ସମନ୍ବିତ ନାଗରିକ ସଂହିତାର ଆବଶ୍ୟକତା

0

ଅନନ୍ତ ଚରଣ ସାହୁ

ସମନ୍ବିତ ନାଗରିକ ସଂହିତା (ୟୁନିଫର୍ମ ସିଭିଲ୍‌ କୋଡ଼) କହିଲେ ଆମେ ସାଧାରଣତଃ ବୁଝିଥାଉ ଯେ ଭାରତର ବିଭିନ୍ନ ଧର୍ମ-ସଂପ୍ରଦାୟ ମଧ୍ୟରେ ଥିବା ସେମାନଙ୍କର ଗୋଷ୍ଠୀଗତ ବା ବ୍ୟକ୍ତିଗତ ଆଇନ ପରିବର୍ତ୍ତେ କୌଣସି ଧର୍ମ ନିର୍ବିଶେଷରେ ସମଗ୍ର ଭାରତୀୟ ନାଗରିକଙ୍କ ପାଇଁ ଗୋଟିଏ ପ୍ରକାରର ନାଗରିକ ଆଇନ୍‌ ସଂହିତାର ପ୍ରଚଳନ।
ସମ୍ବିଧାନ ନିର୍ମାତାଗଣ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୪୪ରେ ସ୍ପଷ୍ଟରୂପେ ଉଲ୍ଳେଖ କରଅଛନ୍ତି ଯେ ଭାରତୀୟ ନାଗରିକଙ୍କ ପାଇଁ ଏକ ସମନ୍ବିତ ନାଗରିକ ସଂହିତା ପ୍ରଣୟନ ଆବଶ୍ୟକ। ସମ୍ବିଧାନର ନୀତି ନିର୍ଦେଶକ ତତ୍ତ୍ବରେ ମଧ୍ୟ ଏହାର ଉପଲବ୍ଧି ପାଇଁ ପରୋକ୍ଷ ସଂକେତ ଦିଆଯାଇଛି। ପ୍ରାକ୍‌-ସ୍ବାଧୀନତା କାଳରେ ବ୍ରିଟିଶ ଶାସିତ ଭାରତର ବହୁଧର୍ମୀ ସମାଜରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ ଓ ପାରସୀ ପ୍ରଭୃତି ମୁଖ୍ୟ ଧର୍ମାବଲମ୍ବୀମାନଙ୍କର ବ୍ୟକ୍ତିଗତ ଆଇନସମୂହ, ଯଥା- ହିନ୍ଦୁ ଆଇନ, ମୁସଲିମ୍‌ ଆଇନ ଓ ଖ୍ରୀଷ୍ଟିୟାନ୍‌ ଆଇନ୍‌ ପ୍ରଭୃତି ପ୍ରମୁଖ ଧାର୍ମିକ ଆଇନ୍‌ଗୁଡ଼ିକ ବଳବତ୍ତର ରହିିଥିଲା। ସଂପୃକ୍ତ ଧର୍ମ ସମ୍ପ୍ରଦାୟଗୁଡ଼ିକ ବୈବାହିକ, ବିବାହ ବିଚ୍ଛେଦ, ସମ୍ପତ୍ତି- ଉତ୍ତରାଧିକାରୀ, ​‌େ​‌ପାଷ୍ୟ-ସନ୍ତାନ ଗ୍ରହଣ ସମ୍ପର୍କିତ ନାନାବିଧ ଆଇନଦ୍ବାରା ପରିଚାଳିତ ହେଉଥିଲେ। ଏହି ଆଇନଗୁଡ଼ିକ ମୁଖ୍ୟତଃ ବ୍ୟକ୍ତିଗତ ଓ ସାମାଜିକ, ଦୁଇପ୍ରକାର ଗୋଷ୍ଠୀରେ ବିଭକ୍ତ। ଉଦାହରଣ ସ୍ବରୂପ- ମୁସଲିମ୍‌ ପର୍ସନାଲ୍‌ ଲ, ଯାହାକି ମୁସଲମାନମାନଙ୍କ ସାରିଆ ଆଇନ୍‌ ଦ୍ବାରା ପରିଚାଳିତ, ତାହା ବଳରେ ମୁସଲ୍‌ମାନ ସଂପ୍ରଦାୟ ମଧ୍ୟରେ ବହୁ-ପତ୍ନୀ ଗ୍ରହଣ ‘ତିନି ତଲାକ’ ବିବାହ ବିଚ୍ଛେଦ ପ୍ରଭୃତି ଅନେକ ପ୍ରଥା ପ୍ରଚଳିତ ଥିଲା।’ ଦ୍ରୁତ ପରିବର୍ତ୍ତନଶୀଳ ସାମାଜିକ ଜୀବନଶୈଳୀର ପ୍ରବର୍ତ୍ତନ ଓ ଆନ୍ତର୍ଜାତିକ ସ୍ତରରେ ପ୍ରଗତିଶୀଳ ଜୀବନଧାରା ଅନୁସୃତ ହେବା ଫଳରେ ଏଗୁଡ଼ିକ ଅସମୟୋଚିତ ହୋଇପଡ଼ିଅଛି।
ସମାଜର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଭାରତରେ ଅନୁସୃତ ବିଶେଷ ବୈବାହିକ ଆଇନ୍‌ ୧୯୫୪ ବଳରେ ବର୍ତ୍ତମାନ ଯେକୌଣସି ଧର୍ମାବଲମ୍ବୀ ଭାରତୀୟ ଅନ୍ତର୍ଜାତୀୟ ବିବାହ କ୍ଷେତ୍ରରେ ନିଜର ବ୍ୟକ୍ତିଗତ ଧାର୍ମିକ ଆଇନ୍‌ ପରିବର୍ତ୍ତେ କୋର୍ଟ କଚେରିରେ ପଞ୍ଜିକୃତ ବିବାହକୁ ଆଇନସମ୍ମତ ବିବାହ ରୂପେ ପ୍ରତିଷ୍ଠିତ କରିପାରୁଛି। ୧୯୫୫ରେ ଗୃହୀତ ହିନ୍ଦୁ ବୈବାହିକ ଆଇନ ଏ କ୍ଷେତ୍ରରେ ଏକ ବୈପ୍ଳବିକ ପଦକ୍ଷେପ। ସ୍ବାଧୀନତା ପରେ ନାଗରିକ ସଂହିତାର ସଂସ୍କାର ଦ୍ବାରା ଏକ ସମାନ ନାଗରିକ ସଂହିତା ପ୍ରତିଷ୍ଠା ଲକ୍ଷ୍ୟରେ ବହୁ ଆଇନ କମିସନ ଗଠିତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାର ଏ କ୍ଷେତ୍ରରେ ସଫଳ ହୋଇପାରି ନାହାନ୍ତି।
ତତ୍କାଳୀନ ଆଇନମନ୍ତ୍ରୀ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଦ୍ବାରା ୧୯୫୬ ମସିହାରେ ଭାରତୀୟ ପାର୍ଲିଆମେଣ୍ଟ ବହୁ ବିରୋଧ ସତ୍ତ୍ବେ ହିନ୍ଦୁ କୋଡ଼ ବିଲ୍‌ ଗୃହୀତ କରିଥିଲା। ଭୂତପୂର୍ବ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ବାରା ୧୯୫୫-୫୬ ମସିହାରେ ଗୃହୀତ ଏହି ବିଲ୍‌ରେ ହିନ୍ଦୁ ବୈବାହିକ, ଉତ୍ତରାଧିକାରିତ୍ବ, ମୁରବିତ୍ବ, ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କୀୟ କେତେଗୁଡ଼ିଏ ଆଇନର ଅବଲମ୍ବନ ପୂର୍ବକ ସମଷ୍ଟିଗତ ଭାବରେ ଯେଉଁ ହିନ୍ଦୁ କୋଡ୍‌ ବିଲ୍‌ ଗୃହୀତ ହୋଇଥିଲା, ତାହା ଫଳରେ ହିନ୍ଦୁମାନଙ୍କ ସାମାଜିକ, ଜୀବନର ଆଇନ୍‌ଗତ ସମନ୍ବୟ କିଛି ପରିମାଣରେ ଉପଲବ୍ଧ ​‌େ​‌ହାଇପାରିଛି।
ସ୍ବାଧୀନତା ପରବର୍ତ୍ତୀ ଯୁଗରେ ବିଂଶଶତାବ୍ଦୀର ଅନ୍ତିମ ଦଶକ ଓ ଏକବିଂଶ ଶତାବ୍ଦୀର ପ୍ରଥମ ଦଶକ ମଧ୍ୟରେ ନାରୀ ସ୍ବାଧୀନତା, ନାରୀ ସଶକ୍ତୀକରଣ ଓ ନାରୀ ପୁରୁଷ ମଧ୍ୟରେ ଆଇନ୍‌ ଦୃଷ୍ଟିରୁ ଭେଦବିଚାର ପରିହାର ସମ୍ପର୍କୀୟ ସଚେତନତା ସୃଷ୍ଟି ହେବା ଫଳରେ ଧର୍ମସମ୍ପ୍ରଦାୟ ନିର୍ବିଶେଷରେ ପ୍ରଗତିବାଦୀ ସମାଜ ସଂସ୍କାରକଗଣ, ନାରୀ ସଶକ୍ତୀକରଣ, ସାମାଜିକ, ରାଜନୈତିକ ଓ ଧାର୍ମିକ ସମାନତା ପାଇଁ ଯେଉଁ ସଂଗ୍ରାମ ଜାରି ରଖିଲେ ତାହା ଫଳରେ ନାରୀ-ପୁରୁଷ ବିଭେଦ ବ୍ୟତି​‌ରେକେ ଏକ ସମନ୍ବିତ ସମାଜଗଠନ ଅନିବାର୍ଯ୍ୟ ହୋଇପଡ଼ିଅଛି। ଏ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଯେ ହିନ୍ଦୁ ନାରୀମାନଙ୍କ ଜୀବନଯାପନ କ୍ଷେତ୍ରରେ କେତେକ ସଂସ୍କାରାତ୍ମକ ଆଇନ୍‌ ପ୍ରବର୍ତ୍ତିତ ହୋଇଥିଲେ ମଧ୍ୟ ଭାରତର ଅନ୍ୟ ଧାର୍ମିକ ସଂପ୍ରଦାୟ କ୍ଷେତ୍ରରେ ସେଭଳି କିଛି ଆଖି-ଦୃଶିଆ ଆଇନ ପ୍ରଣୟନ ହୋଇପାରିନାହିଁ।
ଆମ୍ବେଦକରଙ୍କ ଆଇନ ମନ୍ତ୍ରିତ୍ବ କାଳରେ (୧୯୪୭ରୁ ୧୯୫୧) ଭାରତରେ ସମନ୍ବିତ ନାଗରିକ ଆଇନ ପ୍ରବର୍ତ୍ତନ ପାଇଁ କେତେଗୁଡ଼ିଏ ପଦକ୍ଷେପ ଆରମ୍ଭ କରାଯାଇଥିଲେ ମଧ୍ୟ କଂଗ୍ରେସ ଦଳର ଡକ୍ଟର ରାଜେନ୍ଦ୍ର ପ୍ରସାଦ, ସର୍ଦାର ବଲ୍ଲଭଭାଇ ପଟେଲ, କହ୍ନାଇଲାଲ- ମାଣିକ-ଲାଲ ମୁନ୍‌ଷୀ ପ୍ରମୁଖ କେତେକ ଶୁଦ୍ଧାଚାରୀ ନେତାଙ୍କ ବିରୋଧ ଯୋଗୁଁ ନେହେରୁ ସରକାର ଏ ଦିଗରେ ବିଶେଷ ଆଗେଇ ପାରିନଥିଲେ। ହିନ୍ଦୁ କୋଡ ବିଲର ପ୍ରଣୟନ ଫଳରେ ହିନ୍ଦୁ ସମାଜ ମଧ୍ୟରେ ଯେଉଁ ନାଗରିକ ସଂସ୍କାର ପ୍ରବର୍ତ୍ତିତ ହୋଇଥିଲା ତାହା ଫଳରେ ପ୍ରଗତିଶୀଳ ମୁସଲମାନମାନେ କେତେକ ପରିମାଣରେ ଉତ୍ସାହିତ ହୋଇପଡ଼ିଥିଲେ। ଏହାର ଏକ ପ୍ରକୃଷ୍ଟ ଉଦାହରଣ ସାହାବାନୁ ମାମଲା ।
୧୯୮୫ର ସୁପ୍ରିମକୋର୍ଟ ଦ୍ବାରା ସାହାବାନୁ ମକଦ୍ଦମାର ରାୟକୁ ଅକାମୀ କରିବାପାଇଁ କଠୋରପନ୍ଥୀ ମୁସଲମାନଙ୍କ ତୀବ୍ର ବିରୋଧ ହେତୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବଗାନ୍ଧୀ ଭାରତୀୟ ପାର୍ଲାମେଣ୍ଟରେ ଏକ ପରିପନ୍ଥୀ ଆଇନ ପ୍ରଣୟନ କରି ସୁପ୍ରିମକୋର୍ଟଙ୍କ ରାୟକୁ ଅକାମୀ କରିଦେଇଥିଲେ। ଫଳରେ ସମାନ ନାଗରିକ ଆଇନ ପ୍ରଣୟନ ଦିଗରେ ଯେଉଁ ପ୍ରଚେଷ୍ଟା ଆରମ୍ଭ କରାଯାଇଥିଲା ତାହା ବିଫଳ ହୋଇଥିଲା। ଅଧୁନା ନରେନ୍ଦ୍ର ମୋଦୀଙ୍କ ସରକାର ‘ତିନିତଲାକ୍‌’ ବିରୋଧରେ ଯେଉଁ ଅଧ୍ୟାଦେଶ ଜାରି କରିଛନ୍ତି ତାହା ସପକ୍ଷରେ ଅଧିକାଂଶ ପ୍ରଗତିବାଦୀ ମୁସଲିମ୍‌ ନର-ନାରୀ ସମର୍ଥନ ଦେଉଥିଲେ ମଧ୍ୟ କେତେକ କଠୋରପନ୍ଥୀ ମୁସଲମାନ ଏହାର ବିରୋଧ କରି ବମ୍ବେ ହାଇକୋର୍ଟରେ ମକଦ୍ଦମା ଦାଏର କରିଅଛନ୍ତି।
ସମାନ ନାଗରିକ ସଂହିତା ଭାରତୀୟ ଧର୍ମ ସମାଜରେ ପ୍ରଚଳିତ ସମ୍ପ୍ରଦାୟ ମଧ୍ୟରେ ଧାର୍ମିକ-ବି​‌େ​‌ଦ୍ବଷ, ଅବା ଅବମାନନା ସୃଷ୍ଟି ନକରି ସମାଜରେ ସଂହତି, ସଙ୍ଗତି, ସମନ୍ବୟ, ସୃଷ୍ଟି କରିବାରେ ସହାୟକ ହେବା ଆଶା କରାଯାଏ
ପ୍ରାକ୍ତନ ଅଧ୍ୟକ୍ଷ, ରେଭେନ୍ସା କଲେଜ,
୫୬୯, ନେତାଜୀ ନଗର, ସେଲଟରଛକ, କଟକ

Leave A Reply