ଉତ୍କଳମଣିଙ୍କ ଭାରତୀୟତା

0
ଭଗବାନ ପ୍ରକାଶ
୧୯୨୦ ମସିହା ଡିସେମ୍ବର ମାସ ଶେଷ ସପ୍ତାହରେ ନାଗପୁରଠାରେ ଅନୁଷ୍ଠିତ ହେଉଥାଏ ଭାରତୀୟ ଜାତୀୟ କଂଗ୍ରେସର ବାର୍ଷିକ ଅଧିବେଶନ। ଗୋପବନ୍ଧୁଙ୍କ ସହ ଓଡ଼ିଶାରୁ ଯୋଗ ଦେଇଥିଲେ ୩୫ ଜଣ ପ୍ରତିନିଧି। ଏଠାରେ ଦୁଇଟି ଐତିହାସିକ ଘଟଣା ଘଟିଥିଲା। ସ୍ବାଧୀନତା ଆନ୍ଦୋଳନ, ସ୍ବରାଜ, ସତ୍ୟାଗ୍ରହ ଓ ଅହିଂସାକୁ ପ୍ରଥମକରି ଏହାର ଦର୍ଶନ ଓ  ଗାନ୍ଧୀଙ୍କୁ ଏହାର ମହାନାୟକ ଭାବେ ଗ୍ରହଣ କଲା। ଏହି ଦର୍ଶନ ଓ ଦାର୍ଶନିକଙ୍କ ଦ୍ବାରା ପ୍ରଭାବିତ ହୋଇ ଗୋପବନ୍ଧୁ ଓଡ଼ିଶାକୁ ଜାତୀୟ ମହାସ୍ରୋତରେ ସାମିଲ କରିବାକୁ ନିଷ୍ପତ୍ତି ନେଲେ। ଏହି ଅଧିବେଶନରେ ଓଡ଼ିଶା ପାଇଁ ଏକ ସ୍ବତନ୍ତ୍ର କଂଗ୍ରେସ କମିଟି ଗଠନ କରି ତାହାର ନାମ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ରଖାଗଲା।  ଏହି ନିଷ୍ପତ୍ତିରେ ଆନନ୍ଦିତ ଓଡ଼ିଶାର ପ୍ରତିନିଧିମାନେ କଂଗ୍ରେସ ଅଧିବେଶନ ସରିବା ପୂର୍ବରୁ ଗୋପବନ୍ଧୁଙ୍କ ସହ ନାଗପୁରରୁ ଫେରି ଚକ୍ରଧରପୁରରେ ଅନୁଷ୍ଠିତ ହେବାକୁ ଥିବା ଉତ୍କଳ ସମ୍ମିଳନୀରେ ଯୋଗ ଦେଇଥିଲେ।  ଏଇଠି ଗୋପବନ୍ଧୁ କହିଥିଲେ ଯେ ଖଣ୍ଡବିଖଣ୍ଡିତ ଓଡ଼ିଶାକୁ ଏକାଠି କରିବାକୁ ହେଲେ ମହାତ୍ମାଗାନ୍ଧୀଙ୍କ ନେତୃତ୍ବରେ ଜାତୀୟ ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଭାବରେ ଯୋଗ ଦେବାକୁ ହେବ। ବର୍ଷକ ପରେ ୧୯୨୧ରେ ବିଧିବଦ୍ଧ ଭାବରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଗଢ଼ାହେଲା ଓ ପଣ୍ଡିତ ଗୋପବନ୍ଧୁ ତାହାର ପ୍ରଥମ ସଭାପତି ହେଲେ। ସେହିବର୍ଷ ଗୋପବନ୍ଧୁଙ୍କ  ନିମନ୍ତ୍ରଣ ରକ୍ଷା କରି ଗାନ୍ଧୀ ଓଡ଼ିଶାରେ ପଦଯାତ୍ରା କରିଥିଲେ ଓ ଖୋଲାଖୋଲି ଭାବରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରସ୍ତାବକୁ ସମର୍ଥନ କରିଥିଲେ, କିନ୍ତୁ ଉତ୍କଳ ସମ୍ମିଳନୀକୁ ଜାତୀୟ କଂଗ୍ରେସରେ ସାମିଲ ପ୍ରସ୍ତାବରେ ମଧୁବାବୁ ଖୁସି ନଥିଲେ। ତାଙ୍କର ମନରେ ଆଶଙ୍କା ଥିଲା ଯେ ଏହାଦ୍ବାରା ସ୍ବତନ୍ତ୍ର ଓଡ଼ିଶା ଆନ୍ଦୋଳନ ଦୁର୍ବଳ ହୋଇଯିବ।  ବଡ଼ନଦୀରେ ଛୋଟ ନଦୀର ସତ୍ତା ବିଲୀନ ହୋଇଯିବ। ଦେଶ ସ୍ବାଧୀନତା କୋଳାହଳରେ ରାଜ୍ୟ ସ୍ବତନ୍ତ୍ରତାର ସ୍ବର ହଜିଯିବ। ସୌଭାଗ୍ୟବଶତଃ ଏହା ହେଲାନାହିଁ। ବନ୍ୟା ପ୍ରପୀଡ଼ିତ ଓଡ଼ିଶା ଅଞ୍ଚଳ ପାଇଁ ସହାନୁଭୂତି ଓ ସାହାଯ୍ୟ ସହଯୋଗର ହାତ ବଢ଼ାଇଲେ ଜାତୀୟ ସ୍ତରର ନେତା ଓ ସଂସ୍ଥାମାନେ। ହିନ୍ଦୁ ମହାସଭା ଓ ଲୋକସେବକ ମଣ୍ଡଳର କାର୍ଯ୍ୟକାରୀ ସଭ୍ୟ ହେବାକୁ  ଗୋପବନ୍ଧୁଙ୍କୁ ଯେତେବେଳେ ନିମନ୍ତ୍ରଣ କରାଗଲା ସେ ଦ୍ବିତୀୟ ସଂସ୍ଥାଟିକୁ ବାଛିଲେ, କାରଣ ସେ ଗାନ୍ଧୀଙ୍କ ଭଳି ନିଜକୁ ଏକ ଧର୍ମଭିତ୍ତିକ ସଂସ୍ଥା ସହ ବାନ୍ଧିବାକୁ ପସନ୍ଦ କରିନଥିଲେ। ଏହି  କାରଣରୁ ସେ ଜାତି, ଧର୍ମ, ସଂପ୍ରଦାୟଭିତ୍ତିକ ସମିତିସଭା, ମହାସଭା ଗଠନକୁ ବିରୋଧ କରୁଥିଲେ।
ଗୋପବନ୍ଧୁ ଅନ୍ତର୍ଧମନୀରେ ସର୍ବଦା ଓଡ଼ିଶାର ସ୍ପନ୍ଦନ ଅନୁଭବ କରୁଥିଲେ। ତାଙ୍କର ହୃଦୟ ଥିଲା  ଉଦାରବାଦୀ, ମାନବବାଦୀ ଓ ବିଶ୍ବବାଦୀ। କିଏ  ପ୍ରକୃତରେ ଓଡ଼ିଆ? ଏହି ପ୍ରଶ୍ନର ଉତ୍ତରରେ ସେ କହୁଥିଲେ- ଯିଏ  ଓଡ଼ିଶାକୁ ଭଲପାଏ ସିଏ ଓଡ଼ିଆ।  କିଏ ପ୍ରକୃତରେ ହିନ୍ଦୁ? ହିନ୍ଦୁତ୍ବର ଅର୍ଥ ଓ ଉଦ୍ଦେଶ୍ୟ କ’ଣ? ଏହାର ଉତ୍ତରରେ ସେ ହିନ୍ଦୁତ୍ବକୁ ଏକ ନୂଆ ସଂଜ୍ଞା ଦେଇ ଲେଖିଥିଲେ:
‘‘ନିଜ ସୁଖ ପାଇଁ ଜାତନୁହେଁ ହିନ୍ଦୁ- ବିଶ୍ବ ହିତେ ହିନ୍ଦୁ ପ୍ରତି ରକ୍ତ ବିନ୍ଦୁ।’’
ଏହି ଉକ୍ତିଟିକୁ ଆହୁରି ପରିଷ୍କାର କରି ‘ବନ୍ଦୀର ଆତ୍ମକଥା’ରେ ତାଙ୍କର ଅସାଧାରଣ ତ୍ୟାଗ ଓ  ଦେଶପ୍ରେମ ଭାବନାର ଆଉ ଏକ ବହୁଚର୍ଚ୍ଚିତ ଓ ଉଦ୍ଧୃତି  ହେଲା: ‘‘ମିଶୁ ମୋର ଦେହ ଏ ଦେଶ ମାଟିରେ- ଦେଶବାସୀ ଚାଲି ଯା’ନ୍ତୁ ପିଠିରେ/ ଦେଶର ସ୍ବରାଜ ପଥେ ଯେତେ ଗାଡ଼- ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼’’
ଏହା ଅନ୍ଧ ଜାତୀୟତା,  ଅନ୍ଧ ରାଷ୍ଟ୍ରୀୟତା ବା ଅନ୍ଧ ଭାବପ୍ରବଣତା ନଥିଲା; ବରଂ ଏହା ଥିଲା ମଣିଷ ପାଇଁ ମଣିଷ ହୃଦୟର ଏକ ସମ୍ବେଦନଶୀଳ ବ୍ୟାକୁଳତା, ମାନବିକତାର ସରଳ, ନିର୍ମଳ ବ୍ୟାଖ୍ୟା। ଏହାର ବିକଳ୍ପ ବିରଳ। ଉତ୍କଳମଣିଙ୍କ ଭାରତୀୟତାର ଆଉ ଏକ ଝଲକ ମିଳେ ଉତ୍କଳ ସମ୍ମିଳନୀରେ ତାଙ୍କର ଭାଷଣରୁ। ସେ କହିଥିଲେ- ‘ଆମେମାନେ ପ୍ରଥମେ ମନୁଷ୍ୟ,  ତା’ପରେ ଭାରତୀୟ ଓ ସର୍ବ ଶେଷରେ ଓଡ଼ିଆ। ଯେ ଯେଉଁ ଜାତି ବା ଦେଶରେ ଜନ୍ମ ହୋଇଥା’ନ୍ତୁ, ସେ ପ୍ରଥମେ ମନୁଷ୍ୟ ଓ ଈଶ୍ବରଙ୍କ ସନ୍ତାନ।’ ସମାଜ ଶାସ୍ତ୍ରୀ ଚିତ୍ତରଞ୍ଜନ ଦାସଙ୍କ ଭାଷାରେ ସେ ଯଦି ପ୍ରଥମେ ନିଜକୁ ଓଡ଼ିଆ, ତା’ ପରେ ଭାରତୀୟ ଓ ଶେଷରେ ମଣିଷ ବୋଲି କହିଥାନ୍ତେ, ତେବେ ସେ, ଉତ୍କଳମଣି ଭାବରେ ନୁହେଁ, ଗଧଙ୍କ ମଣି ଭାବରେ ପୂଜା ପାଇଥାଆନ୍ତେ, କିନ୍ତୁ ସାରା ପୃଥିବୀ ତାଙ୍କୁ ଆପଣାର ଘର ଭଳି ଲାଗୁଥିଲା। ତେଣୁ ଅନ୍ୟର ଦୁଃଖ ଦେଖି ସହି ପାରୁନଥିଲେ। କାର୍ଲମାର୍କ୍ସ ଏହାର ଏକ ତାତ୍ତ୍ବିକ ବିଶ୍ଳେଷଣ କରି କହିଛନ୍ତି: ସାଧାରଣ ମଣିଷଟିକୁ  ଦେଶ, ଜାତି ଓ ଜାତୀୟତା ନାମରେ ନାନା ପ୍ରକାର ଅଫିମ ବା ନିଶା ଖୁଆଇ ବଶ  କରି ରଖାଯାଇଥାଏ। ତା’ପରେ ଜାତୀୟତାକୁ ରାଷ୍ଟ୍ରୀୟତା ସହ ମିଶାଇ ଅଭିନ୍ନ କରାଯାଏ ଓ କୁହାଯାଏ ନେସନ୍‌ ବା ଜାତି ଓ ରାଷ୍ଟ୍ର ଉଭୟେ ଏକ, କିନ୍ତୁ ମଣିଷ ତା’ର ରାଷ୍ଟ୍ରୀୟତାଠୁ ଊର୍ଦ୍ଧ୍ବରେ। ସେ ଏକ ସାମାଜିକ ମଣିଷ। ଏବେ କିନ୍ତୁ ରାଷ୍ଟ୍ର ସେ ସମାଜକୁ ଗ୍ରାସ କରିଚି ଓ ମଣିଷ ଜୀବନକୁ ନିୟନ୍ତ୍ରଣ କରୁଛି। ଯେ ପର୍ଯ୍ୟନ୍ତ ଆମେ ରାଷ୍ଟ୍ରକୁ ମଣିଷର ମାଲିକ ବୋଲି ଗ୍ରହଣ କରିଥିବା ସେ ପର୍ଯ୍ୟନ୍ତ ମୁକ୍ତି ସମ୍ଭବ ନୁହେଁ ଏବଂ ସେଇ ରାଷ୍ଟ୍ର ହେଇପାରିବ ଏକ ମହାଜାତି ଯେତେବେଳେ ତାହା ମଣିଷର ବିକାଶ ଓ ଉଦୟ ପାଇଁ କାମ କରିବ ଓ ମଣିଷର ଆଜ୍ଞାକାରୀ ତଥା ସେବାକାରୀ ହୋଇ ରହିବ, ସମସ୍ତଙ୍କର ସୁଖ, ନିରାମୟତା ପାଇଁ ଚିନ୍ତା କରିବ। ଉତ୍କଳମଣି ଓଡ଼ିଶାକୁ ସେହିପରି ଏକ ମହାଜାତି ଭାବରେ ଗଢ଼ିବାକୁ ଉଦ୍ୟମ କରୁଥିଲେ। ସତ୍ୟବାଦୀରେ ମୁକ୍ତାକାଶ ବିଦ୍ୟାଳୟ ଖୋଲି ଏକ ମୁକ୍ତ ବିଚାରବାଦୀ ସମାଜ ଗଢ଼ିବାକୁ ସେ ଚାହଁିଥିଲେ। ସ୍ବପ୍ନ ଥିଲା ଏହାକୁ ଏକ ମହାଜାତୀୟ ଅନୁଷ୍ଠାନ ରୂପେ ଗଢ଼ିବାକୁ। ତା’ସହ ସେ ଓଡ଼ିଶାକୁ ଭାରତ ଭିତରେ ଖୋଜୁଥଲେ, ଯେମିତି ମଧୁବାବୁ କହୁଥିଲେ- ମାଆ ମାଆ ବୋଲି କେତେ ମୁଁ ଡାକିଲି ମାଆକୁ ପାଇଲି ନାହିଁ।  ଭାରତେ ଉତ୍କଳ ମହାପୁଣ୍ୟ ଧାମ- ଭାରତ ପାଞ୍ଜିରେ ତା ନାଁ କାହିଁକି ନାହିଁ? ଭାରତ ଜାତୀୟ ମହା ସମ୍ମିଳନେ ନ ବସେ ଉତ୍କଳ  ସ୍ବତନ୍ତ୍ର ଆସନେ- କାହିଁକି? ସେ ହୋଇଥିଲେ ବ୍ୟଥିତ, ବିସ୍ମିତ, ଓ ବିବ୍ରତ। ତାଙ୍କର ଆଉ ଗୋଟେ ପ୍ରଶ୍ନର ସେ ନିଜେ ଉତ୍ତର ଦେଇଥିଲେ। ନାଉରି ବିନା ଓଡ଼ିଶା ନଉକା ଆଗକୁ କେମିତି ବଢ଼ିବ? ତା’ ଉତ୍ତର ଥିଲା- ଲିଡରସିପ୍‌ ବା ନେତୃତ୍ବ ବିକାଶର ଏକ ନୂତନ ସଂଜ୍ଞା- ‘‘ନ ଅଟକେ କର୍ମ ନେତାର ଅଭାବେ- ଧର୍ମନାବ ଚଳେ ଧର୍ମର ପ୍ରଭାବେ/ ବିଶେଷେ ଉତ୍କଳେ ନାହିଁ ପ୍ରୟୋଜନ – ଉତ୍କଳର ନେତା  ନିଜେ ନାରାୟଣ’’।
ଧର୍ମର ପୋତ ଧର୍ମ ଦ୍ବାରା ହିଁ  ଚାଲିବ। ମହାତ୍ମା ଗାନ୍ଧୀ ଏହିପରି ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ: ସାରା ବିଶ୍ବ-ବ୍ରହ୍ମାଣ୍ଡ ଯେଉଁ ବିଧିବିଧାନ ଅନୁସାରେ ଚାଲୁଛି, ଯାହାଦ୍ବାରା ବିଶ୍ବଜୀବନ ଶୃଙ୍ଖଳିତ ଓ ନିୟନ୍ତ୍ରିତ ହେଉଛି ସେଇ ନୈତିକ ବିଧାନ ଉପରେ ବିଶ୍ବାସ ରଖି ଜୀବନଯାପନ ହିଁ ପ୍ରକୃତ ଧର୍ମ ଓ ପ୍ରକୃତ ନେତୃତ୍ବ। ଏହାଦ୍ବାରା ରାଜନୈତିକ ମୁଷ୍ଟିଯୁଦ୍ଧ ମାଧ୍ୟମରେ କ୍ଷମତା ହସ୍ତଗତ ଓ କ୍ଷମତାଚ୍ୟୁତ କରିବା ଆବଶ୍ୟକ ହେବ ନାହିଁ। ଧର୍ମ ଓ ନୈତିକତା ଦ୍ବାରା ଗାନ୍ଧୀ ଓ ଗୋପବନ୍ଧୁ ଉଭୟ ସମସାମୟିକ ରାଜନୀତି ବ୍ୟବସ୍ଥାକୁ ସଜାଡ଼ି, ଜାତି, ଧର୍ମ, ବର୍ଣ୍ଣ ସଂପ୍ରଦାୟ ଊର୍ଦ୍ଧ୍ବରେ ଏକ ବିରାଟ ମହାଜାତି ଗଢ଼ିବାକୁ ଚାହୁଁଥିଲେ। ତେଣୁ ତାଙ୍କ ଅପ୍ରତ୍ୟାଶିତ ଓ ଅକାଳ ମୃତ୍ୟୁ ପରେ କବି ମାୟାଧର ମାନସିଂହ ଲେଖିଥିଲେ:-
‘‘ ମହାବୀର ମହାପ୍ରୟାଣ ରଚିଲା ଆଜି/ ତା’ ମହାଜାତିର ଗର୍ବ ଯେ ଗଲା ଭାଜି। ଘରେ, ଘରେ ଉଠେ କ୍ରନ୍ଦନ ରୋଳ ବାଜି/ ବିରାଟ ଓଡ଼ିଆ ଜାତି ମଥାମଣି ଭୂତଳେ ଖସିଲା ଆଜି।’’
ଆଦ୍ୟରୁ ପଣ୍ଡିତ ଗୋପବନ୍ଧୁ କହୁଥିଲେ ଯିଏ ବିଶ୍ବମାନବ ତାକୁ ଭାରତୀୟ, ଯିଏ ଭାରତୀୟ ତାକୁ ଓଡ଼ିଆ ଓ ଯିଏ ଓଡ଼ିଆ ତାକୁ କଟକୀ, ସମ୍ବଲପୁରୀ, ଢେଙ୍କାନାଳିଆ କରି ବାଣ୍ଟ ନାହିଁ। ଅମଣିଷକୁ ମଣିଷ କରିବା, ଅସଂପୂର୍ଣ୍ଣକୁ ସଂପୂର୍ଣ୍ଣ କରିବା, ରାଜନୀତିକୁ ସମାଜନୀତି କରିବା ହିଁ ମାନବିକତା। ଉତ୍କଳ ସମ୍ମିଳନୀରେ ବି ସେ ସର୍ବଦା ଜାତୀୟ ବିକାଶ କଥା କହୁଥିଲେ ଏବଂ କହୁଥିଲେ କେବଳ କୃଷି, ଶିକ୍ଷା, ଶିଳ୍ପ, ବାଣିଜ୍ୟ, ସ୍ବାସ୍ଥ୍ୟ ଓ ସାହିତ୍ୟ ଦ୍ବାରା ଜାତୀୟତାବାଦର ମୂଳଦୁଆ ମଜଭୁତ ହୋଇପାରିବ। (୧୯୧୯) ଉତ୍କଳ ସମ୍ମିଳନୀ ଆମର ଜାତୀୟ ଭାବର ରୂପାୟନ ଓ ଜାତୀୟ ଲକ୍ଷ୍ୟର ସଂଗଠନ ଅଟେ। ଜାତୀୟ ବିକାଶ ହେଉଛି ଏହାର କାର୍ଯ୍ୟ। ସ୍ବାଧୀନତା, ସମତା, ଭାଇଚାରା ଏହାର ନୀତି। ଆତ୍ମତ୍ୟାଗ ଓ ଅାଧ୍ୟାତ୍ମିକ ବିଶ୍ବାସ ଏହାର ଆଦର୍ଶ। ଶିକ୍ଷା ଓ ସଂଗଠନ ଏହାର ପ୍ରଥମ କାର୍ଯ୍ୟ। ଏସବୁ ତଥ୍ୟ ଓ ତର୍କ ସତ୍ତ୍ବେ ସେ ଉତ୍କଳ ସମ୍ମିଳନୀକୁ ଜାତୀୟ କଂଗ୍ରେସସହ ମିଳନ ଉଦ୍ୟମରେ ସଫଳ ହୋଇ ନଥିଲେ, କିନ୍ତୁ ଜାତୀୟ କଂଗ୍ରେସକୁ ଭାଷାଭିତ୍ତିକ ରାଜ୍ୟ ଗଠନ ନୀତି, ନିଷ୍ପତ୍ତି ପାଇଁ ରାଜି କରାଇବାରେ ସଫଳ ହୋଇଥି​‌େ​‌ଲ।
ଜାତୀୟତାବାଦର ଦର୍ଶନକୁ ମାନବିକତାର କୁର୍ତ୍ତା ପିନ୍ଧାଇଥିଲେ ଗୋପବନ୍ଧୁ ଓ ଆଞ୍ଚଳିକତାରୁ ଦୂରରେ ରଖିଥିଲେ। ବିଶ୍ବ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ଆରିଷ୍ଟୋଟଲ ନିଜ କ୍ଷୁଦ୍ର ଦେଶ ସୀମା, ବାହା​‌େ​‌ର ଥିବା ସବୁ ରାଜ୍ୟ  ଓ ଦେଶର ଲୋକଙ୍କୁ କହୁଥିଲେ ବର୍ବର, ଅସଭ୍ୟ, କିନ୍ତୁ ଗୋପବନ୍ଧୁ ସାର୍ବଜନୀନ ପ୍ରେମ ଉପରେ ଜୋର ଦେଇଥିଲେ। ମାର୍କ୍ସ କହୁଥିଲେ ମଣିଷର ମଣିଷତ୍ବ ତା’ର ନାଗରିକତ୍ବଠାରୁ ଉଚ୍ଚରେ।  ଗୋପବନ୍ଧୁଙ୍କ ଭଳି ଡେନମାର୍କରେ ଜଣେ ଶ୍ରେଷ୍ଠ କବି ଥିଲେ ନିକୋଲାଇ ଫ୍ରେଡ୍‌ରିକ। ଡେନମାର୍କ ଏକ ଛୋଟ ଦେଶ, କିନ୍ତୁ ଆଜି ଏହା ପୃଥିବୀର ସର୍ବୋତ୍ତମ ମାନବବାଦୀ ଦେଶ। ନିକୋଲାଇ ତାଙ୍କ ଲେଖା ମାଧ୍ୟମରେ ଦେଶକୁ ଦେଇଛନ୍ତି ଏକ ନୂଆ ଦର୍ଶନ, ନୂଆ ସ୍ବପ୍ନ।  ପଦ୍ୟଟିର ସାରାଂଶ: ନାହିଁ ଆମର ବଡ଼ ନଦୀ, ବଡ଼ ପର୍ବତ, କିନ୍ତୁ ମେହେନତୀ ଚାଷୀକୁଳ ଓ ଭଲ ମଣିଷ ଅଛନ୍ତି ଅନେକ। ଆପଣା ଶ୍ରଦ୍ଧା, ଶ୍ରମ ଦେଇ ଫଳାଉଛନ୍ତି ସୁନା, ରୁପା, ଲୁହା। ଦେଶକୁ ଯଦି କରିବ ସୁନ୍ଦର, ଚାଷୀ ମୂଲିଆଙ୍କୁ କର ଆହା। ପାଖ ପଡ଼ୋଶୀଙ୍କୁ ସାହାଯ୍ୟ କର। କମ୍‌ ସମ୍ବଳଙ୍କ ସଂଖ୍ୟା କମ୍‌ କର, ଅତି ସମ୍ବଳଙ୍କ ସଂଖ୍ୟା ଅଧିକ କର। ମଣିଷକୁ ମଣିଷ କର, ମଣିଷ କର। ଗୋପବନ୍ଧୁ ବି ସେହିପରି ଏକ ସମାଜଧର୍ମୀ ସାହିତ୍ୟିକ ଓ ରାଷ୍ଟ୍ରକବି, ଆମକୁ ଦେଇ ଯାଇଛନ୍ତି ନୂଆ ମନ୍ତ୍ର, ନୂଆ ଦିଗ୍‌ଦର୍ଶନ। ଆଜି ତାଙ୍କୁ ଆଉ ଥରେ ମହାପ୍ରଣାମ।

 

Leave A Reply