ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍‌ନୀତି ଅତୁଟ ରହୁ

0

ଜଗନ୍ନାଥ ପ୍ରସାଦ ଦାଶ

୨୦୧୬ ମସିହାରେ କେନ୍ଦ୍ରୀୟ ଶିକ୍ଷା ପରାମର୍ଶ ବୋର୍ଡ଼ ନୂଆଦିଲ୍ଲୀର ଏକ ଉପ-କମିଟି ଜରିଆରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଫେଲ୍ ନହେବା ନୀତିକୁ ବଦଳାଇବାରେ ପ୍ରସ୍ତାବ ଥିଲା। ଏଥିରେ କେତେକ ରାଜ୍ୟ ମତ ଦେଇଥିଲେ। ତେବେ ସମସ୍ତ ରାଜ୍ୟର ସମର୍ଥନ ନଥିଲା। ଉକ୍ତ ଉପ-କମିଟି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଫେଲ୍ ନକରିବା ନୀତିକୁ ବଦଳାଇବାକୁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲେ। ପରେ ସମୟକ୍ରମେ ଏହି ମତକୁ ମାନବ ସମ୍ବଳ ବିକାଶ ବିଭାଗ ଗ୍ରହଣ କରି ସରକାରଙ୍କର ଶିକ୍ଷାଧିକାର ଆଇନଗତ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନହୋଇ ୫ମ ଓ ୮ମ ବୋର୍ଡ଼ ପରୀକ୍ଷା ହେବାର ସ୍ଥିର ହେଲା। ଏହା ଆସନ୍ତା ବର୍ଷାଠାରୁ ଲାଗୁହେବ। ତେବେ ହଠାତ୍ ଏହି ନୂତନ ନିୟମ ବଦଳାଇବା କ’ଣ ପାଇଁ ଏତେ ଜରୁରୀ ଥିଲା ? ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍‌ନୀତି କୋଠାରି କମିସନଙ୍କର ଶିକ୍ଷା ପଦ୍ଧତି ଅନୁସାରେ ଏବଂ ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପ୍ରତିଷ୍ଠାନ, ନୂଆଦିଲ୍ଲୀ (ଏନସିଇଆରଟି – ନେସ୍‌ନାଲ କାଉନ୍‌ସିଲ ଅଫ୍‌ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଙ୍ଗ୍‌) ଦ୍ୱାରା ପ୍ରସ୍ତୁତ ଥିଲା। ଏବର ପାସ୍ ଫେଲ୍ ନୀତି ପ୍ରଣୟନ ହେବାରେ ଏନସିଇଆରଟିର ସୁପାରିସ ହୋଇଥିବା ଭଳି ମନେହୁଏ ନାହିଁ। ତେବେ ଏପରି ନିୟମ କେନ୍ଦ୍ର ସରକାର ପ୍ରସ୍ତୁତ କରି ସମସ୍ତ ରାଜ୍ୟରେ ଲାଗୁ କରିବାରେ କିପରି ସମ୍ଭବ ହେଲା? ପିଲାଟି ଫେଲ୍୍ ହେଲେ ସେ ଉପର ଶ୍ରେଣୀକୁ ନ ଯାଇ ପୁନଶ୍ଚ ପରୀକ୍ଷା ଦେବ ବା ପୁଣି ଫେଲ୍ ହେଲେ କ’ଣ ହେବ? ଏହା ଏକ ଜଟିଳ ପ୍ରଶ୍ନ।
ଏଭଳି ନୀତିରୁ ଜଣାଯାଏ ଯେ ଯଦି ସରକାର ଶିକ୍ଷାନୀତି ବା ପଦ୍ଧତିକୁ ବଦଳାଇବେ , ତେବେ ଶିକ୍ଷା କମିସନକୁ ଆଧାରକରି ସ୍କୁଲ ବିଭାଗ ନିମନ୍ତେ ଏନସିଇଆରଟିରେ ପ୍ରସ୍ତୁତ ହେବା ଦରକାର। ପାସ୍ ଫେଲ୍ ନୀତି ଆଧାରିତ ଏନସିଇଆରଟିର ଏକ ଉଦାହରଣ ଏଠାରେ ଉଲ୍ଲେଖଯୋଗ୍ୟ । ମନେକରାଯାଉ ଜଣେ ପିଲା ଗଣିତରେ ଶତକଡ଼ା ୩୦ ରଖିବାରେ ପାସ୍ କରିବାକୁ ଯୋଗ୍ୟ ବିବେଚିତ ହେଉଥିବାବେଳେ, ମନେରଖିବାକୁ ହେବ ଯେ ପିଲାଟି ଶତକଡ଼ା ୭୦ଭାଗ ଗଣିତରେ ଅପାରଗ ବା ଫେଲ୍ ଅଛି। ତେଣୁ ପାସ୍ ଫେଲ୍ ନୀତି ଲାଗୁ ନକରି ଭଲଭାବରେ ପାଠ ପଢ଼ାଯିବା ସହ ମୂଲ୍ୟବୋଧ ତଥା ପ୍ରୟୋଗାତ୍ମକ ଶିକ୍ଷା ଦାନ ଶ୍ରେଷ୍ଠ ପନ୍ଥା ଅଟେ। ପ୍ରାଥମିକ ଶିକ୍ଷା ସ୍ତରରେ ଫେଲ୍ ନୀତି ପ୍ରୟୋଗରେ, ଏହା ସର୍ବଶିକ୍ଷା ଯୋଜନାର ପରିପନ୍ଥୀ। ଆଉମଧ୍ୟ ପାସ୍ ଫେଲ୍ ନୀତି ଅବଲମ୍ବନ ଫଳରେ ଫେଲ୍ ପିଲାମାନେ ପାଠପଢ଼ା ଛାଡ଼ିବାର ଅର୍ଥାତ ‘ଅପଚୟ’ (ଡ୍ରପ୍‌ ଆଉଟ) ସହିତ ଆବଦ୍ଧ ବା ଶ୍ରେଣୀରେ ଅଟକିବା (ଷ୍ଟାଗନେସନ) ମିଶିବାରେ ପ୍ରାଥମିକ ଶିକ୍ଷା ଅଧିକ ବିପର୍ଯ୍ୟସ୍ତ ହେବାର ସମ୍ଭାବନାକୁ ଏଡାଯାଇ ନପାରେ । ଏହାଥିଲା ଏନସିଇଆରଟି ମତାମତ । ତେବେ ଏଠାରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲା ପାସ କରିବା ନୀତିକୁ ଅତୁଟ ରଖିବା ପ୍ରସଙ୍ଗ ସଂକ୍ଷେପରେ ଆଲୋଚିତ ।
ଶିକ୍ଷା ଏକ ରାଜ୍ୟସ୍ତରୀୟ ବିଷୟ /ତେଣୁ ସମସ୍ତ ରାଜ୍ୟକୁ ଏପରି ପାସ୍ ଫେଲ୍ ନୀତି ପ୍ରୟୋଗ କରିବାକୁ ନି​‌େ​‌ର୍ଦଶ ଦେବା ତଥା କାର୍ଯ୍ୟକାରୀ କରିବା ବା ଏକ ପଦ୍ଧତି ପାଳନ କରିବାର ଯଥାର୍ଥତା ନାହିଁ ।
ସ୍କୁଲ ଶିକ୍ଷାକୁ ଭଲ ଭାବରେ ସଜାଡିବାକୁ ହେଲେ ଅଧିକ ଅର୍ଥ ବରାଦ ସହିତ ସମସ୍ତ ସୁବିଧା , ଠିକ ଭାବରେ ପାଠ ପଢାଇବା ତଥା ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦରକାର। ତେବେ ଶିକ୍ଷାବ୍ୟବସ୍ଥାକୁ ଉନ୍ନତ କରିବା ସରକାରଙ୍କର ଚିନ୍ତାର ବିଷୟ ତଥା କାର୍ଯ୍ୟକାରୀ ସମୟରେ ପରୀକ୍ଷାକୁ ଅଧିକ ଗୁରୁତ୍ୱ ଏବଂ ପାସ ଫେଲ ନୀତି ପ୍ରଣୟନ ଅନାବଶ୍ୟକ ।
ଆଉମଧ୍ୟ ଶିକ୍ଷା ଦର୍ଶନ, ଶିକ୍ଷା ନୀତି ଏବଂ ମନୋବିଜ୍ଞାନ ଦୃଷ୍ଟିରୁ ବିଚାର କଲେ ଫେଲ ନୀତି ପିଲାମାନଙ୍କର ଶାରୀରିକ, ସ୍ୱାସ୍ଥ୍ୟଗତ, ମାନସିକ ଭୟ, ପରୀକ୍ଷା ଭୟ ପ୍ରଭୃତି କ୍ଷତିକାରକ। ତେବେ ଭଲଭାବରେ ପାଠ ପଢାଇ ପିଲାମାନଙ୍କୁ ଖୁସି କରାଇବା ସହିତ ପାଠପଢାର ବୋଝ ତଥା ଗୃହପାଠ୍ୟରୁ ହାଲ୍‌କା କରିବା ଦରକାର । ସ୍କୁଲର ବାତାବରଣକୁ ସୌହାର୍ଦ୍ୟପୂର୍ଣ୍ଣ, ଦଣ୍ଡ ବିହୀନ ଶିକ୍ଷା, ବୁଝିପାରୁନଥିବା ପିଲାମାନଙ୍କ ପ୍ରତି ସ୍ୱତନ୍ତ୍ର ବ୍ୟବସ୍ଥାରେ ପାଠପଢା ଓ ଅଧିକ ସୁବିଧାସୁଯୋଗ ପ୍ରଭୃତି ଦେବାର ବ୍ୟବସ୍ଥା ଥିବା ଦରକାର । ଆଉମଧ୍ୟ ଘନଘନ ପରୀକ୍ଷା ,ଖାତା ଦେଖାରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ସମୟର ଅପଚୟ, ଶିକ୍ଷା ପ୍ରଶାସନର ପରିଦର୍ଶନ ସହିତ ସ୍କୁଲର ପାଠପଢା ଦିବସ ହ୍ରାସ ପାଇବ। ଛୋଟ ପିଲାମାନଙ୍କ ପ୍ରତି ଶିକ୍ଷାବିଭାଗ ତରଫରୁ ଅନ୍ୟାୟ ହେଲେ ବଡପିଲାମାନଙ୍କ ଭଳି ସେମାନେ ପ୍ରତିବାଦ, ଗୋଳମାଳ, ବିକ୍ଷୋଭ କରିପାରିବେ ନାହଁ । ପୁନଶ୍ଚ ପିତାମାତା, ଅଭିଭାବକ, ବୁଦ୍ଧିଜୀବୀ ଏବଂ ଜନସାଧାରଣ ସଚେତନ ଥିଲେ ମଧ୍ୟ ପିଲାମାନଙ୍କର ଅସୁବିଧାକୁ ବୁଝିବାକୁ ସମୟ ନାହିଁ। ପାଠପଢା ଯାହା ହେଉ ,ଟିଉସନ୍ ଦ୍ୱାରା ପିଲାମାନଙ୍କୁ ପଢାଇବାରେ ବ୍ୟସ୍ତ । ତେବେ ଗରିବ ପିଲାମାନେ କ’ଣ କରିବେ ? ତେଣୁ ଫେଲ୍ ନୀତି ପରିହାର କରି ପାଠପଢା ନୀତିକୁ ଅଧିକ ଗୁରୁତ୍ୱ ଦେବା ଦରକାର।
ଆମ୍ଭେମାନେ ମନେ ରଖିବା ଦରକାର ଯେ ସମାଜର ମଙ୍ଗଳ ନିମନ୍ତେ ଶିକ୍ଷା ଓ ସ୍ୱାସ୍ଥ୍ୟ ଅପରିହାର୍ଯ୍ୟ । ଶିକ୍ଷା ବିଭାଗର ଖର୍ଚ୍ଚକୁ ବ୍ୟୟ – ବୋଲି ନ ଭାବି ଦେଶ ଗଠନରେ ଏହା ଧନର ବିନିଯୋଗ ବା ‘ଧନ ଲଗାଣ’ (ଇନ୍‌ଭେଷ୍ଟମେଣ୍ଟ) ଭାବିବା ଦରକାର । ପ୍ରାଥମିକ ସ୍ତରରେ ଅଧିକ ଖର୍ଚ୍ଚ ଦରକାର । ବର୍ତ୍ତମାନ ଜାଣିବାର କଥା ଶ୍ରେଣୀରେ କେତେକ ପିଲା ନୂତନ ପାଠ ପଢା ହେବା ବେଳେ ବୁଝି ପାରି ନ ଥାନ୍ତି । ଏହାର କାରଣ ହେଉଛି, ତଳ ଶ୍ରେଣୀରେ ପଢା ଯାଇଥିବା ପାଠକୁ ସେମାନେ ଭଲ ଭାବରେ ଗ୍ରହଣ କରି ନଥାନ୍ତି । ଏଭଳି କ୍ଷେତ୍ରରେ ସେପରି ପିଲାମାନଙ୍କୁ ବାଛି ତାଙ୍କର ପାଠ ପଢାରେ ସନ୍ଦେହ ମୋଚନ ନିମନ୍ତେ ଶିକ୍ଷକଙ୍କୁ ଅଧିକ ସମୟ ଦେଇ (ସ୍କୁଲ ପାଠ ପଢା ସମୟ ବ୍ୟତୀତ) ସେମାନଙ୍କର ସନ୍ଦେହ ମୋଚନ କରିବା ଦରକାର ।
ଓଡିଶା ଏପରି ନୀତିକୁ ଗ୍ରହଣ କରିବା ଉଚିତ ନୁହେଁ । ପଛୁଆ ରାଜ୍ୟ ଭାବରେ ତଥା ଆଦିବାସୀ, ହରିଜନ, ଗରିବ, ବନ୍ୟା ବାତ୍ୟା ତଥା ଜଙ୍ଗଲପୂର୍ଣ୍ଣ ଅଗମ୍ୟ ଅଞ୍ଚଳର ପିଲାମାନଙ୍କ ପକ୍ଷେ ପାସ ଫେଲ ନୀତି ନିଶ୍ଚୟ କ୍ଷତିକାରକ। ସର୍ବଶିକ୍ଷା ଯୋଜନାରେ ସାକ୍ଷରତା ହ୍ରାସ ତଥା ଶିକ୍ଷା ବିପର୍ଯ୍ୟସ୍ତ ସୁନିଶ୍ଚିତ। ଆମ ସରକାର ବୁଝି ବିଚାରି ଶିକ୍ଷା ବିଭାଗ ଏବଂ ଏସସିଇଆରଟି (ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ)ର ସୁଚିନ୍ତିତ ମତାମତ ନେଇ ବିହିତ ବ୍ୟବସ୍ଥା କରିବାର ସମୟ ଉପନୀତ। ଆଉମଧ୍ୟ ଆମ ରାଜ୍ୟରେ ଶିକ୍ଷକ ତାଲିମ ସଂସ୍ଥାକୁ ଆଧାର କରି ଏବଂ ସ୍କୁଲ ଶିକ୍ଷାର ଉନ୍ନତିରେ ଶିକ୍ଷକ ଶିକ୍ଷା ବିଶ୍ୱବିଦ୍ୟାଳୟ ହେବା ଦରକାର । ତେବେ ଆମର ଅଷ୍ଟମ ପର୍ଯ୍ୟନ୍ତ ପାସ୍‌ ନୀତି ଅତୁଟ ରହୁ । ଭଲ ପାଠ ପଢା ହେଉ, କିନ୍ତୁ ପରୀକ୍ଷା ସର୍ବସ୍ୱ ନ ହେଉ ।
(ଲେଖକ ଜଣେ ଅବସରପ୍ରାପ୍ତ ଶିକ୍ଷକ– ଶିକ୍ଷା ପ୍ରଫେସର) ସଭାପତି, ଅଙ୍କୁର ଶିକ୍ଷା ନିକେତନ, ଖଡିଅଙ୍ଗ, କେନ୍ଦ୍ରାପଡା

Leave A Reply