ଉପଲବ୍ଧିର ମହତ୍ତ୍ବ

0

ବହୁ ଉପାଦେୟ, ନୀତିଶିକ୍ଷାମୂଳକ କାହାଣୀ ସଂକଳିତ ହୋଇଥିବା ‘ପଞ୍ଚତନ୍ତ୍ର’ର ରଚୟିତା ବିଷ୍ଣୁଶର୍ମା। ବିଷ୍ଣୁଶର୍ମାଙ୍କର ଏକ ବିଶେଷ ଗୁଣ ଥିଲା ପିଲାମାନଙ୍କ ସହ ହସକୌତୁକ କରିବା, ସେମାନଙ୍କ ସହିତ ଖେଳିବାକୁ ଅତି ଭଲ ପାଉଥିଲେ। ଏକଦା ଏହିଭଳି କିଛି ପିଲାଙ୍କସହ ଖେଳୁଥିବାବେଳେ ତାଙ୍କର ଜଣେ ଘନିଷ୍ଠ ମିତ୍ର ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ଏଇଥିପାଇଁ ଯେ ଏତେ ଖ୍ୟାତନାମା ରଚୟିତା ହୋଇଥିଲା ବେଳେ ନିଜର ସ୍ବାତନ୍ତ୍ର୍ୟ ଭୁଲିଯାଇ ଛୋଟଛୋଟ ପିଲାଙ୍କସହ ଖେଳୁଛନ୍ତି। ନିଜର ଉତ୍କଣ୍ଠାକୁ ଚାପି ରଖି ନପାରି ମିତ୍ରଙ୍କୁ ପଚାରିଥିଲେ- ପଣ୍ଡିତ ମହାଶୟ! ଏହା ତ ଅତି ଲଜ୍ଜାର କଥା। ଆପଣ ଏତେ ବଡ଼ ଲେଖକ ହୋଇ ମଧ୍ୟ ଛୋଟ ପିଲାଙ୍କସହ ପିଲାଭଳି ହୋଇ ଖେଳୁଛନ୍ତି ଯେ ?
ଏହା ଶୁଣି ବିଷ୍ଣୁଶର୍ମା କହିଥିଲେ- ବନ୍ଧୁ! ଏଥିରେ ଲଜ୍ଜା ବା ଅନୁଶୋଚନାର କାରଣ କ’ଣ ଅଛି? ସେମାନଙ୍କସହ ଖେଳିବା ଦ୍ବାରା ମନର ସବୁ ଦୁଃଖ, ଅବସାଦ, ଗ୍ଲାନି ଦୂର ହୋଇଯାଏ, ମସ୍ତିଷ୍କ ଥଣ୍ଡାରହେ, ମନ ପ୍ରଫୁଲ୍ଳ ରହିଥାଏ। ମିତ୍ର ଏହା ଶୁଣି କହିଥିଲେ ଆପଣ ଜଣେ ସାରସ୍ବତ ସାଧକ। ସେମାନଙ୍କ ସହ ଖେଳିବାରେ ଯେଉଁ ସମୟ ନଷ୍ଟ କରୁଛନ୍ତି ଯଦି ସେହି ସମୟ ସାରସ୍ବତ ସାଧନାରେ ବିନିଯୋଗ କରିଥାନ୍ତେ ତେବେ ଅନେକକିଛି ଉତ୍କୃଷ୍ଟ ରଚନା କରିବାରେ ସକ୍ଷମ ହୋଇପାରିଥାନ୍ତେ ଯାହା ସମାଜର ହିତସାଧନ କରନ୍ତା।
ବିଷ୍ଣୁଶର୍ମା ଏହା ଶୁଣି ମିତ୍ରଙ୍କୁ କହିଥିଲେ- ତୁମେ ତ ଲେଖକ ନୁହଁ, ତେଣୁ ଲେଖକଙ୍କ ମନସ୍ତତ୍ତ୍ବ ବିଷୟରେ ଜାଣିବ କିପରି? ପିଲାଙ୍କସହ ମିଶି ଖେଳିବା ଦ୍ବାରା ସେମାନଙ୍କର ହାବଭାବ, ପ୍ରକୃତି, ବ୍ୟବହାର, ଚଳଣି ସମ୍ପର୍କରେ ମୁଁ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରିବା ଅବସର ପାଉଛି। ଏହି ଉପଲବ୍ଧି ମୋର ସାରସ୍ବତ ସାଧନାକୁ ଖୋରାକ୍‌ ଯୋଗାଉଛି। ସେମାନଙ୍କ ଚଳଣି, ଅଭ୍ୟାସ ସମ୍ପର୍କରେ ଅବଗତ ନ ଥାଇ ମୁଁ କିପରି ବା ସେମାନଙ୍କ ସମ୍ପର୍କରେ ଲେଖିପାରିବି? ଏବେ ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦିଅନ୍ତୁ। ଆପଣଙ୍କୁ ଭୀଷଣ ଭୋକ ହେଉଛି। ଖାଦ୍ୟ ପ୍ରସ୍ତୁତି ନିମନ୍ତେ ଘରେ କେହି ନାହାନ୍ତି। ଆପଣ ରୋଷେଇ ଜାଣି ନଥିଲେ ଖାଦ୍ୟ ପ୍ରସ୍ତୁତ କରିପାରିବେ କି?
ବିଷ୍ଣୁଶର୍ମାଙ୍କ ଏଭଳି ଉକ୍ତିର ଯଥାର୍ଥତା ସମ୍ପର୍କରେ ମିତ୍ର ବୁଝିପାରି କହିଥିଲେ ଆପଣ ଠିକ୍‌ କହିଛନ୍ତି। ପିଲାଙ୍କ ସମ୍ପର୍କରେ କିଛି ଜାଣିବାକୁ ହେଲେ ସେମାନଙ୍କ ସମ୍ପର୍କରେ ଜ୍ଞାନ ଆହରଣ ଜରୁରୀ ଓ ଏହି ଜ୍ଞାନ ଆହରଣ କେବଳ ଉପଲବ୍ଧି ମାଧ୍ୟମରେ ହିଁ ସମ୍ଭବ। ମିତ୍ର ଏହାକହି ନିଜ ବାଟରେ ଚାଲିଯାଇଥିଲେ ଓ ବିଷ୍ଣୁଶର୍ମା ପୂର୍ବଭଳି ପିଲାଙ୍କ ସହ ଖେଳିବାରେ ମଜ୍ଜି ଯାଇଥିଲେ।

Comments
Loading...