ଆଶାର ଆଲୋକ

0

ଆମ ପରମ୍ପରା ଓ ପୌରାଣିକ ଆଖ୍ୟାନରେ ଦୀପାବଳିକୁ ଆଲୋକର ପର୍ବଭାବେ ବର୍ଣ୍ଣନା କରାଯାଇଛି। ଘର ଅଗଣାରେ ଦୀପ ଜଳାଇ ଅନ୍ଧାର ଦୂର କରିବା ଏହାର ବିଶେଷତ୍ବ। ସାମୂହିକ ଭାବେ ଏହା ପାଳନ କରାଗଲେ ଆଲୋକମାଳାର ଯେଉଁ ସୌନ୍ଦର୍ଯ୍ୟ ଉକୁଟିଉଠେ, ତାହା ଅନନ୍ୟ। ଅଥଚ, କେବେଠୁ କେଜାଣି ଏହି ଆଲୋକର ପର୍ବ ବାଣଫୁଟା ପର୍ବରେ ପରିଣତ ହୋଇସାରିଛି। ବୋଧହୁଏ ଏହା ପଛରେ ବ୍ୟାବସାୟିକ ଦୃଷ୍ଟିକୋଣ ଅଧିକ ରହିଛି; କାରଣ ଏହି ସମୟରେ ବାଣ, ଫଟ୍‌କା ଆଦିର କୋଟିକୋଟି ଟଙ୍କାର ବଜାର ଆମ ଦେଶରେ ସୃଷ୍ଟି ହୁଏ। ସାମୟିକ ହେଲେ ହେଁ ଏହାର ପରିମାଣ ଖୁବ୍ ବେଶି। ତେବେ ସାମୂହିକ ଭାବେ ବାଣ ଫୁଟାଇବା ଦ୍ବାରା କେବଳ ପରିବେଶ ଦୂଷିତ ହୁଏ ନାହିଁ, ଲୋକେ ମଧ୍ୟ ଅସାବଧାନତା ହେତୁ ଦୁର୍ଘଟଣାଗ୍ରସ୍ତ ହୁଅନ୍ତି ଓ ସ୍ବାସ୍ଥ୍ୟଜନିତ କ୍ଷୟକ୍ଷତିରେ ପଡ଼ନ୍ତି। ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ବାଣଫୁଟାକୁ ନିର୍ଦିଷ୍ଟ ଦୁଇଘଣ୍ଟା ଭିତରେ ସୀମିତ ରଖି ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଯେ ଦୀପାବଳିକୁ ଆଲୋକର ପର୍ବ ଭାବେ ହିଁ ପାଳନ କରାଯିବା ବିଧେୟ। ବାଣ ଫୁଟାଇ ଅଯଥା ବାୟୁ ଓ ଧ୍ବନି ପ୍ରଦୂଷଣ ସୃଷ୍ଟି କରାନଯାଉ।
ସର୍ବୋଚ୍ଚ ନ୍ୟାୟାଳୟ ଦୀପାବଳି ଓ ନବବର୍ଷ ପାଳନ ଅବସରରେ କେବଳ ଫଟ୍‌କା ଫୁଟାଇବାର ସମୟସୀମା ନିର୍ଦ୍ଧାରଣ କରିନାହାନ୍ତି, କହିଛନ୍ତି ଯେ କେବଳ ବଜାରରେ ସେଭଳି ଫଟ୍‌କା ବିକ୍ରି କରାଯିବ, ଯାହା ପ୍ରଦୂଷଣକୁ କମାଇ ପାରିବ। କିନ୍ତୁ ଏଭଳି ବାଣବିକ୍ରିକୁ ବନ୍ଦ କରିବା ଭଳି ଯେଉଁ ପ୍ରାଶାସନିକ ବ୍ୟବସ୍ଥା ଆବଶ୍ୟକ, ତାହା ସରକାରଙ୍କ ପାଖରେ ଅଛି ତ? ବ୍ୟବସାୟୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାର ଆଇନକୁ ଠିକ୍‌ଭାବେ କାର୍ଯ୍ୟକାରୀ କରିବେ ତ? ଏପରି ସନ୍ଦେହର କାରଣ ହେଉଛି ପୂର୍ବରୁ ମଧ୍ୟ ଅଦାଲତ ସମୟସୀମା ନିର୍ଦ୍ଧାରଣ କରିଥିଲେ, କିନ୍ତୁ ଖୋଲାଖୋଲି ସମସ୍ତେ ତା’ର ଉଲ୍ଲଙ୍ଘନ କରିଆସିଛନ୍ତି ଓ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଯଦି ଆମେ ଆଦୌ ବାଣ ଫୁଟାଇବା ନାହିଁ ଏବଂ ଦୀପ ଜଳାଇ ଘର ବାହାରକୁ ଆଲୋକିତ କରିବା, ତେବେ କିଛି ଅସୁବିଧା ହୋଇଯିବ କି? ଏ ସମ୍ପର୍କରେ ଆମେ ଆସନ୍ତା ଦୀପାବଳିରେ ନିଶ୍ଚିତ ଭାବେ ଚିନ୍ତା କରିବା; କାରଣ ଏହା କେବଳ ଆଇନକାନୁନ କଥା ନୁହେଁ, ଆମ ସ୍ବାସ୍ଥ୍ୟ ଓ ଅସ୍ତିତ୍ବର କଥା।

Comments
Loading...