କଲେଜ ନିର୍ବାଚନ ଓ ଛାତ୍ର ରାଜନୀତି

0

ଅରୁଣ କୁମାର ମଜୁମଦାର

ନିକଟରେ ରାଜ୍ୟ ଶିକ୍ଷାବିଭାଗ ଦ୍ବାରା କଲେଜମାନଙ୍କପାଇଁ ନିର୍ବାଚନ ତାରିଖ (ଅକ୍ଟୋବର ୧୧, ୨୦୧୮) ଘୋଷଣା କରାଯାଇଛି। ଏହାଦ୍ବାରା କେତେକ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି, କାରଣ ଏହି ଦିନଟି ତାଙ୍କର ବହୁ ପ୍ରତୀକ୍ଷିତ ଥିଲା। ଅବଶ୍ୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନେତୃତ୍ବ ଗଠନ, ସୁସ୍ଥ ଗଣତାନ୍ତ୍ରିକ ପଦ୍ଧତିରେ ଭୋଟ ଦେବାର ଅଧିକାର ସହିତ ସୁନାଗରିକ ହେବାର ଅଭ୍ୟାସ, ଶିକ୍ଷକ ଓ ଶିକ୍ଷାନୁଷ୍ଠାନକୁ ଶ୍ରଦ୍ଧା, ସମ୍ମାନ, ଛାତ୍ରଶିକ୍ଷକ ସୁସମ୍ପର୍କ, ଛାତ୍ରମାନଙ୍କ ମଧ୍ୟରେ ଭ୍ରାତୃଭାବ ଓ ସହନଶୀଳତା, ଅନ୍ୟର ସେବା ଓ ସହ​‌େ​‌ଯାଗ, ସୁସ୍ଥ ରାଜନୈତିକ ପରମ୍ପରା ସୃଷ୍ଟି, ଛାତ୍ରସଂସଦ ପାଣ୍ଠିର ସଦୁପଯୋଗ ଆଦି ବିଭିନ୍ନ ସଦ୍‌ଗୁଣର ଶିକ୍ଷା ଦେବା ହେଉଛି କଲେଜ ନିର୍ବାଚନର ମହତ ଉଦ୍ଦେଶ୍ୟ।
ଅନ୍ୟ ଦିଗରେ କିନ୍ତୁ ଏକ ସମ୍ପୂର୍ଣ୍ଣ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥାଏ। କଲେଜ ନିର୍ବାଚନ ଘୋଷଣା ହେବାମାତ୍ରେ କେତେକଙ୍କ ମନରେ ଛନ୍‌କା ପଶି ଛାତି ଥରାଇ ଦେଇଥାଏ। ବିଶେଷ କରି କଲେଜର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଅଭିଭାବକ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବ୍ୟକ୍ତିମାନେ ଏକ ଅହେତୁକ ଗଣ୍ଡଗୋଳର ଆଶଙ୍କାରେ ଭୟଭୀତ ହୋଇ ରହିଥାନ୍ତି। ଯେପରିକି ଏବେଠାରୁ ବିଭିନ୍ନ କଲେଜ ତଥା ବିଶ୍ବବିଦ୍ୟାଳୟମାନଙ୍କରେ ପ୍ରାକ୍‌ ନିର୍ବାଚନୀ ହିଂସାକାଣ୍ଡମାନ ଆରମ୍ଭ ​‌େ​ହ‌ାଇଗଲାଣି। କଟକର ରେଭେନ୍ସା, ସମ୍ବଲପୁର ବିଶ୍ବବିଦ୍ୟାଳୟ ସହିତ ରାଜ୍ୟର, ଅନ୍ୟାନ୍ୟ ବହୁ ଉଚ୍ଚଶିକ୍ଷାନୁଷ୍ଠାନ ନିର୍ବାଚନକୁ ବାତିଲ କରିଛନ୍ତି କିମ୍ବା, କଲେଜକୁ ସାଇନ ଡାଏ ବନ୍ଦ କରିଦେଇଛନ୍ତି। ପ୍ରତିବର୍ଷ ଏଭଳି ପରିସ୍ଥିତି ସୃ​‌ଷ୍ଟି ହେଉଛି। ତଥାପି ସରକାର ଓ ପ୍ରଶାସନ ଏ ସବୁ ଜାଣି ମଧ୍ୟ, ଭିନ୍ନ କୌଣସି ବିକଳ୍ପ ପନ୍ଥା ଚିନ୍ତା ନକରି, କାହିଁକି କଲେଜ ଓ ବିଶ୍ବବିଦ୍ୟାଳୟମାନଙ୍କ ଉପରେ ଜବରଦସ୍ତି ଏଭଳି ନିର୍ବାଚନ ବୋଝ ଲଦି ଦେଇଥାନ୍ତି ତାହା ବୁଝି ହୁଏନାହିଁ। ଏହାପଛରେ କ’ଣ ରାଜନୈତିକ ଭୋଟବ୍ୟାଙ୍କ ସୃଷ୍ଟିର ରାଜନୀତି ନା ଅନ୍ୟ କିଛି, ତାହା ଅସ୍ପଷ୍ଟ। ମିଛଟାରେ କଲେଜମାନଙ୍କରେ ଭଙ୍ଗାରୁଜା, ବୋମାମାଡ଼, ଅଧ୍ୟାପକ-କର୍ମଚାରୀଙ୍କୁୁ ଅଶାଳୀନ ବ୍ୟବହାର, ଗୁରୁ-ଶିଷ୍ୟ ସମ୍ପର୍କରେ ଅବନତି, ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ମାରପିଟ, ପାଠପଢ଼ା ବନ୍ଦ, କଲେଜ ପରିସରରେ ଅଯଥା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିଭଳି ଘଟଣାମାନ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥାଏ।
ଏସବୁ ପରିସ୍ଥିତିକୁ ଲକ୍ଷ୍ୟକରି, କଲେଜ ନିର୍ବାଚନବେଳେ ଯେପରି ଶାନ୍ତିଶୃଙ୍ଖଳା ବଜାୟ ରହେ ସେଥିପାଇଁ କିିଛିବର୍ଷ ତଳେ କେନ୍ଦ୍ରସରକାର ପରାମର୍ଶ ଦେବାପାଇଁ ଲିଙ୍ଗ୍‌ଡ଼ୋ କମିସନକୁ ନିଯୁକ୍ତି ଦେଇଥିଲେ। କମିସନ ନିଜସ୍ବ ରିପୋର୍ଟ ସହିତ ସୁପ୍ରିମକୋର୍ଟଙ୍କ ନିର୍ଦେଶନାମା ଅନୁଯାୟୀ କଲେଜ ନିର୍ବାଚନ ପରିଚାଳନା କରିବାକୁ ନିର୍ଦେଶ ଦେଇଛନ୍ତି। ସେହି ନିର୍ଦେଶ ଅନୁସାରେ ନିର୍ବାଚନର ପ୍ରାର୍ଥୀମାନଙ୍କ ପାଇଁ କଲେଜରେ ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ଥିବା ଦରକାର, ସେମାନଙ୍କର ବୟସ ୧୫ରୁ ୨୫ ମଧ୍ୟରେ ହୋଇଥିବ, କଲେଜରେ କୌଣସି ବକେୟା ଦେୟ ନଥିବ, ସେମାନେ ଅଣଛାତ୍ର କିମ୍ବା ଅାପରାଧିକ ମାମଲାରେ ଜଡ଼ିତ ହୋଇନଥିବେ, ନିର୍ବାଚନର ପ୍ରଚାରପାଇଁ ସର୍ବାଧିକ ୫ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଥିବେ, ନିର୍ବାଚନ ପ୍ରଚାର​‌ବେ​‌େ​‌ଳ ଜାତି ବା ବର୍ଣ୍ଣବୈଷମ୍ୟଗତ ପ୍ରସଙ୍ଗ ଉଠାଉନଥିବେ, ଅନ୍ୟମାନଙ୍କୁ ପ୍ରଲୋଭିତ କରୁନଥିବେ କିମ୍ବା ଅନ୍ୟ ଉପରେ ଚାପ ସୃଷ୍ଟି କରୁ ନଥିବେ, କଲେଜ ପରିସରରେ ଛପାପୋଷ୍ଟର ବ୍ୟାନର ଆଦି ଲଗାଇବେ ନାହିଁ କିମ୍ବା କୌଣସି ବାଣ, ବାଜା ବା ଶୋଭାଯାତ୍ରା ନକରିବା ଆଦି ନିର୍ଦେଶମାନ ଦିଆଯାଇଛି। ଏହି ନୀତିନିୟମଗୁଡ଼ିକୁ ଊଲ୍ଲଙ୍ଘନ କଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାପାଇଁ ମଧ୍ୟ ସୁପାରିସ କରାଯାଇଛି।
ଏତେ ନୀତି ନିୟମ ଏବଂ କଟକଣା ସତ୍ତ୍ବେ କଲେଜ ନିର୍ବାଚନବେଳେ ବାତାବରଣ ଅଶାନ୍ତ ହେବା ଦେଖାଯାଉଛି। ଶିକ୍ଷାଦାନର ଶାନ୍ତ ପରିବେଶ ନଷ୍ଟ ହୁଏ। ଶିକ୍ଷକ-ଛାତ୍ରସମ୍ପର୍କରେ ଅବନତି ଦେଖାଦିଏ। ଧନଜୀବନର କ୍ଷତି ହୁଏ।
ତେଣୁ ଏଭଳି କଲେଜ ନିର୍ବାଚନ ସରକାର ବା ପ୍ରଶାସନ ତରଫରୁ ଲଦିଦିଆ ନଯାଇ ବରଂ କଲେଜ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଉପରେ ଛାଡ଼ିଦିଆଯିବା ଉଚିତ। ଯେପରିକି କୌଣସି ସ୍କୁଲ ବା ଇଂରାଜୀମାଧ୍ୟମ ଘରୋଇ କଲେଜରେ ନିର୍ବାଚନର ପ୍ରଚଳନ ପ୍ରାୟତଃ ନାହିଁ। ଏହା ବଦଳରେ ମନୋନୟନ ମାଧ୍ୟମରେ ଭଲ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପଦରେ ମନୋନୀତ କରି ଛାତ୍ରସଂସଦ ଗଠନ କରାଯାଇପାରେ। ପରିଶେଷରେ, କଲେଜ ନିର୍ବାଚନର ପ୍ରକୃତ ଉଦ୍ଦେଶ୍ୟକୁ ଦଳୀୟ ରାଜନୀତି ଦ୍ବାରା କଳୁଷିତ କରାନଯାଉ, ତେବେ ଯାଇ ଏହାର ମହତ ଲକ୍ଷ୍ୟପୂରଣ ହୋଇପାରିବ।
ଲେଖକ ଜଣେ ବରିଷ୍ଠ ଶିକ୍ଷାବିତ୍‌ ଏବଂ ପୂର୍ବତନ ଅଧ୍ୟକ୍ଷ
‘କୃଷ୍ଣା’, ଫ୍ଲାଟ ନଂ-୦୦୧, ଚର୍ଚ୍ଚପାଖ, ଜି.ଏମ.କଲେଜରୋଡ଼, ସମ୍ବଲପୁର

Leave A Reply