିଆ ଟ୍ରକ୍‌ ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ୫ଜଣ ଛାତ୍ରୀଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୪ଜଣ ଗୁରୁତରଭାବରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଜାତୀୟ ରାଜପଥ ଉପରେ ଚାହୁଁଚାହୁଁ ପାଞ୍ଚଟି ସମ୍ଭାବନାମୟ ଅମୂଲ୍ୟ ଜୀବନର ଅକାଳରେ ଅବସାନ ଘଟିଲା।
ଓଡ଼ିଶା ଭିତର ଦେଇ ଯାଇଥିବା ଜାତୀୟ ରାଜପଥ ଯେ କେବଳ ମରଣଯନ୍ତା ପାଲଟିଛି ତାହା ନୁହେଁ, ରାଜଧାନୀ ଭୁବନେଶ୍ବର ସମେତ ଅଧିକାଂଶ ସହରାଞ୍ଚଳରେ ରାସ୍ତା ଦୁର୍ଘଟଣା ବର୍ତ୍ତମାନ ଏକ ନିିତିଦିନିଆ ଘଟଣାରେ ପରିଣତ ହୋଇଛି। ଏଥିରେ ଦୈନିକ କେତେ ଯେ ଜୀବନ ଚାଲିଯାଉଛି, ତା’ର ହିସାବ ରଖିବା କଷ୍ଟକର ହୋଇପଡ଼ିଲାଣି। କିଛିଦିନ ପୂର୍ବେ ବିଳମ୍ବିତ ରାତିରେ ରାଜଧାନୀର କେନ୍ଦ୍ରସ୍ଥଳ ବାଣୀବିହାର ନିକଟ ସତ୍‌ସଙ୍ଗ ବିହାର ଆଗରେ ଏକ ଦାମୀ କାର୍‌ ଦୁର୍ଘଟଣାଗସ୍ତ ହେବାରୁ ୩ଜଣ ଯୁବଇଞ୍ଜିନିୟରଙ୍କ ଅକାଳ ବିୟୋଗ ଘଟିଥିଲା। ଦ୍ରୁତଗାମୀ କାର୍‌ଟି ଗୋଟିଏ ବଡ଼ ଗାଡ଼ିକୁ ପଛପଟୁ ଧକ୍କା ଦେଇ ଚୁରମାର୍‌ ହୋଇଯାଇଥିଲା ଏବଂ ସେଥିରେ ନିଆଁ ଲାଗିଯାଇଥିଲା।
ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଦେଶର ବିଚାରାଳୟ ବିଭିନ୍ନ ସମୟରେ ନିର୍ଦେଶ ଦେଇଥିବାର ଦୃଷ୍ଟାନ୍ତ ରହିଛି। ସ୍କୁଲବସ୍‌ଗୁଡ଼ିକରେ କି ପ୍ରକାର ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବ, ସେଥିନେଇ ମଧ୍ୟ କେତେକ ନିର୍ଦେଶ ଦିଆଯାଇଛି। ମାତ୍ର ବହୁକ୍ଷେତ୍ରରେ ଏହିସବୁ ନିର୍ଦେଶକୁ ଠିକ୍‌ ଭାବରେ ପାଳନ କରାଯାଉନାହିଁ। ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣାଧୀନ କରିବାପାଇଁ ଆଇନ୍‌ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ଯେଉଁଠି ରାଜପଥ କଡ଼ରେ ବିଦ୍ୟାଳୟ ବା ମହାବିଦ୍ୟାଳୟ ରହିଛି, ସେଠାରେ ସ୍କୁଲ ଆରମ୍ଭ ଓ ଛୁଟି ସମୟରେ ସ୍ବତନ୍ତ୍ର ପୁଲିସ ସ୍କ୍ବାଡ଼ ନିୟୋଜିତ କରିବାକୁ ପଡ଼ିବ। ତେବେ କେବଳ କଠୋର ଆଇନ୍‌ ପ୍ରଣୟନ ଯଥେଷ୍ଟ ନୁହେଁ, ଛାତ୍ରଛାତ୍ରୀ ଅଭିଭାବକ ଓ ଜନସାଧାରଣଙ୍କ ମଧ୍ୟରେ ଏଥିନେଇ ସଚେତନତା ସୃଷ୍ଟିକୁ ସର୍ବାଧିକ ଗୁରୁତ୍ବ ଦେବାକୁ ହେବ।
ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ଭୁବନେଶ୍ବର

Leave A Reply