ଜଳ ନିଷ୍କାସନ ଏବେ ନୂଆ ସମସ୍ୟା

0

ସାଧାରଣ ବର୍ଷାରେ ନୂଆ ରାଜଧାନୀ ଭୁବନେଶ୍ୱର ଓ ପୁରୁଣା ରାଜଧାନୀ କଟକ ସହର ବାରମ୍ବାର ଉବୁଟୁବୁ ହେଉଛି ା ସେହିପରି ଏବର୍ଷ ଆଶ୍ଚର୍ଯ୍ୟଜନକ ଭାବେ କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁରର ବିସ୍ତୀର୍ଣ୍ଣ ଅଞ୍ଚଳରୁ ବର୍ଷା ଜଳ ୧ ସପ୍ତାହରୁ ଊର୍ଦ୍ଧ୍ବ ସମୟ ଧରି ନିଷ୍କାସିତ ହୋଇପାରିଲା ନାହିଁ ା ମୁଖ୍ୟତଃ ଚାଷ ଜମିରେ ଜଳ ଜମି ରହିଲା ା ଯେଉଁ ପାଣି ସ୍ୱାଭାବିକ ଭାବେ ବୋହିଯିବା କଥା ତାହା ତଳମୁଣ୍ଡକୁ ବା ନଈ ମଧ୍ୟକୁ ପ୍ରବାହିତ ହେଲା ନାହିଁ ା ଫଳରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇ ଲୋକଙ୍କୁ ରିଲିଫ ଯୋଗାଇବାକୁ ପଡ଼ିଲା। ବିଗତ କିଛି ବର୍ଷ ହେଲା କଟକ – ଭୁବନେଶ୍ୱର ଯମଜ ନଗରୀରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇ ଘରେଘରେ ପାଣି ପଶିଯାଉଛି ା ରାସ୍ତାରେ ଥୁଆ ହୋଇଥିବା ଗାଡ଼ିମୋଟର ମଧ୍ୟ ବୁଡିଯାଇଛି ା ଉଭୟ ଥିଲାବାଲା ନଥିଲାବାଲାଙ୍କ ଘରେ ଚୁଲି ଜଳିପାରିନାହିଁ ା
ଲକ୍ଷ୍ୟ କରିବାର କଥା ରାଜ୍ୟର ପୁରୁଣା ରାଜଧାନୀ କଟକର ଅବସ୍ଥା ତ ପୂର୍ବରୁ ଏପରି ରହିଆସିଛି ା କଟକ ଏକ ପୁରୁଣା ସହର। ସହରର ନକ୍ସା ନାହିଁ କି ଯୋଜନା ନାହିଁ। ଏ ସହରର ବିକାଶ ଯୋଜନାବଦ୍ଧ ନୁହେଁ। ସହରକୁ ଘେରିରହିଛି ୨ଟି ବଡ଼ ନଈ ା ସହରର ଭୌ‌େ‌ଗାଳିକ ରୂପ ଏକ କଡ଼େଇ ସଦୃଶ। ଫଳରେ ଉଦ୍‌ବୃତ୍ତ ଜଳ ନିଷ୍କାସନ କ୍ଷେତ୍ରରେ ଦେଖା ଦେଇଥାଏ ସମସ୍ୟା ା ଏବେ କିନ୍ତୁ ନୂଆ ରାଜଧାନୀ ଅବସ୍ଥା ଦେଖିଲେ ପୁରୁଣା ରାଜଧାନୀ ସମସ୍ୟାରୁ ପ୍ରଶାସନ ବା ଜନସାଧାରଣ କିଛି ବୁଦ୍ଧି ଶିଖିନଥିବା ପରି ଜଣାପଡ଼ୁଛି ା ଭୁବନେଶ୍ୱର ସହରରେ ୨୦ ବର୍ଷ ପୂର୍ବରୁ ଏପ୍ରକାର ସମସ୍ୟା ତ ନଥିଲା ା ଜର୍ମାନ ସ୍ଥପତି ଓଟୋ କୋନିସ୍ବର୍ଜର ଭୁବନେଶ୍ୱର ସହରର ନକ୍ସା ପ୍ରସ୍ତୁତି କରିଥିଲେ ା ସହରକୁ ମାତ୍ର ୬୦ ବର୍ଷ ହୋଇଛି ା ଏତେ କମ୍ ସମୟ ମଧ୍ୟରେ ଏ ସହରର ଅତି ଖରାପ ହୋଇପଡ଼ିଲାଣି ା ମାତ୍ର ୧୦ ଲକ୍ଷ ଜନସଂଖ୍ୟାବିଶିଷ୍ଟ ନୂଆ ଭୁବନେଶ୍ୱରର ଏପରି ଅବସ୍ଥା ଏବେ ଚିନ୍ତାର ବିଷୟ ହୋଇଛି ା
ନୂଆ ରାଜଧାନୀ ଭୁବନେଶ୍ୱର ପ୍ରତିଷ୍ଠା ହେବା ସହ ବିକାଶ ଧାରା ଆଗେଇ ଚାଲିଲା ା ଏହି ପରିସ୍ଥିତିରେ ପ୍ରଶାସକ, ରାଜନେତା ଓ ଠିକାଦାରଙ୍କ ମନମୁଖି ଓ ବେପରୁଆ ଆଭିମୁଖ୍ୟ ଯୋଗୁଁ ମୂଳ ନକ୍ସା ନାଲିଫିତା ତଳେ ରହିଗଲା ା ନିଜର ‘ମାନସ’ ନକ୍ସା ଜରିଆରେ ପ୍ରଶାସକ, ରାଜନେତା ଓ ଠିକାଦର କାର୍ଯ୍ୟ କରିଚାଲିଲେ ା ଫଳରେ ଅନିୟନ୍ତ୍ରିତ ତଥା ଲଗାମହୀନ ଭାବେ ସହରର କଳେବର ବୃଦ୍ଧି ପାଇ ଚାଲିଲା ା ବିଭିନ୍ନ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲିଲା ା ସେଠାକାର ସ୍ୱିରେଜ ଓ ଡ଼୍ରେନେଜ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଗଲା ନାହିଁ ା ଏହି ପ୍ରକ୍ରିୟାରେ ନୂଆ ରାଜଧାନୀ ଅଞ୍ଚଳର ଅନେକ ପ୍ରାକୃତିକ ଜଳ ନିଷ୍କାସନ ପଥ ମଧ୍ୟ ଅବରୋଧ ହୋଇଗଲା ା ନିର୍ମାଣ କାର୍ଯ୍ୟର ନକ୍ସା ଅନୁମୋଦନ ସମୟରେ ଏଥିପ୍ରତି ଦୃଷ୍ଟି ଦିଆଗଲା ନାହିଁ ା ବରଂ ବିଭିନ୍ନ ସମୟରେ ସର୍ବକ୍ଷମା ଯୋଜନା କରାଯାଇ ବେଆଇନ ନିର୍ମାଣକୁ ଆଇନସମ୍ମତ କରାଗଲା ା ବେଆଇନ କାର୍ଯ୍ୟ ତ ଆଇନସମ୍ମତ ହେଲା, ତା’​‌େ‌ହଲେ ପ୍ରାକୃତିକ ଭାବେ ଜଳ ନିଷ୍କାସନ ପାଇଁ ଏବେ ବାଟ ସୃଷ୍ଟି ହେବ କେମିତି ? ଏ ପ୍ରଶ୍ନର ଉତ୍ତର କାହାରି ନିକଟରେ ନାହିଁ ା ଭୁବନେଶ୍ୱର ସହରର କ୍ରମବିକାଶରେ ସରକାରୀ କଳର ଅଦୂରଦର୍ଶିତା ହିଁ ଆଜିର ସମସ୍ୟାକୁ ସୃଷ୍ଟି କରିଛି ବୋଲି କୁହାଯାଇପାରେ ା ଅନ୍ୟପକ୍ଷରେ ସହରରେ ଜବରଦଖଲ ବୃଦ୍ଧି ପାଇଚାଲିଛି ା ଜବରଦଖଲ ବିଭିନ୍ନ ପ୍ରକାର ା କିଏ ଦୋକାନ ପାଇଁ ଜବରଦଖଲ କରିଛି ତ କିଏ ଝାଟିମାଟି ଘର ଘଣ୍ଡେ ପାଇଁ ଜବରଦଖଲ କରିଛି, କିଏ ଗାଡ଼ି ରଖିବା ପାଇଁ ଜବରଦଖଲ କରିଛି ା କିଏ ଗାଈ ରଖିବା ପାଇଁ କରିଛି ା ଏହି ଜବରଦଖଲଗୁଡ଼ିକ ମଧ୍ୟ ଜଳ ଅବରୋଧ କରିବାର ଅନ୍ୟ ଏକ କାରଣ ହୋଇଛି। ସହରର ବିଶ୍ୃଙ୍ଖଳ ବିକାଶ ତଥା ପରିବ୍ୟାପ୍ତି ମଧ୍ୟରେ ପ୍ରାକୃତିକ ଜଳ ନିଷ୍କାସନ ପଥଗୁଡ଼ିକ ମଧ୍ୟ ଚିରକାଳ ପାଇଁ ନିଶ୍ଚିହ୍ନ ହୋଇଯାଇଛି ା ଏହି ରୋଗଟି ଏବେ ଅର୍ଦ୍ଧ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ମଧ୍ୟ ବ୍ୟାପିବା ଦେଖାଯାଉଛି ା ତା’ ହୋଇନଥିଲେ ଲଘୁଚାପ ବର୍ଷାରେ ଚଳିତ ବର୍ଷ କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁରର ବ୍ୟାପକ ଅଞ୍ଚଳ ଦୀର୍ଘ ସମୟ ଧରି ଜଳମଗ୍ନ ହୋଇନଥାନ୍ତା। ଗ୍ରାମାଞ୍ଚଳକୁ ବ୍ୟାପୁଥିବା ସହରୀକରଣ ଯୋଗୁଁ ନିର୍ମାଣ ସମୟରେ ଅନେକ ନୟନଜୋରି, ପାଟନାଳୀ, ସେଫେଇନଳା, ଜୋର, ନାଳ, ଗଡ଼ିଆ, ପୋଖରୀ, କଟା ଆଦି ଜବରଦଖଲକୁ ଚାଲିଯାଉଛି ବା ସତ୍ତା ହରାଉଛି ା ଫଳରେ ଜଳନିଷ୍କାସନ ବାଧାପ୍ରାପ୍ତ ହେବା ଆରମ୍ଭ ହୋଇଯାଇଛି ା କାହିଁ କେଉଁ କାଳରୁ ଏଗୁଡ଼ିକ ପ୍ରାକୃତିକ ଜଳ ନିଷ୍କାସନର ମାର୍ଗ ଥିଲା ା ବିକାଶ ଧାରା ତ୍ୱରାନ୍ୱିତ ହେବା ସମୟରେ ଏଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସରକାରୀ ସ୍ତରରେ ଚିନ୍ତା କରାଗଲା ନାହିଁ ା ଏହାର କିସମ ମଧ୍ୟ ଅଦ୍ୟାବଧି ସ୍ଥିର ହୋଇ ନାହିଁ ା ଜଙ୍ଗଲ, ଶ୍ମଶାନ, ଗୋଚର ଓ ଦଣ୍ଡା ଆଦିର କିସମ ଧାର୍ଯ୍ୟ କରାଯାଇ ଏଗୁଡ଼ିକୁ ସୁରକ୍ଷିତ କରାଯାଇଥିବାବେଳେ ପ୍ରାକୃତିକ ଜଳ ନିଷ୍କାସନ ଅଞ୍ଚଳ ପାଇଁ ଏନିୟମ ନାହିଁ ା ସରକାରଙ୍କର ତ ଜମି ଅଧିଗ୍ରହଣ କରିବାର କ୍ଷମତା ରହିଛି ା ଯଦି ପ୍ରାକୃତିକ ଜଳ ନିଷ୍କାସନ ଅଞ୍ଚଳ କାହାରି ବ୍ୟକ୍ତିଗତ ଜମି ହୋଇଥିବ ତା’​‌େ‌ହଲେ ସରକାର ଏହାକୁ ନିଜ ଦଖଲକୁ ନେଇ ଆଗାମୀ ଭବିଷ୍ୟତ ପାଇଁ ସ୍ୱଚ୍ଛନ୍ଦ ଜଳପ୍ରବାହ ସୁନିଶ୍ଚିତ କରି କୃତ୍ରିମ ବନ୍ୟାରୁ ପ୍ରଜାଗଣଙ୍କୁ ରକ୍ଷା କରିବା ଆବଶ୍ୟକ ା ଏହା ଏବେ ନୂଆ ସମସ୍ୟା ଭାବେ ଉଭା ହୋଇଛି ା ଏବେ କଠିନ ବର୍ଜ୍ୟ ଓ ଅଣଜୈବ-ବିଘଟିତ ଦ୍ରବ୍ୟର ବ୍ୟାପକ ବ୍ୟବହାର ମଧ୍ୟ ଆରମ୍ଭ ହୋଇଯାଇଛି ା ତେଣୁ ଗ୍ରାମାଞ୍ଚଳ ଓ ଅର୍ଦ୍ଧସହରାଞ୍ଚଳରେ ନିର୍ମାଣ କାର୍ଯ୍ୟ ଶୃଙ୍ଖଳିତ କରିବା ପାଇଁ ଏବେଠାରୁ ନକ୍ସା ଅନୁମୋଦନ ସହ ଅନ୍ୟାନ୍ୟ ପ୍ରଦୂଷଣନିରୋଧୀ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ପାଇଁ ଆଇନ ପ୍ରଣୟନ ହେବା ଆବଶ୍ୟକ ା ପ୍ରତି ବ୍ଲକରେ ଏଥିପାଇଁ ସ୍ଥପତି ପାଠ୍ୟକ୍ରମର ସ୍ନାତକମାନଙ୍କୁ ନିଯୁକ୍ତି କରାଯିବାର ସମୟ ଆସି ଉପନୀତ ହୋଇଛି ା ସରକାରୀ ପ୍ରକଳ୍ପଗୁଡ଼ିକ ମଧ୍ୟ ସ୍ଥପତିଙ୍କ ତଦାରଖରେ ରହିବା ଆବଶ୍ୟକ ା କାରଣ ସରକାରୀ ପ୍ରକଳ୍ପ ନାମରେ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକ ଆଇନକୁ ଆଖିଠାର ମାରି ବ୍ୟାପକ ବେଆଇନ କାର୍ଯ୍ୟ କରୁଛନ୍ତି ା
sundaray.soubhagya9gmail.com

Comments
Loading...