ଟୋକିଓ ୨୦୨୦ ଓ ଆମ କଥା

0

ଅବସର ବେଉରିଆ

କିଛିଦିନ ତଳେ ସୋସିଆଲ ମିଡିଆ, ହ୍ୱାଟ୍ସଆପ୍ ପ୍ରଭୃତିରେ “ଟୋକିଓ ୨୦୨୦” ବିଷୟ ବହୁଳ ଭାବେ ପ୍ରସାରିତ, ପ୍ରଚାରିତ ହୋଇଥିଲା। “ଟୋକିଓ ୨୦୨୦” ହେଉଛି ୨୦୨୦ରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ଅଲିମ୍ପିକ୍। ଯେଉଁ ଭିଡିଓଟି ପ୍ରସାରିତ ହେଉଛି ତାହା ଇଙ୍ଗିତ କରେ ଜାପାନର ଅଲିମ୍ପିକ୍ ପାଇଁ ପ୍ରସ୍ତୁତି ଏବଂ ତତ୍‌ସହିତ ଆଗାମୀ ଯୁଗର ସମ୍ଭାବ୍ୟ ଜୀବନଶୈଳୀ ଉପରେ ଗୋଟିଏ ଝଲକ୍। ଯାହା ଜଣାପଡୁଛି ଟୋକିଓ ଅଲିମ୍ପିକ୍ କ୍ରୀଡା ପ୍ରତିଯୋଗିତାର ପରିଚାଳନା ଶତ ପ୍ରତିଶତ ନବୀକରଣ ଶକ୍ତି (ରିନିୱବ୍ଲ ଏନର୍ଜି) ଦ୍ୱାରା ସମ୍ଭବ ହେବ। ସୌର ଓ ବାୟୁ ଶକ୍ତି ଷ୍ଟାଡିୟମ ଏବଂ ଖେଳାଳିଙ୍କ ପାଇଁ ନିର୍ମିତ ବାସସ୍ଥାନଗୁଡିକରେ ପ୍ରୟୋଗ କରାଯିବ। ସୌରଶକ୍ତି ଦ୍ୱାରା ରାସ୍ତାଘାଟ ମଧ୍ୟ ପ୍ରଚଳନ ହେବ। ପୁରୁଣା ଫୋନ୍‌କୁ ଉପଯୋଗ କରି ପ୍ରତିଦ୍ୱନ୍ଦ୍ବିତାରେ ବିଜୟୀଙ୍କ ପାଇଁ ମେଡାଲ ତିଆରି ହେବ। ପୁରୁଣା ଫୋନ୍‌ଗୁଡିକରେ କିଛି ମାତ୍ରାରେ ସୁନା, ରୁପା ଓ ତମ୍ବା ଥାଏ। ସେଥିରୁ ଧାତୁଗୁଡିକ ଉଦ୍ଧାର କରି ପ୍ରାୟ ପାଂଚଶହ ମେଡାଲ ତିଆରି କରିବାର ଯୋଜନା ରହିଛି। ୮୦୦୦୦ ଫୋନ୍ ଏବଂ ଅନ୍ୟାନ୍ୟ ଉପକରଣ ଲୋକେ ଏଥିପାଇଁ ଦାନ କରିସାରିଲେଣି ଏବଂ ସୂଚନା ଅନୁଯାୟୀ ଅଲିମ୍ପିକ୍‌ରେ ବ୍ୟବହୃତ ହେବାକୁ ଯାଉଥିବା ବିଭିନ୍ନ ଉପକରଣର ୯୯%ରେ ପରିବର୍ତ୍ତନ ଆଣି ଆଉଥରେ ବ୍ୟବହାର ସାପେକ୍ଷ (ରିସାଇକ୍ଲ) ଉପକରଣ ହୋଇପାରିବ।
ଅତିଥିଙ୍କ ପାଇଁ ଚାଳକବିହୀନ ଟ୍ୟାକ୍ସିର ବନ୍ଦୋବସ୍ତ କରାହେଉଛି ଯେଉଁଥିରେ ଯାତ୍ରୀମାନେ ନିଜ ସ୍ମାର୍ଟ​ ଫୋନ୍‌ ସାହାଯ୍ୟରେ ଗାଡ଼ିର ଦୁଆର ଖୋଲିପାରିବେ ଏବଂ ଟ୍ୟାକ୍ସି ଭଡା ମଧ୍ୟ ଦେଇପାରିବେ। ଏହି ନୂତନ ପରିକଳ୍ପନା ଏତେ ଲୋକପ୍ରିୟ ହୋଇଛି ଯେ ୧୫୦୦ ଲୋକ ଟେଷ୍ଟ ଡ୍ରାଇଭ୍ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।
ଯେଉଁ ସୌର ରାସ୍ତାଘାଟ ତିଆରି ହେବ, ସେଥିରେ ସୌର ପାନେଲଗୁଡିକ ରାସ୍ତାରେ ଖଂଜା ହେଲାବେଳେ ସେଗୁଡିକ ବିଶେଷ ପ୍ଳାଷ୍ଟିକ୍‌ରେ ବ୍ୟବହୃତ ହେଉଥିବା ଲାଖ ଭଳି ପଦାର୍ଥ ଦ୍ୱାରା ଆବୃତ କରାଯିବ । ଏହାଦ୍ୱାରା ଯାତାୟାତ କରୁଥିବା ଯାନ ସମୂହ ପାଇଁ ବିଶେଷ ଭାବେ ତିଆରି ହୋଇଥିବା ରାସ୍ତା ଉପରେ ଗାଡି ଚାଳନା ସମ୍ଭବ ହେବ।
ରୋବଟମାନେ ପର୍ଯ୍ୟଟକଙ୍କୁ ସାହାଯ୍ୟ କରିବା ସହ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କର ବ୍ୟାଗ୍ କିମ୍ବା ସୁଟକେସର ବୋଝ ନିଜ ଉପରେ ନେବେ। ରୋବଟମାନେ ମଧ୍ୟ ବିଦେଶୀ ଅତିଥିଙ୍କ ସୁବିଧା ପାଇଁ ଜାପାନୀ ଭାଷାର ଭାଷାନ୍ତର କରିବେ ଓ ସବୁ ଗୁରୁତ୍ୱପୂର୍ଣ୍ଣ ଛକ ଓ ଚିହ୍ନଟ ଜାଗାରେ ମୁତୟନ ହେବେ । ଜାପାନର ପ୍ରସ୍ତୁତି ଆଭାସ ଦେଉଛି ଜାପାନୀ ଜାତିର ନିଜର ସ୍ୱତନ୍ତ୍ର ପରିଚୟ ଦେବାର ଆଗ୍ରହ। ସେମାନଙ୍କର ଶୃଙ୍ଖଳା ଜ୍ଞାନ, ସ୍ୱାଭିମାନ, ଦେଶପ୍ରୀତି ବିଶ୍ୱବିଦିତ, କିନ୍ତୁ ନୂତନତ୍ୱକୁ ଗ୍ରହଣ କରିବା ଏବଂ ଐତିହ୍ୟକୁ ସମ୍ମାନ ଦେଇ ଆଧୁନିକତାକୁ ଆଦେରି ନେବା ଜାପାନୀ ଲୋକଙ୍କର ବିଶେଷତ୍ୱ।
ଏହି ପରିପ୍ରେକ୍ଷୀରେ ଆମେ ଯଦି ଓଡ଼ିଶା କଥା ଚିନ୍ତା କରିବା ତେବେ ନିରାଶ ହେବାକୁ ପଡ଼ିବ। ଭୁବନେଶ୍ୱର ସହରକୁ ଗୋଟିଏ ସ୍ମାର୍ଟ ସିଟି ହେବାର ଅନ୍ତର୍ନିହିତ ଶକ୍ତିକୁ ସ୍ୱୀକୃତି ମିଳିଲା ପରେ ଏବଂ ଅଜସ୍ର ଅର୍ଥ ଅନୁଦାନ ପ୍ରାପ୍ତି ପରେ ଏ ଦିଗରେ ବାସିନ୍ଦାଙ୍କ ଅନୁଭବ କଲାଭଳି କୌଣସି ଆଖିଦୃଶିଆା କାମ ଏ ପର୍ଯ୍ୟନ୍ତ ନଜରକୁ ଆସି ନାହିଁ। ଓଡ଼ିଶାରେ ​‌େ​‌କୗଣସି ପ୍ରକଳ୍ପ ବା ଯୋଜନା ଆରମ୍ଭ ହେଲେ ଗଣମାଧ୍ୟମରେ ତାହାର ବହୁଳ ଆର୍କଷଣୀୟ ବିଜ୍ଞାପନ ଦେଖିବାକୁ ମିଳେ। କାମଟି ଆଡ଼ମ୍ବରପୂର୍ଣ୍ଣ ସହ ଆରମ୍ଭ ହୁଏ। ପ୍ରଚାର ହୁଏ। ପରବର୍ତ୍ତୀ କାଳରେ ଲକ୍ଷ୍ୟଚ୍ୟୁତ ହୁଏ। ଉଦାହରଣ ସ୍ୱରୂପ ବହୁଚର୍ଚ୍ଚିତ ଜନପଥର ‘ରାହାଗିରି’- ଉଦ୍ଦେଶ୍ୟ ଥିଲା ଜନପଥର ଏକ ନିର୍ଦିଷ୍ଟ ଅଞ୍ଚଳ ସପ୍ତାହର ଗୋଟିଏ ଦିନ ଯାନବାହନ ମୁକ୍ତ କରାଯିବ; ଯାହାଦ୍ୱାରା ପ୍ରଦୂଷଣ ହ୍ରାସ ପାଇବ ଏବଂ ସହର ବାସିନ୍ଦାଙ୍କ ପାଖେ ପ୍ରଦୂଷଣମୁକ୍ତ ପରିବେଶର ଉପାଦେୟ ବାର୍ତ୍ତା ପହଞ୍ଚିବ। ପରବର୍ତ୍ତୀ କାଳରେ ତାହା ଆମୋଦପ୍ରମୋଦ ଓ ସହରବାସୀଙ୍କ ଭେଟଘାଟ ସ୍ଥଳରେ ରୂପାୟିତ ହେଲା। ବର୍ତ୍ତମାନ ଏ ବିଷୟରେ କେହି ଚର୍ଚ୍ଚା କରିବାକୁ ମଧ୍ୟ ଇଚ୍ଛୁକ ନୁହନ୍ତି। କୌଣସି ପର୍ଯ୍ୟଟକ ବା ଆଗନ୍ତୁକଙ୍କୁ କିଛି ମୁଖ୍ୟପଥ ଦେଇ ନେଇଗଲେ ମନେହେବ – ଏ ସହର ସବୁଜ ଓ ସୁନ୍ଦର, କିନ୍ତୁ ପ୍ରକୃତରେ ଏହାର ବହୁତ ଅଭାବଯୁକ୍ତ, ଅସମ୍ପୂର୍ଣ୍ଣ, ଗୁଣ ଓ ପରିମାଣରେ ନ୍ୟୂନ ଅବସ୍ଥା। ଏହା ପୂର୍ବରୁ ଭାରତ ସରକାରଙ୍କର ସହରୀ ପୁନଃନିର୍ମାଣ ପରିକଳ୍ପନା ଜବାହରଲାଲ ନେହେରୁ ଜାତୀୟ ସହରାଞ୍ଚଳ ନବୀକରଣ ଯୋଜନାରେ ଓଡ଼ିଶାର ଭୁବନେଶ୍ୱର ଓ ପୁରୀ ଅନ୍ତର୍ଭୁକ୍ତ ହୋଇଥିଲା। ଶହଶହ କୋଟିଅନୁଦାନ ମଧ୍ୟ ମିଳିଥିଲା, କିନ୍ତୁ ତା’ର ବର୍ତ୍ତମାନ ସ୍ଥିତି ବିଷୟରେ ଆମେ ଅଜ୍ଞ। ଗତ ନବକଳେବର ସମୟରେ ପୁରୀ ସହରର ଉନ୍ନତିକରଣ ପାଇଁ ଅତିରିକ୍ତ ବ୍ୟୟ ବରାଦ ହୋଇଥିଲେ ମଧ୍ୟ ଅସରାଏ ବର୍ଷାରେ ବଡ଼ଦାଣ୍ଡର ପାଣି ଶ୍ରୀମନ୍ଦିର ସିଂହଦ୍ୱାର ଛୁଉଁଛି। ଭୁବନେଶ୍ୱରର ବହୁ ଅଞ୍ଚଳ ବନ୍ୟାପ୍ଲାବିତ ହେଉଛି। କଟକର ନାଳନର୍ଦମା କଥା ନ କହିଲେ ଭଲ। କାରଣ ଯେଉଁ ଜାପାନ ଟୋକିଓ ଅଲିମ୍ପିକ୍ ପାଇଁ ନୂତନ ଭାବଧାରାର ପଦକ୍ଷେପ ନେଇ ସମସ୍ତଙ୍କୁ ଚମତ୍କୃତ କରିବା ପାଇଁ ପ୍ରୟାସରତ, ସେଇ ଜାପାନ ଅନୁଦାନରେ କଟକ ଜାଇକା ପ୍ରକଳ୍ପର ବିମାନଟି ଭୂଇଁରୁ ଉଠି ଉଡିବାକୁ ସକ୍ଷମ ନୁହେଁ। ପ୍ରଦେଶର ଅନ୍ୟ ସହରଗୁଡ଼ିକ, ଯଥା- ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ୱର, ବାରିପଦାର ଉନ୍ନତି କରିବା ପାଇଁ ‘ହୃଦୟ’ ‘ଅମୃତ’ ଯୋଜନାର ମଧ୍ୟ ତଥାବସ୍ଥା। ଅର୍ଥର ଅଭାବ ନାହିଁ, କିନ୍ତୁ କାର୍ଯ୍ୟକାରୀ କରିବାର ସଂକଳ୍ପ ନାହିଁ। ଏହାର ମୂଳ କାରଣ ହେଲା ଜନସାଧାରଣଙ୍କର ଉଦାସୀନତା ଓ କର୍ତ୍ତୃପକ୍ଷଙ୍କ ଅପାରଗତା। ପ୍ରକଳ୍ପଗୁଡ଼ିକର ମନ୍ଥର ଗତି ଓ ବିଫଳତାଗୁଡ଼ିକ ତଦାରଖ ଓ ନିୟମିତ ପର୍ଯ୍ୟବେକ୍ଷଣର ଅଭାବ ଯୋଗୁଁ। ଫଳରେ ବର୍ଷବର୍ଷ ଧରି ତଥାକଥିତ କାର୍ଯ୍ୟ ଚାଲୁଥିବା ହେତୁ ରାସ୍ତାଘାଟରେ ସ୍ୱାଭାବିକ ଚଳପ୍ରଚଳ ଅସମ୍ଭବ। ସାଧାରଣ ନାଗରିକ ଅସୁଖୀ ଓ ଅସୁବିଧାର ସମ୍ମୁଖୀନ, କିନ୍ତୁ ଆମର ସହନଶୀଳତା, ଧୈର୍ଯ୍ୟ ସୀମାହୀନ। ଓଡ଼ିଶାର କୌଣସି ସହରରେ ଆବର୍ଜନା ଦୂରୀକରଣ, ଜଳ ନିଷ୍କାସନର ସୁବିଧା ଆଶାନୁରୂପ ନୁହେଁ। ଓଡ଼ିଶାର ବିଭିନ୍ନ ସ୍ଥାନରେ ବହୁ ଅଭିଜ୍ଞ ଲୋକ ରହିଛନ୍ତି ଯେଉଁମାନଙ୍କର ସାହାଯ୍ୟ, ପରାମର୍ଶ ନେବାକୁ କର୍ତ୍ତୃପକ୍ଷ କୁଣ୍ଠାବୋଧ କରନ୍ତି। ଏହି ପୃଷ୍ଠଭୂମିରେ ପ୍ଲାଷ୍ଟିକ ପଦାର୍ଥର ବ୍ୟବହାର ନିଷେଧ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ ବା ମନରେ ସନ୍ଦେହ ହେବା ସ୍ୱାଭାବିକ। ସହରଗୁଡ଼ିକ ହେଲା ବିକାଶ ଓ ଅଭିବୃଦ୍ଧିର ଇଞ୍ଜିନ୍। ସେଗୁଡ଼ିକର ଅବହେଳାରେ ବିକାଶ ପ୍ରତିହତ ହେବ ଏବଂ କେବଳ କାଗଜପତ୍ରରେ ରହିଯିବ। ସହରଗୁଡ଼ିକୁ ସର୍ବାଙ୍ଗସୁନ୍ଦର କରିବାରେ ସରକାର ଓ ନାଗରିକଙ୍କ ସଂପୃକ୍ତି ଓ ସମନ୍ୱିତ ପ୍ରଚେଷ୍ଟାର ପ୍ରୟୋଜନ ରହିଛି। ଟୋକିଓ ଅଲିମ୍ପିକରେ ଏକ ସଂପୂର୍ଣ୍ଣ ଭିନ୍ନ ଅନୁଭୂତିର ସୁଆଦ ଦେବାର ପ୍ରଚେଷ୍ଟା ଚାଲି ଥିଲାବେଳେ, ଆଶା କରାଯାଉ ବିଶ୍ୱ ହକି ପ୍ରତିଯୋଗିତା ସମୟରେ ଭୁବନେଶ୍ୱର ସହରକୁ ଏକ ନୂତନ ବ୍ୟକ୍ତିତ୍ୱର ପରିଚୟ ମିଳୁ ଓ ପ୍ରଦେଶର ଅନ୍ୟାନ୍ୟ ସହରଗୁଡ଼ିକୁ ପ୍ରେରଣା ମିଳୁ।
ଏ ୧୬୫, ସହିଦ ନଗର
ଭୁବନେଶ୍ୱର-୭

Comments
Loading...