ଭାରତୀୟତାର ସଂଜ୍ଞା

0

ହରପ୍ରସାଦ ଦାସ

ଆମେରିକାର ଟାଇମ୍‌ ମାଗାଜିନ୍‌ ଗୋଟିଏ ସର୍ଭେ କରି କହିଲା (୨୦୧୦)ଯେ ବିଶ୍ବକୁ ଆମେରିକାର ଅବଦାନ ଆମେରିକୀୟତା (ଆମେରିକାନିଜ୍‌ମ୍‌); କହିଲା ଯେ ଆମେରିକାନିଜମ୍‌ ଏକ ସର୍ବବ୍ୟାପୀ ଜୀବନଧାରା, ଏକ ଦୃଷ୍ଟିକୋଣ, ଏକ ଅନିବାର୍ଯ୍ୟ ସାଧାରଣୀକରଣ। ସେହିଭଳି କୁହାଯାଇପାରିଥାନ୍ତା ଯେ ବିଶ୍ବକୁ ଭାରତର ଅବଦାନ ‘ଭାରତୀୟତା’ (ଇଣ୍ଡିଆନିଜମ୍‌); କିନ୍ତୁ ନା। ‘ଆମେରିକାନିଜମ୍‌’ ସର୍ବଗ୍ରାହ୍ୟ, ‘ଇଣ୍ଡିଆନିଜମ୍‌’ ନୁହେଁ। ଇଣ୍ଡିଆନିଜମ୍‌ ବା ଭାରତୀୟତାର ‘ସଂଜ୍ଞା’ ବିବାଦିତ, ଇଏ ଏକ ରାଜନୈତିକ ସ୍ପର୍ଦ୍ଧାର କ୍ଷେତ୍ର, ୟାର ଗୃହଶତ୍ରୁ ପ୍ରବଳ। ୟାର କାରଣ ମୁଖ୍ୟତଃ ଏହି ଯେ ‘ଆମେରିକା’ର ଆମେରିକାନ୍‌ ତତ୍ତ୍ବ ବା ବୋଧ ଆମେରିକାନ୍‌ମାନେ ନିଜେ ନିର୍ମାଣ କରିଛନ୍ତି ଓ ଆମେରିକାନ ରାଷ୍ଟ୍ରର ଏଭଳି ସଂପନ୍ନତା ଓ କଳ-ବଳ-କୌଶଳ ଆୟତ୍ତ କରିଚି ଯେ ୟାର ଅସ୍ତିତ୍ବର ଦର୍ଶନ ସ୍ପର୍ଦ୍ଧାର କ୍ଷେତ୍ର ନୁହେଁ। ଆମେରିକା ସତ୍ତା-ବିରୋଧି କୌଣସି ରାଜନୈତିକ ଦଳ ଆମେରିକାର ରାଷ୍ଟ୍ରୀୟତାକୁ ଅସ୍ବୀକାର କରେନାହିଁ ବା ଆମେରିକୀୟତାକୁ ପ୍ରଶ୍ନ କରେ ନାହିଁ। ଡାନିଏଲ ପାଟ୍ରିକ ମୋଇନିହାନ୍‌ ତାଙ୍କର ‘ଇନ୍‌ ଦ ମେଲ୍ଟିଂ ପଟ’ ଗ୍ରନ୍ଥରେ ଆମେରିକାର ବ୍ୟଞ୍ଜନ ପାତ୍ରରେ ସଂଖ୍ୟାଲଘୁ ସଂପ୍ରଦାୟମାନଙ୍କର ମିଳେଇଯାଇ ସତ୍ତା ହରେଇବାର ଏକ ମେଟାଫର୍‌ ଦେଇଛନ୍ତି। ଆମେରିକା ଭିତରେ ଆମେରିକାର ୬୯% ଖ୍ରୀଷ୍ଟିଆନ୍‌ ସଂଖ୍ୟାଗରିଷ୍ଠଙ୍କର ଧର୍ମୀୟ ବିରୋଧ ନାହିଁ। ବୋଧହୁଏ ୨୩% ଏଭଳି ଅଛନ୍ତି ଯେଉଁମାନେ ‘ଧର୍ମବିହୀନ’। ଆଉସବୁ ଧର୍ମର ଲୋକେ ଅତ୍ୟନ୍ତ ସଂଖ୍ୟାଲଘୁ। ବିଚାରଧାରାର ରାଜନୀତିରେ ଆମେରିକାନ ରାଷ୍ଟ୍ରର ବିରୋଧୀ ନାହାନ୍ତି, ଏଇ ଅର୍ଥରେ ପୁଞ୍ଜିବାଦ ସର୍ବଜନଗ୍ରାହ୍ୟ ଓ ଆମେରିକାନ୍‌ ଲେଫ୍ଟ ବା ସମାଜବାଦୀ ଆମେରିକାରୁ ମୁଣ୍ଡ ଉଠେଇ ପ୍ରତିରୋଧ କରିବାର ସାମର୍ଥ୍ୟ ନାହିଁ। ସାମ୍ୟବାଦକୁ ବିରୋଧ କରୁଥିବା ପୁଞ୍ଜିବାଦୀ ରାଜନୀତିରେ ସାମ୍ୟବାଦ ହିଁ ଘୋଷିତ ରାଜନୈତିକ ଶତ୍ରୁ। ନା ରିପବ୍ଲିକାନ୍‌ ନା ଡିମୋକ୍ରାଟ୍‌ କେହି ସମାଜବାଦୀ ବା ସାମ୍ୟବାଦୀ ବିଚାରଧାରାର ସମର୍ଥନ କରନ୍ତି ନାହିଁ। ତେଣୁ ଧର୍ମୀୟ ଓ ବିଚାରଧାରାର ଅଧ୍ୟାୟରେ ଆମେରିକାନ୍‌ ରାଷ୍ଟ୍ରର ବିରୋଧୀ ନାହାନ୍ତି, ତେଣୁ ଆମେରିକୀୟତା (ଆମେରିକାନିଜ୍‌ମ)ର ବିରୋଧ ନାହିଁ। ଆମେରିକୀୟତାର ଏକକ ବିବାଦିତ ନୁହେଁ; କିନ୍ତୁ ଆମେରିକୀୟତାର ଐତିହ୍ୟ ନାହିଁ। ଆମେରିକାନ୍‌ ମାନଙ୍କ ସଭ୍ୟତା ନଥିଲା କି ନାହିଁ। କଲମ୍ବସଙ୍କ ଦ୍ବାରା ଭୁଲ୍‌ରେ ଆବିଷ୍କୃତ (ଭାବିଥିଲେ ଭାରତ, ନିକିଲିଲା ବିଶାଳ ନଷ୍ଟଭୂମି) ଭୂଖଣ୍ଡରେ ୟୁରୋପୀୟ ସେଟଲର ବା ୟୁରୋପାଗତ ‘ଉତ୍‌ପ୍ରବାସୀମାନେ ଇଂଲଣ୍ଡ ବିରୋଧରେ ଦୁଇଦୁଇଟା ଯୁଦ୍ଧ ଲଢ଼ି ଆମେରିକାକୁ ନିଜର କଲେ। ଇଂଲଣ୍ଡ ଓ ଫ୍ରାନ୍ସ ଉତ୍‌ପ୍ରବାସୀଙ୍କୁ ମଝିରେ ରଖି ଏ ଯୁଦ୍ଧ କଲେ। ଅଷ୍ଟାଦଶ ଶତାବ୍ଦୀର ଆମେରିକାର ରିପବ୍ଲିକ ହେଲା ଏକ ଅର୍ଖନୂଆ ଗଣତନ୍ତ୍ର। ଏକ ନୂଆ ମଡେଲ। କଲମ୍ବସଙ୍କ ଆମେରିକା ଆବିଷ୍କାରଠାରୁ ଆମେରିକାର ନୂଆ ସଭ୍ୟତା ଆରମ୍ଭ, ଷୋଡ଼ଶ ଶତାବ୍ଦୀରୁ ଏ ଭିତରେ ମାତ୍ର ଚାରିଶହ-ପାଞ୍ଚଶହ ବର୍ଷର ଇତିହାସ। ସେଇ ସମୟ ଭିତରେ ଆମେରିକାନ୍‌ମାନେ ଜାତୀୟ ଔପନିବେଶିକ ଅତୀତକୁ ଲିଭାଇଦେଲେ ଓ ଉତ୍ତର ଆମେରିକାର ଭୂଖଣ୍ଡରେ ଜନଜାତୀୟ ଉପସ୍ଥିତିକୁ ନୃତାତ୍ତ୍ବିକ ସନ୍ଦର୍ଭରେ ପ୍ରତିଷ୍ଠିତ କରି କହିଲେ ଯେ ଆମେରିକାନ୍‌ ସଭ୍ୟତା ସେଇଠୁ ଆରମ୍ଭ ହୁଏ ଯୋଉଠୁ ସେ ଭୂଖଣ୍ଡରେ ଜନଜାତି ମୂଳଅଧିବାସୀ ହୋଇ ରହିଥିଲେ। ସେମାନେ ସ୍ଥିର କଲେ ଯେ ଆମେରିକାନ୍‌ ଭୂଖଣ୍ଡର ଜନଜାତି ପନ୍ଦରହଜାର ବର୍ଷ ତଳେ ଥିଲେ। ପନ୍ଦରହଜାର ବର୍ଷରେ ଯଦି ସଂସ୍କୃତି ନଥିଲା, ଭାଷା ନଥିଲା, ଆସ୍ଥା ନଥିଲା, ଧର୍ମ ନଥିଲା, ତେବେ ଥିଲା କ’ଣ? ଆମେରିକାର ସଭ୍ୟତା ଆସିଲା କୁଆଡ଼ୁ? ତେଣୁ ଆମେରିକୀୟତାରେ ସଭ୍ୟତାର ଭୂମିକା ନାହିଁ, ତାହା ଏକ ଆଧୁନିକ ପରିକଳ୍ପନା।
ସେଇଠି ‘ଭାରତୀୟତା’ ଏକକ ନୁହେଁ, ଅନେକ। ଭାରତୀୟତା ଏକ ବଚନ ନୁହେଁ, ବହୁବଚନ। ଭାରତୀୟତା ଆରୋପ ନୁହେଁ, ନିଷ୍କର୍ଷ। ଭାରତୀୟତା ଏକ ଉସ୍ବାଦ ନୁହେଁ, ଏକ ପ୍ରକ୍ରିୟା। ଭାରତୀୟତା ସ୍ଥାଣୁ ନୁହେଁ, ବିବର୍ତ୍ତନଶୀଳ। ଆମେରିକୀୟତା ସହିତ ଭାରତୀୟତାର ଏ ତୁଳନା ମୁଁ କହୁଛି ଏଇଥିପାଇଁ ଯେ ଭାରତ ଓ ଆମେରିକା ବିଶ୍ବର ଦୁଇ ବୃହତ୍ତମ ଗଣତନ୍ତ୍ର। ତୁଳନା ଏଇଥିପାଇଁ ଜରୁରୀ ଯେ ଭାରତୀୟତା ଆଜି ‘ଅସଂଜ୍ଞାୟିତା’ ତା’ର କାରଣ ସଭ୍ୟତାର ଇତିହାସ ଓ ଆଧୁନିକ ଭାରତର ଜନ ଦର୍ପଣରେ। ଭାରତୀୟ ଲୋକସଂଖ୍ୟାର ରଚନା ଏପରି ଯେ ଏଥିରେ ଧର୍ମୀୟତା, ବିଚାରଧାରା, ଏମିତିକି ଭୌଗୋଳିକତାର ଆଧାରରେ ବିଭିନ୍ନ ବିଭେଦ ବିଦ୍ୟମାନ। ଏ ବିଭେଦକୁ ଶହେ ସ୍କେଲ୍‌ରେ ୮୦:୨୦ ବୋଲି ମୋଟାମୋଟି ଗ୍ରହଣ କରାଯାଇପାରେ। ଧର୍ମୀୟ ମୁଖ୍ୟସ୍ରୋତ, ବୈଚାରିକ ମୁଖ୍ୟସ୍ରୋତ ଓ ଭୌଗୋଳିକ କେନ୍ଦ୍ରୀୟତା ୮୦ ଭାଗ। କିନ୍ତୁ ଏ ୮୦ଭାଗ ବାକି ୨୦ଭାଗକୁ ଆମେରିକାର ବ୍ୟଂଜନ ପାତ୍ର( ମେଲଟିଂ ପଟ୍‌)ରେ ମିଳେଇ ଦେଇ ନାହିଁ କି ସୀମାକୁ ଠେଲି ଦେଇନାହିଁ। ୟା’ର ମୂଳକାରଣ ଧର୍ମୀୟ ସହନଶୀଳତା ଓ ବୈଚାରିକ ସହନଶୀଳତା। ଏ ସହନଶୀଳତାର କାରଣ ଧର୍ମ ଓ ବିଚାରଧାରା ଦୁଇଥିରେ ଆକ୍ରାମକ ପ୍ରଭୁତ୍ବ ଚିନ୍ତନର ଅନୁପସ୍ଥିତି। ସନାତନ ଧର୍ମରୁ ବୌଦ୍ଧ, ଜୈନ ଧର୍ମ ବାହାରିଗଲେ, ଶିଖ ପନ୍ଥା ନିର୍ମିତ ହୋଇଗଲା; ସନାତନ ଚୁପ୍‌। ଅଷ୍ଟମ ଶତାବ୍ଦୀରେ ଶଙ୍କରଙ୍କ ବୌଦ୍ଧବିଜୟ ଥିଲା ପୋଲେମିକ୍‌। ତାର୍କିକତାର ବିଜୟ। ଧର୍ମ ବା ଅଧ୍ୟାତ୍ମଠାରୁ ତାର୍କିକତା ପାଇଁ ଅଧିକ ଜରୁରୀ ଥିଲା ବିଶ୍ବ ଦୃଷ୍ଟି ଓ ଅଧ୍ୟାତ୍ମ ଦର୍ଶନର ରଚନାର ନିଦାପଣ ବା ସେଥିରେ ଫାଙ୍କ। ‘ଶଙ୍କର ଦିଗ୍‌ବିଜୟ’ ଗ୍ରନ୍ଥ ଯଦି ପ୍ରକୃତରେ ଶଙ୍କରଙ୍କ ମନୀଷାର ପ୍ରମାଣ ହୋଇଥାଏ ତେବେ ​‌େ​‌ଦଖିବେ ମଣ୍ଡନ ମିଶ୍ରଙ୍କ ସହିତ ଯୁକ୍ତିରେ କେଉଁ ପ୍ରକାରର ଭାଷା ବ୍ୟବହୃତ ହୋଇଛି। ଅଷ୍ଟମଶତାବ୍ଦୀ ବେଳକୁ ଭାରତରେ ଇସଲାମ୍‌ ବ୍ୟବସାୟ କ୍ଷୁଦ୍ରରେ ପ୍ରବେଶ କରିଥିଲା ଓ ସେ ଧର୍ମରେ ଭାରତ ଅଧିକାରର କୌଣସି ଚିନ୍ତା ନଥିଲା। ପରବର୍ତ୍ତୀ କାଳରେ ଭାରତ ମୁସଲମାନମାନଙ୍କ ଦ୍ବାରା ଯେତେବେଳେ ଶାସିତ ହେଲା, ସେତେବେଳେ ଶଙ୍କରଙ୍କ ପରବର୍ତ୍ତୀ କାଳର ସନ୍ଥମାନେ କେହି ବିଚଳିତ ହେଲେନାହିଁ। କାରଣ ସେତେବେଳକୁ ଧର୍ମରକ୍ଷାର ଜ୍ଞାନମାର୍ଗୀ ତର୍କଧାରା କ୍ରିୟାଶୀଳ ହେଲା। କହିପାରନ୍ତି ପୌରାଣିକତା, ସନାତନ ଧର୍ମର ବ୍ୟାପକ ବିଶ୍ବଦୃଷ୍ଟି ଓ ତାର୍କିକତାକୁ ଅତିକଳ୍ପନାରେ ଦୁର୍ବଳ କରିଦେଇଥିଲା। ଆଉ ପ୍ରକାରେ କହିଲେ ଇସ୍‌ଲାମ ସହିତ ତର୍କର କୌଣସି ଉପପାଦ୍ୟ ବା ଭୂମି ନଥିଲା। ମୋଗଲମାନଙ୍କ ସମୟରେ ବି ଧର୍ମରେ ରାଜନୀତି ନଥିଲା। ଔରଙ୍ଗଜେବଙ୍କ ବିରୋଧରେ ଧର୍ମର ରକ୍ଷାପାଇଁ ମରହଟ୍ଟା ଓ ରାଜପୁତ ଶାସକମାନେ ଅସ୍ତ୍ର ଧରି ଠିଆ ହୋଇଥିଲେ ବୋଲି ଯାହା କୁହାଯାଏ, ତା’ର ଖଣ୍ଡନ କରିଛନ୍ତି ବର୍ତ୍ତମାନର ଗବେଷକ ଟ୍ରୁସ୍‌କେ ତାଙ୍କର ‘ଔରଙ୍ଗଜେବ୍‌’ ବହିରେ। କହିଛନ୍ତି ଯେ ଧର୍ମ ପାଇଁ ନୁହେଁ ପ୍ରତିପତ୍ତି ପାଇଁ ଶକ୍ତିଯୁଦ୍ଧରେ ସାମିଲ ହୋଇଥିଲେ ମରାଠୀ ଓ ରାଜପୁତ ରାଜାମାନେ। କୁହାଯାଇପାରେ ଯେ ଆଉରଙ୍ଗଜେବ୍‌ଙ୍କ ସମୟରେ ହିଁ ଧର୍ମ ଏକ ରାଜନୈତିକ ଆଜେଣ୍ଡା ଭାବରେ ବ୍ୟବହୃତ ହେଲା। ଭାରତରେ ଇସ୍‌ଲାମ୍‌ର ଭୂମିକା ସମ୍ପର୍କରେ ଆଲୋଚନା କଲାବେଳେ ଅମିର ଖୁସ୍ରୋ (ଖ୍ରୀ ୧୨୫୩-୧୩୨୫)ଙ୍କଠାରୁ ଦାରା ଶିକୋ (ଖ୍ରୀ୧୬୧୫-୧୬୫୯)ଙ୍କ କାଳଖଣ୍ଡ (ତ୍ରୟୋଦଶରୁ ସପ୍ତଦଶ ଶତାବ୍ଦୀ), ଏହି ଚାରିଶହ ବର୍ଷରେ ଭାରତୀୟତାର ଯେଉଁ ରୂପ ଉଦ୍‌ଘାଟିତ ହୋଇଥିଲା ତା’ର ସ୍ମରଣ ଜରୁରୀ। ଏ ସେଇ ଅମିର ଖୁସ୍ରୋ ଯାହାଙ୍କୁ କୁହାଯାଇଥିଲା ‘ତୁତି-ଏ-ହିନ୍ଦ୍‌’, ଅର୍ଥାତ୍‌ ଭାରତର ସ୍ବର। ଏଇ ଖୁସ୍ରୋ ମଧ୍ୟ ଊର୍ଦ୍ଦୁ ସାହିତ୍ୟର ପିତୃପୁରୁଷ। ଖୁସ୍ରୋ ଭାରତୀୟତାର ଏକ ଉଦାହରଣ ପ୍ରସ୍ତୁତ କରିଥିଲେ ସଂଗୀତରେ ଓ ଭାଷାଗତ ସଂହତିରେ। ସଂସ୍କୃତ, ଆରବିକ୍‌, ପଞ୍ଜାବୀ, ହିନ୍ଦୁସ୍ତାନୀ, ଓ ପର୍ସିଆନ୍‌ ଭାଷାରେ ଦକ୍ଷ ଖୁସ୍ରୋ ଭାରତୀୟତା ‘ଲୟ’କୁ ସଂଗୀତ ଓ କବିତାରେ ଥୟ କରିଥିଲେ। ଅର୍ଥାତ୍‌ ତ୍ରୟୋଦଶ ଶତାବ୍ଦୀବେଳକୁ ଇସ୍‌ଲାମ ଭିତରୁ ହିଁ ଭାରତୀୟ ସନାତନୀ ଅଧ୍ୟାତ୍ମ ସହିତ ମିଶି ଏକ ଭାରତୀୟ ମିଶ୍ରଲୟ ପ୍ରସ୍ତୁତି କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ସପ୍ତଦଶ ଶତାବ୍ଦୀରେ ଦାରା ଶିକୋଙ୍କ ବେଳକୁ ତ ଇସ୍‌ଲାମୀ ଶୂନ୍ୟବାଦ ଓ ରହସ୍ୟବାଦ ସହିତ ସନାତନୀ ଅଗମ୍ୟ, ଅନନ୍ତ, ନିରାକାର, ଅଗୋଚରକୁ ଗୋଟିଏ ଲୟ ଭିତରକୁ ନେଇ ଆସିଥିଲେ ଦାରା ଶିକୋଃ। ଶାହଜହାଁଙ୍କ ଜ୍ୟେଷ୍ଠପୁତ୍ର ଦାରା ତାଙ୍କର ଉତ୍ତରାଧିକାରୀ, ହିନ୍ଦୀ-ଇସଲାମ୍‌ ଲୟକାରୀରେ ମସ୍ତ୍‌, ହୃଦୟ ଓ ମସ୍ତିଷ୍କରେ ଏକ ସଘନ ଭାରତୀୟତାର ପ୍ରବକ୍ତା, ସିଂହାସନ ଆରୋହଣ କରିଥିଲେ ଭାରତରେ ପରବର୍ତ୍ତୀକାଳର ରାଜନୈତିକ ଇତିହାସ ଭିନ୍ନ ହୋଇଥାନ୍ତା। କେତେ ଭିନ୍ନ ହୋଇଥାନ୍ତା କହିହେଉନାହଁି, କହିବାକୁ ଚାହିଁଲେ ଆବେଗରେ କଣ୍ଠରୁଦ୍ଧ ହୋଇଯାଉଛି। ଇଂରେଜମାନେ ହିନ୍ଦୁ-ମୁସଲମାନ ବିଭେଦର ସୁଯୋଗ ନେଇ ପାରିନଥାନ୍ତେ, ପାକିସ୍ତାନ ସୃଷ୍ଟି ହୋଇନଥାନ୍ତା। କିନ୍ତୁ ଇତିହାସର ବିଡ଼ମ୍ବନା ଦାରା ଶିକୋଃଙ୍କୁ ସିଂହାସନରେ ବସାଇନଦେଇ ନିଜେ ସିଂହାସନାରୂଢ଼ ହେବାପାଇଁ ଔରଙ୍ଗଜେବ୍‌ ଦାରା ଶିକୋଃଙ୍କୁ ହିନ୍ଦୀ-ଅନୁଗାମୀ (ହିନ୍ଦୁତ୍ବବାଦ ମୁସଲମାନ) ଘୋଷଣା କରି ତାଙ୍କୁ ଯୁଦ୍ଧରେ ପରାସ୍ତ କରି ହତ୍ୟାକଲେ। ପିତା ଶାହଜାହାଁଙ୍କୁ କାରାରୁଦ୍ଧ କରି ଏମିତିକି ବିଷ ପ୍ରୟୋଗ କରି ଅକର୍ମଣ୍ୟ କରି, ରଖି ଦେଇଥିଲେ ଔରଙ୍ଗଜେବ୍‌। ଶାହଜହାଁ ଏକ ମୁକ୍ତ ବାତାୟନରୁ ଅଶ୍ରୁସଜଳ ଆଖିରେ ଦିନପରେ ଦିନ କାଟୁଥିଲେ ତାଜମହଲ୍‌କୁ ଚାହିଁଚାହିଁ। ଔରଙ୍ଗଜେବ୍‌ଙ୍କ ଆଦେଶରେ ଦାରା ଶିକୋଃଙ୍କ କଟାମୁଣ୍ଡ ଉପହାର ଭଳି ଅର୍ପଣ କରାଯାଇଥିଲା ଯେତେବେଳେ ସେ ରାତ୍ରିଭୋଜନରେ ବସିଥିଲେ ଓ କନ୍ୟା ଜହାଁଆରା ଥରଥର ପାଟିରେ ଦେଉଥିଲେ ଢୋକେ ମହୁପାଣି
ନିର୍ଦୟ ପୁଅ ମୋର ମନେ ପକେଇଚି ମୋତେ, ଖୋଲ୍‌ ଜାହାଁଆରା ଶୀଘ୍ର ଖୋଲ୍‌ ଏ ଘୋଡ଼ଣି। ଘୋଡ଼ଣି ଖୋଲିଦେଲେ ଜହାଁଆରା। ଦାରା ଶିକୋଃଙ୍କ କଟାମୁଣ୍ଡ! ଶାହଜହାଁଙ୍କ ପ୍ରିୟ ପୁତ୍ର! ଭାରତର ଭାବୀ ସମ୍ରାଟ! ସେଇଦିନ କଡ଼ ଲେଉଟାଇ ବାଟ ବଦଳେଇଦେଲା ଇତିହାସ। ଔରଙ୍ଗଜେବ୍‌ଙ୍କ ପାଇଁ ଧର୍ମ ରାଜନୀତି ହୋଇଗଲା। କିଏ ବିଶ୍ବାସ କରିବ ଯେ ଦାରା ଶିକୋଃ ସପ୍ତମ ଶିଖ୍‌ ଗୁରୁ ହରରାୟଙ୍କ ବନ୍ଧୁ ଥିଲେ, ପଚାଶଟି ଉପନିଷଦ ସଂସ୍କୃତରୁ ପର୍ସିଆନ୍‌ ଭାଷାରେ ଅନୁବାଦ କରିଥିଲେ ଓ ଦୁଃସାହସ କରି ୟା ବି କହିଥିଲେ ଯେ ପବିତ୍ର କୁରାନ୍‌​‌େ​‌ର ଯେଉଁ ‘କିତାବ- ଅଲ- ମାକନୁନ’ ବା ‘ଗୁପ୍ତ ପୋଥି’ର ଉଲ୍ଲେଖ ଅଛି ସେ ଗୁପ୍ତପୋଥି ଏହି ଉପନିଷଦ! ଦାରା ଶିକୋଃଙ୍କ ପ୍ରସିଦ୍ଧ ରଚନା ମଜ୍‌ମା-ଉଲ୍‌-ବାହରେଇନରେ ରହସ୍ୟବାଦୀ ଓ ବହୁଳତାବାଦୀ ଦୃଷ୍ଟିକୋଣ ଥିଲା। ବେଦ ସହିତ ସୁଫିଦର୍ଶନର ସମନ୍ବୟ! କିନ୍ତୁ ଦାରାଙ୍କ ମୃତ୍ୟୁପରେ ଔରଙ୍ଗଜେବଙ୍କ ସହିତ ହିନ୍ଦୁମୁସଲମାନ ପାର୍ଥକ୍ୟର ରେଖା ଟଣାହୋଇଗଲା। ଯେଉଁ ଆଧ୍ୟାତ୍ମିକ ଭାରତୀୟତାର ନିର୍ମାଣ କରିଥିଲା ଭାରତର ସହସ୍ରସହସ୍ର ବର୍ଷର ଜୀବନଧାରା, ଯାହାକୁ ସଂଗୀତ ଓ କବିତାର ଲୟରେ ଆବିଷ୍କାର କରିଥିଲେ ଅମିର ଖୁସ୍ରୋଃ ଓ ଯାହାକୁ ଏକ ସମନ୍ବିତ ଜୀବନଧାରା ଓ ଦର୍ଶନରେ ପରିଣତ କରିଥିଲେ ଦାରା ଶିକୋଃ, ସେ ଭାରତୀୟତାର ସ୍ବର ଲିଭିଗଲା। ଦାରା ଶିକୋଃଙ୍କ କଟାମୁଣ୍ଡ ଦେଖି ସେଦିନ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ ଶାହଜହାଁ। ସେହିଦିନ ଭାରତୀୟତାର ବିଚାରଧାରା ଭୂତଳଗାମୀ ହୋଇଥିଲା। କିନ୍ତୁ ସ୍ବୀକାର କରିବାକୁ ହେବ ଯେ ଭୂତଳଗାମୀ ଭାରତୀୟତାର ଉଦାରଚିନ୍ତନ ଭାରତୀୟଙ୍କ ଅନ୍ତଃକରଣରେ ବଞ୍ଚିିଥିଲା ଓ ଏବେ ମଧ୍ୟ ବଞ୍ଚିଛି। ସପ୍ତଦଶ ଶତାବ୍ଦୀ ବେଳକୁ ବହୁଳତାବାଦୀ, ନିଷ୍କର୍ଷପ୍ରଧାନ, ବିବର୍ତ୍ତନଶୀଳ, ପ୍ରକ୍ରିୟା-ପରିଚାଳିତ, ଆବେଗିକ ଭାରତୀୟତାର ଭାବ ପ୍ରତିଷ୍ଠିତ ହୋଇଯାଇଥିଲା। ଟ୍ରୁସ୍‌କେ ତାଙ୍କର ‘ଔରଙ୍ଗଜେବ୍‌’ ପୁସ୍ତକ (୨୦୧୭)ରେ ଭାରତରେ ଔରଙ୍ଗଜେବଙ୍କ ସହିତ ମରାଠା ଓ ରାଜପୁତମାନଙ୍କର ଯୁଦ୍ଧ ଧର୍ମୀୟ ନଥିଲା, ଥିଲା ସତ୍ତାଧିକାରର ଯୁଦ୍ଧ ବୋଲିଯାହା କହଛନ୍ତି ତହିଁରୁ ତତ୍କାଳ ଭାରତୀୟ ରାଜତନ୍ତ୍ରର ଚରିତ୍ର ସ୍ପଷ୍ଟ ହେଉନାହିଁ କି ସତ୍ତାଧିକାରୀ ସମ୍ରାଟଙ୍କ ଚରିତ୍ର ସ୍ପଷ୍ଟ ଦିଶୁନାହିଁ। ପ୍ରକୃତ ଯୁଦ୍ଧ ଥିଲା ଭାରତୀୟତା ବନାମ ଅଣ ଭାରତୀୟତାର। ଔରଙ୍ଗଜେବ୍‌ ଭାରତରେ ମୋଗଲ ରାଜତ୍ବର ଚାରିଶହ ବର୍ଷର ଭାରତୀୟ ନିଷ୍କର୍ଷକୁ ନଷ୍ଟ କରିଦେଇଥିଲେ, କିନ୍ତୁ ମୂଳକୁ ନଷ୍ଟ କରିପାରିନଥିଲେ। ଇଂରେଜମାନେ ଭାରତ ଅଧିକାର କଲାପରେ ଭାରତୀୟ ନିଷ୍କର୍ଷର ଠିକ୍‌ ବିପରୀତ ଏକ ଇତିହାସ ରଚନା କଲେ। ଜନ୍‌ ଷ୍ଟୁଆର୍ଟ ମିଲ୍‌ଙ୍କର ପ୍ରଥମ ଭାରତ ଇତିହାସରୁ ହିଁ ଧର୍ମୀୟ ବିଭେଦର ଇତିହାସ ପ୍ରତିଷ୍ଠିତ ହୋଇଗଲା। ସେଇମାନେ ହିଁ ସତ୍ତାଯୁଦ୍ଧକୁ ଧର୍ମଯୁଦ୍ଧର ଆଖ୍ୟାନରେ ବଦଳାଇଲେ। ଭାରତ ବିଭାଜନ ଓ ଦ୍ବିରାଷ୍ଟ୍ର ତତ୍ତ୍ବ (ଟୁନେସନ୍‌ ଥିଓରୀ) ତାହାରି ରାଜନୈତିକ ପରିଣତି।
ଇଂରେଜଙ୍କ ଭାରତ ଅଧିକାର ସହିତ ଗୋଟିଏ ‘ଭାରତବର୍ଷ’ ବହୁ ଭାରତରେ ପରିଣତ ହୋଇଗଲା। ଇଂରେଜଙ୍କ ପୂର୍ବରୁ ଯେଉଁ ବୈ​‌େଦଶିକ ଶକ୍ତି ଭାରତ ଅଧିକାର କରିଥିଲେ ସେମାନେ ଭାରତର ସନାତନୀ ବହୁଳତାକୁ ସମ୍ମାନ ଦେଇ ନିଜଧର୍ମ ଓ ଜୀବନଧାରାକୁ ମୁଖ୍ୟ ଧାରା ସହିତ ସମନ୍ବିତ କରିଥିଲେ। ଏମିତିକି ଚର୍ଚ୍ଚିତ ଔରଙ୍ଗଜେବଙ୍କ ରାଜସଭା ହିନ୍ଦୁବହୁଳ ଥିଲା। ଗୋଟେ ପଟେ ଧର୍ମପୀଠ ଧ୍ବଂସ କଲାବେଳେ ସେ କ୍ଷୁଦ୍ର ଦେବସ୍ଥାନମାନଙ୍କୁ ବଞ୍ଚେଇ ରଖିଥିଲେ। ଟ୍ରୁସ୍‌କେ ନୋଟ୍ କରିଛନ୍ତି ଯେ ଔରଙ୍ଗଜେବଙ୍କର ଏପ୍ରକାରର ସ୍ବ-ବିରୋଧୀ ନୀତିର କାରଣ ଥିଲା ଏହି ଯେ ସେ ହିନ୍ଦୁପୀଠମାନଙ୍କର ଜ୍ଞାନ-ଉତ୍ସକୁ ନଷ୍ଟକରି କର୍ମକାଣ୍ଡୀ ଦେବସ୍ଥାନକୁ ବଞ୍ଚେଇ ରଖିଥିଲେ। ବୁଝିହେଉଚି ଏ ଛଳ। କିନ୍ତୁ ୟା ପଛରୁ କ’ଣ ଦିଶୁନାହିଁ ଯେ ଖୁସ୍ରୋ ଓ ଦାରା ଶିକୋଃଙ୍କ ଭଳି ସଂାସ୍କୃତିକ ​‌ ବ୍ୟକ୍ତିତ୍ବମାନେ ହିନ୍ଦୁଧର୍ମର ଦର୍ଶନରୁ ଐକ୍ୟର ସୂତ୍ର ପାଇଥିଲେ ଓ ଭାରତୀୟତାର ନିଷ୍କର୍ଷ ସେଇଥିରୁ ବାହାରିଥିଲା। ଇଂରେଜମାନେ ଜ୍ଞାନ ଓ କର୍ମ ଭିତରେ ଔରଙ୍ଗଜେବୀୟ ଛଳକୁ ତାଙ୍କ କୂଟବୁଦ୍ଧିରେ ପକ୍କା କରିଦେଲେ। ସମାଜରେ ବୈମନସ୍ୟ ସୃଷ୍ଟି ହେଲା। ଭାରତୀୟମାନେ ହିନ୍ଦୁ, ସତ୍ୟର ଏ ଅପଳାପ ସୃଷ୍ଟି ହେଲା କୋଉଠୁ ଓ କେମିତି? ସିଏ ଆମର ବ୍ୟଥାକଥାର ଆଉ ଏକ ଅଧ୍ୟାୟ!
ଇଂରେଜମାନେ ଯେଉଁ ଅନେକ ଭାରତର ସୃଷ୍ଟିକଲେ ସେଗୁଡ଼ିକ ହେଲେ ସାମାଜିକ ଭାରତ, ସାଂସ୍କୃତିକ ଭାରତ, ଧର୍ମୀୟ ଭାରତ ଓ ଔପନିବେଶିକ ଭାରତ। ଭାରତ ରାଷ୍ଟ୍ରତ୍ବ ପ୍ରାପ୍ତ ହେଲାପରେ ଏଥିରେ ଯୋଡ଼ିହେଲେ ରାଜନୈତିକ ଭାରତ, ସାମ୍ବିଧାନିକ ଭାରତ ଓ ବିଶ୍ବୀୟ ଭାରତ। ତେବେ ଭାରତୀୟ କିଏ? ଯେଉଁମାନେ ଭାରତବର୍ଷର କଳ୍ପନା କଲେ ସେମାନେ ଭାରତୀୟ। ଯେଉଁମାନେ ଭାରତୀୟ ସଭ୍ୟତାର ନିର୍ମାଣ କଲେ ସେମାନେ ଭାରତୀୟ। ଯେଉଁମାନେ ଭାରତର ସ୍ବାଧୀନତା ପାଇଁ ସଂଗ୍ରାମ କଲେ ସେମାନେ ଭାରତୀୟ। ଯେଉଁମାନେ ଭାରତକୁ ତା’ର ସମ୍ବିଧାନ ଦେଲେ (ୱି ଦ’ ପିପ୍ଲ) ଓ ରାଷ୍ଟ୍ର ନିର୍ମାଣ କଲେ ସେମାନେ ଭାରତୀୟ। ଯେଉଁମାନେ ଭାରତର ସାମ୍ବିଧାନିକତା ଓ ରାଷ୍ଟ୍ରୀୟତାକୁ ସ୍ବୀକାର କରନ୍ତି ସେମାନେ ଭାରତୀୟ। ଯେଉଁମାନେ ସମ୍ବିଧାନ ଅନୁସାରେ ନାଗରିକତାର ଯୋଗ୍ୟ ସେମାନେ ଭାରତୀୟ। ଯେଉଁମାନେ ଏସବୁ କିିଛି କରିନାହାନ୍ତି, କେବଳ ପିଢ଼ି ପ​‌େ​‌ର ପିଢ଼ି ଅଭାବ, ଅନାଟନ, ଦାରିଦ୍ର୍ୟ, ଦୁର୍ବିପାକ ସହି ପଡ଼ିରହିଛନ୍ତି ମାଟିକାମୁଡ଼ି ସେମାନେ ଭାରତୀୟ। ଏଥିରେ ଧର୍ମ କାହିଁ? ଯେକୌଣସି ସମାଜରେ ବହୁସଂଖ୍ୟକ ଯାହା ଭାବନ୍ତି ବା କରନ୍ତି, ଅଳ୍ପସଂଖ୍ୟକମାନେ ତାକୁଇ ମୁଖ୍ୟସ୍ରୋତ ଭାବି ନେଇଥିଲେ ନିଜକୁ ବିସର୍ଜିତ କରନ୍ତି, ଯେମିତି ଆମେରିକାର ଘଟିଲା ବୋଲି ପ୍ରଫେସର ମୋଇନିହାନ୍‌ କହିଲେ। ଭାରତୀୟ ସମାଜର କଥା ଅଲଗା। ଏଠି କେହି ମିଳେଇ ଗଲେନି, ସମସ୍ତେ ନିଜନିଜର ଜୀବନଧାରାକୁ ଧରି ବେଶ୍‌ ଚେଙ୍ଗା ହୋଇ ରହିଲେ; କିନ୍ତୁ ଏ ଚେଙ୍ଗାପଣର ଅର୍ଥ ନୁହେଁ ଯେ ବହୁସଂଖ୍ୟକ ଲୋକ ସମ୍ପ୍ରଦାୟ ନିଜର ଗରିଷ୍ଠତାକୁ ବିସର୍ଜିତ କରିବେ। ସମସ୍ତେ ମୁଣ୍ଡଟେକି ଚାଲିବେ, ଜଣେ କାହାପାଇଁ ମୁଣ୍ଡ ନୁଆଁଇବ କାହିଁକି? ଅଧିକାର କ’ଣ କେବଳ ସ୍ବଳ୍ପସଂଖ୍ୟକର? ବହୁସଂଖ୍ୟକଙ୍କର ଅଧିକାରକୁ ସୁରକ୍ଷା ଦେବ କିଏ? ରାଷ୍ଟ୍ର ଅଳ୍ପସଂଖ୍ୟକଙ୍କର ନୁହେଁ କି ବହୁସଂଖ୍ୟକଙ୍କର ନୁହେଁ। ରାଷ୍ଟ୍ର ସମସ୍ତଙ୍କର। ରାଷ୍ଟ୍ରର ଏହି ସାର୍ବଭୌମ ଶକ୍ତି ଓ ସାମର୍ଥ୍ୟରେ ଆସ୍ଥା ହିଁ ରାଷ୍ଟ୍ରୀୟତା। ପାଠ୍ୟପୁସ୍ତକ ପଢ଼ି ପରିପକ୍ବ ହୋଇଥିବା କିଛି ପ୍ରତିକ୍ରିୟାପ୍ରବଣ ବିଦ୍ବାନ ମନେକରନ୍ତି ଯେ ଆଧାରଭୂତ ସଂରଚନା ବା ଭିତ୍ତିଭୂମି ବିକଶିତ ନହେଲା ଯାଏଁ ଭାରତୀୟତାର ସଂଜ୍ଞାବିଚାର ଅବାନ୍ତର। କି ବିଚିତ୍ର ଯୁକ୍ତି ଏ! ଭାରତ ଯେଉଁଭଳି ଅବସ୍ଥାରେ ଥାଉ, ଅଛି ମାନେ ଭାରତୀୟ ଅଛନ୍ତି ଓ ଭାରତୀୟତା ଅଛି। ସମ୍ବିଧାନ ଅଛି ମାନେ ରାଷ୍ଟ୍ର ଅଛି। ରାସ୍ତାଘାଟ, ପାନୀୟଜଳ, ବିଜୁଳୀବତି, ଜଳସେଚନ, ଶିକ୍ଷା, ଶିଳ୍ପ ଆଦି ସରକାରଙ୍କ କାମ। ସରକାର ଭାରତ ନୁହନ୍ତି। ସରକାର ରାଷ୍ଟ୍ରଦ୍ବାରା ନିଯୁକ୍ତ ଓ ଅଧିକାରପ୍ରାପ୍ତ।
ମୁଁ ବୁଝିପାରୁନି କାହିଁକି ‘ଭାରତୀୟତା’କୁ ନେଇ ଏତେ ଅନର୍ଥ! ଯେଉଁ ବିଭିନ୍ନ ଭାରତୀୟତାର କଥା କହିଲି, ସବୁ ମିଶି ଗଢ଼ନ୍ତି ସେହି ଭାରତୀୟତା। ସେ ଭାରତୀୟତା ସମସ୍ତ ସାମ୍ୟ, ବୈପରୀତ୍ୟ, ବିଷମତା, ଆନନ୍ଦ, ଅଭାବ, ପ୍ରାଚୁର୍ଯ୍ୟର ଭାରତୀୟତା। ଭାରତରେ ଥରେ ବିଶ୍ବାସ କରନ୍ତୁ ଆସିଯିବ ଭାରତୀୟତା। ଭାରତୀୟତା ଅବସନ୍ନ, ଜରାଜୀର୍ଣ୍ଣ ଦରିଦ୍ର ଭିକାରୀ ପାଇଁ ସେତିକି ସତ୍ୟ, ଯେତିକି ସତ୍ୟ ସଂପନ୍ନ, ଶକ୍ତିଶାଳୀ, ପ୍ରତିପତ୍ତିଶାଳୀ ପାଇଁ। ଶାସ୍ତ୍ର ଓ ପୁରାଣର ଯୁଗଠାରୁ ଏପର୍ଯ୍ୟନ୍ତ ଆସିବା ଭିତରେ ଆମେ ଭାରତୀୟତାର ଗୋଟିଏ ସଂଜ୍ଞା ଖୋଜିଚେ। ସେଇଟା ଆମର ଭୁଲ୍‌। ବହୁଭାବରେ ଭାରତୀୟତାକୁ ପାଇଲେ ହିଁ ଏକକ ସମ୍ଭବ ହେବ। ସେହି ଏକକ ଆମର ଭାରତୀୟତା। ଇଏ ବିବର୍ତ୍ତିତ ହୋଇଚାଲିଛି। ଇଏ ଏକ ଉତ୍ପାଦ ନୁହେଁ ଏକ ପ୍ରକ୍ରିୟା, ଇଏ କାହାରି ଆଦେଶ ନୁହେଁ କି ଆରୋପ ନୁହେଁ, ଇଏ ନିଷ୍କର୍ଷ। ଭାରତୀୟତାର ରାଜନୀତି ଭାରତୀୟତାର ବହୁମୁଖୀ ସଂଜ୍ଞା ଓ ବହୁତଳ ଅନୁଭବକୁ ଗଣତନ୍ତ୍ର, ଲୋକକ୍ଷେତ୍ର ଓ ବିଚାରଧାରାରେ ପ୍ରବେଶ କରାଇବାରେ ସମର୍ଥ ହେବ। କିନ୍ତୁ ଭାରତୀୟତାକୁ ନେଇ ରାଜନୀତି କରିବାର କର୍ମକାଣ୍ଡ ଯେତେ ଅନ୍ତର୍ଭୁକ୍ତୀ (ଇନ୍‌କ୍ଲୁସିଭ୍‌) ହେବ ସେତେସେତେ ବିରୋଧ ଆପେ ମଉଳିଯିବେ। ଭାରତ ଦେଶ, ଭାରତ ରାଷ୍ଟ୍ର ଓ ଭାରତୀୟତାକୁ ନେଇ ଭବିଷ୍ୟତରେ ଚିନ୍ତନ ଅଧିକ ଶଙ୍କାଯୁକ୍ତ, ଭୟମୁକ୍ତ ଓ ସକାରାତ୍ମକ ହେବବୋଲି ଆଶାକରୁଚି କାରଣ ଭାରତୀୟ ଗଣତନ୍ତ୍ର ତା’ର ‘ଲୟ’ ଖୋଜିପାଇଚି, ଯେଉଁ ଲୟ ଆର୍ଯ୍ୟ ଦ୍ରାବିଡ଼ ସମନ୍ବୟରେ ଥିଲା, ସନାତନୀ ଜୀବନଧାରାର ବିବିଧତାରେ ଥିଲା; ଯେଉଁ ଲୟକୁ ଜ୍ଞାନୀ ଓ ସନ୍ଥମାନେ ଧର୍ମରେ ନ ଖୋଜି ଧୃତିରେ ଖୋଜିଥିଲେ, ଯେଉଁ ଲୟର ପ୍ରାପ୍ତି ପାଇଁ ଭାରତୀୟ ରାଜନୀତି ବର୍ତ୍ତମାନ ଭାରତକୁ ଭାରତରେ ଖୋଜୁଚି!
ବାଗର୍ଥ ଏନ୨/୨୬, ଆଇଆରସି ଭିଲେଜ, ଭୁବନେଶ୍ବର

Leave A Reply