ନୋବେଲ ଶାନ୍ତି ପୁରସ୍କାର

0

ଚଳିତବର୍ଷର ନୋବେଲ ଶାନ୍ତି ପୁରସ୍କାର ପାଇଁ କଙ୍ଗୋର ଜଣେ ସ୍ତ୍ରୀରୋଗ ବିଶେଷଜ୍ଞ ଡକ୍ଟର ଡେନିସ୍‌ ମୁକ୍‌ୱେଗେ ଏବଂ ଇରାକର କୁର୍ଦ୍ଦ ଭାଷାଭାଷୀ (ୟାଜିଦି) ଲୋକଙ୍କ ମାନବାଧିକାର ସୁରକ୍ଷା ନିମନ୍ତେ କାମ କରୁଥିବା ନାଦିଆ ମୁରାଦ ମନୋନୀତ ହୋଇଛନ୍ତି। ଯୌନଗତ ହିଂସାକୁ ସଶସ୍ତ୍ର ସଂଗ୍ରାମର ଏକ ଅଂଶ ଭାବେ ଆଜିକାଲି ବ୍ୟାପକଭାବେ ଉପଯୋଗ କରାଯାଉଥିବାରୁ ଏ ଦୁହେଁ ତା’ର ଅବସାନ ପାଇଁ କାର୍ଯ୍ୟ କରୁଥିବାରୁ ନୋବେଲ କମିଟି ଉଭୟଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରିଛି।
ଆଜିକାଲି ପ୍ରତିପକ୍ଷକୁ ଧରାଶାୟୀ କରିବାପାଇଁ ଲଢ଼େଇ ଇଲାକାର ଶିଶୁ ଓ ମହିଳାଙ୍କୁ ନାନା ପ୍ରକାର ଯୌନ ଉତ୍ପୀଡନ ଦିଆଯାଉଛି। ବିିଭିନ୍ନ ସମୟରେ ଏହି ଉତ୍ପୀଡ଼ନର ଜଘନ୍ୟ, ଲୋମହର୍ଷଣକାରୀ ଓ ଅମାନବୀୟ ତଥ୍ୟ ପଦାକୁ ଆସୁଛି ଯାହା ସାଧାରଣ ମଣିଷ ବିବେକକୁ ଦୋହଲାଇ ଦେଉଛି, ବିଶ୍ବ ସ୍ତବ୍ଧ ହେଉଛି। ଡକ୍ଟର ମୁକ୍‌ୱେଗେ ଓ ତାଙ୍କର ସହଯୋଗୀ କର୍ମଚାରୀମାନେ ଏଭଳି ହଜାରହଜାର ଯୌନ ପୀଡ଼ିତଙ୍କ ସେବା କରି ସେମାନଙ୍କୁ ଆରୋଗ୍ୟ କରିଛନ୍ତି।
ସେଇଭଳି ଇରାନର ଆଇଏସ୍‌ ଆତଙ୍କବାଦୀଙ୍କ ଦ୍ବାରା ଯେଉଁ ୩୦୦୦ ମହିଳା ଓ ଝିଅ ଯୌନ ଉତ୍ପୀଡ଼ନର ସମ୍ମୁଖୀନ ହୋଇଥିଲେ ସେମାନଙ୍କ ମଧ୍ୟରୁ ମୁରାଦ ଜଣେ। ନିଜେ ଅତ୍ୟାଚାରିତା ହୋଇ ମଧ୍ୟ ଅଦମ୍ୟ ସାହସ ଦେଖାଇ ସେ ପୀଡ଼ିତମାନଙ୍କ ପକ୍ଷରୁ ସ୍ବର ଉତ୍ତୋଳନ କରି ଅସଭ୍ୟତାର କାହାଣୀ ବିଶ୍ବବାସୀଙ୍କ ଆଗରେ ଉପସ୍ଥାପନ କରିଛନ୍ତି। ଯୁଦ୍ଧରେ ଯୌନ ଉତ୍ପୀଡନ ଏଭଳି ଏକ ଘଟଣା ଯାହା ବିଶ୍ବଶାନ୍ତି ଓ ସଦାଚାରର ପରିପନ୍ଥୀ। ତେଣୁ ଏକ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିବିଶେଷଙ୍କ କାର୍ଯ୍ୟକୁ ସ୍ବୀକୃତି ପ୍ରଦାନ କରିବା ଏକ ଯଥାର୍ଥ କାର୍ଯ୍ୟ। ଆମେ ଏହି ଦୁଇ ବିଜୟୀଙ୍କୁ ସ୍ବାଗତ ଜଣାଉଛୁ।

Leave A Reply