ନିଦାନକେନ୍ଦ୍ର ଅବସ୍ଥା ସୁଧୁରିବ କେବେ?

0

ନ୍ୟାୟବ୍ରତ ରାଉତ

ଚରକ ସଂହିତାର ସ୍ରଷ୍ଟା ବିଶ୍ୱ ଚିକିତ୍ସା ବିଜ୍ଞାନକୁ ନୂତନ ଦିଗ୍‌ଦର୍ଶନ ଦେଇଥିବା ପ୍ରଖ୍ୟାତ ଚିକିତ୍ସା ବିଜ୍ଞାନୀ ଚରକ କହିଥିଲେ ଯେ ଯିଏ ନିଜର ଅଗାଧ ଜ୍ଞାନ ରୂପକ ଆଲୋକବର୍ତ୍ତିକା ଓ ପ୍ରଚଣ୍ଡ ଅନ୍ତର୍ଭେଦୀ ଧୀଶକ୍ତି ଦ୍ୱାରା ରୋଗୀର ଶରୀରକୁ ଭେଦ କରିପାରିବ ନାହିଁ, ସେ କେବେ ହେଲେ ରୋଗର ଚିକିତ୍ସା କରିପାରିବ ନାହିଁ। ରୋଗୀ ସମ୍ପର୍କରେ ସମସ୍ତ ତଥ୍ୟ, ଏପରିକି ପରିବେଶ ଯାହା ରୋଗକୁ ପ୍ରଭାବିତ କରେ ସେ ସମ୍ପର୍କରେ ଗଭୀର ଅନୁଶୀଳନ କରିବା ପରେ ରୋଗର ଚିକିତ୍ସା କରାଯାଇପାରେ। ରୋଗକୁ ଆରୋଗ୍ୟ କରିବା ଅପେକ୍ଷା ରୋଗ କିପରି ନ ହେବ ତାହା ଚିକିତ୍ସକଙ୍କର ଧ୍ୟେୟ ହେବା ଉଚିତ।
ମାତ୍ର ବଦଳି ଯାଇଛି ପରିସ୍ଥିତି। ବଦଳିଯାଇଛି ମାନସିକତା, ବଦଳିଯାଇଛି ଚିକିତ୍ସା ବିଜ୍ଞାନର ସଂଜ୍ଞା। ରୋଗୀର ନାଡ଼ି ଦେଖି ଆଖିପତା ଦେଖି ଓ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ଅନୁଶୀଳନ କରି ଚିକିତ୍ସା କରାଯାଉଥିବା ଯୁଗର ପ୍ରାୟ ଅବସାନ ଘଟିଛି। ବିଜ୍ଞାନର ପ୍ରଗତି ରୋଗୀର ମାନସିକତା ଓ ଚିକିତ୍ସକଙ୍କ ଦୃଷ୍ଟିଭଙ୍ଗୀ ଦ୍ୱାରା ପ୍ରଭାବିତ ହୋଇଛି ଆଧୁନିକ ଚିକିତ୍ସା ପଦ୍ଧତି। ଡାକ୍ତରଙ୍କ ପାଖରେ ରୋଗୀଟିଏ ପହଞ୍ଚିଲେ ବିଭିନ୍ନ ପ୍ରକାର ପରୀକ୍ଷାନିରୀକ୍ଷା କରାଇ ରୋଗୀ ଚିକିତ୍ସା କରିବା ପ୍ରାୟତଃ ଅଭ୍ୟାସଗତ ହୋଇଯାଇଛି। ଚିକିତ୍ସକମାନେ ପ୍ରତ୍ୟେକ ରୋଗୀଙ୍କୁ ଧରାଇ ଦେଉଛନ୍ତି ବିଭିନ୍ନ ପ୍ରକାର ପରୀକ୍ଷା କରାଇବାର ଏକ ଲମ୍ବା ଚିଠା। ଚିକିତ୍ସକମାନଙ୍କ ଏହି ଲମ୍ବା ପରୀକ୍ଷା ଲେଖୁଥିବା ସମ୍ପର୍କରେ ନାନା ମୃଦୁ ଗୁଞ୍ଜରଣ ସୃଷ୍ଟି ହୋଇଥାଏ।
ଓଡ଼ିଶା ତଥା ସନ୍ନିକଟ ରାଜ୍ୟମାନଙ୍କ ଅଧିବାସୀଙ୍କ ଆଶା ବିଶ୍ୱାସ ଓ ଭରସାର ପ୍ରାଣ କେନ୍ଦ୍ର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ତଥା ସର୍ବଜନବିଦିତ ବଡ଼ ଡାକ୍ତରଖାନାରେ ଥିବା ନିଦାନ କେନ୍ଦ୍ର ଓ ଘରୋଇ ନିଦାନ କେନ୍ଦ୍ରମାନଙ୍କ ଉପରେ ସାମାନ୍ୟ ଦୃଷ୍ଟି ନିକ୍ଷେପ କଲେ ନିଦାନ କେନ୍ଦ୍ରମାନଙ୍କ ଅସହାୟତା ଓ ଗୁରୁତ୍ୱ ସ୍ପଷ୍ଟ ଅନୁଭବ କରିହେବ। କଟକ ବଡ଼ ଡାକ୍ତରଖାନାରେ ଥିବା ବିଭିନ୍ନ ନିଦାନ କେନ୍ଦ୍ର ସାମ୍ନାରେ ଖରାବର୍ଷ ସତ୍ତ୍ୱେ ଲମ୍ବା ଧାଡ଼ି ଓ ଦୀର୍ଘ ସମୟ ପ୍ରତୀକ୍ଷା ସ୍ୱାସ୍ଥ୍ୟସେବାର ଚରମ ବ୍ୟର୍ଥତାର ନଗ୍ନ ଚିତ୍ର ଅଟେ। ସରକାର ସ୍ୱାସ୍ଥ୍ୟସେବାର ଏହି ଗୁରୁତ୍ୱପୂର୍ଣ୍ଣ ଓ ଅପରିହାର୍ଯ୍ୟ ନିଦାନ କେନ୍ଦ୍ରର ବ୍ୟାପକ ସମ୍ପ୍ରସାରଣ ଓ ସ୍ୱୟଂସମ୍ପୂର୍ଣ୍ଣ କରିବାରେ କ’ଣ ଅସମର୍ଥ?
୨୦୧୧-୧୨ ମସିହାରେ କଟକ ବଡ଼ ଡାକ୍ତରଖାନକୁ ଦୈନିକ ପ୍ରାୟ ୨୦୦୦ ଜଣ ଓ କାଜୁଆଲ୍‌ଟିକୁ ୯୫ ଜଣ ଆସୁଥିବା ସ୍ଥଳେ ବର୍ତ୍ତମାନ ତାହା ନିଶ୍ଚିତ ରୂପେ ଅନେକ ବୃଦ୍ଧି ପାଇଥିବା ୨୦୧୨ ମସିହାରେ ବର୍ଷକୁ ୮ ଲକ୍ଷ ୩୨ ହଜାର ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେଉଥିବା ବଡ଼ ଡାକ୍ତରଖାନାର ନିଦାନ କେନ୍ଦ୍ରମାନଙ୍କର ସେବା ଯୋଗାଇ ଦେବାର ସାମର୍ଥ୍ୟ ରହିଛି କି? ବଡ଼ ଡାକ୍ତରଖାନାରେ ଥିବା ସି.ଟି. ସ୍କାନ, ଅଲ୍‌ଟ୍ରା ସାଉଣ୍ଡ, ଇକୋ, ଇ.ସି.ଜି., ଏକ୍ସରେ ଓ ରକ୍ତ, ମଳ, ମୂତ୍ର, କଫ ଓ ଅନ୍ୟାନ୍ୟ ପରୀକ୍ଷା କରିବା ପାଇଁ ଥିବା ସରଞ୍ଜାମ ଓ ବିଶେଷଜ୍ଞ ଆଦୌ ଯଥେଷ୍ଟ ନୁହେଁ। ତାହା ପୁଣି ସମୟେସମୟେ କାର୍ଯ୍ୟକ୍ଷମ ହୋଇ ନଥାଏ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରୋଗୀମାନଙ୍କ ପାଇଁ ପ୍ରତୀକ୍ଷାଳୟ ଓ ଶୌଚାଳୟର ଘୋର ଅଭାବ। ରକ୍ତ, ମଳ, ମୂତ୍ର, କଫ ଇତ୍ୟାଦି ପରୀକ୍ଷା ହେବା ପୂର୍ବରୁ ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଗୋଟିଏଗୋଟିଏ ପରୀକ୍ଷା ପାଇଁ ସପ୍ତାହସପ୍ତାହ ଧରି ଅପେକ୍ଷା କରିବାକୁ ପଡ଼ୁଛି। ଡାକ୍ତରଖାନାରେ ବିକ୍ଷିପ୍ତ ଭାବରେ ବିଭିନ୍ନ ଜାଗାରେ କରାଯାଉଥିବା ପରୀକ୍ଷାକେନ୍ଦ୍ରଗୁଡ଼ିକୁ ଜାଣିବା ପାଇଁ ଜଣକୁ ଗୋଟିଏ ଦିନ ଲାଗିଯିବ। ନିଦାନ କେନ୍ଦ୍ରର ଲମ୍ବା ଧାଡ଼ି ଓ କେନ୍ଦ୍ରଗୁଡ଼ିକୁ ପାଇବାରେ ଅକ୍ଷମ ହେଉଥିବା ଯୋଗୁଁ ରୋଗୀ ଘରୋଇ ନିଦାନ କେନ୍ଦ୍ରକୁ ଯିବାକୁ ବାଧ୍ୟ ହେଉଛି।
ବଡ଼ ଡାକ୍ତରଖାନା ନିଦାନ କେନ୍ଦ୍ରଗୁଡ଼ିକର ଆଧୁନିକୀକରଣ ଓ ବ୍ୟାପକ ସମ୍ପ୍ରସାରଣ କରାଯାଉ। ଆବଶ୍ୟକ ଯନ୍ତ୍ରପାତି ସହିତ ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦିଆଯାଉ। ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ ପ୍ରତୀକ୍ଷାଳୟ ଓ ଶୌଚାଳୟ ନିର୍ମାଣ କରାଯାଉ। ରୋଗୀମାନେ ଜାଣିପାରିବା ଭଳି ବିଜ୍ଞାପନ ଦିଆଯାଉ ଓ ସଚେତନତା ସୃଷ୍ଟି କରାଯାଉ। ଅଧିକ ସଂଖ୍ୟକ ସହାୟତା କେନ୍ଦ୍ର ସ୍ଥାପନ କରାଯାଉ। ଜିଲା ସଦର ମହକୁମାରେ ଥିବା ଡାକ୍ତରଖାନାଗୁଡ଼ିକରେ ସମସ୍ତ ପ୍ରକାର ପରୀକ୍ଷାର ବ୍ୟବସ୍ଥା କରାଯାଉ ଯାହା ଦ୍ୱାରା ବଡ଼ ଡାକ୍ତରଖାନା ଉପରୁ କାର୍ଯ୍ୟଭାର କମାଯାଇ ପାରିବ।
ସରକାରୀ ଅପେକ୍ଷା ଘରୋଇ ନିଦାନ କେନ୍ଦ୍ରଗୁଡ଼ିକର ଦୁଃସ୍ଥିତି ଆହୁରି ଦୁର୍ବିସହ। ସତେ ଯେପରି ସେମାନଙ୍କ ଉପରେ କାହାର କର୍ତ୍ତୃତ୍ୱ ନାହିଁ। ରାଜ୍ୟରେ ଚାଲୁଥିବା ସମସ୍ତ ନିଦାନ କେନ୍ଦ୍ରଗୁଡ଼ିକ ସରକାରୀ ଅନୁମତି ପାଇଛନ୍ତି କି ନାହିଁ – ଘରୋଇ ନିଦାନ କେନ୍ଦ୍ରଗୁଡ଼ିକ ଆବଶ୍ୟକ ସର୍ତ୍ତାବଳୀ ପୂରଣ କରୁଛି କି ନାହିଁ, ପରୀକ୍ଷାନିରୀକ୍ଷା ପାଇଁ ଆବଶ୍ୟକ ବିଶେଷଜ୍ଞ ଅଛନ୍ତି କି ନାହିଁ ସେସବୁ ଦେଖିବା ପାଇଁ କେହି ନାହାନ୍ତି। ବେଲଗାମ ହୋଇ ଯାଇଛନ୍ତି ଘରୋଇ ନିଦାନ କେନ୍ଦ୍ର। ସରକାରୀ ବା ଘରୋଇ ନିଦାନ କେନ୍ଦ୍ରଗୁଡ଼ିକର ସ୍ୱଚ୍ଛତା, ଦକ୍ଷତା ଓ ବିଶ୍ୱସନୀୟତାକୁ ସୁନିଶ୍ଚିତ କରିବା ପାଇଁ ସରକାର ଦୃଢ଼ ପଦକ୍ଷେପ ନେବା ଜରୁରୀ।
ନିଆଳି,କଟକ

Leave A Reply