ଅନୁକମ୍ପା ନୁହେଁ, କ୍ଷତିପୂରଣ ଦିଆଯାଉ

0

କରୁଣାକର ସୂପକାର

ପୂର୍ବତନ ବିଧାୟକ ପ୍ରସନ୍ନ ପଣ୍ଡାଙ୍କ ୨୨୭୬ ନମ୍ବର ପ୍ରଶ୍ନର ଉତ୍ତରରେ ଓଡ଼ିଶାର ତତ୍କାଳୀନ ରାଜସ୍ବ ମନ୍ତ୍ରୀ ୨୬ ମାର୍ଚ୍ଚ ୧୯୮୭ରେ କହିଥିଲେ ଯେ ୯୯୧୩ ରୟତଙ୍କ ଜମି ଦଖଲ କରିଥିଲେ ମଧ୍ୟ ସେମାନଙ୍କୁ କ୍ଷତିପୂରଣ ଦିଆଯାଇନାହିଁ। xxxଏହି ଟଙ୍କା ରାଜସ୍ବ ଆକାରରେ ଜମା ଅଛି। xxx କ୍ଷତିପୂରଣ ଦିଆଯିବ। ଏହା ଓଡ଼ିଶା ବିଧାନସଭା ବିବରଣୀରେ ସ୍ଥାନିତ। ଓଡ଼ିଶା ବିଧାନସଭାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ୧୯୮୮ରେ ଏକ ପ୍ରଶ୍ନର ଉତ୍ତରରେ ଉପରୋକ୍ତ କଥାକୁ ଅନୁମୋଦନ କଲେ। ଏହା ମଧ୍ୟ ବିଧାନସଭା ବିବରଣୀରେ ସ୍ଥାନିତ। ହୀରାକୁଦ ବିସ୍ଥାପିତଙ୍କ ସକାଶେ କ୍ଷତିପୂରଣ ଓ ଥଇଥାନ ପାଇଁ ୧୯୮୯ରେ ଏକ ପ୍ରତିଶ୍ରୁତି କମିଟି ଗଠନ କରାଗଲା। ପୂର୍ବତନ ବିଧାୟକ ରାମଚନ୍ଦ୍ର ଉଲାକା ଏହାର ଅଧ୍ୟକ୍ଷ ଥିଲେ। ସେହି କମିଟି, ତାଙ୍କର ରିପୋର୍ଟ ୧୫ ଡିସେମ୍ବର ୧୯୮୯ରେ ବିଧାନସଭାରେ ଉପସ୍ଥାପନା କଲେ। କମିଟିର ସୁପାରିସ ଅନୁସାରେ, ମାର୍ଚ୍ଚ ୧୯୯୦ ସୁଦ୍ଧା ଏହା କାର୍ଯ୍ୟକାରୀ ହେବା କଥା। ପ୍ରତିଶ୍ରୁତି କମିଟି ରିପୋର୍ଟରେ ୯୯୧୩ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ମିଳି ନଥିବାର ଉଲ୍ଲେଖ ଅଛି। ଆଜିସୁଦ୍ଧା କମିଟିର ସୁପାରିସ କାର୍ଯ୍ୟକାରୀ କରାଗଲା ନାହିଁ।
୧୯୯୩ରେ କ୍ଷତିପୂରଣ ଦେବାସକାଶେ ଏକ ଉଚ୍ଚ ଶକ୍ତିସମ୍ପନ୍ନ କମିଟି ଗଠନ କରାଗଲା। ଉକ୍ତ କମିଟି କ୍ଷତିଗ୍ରସ୍ତ ଲୋକଙ୍କ ସଂଖ୍ୟା ୯୯୧୩ରୁ ୮୭୪୪କୁ ଖସେଇଦେଲେ। କାହିଁକି ଏହି ସଂଖ୍ୟା କମିଲା ଜଣାପଡ଼ୁନାହିଁ। ଆମେ ଜାଣିବାରେ ୧୮୮୯ରୁ ୧୯୯୩ ମଧ୍ୟରେ କାହାରିକୁ କ୍ଷତିପୂରଣ ଦିଆଯାଇନାହିଁ। ଯେହେତୁ ଜିଲା କଲେକ୍ଟର ଜମି ଅଧିଗ୍ରହଣ ଓ କ୍ଷତିପୂରଣ ପାଇଁ ଥରେ ଆଦେଶ ଦେଇ ସାରିଛନ୍ତି, ଆଉ ଥରେ ଆଦେଶ ଦେଇପାରିବେ ନାହିଁ। ସମ୍ଭବତଃ ଏହା ଥିଲା ସେମାନଙ୍କ ଯୁକ୍ତି। ସେଥିପାଇଁ କ୍ଷତିପୂରଣ ବଦଳରେ ଅନୁକମ୍ପା ଦେଇପାରିବେ। ଆମେ ଯେତିକି ଜାଣିଛୁ, ଦୁଃସ୍ଥ ଲୋକଙ୍କୁ ଅନୁକମ୍ପା ଦିଆଯାଏ। ଯେଉଁମାନେ ଦେଶପାଇଁ ତ୍ୟାଗ କରିଛନ୍ତି, ସେମାନଙ୍କୁ କେମିତି ଅନୁକମ୍ପା ଦିଆଯିବ?
୧୯୯୩ରେ ସ୍ଥିରୀକୃତ ହେଲା, ଯେଉଁମାନେ କ୍ଷତିପୂରଣ ପାଇନାହାନ୍ତି, ସେମାନଙ୍କୁ ଜମି ଏକର ପ୍ରତି ୧୦ହଜାର ଟଙ୍କା ଅନୁକମ୍ପା ରାଶି ହିସାବରେ ଦିଆଯିବ। ସେମାନେ କ୍ଷତିପୂରଣ ପାଇ ନାହାନ୍ତି ନା ସରକାର ସେମାନଙ୍କୁ କ୍ଷତିପୂରଣ ଦେଲେ ନାହିଁ, କେଉଁ କଥା ସତ? ଯେଉଁମାନଙ୍କ ଲୁହରେ ଆଜି ହୀରାକୁଦ ଜଳଭଣ୍ଡାର ନିର୍ମିତ ହୋଇଛି, ସେମାନଙ୍କୁ ଅନୁକମ୍ପା ରାଶି ଦିଆଯିବ? ୧୯୯୩ରେ ଜମିର ମୂଲ୍ୟ ଯାହାଥିଲା, ସେହି ହିସାବରେ ଅନୁକମ୍ପା ରାଶି ଆକଳନ କରାଯାଇଥିଲା। ଆଜି ୨୦୧୪ରେ ସେମାନେ ଏକର ପ୍ରତି କାହିଁକି ୧୦ହଜାର ଟଙ୍କା ଅନୁକମ୍ପା ନେବେ? ଆଜି ବଜାର ଦର କ’ଣ? ଏକରେ ଜମି କ’ଣ ୧୦ ହଜାର ଟଙ୍କାରେ ମିଳିବ? ସେତେବେଳେ ୧୯୫୫ରେ କେତେକ ଚାଷୀ ବ୍ରଜରାଜନଗର ପାଖରେ, ତେଲେନପାଲି ଗାଁରେ ଜମି ଏକର ପ୍ରତି ୯୨୧ ଟଙ୍କା ଆଠଅଣା ହିସାବରେ କ୍ଷତିପୂରଣ ପାଇଥିଲେ। ଏବେ ଜମିର ମୂଲ୍ୟ ଆଉଥରେ ନିର୍ଦ୍ଧାରିତ ହେଉ। ଅନୁକମ୍ପା କାହିଁକି? ସେମା​‌େ​‌ନ ବିସ୍ଥାପିତ ହୋଇଛନ୍ତି, କ୍ଷତିପୂରଣ ଦିଆଯାଉ। କୌଣସି ଏକ ଓଡ଼ିଆ ସମ୍ବାଦପତ୍ରରେ କେବଳ ବିସ୍ଥାପିତ ଲୋକଙ୍କ ନାମ, ଠିକଣା ପ୍ରକାଶ କଲେ , ସେମାନେ ଜାଣିବାର ଅବକାଶ ନାହିଁ। କେତେଜଣ ସମ୍ବାଦପତ୍ର ପଢ଼ିବେ? କେବଳ ଦୋଷ ଛଡ଼େଇବା ପାଇଁ ଏହା କରାଯାଉଛି ବୋଲି ମନେହୁଏ। ଏବେ ହୀରାକୁଦବନ୍ଧ ନିର୍ମାଣର ୬୦ବର୍ଷ ଅତିବାହିତ ହେଲାଣି। ବିସ୍ଥାପିତମାନଙ୍କର ବଂଶଧର ବଞ୍ଚିଛନ୍ତି। ସେମାନେ ଅନେକେ ଆଖପାଖ ପ୍ରଦେଶ ଛତିଶଗଡ଼, ଝାଡ଼ଖଣ୍ଡରେ ବସବାସ କରୁଛନ୍ତି। ​‌େ​‌ସମାନେ ଓଡ଼ିଆ ସମ୍ବାଦପତ୍ର ପାଇପାରିବେ ନାହିଁ, କିମ୍ବା ଜାଣିପାରିବେ ନାହିଁ। ଖୋଜିଖୋଜି ତଡ଼ି ଦେଲେ, ଏବେ ଖୋଜିଖୋଜି କ୍ଷତିପୂରଣ ଦିଆଯାଉ।
ବିସ୍ଥାପିତମାନଙ୍କୁ ୧୯୫୫ରୁ ପୁଲିସ ସାହାଯ୍ୟରେ ତଡ଼ା ଯାଇଥିଲା, ଏବେ ଖୋଜିଖୋଜି କ୍ଷତିପୂରଣ ଦିଆଯାଉ। ଲୋକଙ୍କୁ ଟ୍ରକ ସାହାଯ୍ୟରେ ବିନା କ୍ଷତିପୂରଣରେ ତାଙ୍କ ଘରୁ ତଡ଼ିଦିଆଗଲା। କେତେକଙ୍କୁ ରାସ୍ତାରେ ଓହ୍ଲାଇ ଦିଆଗଲା। ସେମାନେ ତାଙ୍କ ଗନ୍ତବ୍ୟ ସ୍ଥଳରେ କେମିତି ପହଞ୍ଚିଥିବେ, ଆପଣ ଅନୁମାନ କରନ୍ତୁ। ଭାବିଲେ, ଲୋମ ଶିହିରି ଉଠୁଛି। ବିସ୍ଥାପିତମାନେ ଅକଥନୀୟ ଦୁର୍ଦଶା ଭୋଗିଥିଲେ। କେଉଁଠିକେଉଁଠି ଲୋକେ ଟ୍ରକରୁ ଗଳିପଡ଼ି ମରିଛନ୍ତି। ଅବଶ୍ୟ ଏତେ ଦିନପରେ ପ୍ରମାଣ ନାହିଁ। ଢ଼େଙ୍କାନାଳରୁ ପୁଲିସ ଅଣାଯାଇଥିଲା। ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର ହୋଇଥିଲା। ଅତ୍ୟାଚାର ବିଷୟରେ ବିଧାନସଭାରେ ଆଲୋଚନା ହୋଇଥିଲା। ଦଳମତ ନିର୍ବିଶେଷରେ ସମସ୍ତ ଦଳର ସଭ୍ୟ ଆଲୋଚନାରେ ଭାଗ ନେଇଥିଲେ। ହେଲେ ଅବସ୍ଥାରେ କିଛି ପରିବର୍ତ୍ତନ ହେଲାନାହିଁ। ୧୯୮୯ରେ ବିଧାନସଭା ତରଫରୁ ଏସୁରେନ୍ସ କମିଟି ବସିଲା। ସ୍ବର୍ଗତଃ ରାମଚନ୍ଦ୍ର ଉଲାକା ଏହି କିମିଟିର ସଭାପତି ଥିଲେ। ଏସୁରେନ୍ସ କମିଟି ସରକାରଙ୍କୁ ସୁପାରିସ କଲେ, ବିସ୍ଥାପିତମାନଙ୍କୁ ଆସନ୍ତା ମାର୍ଚ୍ଚ ୧୯୯୦ ସୁଦ୍ଧା କ୍ଷତିପୂରଣ ଦିଆଯାଉ। ଯେଉଁ ବିସ୍ଥାପିତମାନେ ହୀରାକୁଦ ଜଳଭଣ୍ଡାରର ଚାରିପଟେ ଆଶ୍ରୟ ନେଇ ରହିଛନ୍ତି ତାଙ୍କୁ ଜମିପଟ୍ଟା ଦିଆଯାଉ। ଆହୁରି ଅନେକ ସୁପାରିସ କରିଥିଲେ। କୌଣସି ସୁପାରିସ କାର୍ଯ୍ୟକାରୀ କରାଗଲା ନାହିଁ।
ବିସ୍ଥାପିତମାନଙ୍କୁ ଆଉଥରେ ବିସ୍ଥାପିତ କରାଗଲା। ଦୁଃଖ ଲାଗେ, ହୀରାକୁଦ ବିସ୍ଥାପିତ ଲୋକେ ତିନିଥର ବିସ୍ଥାପିତ ହେବାର ଦୃଷ୍ଟାନ୍ତ ଅଛି। ମହାନଦୀ କୋଲ ଫିଲ୍ଡ ହୀରାକୁଦରୁ ଦୁଇଥର ବିସ୍ଥାପିତଙ୍କୁ ଆଉଥରେ ବିସ୍ଥାପିତ କରିବାର ଦୃଷ୍ଟାନ୍ତ ରହିଛି। କୌଣସ ସଭ୍ୟ ଦେଶରେ ବିସ୍ଥାପିତ ଲୋକେ ଆଉଥରେ ବିସ୍ଥାପିତ ହେବାର ଦୃଷ୍ଟାନ୍ତ ନାହିଁ। କେବଳ ଆମ ଭାରତରେ ଏମିତି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୁଏ। ସୂଚନାଯୋଗ୍ୟ ଯେ ବିସ୍ଥାପିତମାନଙ୍କ ମଧ୍ୟରେ ଅଧିକାଂଶ ଆଦିବାସୀ, ଦଳିତ ପରିବାରର ଥାନ୍ତି।
ପ୍ରାୟ ୬୦ବର୍ଷ ହେଲା ହୀରାକୁଦ ନଦୀବନ୍ଧ ଯୋଗୁଁ ଲୋକେ ବିସ୍ଥାପିତ ହେବା ଆରମ୍ଭ ହୋଇଛି। ଆଜିସୁଦ୍ଧା କ୍ଷତିପୂରଣ ଦିଆ ସରିନାହିଁ। ଦଶନ୍ଧିରୁ ଊର୍ଦ୍ଧ୍ବ ହେବ, ସରକାର ଘୋଷଣା କଲେ, ପ୍ରତ୍ୟେକ ବିସ୍ଥାପିତ ଲୋକଙ୍କୁ ସରକାର ୧୦ ଡେସିମିଲ ଘର ଡିହ ଦେବେ। ଆଜିସୁଦ୍ଧା ଦିଆଯାଇପାରିଲା ନାହିଁ। ମଝିମଝିରେ କେତେକ ବିସ୍ଥାପିତଙ୍କ ବଂଶଧର ଘର ଡିହ ପାଇଁ ଆନ୍ଦୋଳନ କରୁଛନ୍ତି, କିନ୍ତୁୁ କେହି ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ଅଥଚ ସରକାର ଘରୋଇ କମ୍ପାନୀକୁ ୨୦୦୫ରୁ ଜଳ ବିକ୍ରି ବ୍ୟବସାୟ ଆରମ୍ଭ କରିଛନ୍ତି। ହୀରାକୁଦ ଜଳଭଣ୍ଡାର ଚାରିପଟେ ଏକ ସୀମିତ ଅଞ୍ଚଳରେ ଡଜନଡଜନ କଳକାରଖାନା ଘେରିଗଲେଣି। ଏହି କଳକାରଖାନାଗୁଡ଼ିକ ସରକାରଙ୍କୁ ଖାତିର କରୁ ନଥିବା ଭଳି ମନେ ହୁଏ। କାରଣ ସମ୍ଭବତଃ ସରକାର ଚାହୁଁଥିଲେ ଆମ ଲୋକେ ଚାକିରି ପାଇବେ। କଳକାରଖାନାଗୁଡ଼ିକ ସରକାରଙ୍କୁ ଖାତିର କରୁନଥିବାରୁ ଅାମେ ଜନସାଧାରଣ ଉପାୟଶୂନ୍ୟ। ବିଧାନସଭାରେ ହୀରାକୁଦ ଜଳଭଣ୍ଡାର ବିଷୟରେ ଆଲୋଚନା ହେବାରୁ ହୀରାକୁଦରୁ ଜଳଯୋଗାଣ ସମ୍ପର୍କରେ ଦ୍ବିତୀୟ ବିଶେଷଜ୍ଞ ଦଳ ହୀରାକୁଦ ଆସିଥିଲେ ଓ ତାଙ୍କ ରିପୋର୍ଟ ଦେଇଥିଲେ। ୨୦୦୭ରେ ଦ୍ବିତୀୟ ବିଶେଷଜ୍ଞଦଳଙ୍କ ସୁପାରିସ ଅନୁସାରେ ୬୮୦ କ୍ୟୁସେକ ପାଣି ଯଦି ବଳକା ଅଛି, ସେହି ବଳକା ପାଣିକୁ ଉଠାଜଳସେଚନ ମାଧ୍ୟମରେ ୬୮ହଜାର ଏକର ଜମିକୁ ଜଳସେଚନର ବ୍ୟବସ୍ଥା କରାଯାଇଥାନ୍ତା। ତାହାହେଲେ ଜଣକୁ ତିନି ଏକର ହିସାବରେ ୨୨ହଜାର ପାଞ୍ଚଶହ ଗରିବ ପରିବାର ଉପକୃତ ହୋଇଥାନ୍ତେ। ଯେତେ ଶିଳ୍ପ ଅନୁଷ୍ଠାନ ଗଢ଼ି ଉଠିଛି, ସେମାନେ କ’ଣ ଏତେ ଲୋକଙ୍କୁ ଚାକିରି ଦେଇପାରିବେ?
ଆମ ରାଜ୍ୟ ସରକାର ୨୦୧୦ରେ ଆଇନ ପରିବର୍ତ୍ତନ କରି ଓଡ଼ିଶା ଗେଜେଟରେ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଶିଳ୍ପ ଅନୁଷ୍ଠାନ ତାଙ୍କ ଅଞ୍ଚଳ ଭିତରେ ବନ୍ଧ ଖୋଳେଇ ତିନିମାସ ସକାଶେ ଜଳ ମହଜୁଦ କରି ରଖିବେ। ଆବଶ୍ୟକ ସ୍ଥଳେ ପାଣିକୁ ରିସାଇକ୍ଲିଙ୍ଗ କରିବେ, କିନ୍ତୁ ତାହା କାର୍ଯ୍ୟକାରୀ ହେଉନାହିଁ। ଆମ ମତରେ, ବର୍ଷା ସମୟରେ ଶିଳ୍ପ ଅନୁଷ୍ଠାନ ପାଣି ନେଇ ପାରନ୍ତି, କିନ୍ତୁ ଅନ୍ୟ ସମୟରେ ଛଅମାସ ପାଇଁ ପାଣି ମହଜୁଦ୍‌ ରଖିବା କଥା। ହୀରାକୁଦ ଜଳଭଣ୍ଡାରରୁ ଅଯଥାରେ ବର୍ଷଯାକ ପାଣି ଦିଆଯାଉଛି। ବର୍ଷାବେଳେ ସବୁ କାରଖାନାର ବର୍ଜ୍ୟବସ୍ତୁ ଧୋଇ ହୋଇ ଆସି ଜଳଭଣ୍ଡାରରେ ମିଶୁଛି। ଆମେ ୨୦୦୫ରୁ ବାରମ୍ବାର ଏହି ସମ୍ପର୍କରେ ଲେଖୁଛୁ, ହେଲେ ଆମ କଥା ସରକାର ଶୁଣୁ ନାହାନ୍ତି। ଏହି ଅବସ୍ଥାରେ ରାଜ୍ୟ ସରକାର ବିଶ୍ବ ପରିବେଶ ଦିବସ ପାଳନ କରିବା କେତେଦୂର ଯୁକ୍ତିଯୁକ୍ତ?
ସୂଚନାଯୋଗ୍ୟ ଯେ, ୨୦୧୩ ସୁଦ୍ଧା କମ୍ପାନୀମାନଙ୍କ ଉପରେ ୫୦୦କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜଳଯୋଗାଣ ବାବଦରେ ବାକି ଅଛି। ସମସ୍ତେ ସରକାରଙ୍କ ଉପରେ ମକଦ୍ଦମା କରି, ପ୍ରାପ୍ୟ ଦେଉନାହାନ୍ତି ବୋଲି ଜଣାଯାଏ। ସରକାର ଚାହିଁଲେ କ’ଣ ବାକି ଟଙ୍କା ଅସୁଲ ହୋଇପାରନ୍ତା ନାହିଁ? ସମ୍ଭବତଃ ସରକାର କମ୍ପାନୀମାନଙ୍କଠାରୁ ଟଙ୍କା ଅସୁଲି କରିବାକୁ ଚାହୁଁନାହାନ୍ତି। ଅଥଚ ଜଣେ ଚାଷୀ ତାହାର ଜମି ପାଇଁ ଖଜଣା ନଦେଲେ ପରିଚୟ ପତ୍ର ପାଇ ପାରେ ନାହିଁ, ଫଳରେ ତାହାର କଷ୍ଟଲବ୍ଧ ଅର୍ଜିତ ଧାନ ଉଦ୍ଦିଷ୍ଟ ମଣ୍ଡିରେ ବିକି ପାରେ ନାହିଁ। ଏହା କେତେଦୂର ଯୁକ୍ତିଯୁକ୍ତ?
ହୀରାକୁଦ ଜଳଭଣ୍ଡାରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବନ୍ୟାନିୟନ୍ତ୍ରଣ। ଅନ୍ୟ ଉଦ୍ଦେଶ୍ୟ ଥିଲା ଜଳସେଚନ, ବିଦ୍ୟୁତ ଉତ୍ପାଦନ, ମାଛଚାଷ, ନିକଟବର୍ତ୍ତୀ ସହରକୁ ପାନୀୟଜଳ ଯୋଗାଣ, କିନ୍ତୁ କଳକାରଖାନାକୁ ଜଳ ଯୋଗାଣ କଥା କେବେହେଲେ ଚିନ୍ତା କରାଯାଇ ନଥିଲା। ୨୦୦୫ ମସିହା ପୂର୍ବରୁ ବିିଭିନ୍ନ କଳକାରଖାନାକୁ ଅତି ଅଳ୍ପ ମାତ୍ରାରେ ଜଳଯୋଗାଣ ହେଉଥିଲା। ୨୦୦୫ରେ ସରକାର ସ୍ଥିର କଲେ, ଏହି ଜଳଭଣ୍ଡାରରୁ ୪୭୮ କ୍ୟୁସେକ ଜଳ କାରଖାନାକୁ ଯୋଗାଇଦେବେ। ଖୋଲାଖୋଲି ଭାବେ ମୂଳ ଉ‌େ‌ଦ୍ଦଶ୍ୟକୁ ଉଲ୍ଲଙ୍ଘନ କରାଗଲା। ସରକାର ମତ ଦେଲେ ଯେ କଳକାରଖାନାକୁ ୪୭୮ କ୍ୟୁସେକ ଜଳ ଯୋଗାଇ ଦେଲେ ହୀରାକୁଦ କମାଣ୍ଡ ଅଞ୍ଚଳରେ ରବି ଜଳସେଚନ ବାଧାପ୍ରାପ୍ତ ହେବନାହିଁ। କେବଳ ସେହି ଅନୁପାତରେ ବିଦ୍ୟୁତ ଉତ୍ପାଦନ କମିଯିବ ଓ ଡେଲଟା ଅଞ୍ଚଳରେ ଜଳସେଚନ ବାଧାପ୍ରାପ୍ତ ହେବ। ଏବେ ଡେଲଟା ଅଞ୍ଚଳରେ ଜଳସେଚନ ବାଧାପ୍ରାପ୍ତ ହେଲାଣି। ବିଧାନସଭାରେ ହୀରାକୁଦରୁ କଳକାରଖାନାକୁ ଜଳଯୋଗାଣ ସମ୍ପର୍କରେ ଆଲୋଚନା ହେବାରୁ ଦ୍ବିତୀୟ ବିଶେଷଜ୍ଞ ଦଳ ହୀରାକୁଦକୁ ଆସିଥିଲେ। ଦ୍ବିତୀୟ ବିଶେଷଜ୍ଞ ଦଳ ଆଉ ପାଦେ ଆଗେଇ ଯାଇ ମତ ଦେଲେ ଯେ ହୀରାକୁଦରେ ୬୮୦ କ୍ୟୁସେକ୍‌ ବଳକା ଅଛି, ଯାହା ଶିଳ୍ପକୁ ଦିଆଯାଇପାରିବ। ବର୍ଷେ ଭିତରେ ଜଳଭଣ୍ଡାରରେ କେମିତି କ୍ଷମତା ବୃଦ୍ଧି ପାଇଲା, ଜଣାପଡ଼େ ନାହିଁ। ସରକାର ନିଜେ ସ୍ବୀକାର କରିଛନ୍ତି, ପଟୁମାଟି ଭର୍ତ୍ତି ଯୋଗୁଁ ଜଳଧାରଣ କ୍ଷମତା ୨୭ଭାଗ କମିଛି। ଦ୍ବିତୀୟ ବିଶେଷଜ୍ଞ ଦଳ ଏହି ଆଶ୍ଚର୍ଯ୍ୟ ପ୍ରକାର ଯୁକ୍ତି କେମିତି କରିପାରିଲେ।
୬୦ବର୍ଷ ଉପରେ ବିତି ଗଲାଣି। ଆଜିସୁଦ୍ଧା ବିସ୍ଥାପିତଙ୍କୁ କ୍ଷତିପୂରଣ ଦିଆଯାଇ ପାରିଲା ନାହିଁ। କ୍ଷତିପୂରଣ ଦିଆହୋଇ ନଥିବାଯୋଗୁଁ ସାରା ବିଶ୍ବରେ ହୀରାକୁଦ ନଦୀ ବନ୍ଧ ପ୍ରସିଦ୍ଧ ହୋଇ ରହିଛି। ଅନୁକମ୍ପା ନୁହେଁ, କ୍ଷତିପୂରଣ ଦିଆଯାଉ। କ୍ଷତିପୂରଣ ନେବାପାଇଁ କେହି ଆସୁନାହାନ୍ତି କହିବା ଅନୁଚିତ; କାରଣ ସେମାନଙ୍କୁ ବିନା କ୍ଷତିପୂରଣରେ ତଡ଼ିଦିଆ ଯାଇଥିଲା।

Leave A Reply