ଆଧୁନିକତାର ଅବୁଝା ଉପାଦାନ

0

ବ୍ରହ୍ମଚାରୀ ସତ୍ୟଚୈତନ୍ୟ

କେବେକେବେ ପିଲାର ଆଚରଣ ମା’କୁ ଅଡ଼ୁଆଲାଗେ । ମା ତା’ ଉପରେ ବିରକ୍ତ ହେଇ କହେ- ‘ମୁଁ ତୋ କଥା କିଛି ବୁଝିପାରୁନି ! ତତେ ଯାହା କହୁଚି, ମାନୁନୁ କାହିଁକି ?’ ଅନେକ ସମୟରେ ଗୁରୁ ଶିଷ୍ୟ, ସାଙ୍ଗ ସାଙ୍ଗ, ସ୍ୱାମୀ ସ୍ତ୍ରୀ, ମୁନିବ କର୍ମଚାରୀ ପରସ୍ପରକୁ ବୁଝିପାରନ୍ତିନି । ଉଭୟଙ୍କ ମଝିରେ ଏଇ ‘ଅବୁଝା’ ତତ୍ତ୍ୱଟି ଠିଆହେଇଥାଏ । ବୁଝିପାରୁଥିବା ଅବସ୍ଥାଟି ମନରୁ ସନ୍ଦେହ ତୁଟେଇଦିଏ । ଅବୁଝା ସନ୍ଦେହ ଘେରାରେ ପକେଇଦିଏ । ସାହିତ୍ୟ, ଗଣିତ, ବିଜ୍ଞାନ, ପୁରାଣଶାସ୍ତ୍ର ଇତ୍ୟାଦିର ବି ଅବୁଝା ଦିଗ ଅଛି । ତାକୁ ଅଭିଜ୍ଞ ମଣିଷମାନେ ନିଜନିଜ ଢଙ୍ଗରେ ବୁଝେଇ ଦିଅନ୍ତି । ସମସ୍ତଙ୍କ ବୁଝେଇବାର ଅର୍ଥ ପ୍ରାୟ ଗୋଟିଏ ହିଁ ହେଇଥାଏ। କିନ୍ତୁ ଆଧୁନିକତା ନାଁରେ କଣ୍ଢେଇ, କବିତା, ବାଦ୍ୟ, ନୃତ୍ୟ ଭଳି କେତେକ ଉପାଦାନ ଭାରି ଅବୁଝା ଲାଗନ୍ତି । ଏମାନଙ୍କର ନିର୍ଦିଷ୍ଟ ଅର୍ଥ ନଥାଏ । ବୋଧହୁଏ ଏଇ ଅବୁଝା ଉପାଦାନ ଆମକୁ ଖୁସିଦିଅନ୍ତି । ଆମେ ଆଦରି ନଉ ।
କେତେଟା ଉଦାହରଣରେ କଥାଟିକୁ ସ୍ପଷ୍ଟ କରାଯାଇପାରେ । ଜଣେ କଣ୍ଢେଇ କାରିଗର ତା’ ପିଲାକୁ କଣ୍ଢେଇ ତିଆରି କରିବା ଶିଖେଇଲା । ପିଲାଟି ଜମାରୁ ମନଦେଇ ଶିଖିଲାନି । ସବୁ କଣ୍ଢେଇ ଅସୁନ୍ଦର କଲା । ବଜାରରେ ବାପା ପୁଅ ଅଲଗାଅଲଗା କଣ୍ଢେଇ ବିକିଲେ । ପୁଅର କଣ୍ଢେଇ ବେଶି ବିକ୍ରିହେଲା । କାରଣ ପୁଅ ଗ୍ରାହକମାନଙ୍କୁ କହୁଥିଲା- ଏ ହେଲା ଆଧୁନିକ କଣ୍ଢେଇ । ସାଧାରଣ ଲୋକ ୟାକୁ କିଣନ୍ତିନି । ଜ୍ଞାନୀ ଓ ବିଦ୍ୱାନମାନେ ୟାକୁ ସଂଗ୍ରହ କରନ୍ତି । ଏହା ଭିତରେ ବହୁତ ଅର୍ଥ ଲୁଚିଚି। ଆପଣ ନିଶ୍ଚିତ ଜଣେ ଉଚ୍ଚଶିକ୍ଷିତ ଭଳି ଲାଗୁଛନ୍ତି ।’ ବାଧ୍ୟହେଇ ଗ୍ରାହକ ପୁଅ ହାତତିଆରି କଣ୍ଢେଇ କିଣନ୍ତି । ନିଜକୁ ଜ୍ଞାନୀର ପରିଚୟ ଦିଅନ୍ତି । ଏହା କାଳ୍ପନିକ କଥା ହେଇପାରେ । ମାତ୍ର ଆଜିକାଲି ଏ ନରମ କଣ୍ଢେଇ (ଟେଡ଼ି)କୁ ଦେଖିଲେ ସହଜରେ ବୁଝିହୁଏନା ସେ କାହାର ପ୍ରତିକୃତି । ଚାରି ପାଦ ଥିବା କଣ୍ଢେଇଟିକୁ ଆପଣ ଘୋଡ଼ା, ଗଧ, କୁକୁର, ଗାଈ, ଛେଳି, ମେଣ୍ଡା, ଘୁଷୁରି, ଭାଲୁ ଇତ୍ୟାଦି ଯାହା ବି ବୁଝିପାରନ୍ତି । ସେମିତି ଆଧୁନିକତାର ମୁକୁଟ ପିନ୍ଧିଥିବା କିଛି କବିତା ଭାରି ଅବୁଝାଲାଗେ । କେତେଟା ବାକ୍ୟ ତଳକୁ ତଳ ଧାଡ଼ି କରି ଲେଖିଦିଅନ୍ତି । ଉଚ୍ଚାରଣର ଢଙ୍ଗ ବଦଳେଇ ଦିଅନ୍ତି । ତାହା କବିତା ଭଳି ଲାଗେ । ଏବେ ଅନେକ କବି ଏଇ ଶୈଳୀର ଆଶ୍ରୟ ନେଲେଣି । ଅତୀତର କବିତାରେ ଯତିପାତ ଓ ଛନ୍ଦ ଥିଲା। ଆଧୁନିକତାର ପ୍ରଲେପରେ କବିତା ଏବେ ଛନ୍ଦ ହରେଇଚି। ଅବୁଝା ବି ପାଲଟିଚି । ଏବେ ଛନ୍ଦମୁକ୍ତ କବିତାର ବେଶି ଆଦର । ଏ ଧରଣର କବିତା ଭଲ ଶବ୍ଦରେ ସଜା ହେଇଥାଏ । ଅନେକ ସାଧାରଣ ଲୋକଙ୍କୁ ଅବୁଝା ଲାଗେ।
ଆଧୁନିକତା ନାଁରେ ସଂଗୀତ ବି କିମ୍ଭୂତକିମାକାର ହେଲାଣି । ପୁରାତନ ନୃତ୍ୟଶିଳ୍ପୀର ଅଙ୍ଗଭଙ୍ଗୀରୁ ଗୀତର ଭାବ ବୁଝିହେଉଥିଲା । ଏବେ ଗୀତ ନୁହେଁ, କେବଳ ବାଦ୍ୟରେ ନାଚ ହେଉଛି ଯାହାର ଅର୍ଥ କିଛି ନଥାଏ । ଯିଏ ଯେମିତି ପାରେ ଅଙ୍ଗ ଭଙ୍ଗୀକରେ । ଏହାର ନାମ ଆଧୁନିକ ନାଚ । ନାଚୁଥିବା ଅନେକ ଯୁବକ/ଯୁବତୀ ମଦ୍ୟପ । ବେହୋସ ଅବସ୍ଥାରେ ନାଚ ଚାଲେ । ନାଚର କିଛି ଧାରା ନଥାଏ । ଅବୁଝା ନାଚ ଭଳି ଚିତ୍ରବି ଅବୁଝା ହେଲାଣି । ଅତୀତରେ ଲୋକମାନେ ଘରେ ବିଭିନ୍ନ ଚିତ୍ର ଲଗାଉଥିଲେ । ସେ ଚିତ୍ର ପ୍ରକୃତି, ଦେବଦେବୀ, ମହାପୁରୁଷମାନଙ୍କର ଥିଲା । ଆଉ କେତେକ କପଡ଼ାରେ ସୂତା ଦ୍ୱାରା ହାତ ବୁଣା ଚିତ୍ର ବି ଥିଲା । ଘରର ଶୋଭା ବଢ଼ାଉଥିଲା । ଏବେ କେତେକ ଚିତ୍ରରେ ଆଧୁନିକତାର ସ୍ପର୍ଶ ଲାଗିଲାଣି । ସେ ସବୁକୁ ପ୍ରତୀକ ଛବିବୋଲି କୁହାଯାଉଚି । ଜଣେ ବୁଦ୍ଧିଆ ଲୋକ ହିଁ ଏ ଧରଣର ଚିତ୍ରକୁ ସହଜରେ ବୁଝିପାରିବେ । କୋଉଠି ଗେରୁଆ ରଙ୍ଗ ପୁଳାଏ ବୋଳା ହେଇଥିବ । ତଳେ ସବୁଜ ଓ ନୀଳ ରଙ୍ଗ ଲାଗିଥିବ । ଚିତ୍ର ବିଶାରଦମାନେ ୟାକୁ ସୂର୍ଯ୍ୟଉଦୟ, ନୀଳଆକାଶ ଓ ସବୁଜ ଗଛଲତାର ପ୍ରତୀକ ବୋଲି ବୁଝାନ୍ତି । ରଙ୍ଗତୂଳିକୁ କପଡ଼ାରେ ପୋଛିଲେ ବହୁତ ରଙ୍ଗ ଏକାଠି ହେଇଯାଏ । ସେ କପଡ଼ା ଯେମିତି ଦେଖାଯାଏ ଆଧୁନିକ ଚିତ୍ର ବି ସେଇ ଭଳି । ଚିତ୍ରକରଟିଏ ତୂଳୀଧରି ଚାରିଆଡେ ବିଭିନ୍ନ ରଙ୍ଗ ଲେସିଦେଲେ ତାହା ପ୍ରତୀକ ଚିତ୍ର ପାଲଟିଯାଏ । ଏଠି ରଙ୍ଗ ଦେବା ଜରୁରୀ ନୁହେଁ; କୋଉ ଢଙ୍ଗରେ ବୁଝେଇପାରୁଚ ତାହା ଗୁରୁତ୍ୱପୂର୍ଣ୍ଣ । ଏହିଭଳି ଆମ କଳା, ସଂସ୍କୃତିକୁ ଅବୁଝା ଅକ୍ଟୋପସ୍ ଧୀରେଧୀରେ ଗ୍ରାସ କରୁଚି । ଆଜି ଯାହା ଆଧୁନିକ ଆଗାମୀ ସମୟରେ ତାହା ପୁରାତନ ହେଇଯିବ, ପ୍ରଥା ଓ ପରମ୍ପରାର ରୂପନବ। ତେବେ କଥା ହେଲା, ଦୁର୍ବୋଧ୍ୟକୁ ଆମେ ସମ୍ମାନ ଦେଇ ଗ୍ରହଣ କରୁଛୁ ଅଥଚ ସରଳ, ପ୍ରାଞ୍ଜଳକୁ ସହଜରେ ଗ୍ରହଣ କରୁନୁ । କାରଣ ଆମ ଜୀବନଶୈଳୀ ଧୀରେଧୀରେ ଜଟିଳତା ଆଡ଼କୁ ମୁହାଁଉଚି। ଏବେ ଆପଣ କବିତା, କଣ୍ଢେଇ, ଗୀତ, ନାଚ ଇତ୍ୟାଦିକୁ ଯଦି ଅବୁଝା କହନ୍ତି ତେବେ ଆପଣ ମୂର୍ଖ କୁହାଯିବ । ନବୁଝିପାରିଲେ ଚୁପ୍ ରହିଯିବେ । ଭଲ । ଯଦି ବୁଝିବାର ଅଭିନୟ କରି, ମିଛ- ସତ ଦି’ପଦ କହିଦେବେ ତାହାହେଲେ ଅସଲ ପଣ୍ଡିତରେ ଗଣାହେବେ । କବିତା ନବୁଝି ତାଳି ମାରିଦେଲେ ବହୁତ ଜ୍ଞାନୀ ବୋଲି ବୁଝାପଡ଼ିବେ । ସଂସାରରେ ଅନେକ ଅବୁଝା ତତ୍ତ୍ୱ ଅଛି ଯାହା ଜଣକୁ ଜଟିଳ ତାହା ଅନ୍ୟପାଇଁ ସରଳ ହୋଇପାରେ। ସବୁ ଅବୁଝା ଭିତରେ ଆମେ ନିଜେ ଗୋଟିଏ ବଡ଼ ଅବୁଝା ତତ୍ତ୍ୱ । ଏ ଯାଏ ନିଜକୁ ବୁଝିପାରିନୁ। ସଂସାରରେ ଆମ ଭଳି ଅନେକ ଚାଲିଯିବାର ଦେଖୁଚୁ । ସେମାନଙ୍କ ପଦ, ପ୍ରତିଷ୍ଠା ସବୁକିଛି ଧୂଳିସାତ ହେଇଚି । ଆମେ ବି ଦିନେ ଯିବା । ଏକଥା ଅଙ୍ଗେ ନିଭେଇଲା ପରେ ବି ପଦ, ପ୍ରତିଷ୍ଠା ପାଇଁ ବାଲିସ୍ତୂପ ତିଆରି କରୁଚେ । ଏହାକୁ ଚିରସ୍ଥାୟୀ ମଣୁଚେ। ନିଜକୁ ନିଜେ ବି ଯାଏ ବୁଝେଇ ହଉନି। ଏହା ଆମପାଇଁ ଆଧୁନିକତାର ପ୍ରଭାବ ନୁହେଁ ତ ?
‘ଅସୀମାଲୋକ’ ଚହଟା, ବିଡ଼ାନାସୀ, କଟକ- ୧୪

Leave A Reply