ହରି ପୋଢ଼ଙ୍କ ସନ୍ତାନ ଆଶା

0

ଦେବେନ୍ଦ୍ର କୁମାର ବିଶ୍ବାଳ

ବରଗଡ଼ ଜିଲା ପାଇକମାଳର ଅଖ୍ୟାତ ଗାଁଟିଏ ସାଲେପାଲି। । ୮୦ ବର୍ଷ ତଳେ ଏହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ହରି ପୋଢ଼ ନାମକ ବ୍ୟକ୍ତି। ବେଳେବେଳେ ପତ୍ନୀ ଥିବା ଅବସ୍ଥାରେ, ବେଳେବେଳେ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ସାରିବା ପରେ ସେ ସମୁଦାୟ ୯ଜଣ ପତ୍ନୀ ଗ୍ରହଣ କରିଥଲେ। ପ୍ରଥମ ବିବାହ ବେଳକୁ ସେ ଯୁବକ ଥିଲେ। ଗାଁରେ କିଛିଟା ପ୍ରତିଷ୍ଠା ଥିଲା। ୨୨ ଏକର ଭଲ ଚାଷ ଜମିଥିଲା। ସନ୍ତାନ ନ ହେବାରୁ ପତ୍ନୀମାନେ ଗୋଟିକପରେ ଗୋଟିଏ ତାଙ୍କୁ ଛାଡ଼ି ଚାଲିଗଲେ ବା ସେ ପତ୍ନୀମାନଙ୍କୁ ତ୍ୟାଗପତ୍ର ଧରାଇଦେଲେ। ବିବାହ ପରେ ବିବାହଧନସଂପତ୍ତି ବିକ୍ରି ହୋଇ ଚାଲିଲା। ନବମ ସ୍ତ୍ରୀ ବିଦାୟ ନେଲାବେଳକୁ ତାଙ୍କର ବାଇଶି ଏକର ଜମି ବିକ୍ରି ସରିଥିଲା ଓ ତା ସହିତ ବାସଗୃହ ମଧ୍ୟ। ସେ ସଂପୂର୍ଣ୍ଣ ନିଃସ୍ବ ହୋଇଯାଇଥିଲେ। ବଞ୍ଚିବା ପାଇଁ ଭିକ ମାଗିଲେ। ସରକାର ଦୟାପରବଶ ହୋଇ ଚାରି ଡେସିମିଲ ଜମି ଦେଲେ ଓ ଘରଟିଏ ତୋଳାଇ ଦେଲେ। ଗତ ୨୯.୧୦.୨୦୧୬ରେ ସେହି ଘରେ ହରି ପୋଢ଼ଙ୍କ ମୃତ୍ୟୁ ହେଲା। ଜାତି ଗୋତ୍ର ପ୍ରତି ଧ୍ୟାନ ନଦେଇ ବିବାହ କରିଥିବାରୁ ଜାତିଭାଇ ମୃତ ଶରୀରକୁ କାନ୍ଧ ଦେଲେନି। ଶେଷରେ ପ୍ରଶାସନ ଚେଷ୍ଟାରେ ଅନ୍ତିମ ସଂସ୍କାର ହୋଇଥିଲା।
ହରି ପୋଢ଼ ଯୌବନଠାରୁ ପ୍ରାପ୍ତବୟସ୍କ ହେବାପର୍ଯ୍ୟନ୍ତ ଏକ ଭ୍ରାନ୍ତ ମାନସିକତାରେ ରହି​‌େ​‌ଲ ଯେ କେବଳ ନାରୀର ସାହଚର୍ଯ୍ୟ ଦ୍ବାରା ପ୍ରଜନନ ସମ୍ଭବ। ତେଣୁ ସେ ଗୋଟିକ ପରେ ଗୋଟିଏ ଶଯ୍ୟାସଂଗିନୀ ବ୍ୟବସ୍ଥା କ​‌େ​‌ଲ। କୌଣସି ସମୟରେ ଚିନ୍ତା କ​‌େ​‌ଲନି ଯେ ତାଙ୍କର ବା ସ୍ତ୍ରୀର ପ୍ରଜନନ ସାମର୍ଥ୍ୟ ଅଛି ନା ନାହିଁ। ସନ୍ତାନସନ୍ତତିର ସ୍ବପ୍ନ ସ୍ବପ୍ନରେ ରହିଗଲା।
ଶିଳ୍ପର ଅଭିବୃଦ୍ଧ ପାଇଁ ବା କୃ​‌ଷି ବିକାଶ ପାଇଁ ସର୍ବାଗ୍ରେ ଆବଶ୍ୟକ ଏହି ମାନସିକତା। ଏକ ବାତାବରଣ। ତା’ପର ଅର୍ଥ, ପାରିପାର୍ଶ୍ବ, ସହଯୋଗ ଓ ଯୋଗ୍ୟତା। ଆମ ରାଜ୍ୟ ଗତ ଦଶନ୍ଧି ଧରି ଶିଳ୍ପ ବିକାଶରେ ଲାଗିଛି। ପଦଯାତ୍ରା, ସହର ପରିକ୍ରମା, ଦେଶବିଦେଶ ଗସ୍ତ, ବିଭିନ୍ନ ଆଲୋଚନା, ପର୍ଯ୍ୟାଲୋଚନା ମାଧ୍ୟମରେ ପୁଞ୍ଜିନିବେଶ ଲାଗି ଧନାଢ଼୍ୟ ଅନୁଷ୍ଠାନମାନଙ୍କୁ ଆକର୍ଷଣ କରାଯାଉଛି। ଚୀନ, ଜାପାନ, ଇଣ୍ଡୋନେସିଆ, ଫିଲିପାଇନ୍‌ସ ପ୍ରଭୃତି ଦେଶରେ ପୁଞ୍ଜିନିବେଶ ଲାଗି ବାତାବରଣ ସୃଷ୍ଟି କରାଯାଉଛି। ଏବେ ଫ୍ରାନ୍ସ ସହ ମଧ୍ୟ ବୁଝାମଣା କରାଯାଇଛି। ଔଦ୍ୟୋଗିକତା ବୃଦ୍ଧି ପାଇଁ ରାଜନେତା, ବ୍ୟୁରୋକ୍ରାଟ ବା ଜନସାଧାରଣ କଅଣ ବୁଝୁଛନ୍ତି? ଦଶ ବର୍ଷ ଘଣା ପେଲିବା ପରେ ପୋସ୍କୋ ଅପମାନିତ ହୋଇ ଫେରିଗଲା- ଶହଶହ କୋଟିଟଙ୍କା ଖର୍ଚ୍ଚ କଲାପରେ ମଧ୍ୟ। ଅଭିବୃଦ୍ଧିର ମଙ୍ଗୁଆଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥରେ ମାତ୍ର ପାରାଦ୍ବୀପ ଅଞ୍ଚଳକୁ ଯାଇ ଜନସାଧାରଣଙ୍କୁ ବୁଝାଇବା ଢଙ୍ଗରେ ଦି’ ପଦ କଥା ହେଲେ? ତାଙ୍କ ପିତା ବିଜୁ ପଟ୍ଟନାୟକ ଓ ସେ ଯଦି ଓଡ଼ିଶାର କୌଣସି ଅଞ୍ଚଳରେ ଅଧିକ ଲୋକପ୍ରିୟ, ତା’ହେଲା ପାରାଦ୍ବୀପ ଭୂଖଣ୍ଡ। ପ୍ରଥମେ ସରକାର ସ୍ଥିର କରନ୍ତୁ ସେ କେଉଁ ଶିଳ୍ପ ପ୍ରତିଷ୍ଠା ଚାହୁଁଛନ୍ତି। ସେ ଶିଳ୍ପର ପୁଞ୍ଜିନିବେଶର ଆକାର କେତେ ହେବା ଆବଶ୍ୟକ। ତାହାର ନିଯୁକ୍ତି ସୃଷ୍ଟିର ସଂଭାବନା କେତେ। ଆମ ଯୁବଶକ୍ତି ନିକଟରେ ଶିକ୍ଷା ଓ ଆବଶ୍ୟକ ଦକ୍ଷତା ଅଛି କି? ଶିଳ୍ପ ପ୍ରତି ହେବାକୁଥିବା ସ୍ଥାନରେ ପରିପାର୍ଶ୍ବର ସୁବିଧା ସହଯୋଗ ମିଳିବ କି ନାହିଁ। ଏହିପରି ଅସରନ୍ତି ଆବଶ୍ୟକତା ଅଛି ଯାହା ପ୍ରତି ଧ୍ୟାନ ଦିଆଯାଏ ନାହିଁ ଏବଂ ଶିଳ୍ପର ଅର୍ଥ ବୁଝାଯାଏ ଅତି ବଡ଼ ପ୍ଲାଣ୍ଟ- ଷ୍ଟିଲ୍‌ପ୍ଲାଣ୍ଟ୍‌, ନାଲକୋ, ଏନଟିପିସି ଇତ୍ୟାଦି। ଏହାଦ୍ବାରା ଅତି ଅଳ୍ପ କ୍ଷେତ୍ରରେ ପୁଞ୍ଜି ସୃଷ୍ଟି କରାଯାଇ ପାରିବ; କିନ୍ତୁ ସମଗ୍ର ଜନସମାଜର ଆର୍ଥିକ ବିକାଶ ଅସଂପର୍କିତ ରହିଯିବ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ହିଁ କର୍ମସଂସ୍ଥାନ କରିବାର ମାଧ୍ୟମ ହୋଇପାରେ, ମାତ୍ର ୨୦୧୬ର ପରିସଂଖ୍ୟାନରୁ ଜଣାପଡ଼େ ଯେ ବୌଦ୍ଧ ଜିଲାରେ ନିଯୁକ୍ତି ଲକ୍ଷ୍ୟ ଧାର୍ଯ୍ୟ ଥିଲା ୫୫୦୦; କିନ୍ତୁୁ ନିଯୁକ୍ତି ପାଇଲେ ୨୯୯ଜଣ। ସୋନପୁରରେ ଧାର୍ଯ୍ୟ ଥିଲା ୪୪୦୦, ପାଇଛନ୍ତି ୪୨୩ଜଣ। ଗଜପତିରେ ୬୬୦୦ଙ୍କ ସ୍ଥାନରେ ନିଯୁକ୍ତି ମିଳିଛି ୩୯୪ ଜଣଙ୍କୁ। କାଳକ୍ରମେ ନିଯୁକ୍ତି ଦେଇଥିବା ସଂସ୍ଥା ଝାଉଁଳିଯିବେ ଓ ନିଯୁକ୍ତି ପାଇଥିବା ବ୍ୟକ୍ତିମାନେ ରାଜରାସ୍ତାକୁ ଫେରିଆସିବେ। ଅଭିଜ୍ଞତାରୁ କହୁଛି। ରାଜ୍ୟ, ସମାଜ, ସରକାରଙ୍କୁ ଦୋଷ ଦେଉନି। ସମୟ ଅନୁସାରେ ମାନସିକତା ସୃଷ୍ଟି ହୁଏ। ପ୍ରଶାସନର ଦିଗ୍‌ଦର୍ଶନ ଓ ପ୍ରୋତ୍ସାହନରେ ମାନସିକତା ପରିପୁଷ୍ଟ ହୁଏ।
ଖ୍ରୀଷ୍ଟାବ୍ଦ ୯୬୦ଠାରୁ ୧୨୭୯ ମଧ୍ୟରେ ଚୀନ ବିଶ୍ବର ଏକ ଅଗ୍ରଣୀ ରାଜ୍ୟଥିଲା। ସେଠାରେ ଘଣ୍ଟା ବାହାରିଥିଲା। ଚୀନାମାନେ କଂପାସ, ଗନପାଉଡ଼ର, କାଗଜ, କାଗଜତିଆରି ନୋଟ, ମାଟିପାତ୍ର ପ୍ରଭୃତି ଉଦ୍ଭାବନ କରିଥିଲେ। ଏମିତିକି ବ୍ଲାଷ୍ଟ ଫ​‌େ​‌ର୍ଣ୍ଣସ ମଧ୍ୟ ତିଆରି କରିଥିଲେ। ୧୫୦୦ ଖ୍ରୀଷ୍ଟାବ୍ଦ ବେଳକୁ ଇଉରୋପୀୟମାନଙ୍କ ଆର୍ଥିକ ଅବସ୍ଥା ସହିତ ତାଙ୍କର ଆର୍ଥିକ ଅବସ୍ଥା ତୁଳନୀୟ ଥିଲା। ତା’ପରେ ‘ସଙ୍ଗ୍‌’ ‘ମିଙ୍ଗ୍୍‌’ ଓ ‘କୁଇଙ୍ଗ’ ବଂଶ ଶାସନକୁ ଆସିଲେ। ଚୀନ ପରିବର୍ତ୍ତନର ଗତିରୋଧ କଲା। ଯେଉଁ ଚୀନ ୧୪୦୨ ମସିହାରେ ଆଡ଼ମିରାଲ ଜେଙ୍ଗ୍‌ ହିଙ୍କ ନେତୃତ୍ବରେ ୨୭୮୦୦ ନାବିକଙ୍କସହ ୬୨ଟି ବଡ଼ ଜାହାଜ ନେଇ ଦକ୍ଷିଣ ଏସିଆ, ଆରବ, ଆଫ୍ରିକା ପର୍ଯ୍ୟନ୍ତ ଯାଇଥିଲା ତାହା ପରବର୍ତ୍ତୀ ବର୍ଷମାନଙ୍କରେ ଜଳଯାତ୍ରାକୁ ସଂପୂର୍ଣ୍ଣ ନିଷେଧ କଲା। ୧୬୬୧ ମସିହାରେ ସମ୍ରାଟ କାଙ୍ଗସି ଦକ୍ଷିଣ ଚୀନର ସମୁଦ୍ର କୂଳରେ ୧୭ମାଇଲ ସ୍ଥଳ ପର୍ଯ୍ୟନ୍ତ କୌଣସି ବାଣିଜ୍ୟିକ କାରବାର କରାଯାଇପାରିବ ନାହିଁ ବୋଲି ଆଇନ କଲେ। ଏହା ସେହି ସମୟର କଥା ଯେତେବେଳେ ଇଂରେଜମାନେ ଆମେରିକାରେ ପ୍ରାଧାନ୍ୟ ବିସ୍ତାର କରି ଚାଲିଥିଲେ, ଭାରତ ଭୂଖଣ୍ଡରେ ପ୍ରତିଷ୍ଠିତ ହେବାକୁ ଲାଗିଥିଲେ। ଫରାସୀମାନେ ମଧ୍ୟ। ସ୍ପେନୀୟମାନେ ଦକ୍ଷିଣ ଆମେରିକାରୁ ଧନଲୁଣ୍ଠନ କରି ଧନଶାଳୀ ହେବାରେ ଲାଗିଥିଲେ। ପର୍ତ୍ତୁଗୀଜମାନେ କଙ୍ଗୋରେ ଓ ଡଚମାନେ ଜାଭା, ସୁମାତ୍ରା, ବାନ୍ଦା ଦ୍ବୀପରେ ବ୍ୟବସାୟ ବାଣିଜ୍ୟକରି ଜୀବନର ମାନ ବୃଦ୍ଧି କରିଚାଲିଥିଲେ ଏବଂ ଆମେ ଚାଇନିଜ, ଭାରତୀୟ, ଜାପାନିଜ୍‌ ଓ ଅନ୍ୟ ଏସୀୟ ରାଜ୍ୟମାନେ ଦୁଃସ୍ଥ, ଅସମ୍ପର୍କିତ, ଚେତନାଶୂନ୍ୟ ଭାବରେ ଧର୍ମ, ଜାତି, ରାଜଭକ୍ତିର ହୀନ ଭାବର ଉପାସକ ଥିଲୁ।
ଜାପାନର ଜ୍ଞାନୋଦୟ ହେଲା ୧୮୫୩ରେ କମୋଡ଼ର ପେଇଙ୍କର ସାମୁଦ୍ରିକ ଆକ୍ରମଣ ଓ ପରାଜୟ ପରେ ଏବଂ ‘ମେଇଜି ବିପ୍ଳବ’ ଦ୍ବାରା ସମଗ୍ର ବ୍ୟବସ୍ଥାର ପୁନର୍ଗଠନ ଦ୍ବାରା। ପ୍ରାୟ ସମସ୍ତ ଅନୁଷ୍ଠାନ ନୂତନ ଜୀବନ ପାଇଲା ପ୍ରଗତିର ନୂଆ ମନ୍ତ୍ରରେ। ଚୀନ ଦୁଇଟି ଅଫିମ ଯୁଦ୍ଧରେ ବ୍ରିଟେନଠାରୁ ପରାଜିତ ହେବାପରେ ବାହ୍ୟ ଶକ୍ତିସହ ଅପମାନଜନକ ସର୍ତ୍ତରେ ବ୍ୟବସାୟ କରିବାକୁ ବାଧ୍ୟ ହୋଇଥିଲେ ମଧ୍ୟ ଅନ୍ତରାତ୍ମାରେ ବହ୍ନି ଅବଦମିତ ଥିଲା। ୧୯୪୯ରେ ଚ୍ୟାଙ୍ଗ୍‌ କାଇସେକ୍‌ଙ୍କ ପରାଜୟ ପରେ ମାଓ ସେ ତୁଙ୍ଗଙ୍କ ନେତୃତ୍ବରେ କମ୍ୟୁନିଷ୍ଟ କ୍ଷମତାକୁ ଆସିଲା। ନିରଙ୍କୁଶ କ୍ଷମତା ପ୍ରୟୋଗରେ ଗ୍ରେଟ ଲିପ ଫରୱାର୍ଡ ଓ କଲଚରାଲ ରି​‌େ​‌ଭାଲ୍ୟୁସନ ପ୍ରଭୃତି ଦ୍ବାରା ଲକ୍ଷଲକ୍ଷ ଲୋକଙ୍କ ପ୍ରାଣହାନି ଘଟିଲା। କୃଷିରୁ ଶିଳ୍ପ ଅଭିବୃଦ୍ଧି ଲାଗି ଚେଷ୍ଟା ଆଶାନୁରୂପ ଫଳବତୀ ହେଲାନାହିଁ। ମାଓଙ୍କ ମୃତ୍ୟୁ ହେଲା ୧୯୭୬ରେ। ଡେଙ୍ଗ ସିଆଓ ପିଙ୍ଗ୍‌, ଅନେକ ଉତ୍‌ଥାନ ପତନ ପରେ ୧୯୮୨ ବେଳକୁ କ୍ଷମତାର କର୍ଣ୍ଣଧାର ବନି ସାରିଥିଲେ। ଚୀନର ପ୍ରାୟ ସମସ୍ତ ଅର୍ଥନୈତିକ ସଂସ୍କାର ତାଙ୍କରି ପ୍ରଚେଷ୍ଟାରେ ହିଁ ହୋଇ ଚାଲିଥିଲା। ଏକ ‘ପାରାଡାଇମ୍‌ ପରିବର୍ତ୍ତନ ହେଲା। ମୂଳ ମନ୍ତ୍ର ଥିଲା- ‘ସିକ୍‌ ଟ୍ରିଥ୍‌ ଫ୍ରମ ଫ୍ୟାକ୍ଟସ’ ଆଉ ଗୋଟିଏ କଥା ଡେଙ୍ଗ୍‌ କହିଥିଲେ, ବିଶ୍ବର କୌଣସି ଦେଶ, ଯେ କୌଣସି ଶାସନ ବ୍ୟବସ୍ଥାରେ ଥିଲେ ବି, ଝରକା କବାଟ ବନ୍ଦ କରି ଆଧୁନିକତାର ସ୍ପର୍ଶ ପାଇପାରିବ ନାହିଁ। ଏହିପରି ସଂପୂର୍ଣ୍ଣ ଭିନ୍ନ ଚିନ୍ତାଧାରା ପାଇଁ ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିଥିଲା। ୧୯୬୭ରେ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ସେ ସବୁବେଳେ ମାଓଙ୍କ ସନ୍ଦେହ ଚକ୍ଷୁରେ ରହୁଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀ ଚାଉ ଏନ ଲାଇ ମାଓଙ୍କୁ ପ୍ରଭାବିତ କରି ତାଙ୍କୁ ଜେଲମୁକ୍ତ କଲେ ୧୯୭୫ରେ। ନିଚ୍ଛକ ବାମପନ୍ଥୀ ଚିନ୍ତାଧାରା ତାଙ୍କୁ ଶ୍ବାସରୁଦ୍ଧ କରୁଥିଲା। ସେ ସଂସ୍କାର ଚାହଁୁଥିଲେ। ଫଳପ୍ରଦ ବ୍ୟବସ୍ଥା ଆଶା କରୁଥିଲେ। ମାଓ ଓ ଚାଉ ଏନଲାଇଙ୍କ ପ୍ରାୟ ଏକ ସମୟରେ ହେଲା ମୃତ୍ୟୁ ଏବଂ ହୁଆ ଗୋଫେଙ୍ଗ ସର୍ବୋଚ୍ଚ କ୍ଷମତାକୁ ଆସିଲେ। ଡେଙ୍ଗଙ୍କ ମୌଳିକ ଚିନ୍ତାଧାରା ଓ ଆକର୍ଷଣୀୟ ବାସ୍ତବ ଚିନ୍ତାଧାରା ନିକଟରେ ସେ ନିଷ୍ପ୍ରଭ ହୋଇଆସୁଥିଲେ। ଏବେ ବିଶ୍ବ ଆଡ଼କୁ ମୁଣ୍ଡ ଟେକି ଦେଖିବା ପରି ଅବସ୍ଥାକୁ ଚୀନ ଆସିଛି। ସମୃଦ୍ଧିର ହାର ସମଗ୍ର ବିଶ୍ବରେ ସର୍ବାଧିକ। ବିକାଶର ସବୁ କ୍ଷେତ୍ରରେ। ୨୦୦୯ରେ ପୁଞ୍ଜି ନିବେଶ ଥିଲା ୨୭ ଟ୍ରିଲିଅନ ଡଲାର। ତାହା ଏବେ ପହଞ୍ଚିଲା ୭୦ ଟ୍ରିଲିଅନ ଡଲାରରେ। (ଏକଲକ୍ଷ କୋଟିରେ ଏକ ଟ୍ରିଲିଅନ ହୁଏ) ଡେଙ୍ଗ ଯେତେବେଳେ ଝରକା କବାଟ ଖୋଲା ରଖିବା ଯୁକ୍ତି ବାଢ଼ିଥିଲେ, ରକ୍ଷଣଶୀଳଙ୍କ ପ୍ରତିକ୍ରିୟା ଥିଲା ଯେ ମଶା ଓ ମାଛି ପ୍ରବେଶ କରିବେ। ଡେଙ୍ଗଙ୍କ ଉତ୍ତରଥିଲା ନିଜକୁ ସୁରକ୍ଷା ଦେବାକୁ ଏକ ନୂତନ ବାସ୍ତବ ମିଳିବ। ଡେଙ୍ଗଙ୍କ ପରେ ଜିଆଙ୍ଗ ଜେମିନ ସୂଚନା ଓ ପ୍ରଯୁକ୍ତି ବିଦ୍ୟାକୁ ଅଧିକ ଧ୍ୟାନ ଦେଲେ। ନବେ ଦଶକର ଅଙ୍କୁରୋଦଗମ ଏକବିଂଶ ଶତାବ୍ଦୀରେ ସମଗ୍ର ବିଶ୍ବବ୍ୟାପି କାୟା ବିସ୍ତାର କରିସାରିଲାଣି।
ମ୍ୟାକ୍‌ ଚିନ୍‌ସି କମ୍ପାନୀଙ୍ ମତରେ ସମଗ୍ର ବିଶ୍ବରେ ବିଳାସ ସାମଗ୍ରୀ କ୍ରୟର ଏକ-ତୃତୀୟାଂଶ ଚାଇନିଜମାନେ ହିଁ କରନ୍ତି। ମାତ୍ର ୧୦ବର୍ଷ ତଳେ ଚାଇନିଜ୍‌ମାନଙ୍କ କ୍ରୟଶକ୍ତି ୩% ଥିଲା। ଏମାନଙ୍କର କ୍ରୟ କ୍ଷମତା କେବଳ ବିଶ୍ବବଜାରମାନଙ୍କରେ ପ୍ରତିଧ୍ବନିତ ହେଉଛି, ତାହା ନୁହେଁ; ବିଶ୍ବର ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ, ବିଜ୍ଞାନାଗାର, ଶିଳ୍ପକ୍ଷେତ୍ରରେ ସେମାନେ ନିଜର ଉପସ୍ଥିତି ଜାହିର କରିଚାଲିଛନ୍ତି। ୨୦୦୬ରୁ ୨୦୧୬ ମଧ୍ୟରେ ଚାଇନିଜ୍‌ ଶିକ୍ଷାର୍ଥୀଙ୍କ ସଂଖ୍ୟା ବିଦେଶୀ ଶିକ୍ଷାନୁଷ୍ଠାନମାନଙ୍କରେ ବୃଦ୍ଧି ପାଇ ୩୨୦୦୦୦ରେ ପହଞ୍ଚିଛି। ପୂର୍ବ ସଂଖ୍ୟାର ୫ଗୁଣ ବୃଦ୍ଧି। ଡେଙ୍ଗ ୧୯୭୮ରେ ‘ସଂସ୍କାର ଓ ଖୋଲା ଦ୍ବାର’ ପଲିସି ଗ୍ରହଣ କରିଥିଲେ। ୪୦ ବର୍ଷରେ ପ୍ରତିକ୍ଷେତ୍ରରେ ‘ଆଲିବାବା’ଙ୍କ ପରି ଚମତ୍କାର। ନାମିବିୟା, ନାଇଜେରିଆ, କଙ୍ଗୋଠାରୁ ଆରମ୍ଭକରି ଫ୍ଲରେନସ୍‌, ମିଲାନ, ୱାଶଂିଟନ, ନ୍ୟୁୟର୍କ ପର୍ଯ୍ୟନ୍ତ ଚାଇନିଜମାନେ ଯେମିତି ଏକ ମନ୍ତ୍ରରେ ଦୀକ୍ଷିତ, ଏକ ମିଶନରେ ଅନୁପ୍ରାଣିତ। ୧୯୪୯ରେ କମ୍ୟୁନିଷ୍ଟ ଶାସନକୁ ଆସିବା ପରଠାରୁ ମାଓଙ୍କ ୧୯୭୬ରେ ମୃତ୍ୟୁପର୍ଯ୍ୟନ୍ତ ଚୀନ କେବଳ ରକ୍ତସ୍ନାତ ହୋଇଥିଲା। ବିକାଶର ଆଲୋକପାତ ହେଲା କେବଳ ଡେଙ୍ଗ ସିଆଓ ଫିଙ୍ଗଙ୍କ ଆବିର୍ଭାବ ପରେ। ଅର୍ଥନୀତିର ନୂତନ ଦିଗଦର୍ଶନକୁ ୪୦ବର୍ଷ ମଧ୍ୟ ହୋଇନାହିଁ। ଅର୍ଥନୀତିଜ୍ଞଙ୍କ ମତାନୁସାରେ ଚୀନ ଅର୍ଥନୀତି ୧୦ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇଦେବ।
ଆମ ଅର୍ଥନୀତି ଓ ରାଜନୀତି ପରିଚାଳନାରେ ଭୋଟର ଭୂମିକା ଏତେ ଅର୍ଥପୂର୍ଣ୍ଣ ଯେ ଆମେ ଟଙ୍କିକିଆ, ଦି’ଟଙ୍କିଆ ଚାଉଳ ବାର୍ଦ୍ଧକ୍ୟ ଭତ୍ତା, ବିଧବାଭତ୍ତା, ଛତା, ଜୋତା, ସାନିଟାରୀ ନାପକିନ୍‌ଠାରୁ ସରକାରୀ କାର୍ଯ୍ୟାବଳିକୁ ମୁକ୍ତ କରିପାରୁନୁ। ମୋଦୀ ଥାଳ ଧରି ବିଶ୍ବବ୍ରହ୍ମାଣ୍ଡ ବୁଲୁଛନ୍ତି, ନବୀନ ଯେଉଁ ସହରକୁ ଯାଉଛନ୍ତି ସେଠାର ପୁଞ୍ଜିନିବେଶର ଆୟୋଜନ, କିନ୍ତୁ ପୁଞ୍ଜିର ପାହାଡ଼ ଉପରେ ଆସନ ଜମାଇଥିବା ଧନାଢ଼୍ୟ କୁବେରମାନେ ଧନ ଆୟନର ମୂଳମନ୍ତ୍ର କେବେ ପାସୋରି ନ ଥାନ୍ତି- ଟଙ୍କାଟିଏ ପକାଅ, ଦୁଇଟଙ୍କା ଆୟର ସମ୍ଭାବନା ଦେଖ। ଆଦାମ ସ୍ମିଥଙ୍କଠାରୁ ଏପର୍ଯ୍ୟନ୍ତ କୌଣସି ଅର୍ଥନୀତିଜ୍ଞ ଏହାଠାରୁ ଭିନ୍ନ କଥା କହିନାହାନ୍ତି। ନିବେଶର ଆଶ୍ବାସନା କେବଳ ପିଠି ଥାପୁଡ଼ାଉଥିବା କାର୍ଯ୍ୟ। ବେକାରୀ ସମସ୍ୟା ଉଗ୍ର ହୋଇଚାଲୁଛି। କୃଷି ତୁଣ୍ଡରେ ଦାନା ଦେଇପାରିବ, ସମୃଦ୍ଧି ଦେଇପାରିବ ନାହିଁ। ସମୃଦ୍ଧି କିଏ ଦେଇପାରିବ, କେମିତି ଦେଇପାରିବ ତାହା ଚୀନଠାରୁ ଶିଖ।

Leave A Reply