ରେଙ୍ଗାଳି ବିସ୍ଥାପିତଙ୍କ ଆଖିରେ ଲୁହ

0

କିଶୋରଚନ୍ଦ୍ର ପ୍ରଧାନ

ଜଳ ସଂପଦ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଦୀର୍ଘ ସତର ବର୍ଷ ଥାଇ ରେଙ୍ଗାଳି ବିସ୍ଥାପିତଙ୍କ ଟଙ୍କା ଆତ୍ମସାତ ନେଇ ବିଜେଡିର ପୂର୍ବତନ ବିଧାୟକ ସଞ୍ଜିବ ପ୍ରଧାନ ଜେଲ୍‌ ଗଲେ। ଆଜକୁ ସାତବର୍ଷରୁ ଊର୍ଦ୍ଧ୍ବ ହେବ ଜଳସଂପଦ ବିଭାଗର କେତେକ ଅଧିକାରୀ ଓ କର୍ମଚାରୀଙ୍କ ସହିତ ଅସାଧୁ ସମ୍ପର୍କ ରଖି ବିସ୍ଥାପିତମାନଙ୍କ କୋଟିକୋଟି ଟଙ୍କା ଜାଲ ଦସ୍ତଖତ ଓ କାଗଜପତ୍ର ଜରିଆରେ ଆତ୍ମସାତ କରିବା ନେଇ ଗମ୍ଭୀର ଅଭିଯୋଗ ହୋଇଥିଲା। ଏହି ଦୁର୍ନୀତି ଚିଟଫଣ୍ଡ ଦୁର୍ନୀତିରୁ ବହୁ ଗୁଣରେ ଅଧିକ।
ବ୍ରାହ୍ମଣୀ ନଦୀ ବନ୍ୟାରେ ରାଜ୍ୟର ବ୍ୟାପକ ଅଞ୍ଚଳରେ କ୍ଷତି ଘଟିବା ଯୋଗୁଁ ବନ୍ୟା ନିୟନ୍ତ୍ରଣ କରିବା ସଙ୍ଗେସଙ୍ଗେ ଆଉ ଅଧିକ ଫାଇଦା ଉଠାଇବାର ପରିକଳ୍ପନାରୁ ଜନ୍ମନିଏ ଏହି ବିରାଟ ଯୋଜନା ରେଙ୍ଗାଳି ବହୁମୁଖୀ ପ୍ରକଳ୍ପ। ରେଙ୍ଗାଳି ବହୁମୁଖୀ ଯୋଜନା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ବର୍ତ୍ତମାନର ଅନୁଗୋଳ ଜିଲା ଅନ୍ତର୍ଗତ ରେଙ୍ଗାଳିଠାରେ ବ୍ରାହ୍ମଣୀ ନଦୀ ଉପରେ ୨୩.୧୨.୧୯୭୩ ମସିହାରେ ଭିତ୍ତିପ୍ରସ୍ତର ଦିଆଯାଇଥିଲା। ସେହି ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ନନ୍ଦିନୀ ଶତପଥୀ। ବନ୍ଧ ନିର୍ମାଣର ଉଦ୍ଦେଶ୍ୟ ବନ୍ୟା ନିୟନ୍ତ୍ରଣ, ବିଦ୍ୟୁତ୍‌ ଉତ୍ପାଦନ, ଜଳସେଚନ, ମତ୍ସ୍ୟ ଉତ୍ପାଦନ, ନୌଚାଳନା ତାଲିମ ଇତ୍ୟାଦି। ପ୍ରଥମ ପର୍ଯ୍ୟାୟରେ- ବନ୍ୟା ନିୟନ୍ତ୍ରଣ କରିବା ପାଇଁ ଓ ୬୦ ‌‌େ‌ମଗାୱାଟ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ନିମନ୍ତେ ବ୍ରାହ୍ମଣୀ ନଦୀ ଉପରେ ଗୋଟିଏ ବିରାଟ ବନ୍ଧ ନିର୍ମାଣ କରାଯିବ।
ଦ୍ବିତୀୟ ପର୍ଯ୍ୟାୟରେ- ଗୋଟିଏ ଆନିକଟ୍‌ ନିର୍ମାଣ କରି ଖରିଫ୍‌ ଓ ରବି ଋତୁରେ ମହାନଦୀ ଓ ବୈତରଣୀ ମଝିରେ ଥିବା- ୧୨ଲକ୍ଷ ୧୬ହଜାର ଏକର ଜମିରେ ଜଳସେଚନ ବ୍ୟବସ୍ଥା କରାଯିବ ଏବଂ ଏହି ମଧ୍ୟବର୍ତ୍ତୀ ଅଞ୍ଚଳରେ ଅନୁମାନ ୬ଲକ୍ଷ ଏକର ଜମିକୁ ଜଳ ଯୋଗାଇ ଦିଆଯିବ; ତା ସହିତ ଜଳଭଣ୍ଡାରରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଓ ନୌଚାଳନା ତାଲିମ ବ୍ୟବସ୍ଥା କରାଯିବ। ଏହି ବନ୍ଧ ନିର୍ମାଣ ହେବା ଯୋଗୁଁ ମୋଟ ୨୬୩ଟି ଗ୍ରାମ ଜଳମଗ୍ନ ହେଲା। ସେଥିରୁ ସଂପୂର୍ଣ୍ଣ ଜଳମଗ୍ନ ୧୧୬ଟି ଗ୍ରାମ ଥିବା​‌େ​‌ବ​‌​‌ଳେ ଆଂଶିକ ଜଳମଗ୍ନ ହେବାକୁ ଥିବା ଗ୍ରାମବାସୀଙ୍କ ଭିତରେ କୋକୁଆଭୟ ଜାତ ହେଲା। ଶହଶହ ବର୍ଷ ଧରି ରହିଆସୁଥିବା ନିଜନିଜ ଭିଟାମାଟିକୁ ତ୍ୟାଗ କରି ବିସ୍ଥାପିତ ତଥା କ୍ଷତିଗ୍ରସ୍ତ ହେବାନେଇ ପ୍ରଜାମାନଙ୍କ ଭିତରେ ଅସନ୍ତୋଷର ବହ୍ନି ଦେଖାଗଲା। ଏହି ବନ୍ଧ ଯୋଜନାକୁ ବନ୍ଦ କରିବାପାଇଁ କେତେକ ନେତାଙ୍କ ନେତୃତ୍ବରେ ଆନ୍ଦୋଳନ ହେଲା। ବାସଚ୍ୟୁତ ହେବାକୁ ଥିବା ଲୋକମାନଙ୍କ ଦ୍ବାରା ତା୧୦.୦୫.୧୯୭୮ ମସିହାରୁ ବନ୍ଧ ହେଉଥିବା ସ୍ଥାନରେ ଧାରଣା ଦେଇ ବନ୍ଧକାର୍ଯ୍ୟରେ ବାଧା ସୃଷ୍ଟି କରାଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଅଧିକ କେତେକ ସୁବିଧା ସୁଯୋଗ ଦେବା ପାଇଁ ତା୦୭.୦୫.୧୯୭୮ମସିହାରେ ରେଙ୍ଗାଳିଠାରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ତତ୍କାଳୀନ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାନ୍ତି, କୃଷି ଜଳସେଚନ ମନ୍ତ୍ରୀ ପ୍ରହଲ୍ଲାଦ ମଲ୍ଲିକ, ଗୋଷ୍ଠୀ ଉନ୍ନୟନ ମନ୍ତ୍ରୀ ଅ​‌େ​‌ଦ୍ବୖତ ପ୍ରସାଦ ସିଂହ ଏବଂ ପବିତ୍ର ମୋହନ ପ୍ରଧାନ, ବୃନ୍ଦାବନ ବେହେରା, ଭାନୁଗଙ୍ଗ ତ୍ରିଭୁବନ ଦେବ, ଧରଣୀଧର ପ୍ରଧାନ ଓ ବାଳକୃଷ୍ଣ ପଟ୍ଟନାୟକ ପ୍ରମୁଖ ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ। ଆଲୋଚନା ପରେ ବୁଡ଼ି ଅଞ୍ଚଳର କ୍ଷତିଗ୍ରସ୍ତ ହେଉଥିବା ଲୋକମାନଙ୍କ ବିଶେଷ ସୁବିଧାସୁଯୋଗ ଦେବା ପାଇଁ ଓଡ଼ିଶା ସରକାର ସ୍ବରାଷ୍ଟ୍ର (ଲୋକସମ୍ପର୍କ) ବିଭାଗ ଦ୍ବାରା ପ୍ରେସନୋଟ୍‌ ପ୍ରକାଶ ପାଇଥିଲା ଏବଂ ଏଥିରେ ଅନେକଗୁଡ଼ିଏ ଲୋଭନୀୟ ପ୍ରସ୍ତାବ ରଖାଯାଇଥିଲା।
ବିସ୍ଥାପିତଙ୍କୁ କ୍ଷତିପୂରଣ ରାଶି ଯାହା ଦିଆଗଲା ତାହା ଅତି ନଗଣ୍ୟ ଥିଲା। ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିବା ସୁବିଧାସୁଯୋଗ ଦେବାରେ ଘୋର ତ୍ରୁଟି ଦେଖାଯାଇ ସେମାନଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କ ଦାବିଗୁଡ଼ିକ ଗୁୁରୁତ୍ବ ନ ଦେଇ ପଦାଘାତ କରାଗଲା। ପରିବାର ଲିଜ୍‌ ବାବଦରେ ୬.୫୦ ଏକର ଜମି କିମ୍ବା ଲିଜ୍‌ ମୂଲ୍ୟ ରଖାଗଲା ଟ.୧୪,୫୪୦/- (ପରିବହନ ଭଡ଼ା ଟ.୫୦୦/-ସହିତ)। ଜଳମଗ୍ନ ଜମିଗୁଡ଼ିକ ବର୍ଗୀକରଣ କରାଯାଇ କ୍ଷତିପୂରଣ ରାଶି ଏକର ପିଛା ଟ.୪୫୦୦/- ଉପରକୁ ଗଲା ନାହିଁ। ୪୫ବର୍ଷ ପରେ ମଧ୍ୟ ବାସଚ୍ୟୁତମାନେ ପରିବାର ଲିଜ୍‌ ବାବଦରେ ଟ.୧୪,୫୦୦/- ପାଉଛନ୍ତି ଯାହା ସରକାରଙ୍କ ନିଷ୍ଠୁରତାର ନିଦର୍ଶନ ଏବଂ ସେଥିରୁ କର୍ମଚାରୀ ଓ ଦଲାଲମାନଙ୍କ ଦ୍ବାରା ଅଧାରୁ ଅଧିକ ଆତ୍ମସାତ୍‌ କରାଯାଉଛି। ରେଙ୍ଗାଳି ବିସ୍ଥାପିତମାନଙ୍କପ୍ରତି ଯେଉଁ ଅନ୍ୟାୟ ଅତ୍ୟାଚାର, ଅବିଚାର, ଶୋଷଣ, ଉପେକ୍ଷା କରାଯାଇଛି ବିଶ୍ବରେ ବିରଳ।
ବିସ୍ଥାପିତମାନଙ୍କ ଅନେକ ସମସ୍ୟା ପଡି ରହିଥିବାବେଳେ ତା୩୧.୦୩.୧୯୯୧ ମସିହାରେ ବନ୍ଧ ନିର୍ମାଣ କାମ ସଂପୂର୍ଣ୍ଣ ହୋଇଥିବା ସରକାରଙ୍କ ଦ୍ବାରା ଘୋଷଣା କରାଗଲା। ଯାହା ସରକାରଙ୍କ ମାରଣ ନୀତି। ପରବର୍ତ୍ତୀ ସ୍ତରରେ ବିଭିନ୍ନ ସମୟରେ ସମସ୍ୟାଗୁଡ଼ିକର ସମାଧାନ ପାଇଁ ସ୍ବର ଉତ୍ତୋଳନ କରାଯାଇ ଆସୁଅଛି। ପ୍ରତ୍ୟେକ ଥର ସରକାରଙ୍କଠାରୁ ପ୍ରତିଶ୍ରୁତି ମିଳିଛି ଅତିଶୀଘ୍ର ସମାଧାନ କରାଯିବ ବୋଲି, କିନ୍ତୁ ସେହି ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଇଛି।
ସରକାର ପରେ ସରକାର ଯାଉଛନ୍ତି, ରେଙ୍ଗାଳି ବନ୍ଧ ଯୋଜନା ଯୋଗୁଁ ଅନେକ ସମସ୍ୟା ପଡ଼ିରହିଥିଲେ ହେଁ ବର୍ତ୍ତମାନ ସୁଦ୍ଧା କାହାରି ନଜର ପଡ଼ୁନାହିଁ। ବିସ୍ଥାପିତମାନଙ୍କ ଦୁର୍ଦଶାକୁ ଦୂର କରିବାପାଇଁ କେବେ ଆନ୍ତରିକତା ଦେଖାଇ ନାହାନ୍ତି; ବରଂ ବିସ୍ଥାପିତଙ୍କ ନାମରେ ଦୁର୍ନୀତି ଓ ଥଇଥାନ ଜୋନ କାର୍ଯ୍ୟାଳୟରେ ଥିବା କର୍ମଚାରୀମାନେ ଲିଜ୍‌ କରାଇ ଦେବା ନାମରେ ଅର୍ଥ ଆଦାୟ କରିବା କେନ୍ଦ୍ର ପାଲଟିଛି। ଯେଉଁମାନେ ପ୍ରବଳ ଅର୍ଥ ଦେଉଛନ୍ତି ବେଆଇନ୍‌ କାର୍ଯ୍ୟକୁ ଆଇନରେ ପରିଣତ କରି ଲିଜ ପଟ୍ଟା ଦେଇ ଦେଉଥିବା ଅଭିଯୋଗ ହେଉଛି। ଅଥଚ ଉଚ୍ଚନ୍ୟାୟାଳୟ ନିର୍ଦେଶକୁ ସେମାନେ ଖାତିର କରୁନାହାନ୍ତି। ଡଂରା ଗ୍ରାମର ପାଞ୍ଚଟି ପରିବାର ଟଙ୍କଧର ବେହେରା, ଗୁଣନିଧି ଦାସ, ଗଦାଧର ସାହୁ, ଟଙ୍କଧର ସାହୁ, ବସନ୍ତ କୁମାର ସାହୁ (ସେଥି ମଧ୍ୟରୁ ଦୁଇଜଣ ମୃତ)ଙ୍କୁ ଲିଜ୍‌ ଜମି ଦେବାପାଇଁ ଉଚ୍ଚ ନ୍ୟାୟାଳୟ ତା ୧୩.୦୯.୨୦୧୬ମସିହାରୁ ନିର୍ଦେଶ ଦେଇଥିଲେ ହେଁ ସେମାନେ ଅଦ୍ୟାବଧି ନପାଇ ୨୨ ଥର ଜିଲା ପ୍ରଶାସନ ତଥା ସମ୍ପୃକ୍ତ ଜୋନ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ମାନସିକ ଭାରସାମ୍ୟ ହରାଇଲେଣି ଓ ମନ୍ଦ ଉଦ୍ଦେଶ୍ୟ ରଖି ସଂପୃକ୍ତ କର୍ମଚାରୀମାନେ କାମ କରୁନାହାନ୍ତି। ସେହିପରି ଚାରିମଞ୍ଚା ଗ୍ରାମର ୬୪ ପରିବାରଙ୍କୁ କ୍ଷତିପୂରଣ ଦିଆଯାଇ ନାହିଁ କି ପରିବାରଭୁକ୍ତ କରାଯାଇନାହିଁ। ଥଇଥାନ ତ ଦୂରର କଥା, ଡି.ପି. କେନାଲ ପାର୍ଶ୍ବରେ ଥିବା ଜମିଗୁଡ଼ିକର ଅନୁମତି ଥିଲେ ହେଁ କ୍ଷତିପୂରଣ ମିଳିନାହିଁ। ତୁତୁରିପାଲିର ସମସ୍ତେ ବିପିଏଲ, ଆଦୌ କ୍ଷତିପୂରଣ ପାଇନାହାନ୍ତି। ତେଲିମୁଣ୍ଡା, ଶୀପୁର, ଭଗବତପୁର, ହରିହରପୁର, ଗୋଠମଡ଼ା, କଦଳୀପାଳ, ଗଣନାଥପୁର, ଡେରାପଥର ଗ୍ରାମବାସୀଆଦି ଏବେବି କ୍ଷତିପୂରଣ ପାଇବାରୁ ବଞ୍ଚିତ। ଦେବଗଡ଼ ଜିଲାର ହଦମୁଣ୍ଡା ଓ ଝାଡ଼େଶ୍ବର ଡିପିଏଫ କାଲକାଠ ଡିପିଏଫ, ମହାସିନ୍ଦୁ ଡିପିଏଫ, ଚିଲାଂଟିଖୋଲ ଡିପିଏଫ ଓ ସମ୍ବଲପୁର ଜିଲାର ବେହେରାମାଲ, ମୁକ୍ତେଶ୍ବର ଗ୍ରାମକୁ ରାଜସ୍ବଗ୍ରାମ ଘୋଷଣା କରାଯାଇନାହିଁ। ଡି.ସି. ପଟ୍ଟାଗୁଡ଼ିକୁ ରୟତ ପଟ୍ଟାରେ ପରିଣତ କରାଯିବାରେ ଅବହେଳା। ଯେଉଁ କେତେକ ପରିବାରକୁ ରୟତ ପଟ୍ଟା ପ୍ରଦାନ କରାଯାଇଛି ସେମାନଙ୍କ ରୟତ ଜମିର ସୀମା ଚିହ୍ନଟ କରାଯାଇ ନାହିଁ। ଫଳରେ ରୟତ ପଟ୍ଟା ପାଇବା ପରେ ଅନେକ ଗ୍ରାମରେ ବିବାଦ ସୃଷ୍ଟି ହୋଇଛି। ୪୦୫ରୁ ୪୧୦ ସୀମାରେଖା ଭିତରେ ଥିବା ଉଦ୍‌ବୃତ୍ତ ଜମିଗୁଡ଼ିକୁ ଦଖଲ କରୁଥିବା ପ୍ରଜାମାନଙ୍କୁ ସ୍ଥାୟୀ ଲିଜ୍‌ପଟ୍ଟା ପ୍ରଦାନ କରାଯିବା ସହିତ ବୁଡ଼ିଜମି ଉପରେ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ପଦକ୍ଷେପ ନିଆଯାଉ ନାହଁି। ଆଜକୁ ୨୫ବର୍ଷରୁ ଊର୍ଦ୍ଧ୍ବ ହେବ ଭୂ- ଅର୍ଜନଆଇନ ସଂଶୋଧନ ହେବାଫଳରେ ୭୫ଟି ଗ୍ରାମର ଘର ଏବଂ ୧୨ଟି ଗ୍ରାମର ଆବଶ୍ୟକ ସଂଶୋଧନ ଅଟକଳ କରାଯାଇ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ହେଁ କ୍ଷତିପୂରଣ ମିଳିନାହିଁ। ଏକ୍ସ-ଗ୍ରାସିଆ ପାଇଁ ଏକର ପିଛା ଟ. ୫୦,୦୦୦/- ହିସାବରେ ୩୦,୪୯୭ ଏକର ଜମି ପାଇଁ ପ୍ରାୟ ୧୫୩ କୋଟିଟଙ୍କା ପ୍ରସ୍ତାବ ଦିଆଯାଇ ଥିଲେ ହେଁ ପଦକ୍ଷେପ ନିଆଯାଉନାହିଁ। କେତେକ ବାସଚ୍ୟୁତ ପରିବାର ବର୍ଦ୍ଧିତ ହାର ପାଇଁ କୋର୍ଟର ଆଶ୍ରୟ ନେଇ ବିଭିନ୍ନ ପର୍ଯ୍ୟାୟରେ କ୍ଷତିପୂରଣ ରାଶି ପାଉଥିବାବେଳେ କୋର୍ଟର ଆଶ୍ରୟ ନେଇ ପାରୁନଥିବା ଗରିବ ପରିବାରମାନେ ଏହା ପାଇବାରୁ ସଂପୂର୍ଣ୍ଣ ବଞ୍ଚିତ ହେଉଛନ୍ତି। ଖୁଣ୍ଟା ଖୋଳେଇ ବାବଦକୁ ୩୧ଟି ଗ୍ରାମର ବକେୟା ପଡ଼ିରହିଛି। ଥଇଥାନ ହୋଇଥିବା ଗ୍ରାମଗୁଡ଼ିକର ଭିତ୍ତିଭୂମି ଉନ୍ନତିକରଣ ପାଇଁ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ।
ଏମିତି ଅନେକ ସମସ୍ୟା ପଡ଼ିରହିଥିଲେ ହେଁ ସରକାର ତଥା ବିରୋଧୀ ଦଳମାନଙ୍କର ବିସ୍ଥାପିତମାନଙ୍କ ପାଇଁ ଦରଦ ନାହିଁ। ପାଳଲହଡ଼ାରୁ ଥରେ ବିଧାୟକ ଓ ଦେବଗଡ଼ରୁ ଥରେ ସାଂସଦ ହୋଇଥିବା ଲୋକପ୍ରତିନିଧି ଲୋକଙ୍କୁ ବିଭ୍ରାନ୍ତ କରି ଶସ୍ତା ରାଜନୈତିକ ଫାଇଦା ଉଠାଇବା ପ୍ରୟାସ ନକରି ବରଂ ଇସ୍ତଫା ଦେଇ ଦେବା ଉଚିତ୍। ମୁଖ୍ୟମନ୍ତ୍ରୀ ନିଜେ ରେଙ୍ଗାଳି ବିସ୍ଥାପିତମାନଙ୍କ ପଡ଼ିରହିଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଉଚ୍ଚକ୍ଷମତା ସଂପନ୍ନ କମିଟି ଜରିଆରେ ପଦକ୍ଷେପ ନେବା ଉଚିତ। ନଚେତ୍‌ ବିସ୍ଥାପିତମାନଙ୍କ ମନର ଯନ୍ତ୍ରଣା ଆଗାମୀ ଦିନରେ ବିଦ୍ରୋହର ନିଆଁରେ ପରିଣତ ନ ହେବ କିଏ କହିବ! ଯେଉଁମାନେ ଭିଟାମାଟି ତ୍ୟାଗ କରିଛନ୍ତି ସେମାନଙ୍କ ପ୍ରତି ସରକାର ଯତ୍ନଶୀଳ ହେବା ଉଚିତ।

Leave A Reply