ଧର୍ମୀୟ ସହାବସ୍ଥାନ: ଏକ ସଂସ୍କୃତି

0

ଭାଗୀରଥି ମହାସୁଆର

ବେଳେବେଳେ ଅତୀତକୁ ଘାଣ୍ଟିବାକୁ ଇଚ୍ଛା ହୁଏ। ଅଥଚ ଏ କଥାଟି ସମସ୍ତଙ୍କୁ ପସନ୍ଦ ନୁହେଁ। କାରଣ ସେମାନଙ୍କ ମତରେ ଅତୀତରେ କେବଳ ମୂର୍ଖତା ଥିଲା ଓ ଜ୍ଞାନ ହେଉଛି ଆଜିକାଲିର ଫସଲ। ଅବଶ୍ୟ ଏ ଧାରଣାର ବିପରୀତଟି ସତ ବୋଲି ସାବ୍ୟସ୍ତ କରିବାକୁ ଆମ ପାଖରେ ଯଥେଷ୍ଟ ତଥ୍ୟ ମହଜୁଦ୍‌ ଅଛି। ତଥ୍ୟ ସଂଗ୍ରହ ଉଦ୍ୟମ ଭିତରେ ଆମକୁ ଭଲ ଲାଗିଥିବା ଗୋଟିଏ ପ୍ରବନ୍ଧ ହେଲା ‘ଟାଇମ୍ସ ଅଫ୍‌ ଇଣ୍ଡିଆ’ରେ ପ୍ରକାଶିତ ସବା ନକ୍‌ଭିଙ୍କ ‘ଆଲ୍ଲା ଉଇଥ୍‌ ଲର୍ଡ ଶିବ’। ଅମରନାଥ ଯାତ୍ରୀଙ୍କ ଉପରେ ସନ୍ତ୍ରାସବାଦୀଙ୍କ ଆକ୍ରମଣରେ ବ୍ୟଥିତ ହୋଇ ସେ ଏ ପ୍ରବନ୍ଧଟି ଲେଖିଥିଲେ। ପ୍ରକୃତରେ ସନ୍ତ୍ରାସବାଦୀଙ୍କର ଧାରଣା ନାହିିଁ ଯେ ଅମରନାଥଙ୍କ ଦର୍ଶନ ପାଇଁ ଉଭୟ ହିନ୍ଦୁ ଓ ମୁସଲ୍‌ମାନମାନେ ଯାଇଥାଆନ୍ତି। ତୀଖ ପାହାଡ଼ ରାସ୍ତାରେ ଯେଉଁମାନେ ଯାତ୍ରୀଙ୍କୁ ବାଟ କଢ଼େଇ ନିରାପଦରେ ଚଲେଇ ନିଅନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁସଲ୍‌ମାନ। ଯେହେତୁ ସ୍ଥାନୀୟ ସେମାନେ ନିର୍ଭରଯୋଗ୍ୟ, ସଚ୍ଚୋଟ ତଥା ଧର୍ମୀୟ ସଂକୀର୍ଣ୍ଣତାର ଊର୍ଦ୍ଧ୍ବରେ। ଏହା ଶହଶହ ବର୍ଷର ପରମ୍ପରା ଏବଂ ସନ୍ତ୍ରାସବାଦର ଜନ୍ମ ଏଇ କିଛି ମାତ୍ର ବର୍ଷ ପୂର୍ବେ। ଏ ସହଯୋଗ ଏକ ‘କଶ୍ମିରୀ’ ସଂସ୍କାର; ଯାହା ହିନ୍ଦୁ ବା ମୁସଲମାନଙ୍କ ମଧ୍ୟରେ ବିଭାଜିତ ନୁହେଁ। ସନ୍ତ୍ରାସବାଦର ସୃଷ୍ଟି ଏବଂ ବ୍ୟାପକତା ହୋଇଛି ଦେଶର ଧର୍ମୀୟ ବିଭାଜନ, କଶ୍ମୀରର ଝୁଲା ଅବସ୍ଥା ଓ କଶ୍ମୀରରୁ ହିନ୍ଦୁ ବିତାଡ଼ନ ପରଠାରୁ। ଏହାର ଉଚିତ ସମାଧାନ ହୋଇନାହିଁ ସ୍ବାଧୀନ ଭାରତର ପ୍ରଥମ ପିଢ଼ିର ଅଦୂରଦର୍ଶୀ ରାଜନେତା ଓ ତାଙ୍କୁ ରକ୍ଷଣଶୀଳ ଭାବେ ଅନୁଧାବନ କରୁଥିବା ବର୍ଗଙ୍କ ପାଇଁ। ସତୁରି ବର୍ଷର ଅଭିଜ୍ଞତା ପରେ ବି ଏ ଦେଶର ରାଜନେତାମାନଙ୍କର ଆଖିଦୃଶିଆ ଗୁଣାତ୍ମକ ବୌଦ୍ଧିକ ପରିବର୍ତ୍ତନ ଘଟିନାହିିଁ।
ଏକ ଚମତ୍କାର ତଥ୍ୟ ମିଳିଛି ପ୍ରବନ୍ଧରୁ। ଅମରନାଥର ଯାତ୍ରୀମାନେ ଠାକୁରଙ୍କ ପାଖରେ ଯାହା ଭେଟି ଦିଅନ୍ତି, ତା’ର ଏକ ତୃତୀୟାଂଶ ଗୋଟିଏ ମୁସ୍‌ଲିମ୍‌ ପରିବାରକୁ ଯାଏ। ତାହା ହେଉଛି ସ୍ବର୍ଗତ ଆଦମ୍‌ ମଲିକ୍‌ଙ୍କ ପରିବାର, ଯିଏ ଏବେ ପଠାନକୋଟ୍‌ରେ ରହୁଛନ୍ତି। କାରଣ ଆଦମ୍‌ ମଲିକ୍‌ ଚାରିଶହ ବର୍ଷ ପୂର୍ବେ ଅମରନାଥଙ୍କ ଗୁମ୍ପା ଆବିଷ୍କାର କରିଥିଲେ ମେଣ୍ଢା ଚରାଉଚରାଉ। ଶିବଙ୍କୁ ହିନ୍ଦୁ ଦେବତା ବୋଲି ଜାଣିଥିବାରୁ ଜଣେ ସାଧୁଙ୍କୁ ସେ ନେଇ ତାହା ଦେଖାଇ ଦେଇଥିଲେ। ନକ୍‌ଭି ଦେଖା କରିଥିବା ପୁରୋହିତ ପଣ୍ଡିତ ଶ୍ୟାମଲାଲ୍‌ ଏ କାହାଣୀକୁ ଦୃଢ଼ ସମର୍ଥନ କରିଥିଲେ ଓ ପରମ୍ପରାକୁ ସ୍ବୀକାର କରିଥିଲେ। ତେବେ ଆଜିର ହିନ୍ଦୁବାଦୀମାନେ ଏହା ଅସ୍ବୀକାର କରନ୍ତି ଏବଂ କହନ୍ତି ଯେ ଅମରନାଥ ଗୁମ୍ଫାର ପ୍ରକୃତ ଆବିଷ୍କାର ଖ୍ରୀ:ପୂ:୩୪ରେ। ଏ ଦାବି ସପକ୍ଷରେ କୌଣସି ମିଥ୍‌ ବା ପୋଥି ଉଲ୍ଲେଖ ଚର୍ଚ୍ଚାକୁ ଆସିନାହିଁ। ସଂପୃକ୍ତ ମୁସ୍‌ଲିମ୍‌ ପରିବାରର ‘ଭେଟଭାଗ’ ଆଜି ବି କାର୍ଯ୍ୟକାରୀ ରହିଛି। ଓଡ଼ିଶାରେ ହିନ୍ଦୁ-ମୁସଲିମ୍‌ ମିଳିତ ସହଯୋଗର ଧର୍ମୀୟ ସ୍ତରରେ ଅନେକ ଦୃଷ୍ଟାନ୍ତ ଥିବାରୁ ଆମେ ଆଲୋଚ୍ୟ ତଥ୍ୟକୁ ବିଶ୍ବାସ କରୁଛୁ। ଦେଖାଯାଏ ଯେ ବଙ୍ଗ ପ୍ରଦେଶର ବହୁ ମନ୍ଦିରର ଉପରିଭାଗ ମସଜିଦ୍‌ର ଗମ୍ବୁଜ ପରି। ଏପରି କଥା ଓଡ଼ିଶା ବା ଦାକ୍ଷିଣାତ୍ୟରେ ନାହିଁ। ସେଠାକାର ଅନନ୍ୟ ବିଭବ ହେଲା, ଗଙ୍ଗା-ବ୍ରହ୍ମପୁତ୍ର ମିଳିତ ସାଗରାବତରଣ ଇଲାକାର ସୁନ୍ଦରବନ, ଯାହା ଜଳ ଓ ପଙ୍କ ପରିପୂର୍ଣ୍ଣ ଅଞ୍ଚଳର ହେନ୍ତାଳବନ। ଏ ବଣଯାକ ଛୋଟଛୋଟ ଅସୁରକ୍ଷିତ ବସ୍ତି ଅଛନ୍ତି ପଠାରେ ଏବଂ ସେଠାରେ ପୂଜା ପାଆନ୍ତି ଅନେକ ଶାକ୍ତ ମୂର୍ତ୍ତି। ତାଙ୍କୁ ମୁସଲମାନ୍‌ ଠାକୁରାଣୀ କହନ୍ତି, ଯଦିଓ ଇସ୍‌ଲାମରେ ମୂର୍ତ୍ତିପୂଜା ନାହିଁ। ବଙ୍ଗଳାରେ ତାଙ୍କ ନାମ ‘ବୋନ୍‌ବିବି’, ଅର୍ଥାତ୍‌ ‘ବଣର ବଧୂ’। ଊର୍ଦୁରେ ଗୃହସ୍ଥୀ ରମଣୀଙ୍କୁ ‘ବିବି’ ସମ୍ବୋଧନ କରାଯାଏ। ଏହାଙ୍କୁ ହିନ୍ଦୁ ଓ ମୁସଲ୍‌ମାନ ସ୍ଥାନୀୟମାନେ ପୂଜା କରନ୍ତି ଠିକ୍‌ ଓଡ଼ିଶାର ଗଛମୂଳ ଠାକୁରାଣୀଙ୍କ ପରି। ଏ କଥାଟି ବହୁ ସମ୍ଭାବନା ମନକୁ ଆଣେ। ପ୍ରଥମ କଥା ଏହି ବିସ୍ତୀର୍ଣ୍ଣ ଇଲାକାରେ ଏପରି ମୂର୍ତ୍ତି ଗଢ଼ିବା ପାଇଁ ପଥର ନାହିଁ। ସରଳ କଥାଟି ହେଉଛି, ସୁନ୍ଦରବନରେ କଷ୍ଟକର ଜୀବନ ବିତାଉଥିବା ଆଦିବାସୀମାନେ ମୁସଲମାନ୍‌ ଧର୍ମ ସୃଷ୍ଟି ହେବା ପୂର୍ବରୁ ସମୂଳେ ଶାକ୍ତ(ହିନ୍ଦୁ)ଥିଲେ। ବାକି ସବୁ ପରେ ଘଟି ଆଜି ପର୍ଯ୍ୟନ୍ତ ଆସିଛି।
ବଙ୍ଗଳାରେ ଗୋଟିଏ ପଟ୍ଟଚିତ୍ର ଗୋଷ୍ଠୀ ଅଛନ୍ତି। ସେମାନେ ରଘୁରାଜପୁର ଭଳି ପାରିବାରିକ କର୍ମଭାବେ ପଟ୍ଟଚିତ୍ର ଆଙ୍କନ୍ତି ଏବଂ ହିନ୍ଦୁ ଦେବଦେବୀଙ୍କର ଓ ସେମାନଙ୍କର ଭଜନ ଓ ଜଣାଣ ଗାଆନ୍ତି ବଙ୍ଗଭାଷାରେ। ​‌େ​‌ସମାନଙ୍କର ଧର୍ମୀୟ ପରିଚୟ ଅଦ୍ଭୁତ। ପ୍ରତ୍ୟେକ ବ୍ୟକ୍ତିର ଦୁଇଟି ନାଁ ଥାଏ। ଗୋଟିଏ ହିନ୍ଦୁ ନାମ ଓ ଅନ୍ୟଟି ମୁସଲିମ୍‌ ନାମ। ନକ୍‌ଭିଙ୍କ ମତରେ ମୁସ୍‌ଲିମ୍‌ ନାମଟି ଅସଲି ଓ ହିନ୍ଦୁ ନାମଟି ପଟ୍ଟଚିତ୍ର ବ୍ୟବସାୟ ପାଇଁ। ଏଥିରେ ଆମେ ଅସମ୍ମତ। ପଟ୍ଟଚିତ୍ର ଇସ୍‌ଲାମ୍‌ ଆଗମନ ପୂର୍ବରୁ ଥିବା ଏକ ହିନ୍ଦୁ କଳା। ଏ କଳା ରାଜପୁତ୍‌ ଇଲାକାରେ କାନ୍ଥବାଡ଼ରେ ଭର୍ତ୍ତି। ଅଜନ୍ତା ଏଲୋରାର କାନ୍ଥଚିତ୍ର (ଗୁମ୍ଫାଚିତ୍ର) ତ’ ଆହୁରି ପୁରୁଣା। ଓଡ଼ିଶାର ଘରେଘରେ ପଡ଼ୁଥିବା ମୁରୁଜ ଚିତ୍ର (ଫୁଲ, ଗଛ, ଦେବତା, ନାବ ଇତ୍ୟାଦି)କୁ ଏ ପର୍ଯ୍ୟାୟକୁ ନେଇ ହେବ। ହୁଏତ ଏଇ ବଙ୍ଗୀୟ ପଟ୍ଟଚିତ୍ରକାର କିଛିଶହ ବର୍ଷ ପୂର୍ବେ ରଘୁରାଜପୁରରୁ ସ୍ଥାନାନ୍ତରଗମନ କରିଥିବା ଓଡ଼ିଆ ଶିଳ୍ପୀ ହୋଇ ପାରିଥାନ୍ତି। ସମୁଦାୟ ବଙ୍ଗଳା ଆଫ୍‌ଗାନ ଶାସକଙ୍କ ଦୀର୍ଘ ଶାସନ ମଧ୍ୟରେ ଯେପରି ପରିବର୍ତ୍ତିତ ହୋଇଛି; ଏମା​‌େ​‌ନ ବି ହୋଇଥିବା ସମ୍ଭବ। ସେମାନଙ୍କର ଦୁଇଟି ବ୍ୟକ୍ତିଗତ ନାମ ଏହାର ପ୍ରମାଣ। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ‘ବଙ୍ଗଳା ରସଗୋଲା’ର ଚର୍ଚ୍ଚିତ ପିତା ୰ ନବୀନ ଚନ୍ଦ୍ର ଦାଶ ମଧ୍ୟ ଓଡ଼ିଶାର ମୂଳନିବାସୀ। କାରଣ ‘ଶ’ ଥାଇ ‘ଦାଶ’ ସାଙ୍ଗିଆଟି ଓଡ଼ିଶା ବ୍ୟତୀତ ଅନ୍ୟ କେଉଁଠି ନାହିଁ।
ପ୍ରବନ୍ଧ ଶେଷରେ ଉଲ୍ଲେଖ ଅଛି ବଙ୍ଗଳାର ବାଉଲ୍‌ ଗାୟକଙ୍କ କଥା। ଏବେ ବଙ୍ଗଳା ବାଉଲଗାୟକମାନଙ୍କୁ ଏକ ସ୍ବତନ୍ତ୍ର ଗୋଷ୍ଠୀର କଳାକାର ଭାବେ ମାନ୍ୟତା ଦେଇଛି। ବାଉଲ୍‌ ଯନ୍ତ୍ରଟି ଲାଉତୁମ୍ବା ଯୁକ୍ତ କେନ୍ଦରା ବ୍ୟତୀତ ଅନ୍ୟ କିଛି ନୁହେଁ। ଏହା ଲୋକକଳା, ଲୋକଗୀତ ଓ ଲୋକସଂସ୍କୃତି ଭାବେ ସ୍ବତନ୍ତ୍ର ମାନ୍ୟତା ପାଇସାରିଛି। ବାଉଲ୍‌ କଳାକାର ବଙ୍ଗଳାରେ ଗାଁ ଗାଁ ବୁଲି ଗୀତାନୁଷ୍ଠାନ କରନ୍ତି (ଠିକ୍‌ ଆମ ଦାସ୍‌କାଠିଆ ଦଳ ପରି)। ସେମାନେ ଉଭୟ ହିନ୍ଦୁ ଓ ମୁସଲ୍‌ମାନ। ଯେଉଁମାନେ ମୁସଲମାନ୍‌, ତାଙ୍କୁ ‘ଫକିର’ କୁହାଯାଏ। ସବାଙ୍କ ମତରେ ଏ ଗାୟନ ସୁଫି ସଙ୍ଗୀତରୁ ଆସିଛି। ଏଇ କଥାଟି ସତ ନୁହେଁ। ଯନ୍ତ୍ର ସଙ୍ଗୀତରେ ଭକ୍ତିଗୀତ ପ୍ରଚାର ଭାରତର ଏକ ପ୍ରାଚୀନ କଳା। ସୁଫି ଧର୍ମର ଉଦ୍‌ଗମ ପୂର୍ବରୁ ଏହା ବିଭିନ୍ନ ପ୍ରାନ୍ତରେ ରହିଛି ବିଭିନ୍ନ ନାମରେ; ବିଶେଷ କରି ପୂର୍ବ ଭାରତରେ। ମୁସ୍‌ଲିମ୍‌ ଶାସନ ଅମଳରେ ଏଥିରୁ କେହି ଧର୍ମାନ୍ତରିତ ହୋଇ ‘ଫକିର’ ବୋଲାଇଥିବେ କିମ୍ବା କେହି ସୁଫି ଫକିର ବାଉଲ୍‌ (କେନ୍ଦରା) ଧରି ଏଥିରୁ କେହି ଧର୍ମାନ୍ତରିତ ହୋଇ ‘ଫକିର’ ବୋଲାଇଥିବେ କିମ୍ବା କେହି ସୁଫି ଫକିର ବାଉଲ୍‌ (କେନ୍ଦରା) ଧରି ଗୀତ ଗାଇଥିବେ। ସୁଫି ସଙ୍ଗୀତର ସୃଷ୍ଟି କଶ୍ମୀର ଉପତ୍ୟକାରେ। ତେବେ ଅଧିକ ଗବେଷଣା ପାଇଁ ପଥ ଉନ୍ମୁକ୍ତ।
ଏଇଠି ଆଲୋଚନା କରିବା ଓଡ଼ିଆ ବାଉଲ୍‌ ଗାୟକ ବା କେନ୍ଦରା ବଜାଇବା ଯୋଗୀଙ୍କ କଥା। ଏମାନଙ୍କର ଉନ୍ମେଷ ଓଡ଼ିଶାରେ ବୌଦ୍ଧଯୁଗର ଅବସାନ ଓ ଶୈବ ସଂସ୍କୃତିର ଦୃଢ଼ୀକରଣ ପରେ। ବିଶିଷ୍ଟ ଇତିହାସ ଗବେଷକ ୰କେଦାରନାଥ ମହାପାତ୍ର ତାଙ୍କର ଅବର୍ତ୍ତମାନରେ ପ୍ରକାଶିତ ତାଙ୍କ ରଚିତ ‘ଭୁବନେଶ୍ବର ଇତିହାସ’ରେ ଯଥେଷ୍ଟ ସୂଚନା ଦେଇଛନ୍ତି ଏ ପ୍ରସଙ୍ଗରେ। ପରାଜିତ ବା ଶରଣାଗତ ବୌଦ୍ଧ ଭିକ୍ଷୁମାନେ ‘ଯୋଗୀ’ ନାମକ ଏକ ପନ୍ଥକୁ ପରିବର୍ତ୍ତିତ ହୋଇଛନ୍ତି ଓ ହିନ୍ଦୁମାନଙ୍କ ସହ ସହାବସ୍ଥାନ କରିଛନ୍ତି। ଏହା ‘ସୁଫିବାଦ’ର ପୂର୍ବରୁ କିମ୍ବା ସମସାମୟିକ। କାଶ୍ମୀରରେ ଜନ୍ମିତ ସୁଫିବାଦ ଓ ଓଡ଼ିଶାର ‘ଯୋଗୀ’ଙ୍କୁ ଯୋଡ଼ିବା ଆଦୌ ସମ୍ଭବ ନୁହେଁ। ଏମାନେ ମୁଣ୍ଡରେ ଠେକା ବାନ୍ଧି, କେନ୍ଦରା ଧରି, ଗୋଡ଼ରେ କଠଉ ପିନ୍ଧି ଗାଁ ଗାଁରେ ଭକ୍ତିବାଦର ପ୍ରଚାର କରୁଥିଲେ। ଏ କେନ୍ଦରା ବଙ୍ଗଳାର ବାଉଲରୁ ଧାର ଆସି ନଥିଲା। ଏହା ଓଡ଼ିଶାରେ ଏକ ମଧ୍ୟଯୁଗୀୟ ଲୋକକଳା, ଲୋକଗୀତ ବା ଲୋକବାଦ୍ୟର ମାନ୍ୟତା ପାଇଲା ନାହିଁ।
ଜାତୀୟ ପରିଦୃଶ୍ୟରେ ଧର୍ମୀୟ ଓ ତା’ର ସଂାସ୍କୃତିକ ସମୀକରଣ ବ୍ୟାହତ ହୋଇଛି ଧର୍ମମାନେ ରାଜନୀତିଜ୍ଞଙ୍କ ହାତକୁ ଚାଲିଯାଇ। ସମୀକରଣ ବିବାଦ ଦିଗକୁ ଧାବମାନ। ଆହୁରି ମଧ୍ୟ ଏକ ସନ୍ତୁଳିତ ସଂସ୍କୃତି ବହୁଧା କ୍ଷତାକ୍ତ ହୋଇଛି ନବ୍ୟ ପାଶ୍ଚାତ୍ୟାଶ୍ରୟୀ ସଂସ୍କୃତି ପଣ୍ଡିତମାନଙ୍କ ଦୟାରୁ, ଯେଉଁମାନେ ପ୍ରତିଷ୍ଠିତ ସଂସ୍କୃତିକୁ ଅଯଥା ସମାଲୋଚନା କରି ନିଜକୁ ପତ୍ରପତ୍ରିକାରେ ପ୍ରସାରିତ କରିବା ବ୍ୟତୀତ କୌଣସି ସଂସ୍କୃତିର ଭାବ-ପକ୍ଷକୁ ବୁଝିପାରନ୍ତି ନାହିଁ।
ପଦ୍ମାବତୀ, ପ୍ଲ.ନଂ-୫୦/୧୫-ବି,
ଯମେଶ୍ବର ପାଟଣା, ଭୁବନେଶ୍ବର-୨

Leave A Reply