ବିଶୃଙ୍ଖଳିତ ପରିବାର, ଅସହାୟ ସମାଜ

0

ତୁଳସୀ ଜୈନ

ଯୁଗେଯୁଗେ ବିନମ୍ରତା, ସେବା ଓ ଶିଷ୍ଟାଚାର ଆଦି ମହତ୍‌ଗୁଣ ଭାରତୀୟ ସଂସ୍କୃତିକୁ ଋଦ୍ଧିମନ୍ତ କରିଆସିଛି। ସଂସ୍କାର ଦୃଷ୍ଟିରୁ ସାମାନ୍ୟ ଅବକ୍ଷୟ ଆସିଛି ଏହା ସତ୍ୟ, କିନ୍ତୁ ବାପା, ମାଆ ଓ ଗୁରୁଜନଙ୍କ ପ୍ରତି ସହଜ ସମ୍ମାନବୋଧ ଏବେ ମଧ୍ୟ ଆମ ମଧ୍ୟରେ ଜୀବିତ। ପରିବାର ରୂପକ ଶକ୍ତି ଆମକୁ ଏକ ସୁରକ୍ଷା ବଳୟ ପ୍ରଦାନ କରିଆସିଛି। ବିଂଶ ଶତାବ୍ଦୀର ଅନ୍ତିମ ଦଶନ୍ଧିରେ ବ୍ରିଟେନ ଓ ଅାମେରିକାରେ ଅନୁଷ୍ଠିତ ନିର୍ବାଚନଗୁଡ଼ିକ ପରିବାର ବ୍ୟବସ୍ଥାକୁ ରକ୍ଷା କରିବା ପ୍ରସଙ୍ଗକୁ ନେଇ ସରଗରମ ଥିଲା। ପାରିବାରିକ ବିଘଟନ ଦ୍ବାରା ଏହି ସମୃଦ୍ଧ ଦେଶମାନେ ଆନ୍ତରିକ ସ୍ତରରେ ଦୁର୍ବଳ ହୋଇପଡ଼ିଥାନ୍ତି। ପତି-ପତ୍ନୀ ମଧ୍ୟରେ ଭାବାତ୍ମକ ଦୂରତା, ଏକାକୀପଣ, ଶିଶୁମାନଙ୍କ ଦୁର୍ଦଶା, ସେମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଅସମ୍ବେଦନଶୀଳତା ଏବଂ ବୟୋଜ୍ୟୋଷ୍ଠଙ୍କ ଉପେକ୍ଷା- ଏ ସବୁ ମିଶି ଏହି ବିକଶିତ ରାଷ୍ଟ୍ରମାନଙ୍କୁ ରୁଗ୍‌ଣ କରିଛନ୍ତି।
ଅନ୍ୟ ପକ୍ଷରେ ସଂଯୋଗ ଓ ବିୟୋଗ ବା ଶିଶୁଜନ୍ମର ସଙ୍ଗୀତ ଏବଂ ମୃତ୍ୟୁବେଳାର କ୍ରନ୍ଦନକୁ ବାଣ୍ଟି ଆମେ ଭାରତୀୟମାନେ ଉଲ୍ଲାସକୁ ବଢ଼ାଇଥାଉ ତଥା ବିଷାଦକୁ ହ୍ରାସ ମଧ୍ୟ କରିପାରିଥାଉ। ଏଥିସକାଶେ ଅନେକ ପ୍ରକାର ଚାପ, ଉତ୍ତେଜନା ଓ ଅବସାଦର ଉପସ୍ଥିତି ସତ୍ତ୍ବେ ବିକାଶଶୀଳ ଭାରତ ହେପିନେସ୍‌ ଇନ୍‌ଡେକ୍ସ ବା ପ୍ରସନ୍ନତାର ସୂଚକାଙ୍କ ଦୃଷ୍ଟିରୁ ବିକଶିତ ରାଷ୍ଟ୍ରମାନଙ୍କଠାରୁ ​‌େ​‌ଢର ଆଗରେ। ପରିବାର ହେଉଛି ଏପରି ଏକ ସାମାଜିକ ଧନ, ଯା’ର ଆକଳନ ବଜାରର ମୂଲ୍ୟସହିତ କରାଯାଇପାରିବ ନାହିଁ।
ତେବେ ଆକ୍ରାନ୍ତମାନଙ୍କ ବର୍ବର ଅତ୍ୟାଚାର ଯେଉଁ ଭାରତୀୟ ପରିବାର ନାମକ ସଂସ୍ଥାକୁ କ୍ଷତାକ୍ତ କରିପାରିନଥିଲା, ବର୍ତ୍ତମାନ ବସ୍ତୁବାଦ ଓ ଉପଭୋକ୍ତାବାଦର ତୀବ୍ର ପ୍ରବାହକୁ ସାମନା କରିବାରେ ଆମେ ସଂପୂର୍ଣ୍ଣ ବିଫଳ। ମଣିଷର ଲୋଭ ଓ ହିଂସା ବସୁଧାକୁ କାଙ୍ଗାଳ କରିଦେଇଛି। ଆଦିମ ସ୍ବଚ୍ଛନ୍ଦତା ଏବଂ ଅର୍ଥୋପାର୍ଜନର ଦୁର୍ବାର ଲାଳସା ଦ୍ବାରା ଆମେ ଆବିଷ୍ଟ। ଫଳରେ ସମ୍ବେଦନଶୂନ୍ୟତା ଏବଂ ମୂଲ୍ୟବୋଧରେ ଅବକ୍ଷୟ ବଢ଼ିଛି। ଭାରତ ମହାଶକ୍ତି ହେବାରେ ଭଲା କେଉଁ ହତଭାଗା ଆପତ୍ତି କରିବ? କିନ୍ତୁ ବସୁଧୈବ କୁଟୁମ୍ବକମ୍‌ର କାଳଜୟୀ ସଂସ୍କାର ଯେପରି ଆମ ପରିବାର ମଧ୍ୟରେ ଅନ୍ତିମଶ୍ବାସ ନନେଉ। ପ୍ରସ୍ତର ଯୁଗରୁ ପରମାଣୁ ଯୁଗ ପର୍ଯ୍ୟନ୍ତ ବିକାଶର ପ୍ରଲମ୍ବିତ ଯାତ୍ରା ମଣିଷ କରିଚାଲିଛି, କିନ୍ତୁ ମସ୍ତିଷ୍କ ତୁଳନାରେ ଆମ ହୃଦୟର ସେତେ​‌ ବିକାଶ ହୋଇନି। ବାହ୍ୟ ସମୃଦ୍ଧି ସ୍ପଷ୍ଟ ପ୍ରତିଭାତ, କିନ୍ତୁ ଅନ୍ତର ଆମର ଖାଁ ଖାଁ କରୁଛି। ଅସୀମ ଉପଭୋଗ ହେଉଛି ଆଜିର ବଡ଼ ସମସ୍ୟା। ଆକାଙ୍‌କ୍ଷା, ଭୋଗ ଏବଂ ସଂଗ୍ରହ ଚେତନାସୀମିତ ନ ହେବାପର୍ଯ୍ୟନ୍ତ ସୁସ୍ଥ ସମାଜ ସଂରଚନାର ଲକ୍ଷ୍ୟ ସାଧିତ ହେବ ନାହିଁ। ଅସହିଷ୍ଣୁତା, ଅହଂକାର, ନକାରାତ୍ମକ ଚିନ୍ତନ, ଆକାଶ ସମ ଆକାଙ୍‌କ୍ଷା, ସ୍ବାର୍ଥ, ଲୋଭ ଏବଂ ଉଚ୍ଛୃଙ୍ଖଳତା ଆଦି ବ୍ୟକ୍ତିକୁ ଅପରାଧୀ କରି ଗଢ଼ିବା ସହିତ ସମାଜକୁ ଭୟାବହ କରିପକାଉଛନ୍ତି। ନି​‌େ​‌ମ୍ନାକ୍ତ ସତ୍ୟ ଘଟଣାଗୁଡ଼ିକରୁ ଏହା ଜାଣିହେବ।
ଛତିଶଗଡ଼ର ଦୁର୍ଗ ସହରର ଜନୈକ ଶିକ୍ଷିତ ଯୁବକ ତା’ର ଅନାବଶ୍ୟକ ଦାବି ପୂରା ନକରିବାରୁ ନିଜ ସମ୍ଭ୍ରାନ୍ତ ବାପାଙ୍କୁ ହତ୍ୟା କରିଛି। ମା’ ଦେଖି ପକାଇଥିବାରୁ ତାଙ୍କୁ ମଧ୍ୟ ମାରିଦେଇଛି। ଏକମାତ୍ର ପୁଅ ଏତେ ହିଂସ୍ର ହୋଇପାରେ, ଏହା ଦେଖି ସମାଜବିଜ୍ଞାନୀମାନେ ସ୍ତବ୍ଧ ଓ ହତଚକିତ। ଗୁଜରାଟ ରାଜକୋଟର ଜଣେ ବରିଷ୍ଠ ଅଧ୍ୟାପକ ନିଜ ଶଯ୍ୟାଶାୟିନୀ ଜନନୀଙ୍କ ଦୀର୍ଘ ଚିକିତ୍ସା କରି ଅତିଷ୍ଠ ହୋଇପଡ଼ିଛନ୍ତି ଏବଂ ନିଜ ଆପାର୍ଟମେଣ୍ଟର ଅନେକ ମହଲା ଉପରକୁ ତାଙ୍କୁ ଟାଣିନେଇ ତଳକୁ ଠେଲିଦେଇ ମାରି ଦେଇଛନ୍ତି। ଅସ​‌େ​‌ମ୍ବଦନଶୀଳତାର ଚରମସୀମା। ଦିଲ୍ଲୀ ରେୟାନ ପବ୍ଲିକସ୍କୁଲ ଏବଂ ଲକ୍ଷ୍ନୌର ବ୍ରାଇଟଲେଣ୍ଡ ପବ୍ଲିକ ସ୍କୁଲର ବିଦ୍ୟାର୍ଥୀ କେବଳ ଛୁଟି ପାଇବା ଲୋଭରେ ଆପଣାଆପଣା ସହପାଠୀମାନଙ୍କୁ ହତ୍ୟା କରିବାର ପ୍ରଚେଷ୍ଟା କରିଛନ୍ତି। ଅପ୍ରାପ୍ତବୟସ୍କ ଛାତ୍ରମାନଙ୍କ ଏହି କୁକୃତ୍ୟ ଦ୍ବାରା ଦିଲ୍ଲୀର ଛାତ୍ର ପ୍ରଦ୍ୟୁମ୍ନ ପ୍ରାଣ ହରାଇଛନ୍ତି। ଲକ୍ଷ୍ନୌର ଛାତ୍ରଙ୍କୁ ଜୀବନ ଓ ମୃତ୍ୟୁ ସହିତ ସଂଗ୍ରାମ କରିବାକୁ ପଡ଼ିଛି।
ହରିୟାଣାର ଯମୁନାନଗରସ୍ଥିତ ବିବେକାନନ୍ଦ ସ୍କୁଲର ଜଣେ ଦ୍ବାଦଶ ଶ୍ରେଣୀର ଛାତ୍ର ତା ପ୍ରିନ୍‌ସିପାଲଙ୍କ ରୁମ୍‌ରେ ପଶି ତାଙ୍କୁ ଗୁଳି କରି ହତ୍ୟାକରିଛି। ପ୍ରିନ୍ସିପାଲ ମହୋଦୟ ଏହି ବିଶୃଙ୍ଖଳିତ ଛାତ୍ରକୁ ସର୍ବସମକ୍ଷରେ କଠୋର ଭର୍ତ୍ସନା କରିଥିବାରୁ ମାତ୍ରାଧିକ ହଂିସ୍ରହୋଇ କିଶୋର ଜଣକ ଏହି ବର୍ବରକାଣ୍ଡ ଭିଆଇଛି। ଅଭିଯୁକ୍ତ ଛାତ୍ର ରିଏଲଇଷ୍ଟେଟ ବ୍ୟବସାୟୀ ପିତାଙ୍କ ପିସ୍ତଲରୁ ଗୁଳିଚାଳନା କରିଥିବା ପ୍ରକାଶ। ଭୋପାଲର ଉଦୟନ କଲେଜରେ ଆର୍ଟସ୍‌ ପଢ଼ିବାକୁ ଚାହୁଁଥିଲା। ଉଚ୍ଚାଭିଳାଷୀ ବାପା ମୋଟା ଅନୁଦାନ ଦେଇ ଇଞ୍ଜିନିୟରିଙ୍ଗ କଲେଜରେ ନାଆଁ ଲେଖାଇଦେଲେ। ନଥିଲା ସାମର୍ଥ୍ୟ, ରୁଚି ମଧ୍ୟ ନଥିଲା। ପରୀକ୍ଷାରେ ଫେଲ୍‌ ହେଲା। ଏହି ନଗ୍ନ ବାସ୍ତବିକତାକୁ ବାପାମାଆଙ୍କୁ ଖୋଲା କହି ନପାରି ସେମାନଙ୍କୁ ହତ୍ୟାକଲା। ପିଲାଙ୍କ କ୍ଷମତାର ଯଥାର୍ଥ ଆକଳନ କରି ନପାରି ନିଜ ବଡ଼ବଡ଼ ସ୍ବପ୍ନକୁ ସାକାର କରିବା ନିଶାରେ ଅଭିଭାବକମାନେ ନିଜ ସନ୍ତାନକୁ ଆତ୍ମହତ୍ୟା କରିବା ପାଇଁ କିମ୍ବା ହତ୍ୟା କରିବା ପାଇଁ ପରୋକ୍ଷରେ ବାଧ୍ୟ କରୁଛନ୍ତି। ପୁଅଝିଅଙ୍କ ସୀମିତ ସାମର୍ଥ୍ୟଜନିତ ନିର୍ମମ ବାସ୍ତବିକତାକୁ ସେମାନେ ହଜମ କରିପାରୁନାହାନ୍ତି।
ସମାଜ ଆଜି ନିମ୍ନଗାମୀ। କେଉଁଠାରେ ତା’ ପାଦ ଥମିବ କହିହେଉନାହିଁ। ଆଦର୍ଶ କେବଳ ତୁଣ୍ଡରେ, ମସ୍ତିଷ୍କ ଓ ହୃଦୟକୁ ଅହଂକାର ଓ ମମକାର ଗ୍ରାସ କରିଛି। ‘ମୁଁ ଓ ମୋର’ ଭାବ ସାର୍ବଭୌମ। ଉଡ଼ିବା ପାଇଁ ଆକାଶକୁ ଦେଖୁଛୁ, କିନ୍ତୁ ପାଦତଳେ ଜମିନାହିଁ।’ ମୂଲ୍ୟବୋଧର ଅଭାବଯୋଗୁଁ ବ୍ୟକ୍ତି ଚେତନା ମଳିନ, ସମାଜ ରୁଗ୍‌ଣ ଏବଂ ରାଷ୍ଟ୍ର ଆଜି ଅସହାୟ। ପରବର୍ତ୍ତୀ ପିଢ଼ି କେବଳ ନିଜ ପାଇଁ ଚିନ୍ତିତ, ପରିବାର ନାମକ ସଂସ୍ଥାକୁ ଶବ୍ଦକୋଷରେ ସ୍ଥାନିତ କରି ସେମାନେ ଆଶ୍ବସ୍ତ। ନିଜ ପାଇଁ ତଥା ଅନ୍ୟମାନଙ୍କ ସହିତ ମିଳିମିଶି ରହିବା ସକାଶେ ଆବଶ୍ୟକ ‘ସମଝ’ ଓ ‘ସମ୍‌ଝୋତା’। ମନୀଷୀବର୍ଗ ସାମାଜିକ, ଆର୍ଥିକ ଏବଂ ଆନ୍ତରିକଭାବକୁ ନେଇ ବିଚାରବିମର୍ଶ କରିଚାଲିଛନ୍ତି, କିନ୍ତୁ ମାନବୀୟ ଆବେଗ ଓ ଆକାଙ୍‌କ୍ଷା ଆକଳନ କରିବାରେ ସେମାନେ ବିଫଳ ଜଣାପଡ଼ୁଛନ୍ତି। ପରିବାର ଭିତରୁ ଏହାର ଉପଚାର ଖୋଜିଲେ ସମସ୍ୟାର ସମାଧାନ ବାହାରିବାର ସମ୍ଭାବନା ରହିଛି। ବଡ଼ମାନଙ୍କୁ ସମ୍ମାନ, ଛୋଟମାନଙ୍କ ଭାବନାର ସମାଦର, ଶିଶୁମାନଙ୍କ ମଧ୍ୟରେ ସଂସ୍କାର ଏବଂ ଅନାବଶ୍ୟକ ଖର୍ଚ୍ଚ ପ୍ରତି ସତର୍କତା ଅବଲମ୍ବନ କରିବା ଦ୍ବାରା ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧିର ସ୍ଥାୟୀ ବସତି ସମ୍ଭବପର। ପରିବାର ମଧ୍ୟରେ ସମସ୍ତେ ସବୁ କଥାରେ ଏକମତ ହେବା ଆବଶ୍ୟକ ନୁହେଁ। ମତଭେଦ ହେଉଛି ସମାଜର ଆଭୂଷଣ ଏବଂ ତାହା ପ୍ରଗତିର ମାର୍ଗ ପ୍ରଶସ୍ତ କରିଥାଏ। ତେବେ ମତଭେଦ, ମନଭେଦରେ ଯେପରି ପରିଣତ ନହୁଏ। ଅତୀତରେ ହିଂସା ଥିଲା, ପ୍ରତାରଣା ବି ରହିଥିଲା, କିନ୍ତୁ ତାହା ବିସ୍ତୀର୍ଣ୍ଣ ସମୁଦ୍ର ମଧ୍ୟରେ ଏକ ଛୋଟ ଟାପୁ ଆକାରରେ ଥିଲା। ଭାରତୀୟ ସମାଜ ଥିଲା ସରଳ ଓ ନିଶ୍ଛଳ। ଆମେରିକାରୁ ଫେରି ସ୍ବାମୀ ବିବେକାନନ୍ଦ ସ୍ପଷ୍ଟ ଘୋଷଣା କରିଥିଲେ- ଚିକାଗୋ ଯିବା ପୂର୍ବରୁ ମୁଁ ଭାରତକୁ ପ୍ରେମ କରୁଥିଲି, କିନ୍ତୁ ସେଠାରୁ ପ୍ରତ୍ୟାବର୍ତ୍ତନ କରିବାପରେ ଭାରତକୁ ପୂଜା କରିବାକୁ ଇଚ୍ଛା ହେଉଛି।
ମୁଖ୍ୟ ପ୍ରଶ୍ନ ହେଉଛି ସମାଜରେ ଲାଗିଥିବା ବର୍ବରତାର ଦାଗକୁ କିପରି ଲିଭାଇବା? ଆଘାତ ସହି ପାରୁନଥିବା ଏବଂ ଅନୁକୂଳ-ପ୍ରତିକୂଳ ପରିସ୍ଥିତି ସହିତ ଖାପ ଖୁଆଇବାରେ ଯିଏ ସମର୍ଥ ନୁହେଁ, ତାହା ଯୌବନ ହୋଇନପାରେ। ଗୁରୁଜନଙ୍କ ପ୍ରତି ବିନମ୍ର ସମ୍ଭ୍ରମତା, ପରିବାର ଓ ସମାଜ ମଧ୍ୟରେ ସୁସ୍ଥ ବାତାବରଣ ନିର୍ମାଣ କରିଥାଏ। ଗତକାଲିର ସ୍ଖଳନ ଏବଂ ଆସନ୍ତାକାଲିର ଉନ୍ମାଦନା ମଝିରେ ‘ଆଜି’ ନାମକ ଅଦ୍ଭୁତ ସମ୍ଭାବନା ବିଦ୍ୟମାନ। ଏହି ବର୍ତ୍ତମାନର ଅଭିନନ୍ଦନ ହେଉ। ଆମେ ଅତୀତକୁ ବଦଳାଇ ପାରିବା ନାହିଁ, କିନ୍ତୁ ଅନାଗତର ନିର୍ମାଣ ଆମ ସାମର୍ଥ୍ୟ ଭିତରେ। ସମସ୍ୟାର ମୂଳକୁ ଯାଇ ସମାଧାନର ମାର୍ଗ ଅନୁସନ୍ଧାନ ସହିତ କରୁଣା, ମୈତ୍ରୀ ଏବଂ ସାମଗ୍ରିକ ଚେତନାର ନିରନ୍ତର ବିକାଶ ଘଟିଲେ ସମାଜର କାୟାକଳ୍ପ ହେବ, ଅସଭ୍ୟତା ଓ ବର୍ବରତାର ରୂପାନ୍ତରଣ ହେବ, ତଥା କୋମଳ, ସମ୍ବେଦନଶୀଳ, ପବିତ୍ର ସମାଜର ମୂଳଦୁଆ ପଡ଼ିବ। ଏଥିପାଇଁ ପରିବାର ହିଁ ଉପଯୁକ୍ତ ଗବେଷଣାଗାର।
ତୁଷରା, ବଲାଙ୍ଗିର,
tulsijain4@gmail.com

Leave A Reply