ସଂକଟରେ ଉଦାରବାଦୀ ଆଦର୍ଶ

0

ପାବକ କାନୁନ୍‌ଗୋ

ବ୍ୟକ୍ତି ସ୍ବାଧୀନତାର ସୁରକ୍ଷା, ମାନବିକ ଅଧିକାରର ପ୍ରସାର, ମତ ପ୍ରକାଶର ଅଧିକାର ଏବଂ ଗଣତନ୍ତ୍ରର ଅଭିବୃଦ୍ଧିରେ ସମ୍ବାଦପତ୍ର ଓ ଗଣମାଧ୍ୟମର ଭୂମିକା ସମ୍ପର୍କରେ ନିକଟ ଅତୀତରେ ଭାରତରେ ତର୍କବିତର୍କ ଚାଲିଛି। ସରକାର ବା ଶାସନ ବିରୋଧରେ ସ୍ବର ଉତ୍ତୋଳନ କରୁଥିବା କିଛି ଜଣାଶୁଣା ଲୋକଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ କରିଛି। କେତେକ କ୍ଷେତ୍ରରେ ବିଚାରବିଭାଗ ମଧ୍ୟ ନିଜର ନିଷ୍ପତ୍ତି ଶୁଣାଇଛନ୍ତି। ଏହି ପ୍ରସଙ୍ଗ ଭିତରକୁ ଜାତୀୟତା ଓ ଭାରତୀୟତା ଭଳି ପ୍ରଶ୍ନ ପଶିଆସି ପରିସ୍ଥିତିକୁ ଜଟିଳ କରିଦେଇଛି। ଅନ୍ୟଭାବରେ କହିଲେ, ଉଦାରବାଦ ବ୍ୟବସ୍ଥାର ସମର୍ଥକ ଓ ଏହାର ବିରୋଧୀଙ୍କ ଭିତରେ ଚାଲିଥିବା ସଂଘର୍ଷ ବା ଦ୍ବନ୍ଦ୍ବ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ପ୍ରତ୍ୟକ୍ଷରେ ନହେଲେ ମଧ୍ୟ ପରୋକ୍ଷରେ କ୍ଷତବିକ୍ଷତ କରୁଛନ୍ତି। ଏହି ବିତର୍କବେଳେ ନିଜକୁ ଚିନ୍ତାନାୟକ, ଚିନ୍ତକ ଓ ଉନ୍ନତ କିସମର ବୁଦ୍ଧିଜୀବୀ ବୋଲି ଦାବି କରୁଥିବା କେତେକ ଲୋକ ଗୋଟିଏ ନିର୍ଦିଷ୍ଟ ଆଦର୍ଶବାଦକୁ ପ୍ରଚ୍ଛନ୍ନଭାବରେ ସମର୍ଥନ କରି ଅଧିକାର ଓ ବାକ୍‌ସ୍ବାଧୀନତାର ପ୍ରତିଷ୍ଠା ପାଇଁ ଲଢ଼ୁଥିବା ଶକ୍ତିକୁ ସମାଲୋଚନା ପରିସରକୁ ଟାଣିଆଣୁଛନ୍ତି। କେହିକେହି ଏକଥା ବି କହୁଛନ୍ତି ଯେ ମତପ୍ରକାଶ କରିବାର ଅଧିକାରକୁ ସାବ୍ୟସ୍ତ କରିବା ଆଳରେ ବିଶ୍ବରେ ଉଦାରବାଦୀମାନେ ଯେଉଁ ମେଳି କରୁଛନ୍ତି କିଛି ଭାରତୀୟ ସେଥିରେ ସାମିଲ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ସାରା ବିଶ୍ବରେ ଉଦାରବାଦ ଦର୍ଶନ ବା ତତ୍ତ୍ବର ସ୍ଥିତି ଓ ସଂକଟ ତଥା ଏହି ଆଦର୍ଶର ପୁନରୁତ୍‌ଥାନ ପାଇଁ ହେଉଥିବା ଆଲୋଚନା ସମ୍ପର୍କରେ ସୂଚନା ଦେବା ଜରୁରୀ ହୋଇପଡ଼ିଛି।
ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ପାଶ୍ଚାତ୍ୟ ଜଗତରେ ଉଦାରବାଦ ତତ୍ତ୍ବର ପ୍ରସାର ଆରମ୍ଭ ହେଲା। ଆମେରିକାର ସ୍ବାଧୀନତା ଘୋଷଣାନାମା (୧୭୭୬) ଫରାସୀ ରାଷ୍ଟ୍ରବିପ୍ଳବ (୧୭୮୯) ଓ ପାଶ୍ଚାତ୍ୟ ଜଗତରେ ଶିଳ୍ପ ଓ ବାଣିଜ୍ୟର ଦ୍ରୁତପ୍ରସାର ଏହ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଦେଲା। ସମ୍ବିଧାନ ଓ ଆଇନର ସୀମା ଓ ପରିସର ଭିତରେ ରହି ବ୍ୟକ୍ତି ନିଜ ଇଚ୍ଛା ଅନୁସାରେ କାମ କରିବା ଏବଂ ସାନ ବଡ଼ ପ୍ରତ୍ୟେକ ​‌େ​‌ଲାକର ମର୍ଯ୍ୟାଦାକୁ ସମ୍ମାନଦେବା ଏହାର ମୌଳିକ ଲକ୍ଷ୍ୟ ଭାବରେ ସ୍ବୀକୃତ ହେଲା। ଏହି ମତବାଦକୁ ପ୍ରୋତ୍ସାହନ ଦେବା ଉ‌େଦ୍ଦଶ୍ୟରେ ସ୍ଥାପିତ ‘ଦି ଇକନମିଷ୍ଟ’ ପତ୍ରିକା ୧୭୫ ବର୍ଷ ତଳେ ଲେଖିଥିଲା- ‘ଯୁଦ୍ଧ, ଧୀଶକ୍ତି ଓ ବୋଧଶକ୍ତିକୁ ଆଧାର କରି ପୃଥିବୀ ବିକାଶ ପଥରେ ଆଗେଇ ଯାଉଥିବ​‌ାବେ​‌େ​‌ଳ କିଛି ଅଯୋଗ୍ୟ, ଭୀରୁ ଓ ଅଜ୍ଞ ଲୋକ ଏହି ପ୍ରକ୍ରିୟାକୁ ବିରୋଧ କରିବାକୁ ବାହାରି ପଡ଼ୁଛନ୍ତି।’ ଏହି ଅଜ୍ଞ ଲୋକଙ୍କ କବଳରୁ କେବଳ ଭାରତକୁ ନୁହେଁ, ସମଗ୍ର ବିଶ୍ବକୁ ରକ୍ଷା କରିବା ବର୍ତ୍ତମାନ ଜରୁରୀ ହୋଇପଡ଼ିଛି। ଲୋକଙ୍କ ଅଭିଳାଷ ଓ ଭ୍ରାନ୍ତ ବିଶ୍ବାସର ଦୁରୁପଯୋଗ କରୁଥିବା କେତେଜଣ ଗଣତନ୍ତ୍ର ଶାସକଙ୍କ ବିରୋଧ କରିବାର ଆବଶ୍ୟକତା ମଧ୍ୟ ଦେଖାଦେଇଛି।
ଉଦାରବାଦର ଇତିହାସକୁ ଲକ୍ଷ୍ୟକଲେ ଆମେ ଦେଖିବା ଊନବିଂଶ ଶତାବ୍ଦୀରେ ଇଉରୋପ, ଦକ୍ଷିଣ ଆମେରିକା ଓ ଉତ୍ତର ଆମେରିକାର ଅନେକ ଦେଶ ଏହି ଆଦର୍ଶକୁ ପ୍ରସାର କରିବା ଦିଗରେ ଆଗୁଆ ହୋଇ ବାହାରିଥିଲେ। ଜନ୍‌ ଲକ୍‌, ଆଡ଼ାମ ସ୍ମିଥ୍‌, ଜନ ଷ୍ଟୁଆର୍ଟ ମିଲ, ମଣ୍ଟେସ୍କୁ, ଟକ୍‌ଭିଲେ, କେନ୍‌ସ୍‌, କାର୍ଲ ପପର, ଓ ୱାଲ୍‌ଟର ବେଗ୍‌ହଟ୍‌ଙ୍କ ଭଳି ଚିନ୍ତା ନାୟକମାନେ ଏହି ନୀତିକୁ ଦୃଢ଼ୀଭୂତ କରିବା ଦିଗରେ କାର୍ଯ୍ୟ କରିଥିଲେ। ଗଣତନ୍ତ୍ର ଓ ଉଦାରବାଦ ଭଳି ଆଦର୍ଶ ଉପରେ ସେତେବେଳେ ମଧ୍ୟ ଆକ୍ରମଣ ହେଉଥିଲା। କେତେକ ଗଣତନ୍ତ୍ରରେ ସଂଖ୍ୟାଗରିଷ୍ଠଙ୍କ ଅତ୍ୟାଚାର ଓ ନିଷ୍ଠୁର ଆଚରଣ ସମ୍ପର୍କରେ ମିଲ ସୂଚାଇ ​‌େ​‌ଦଇଥିଲେ। ଏହି ଦାର୍ଶନିକମାନେ କହୁଥିଲେ, ଯେତେବେଳେ ଜଣେ ଆଉ ଜଣକର କ୍ଷତି କରୁଛି ତାହା ଉପରେ ରାଷ୍ଟ୍ର ଅଙ୍କୁଶ ଲଗାଇବାରେ କିଛି କ୍ଷତି ନାହିଁ। କେବଳ ଏକଚ୍ଛତ୍ର ଶାସନରେ ଅଧିକାର ସଂକୁଚିତ ହୁଏ ବୋଲି ଯେଉଁ ଧାରଣା ଥିଲା ସେଥିରେ ମଧ୍ୟ ପରିବର୍ତ୍ତନ ହେଉଛି। ଗଣତନ୍ତ୍ରର ଛାଞ୍ଚ ଭିତରେ ଗଢ଼ିଉଠିଥିବା ରାଷ୍ଟ୍ରବ୍ୟବସ୍ଥାରେ ମଧ୍ୟ ଅଣ- ଉଦାରବାଦୀ ମାନସିକତାର ପ୍ରତିଫଳନ ହେଉଛି। କେତୋଟି ଦୃଷ୍ଟାନ୍ତ କଥାଟିକୁ ସ୍ପଷ୍ଟ କରିଦେବ।
ଉଦାରବାଦୀ ଦର୍ଶନ ବା ତତ୍ତ୍ବକୁ ବାସ୍ତବ ରୂପ ଦେବାପାଇଁ ଯେଉଁ ଅଳ୍ପ କେତୋଟି ଦେଶ ଆଗୁଆ ହୋଇ ବାହାରିଥିଲେ ସେମାନଙ୍କ ଭିତରେ ପ୍ରଧାନ ଥିଲା ଯୁକ୍ତରାଷ୍ଟ୍ର ଆମେରିକା। ସେ ଦେଶର ସ୍ବାଧୀନତା ଘୋଷଣାନାମାରେ ଈଶ୍ବର ସବୁ ମଣିଷକୁ ସମାନକରି ଗଢ଼ିଛନ୍ତି ବୋଲି କୁହାଯାଇଥିଲା। ବିଶ୍ବରେ ସୁସ୍ଥ ଗଣତନ୍ତ୍ର ଓ ଉଦାରବାଦୀ ମୂଲ୍ୟବୋଧର ସୁରକ୍ଷା ପାଇଁ ସେହି ଦେଶ ସଂଗଠିତ ଉଦ୍ୟମ କରିଥିଲା। ମାର୍ଶାଲପ୍ଲାନ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି, ବିଶ୍ବବ୍ୟାଙ୍କ, ଗ୍ୟାଟ ଓ ନେଟୋ ଭଳିର ଆନ୍ତର୍ଜାତିକ ସଂଗଠନ ଗଢ଼ିବାରେ ଏହା ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା। ଇଉରୋପୀୟ ଏକତା ପ୍ରତିଷ୍ଠାଦିଗରେ ଏହାର ଅବଦାନ ମଧ୍ୟ କିଛି କମ୍‌ ନୁହେଁ। ଊନବିଂଶ ଶତାବ୍ଦୀରେ ବିଶ୍ବର ବହୁ ଅଂଶରେ ଗଣତନ୍ତ୍ର ଓ ଉଦାରବାଦରେ ବିଶ୍ବାସୀ କୋଟିକୋଟି ଲୋକଙ୍କୁ ଏହା ପ୍ରେରଣା ଯୋଗାଇଥିଲା। ବିଡ଼ମ୍ବନା ଯେ ଆଜି ସେହି ଦେଶର ରାଷ୍ଟ୍ରପତି ଗଣତନ୍ତ୍ର, ମାନବିକ ଅଧିକାରର ସୁରକ୍ଷା ଓ ବାକ୍‌ସ୍ବାଧୀନତାଭଳି ସାର୍ବଜନୀନ ମୂଲ୍ୟବୋଧକୁ ଲାଞ୍ଛନା ଭିତରକୁ ଠେଲି ଦେଉଛନ୍ତି। ସେ କେବଳ ପୁଟିନ୍‌ ବା କିମ୍‌ଙ୍କ ଭଳି ନିରଙ୍କୁଶ ଶାସକଙ୍କୁ କୋଳାଗ୍ରତ କରୁଛନ୍ତି ତାହା ନୁହେଁ; ଅନେକ ନୃଶଂସ କାର୍ଯ୍ୟପ୍ରତି ଆଖି ବୁଜିଦେଉଛନ୍ତି। ଏକଥା ସତ ଯେ ଶୀତଳଯୁଦ୍ଧ କାଳରେ କୂଟନୀତି ଓ ଜାତୀୟ ସ୍ବାର୍ଥର ବାଧ୍ୟବାଧକତା ଯୋଗୁ କେତେକ ଏକଚ୍ଛତ୍ର ଶାସକଙ୍କୁ ଆମେରିକା ସମର୍ଥନ କରୁଥିଲା। ଆଜି କିନ୍ତୁ ଏଭଳି କାର୍ଯ୍ୟ ମାର୍କିନ ବିଦେଶ ନୀତିର ଅବିଚ୍ଛେଦ୍ୟ ଅଂଶ ହୋଇଯାଇଛି। ନିଜର ଦୀର୍ଘକାଳର ମିତ୍ର ରାଷ୍ଟ୍ରଙ୍କୁ ଟ୍ରମ୍ପ ବୋଝ ବୋଲି ବିଚାରୁଛନ୍ତି। ଜଣେ ଲେଖକଙ୍କ ମତରେ, ହ୍ବାଇଟ୍‌ହାଉସଟି ପ୍ରେରଣାଦାୟୀ ଚରମପନ୍ଥୀଙ୍କ କବ୍‌ଜାରେ ରହି ଅମଲାତାନ୍ତ୍ରିକ ଅରାଜକତାର ପେଣ୍ଠରେ ପରିଣତ ହୋଇଯାଇଛି।
ଉଦାରବାଦୀ ନୀତି ଦ୍ରୁତଗତିରେ ଜନସମର୍ଥନ ହରାଇବା ଫଳରେ ଅନେକ ସଚ୍ଚା ଉଦାରବାଦୀ ଆତ୍ମସନ୍ଦେହର ଶିକାର ହେଉଛନ୍ତି। ଶୀତଳ ଯୁଦ୍ଧ ପରେ ଏହା ଯେପରି ଆଗକୁ ମାଡ଼ି ଯାଉଥିଲା ସେଥିରେ ଭଟ୍ଟା ପଡ଼ିଯାଉଛି। ୨୦୧୭ରେ ଯେଉଁ ୧୬୭ଟି ଦେଶରେ ଆକଳନ କରାଯାଇଥିଲା ସେଥିରୁ ଅର୍ଦ୍ଧାଧିକ ଦେଶରେ ଗଣତନ୍ତ୍ର ପଛକୁ ପଛ ଯାଉଛି। ଉଦାରବାଦୀ ଗଣତନ୍ତ୍ରକୁ ନୂଆନୂଆ ବିପଦର ସାମନା କରିବାକୁ ପଡ଼ୁଛି। ମାତ୍ର ଶତକଡ଼ା ୩୬ଭାଗ ଜର୍ମାନ, ୨୪ଭାଗ କାନାଡ଼ାବାସୀ ଓ ୯ଭାଗ ଫରାସୀଙ୍କ ମତରେ ସେମାନଙ୍କର ପରବର୍ତ୍ତୀ ବଂଶଧର ସମୃଦ୍ଧ-ଜୀବନ କଟାଇବେ। ୬୫ଭାଗ ଆମେରିକୀୟ ଗଣତନ୍ତ୍ର ଶାସନକୁ ଗୁରୁତ୍ବ ଦେଉନାହାନ୍ତି। ସେ ଦେଶରେ ୧୯୯୫ରେ ଶହକେ ୭ଜଣ ଲୋକ ସାମରିକ ଶାସନକୁ ପସନ୍ଦ କରୁଥିବାବେଳେ ୨୦୧୭ବେଳକୁ ଏହି ସଂଖ୍ୟା ବଢ଼ି ୧୮ରେ ପହଞ୍ଚିଗଲାଣି। ଗଲା ବାରବର୍ଷ ଧରି ପୃଥିବୀରେ ସାମାଜିକ ଓ ରାଜନୈତିକ ଅଧିକାରର ଗୁରୁତ୍ବ ହ୍ରାସ ପାଇବାରେ ଲାଗିଛି। ୨୦୧୭ର ହିସାବରେ ୭୧ଟି ଦେଶରେ ଏପରି ଘଟିଥିଲାବେଳେ ମାତ୍ର ୩୫ଟି ଦେଶରେ ଗଣତନ୍ତ୍ର ଲୋକଙ୍କର କିଛି ଉପକାର କରୁଛି ବୋଲି କୁହାଗଲା। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଆମେରିକାର ନେତୃତ୍ବରେ ପରିଚାଳିତ ଉଦାରବାଦୀ ଆନ୍ତର୍ଜାତିକ ଅନୁଷ୍ଠାନ(ଜାତିସଂଘ ସମେତ)ଗୁଡ଼ିକ କ୍ରମେ ଅପ୍ରାସଙ୍ଗିକ ହୋଇ ପଡ଼ୁଛନ୍ତି। ପ୍ରେସିଡେଣ୍ଟ ଟ୍ରମ୍ପ ଏଗୁଡ଼ିକୁ କେବଳ ଅବଜ୍ଞା କରୁନାହାନ୍ତି, କେତେକ କ୍ଷେତ୍ରରେ ଆକ୍ରମଣ ମଧ୍ୟ କରୁଛନ୍ତି। ନେଟୋ ଓ ବିଶ୍ବବାଣିଜ୍ୟ ସଂଗଠନ ଭଳି ସଂଗଠନକୁ ସେ ଅକାମୀ କରିବାରେ ବ୍ୟସ୍ତ। ୨୦୧୮ରେ ଶତକଡ଼ା ମାତ୍ର ୧୩ଭାଗ ଲୋକ ପୃଥିବୀର ମୁକ୍ତ ଗଣମାଧ୍ୟମର ସୁଫଳ ପାଉଛନ୍ତି। ପ୍ରେସିଡେଣ୍ଟ ଟ୍ରମ୍ପଙ୍କ ସହିତ ମାର୍କିନ ଗଣମାଧ୍ୟମର ଘମାଘୋଟ ସଂଘର୍ଷ ଚାଲିଛି।
ବିଶ୍ବର ଅନେକ ଅଂଶରେ ଉଦାରବାଦ ଲୋକଙ୍କ ଅନାଦରର ଶିକାର ହେଉଛି। ଶାସନ ସହିତ ସହଯୋଗ କରୁନଥିବା ବା ଶାସକ ଆଦର୍ଶବାଦକୁ ବିରୋଧ କରୁଥିବା ଲୋକଙ୍କୁ ଦେଶଦ୍ରୋହୀ ଓ ଜାତିଦ୍ରୋହୀ ଭାବରେ ଚିତ୍ରିତ କରାଯାଉଛି। ଭିନ୍ନ ମତବାଦୀମାନେ ଯେ ବହୁ ସମୟରେ ସତ୍ୟର ମାର୍ଫତ୍‌ଦାର, ଏକଥାକୁ ସ୍ବୀକାର କରାଯାଉନାହିଁ। ଏହି ଦୃଷ୍ଟିରୁ ଉଦାରବାଦର ପୁନରୁତ୍‌ଥାନ ପାଇଁ ହେଉଥିବା ଉଦ୍ୟମ କ୍ଷୀଣ ହେଲେ ମଧ୍ୟ ସ୍ବାଗତଯୋଗ୍ୟ। ଉଦାରବାଦର ଉପଯୋଗିତା ସମ୍ପର୍କରେ ସନ୍ଦିଗ୍ଧ ପାଶ୍ଚାତ୍ୟ ଭୋଟରମାନଙ୍କ ମନରୁ ସଂଶୟଭାବ ଦୂର କରିବାକୁ ଯେଉଁ ଉଦ୍ୟମ ହେଉଛି ସେଥିରେ ଭାରତ ମଧ୍ୟ ସାମିଲ ହେବା ଉଚିତ। ଭାରତଭଳି ଦେଶରେ ସାଂପ୍ରଦାୟିକତା, ଜାତିବାଦ, ମୌଳବାଦ ଏବଂ ଜିଜ୍ଞାସା, ଜ୍ଞାନ ଓ ପରିବର୍ତ୍ତନ ପ୍ରତି ବିରୋଧୀ ମନୋଭାବ ଦୂର କରିବା ଦିଗରେ ଉଦାରବାଦୀମାନେ ଚେଷ୍ଟିତ ହେଲେ ଗଣତନ୍ତ୍ର ଶାସନ ଦୃଢ଼ ହୋଇପାରିବ। ବିଭିନ୍ନତା ଓ ବିବିଧତାର ପ୍ରସାର ଘଟି ଦେଶର ସଂହତି ଓ ପ୍ରଗତି ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିବ। ବିଶ୍ବରେ ଉଦାରବାଦର ଗୌରବକୁ ପୁନଃଉଦ୍‌ଭାବନ କରିବାକୁ ଚାଲିଥିବା ଉଦ୍ୟମରେ ଭାରତ ଭାଗୀଦାର ହୋଇପାରିଲେ ଆମଦେଶରେ ଗଣତନ୍ତ୍ର ସୁରକ୍ଷିତ ହୋଇ ରହିପାରିବ।

Leave A Reply