ନିରୁପାୟ ସରକାର !

0

ସୋମବାର କେନ୍ଦ୍ର ସରକାର ମୁଦ୍ରାସ୍ଫୀତି ଅର୍ଥାତ ମହରଗ ସମ୍ପର୍କରେ ସେପ୍ଟେମ୍ବର ମାସର ଯେଉଁ ତଥ୍ୟ ଦେଇଛନ୍ତି, ତାହା ଅର୍ଥବ୍ୟବସ୍ଥାର ସ୍ଥିତି ବିଷୟରେ ବହୁତ କିଛି ସୂଚନା ଦେଉଛି। ଗତ ମାସରେ ପାଇକାରୀ ମୂଲ୍ୟ ସୂଚକାଙ୍କ ଉପରେ ଆଧାରିତ ମୁଦ୍ରାସ୍ଫୀତି ୪.୫୩ ଶତାଂଶ ଥିବାବେଳେ ଅଗଷ୍ଟରେ ଏହା ୩.୧୪ ଶତାଂଶ ରହିଥିଲା। ଗୋଟିଏ ପଟେ ମହରଗ ବଢ଼ିଚାଲିଛି, ଅନ୍ୟପଟେ ଖାଦ୍ୟପଦାର୍ଥର ମୂଲ୍ୟ ନିମ୍ନଗାମୀ ହେଉଛି। ଅଗଷ୍ଟ ମାସରେ ଖାଦ୍ୟ ପଦାର୍ଥର ମୁଦ୍ରାସ୍ଫୀତି ୪.୦୪ ଶତାଂଶ ଥିବାବେଳେ ଗତ ମାସରେ ଶୂନରୁ ବି ନିମ୍ନକୁ ଚାଲିଯାଇଥିଲା। ପନିପରିବା ମାମଲାରେ ବି ସମାନ ଅବସ୍ଥା। ଅଗଷ୍ଟରେ ଯାହା ମୁଦ୍ରାସ୍ଫୀତି ୨୦.୧୮ ଶତାଂଶ ଥିଲା, ତାହା ସେପ୍ଟେମ୍ବରରେ ଶୂନରୁ ତଳକୁ ଯାଇ -୩.୮୩ରେ ପହଞ୍ଚିଗଲା। ଡାଲି ମାମଲା ଆହୁରି ଚିନ୍ତାଜନକ।
ଅର୍ଥଶାସ୍ତ୍ରରେ ମୁଦ୍ରାସ୍ଫୀତିର ତୀବ୍ର ଗତିରେ ନିମ୍ନଗାମୀ ହେବା ଉଦ୍‌ବେଗଜନକ ଧରାଯାଏ। ଅବଶ୍ୟ ଗୋଟିଏ ମାସର ପରିସଂଖ୍ୟାନରୁ ଆମେ ସର୍ବାଙ୍ଗ ଚିତ୍ର ପାଇପାରିବା ନାହିଁ; ତଥାପି ଖାଦ୍ୟ ମୁଦ୍ରାସ୍ଫୀତି ପରିସଂଖ୍ୟାନ ଆଗାମୀ ସମୟରେ କୃଷକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଖାଦ୍ୟପଦାର୍ଥର ମୂଲ୍ୟହ୍ରାସ ମଧ୍ୟରେ ପାଇକାରୀ ମୂଲ୍ୟ ସୂଚକାଙ୍କ ଉପରେ ଆଧାରିତ ମୁଦ୍ରାସ୍ଫୀତି ବୃଦ୍ଧି ପାଇବାର କାରଣ ହେଉଛି ପେଟ୍ରୋଲିୟମ୍ ଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି। ଗତ ମାସରେ ପେଟ୍ରୋଲର ମୁଦ୍ରାସ୍ଫୀତି ୧୭.୨୧ ଶତାଂଶ ଥିବାବେଳେ ଡିଜେଲର ରହିଥିଲା ୨.୧୮ ଶତାଂଶ। ଏହି ସମୟ ଭିତରେ ଖୁଚୁରା ମୁଦ୍ରାସ୍ଫୀତିକୁ ଯଦି ଆମେ ଦେଖିବା, ତେବେ ଅଗଷ୍ଟରେ ୩.୬୯ ଶତାଂଶ ଥିବାବେଳେ ସେପ୍ଟେମ୍ବରରେ ତାହା ବଢ଼ି ୩.୭୭ ଶତାଂଶ ହୋଇଥିଲା। ଏହା ଅବଶ୍ୟ ବେଶି ନୁହେଁ ବୋଲି କୁହାଯାଇପାରେ।
ଅବଶ୍ୟ ଏଭଳି ପରିସଂଖ୍ୟାନରେ ଚମକିବା ଭଳି କିଛି ନାହିଁ। ପାର୍ବଣ ସମୟରେ ଅଳ୍ପବହୁତେ ଏପରି ସ୍ଥିତି ରହିଥାଏ। ବର୍ଷାଦିନେ ଖାଦ୍ୟପଦାର୍ଥର ବିତରଣରେ ପ୍ରତିକୂଳ ପାଣିପାଗ ହେତୁ ପ୍ରତିବନ୍ଧକ ଦେଖାଦିଏ; ତେଣୁ ସେଗୁଡ଼ିକର ମୂଲ୍ୟ ସ୍ବାଭାବିକଭାବେ ବଢ଼ିଥାଏ। ସେପ୍ଟେମ୍ବର ବେଳକୁ ଏହି ବାଧା କମ୍ ହେବାପରେ ସେଥିରେ ମୂଲ୍ୟହ୍ରାସ ଘଟେ। ନୂଆ ଖରିଫ୍ ଉତ୍ପାଦନ ବଜାରକୁ ଆସିବା ଏହାର ଆଉ ଏକ କାରଣ। ତେବେ ମୁଦ୍ରାସ୍ଫୀତି ଶୂନ୍ୟରୁ ତଳକୁ ଚାଲିଯିବା ନିଶ୍ଚୟ ଚିନ୍ତାର ବିଷୟ। ଅବଶ୍ୟ ଚଳିତ ମାସ ଅର୍ଥାତ ଅକ୍ଟୋବର ମାସରୁ ଏ ସ୍ଥିତିରେ ସୁଧାର ଆସିବା ପ୍ରାୟ ନିଶ୍ଚିତ; କାରଣ ଏହି ସମୟ ପାର୍ବଣର ହୋଇଥିବାରୁ ଖାଦ୍ୟପଦାର୍ଥର ଚାହିଦା ବଢ଼ିବ। ତେବେ ପ୍ରକୃତ ସମସ୍ୟା ତୈଳମୂଲ୍ୟ ବୃଦ୍ଧି। ଏ କ୍ଷେତ୍ରରେ ସରକାରଙ୍କ ପ୍ରଚେଷ୍ଟା ‘ସମୁଦ୍ରକୁ ଶଙ୍ଖେ’ ମନେହେଉଛି।
କିଛିଦିନ ତଳେ ସରକାର ଖାଉଟିଙ୍କୁ କିଛିଟା ଆଶ୍ବସ୍ତ କରିବା ପାଇଁ ଯେଉଁ ଟିକସ ହ୍ରାସକରି ପେଟ୍ରୋଲ୍-ଡିଜେଲ ମୂଲ୍ୟ କମାଇଥିଲେ, ତାହା କିଛିଦିନ ଭିତରେ ପୁଣି ପୂର୍ବାବସ୍ଥାକୁ ଫେରିଆସିଛି। ପ୍ରତ୍ୟହ ମୂଲ୍ୟବୃଦ୍ଧି ଯୋଗୁଁ ଏହା ଘଟିଛି। ବର୍ତ୍ତମାନ ଯେଉଁ ସ୍ଥିତି, ସେଥିରେ ଆଗକୁ ମଧ୍ୟ ଏଥିରେ ମୂଲ୍ୟହ୍ରାସର ସମ୍ଭାବନା କ୍ଷୀଣ। ନଭେମ୍ବର ୪ ପରେ ଭାରତ ଇରାନରୁ ଅଶୋଧିତ ତୈଳ ଆମଦାନୀ କମ୍ କମ୍ କରିବ ବୋଲି କହିଥିବାବେଳେ ତାହା କିପରି କରାଯିବ ଦେଖିବା କଥା। ଆମେରିକା ଭାରତ ସମେତ ତା’ର ସହଯୋଗୀ ଦେଶଗୁଡ଼ିକ ଉପରେ ଏଥିପାଇଁ ଚାପ ପ୍ରୟୋଗ କରିଆସୁଛି ଯେ ଇରାନ, ଉତ୍ତର କୋରିଆ, ରୁଷ ଆଦି ଦେଶ ସହ ବ୍ୟାବସାୟିକ ସମ୍ବନ୍ଧ ରଖ ନାହିଁ। ଯେଉଁ ଦେଶ ସେପରି କରିବ, ଆମେରିକା ତା’ ବିରୋଧରେ ପଦକ୍ଷେପ ନେବ ବୋଲି ମଧ୍ୟ ଧମକ ଦେଉଛି। ଏପରି ସ୍ଥଳେ ଭାରତକୁ ବିକଳ୍ପ ଖୋଜିବାକୁ ହିଁ ପଡ଼ିବ।
ବାସ୍ତବତା ହେଉଛି ଭାରତ ଇରାନର ସବୁଠୁ ବଡ଼ ତୈଳ ଆମଦାନୀକାରୀ ଦେଶ ହୋଇଥିବାରୁ ସେହି ଅନୁସାରେ ରିଆତି ମଧ୍ୟ ଅଧିକ ପାଇଥାଏ। ଯଦି ସେଠାରୁ ଆମଦାନୀ ହ୍ରାସ କରାଯାଏ ଓ ଅନ୍ୟ ଦେଶରୁ ଆମଦାନୀ କରାଯାଏ, ସେସବୁ ଦେଶ ସେହି ପରିମାଣରେ ରିଆତି ପ୍ରଦାନ କରିବେ ବୋଲି କିଛି ନିଶ୍ଚିତତା ନାହିଁ। ଅବଶ୍ୟ ଇତିମଧ୍ୟରେ ସାଉଦି ଆରବ ଓ ଇରାକ ଭଳି ଦେଶଗୁଡ଼ିକରୁ ତୈଳ ଆମଦାନୀ ପାଇଁ ପ୍ରସ୍ତୁତି ଚାଲିଛି। ଭାରତର ତୈଳକମ୍ପାନୀଗୁଡ଼ିକ ଦାବି କରୁଛନ୍ତି ଯେ ଇରାନରୁ ସମ୍ପୂର୍ଣ୍ଣ ରୂପେ ତୈଳ ଆମଦାନୀ ବନ୍ଦ ହେଲେମଧ୍ୟ ତୈଳସଙ୍କଟ ଦେଖାଯିବ ନାହିଁ; କିନ୍ତୁ ଏହା ବିଶ୍ବାସଯୋଗ୍ୟ ମନେହେଉ ନାହିଁ; କାରଣ ବର୍ତ୍ତମାନ ମଧ୍ୟ ଭାରତରେ ତୈଳସଙ୍କଟ ରହିଛି, ଯାହାକୁ ଖୋଲାଖୋଲି କେହି ସ୍ବୀକାର କରୁନାହାନ୍ତି।
ନିକଟ ଭବିଷ୍ୟତରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳଦର ହ୍ରାସ ପାଇବାର ସମ୍ଭାବନା କ୍ଷୀଣ। ମୂଲ୍ୟ ସ୍ଥିର କରିବାରେ ତୈଳ ଉତ୍ପାଦକ ଦେଶଗୁଡ଼ିକର ଆଧିପତ୍ୟ ରହିଥିବାବେଳେ ଅଧିକାଂଶ ଦେଶ ଉପରେ ଆମେରିକାର ଚାପ ରହିଛି। ତେଣୁ ଭାରତ ଭଳି ଦେଶ ଏ ସଙ୍କଟରୁ ଉଦ୍ଧାର ପାଇବାକୁ ହେଲେ ନୂତନ ତୈଳ ଉତ୍ପାଦନକାରୀ ଦେଶଗୁଡ଼ିକ ସହ ସମ୍ବନ୍ଧ ସ୍ଥାପନ କରିବା ବିଶେଷ ଆବଶ୍ୟକ। ଅଶୋଧିତ ତୈଳ ଦର ବୃଦ୍ଧି ସହ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଆଉ ଏକ ବଡ଼ ସମସ୍ୟା। କହିବା ବାହୁଲ୍ୟ ଯେ ଉପଭୋକ୍ତାଙ୍କ ଉପରେ ଏସବୁର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ପଡ଼ୁଛି। ଭବିଷ୍ୟତର ସମସ୍ୟାକୁ ଆକଳନ କରି ଯଦି ତଦନୁଯାୟୀ ଆଗୁଆ ପଦକ୍ଷେପ ନିଆଯାଇଥାନ୍ତା, ସ୍ଥିତି ହୁଏତ ଏତେଟା ଚିନ୍ତାଜନକ ହୋଇନଥା’ନ୍ତା। ବର୍ତ୍ତମାନ ସରକାର ଏହି ପ୍ରସଙ୍ଗରେ ନିରୁପାୟ ମନେହେଉଛନ୍ତି। ଏହା ହିଁ ବର୍ତ୍ତମାନର ବଡ଼ ବିଡ଼ମ୍ବନା।

Leave A Reply