ରହସ୍ୟମୟୀ ମାୟାବତୀ

0

ସୁଧାଂଶୁ ଶେଖର ଭୂୟାଁ

ନରେନ୍ଦ୍ରପୁରର ମାଷ୍ଟର ମହାଶୟ ଅଜିତ୍‌ ଦାଦା କହିଥିଲେ, ସାରା ଜୀବନ ଗୋଟାଏ କଥା ମନେରଖିବ, ତୁମେ ଅସଲ ଜାଣିଥିବା କଥା ଖୁବ୍‌ କମ୍‌। ସବଜାନ୍‌ତା ଭାବଟା ହେଲା, ‘ମୁଁ କ’ଣ ହନୁ କିରେ ସି‌େଣ୍ଡ୍ରାମ’।
୮୨ ବର୍ଷ ବୟସର ଜଣେ ପାଠକ ଇନ୍‌ଲ୍ୟାଣ୍ଡ ଲେଟରରେ ପ୍ରଶ୍ନ ଉତ୍‌ଥାପନ କରିଛନ୍ତି ‘ମାୟାବତୀ କ’ଣ କରିବେ? ବି.ଜେ.ପି. ଦିଗରେ ନା ରାହୁଲ-ଅଖିଳେଶ ମେଣ୍ଟ ଆଡ଼କୁ? ମନେ ହେଲା, ମାୟାବତୀଙ୍କର ସମ୍ଭାବ୍ୟ ରାଜନୀତି ନେଇ ଏଥର କଥା କହିବା। ୨୦୧୯ର ଭବିଷ୍ୟତ ଅନେକଟା ନିର୍ଭର କରୁଛି ଏହି ୬୨ବର୍ଷ ବୟସ୍କା ନେତ୍ରୀଙ୍କ ଉପରେ। ବିଗତ ଲୋକସଭା ନିର୍ବାଚନରେ ସେ ଉତ୍ତରପ୍ରଦେଶରୁ ଗୋଟାଏ ହେଲେ ଆସନ ପାଇନାହାନ୍ତି। ଅଥଚ ଭୋଟବ୍ୟାଙ୍କ୍‌ ହିସାବରେ ତାଙ୍କର ଦଳ ଥିଲା ତୃତୀୟ। କେବଳ ତ ଉତ୍ତରପ୍ରଦେଶ ନୁହେଁ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଆସନ୍ନ ବିଧାନସଭା ନିର୍ବାଚନରେ ବହୁଜନ ସମାଜ ପାର୍ଟି ବହୁ ଆସନରେ ପ୍ରାର୍ଥୀଦେଇ ପୃଥକ୍‌ ଭାବରେ ଲଢ଼ିଲେ ବିଜେପିର ଲାଭ। ଆଉ କଂଗ୍ରେସ ସଙ୍ଗରେ ମେଣ୍ଟ କଲେ ଦ୍ବିପାକ୍ଷିକ ଲଢ଼େଇ ହେ​‌େ​‌ଲ କଂଗ୍ରେସର ଲାଭ।
ସହଜ ସରଳ ବିଶ୍ଳେଷଣରେ ମନେହୁଏ, ମୋଦୀ ବିରୋଧୀ ମେଣ୍ଟରେ ହିଁ ମାୟାବତୀଙ୍କର ଲାଭ। ସମାଜବାଦୀ ପାର୍ଟି ସାଙ୍ଗରେ ଆସନ ବୁଝାମଣା କରି ନିଜର ଆସନ ବଢ଼ାଇ ପାରିଲେ ସେ ଭାରତର ପ୍ରଥମ ‘ଦଳିତ’ ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଯାଇପାରନ୍ତି ଯେଉଁ ଭାବରେ କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଅଖିଳେଶଙ୍କ ସଙ୍ଗରେ ମାୟା ଦର କଷାକଷି କରି ବେଶୀ ଆସନ ଚାହିଁଛନ୍ତି, ଯେଉଁଥିରେ ତାଙ୍କର ଆସନସଂଖ୍ୟା ମମତାଙ୍କର ୪୨ଠାରୁ ଅଧିକ ହୁଏ। ପ୍ରଧାନମନ୍ତ୍ରୀ ଦୌଡ଼ରେ ମାୟାଙ୍କ ପ୍ରତିଦ୍ବନ୍ଦ୍ବୀ ମମତା। ଜଣେ ପ୍ରବୀଣ ସାମ୍ବାଦିକ କହିଥିଲେ, ‘ରାଜନୈତିକ ବିଶ୍ଳେଷଣ ଅତୀତରେ ଠିକ୍‌ ହେଉଥିଲା, ଆଜିକାଲି କାହିଁକି ହେଉନାହିଁ ଜାଣ? ଆଗରୁ ରାଜନୀତିର ଲାଭକ୍ଷତି ହିସାବରେ ହିଁ ରାଜନୈତିକ ସିଦ୍ଧାନ୍ତ ନିଆଯାଉଥିଲା। ସେତେବେଳେ ଭାରତର ରାଜନୀତିରେ ଅମର ସିଂହ ଆସିନାହାନ୍ତି। ଏବେ ବିଶ୍ଳେଷଣ ଭୁଲ ହୋଇଯାଏ, କାରଣ ​‌େ​‌ନପଥ୍ୟରେ କାର୍ଯ୍ୟ କରୁଛି ଟଙ୍କାର ଖେଳ। ’’ ତା’ ଉପରେ ଅଛି ଦୁର୍ନୀତି ମାମଲା- ସିବିଆଇ ବା ସିଆଇଡିର ମାୟାଜାଲ। ୧୯୯୫ ସାଲରେ ମାୟାବତୀ ପ୍ରଥମେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ମୁଲାୟମଙ୍କୁ କ୍ଷମତାଚ୍ୟୁତ କରି ସମାଜବାଦୀ ପାର୍ଟିକୁ ବିଚ୍ଛିନ୍ନ କରିବାକୁ ମାୟାବତୀଙ୍କୁ କଂଗ୍ରେସ ସମର୍ଥନ ଜଣାଇଥିଲା, କିନ୍ତୁ କଲ୍ୟାଣ ସିଂହଙ୍କର ଆପତ୍ତି ସତ୍ତ୍ବେ ଆଡ଼ୱାଣୀଙ୍କର ମନେ ହୋଇଥିଲା, ମାୟାବତୀଙ୍କୁ ସମର୍ଥନ କଲେ ବିଜେପିର ଲାଭ। ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କର ଐତିହାସିକ ମନ୍ତବ୍ୟ: ‘ମାୟାବତୀଙ୍କର ମୁଖ୍ୟମନ୍ତ୍ରୀ ହେବାଟା ଭାରତୀୟ ରାଜନୀତିର ଅଲୌକିକତା।’
ଘଟଣାଟା ହେଲା, ଆମ୍ବେଦକର ତାଙ୍କ ସୃଷ୍ଟ ରାଜନୈତିକ ଦଳ ରିପବ୍ଲିକାନ୍‌ ପାର୍ଟି ଅଫ ଇଣ୍ଡିଆକୁ କେବଳ ମହାରାଷ୍ଟ୍ରର ମାହାର ସଂପ୍ରଦାୟର ଦଳ କରିବାକୁ ଚାହିଁ ନଥିଲେ। ଚାହିଁଥିଲେ ଏହି ଦଳଟିର ରାଜନୈତିକ ଭିତ୍ତି ଆହୁରି ପ୍ରସାରିତ ହେଉ। ସେଇଟା ହେଲା ନାହିଁ। କାଂଶୀରାମ ୧୯୮୪ ସାଲରେ ବହୁଜନ ସମାଜ ପାର୍ଟିର ଜନ୍ମ ଦେଇ ଭୋଟ ପରିସରକୁ ଆସି ଦଳିତମାନଙ୍କ ପାଇଁ ପ୍ରଥମ ଆୱାଜ୍‌ ତୋଳିଲେ। ତାଙ୍କ ଆଗରୁ ଏଇଟା ଥିଲା ଏକ ଅଣ-ରାଜନୈତିକ ସଂଗଠନ, ଗୋଟାଏ ଛତାପରି। ତା’ରି ଭିତରେ ଥିଲା ପଛୁଆ ବର୍ଗ, ତଫସିଲ୍‌ ଜାତି, ଦଳିତ ଓ ସଂଖ୍ୟାଲଘୁମାନେ। ରାଜନୈତିକ ଦଳ ଗଢ଼ି ପଞ୍ଜାବ, ଉତ୍ତରପ୍ରଦେଶରେ କାଂଶୀରାମ ପ୍ରାଥମିକ ଭାବରେ ‘ଦଳିତ’ମାନଙ୍କୁ ଲକ୍ଷ୍ୟକରି ଆଗେଇ ଚାଲିଲେ। ଦ୍ରୁତ ଦଳିତ ଆନ୍ଦୋଳନ ଆରମ୍ଭ ହୋଇଗଲା। ସେହି ସମୟରେ ଲକ୍ଷ୍ନୌରେ ଦୁଇଟି ସ୍ଲୋଗାନ୍‌ ବେଶ୍‌ ଜନପ୍ରିୟତା ହାସଲକରିଥିଲା। ଗୋଟିଏ ହେଲା, ‘ତିଲକ ତରାଜୁ ୱୗର ତଲ୍‌ୱୗର, ଇସ୍‌କୋ ମାର ଜୁତେ ଚାର’। ତିଳକମାନେ ବ୍ରାହ୍ମଣ, ତରାଜୁମାନେ ବୈଶ୍ୟ, ଆଉ ତଲ୍‌ୱୗର ମାନେ କ୍ଷତ୍ରିୟ। ଆରମ୍ଭ ହେଲା ମନୁବାଦୀମାନଙ୍କ ବିରୋଧରେ ଆକ୍ରମଣ। ଆଉଗୋଟିଏ ସ୍ଲୋଗାନ୍‌ ଥିଲା, ‘ଭୋଟ ହମାରା ରାଜ ତୁମହାରା, ନହି ଚଲେଗା ନହି ଚଲେଗା।’
୧୯୯୯ ସାଲରେ ମାୟାବତୀ କୌଶଳ ବଦଳାଇଲେ। ସେ କହିଲେ, ବହୁଜନ ସମାଜ ମାନେ ତ ସମସ୍ତଙ୍କର ସମାଜ। ତେଣୁ ଉଚ୍ଚବର୍ଣ୍ଣର ହିନ୍ଦୁମାନଙ୍କୁ ବହୁସଂଖ୍ୟାରେ ପ୍ରାର୍ଥୀଦେଇ ସେ ବାଜିମାତ୍‌ କଲେ। ମୁସଲମାନମାନଙ୍କୁ ମଧ୍ୟ ଛତାତଳକୁ ଆଣିବାକୁ ଚେଷ୍ଟା କଲେ। ସମାଜବାଦୀ ପାର୍ଟି ସଙ୍ଗରେ ବହୁଜନ ସମାଜପାର୍ଟି ସମ୍ପର୍କ ଛିନ୍ନ କରିବା ସମୟରେ କାଂଶୀରାମ କହିଲେ, ‘ଏମାନେ ଆମ୍ଭମାନଙ୍କଠାରୁ ଓବିସି ଭୋଟଟାକୁ ମଧ୍ୟ ନେଇଯାଇଥିଲେ।’ ୧୯୯୩ରେ ବିଜେପିକୁ ରୋକିବାକୁ ଯାଇ ମୁଲାୟମଙ୍କର ସଙ୍ଗ ନେଲେ। ଭାରତୀୟ ରାଜନୀତିରେ ମାୟାବତୀଙ୍କର ବରାବର ବହୁରୂପୀ ଚରିତ୍ର।
ଇତିହାସ ଥାଉ। ଏବେ କ’ଣ ହେଉଛି? ଏବେ ଅମିତ ଶାହା ମାୟାବତୀଙ୍କର ବ୍ରାହ୍ମଣ ନେତା ସତୀଶ ମିଶ୍ରଙ୍କ ମାଧ୍ୟମରେ ମାୟାବତୀଙ୍କୁ ସାଙ୍ଗରେ ନେବାକୁ ଚାହୁଁଛନ୍ତି। ପ୍ରଥମ ଥୋପ, ମାୟାବତୀଙ୍କ ବିରୋଧରେ ଚାଲୁରହିଥିବା ସମସ୍ତ ତଦନ୍ତ ଶେଷ କରିବାକୁ ହେବ। ଦ୍ବିତୀୟ ପ୍ରସ୍ତାବ, ମାୟାବତୀଙ୍କ ଭାଇଙ୍କ ବିରୋଧରେ ମଧ୍ୟ ଚାଲୁଥିବା ମାମଲା ପ୍ରତ୍ୟାହାର। ତୃତୀୟତଃ, ମାୟାବତୀ ସବୁ ରାଜ୍ୟରେ ସ୍ବାଧୀନ ଭାବେ ପ୍ରାର୍ଥୀ ଦେଲେ ବିଜେପି ତାଙ୍କୁ ସାହାଯ୍ୟ କରିବ। ଚତୁର୍ଥତଃ, ଦଳିତ ସ୍ବାର୍ଥରେ ବଡ଼ ଘୋଷଣା, ଯେପରି, କାଂଶୀରାମଙ୍କୁ ଭାରତରତ୍ନ ପ୍ରଦାନ ଇତ୍ୟାଦି। ଆଉ ସହଜ ଆଙ୍ଗୁଠିରେ ଘିଅ ନ ଉଠିଲେ ମାୟାବତୀଙ୍କୁ ଚାପି ରଖିବା? ଉତ୍ତରପ୍ରଦେଶର ନବୀନ ପ୍ରଜନ୍ମର ଦଳିତ ନେତା ଚନ୍ଦ୍ରଶେଖରଙ୍କୁ ଜେଲରୁ ମୁକ୍ତ କରି ବିଜେପି କ’ଣ ବାର୍ତ୍ତା ଦେବାକୁ ଚାହୁଁଛି? ମାୟାବତୀ ଚାହିଁଥିଲେ, ଚନ୍ଦ୍ରଶେଖର ଜେଲ୍‌ରେ ରହିଥାନ୍ତୁ। ଏବେ ଚନ୍ଦ୍ରଶେଖର ତାଙ୍କୁ ‘ବୁଆ’ ଡାକିଲେ ମଧ୍ୟ ମାୟାବତୀ କହିଛନ୍ତି, ୟା ସାଙ୍ଗରେ କୌଣସି ଆତ୍ମୀୟତା ନାହିଁ। ଚନ୍ଦ୍ରଶେଖର କହିଛନ୍ତି, ‘ଆମର ତ ରାଜନୈତିକ ଦଳ ନୁହେଁ, ଭୋଟରେ ଲଢ଼ିବୁ ନାହିଁ। ସମର୍ଥନ କରିବୁ, ଏସ.ପି.-ବିଏସପି ମେଣ୍ଟକୁ। ମାୟାବତୀ କହିଛନ୍ତି, ‘ଏ ଧରଣର ଗୁଣ୍ଡାଗର୍ଦି କରୁଥିବା ଲୋକଙ୍କୁ ସମର୍ଥନ କରିପାରିବି ନାହିଁ। ଅସଲ ଚନ୍ଦ୍ରଶେଖର ହିଁ ବିଜେପିର ବି-ଟିମ୍‌’।
ଠେଲାଠେଲିଟା ବୁଝନ୍ତୁ। ଯଦି ଚନ୍ଦ୍ରଶେଖର ନିର୍ଦଳୀୟ ପ୍ରାର୍ଥୀ ଦିଅନ୍ତି, ସେଥିରେ ମଧ୍ୟ ତ ବହୁଜନ ସମାଜପାର୍ଟି ତଥା ‘ଧର୍ମ ନିରପେକ୍ଷ’ ମେଣ୍ଟ ପ୍ରତି ବିପଦ। ତେଣୁ ରାହୁଲ- ଅଖିଳେଶ ସର୍ବଶକ୍ତି ପ୍ରୟୋଗ କରି ମାୟାବତୀଙ୍କୁ ମେଣ୍ଟରେ ରଖିବାକୁ ଆଗ୍ରହୀ। ବିଜେପି ଯଦି ମାୟାଙ୍କର କାନେକାନେ ଆସି କହନ୍ତି, ଆବଶ୍ୟକ ସଂଖ୍ୟା ନ ମିଳି​‌େ​‌ଲ ତୁମେ ଆମର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ଅଖିଳେଶ ମଧ୍ୟ କାନେକାନେ ସେହି କଥା କହିଛନ୍ତି ମାୟାଙ୍କୁ? ଆପାତତଃ ସେଇଠାରେ ଦଉଡ଼ି ଟଣାଟଣି।
ଭାରତୀୟ ରାଜନୀତିରେ ମାୟାବତୀମାନେ ହିଁ ଅନିଶ୍ଚିତତା। ମାୟାବତୀ ଉତ୍ତରପ୍ରଦେଶରେ ନାନା ଦଳର ସମର୍ଥନରେ ଚାରିଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କାଂଶୀରାମ ତାଙ୍କୁ କହିଯାଇଛନ୍ତି, ମେଣ୍ଟ ସେତେବେଳେ ହିଁ କରିବ, ଯେତେବେଳେ ତୁମେ ମୁଖ୍ୟମନ୍ତ୍ରୀ ହୋଇପାରିବ। ଥରେ ତ ନିଜର ମୁଖ୍ୟମନ୍ତ୍ରୀ ପଦର ମିଆଦ ​‌େ​‌ଶଷ ହେଉ ନହେଉଣୁ ସମର୍ଥନ ପ୍ରତ୍ୟାହାର କରି ବିଜେପି ସଙ୍ଗରେ ମେଣ୍ଟ ଭାଙ୍ଗିଦେଲେ। ଫଳରେ ସେ ଥର କଲ୍ୟାଣ ସିଂହ ମୁଖ୍ୟମନ୍ତ୍ରୀ ହୋଇପାରିଲେ ନାହିଁ। ଯଦିଓ ସେଇଟା ଥିଲା ବୁଝାମଣା। ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ହୋଇ ସେ ହେଲେ ଲୌହମାନବୀ। ଆଜି ୬୨ ବର୍ଷର ବୟସରେ ଉପନୀତ ହୋଇ ମାୟାବତୀ କ’ଣ ଆହୁରି କ୍ଲାନ୍ତ? ରାଜନୈତିକ ଲଢ଼େଇର ଅତୀତ ଅଗ୍ନିସ୍ଫୁଲିଙ୍ଗ ନିଭୁନିଭୁ, ଏବେ କ’ଣ ତାହା ଫେରିଆସିବ? ରାଜନୈତିକ ଦର କଷାକଷି?
ପ୍ରାୟତଃ ଅଜିତ୍‌ ଦାଦାଙ୍କର ସତର୍କବାଣୀ ଭୁଲିବାର ନୁହେଁ। ସହଜ ସରଳ ସତ୍ୟ ହେଉଛି, ଭାରତୀୟ ରାଜନୀତିରେ ଆଜି ସବୁଠାରୁ ବଡ଼ ରହସ୍ୟ ମାୟାବତୀ।
ଅତିରିକ୍ତ ଶାସନ ସଚିବ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ

Comments
Loading...