ସଙ୍କଟରେ ସିବିଆଇ, କାଠଗଡ଼ାରେ ସରକାର

0

ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇରେ ଦୁଇ ମୁଖ୍ୟ ଅଧିକାରୀଙ୍କ ମଧ୍ୟରେ ଲଢ଼େଇ କେବଳ ଏହି ଗୁରୁତ୍ବପୂର୍ଣ୍ଣ ସଂସ୍ଥାକୁ ବଦନାମ କରିନାହିଁ, ସରକାରଙ୍କୁ ମଧ୍ୟ ଏବେ କାଠଗଡ଼ାକୁ ଟାଣିଆଣିଛି। ସରକାର ମଙ୍ଗଳବାର ମଧ୍ୟରାତ୍ରିରେ ଏକ ଅସାଧାରଣ ପଦକ୍ଷେପ ନେଇ ବିବାଦୀୟ ସିବିଆଇ ନିର୍ଦେଶକ ଆଲୋକ ବର୍ମା ଓ ସ୍ବତନ୍ତ୍ର ନିର୍ଦେଶକ ରାକେଶ ଅସ୍ଥାନାଙ୍କୁ ଛୁଟିରେ ପଠାଇଦେଇଛନ୍ତି। ତେବେ ଏଭଳି ପଦକ୍ଷେପର ଆଇନଗତ ଓ ନୈତିକ ଦିଗ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଯାହା ସ୍ବାଭାବିକ। ନିର୍ଦେଶକ ଶ୍ରୀ ବର୍ମା ସରକାରଙ୍କ ପଦକ୍ଷେପ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବାପରେ ବର୍ତ୍ତମାନ ମାମଲାଟି କେବଳ ସିବିଆଇ ନିର୍ଦେଶକ ବନାମ ସ୍ବତନ୍ତ୍ର ନିର୍ଦେଶକ ନହୋଇ ସିବିଆଇ ନିର୍ଦେଶକ ବନାମ ସରକାର ପାଲଟିସାରିଛି। କହିବା ବାହୁଲ୍ୟ ଯେ ସରକାର ଏହି ପଦକ୍ଷେପକୁ ଉଚିତ ବୋଲି ସଫେଇ ଦେଉଥିବାବେଳେ ଏହା ସିବିଆଇର ବିଶ୍ବସନୀୟତାକୁ ଅଧିକ ସଙ୍କଟ ଭିତରକୁ ଠେଲିଦେବାର ଆଶଙ୍କା ସୃଷ୍ଟି କଲାଣି। ଶ୍ରୀ ବର୍ମା କେବଳ ତାଙ୍କୁ ହଟାଇବା ନେଇ ଆଇନଗତ ପ୍ରଶ୍ନ ଉଠାଇନାହାନ୍ତି, ସେ ସିବିଆଇ ଉପରେ ରାଜନେତା ଓ ସରକାରଙ୍କ ହସ୍ତକ୍ଷେପ ନେଇ ମଧ୍ୟ ଅଙ୍ଗୁଳି ନିର୍ଦେଶ କରିଛନ୍ତି, ଯାହା ଖୁବ୍ ଗୁରୁତ୍ବପୂର୍ଣ୍ଣ। ତାଙ୍କ କଥାରୁ ଯାହା ମୋଟିମୋଟି ଆଭାସ ମିଳୁଛି, ତାହା ହେଲା ସେ ରାଜନୈତିକ ଦୃଷ୍ଟିରୁ ଗ୍ରହଣୀୟ ହୋଇପାରିଲେନି ବୋଲି ତାଙ୍କୁ ଏଭଳି ଦଶା ଭୋଗିବାକୁ ପଡ଼ିଲା। ଅଧରାତିରେ କାର୍ଯ୍ୟଭାର ଗ୍ରହଣ କରିଥିବା କାର୍ଯ୍ୟକାରୀ ନିର୍ଦେଶକ ଏମ୍. ନାଗେଶ୍ବର ରାଓ ପଦାସୀନ ହେଉହେଉ ଶ୍ରୀ ଅସ୍ଥାନାଙ୍କ ବିରୋଧରେ ତଦନ୍ତ କରୁଥିବା ଅଧିକାରୀମାନଙ୍କୁ ବଦଳି କରିବା ଘଟଣାକୁ ଆହୁରି ସନ୍ଦେହଜନକ କରିଦେଇଛି; କାରଣ ଶ୍ରୀ ବର୍ମା ହିଁ ଶ୍ରୀ ଅସ୍ଥାନାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ତଦନ୍ତ କରାଉଥିଲେ। ଏଭଳି ପଦକ୍ଷେପ କେବଳ କାର୍ଯ୍ୟକାରୀ ନିର୍ଦେଶକଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିନାହିଁ, ସରକାରଙ୍କ ନୈତିକତା ମଧ୍ୟ ସଂଶୟ ଘେରକୁ ଆସୁଛି। ଶ୍ରୀ ଅସ୍ଥାନା ପ୍ରଧାନମନ୍ତ୍ରୀଙ୍କ ଭରସାଯୋଗ୍ୟ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ଅଭିଯୋଗ ଗୁରୁତ୍ବପୂର୍ଣ୍ଣ ନିଶ୍ଚୟ। ସୂଚନାଯୋଗ୍ୟ ଯେ ଶ୍ରୀ ବର୍ମା ଶ୍ରୀ ଅସ୍ଥାନାଙ୍କ ନିଯୁକ୍ତି ନେଇ ପୂର୍ବରୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।
ଯଦି ଆମେ ଆଇନଗତ ଦିଗକୁ ଦେଖିବା, ତେବେ ସରକାର ସିବିଆଇ ନିର୍ଦେଶକଙ୍କ ବିରୋଧରେ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଅନୁଚିତ ମନେହୁଏ। କେନ୍ଦ୍ରୀୟ ସତର୍କତା ଆୟୋଗ (ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ) ତାଙ୍କ ନିର୍ଦେଶରେ କହିଛନ୍ତି ଯେ ଯେହେତୁ ବିବାଦୀୟ ସ୍ଥିତି ଉପୁଜିଛି, ତାଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଲା। ଶ୍ରୀ ବର୍ମା ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ସମ୍ପର୍କରେ ସିଭିସି ଦ୍ବାରା ଆହୂତ ଦସ୍ତାବିଜ୍ ପ୍ରଦାନ କରିନଥିଲେ ବୋଲି ଉଲ୍ଲେଖ କରାଯାଇଛି। ତେବେ ଏହା ତାଙ୍କୁ କର୍ମଚ୍ୟୁତ କରିବାର ଏକ ଯଥାର୍ଥ କାରଣ, ତାହା ମନେହେଉ ନାହିଁ। ସର୍ବାଧିକ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା, ଦିଲ୍ଲୀ ସ୍ପେଶାଲ ପୁଲିସ ଏଷ୍ଟାବ୍ଲିଶମେଣ୍ଟ ଆକ୍ଟର ଧାରା ୪ବି ସିବିଆଇ ନିର୍ଦେଶକ ପଦକୁ ଦୁଇବର୍ଷ ନିଶ୍ଚିତ କରିଥାଏ। ଏଥିରେ ସ୍ପଷ୍ଟଭାବେ ଉଲ୍ଲେଖ ଅଛି ଯେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟି ବିନା ତାଙ୍କୁ କେହି ବଦଳି କରିପାରିବେ ନାହିଁ (ଏହି କମିଟି ହିଁ ନିଯୁକ୍ତି ଦେଇଥାଏ)। ଏ କ୍ଷେତ୍ରରେ ତାହା ଉଲ୍ଲଙ୍ଘନ ହୋଇଥିବା ମନେହୁଏ; କାରଣ ସରକାର ନିଜେ ନିର୍ଦେଶକଙ୍କ ସ୍ଥାନରେ ଜଣକୁ କାର୍ଯ୍ୟକାରୀ ନିର୍ଦେଶକ ଭାବେ ଅବସ୍ଥାପିତ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏ ବିଷୟକୁ ବିଚାରକୁ ​‌େ​‌ନଇପାରନ୍ତି; ଯେହେତୁ ଏହି ମାମଲାରେ ରାଜନୈତିକ ଓ ପ୍ରାଶାସନିକ ହସ୍ତକ୍ଷେପ ଖୁବ୍ ସ୍ପଷ୍ଟ। ସୂଚନାଯୋଗ୍ୟ, ସିବିଆଇର କାର୍ଯ୍ୟ ଓ ଭୂମିକା ନେଇ ୨୦୧୩ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟ ଅସନ୍ତୋଷ ପ୍ରକାଶ କରି ତାକୁ ‘ମାଲିକ ଇସାରାରେ ଗୀତ ଗାଉଥିବା ଏକ ପଞ୍ଜୁରୀବଦ୍ଧ ଶୁଆ’ ବୋଲି କହିଥିଲେ। ଏହି ‘ମାଲିକ’ ଆଉ କେହି ନୁହନ୍ତି, ଖୋଦ୍ ସରକାର ବୋଲି ବୁଝିବା କଷ୍ଟ ନୁହେଁ। ସେତେବେଳେ ସର୍ବୋଚ୍ଚ ନ୍ୟାୟାଳୟ ସିବିଆଇର ସ୍ବାୟତ୍ତତା ବଜାୟ ରଖିବା ପାଇଁ ଏହାର ନିର୍ଦେଶକ ନିଯୁକ୍ତି ପ୍ରକ୍ରିୟାକୁ ପରିବର୍ତ୍ତନ କରିବା ପାଇଁ ନିର୍ଦେଶ ଦେଇଥିଲେ। ସେହି ଅନୁସାରେ ବ୍ୟବସ୍ଥାର ବିଭିନ୍ନ ଅଙ୍ଗର ପ୍ରତିନିଧି ମିଶି ଏହାର ନିର୍ଦେଶକ ମନୋନୟନ କରିବେ ବୋଲି ଆଇନଗତ ଭାବେ ନିଷ୍ପତ୍ତି ନିଆଯାଇଥିଲା ଏବଂ ନିର୍ଦେଶକଙ୍କ ପାଇଁ ଦୁଇବର୍ଷିଆ କାର୍ଯ୍ୟକାଳ ମଧ୍ୟ ନିର୍ଦ୍ଧାରିତ ହୋଇଥିଲା। ଏହି ପ୍ରକ୍ରିୟା ଅନୁସାରେ ଅନିଲ ସିହ୍ନା ପ୍ରଥମ ନିର୍ଦେଶକ ନିଯୁକ୍ତ ହୋଇଥିଲେ, ଯାହାଙ୍କ କାର୍ଯ୍ୟକାଳ ପ୍ରାୟ ନିର୍ବିବାଦୀୟ ରହିଥିଲା। କିନ୍ତୁ ସେ ଯିବାପରଠାରୁ ହିଁ ସ୍ଥିତି ବିଗିଡ଼ିଛି ଓ ଏବେ ସିବିଆଇ ଘୋର ସଙ୍କଟରେ।
ନରେନ୍ଦ୍ର ମୋଦୀ ସରକାରଙ୍କ କେବଳ ସିବିଆଇ ସଂପର୍କିତ ପଦକ୍ଷେପ ନେଇ ପ୍ରଶ୍ନ ଉଠିନାହିଁ, ପୂର୍ବରୁ ନିର୍ବାଚନ ଆୟୋଗ, ଭାରତୀୟ ରିଜର୍ଭ ବ୍ୟାଙ୍କ, ଏପରିକି ନ୍ୟାୟାଳୟ ଉପରେ ଚାପ ପ୍ରୟୋଗ କରି ତା’ର ସ୍ବାୟତ୍ତତାକୁ ଖର୍ବ କରୁଥିବା ଅଭିଯୋଗ ହୋଇଆସୁଛି। କହିବା ବାହୁଲ୍ୟ ଯେ ଏହାଦ୍ବାରା ସଂପୃକ୍ତ ସଂସ୍ଥାଗୁଡ଼ିକ ଦୁର୍ବଳ ହେବା ସହ ଜନସାଧାରଣଙ୍କ ବିଶ୍ବସନୀୟତା ହରାଇବା ସ୍ବାଭାବିକ। ବର୍ତ୍ତମାନ ସିବିଆଇକୁ ସଙ୍କଟରୁ ଉଦ୍ଧାର କରି କିଭଳି ତା’ର ସ୍ବାୟତ୍ତତାକୁ ବଜାୟ ରଖାଯିବ, ତାହା ଏକ ବଡ଼ ଚିନ୍ତା। ଏ କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟଙ୍କର ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ଓ ସୁଯୋଗ ରହିଛି। ଦେଶର ଏହି ପ୍ରମୁଖ ତଦନ୍ତକାରୀ ସଂସ୍ଥା ଯେପରି ପୂର୍ବାପେକ୍ଷା ଅଧିକ କର୍ମଠ, ଦକ୍ଷ ଓ ବିଶ୍ବସନୀୟ ହୋଇପାରିବ, ସେ ଦିଗରେ ଉଦ୍ୟମ ହେବା ଆବଶ୍ୟକ।

Leave A Reply