ଲାଞ୍ଚୁଆ ଭାରତ

0

ଦୁର୍ନୀତି ଦୂର କରିବା ପାଇଁ ଆମ ନେତୃବୃନ୍ଦ କେତେ ନା କେତେ ଦାବି କରିଆସିଛନ୍ତି, କିନ୍ତୁ ତାହା ଦୂର ହେବା ବଦଳରେ ବଢ଼ିଚାଲିଛି। ଅନ୍ତତଃ ଟ୍ରାନ୍ସପେରେନ୍ସି ଇଣ୍ଟରନ୍ୟାସନାଲ ଇଣ୍ଡିଆ ଦ୍ବାରା ‘ଇଣ୍ଡିଆ କରପସନ ସର୍ଭେ ୨୦୧୮’ର ଯେଉଁ ରିପୋର୍ଟ ପ୍ରକାଶ ପାଇଛି, ସେଥିରୁ ଏହା ଜଳଜଳ ହେଇ ଦିଶୁଛି। ଏହି ରିପୋର୍ଟ ଅନୁସାରେ, ୨୦୧୭ରେ ୪୫ ଶତାଂଶ ଲୋକ ଲାଞ୍ଚ ଦେବା କଥା ସ୍ବୀକାର କରିଥି‌େ‌ଲ, କିନ୍ତୁ ଚଳିତବର୍ଷ, ଅର୍ଥାତ ୨୦୧୮ରେ ଉତ୍କୋଚଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଁ ୫୬ ଶତାଂଶରେ ପହଞ୍ଚିଛି। ଏହି ସର୍ବେକ୍ଷଣର ବିଶ୍ବସନୀୟତା ଏଇଥିପାଇଁ ମଧ୍ୟ ବେଶି ଯେ ଏଥିରେ କେଉଁକେଉଁ ବିଭାଗ ବେଶି ଲାଞ୍ଚୁଆ, ତାହା ମଧ୍ୟ ସର୍ବେକ୍ଷଣ ନିଷ୍କର୍ଷରୁ ଜଣାପଡ଼ୁଛି। ସର୍ବେକ୍ଷଣରେ ଜଣାପଡ଼ିଛି ଯେ ଜମିଜମା ପଞ୍ଜୀକରଣ ଭଳି କାମ ପାଇଁ ସର୍ବାଧିକ ୩୦ ଶତାଂଶ ଲୋକ ସରକାରୀ କର୍ମଚାରୀଙ୍କୁ ଲାଞ୍ଚ ଦେଇଛନ୍ତି। ପୁଲିସ ବିଭାଗ ଏହି ମାମଲାରେ ଦ୍ବିତୀୟ ସ୍ଥାନରେ ରହିଛି। ପ୍ରାୟ ୨୫ ଶତାଂଶ ଲୋକ ପୁଲିସକୁ ଲାଞ୍ଚ ଦେଇ କାମ ହାସଲ କରିଥିବା ସ୍ବୀକାର କରିଛନ୍ତି। ସେହିପରି ପୌର କାର୍ଯ୍ୟାଳୟଗୁଡ଼ିକରେ ନିଜ କାମ କରାଇବା ପାଇଁ ୧୮ ଶତାଂଶ ଲୋକଙ୍କୁ ଲାଞ୍ଚ ଦେବାକୁ ପଡ଼ିଛି।
ବଡ଼ବଡ଼ିଆଙ୍କ ଲାଞ୍ଚର ପ୍ରଭାବ ତ ସାରା ଦେଶ ଉପରେ ପଡ଼ିଥାଏ; କିନ୍ତୁ ଛୋଟକାଟର ଲାଞ୍ଚ ଦେଶର ଗରିବ ଲୋକଙ୍କୁ ମଧ୍ୟ ତଳିତଳାନ୍ତ କରିଦେଇଥାଏ। ନେତା, ସରକାରୀ କର୍ମଚାରୀ ଓ ଦଲାଲଙ୍କ ଶକ୍ତିଶାଳୀ ମେଣ୍ଟ ଉତ୍କୋଚ ଓ ଦୁର୍ନୀତିର ବହୁରୂପ ସୃଷ୍ଟିକରି ବିକାଶର ଗତିରୋଧ କରିଥାଏ। ସାଧାରଣ ପଡ଼ିକାର୍ଡ଼ଟିଏ ପାଇବାପାଇଁ ମଧ୍ୟ ଗରିବ ଲୋକଙ୍କୁ ଲାଞ୍ଚ ଦେବାକୁ ପଡ଼ିବା ଏ ଦେଶର ଏକ ବଡ଼ ବିଡ଼ମ୍ବନା। ସରକାରୀ ସ୍ତରରେ ଲାଞ୍ଚୁଆ କର୍ମଚାରୀଙ୍କ ବିରୋଧରେ ଦଣ୍ଡବିଧାନର ଆଇନ ରହିଥିବା ସତ୍ତ୍ବେ ସବୁ ନିଷ୍ଫଳ। ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ ନଦେବା ପାଇଁ ବଡ଼ବଡ଼ ସୂଚନାଫଳକ ଲଗାଯାଇଛି; କିନ୍ତୁ ତାହା କେବଳ ସୂଚନାରେ ହିଁ ସୀମିତ। ଲାଞ୍ଚ ନଦେଲେ କାମ ହେବନାହିଁ- ଏଭଳି ଏକ ଧାରଣା ଏବେ ବି ଲୋକଙ୍କ ମନ ଭିତରେ ରହିଛି। ଏହା ଯେ ସମ୍ପୂର୍ଣ୍ଣ ଅମୂଳକ, ତାହା ଆଦୌ ନୁହେଁ। ‘ପର୍ସେଣ୍ଟେଜ୍’ (ପିସି) ନଦେଲେ, ଅର୍ଥାତ ନେତା, ଅମଲା, ଦଲାଲଙ୍କ ହାତ ଚିକ୍କଣ ନକଲେ କୌଣସି ସରକାରୀ ବିକାଶ କାର୍ଯ୍ୟ ହୋଇପାରୁନାହିଁ। ଅବଶ୍ୟ ଆମ ସରକାର ପିସି ହଟାଇବାକୁ ଖୁବ୍ ଭାଷଣ ଦେଇଚାଲିଛନ୍ତି।
ସରକାର ଦୁର୍ନୀତି ଦୂରୀକରଣ (ସଂଶୋଧନ) ଆଇନ ୨୦୧୮ ଆଣିଛନ୍ତି। ଏଥିରେ କୌଣସି ବଡ଼ କମ୍ପାନୀ ବା କର୍ପୋରେଟ ହାଉସ ପକ୍ଷରୁ ସରକାରୀ ନୀତି ବଦଳାଇବା ପାଇଁ ଯଦି ଅଧିକାରୀଙ୍କୁ ଲାଞ୍ଚ ଦିଆଯାଇଥାଏ, ତେବେ କେବଳ ସଂପୃକ୍ତ ଅଧିକାରୀ ନୁହନ୍ତି, ଲାଞ୍ଚଦାତା କମ୍ପାନୀର ସଂପୃକ୍ତ ଲୋକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ହୋଇଛି; କିନ୍ତୁ ଏହି ଆଇନ ପ୍ରଣୟନର ଏତେ ମାସ ପରେ ବି ଗୋଟିଏ ମଧ୍ୟ ଏଭଳି ଘଟନା ସାମ୍ନାକୁ ଆସିନାହିଁ। ଏହାର ଅର୍ଥ ହେଲା, ଆଇନ ତା’ ବାଟରେ, ଲାଞ୍ଚ କାରବାର ତା’ ବାଟରେ। ଆଇନକୁ କାର୍ଯ୍ୟକାରୀ କରିବା ଲୋକେ ହିଁ ଯଦି ନିଷ୍କ୍ରିୟ ହୋଇଯିବେ, ତେବେ ତାହା ନିରର୍ଥକ ହେବା ସ୍ବାଭାବିକ। ଅନ୍ନା ଆନ୍ଦୋଳନ ବେଳେ ଭ୍ରଷ୍ଟାଚାର ରୋକିବାପାଇଁ ଜନଲୋକପାଳ ଆଇନ କାର୍ଯ୍ୟକାରୀ କରିବାକୁ ସରକାରଙ୍କ ଉପରେ ବେଶ୍ ଚାପ ପଡ଼ିଥିଲା। ଆଇନ ବି ହେଲା; କିନ୍ତୁ ତାକୁ ସରକାର କାର୍ଯ୍ୟକାରୀ କରିବାକୁ ଚାହୁଁନାହାନ୍ତି। ତେଣୁ ସରକାର ପରୋକ୍ଷରେ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥିବା ପରି ମନେହେଉଛି। ଆଇନର ଉଚିତ ପାଳନ ସହ ସମସ୍ତେ ଯଦି ନୈତିକତାସଂପନ୍ନ ନହେବେ, ଏ ଅବସ୍ଥା ସୁଧୁରିବ ନାହିଁ।

Comments
Loading...