ବରୁଣେଈରେ ପାଇକ ବିଦ୍ରୋହର ସ୍ମାରକ

0

ବିଶ୍ବଭୂଷଣ ହରିଚନ୍ଦନ

ଦେଶ ସ୍ବାଧୀନତାର ୭୦ବର୍ଷ ପୂର୍ତ୍ତି ଓ ୧୮୧୭ ମସିହାର ଐତିହାସିକ ପାଇକ ବିଦ୍ରୋହର ଦ୍ବିଶତବାର୍ଷିକୀ ପାଳନ କରିବା ପାଇଁ ୨୦୧୭ ମସିହାରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଲେ। ଏଥିପାଇଁ କେନ୍ଦ୍ର ବଜେଟରେ ବ୍ୟବସ୍ଥା ମଧ୍ୟ କରାଗଲା। ଦେଶର ମୁକ୍ତି ପାଇଁ ବିଭିନ୍ନ ସମୟରେ ଯେଉଁସବୁ ଗଣସଂଗ୍ରାମ ହୋଇଥିଲା, ତା’ର ସ୍ମୃତିକୁ ଉଜ୍ଜୀବିତ କରି ଲୋକଙ୍କ ଭିତରେ ଦେଶପ୍ରେମ ଜାଗ୍ରତ କରିବାକୁ ପ୍ରଧାନମନ୍ତ୍ରୀଙ୍କର ଥିବା ସ୍ବତନ୍ତ୍ର ଆବେଗ ଓ ଆଗ୍ରହ ଯୋଗୁଁ ଏହା ସମ୍ଭବ ହୋଇଛି। ସେହି ଦୃଷ୍ଟିରୁ ୧୮୧୭ ମସିହାରେ ଇଂରେଜମାନଙ୍କ ବିରୋଧରେ ହୋଇଥିବା ଓଡ଼ିଆ ଜାତିର ରକ୍ତାକ୍ତ ଗଣସଂଗ୍ରାମ ପାଇକ ବିଦ୍ରୋହ ଉପରେ ଗୁରୁତ୍ବ ଆରୋପ କରାଯାଇଛି ଓ ତାକୁ ଦେଶର ଅନ୍ୟତମ ମୁକ୍ତି ସଂଗ୍ରାମର ସ୍ବୀକୃତି ଦିଆଯାଇଛି। ୧୮୫୭ ମସିହାର ସିପାହି ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ଆଖ୍ୟା ଦେଇ କେନ୍ଦ୍ରସରକାର ତାକୁ ଜାତୀୟ ସ୍ତରରେ ପାଳନ କରୁଛନ୍ତି। ତା’ର ଦେଢ଼ଶହ ବର୍ଷ ପୂର୍ତ୍ତି ୨୦୦୮ ମସିହାରେ କେନ୍ଦ୍ରସରକାର ପାଳନ କରିଥିଲେ ଓ କେନ୍ଦ୍ର ସରକାରଙ୍କ ଅନୁରୋଧରେ ସବୁ ରାଜ୍ୟରେ ତାହା ପାଳିତ ହୋଇଥିଲା। ତା’ର ୪୦ ବର୍ଷ ପୂର୍ବରୁ ଓଡ଼ିଶା ମାଟିରେ ବକ୍ସି ଜଗବନ୍ଧୁଙ୍କର ନେତୃତ୍ବରେ ଯେଉଁ ସଶସ୍ତ୍ର ସଂଗ୍ରାମ ଦୀର୍ଘ ୮ବର୍ଷ ଧରି ଚାଲିଥିଲା, ତାହା ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ସ୍ବୀକୃତି ଲାଭ କରିବାକୁ ଆମେ ଓଡ଼ିଶାରୁ ବହୁ ବର୍ଷ ଧରି ଦାବି କରିଆସୁଛୁ। କାରଣ ତା’ର ବ୍ୟାପକତା, ଭୟାବହତା ଓ ସେଥିରେ ଓଡ଼ିଶାର ସାଧାରଣ ଲୋକଙ୍କର ଯୋଗଦାନ ଥିଲା ଅଭୂତପୂର୍ବ। ଆମର ଦୁର୍ଭାଗ୍ୟ ଯେ ଦେଶର ଏତେବଡ଼ ଗର୍ବିତ ଇତିହାସ ଜାତୀୟ ସ୍ତରରେ ତା’ର ଉପଯୁକ୍ତ ସ୍ଥାନ ପାଇ ନଥିଲା। ସିପାହି ବିଦ୍ରୋହକୁ ନ୍ୟୂନ କରିବା ଆମର ଉଦ୍ଦେଶ୍ୟ ନୁହେଁ। ବିଦେଶୀ ଇଂରେଜ ସରକାର ବିରୋଧରେ ସିପାହିମାନେ ଯେଭଳି ବିଦ୍ରୋହ କରିଥିଲେ, ତାହା ଦେଶବାସୀଙ୍କ ମନରେ ନୂତନ ଆଶା ସଂଚାର କରିଥିଲା। ସେଥିପାଇଁ ଆମେ ଗର୍ବିତ। ମାତୃଭୂମିର ମୁକ୍ତିପାଇଁ ସାଧାରଣ ଲୋକର ଯେଉଁ ସଂଗ୍ରାମ ହୁଏ, ତାହା ସ୍ବାଧୀନତା ସଂଗ୍ରାମର ଆଖ୍ୟା ପାଏ। ପାଇକ ବିଦ୍ରୋହ ମାତୃଭୂମିର ମୁକ୍ତି ପାଇଁ ଓଡ଼ିଶାର ସାଧାରଣ ଲୋକ, କୃଷକ, ଶ୍ରମିକ ସମେତ ସବୁ ଶ୍ରେଣୀର ଲୋକଙ୍କର ଗଣସଂଗ୍ରାମ ଥିଲା। ତେଣୁ ଏହାକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ସ୍ବୀକୃତି ମିଳିବା ଆବଶ୍ୟକ।
ଓଡ଼ିଆମାନେ ଏକ ସ୍ବାଧୀନଚେତା ସାମରିକ ଜାତି, ଯାହା ପଛରେ ଏକ ଲମ୍ବା ଦିଗ୍‌ବିଜୟର ଇତିହାସ ରହିଛି। ଇଂରେଜମାନେ ୧୮୦୩ରେ ଖୋର୍ଦ୍ଧା ସମେତ ଉପକୂଳ ଓଡ଼ିଶାର ଏକ ବଡ଼ ଅଞ୍ଚଳ ଦଖଲ କରିନେଲେ। ଇଂରେଜମାନଙ୍କ ସହ ହୋଇଥିବା କେତେକ ସର୍ତ୍ତର ଖିଲାପ ଯୋଗୁଁ ଖୋରଧା ରାଜାଙ୍କର ମହାମନ୍ତ୍ରୀ ଜୟୀ ରାଜଗୁରୁ ସେମାନଙ୍କ ସହିତ ୧୮୦୪ରେ ଯୁଦ୍ଧଘୋଷଣା କଲେ। ଯୁଦ୍ଧରେ ପରାସ୍ତ ହୋଇ ରାଜା ଓ ଜୟୀ ରାଜଗୁରୁଙ୍କୁ ଅତି ବର୍ବରୋଚିତ ଭାବରେ ଫାଶୀ ଦିଆଗଲା। ତଥାପି ପାଇକମାନଙ୍କ ଛାତି ତଳେ ଥିବା ବିପ୍ଳବର ନିଆଁ ସଂପୂର୍ଣ୍ଣ ନିର୍ବାପିତ ହେଲାନାହିଁ।
ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତିର ଉଦ୍‌ଘାଟନୀ ଉତ୍ସବ ମହାସମାରୋହରେ କେନ୍ଦ୍ର ସରକାରଙ୍କର ସଂସ୍କୃତି ବିଭାଗ ତରଫରୁ ଦିଲ୍ଲୀର ବିଜ୍ଞାନ ଭବନରେ ଗତ ବର୍ଷ ଜୁଲାଇ ମାସରେ ଏକ ଭାବଗମ୍ଭୀର ପରିବେଶରେ ପାଳିତ ହୋଇଛି। ସେତେବେଳର ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ଉତ୍ସବକୁ ଉଦ୍‌ଘାଟନ କରି ପାଇକ ବିଦ୍ରୋହର ଗରିମାମୟ ଇତିହାସ ଉପରେ ଉଦ୍‌ବୋଧନ ଦେବା ଅବସରରେ କହିଥିଲେ ଯେ ସିପାହି ବିଦ୍ରୋହର ୪୦ ବର୍ଷ ପୂର୍ବରୁ ଓଡ଼ିଶା ମାଟିରେ ହୋଇଥିବା ଏ ଗଣସଂଗ୍ରାମ ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ବିବେଚିତ ହେବା ଉଚିତ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରୁଣେଇ ପାହାଡ଼ଠାରେ ପାଇକ ବିଦ୍ରୋହର ସ୍ମାରକ ପ୍ରତିଷ୍ଠା ପାଇଁ ତାଙ୍କ ବକ୍ତବ୍ୟରେ ଜୋର ଦେଇଥିଲେ ଓ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ଏଥିରେ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୋତ୍ସାହନରେ ଦିଲ୍ଲୀ, କଲକାତା ଓ ଦେଶର ଆଉ କେତେକ ସ୍ଥାନରେ ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ପାଳିତ ହୋଇସାରିଛି।
ଆମର ଜାତୀୟ ସାମରିକ ପରମ୍ପରା ଓ ସଂସ୍କୃତି ପରିଷଦ ତରଫରୁ ଓଡ଼ିଶାର ସାମରିକ ପରମ୍ପରା ମହୋତ୍ସବ ୨୦୧୬ ମସିହାରେ ଭୁବନେଶ୍ବରର ବରମୁଣ୍ଡା ଖେଳ ପଡ଼ିଆରେ ୩ଦିନ ଧରି ମହାସମାରୋହରେ ପାଳିତ ହୋଇଥିଲା। ୨୦୧୭ ମସିହାରେ ପୁଣି ସଂଗୀତ ମହାବିଦ୍ୟାଳୟର ଉତ୍କଳ ମଣ୍ଡପଠାରେ ଏ ମହୋତ୍ସବ ତିିନିଦିନ ଧରି ଚାଲିଥିଲା। ସେଥିରେ ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ମହାସମାରୋହରେ ପାଳିତ ହୋଇସାରିଛି। ପାଇକ ବିଦ୍ରୋହର ଦ୍ବିଶତବାର୍ଷିକୀ କେନ୍ଦ୍ରସରକାର ଜାତୀୟ ସ୍ତରରେ ପାଳନ କରୁଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇବା ସହିତ, ଏହାକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ସେଠାରେ ଦାବି କରାଯାଇଥିଲା। ଇତି ମଧ୍ୟରେ ଦେଶର ଓ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ପାଇକ ବି​‌େ​‌ଦ୍ରାହକୁ ଏଭଳି ସ୍ବୀକୃତି ଦେବାକୁ ବିଭିନ୍ନ ସାଂସ୍କୃତିକ ଓ ଅନ୍ୟାନ୍ୟ ସଂସ୍ଥା ଦାବି କରିଛନ୍ତି। ରାଜ୍ୟ ସରକାର ମଧ୍ୟ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଏକ ସର୍ବସମ୍ମତ ପ୍ରସ୍ତାବ କ୍ୟାବିନେଟରେ ଗୃହୀତକରି କେନ୍ଦ୍ର ସରକାରଙ୍କ ପାଖରେ ଅନୁରୂପ ଦାବି କରାଯାଇଛି। ରାଜ୍ୟ ସରକାରଙ୍କର ଏ ଭଳି ପଦକ୍ଷେପ ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ।
ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ୧୮୧୭ରୁ ୧୮୨୫ ମସିହା ପର୍ଯ୍ୟନ୍ତ ହୋଇଥିବା ଓଡ଼ିଆ ଜାତିର ଏ ରକ୍ତାକ୍ତ ଗଣସଂଗ୍ରାମ ପାଇକ ବିଦ୍ରୋହର ଗର୍ବିତ ଇତିହାସକୁ ନେଇ ଏକ ମହାନ୍‌ ସ୍ମାରକ ବରୁଣେଈଠାରେ ପ୍ରତିଷ୍ଠା କଲେ ଆମର ଯୁବସମାଜ ଭିତରେ ଏହା ଉନ୍ମାଦନା ସୃଷ୍ଟି କରିବ। ଓଡ଼ିଶାର ଅତୀତର ସାମରିକ ଇତିହାସ ଓ ମୁକ୍ତି ସଂଗ୍ରାମରେ ଓଡ଼ିଆ ପାଇକମାନଙ୍କର ଅନନ୍ୟ ଦେଶପ୍ରେମ ଓ ମାତୃଭୂମି ପାଇଁ ବିଦେଶୀ ଇଂରେଜଙ୍କ ସହିତ ରକ୍ତାକ୍ତ ସଂଗ୍ରାମର ଏକ ଚିତ୍ର ଭାସି ଉଠନ୍ତା ସେମାନଙ୍କ ଆଖି ଆଗରେ। ଛାତି ଭିତରେ ଜଳି ଉଠିବ ଦେଶପ୍ରେମର ବହ୍ନି। ଦେଶପାଇଁ, ରାଜ୍ୟପାଇଁ ନିଜକୁ ଉତ୍ସର୍ଗ କରିଦେବାକୁ ତା’ର ବିକାଶ ପାଇଁ ପ୍ରାଣପାତ ଉଦ୍ୟମ କରିବାକୁ ଏହା ପ୍ରେରଣା ଦିଅନ୍ତା। ଦେଶ ଓ ବିଦେଶର ପର୍ଯ୍ୟଟକମାନେ, ବକ୍ସି ଜଗବନ୍ଧୁ ଓ ଅନ୍ୟ ବୀରପୁରୁଷମାନଙ୍କର ପ୍ରତିମୂର୍ତ୍ତିକୁ ଦେଖି ଓ ଓଡ଼ିଆ ଜାତିର ସାମରିକ ଇତିହାସକୁ ଅନୁଧ୍ୟାନ କରି ଚମତ୍କୃତ ହୁଅନ୍ତେ। ମ୍ୟୁଜିଅମରେ ସଂଗୃହୀତ ସେତେବେଳର ଯୁଦ୍ଧ କ୍ଷେତ୍ରରେ ବ୍ୟବହୃତ ଢାଲ, ଖଣ୍ଡା, ବର୍ଚ୍ଛା, ଭାଲ, କୁନ୍ତ, ଧନୁତୀର, ତୋପ, ବନ୍ଧୁକ ଇତ୍ୟାଦି ଅସ୍ତ୍ରଶସ୍ତ୍ର ଦେଖି ସେତେବେଳର ଯୁଦ୍ଧ ସମ୍ପର୍କରେ ସେମାନେ ବହୁ ବିଷୟ ଜାଣନ୍ତେ। ଏ ବୀର, ଦୁର୍ଦାନ୍ତ, ସମର ବିଶାରଦ ଜାତିର ଅତୀତ ଇତିହାସକୁ ଦେଖି ତା ଉପରେ ଅଧିକ ଗବେଷଣା କରନ୍ତେ। ଜାତୀୟ ଇତିହାସରେ ଏହା ଏକ ଗୌରବୋଜ୍ଜ୍ବଳ ଅଧ୍ୟାୟ ହୋଇରହନ୍ତା।
ବଡ଼ ଆନନ୍ଦର କଥା ଯେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ୨୦୧୮ ମାର୍ଚ୍ଚ ୭ରେ ପାଇକ ବିଦ୍ରୋହର ଏକ ମହାନ୍‌ ସ୍ମାରକ ପ୍ରତିଷ୍ଠା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବରୁଣେଈ ପାହାଡ଼ଠାରେ ୫୦ ଏକର ଜମି ଦେବାପାଇଁ ଚିଠି ଲେଖିଛନ୍ତି। ଏ ସମ୍ପର୍କରେ ଅଧିକ ଗବେଷଣା କରିବା ପାଇଁ ବିଶ୍ବବିଦ୍ୟାଳୟରେ ଏକ ଚେଆର ପ୍ରତିଷ୍ଠା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଇଣ୍ଡିଆନ୍‌ ଅଏଲ ଫାଉଣ୍ଡେସନ ଟ୍ରଷ୍ଟବୋର୍ଡ଼ ବୈଠକରେ ପାଇକ ବିଦ୍ରୋହର ଏକ ସ୍ମାରକ ପାଇଁ ୯୦କୋଟି ଟଙ୍କା ପ୍ରଦାନ କରିବାକୁ ନୀତିଗତ ନିଷ୍ପତ୍ତି କରାଯାଇଛି। ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜମିଦେବା ପାଇଁ ଅନୁରୋଧ କରିଛନ୍ତି। ଗତ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏ ସ୍ମାରକ ପାଇଁ ରାଜ୍ୟ ସରକାର ଜମି ପ୍ରଦାନ କରିବା ସରକାରଙ୍କ ସକ୍ରିୟ ବିଚାରାଧୀନ ରହିଛି। ଓଡ଼ିଶା ପାଇଁ, ସମଗ୍ର ଓଡ଼ିଆ ଜାତି ପାଇଁ ଏହା ଏକ ଅପୂର୍ବ ସୁଯୋଗ। ଆମେ ସମସ୍ତେ ଜାଣିଛେ ଯେ ପ୍ରାୟ ଛଅମାସ ପରେ ଦେଶକୁ ଓ ଆମ ରାଜ୍ୟକୁ ସାଧାରଣ ନିର୍ବାଚନର ସାମନା କରିବାକୁ ହେବ। କେନ୍ଦ୍ରରେ ଓ ରାଜ୍ୟରେ କେଉଁ ସରକାର ଗଠିତ ହେବ ଓ ଏଥିପାଇଁ ସେମାନଙ୍କର ଆଭିମୁଖ୍ୟ କ’ଣ ହେବ, କେହି ତା’ର ଭବିଷ୍ୟତବାଣୀ କରିବା ସମ୍ଭବ ନୁହେଁ। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଆମର ଅନୁରୋଧ ଯେ ଏ ମହତ୍‌ କାର୍ଯ୍ୟ ପାଇଁ ତୁରନ୍ତ ବରୁଣେଈ ପାହାଡଠାରେ ଖୋର୍ଦ୍ଧାଗଡ଼ ପାଖରେ ୫୦ଏକର ଜମି ପ୍ରଦାନ କରିବାକୁ ପଦକ୍ଷେପ ନିଅନ୍ତୁ। ସ୍ମାରକ ନର୍ମାଣରେ କେନ୍ଦ୍ର ସରକାର ପ୍ରାୟ ସବୁ ଅର୍ଥ ଖର୍ଚ୍ଚ କଲେ ସୁଦ୍ଧା ରାଜ୍ୟର ସବୁପ୍ରକାର ସହଯୋଗ ନେବେ। ଏ ସ୍ମାରକ ଦେଶର ଓ ଓଡ଼ିଆ ଜାତିର ଏକ ମହାନ କୀର୍ତ୍ତି ଭାବେ ପରିଗଣିତ ହେବ ଏବଂ ଏହାଦ୍ବାରା ଦେଶ ଓ ରାଜ୍ୟ ଉଭୟେ ଗର୍ବିତ ହେବେ। ଉଜ୍ଜୀବିତ ହେବ ୧୮୧୭ ମସିହାର ଓଡ଼ିଆ ଜାତିର ରକ୍ତରଂଜିତ ଗଣସଂଗ୍ରାମ ପାଇକ ବିଦ୍ରୋହର ଗରିମାମୟ ଇତିହାସ। ଦିଗ୍‌ବିଜୟୀ ଓଡ଼ିଆ ଜାତିର ଗର୍ବ, ଗୌରବ ଓ ସ୍ବାଭିମାନର ପ୍ରତୀକ ହେବ ବରୁଣେଈ ପାହାଡ଼ଠାରେ ପାଇକ ବି‌େଦ୍ରାହର ଏ ମହାନ୍‌ ସ୍ମାରକ।

Leave A Reply