କେତେ ଅବହେଳିତ ସାଧାରଣବର୍ଗ

0

ଦେବ ରଞ୍ଜନ

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଓଡିଶାରେ ପ୍ରାୟ ୨୦ ଲକ୍ଷ ବୃଦ୍ଧାବୃଦ୍ଧ ସାମାଜିକ ସୁରକ୍ଷା ଯୋଜନାରେ ମାସକୁ ୩୦୦ ଟଙ୍କା ପେନସନ ପାଇଥାନ୍ତି । ସେଥିମଧ୍ୟରୁ କେହିକେହି ୮୦ ବର୍ଷରୁ ଅଧିକ ହୋଇଥିଲେ କାଁ ଭାଁ କେଉଁଠି ୫୦୦ ଟଙ୍କା ପାଇବା ଲାଗି ସମର୍ଥ ହୁଅନ୍ତି । ଯଦି ଏହି ୨୦ ଲକ୍ଷ ବୃଦ୍ଧାବୃଦ୍ଧ ମିଳିତ ଭାବରେ ଘୋଷଣା କରନ୍ତି ଯେ ସେମାନେ ଓଡିଶା ଛାଡି ଅନ୍ୟ ରାଜ୍ୟକୁ ଚାଲିଯିବେ ତା’ପରେ ଯାଇ କ’ଣ ଆମ ରାଜ୍ୟ ସରକାର ନିଜର ତତ୍ପରତା ଦେଖାଇବେ ନା ତାହା ମଧ୍ୟ ହେବ ନାହିଁ ? ତଥ୍ୟ କହେ, ୨୦୦୮ରୁ ୨୦୧୮, ଏହି ଦଶ ବର୍ଷ ମଧ୍ୟରେ ଓଡିଶା ବିଧାନସଭାର ସଦସ୍ୟମାନେ ନିଜର ଦରମା ଦୁଇ ଥର ବୃଦ୍ଧି କରିସାରିଛନ୍ତି। ୨୦୦୮ରେ ଯେଉଁଠି ବିଧାନସଭା ସଦସ୍ୟମାନେ ମାସକୁ ୨୧୯୬୦ ଟଙ୍କା ପାଉଥିଲେ ସେଥିରେ ପାଞ୍ଚ ଗୁଣ ବୃଦ୍ଧି ଘଟାଇ ୨୦୧୮ରେ ମାସକୁ ଏକ ଲକ୍ଷ ଟଙ୍କାରେ ପହଞ୍ଚାଇ ସାରିଲେଣି । ସେହିଭଳି ଗଲା ଦଶ ବର୍ଷ ମଧ୍ୟରେ ଷଷ୍ଠ ଓ ସପ୍ତମ ବେତନ କମିସନ ଲାଗୁ ହୋଇ ଅଫିସରଙ୍କ ଦରମା ଅନ୍ୟୂନ ଚାରିଗୁଣ ବୃଦ୍ଧି ଘଟି ସାରିଲାଣି। ଅର୍ଥନୈତିକ ସର୍ଭେର ତଥ୍ୟ ଅନୁସାରେ ୨୦୦୮ଠାରୁ ଦରଦାମ ବା ମୁଦ୍ରାସ୍ଫୀତି ୫.୫ ରୁ ୬% ହାରରେ ବୃଦ୍ଧି ଘଟି ୨୦୧୮ବେଳକୁ ଶହେ ଟଙ୍କାର ଜିନିଷଟି ଅନ୍ୟୁନ ୧୮୦ ଟଙ୍କାରେ ଉପଲବ୍ଧ ହେଲାଣି। ଅଥଚ ଗଲା ଦଶ ବର୍ଷ ତଳେ ବାର୍ଦ୍ଧକ୍ୟ ଭତ୍ତା ମାସକୁ ଯେଉଁ ୩୦୦ ଟଙ୍କା ଥିଲା ୨୦୧୮ ମସିହାରେ ସେହି ୩୦୦ ଟଙ୍କାରେ ଅଛି । ନା ବିଧାନସଭାରେ ଏହାର ଗୁରୁତ୍ବ ଉପଲବ୍ଧି ହେଉଛି ନା ସଚିବାଳୟରେ। ଏହାକୁ ଆମେ ଏକ ଆଦର୍ଶ କହିବା ନା ସଂପୂର୍ଣ୍ଣ ଅମାନବୀୟତା? ଏଠାରେ ସୂଚିତ କରୁଛୁ ଯେ ପଡୋଶୀ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗନାରେ ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ମାସିକ ୧୦୦୦ ଟଙ୍କା ଓ ଭିନ୍ନକ୍ଷମ ଭତ୍ତା ୧୫୦୦ ଟଙ୍କା, ପଶ୍ଚିମବଙ୍ଗରେ ସମସ୍ତ ଭତ୍ତା ମାସିକ ୭୫୦ ଟଙ୍କା, ହରିୟାଣାରେ ମାସିକ ୧୨୦୦ ଟଙ୍କା, କର୍ଣ୍ଣାଟକ, ତାମିଲନାଡୁ ଓ କେରଳରେ ୧୦୦୦ ଟଙ୍କା, ଦିଲ୍ଲୀରେ ଏହା ମାସକୁ ୨୦୦୦ ଟଙ୍କା ଇତ୍ୟାଦି ଥିଲାବେଳେ ଓଡିଶାରେ ଗଲା ଦଶ ବର୍ଷ ହେଲା ଏହି ପେନସନ ୩୦୦ ଟଙ୍କା ମଧ୍ୟରେ ସୀମିତ ରହିଛି ।
ହୁଏତ ରାଜ୍ୟର ବୃଦ୍ଧାବୃଦ୍ଧମାନେ ମିଳିତ ଭାବରେ ରାଜ୍ୟ ଛାଡି ନପାରନ୍ତି, ମାତ୍ର ଏ ରାଜ୍ୟର ଯୁବବର୍ଗ କ୍ରମାଗତ ଭାବରେ ଅଧିକ ସଂଖ୍ୟାରେ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ଲାଗି ଚାଲିଯାଉଛନ୍ତି। କେବଳ ଉପକୂଳ ଜିଲା ନୁହେଁ କି ପାହାଡିଆ ଜିଲା ନୁହେଁ, ଅଧିକାଂଶ ଗାଁଗୁଡିକରେ ଯୁବ ମଡକ ପଡିବା ସାରା ରାଜ୍ୟର ସମସ୍ୟା ପାଲଟିଲାଣି । ଅର୍ଥନୈତିକ ସର୍ଭେ ୨୦୧୭-୧୮ ଅନୁସାରେ ୫୧.୩% ପ୍ରତିଶତ ଜନସଂଖ୍ୟା, ଅର୍ଥାତ ୨ କୋଟି ୨୩ ଲକ୍ଷ ଲୋକ ଶ୍ରମିକରେ ପରିଣତ ହୋଇଛନ୍ତି । ରାଜ୍ୟରେ ମାତ୍ର ୫ ଲକ୍ଷ ୩ ହଜାର ଲୋକ ସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି । ଏହି ରିପୋର୍ଟ ପୁଣି କୁହେ ଯେ ୨୧.୫୩ ଲକ୍ଷ ଲୋକ ମହାତ୍ମା ଗାନ୍ଧୀ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ଅଣକୁଶଳୀ ଶ୍ରମିକ ଲାଗି ଜବ୍‌ କାର୍ଡ ପାଇଛନ୍ତି ଓ ସେଥିରୁ ମାତ୍ର ୨୧, ୨୯୯ ପରିବାର ୧୦୦ ଦିନର କାମ ପାଇଛନ୍ତି ଯାହାକି ଏହି ଗ୍ରାମୀଣ ଯୋଜନାର ଦୟନୀୟତା ପ୍ରକାଶ କରୁଛି। ଆଜି କାମ ଅଭାବରୁ ଏହି ହେତୁ ବାକି ଲୋକ ଦାଦନ ଯାଇଛନ୍ତି, ନଚେତ ଅତ୍ୟନ୍ତ କମ ମଜୁରିରେ କେଉଁ ଏକ ଅସଂଗଠିତ କ୍ଷେତ୍ରରେ ଶୋଷିତ ହେଉଛନ୍ତି ଯାହା ସମ୍ପର୍କରେ ସର୍ଭେ ରିପୋର୍ଟ ନୀରବ ।
ସତ କଥା ହେଲା ଯେ ଓଡିଶାରେ ସର୍ବନିମ୍ନ ମଜୁରି ପଡୋଶୀ ରାଜ୍ୟ ତୁଳନାରେ ଯଥେଷ୍ଟ କମ । ଏହାର ଦ୍ବିତୀୟ ସତ୍ୟ ହେଲା ଯେ କୌଣସି ବୃହତ କମ୍ପାନି କହିପାରିବ ନାହିଁ ଯେ ସେମାନେ ଠିକା ଶ୍ରମିକ ନିଯୁକ୍ତ କରୁନାହାନ୍ତି । ସରକାର ଓ ରାଜ୍ୟର ଘରୋଇ ତଥା ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ମଧ୍ୟରେ ଥିବା ଗୋପନ ବୁଝାମଣାର ଅନ୍ୟ ଏକ ଉଦାହରଣ ହେଉଛି ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ। ସରକାରଙ୍କର ଅଣକୁଶଳୀ ଶ୍ରମିକଙ୍କ ପାଇଁ ସ୍ଥିରୀକୃତ ମଜୁରି ଏହି ବୃହତ କମ୍ପାନୀମାନେ ଉତ୍ପାଦନ ଓ ଖଣିରେ କାମ କରୁଥିବା କୁଶଳୀ ଶ୍ରମିକର ସ୍ଥାନରେ ନିଯୁକ୍ତ ଶ୍ରମିକମାନଙ୍କୁ ଦେଇଥାନ୍ତି, ତେଣୁ ସରକାରୀ ମଜୁରି ଯେତେ କମ ରହିବ କମ୍ପାନୀମାନଙ୍କ ଲାଭ ସେତେ ଅଧିକ। ଏହାର ଅନ୍ୟ ଏକ କାରଣ ହେଲା ଅତ୍ୟନ୍ତ ଦୁର୍ନୀତିଗ୍ରସ୍ତ ରାଜ୍ୟ ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ଯାହାହେତୁ ସୂଚନା ଥିବା ସତ୍ବେ କୁଶଳୀ ଶ୍ରମିକ ଅଣକୁଶଳୀ ଶ୍ରମିକର ମଜୁରି ପାଇଥାଏ ଓ ଶ୍ରମ ଅଧିକାରୀ ନୀରବ ରହନ୍ତି । ତେବେ ଓଡିଶା ରାଜ୍ୟର ସର୍ବନିମ୍ନ ମଜୁରି ଅନ୍ୟ ପଡୋଶୀ ରାଜ୍ୟ ତୁଳନାରେ କମ ରହିବା ଓ ବହୁତ ଡେରିରେ, ଅର୍ଥାତ ୩ ରୁ ୪ ବର୍ଷ ମଧ୍ୟରେ ମଜୁରି ବୃଦ୍ଧି ଘଟିବା କମ୍ପାନୀମାନଙ୍କୁ ସାହାଯ୍ୟ କରେ, ମାତ୍ର ଯୁବବର୍ଗ ଅନ୍ୟ ରାଜ୍ୟକୁ ଦାଦନ ଯାଇଥାନ୍ତି । ଯେଉଁଠି ସରକାରୀ କର୍ମଚାରୀଙ୍କର ପ୍ରତି ଛଅ ମାସରେ ମହଙ୍ଗା ଭତ୍ତା ବୃଦ୍ଧି ଘଟିଥାଏ ଓ ତାହା ହେବା ମଧ୍ୟ ସେଠାରେ ଅନ୍ୟୂନ ୨ କୋଟି ଲୋକଙ୍କ ଅଧିକାରକୁ ସରକାର ଛଡାଇ ନେଉଛନ୍ତି।
ଗଲା ୨୦୧୫ ମସିହା ମେ’ ମାସରେ ରାଜ୍ୟ ସରକାର ସର୍ବନିମ୍ନ ମଜୁରି ୨୧୦ ଟଙ୍କା ସ୍ଥିର କରିଥିଲେ (ଏହା ପୂର୍ବରୁ ୨୦୧୧ ମସିହାରେ ବୃଦ୍ଧି ଘଟିଥିଲା) ଓ ତିନି ବର୍ଷରୁ ଅଧିକ ସମୟରେ ପରେ ମାତ୍ର ୧୪ ଟଙ୍କା ବୃଦ୍ଧି ଘଟାଇ ଏହାକୁ ୨୨୪ ଟଙ୍କା କଲେ, ଅଥଚ ଖାଦ୍ୟ, ଗୃହ, ପେଟ୍ରୋଲ ତଥା ବସ୍ତ୍ରର ଦରଦାମ ବର୍ଷକୁ ୬.୬୭ % ହାରରେ ଗଲା ଚାରି ବର୍ଷ ମଧ୍ୟରେ ପ୍ରାୟ ୨୫% ବୃଦ୍ଧି ଘଟିଛି । ଏହା ଶ୍ରମିକକୁ ଗରିବରୁ ଅଧିକ ଗରିବ କରୁନାହିଁ କି? କେବଳ ଏଇଥି ପାଇଁ ଆଜି ଓଡିଶାର ଶ୍ରମିକଙ୍କ ଲାଗି କେରଳ (ସର୍ବନିମ୍ନ ଦୈନିକ ୬୦୦ ଟଙ୍କା), କର୍ଣ୍ଣାଟକ (ଦୈନିକ ୪୭୧ ଟଙ୍କା), ଆନ୍ଧ୍ର ପ୍ରଦେଶ (ସର୍ବନିମ୍ନ ମାସକୁ ୮୪୧୧ ଟଙ୍କା) ଓ ଦିଲ୍ଲୀ (ମାସକୁ ସର୍ବନିମ୍ନ ୧୩୫୮୪ ଟଙ୍କା) ସେମାନଙ୍କ ଲକ୍ଷ୍ୟ ପାଲଟି ଯାଇଛି ଓ ଏହା ବିନା ଅନ୍ୟ କୌଣସି ରାସ୍ତା ନାହିଁ। ଏଠାରେ କାମ କରୁଥିବା ବାକି ଶ୍ରମିକ ବର୍ଗ ଯେଉଁମାନେ କି ଆଜି ଧାନ ମିଲ, ଯାନବାହନ ଚାଳକ, ନିର୍ମାଣ ଶିଳ୍ପ, ଖଣି, ଷ୍ଟିଲ ଓ ଆଲୁମିନା ପ୍ଳାଣ୍ଟ, ସିକ୍ୟୁରିଟି ଓ କୋରିୟର ସଂସ୍ଥା ତଥା ହୋଟେଲରେ କାମ କରୁଛନ୍ତି ସେମାନେ କ୍ରମଶଃ ଦରିଦ୍ର ହେବାରେ ଲାଗିଛନ୍ତି । ବିଭିନ୍ନ ପରିସଂଖ୍ୟାନ ଓ ଗବେଷଣାରୁ ଏକଥା ସ୍ପଷ୍ଟ ହୋଇଛି ଯେ ସର୍ବନିମ୍ନ ମଜୁରି ଅଧିକ ହେବା ଗୋଟେ ରାଜ୍ୟର ଦାରିଦ୍ର୍ୟକୁ ପ୍ରାୟ ୭%ରୁ ୧୦% ପର୍ଯ୍ୟନ୍ତ ସିଧାସଳଖ କମାଇଥାଏ। ଆଜି ଓଡିଶାରେ ଅତ୍ୟଧିକ ମଜୁରି ଠକେଇ ରାଜ୍ୟବାସୀଙ୍କୁ କ୍ରମଶଃ ଗରିବ କରୁଛି।
ବର୍ତ୍ତମାନ ଆଇସିଡ଼ିଏସ ପ୍ରୋଜେକ୍ଟରେ ରାଜ୍ୟରେ ପ୍ରାୟ ଏକ ଲକ୍ଷରୁ ଅଧିକ ଅଙ୍ଗନବାଡି ଶ୍ରମିକ ଠିକାରେ କାମ କରୁଛନ୍ତି । ଅର୍ଥାତ ଓଡିଶାର ଜନସଂଖ୍ୟାର ଅନ୍ୟୂନ ୫ ଲକ୍ଷ ଲୋକ ସେମାନଙ୍କ ମଜୁରି ଉପରେ ନିର୍ଭରଶୀଳ। ସେମାନଙ୍କ ଉପରେ ଯଥେଷ୍ଟ ଦାୟିତ୍ବ । ଅଥଚ ଓଡିଶାରେ ରାଜ୍ୟ ଶିଶୁ ଓ ମହିଳା କଲ୍ୟାଣ ବିଭାଗ ଅଧୀନରେ ଥିବା ଏହି ଏକ ଲକ୍ଷ ଅଙ୍ଗନବାଡି କର୍ମୀଙ୍କ ମାସିକ ଦରମା ହେଲା ୬୦୦୦ ଟଙ୍କା ଯାହା ରାଜ୍ୟର ଅଣକୁଶଳୀ ଶ୍ରମିକର ସର୍ବନିମ୍ନ ମଜୁରି ଦୈନିକ ୨୨୪ ଟଙ୍କା (ମାସକୁ ୬୭୨୦ ଟଙ୍କା ହେଉଛି) ଠାରୁ ମଧ୍ୟ ଯଥେଷ୍ଟ କମ। ଜଣେ ମାଟ୍ରିକ ପାସ କରିଥିବା ମହିଳା ଅଙ୍ଗନବାଡି କର୍ମୀ ଜଣେ ଅଣକୁଶଳୀ ଶ୍ରମିକର ସର୍ବନିମ୍ନ ମଜୁରି ପାଇବାଠାରୁ ମଧ୍ୟ ବଞ୍ଚିତ । ଆଜି ରାଜ୍ୟର ଶିଶୁ ମୃତ୍ୟୁ ହାର, ମାତୃ ମୃତ୍ୟୁ ହାର ଓ ଶିକ୍ଷା ହାରରେ ଉନ୍ନତି ଆଣିବା ପାଇଁ ଏ ରାଜ୍ୟର ୪ କୋଟି ୩୭ ଲକ୍ଷ ଲୋକ ସେହିମାନଙ୍କ ଉପରେ ନିର୍ଭରଶୀଳ । ପୁଣି ଅଙ୍ଗନବାଡି କର୍ମୀମାନେ ଅନ୍ୟରାଜ୍ୟରେ ଉନ୍ନତ ସ୍ଥିତିରେ ଥିଲେ ମଧ୍ୟ ଓଡିଶାରେ ଦୟନୀୟ ସ୍ଥିତିରେ କାମ କରୁଛନ୍ତି । କେରଳରେ ଅଙ୍ଗନବାଡି କର୍ମୀ ମାସକୁ ୧୦,୦୦୦ ଟଙ୍କା ଓ ଅନ୍ୟାନ୍ୟ ସରକାରୀ ସୁବିଧା ପାଉଛନ୍ତି। ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରେ ମାସକୁ ୧୦,୦୦୦ ଟଙ୍କା ପାଉଛନ୍ତି। ତାମିଲନାଡ଼ୁ ଓ ପଣ୍ଡିଚେରୀରେ ସେମାନଙ୍କ ଚାକିରି ସ୍ଥାୟୀ ହୋଇଛି। ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ପର୍ବକାଳୀନ ଆଲାଉନ୍ସ ଦିଆଯାଉଛି। ତାମିଲନାଡୁରେ ଅବସର ସମୟରେ ଏକକାଳୀନ ଭତ୍ତା ଦିଆଯାଉଛି। ଛତିଶଗଡରେ ୧୫ ଦିନିଆ ଗ୍ରୀଷ୍ମ ଛୁଟି ମିଳୁଛି ଇତ୍ୟାଦି। ମାତ୍ର ଓଡିଶାରେ ଏ ସବୁ ସୁବିଧା ନାହିଁ ।
ଓଡିଶା ଉତ୍ପାଦନ ସୂଚୀରେ ଅନ୍ୟ ରାଜ୍ୟ ତୁଳନାରେ ଉନ୍ନତ ସ୍ଥିତିରେ ଥିଲା ବେଳେ (ଜିଡିପି ଅଭିବୃଦ୍ଧି ସୂଚକାଙ୍କ ୧୬ତମ ସ୍ଥାନ)ଦାରିଦ୍ର୍ୟ ସୂଚୀରେ ଅତି ନିମ୍ନରେ ରହିଆସିଛି । ଯେଉଁଠି ଏକ ରାଜ୍ୟରେ ଅନ୍ୟୂନ ୪ କୋଟି ଲୋକ ପ୍ରତି ଦିନ ପ୍ରତି ମୁହୂର୍ତ୍ତରେ ଏକ ଲୁକ୍କାୟିତ ବ୍ୟବସ୍ଥାରେ ଶୋଷିତ ହେବାସହ ନିଜ ଅଧିକାରରୁ ବଞ୍ଚିତ ହୋଇ ଚାଲିଛନ୍ତି ସେଠାରେ ଏକ ରାଜ୍ୟକୁ ଆମେ ସ୍ବଚ୍ଛଳ ଭାବରେ ଦେଖିବା କିପରି ? ଯେଉଁଠି ବୃଦ୍ଧବୃଦ୍ଧାମାନେ ଉପଯୁକ୍ତ ପେନସନ ପାଇବାରୁ ବଞ୍ଚିତ ଓ ୨ କୋଟିରୁ ଅଧିକ ଲୋକ ଅସଂଗଠିତ କ୍ଷେତ୍ରରେ ନିଜର ଉପଯୁକ୍ତ ମଜୁରି ଓ ସର୍ବନିମ୍ନ ସୁରକ୍ଷାରୁ ବଞ୍ଚିତ ତଥା ଅଙ୍ଗନୱାଡ଼ି ଶ୍ରମିକ, ଶିକ୍ଷା କର୍ମୀ, ଗାଁ ସାଥୀ ଓ ସ୍ୱାସ୍ଥ୍ୟ କର୍ମୀ ଇତ୍ୟାଦି ଲକ୍ଷଲକ୍ଷ ରାଜ୍ୟବାସୀ ରାଜ୍ୟ ସରକାରଙ୍କ ଦ୍ବାରା ସର୍ବନିମ୍ନ ମଜୁରି ପାଇବାର ଅଧିକାରରୁ ବଞ୍ଚିତ ସେଠାରେ ଆମେ ଦରିଦ୍ର ହେବା ନାହିଁ କି? ରାଜ୍ୟ ସରକାର ‘ମେକ୍‌ ଇନ ଓଡିଶା’ ନାମରେ ଏବେ ପୁଞ୍ଜି ଲଗାଣ ପାଇଁ ଚେଷ୍ଟା କରୁଛନ୍ତି , ଦାରିଦ୍ର୍ୟ ଓ ବେକାରୀ ଏହା ପଛରେ କାରଣ ବୋଲି କହିଥାଇପାରନ୍ତି। ଓଡ଼ିଶାକୁ ଆସିବା ଲାଗି କମ୍ପାନୀମାନେ ଆଗ୍ରହୀ ମଧ୍ୟ ହୋଇପାରନ୍ତି। ଏଥିରେ ପ୍ରାକୃତିକ ସମ୍ପଦର ଲୁଟ ହେବା ସାର ହେବ; ମାତ୍ର ତାହା ଦାରିଦ୍ର୍ୟ ଦୂର କରିବ ନାହିଁ। ଯଦି ସାଧାରଣ ବର୍ଗର ଜୀବନରେ ଉନ୍ନତି ଆଣିବା ଲାଗି ସମସ୍ତଙ୍କ ମିଳିତ ପ୍ରୟାସ ନହୁଏ ତେବେ ରାଜ୍ୟ ସେହିଭଳି ଏକ ଗରିବ ରାଜ୍ୟ ଭାବରେ ଗଣା ଚାଲିଥିବ।

Comments
Loading...