‘ମିଁ ଠୂ’ ଜନ ଅଦାଲତ

0

‘ମି ଁଠୂ’ (ମୁଁ ମଧ୍ୟ) ଆନ୍ଦୋଳନ ବଢ଼ିବଢ଼ି ଚାଲିଛି ଏବଂ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ନାମ ଜଣକ ପରେ ଜଣେ ମହିଳା ନିର୍ଯାତନା ଓ ଯୌନଶୋଷଣ ମାମଲାରେ ପଦାକୁ ଆସୁଛି। ଏସବୁ ଅଭିଯୋଗର ଆଇନଗତ ଦିଗ ଯା’ ହେଉନା କାହିଁକି ଜନ ଅଦାଲତରେ ଅଭିଯୁକ୍ତମାନେ କିନ୍ତୁ ବଡ଼ଅଡ଼ୁଆ ଅବସ୍ଥାରେ ପଡ଼ିଛନ୍ତି। ଜନାକାରୀ ଅଭିଯୋଗ ଆସିଲେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଏବଂ ମାମଲା ପ୍ରମାଣିତ ହେଉ ବା ନ’ହେଉ ସେମାନଙ୍କ ସାମାଜିକ ପ୍ରତିଷ୍ଠା ଓ ମର୍ଯ୍ୟାଦା କ୍ଷୁଣ୍ଣ ହୋଇଥାଏ। ଅଦାଲତରେ ନିର୍ଦୋଷ ପ୍ରମାଣିତ ହେବା ଆମ ବ୍ୟବସ୍ଥାରେ ବେଶ୍‌ ସମୟସାପେକ୍ଷ। ତେଣୁ ଏହା ମୁହଁରେ କଳା ବୋଳା ହେବାଭଳି ଏକପ୍ରକାର ସାମାଜିକ ଦଣ୍ଡ । ଏହି ‘ମିଁ ଠୂ’ ଅଭିଯାନ ଆଉ କେତେକାଳ ଚାଲିବ କହିବା ସହଜ ନୁହେଁ। ତେବେ ଏହାର ଗୋଟିଏ ଭଲ ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପଡ଼ିଲାଣି। ସବୁ ସରକାରୀ, ବେସରକାରୀ, ଅନୁଷ୍ଠାନ, ଦପ୍ତର ଓ କାର୍ଯ୍ୟସ୍ଥଳରେ ମହିଳାଙ୍କ ସୁରକ୍ଷା ଏବଂ ସେମାନଙ୍କ ଅଭିଯୋଗର ଶୁଣାଣି ପାଇଁ ଆଭ୍ୟନ୍ତରୀଣ କମିଟି ଗଠନ ଏବଂ ବନ୍ଦୋବସ୍ତ ଆଦି ଆରମ୍ଭ ହୋଇଗଲାଣି। ମହିଳା ସୁରକ୍ଷା ଦୃଷ୍ଟିରୁ ଏହା ସ୍ବାଗତଯୋଗ୍ୟ।
ଏସବୁ ସ​‌େ​‌ତ୍ତ୍ବ ‘ମିଁଠୂ’ ଆନ୍ଦୋଳନ ଯେପରି ପଥଚ୍ୟୁତ୍‌ ନହୁଏ ଏବଂ ପ୍ରତିଶୋଧ ନେବାକୁ ମହିଳାଙ୍କ ପାଇଁ ଏକ ଆୟୁଧ ନ’ପାଲଟେ ସେଥିପ୍ରତି ମହିଳା ସମାଜ ଦୃଷ୍ଟିଦେବା ଆବଶ୍ୟକ। କାରଣ ଅଦାଲତରେ ଯୌନ ନିର୍ଯାତନା ଓ ହଇରାଣ ହରକତ ଅଭିଯୋଗକୁ ପ୍ରମାଣ କରିବାକୁ ପଡ଼ିବ। ଅତଏବ ଅଭିଯୋଗ ବିଶ୍ବସନୀୟ ଏବଂ ସୁସଂହତ ହେବା ଉଚିତ୍‌। ହଁ, ଏକଥା ସତ ଯେ ପ୍ରମାଣ ନାହିଁ ବୋଲି ଘଟଣା ଘଟିନାହିଁ ବୋଲି କୁହାଯାଇ ନ’ପାରେ। ତଥାପି ଏଭଳି ଅଭିଯୋଗ ଆଣିବାବେଳେ ସଂପୁକ୍ତ ମହିଳା ମନେ ରଖିବା ଉଚିତ୍‌ ଯେ ତାଙ୍କର କେଇପଦ କଥା ବା ଅଭିଯୋଗରେ ଜଣେ ପୁରୁଷଙ୍କୁ ସିଧାସଳଖ ଜେଲକୁ ପଠାଇ ହେବନାହିଁ। ତେଣୁ ଏହାକୁ ଅନ୍ୟ କୌଣସି ଘଟଣାରେ ଏକ ପ୍ରତିଶୋଧର ଅସ୍ତ୍ରଭାବେ ବ୍ୟବହାର କରାଯିବା ଅନୁଚିତ। ଏହି ପରିପ୍ରେକ୍ଷୀରେ ଯାହା ଘଟିଯାଇଛି ତାହାର ପୁନରାବୃତ୍ତି ଏବେ ଅନ୍ୟ କାହାରି କ୍ଷେତ୍ରରେ ଯେପରି ନ’ହୁଏ ସେଥିପାଇଁ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସରକାରଙ୍କ ଉପରେ ଚାପ ପଡୁ।

Leave A Reply